Unknown

 

 

 

 

 

 

 

 

 

 

 

ପ୍ରବନ୍ଧ-ପ୍ରକାଶ

(ଦ୍ୱିତୀୟ ଖଣ୍ଡ)

ରତ୍ନାକର ପତି

 

ବକ୍ତବ୍ୟ

 

‘ପ୍ରବନ୍ଧ-ପ୍ରକାଶ’ର ପ୍ରଥମ ଖଣ୍ଡର ପ୍ରକାଶନର ବହୁକାଳ ପରେ ତାହାର ଦ୍ୱିତୀୟ ଖଣ୍ଡ ପ୍ରକାଶିତ ହେଲା । ଏଥିର ଅଧିକାଂଶ ପ୍ରବନ୍ଧ ‘ସମାଜ’ର ଶ୍ରାଦ୍ଧ ସଂଖ୍ୟା, ‘ସତ୍ୟବାଦୀ’, ‘ନବଭାରତ’ ପ୍ରଭୃତି ଉତ୍କଳର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା । ସେଗୁଡ଼ିକୁ ସ୍ଥାନେ ସ୍ଥାନେ ଯଥାସମ୍ଭବ ପରିବର୍ତ୍ତନ ଓ ପରିବର୍ଦ୍ଧନ କରାଯାଇଅଛି । ବ୍ୟକ୍ତିଗତ ତଥା ଜାତୀୟ ଜୀବନର ବିଭନ୍ନ ସମସ୍ୟା ବିଚାରମୂଳକ ଓ ପ୍ରେରଣାପ୍ରଦ ବିଶ୍ଳେଷଣ ଏବଂ ଯଥାସମ୍ଭବ ସମାଧାନ ଏ ପ୍ରବନ୍ଧଗୁଡ଼ିକର ଲକ୍ଷ୍ୟ । ଅବଶ୍ୟ, ସମସ୍ୟାବିଶେଷର ସମାଧାନ ଶେଷ ନିଷ୍ପନ୍ନ ବୋଲି କହିହେବ ନାହିଁ । ତଥାପି ପୁସ୍ତକର ସନ୍ନିବେଶିତ ପ୍ରବନ୍ଧଗୁଡ଼ିକ ପାଠକମାନଙ୍କର ଚିନ୍ତାର ଅଗ୍ରଗତିରେ ଏବଂ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଅଭିବୃଦ୍ଧିରେ କେତେକ ପରିମାଣରେ ସାହାଯ୍ୟ କରିବ, ଏହି ବିଶ୍ୱାସରେ ପୁସ୍ତକଟି ପ୍ରଣୟନ କରଯାଇଅଛି । ଯେଉଁ ପତ୍ରପତ୍ରିକାମାନଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଏ ଦିଗରେ ପ୍ରେରଣା ମିଳିଥିଲା, ସେମାନେ ମୋର କୃତଜ୍ଞତାଭାଜନ ହୋଇଛନ୍ତି । ପୁଣି ଏହାର ପାଣ୍ଡୁଲପି ପ୍ରସ୍ତୁତ କରିବାରେ ମୋର ଯେଉଁ କେତେକ ବନ୍ଧୁ ମତେ ସାହାଯ୍ୟ କରିଅଛନ୍ତି, ସେମାନେ ମୋର ଧନ୍ୟବାଦାର୍ହ । ପୁସ୍ତକଟି ଚିନ୍ତାଶୀଳ ତଥା ସାହିତ୍ୟପ୍ରେମୀ ପାଠକମାନଙ୍କର ଅନୁକୂଳ ଦୃଷ୍ଟି ଆକର୍ଷଣ କଲେ ଶ୍ରମ ସାର୍ଥକ ମନେ କରିବି ।

 

କଟକ

ଶ୍ରୀ ରତ୍ନାକର ପତି

ତା ୨୭ । ୫ । ୬୭

 

Image

 

ପ୍ରକାଶକଙ୍କ ମନ୍ତବ୍ୟ

 

‘ପ୍ରବନ୍ଧ-ପ୍ରକାଶ’ର ଦ୍ୱିତୀୟ ଖଣ୍ଡ ଅଧ୍ୟାପକ ଶ୍ରୀ ରତ୍ନାକର ପତି ଏମ୍. ଏ.ଙ୍କ ଲିଖିତ । ଏହି ଗ୍ରନ୍ଥରେ କେତେଗୁଡ଼ିଏ ଉଚ୍ଚକୋଟିର ସାମାଜିକ ଓ ନୈତିକ ପ୍ରବନ୍ଧ ସନ୍ନିବେଶିତ ହୋଇଅଛି । ଉଚ୍ଚ ସାହିତ୍ୟ ଅଧ୍ୟୟନ କରୁଥିବା ଛାତ୍ର-ଛାତ୍ରୀମାନଙ୍କର ଏହା ଏକ ଉପାଦେୟ ପୁସ୍ତକ ହେବ ବୋଲି ଆଶା କରେଁ । ମୋର ବିଶ୍ୱାସ, ଗ୍ରନ୍ଥଟି ସାହିତ୍ୟିକ କଥା ସାହିତ୍ୟପ୍ରେମୀମାନଙ୍କର ଶୁଭଦୃଷ୍ଟି ଆକର୍ଷଣ କରିବ । ପୁସ୍ତକଟିର ପ୍ରକାଶନ ପାଇଁ ଗ୍ରନ୍ଥକାର ମହାଶୟ ‘ସଦୟ ଅନୁମତି ଦେଇଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ ।

 

ପ୍ରକାଶକ

Image

 

ସୂଚୀପତ୍ର

 

୧.

ଭାରତୀୟ ସଂସ୍କୃତିର ଧାରା

୨.

ନାଗରିକର ଦାୟିତ୍ୱ

୩.

ସ୍ୱାଧୀନତା

୪.

ଆଧୁନିକ ସଭ୍ୟତା

୫.

ବିଶ୍ୱରେ ମାନବର ସ୍ଥାନ

୬.

ରାଜନୀତି କ୍ଷେତ୍ରରେ ନୈତିକତାର ସ୍ଥାନ

୭.

ଏକ କି ଅନେକ

୮.

ନୂତନ ଓ ପୁରାତନ

୯.

ଆତ୍ମଶୁଦ୍ଧି

୧୦.

ଛାତ୍ରଧର୍ମ ବିଚାର

୧୧.

ଭାଷାର ଉତ୍ପତ୍ତି

୧୨.

ଧର୍ମ ଓ ଜୀବନ

୧୩.

ବିଶ୍ୱଭାତୃତ୍ୱ

୧୪.

ଜାତୀୟ ଚରିତ୍ର

୧୫.

ମହାପୁରୁଷଙ୍କ ବୈଶିଷ୍ଟ୍ୟ

୧୬.

ପ୍ରାଥମିକ ଶିକ୍ଷାର ପ୍ରସାର

Image

 

ଭାରତୀୟ ସଂସ୍କୃତିର ଧାରା

 

ପୁରାଣପ୍ରସିଦ୍ଧ ଭାରତଭୂମିରେ କେତେ ଯେ ମାନବୀୟ ଲୀଳା ଘଟି ଯାଇଅଛି, ତାହାର ଇୟତ୍ତା ନାହିଁ । ଆବହମାନ କାଳରୁ ଜ୍ଞାନ ବିଜ୍ଞାନ, ଶିଳ୍ପ କଳା, ସାହିତ୍ୟ, ଦର୍ଶନ, ସମାଜନୀତି, ରାଷ୍ଟ୍ରନୀତି ଓ ଧର୍ମନୀତି ପ୍ରଭୃତିର ଏକ ବିରାଟ କର୍ମକ୍ଷେତ୍ରରୂପେ ବିଦ୍ୟମାନ ରହି ଏହି ଭାରତଭୂମି ଦେଶବିଦେଶ ସଙ୍ଗେ ସାଂସ୍କୃତିକ ସମ୍ବନ୍ଧ ସ୍ଥାପନ କରି ଆସିଅଛି । ଏହାର ବିଶାଳବକ୍ଷରେ ହିମବତଠାରୁ କୁମାରିକା ପର୍ଯ୍ୟନ୍ତ ସମାଜଗତ, ରାଜନୈତିକ ତଥା ଧର୍ମଗତ ବିପ୍ଳବମାନ ସଂଘଟିତ ହୋଇଥିଲେ ସୁଦ୍ଧା କି ଏକ ଅଦ୍ଭୁତ ଶକ୍ତିର ବଳରେ ଏହାର ବୈଶିଷ୍ଟ୍ୟ ଓ ପରମ୍ପରା ଅକ୍ଷୁଣ୍ଣ ରହିଅଛି-। ଏହାର ସଂସ୍କୃତିଗତ ପରିବର୍ତ୍ତନ ଯୁଗଯୁଗ ଧରି ଘଟି ଆସିଥିଲେ ହେଁ ଏହା ବିଭିନ୍ନ ବିଦେଶୀୟ ସଭ୍ୟତା ଓ ସଂସ୍କୃତିର ଏକ ମହାସମନ୍ୱୟ କ୍ଷେତ୍ରରୂପେ ଆଜି ପର୍ଯ୍ୟନ୍ତ ନିଜର ଅସ୍ତିତ୍ୱ ରକ୍ଷାକରି ଆସିଅଛି । ପ୍ରାଗୈତିହାସିକ ଯୁଗରୁ ହିଁ ସଭ୍ୟତାର କ୍ରମବିକାଶବିଧିରେ ଭାରତୀୟ ସଂସ୍କୃତିଧାରା ନାନା ଅବସ୍ଥା ମଧ୍ୟଦେଇ ବିଭିନ୍ନ ଦିଗରେ ପ୍ରବାହିତ ହୋଇ ଆସୁଅଛି । ଏପରି ଦେଶ ନାହିଁ, ଏପରି ଜାତି ନାହିଁ, ଯାହାର ଶାରୀରିକ, ମାନସିକ, ନୈତିକ, ରାଜନୈତିକ ତଥା ସମାଜିକ କୃଷ୍ଟି ବା ସଂସ୍କୃତି କାଳର ପ୍ରଭାବରେ ପରିବର୍ତ୍ତିତ ହୋଇ ନାହିଁ; କାରଣ ଅପରିବର୍ତ୍ତନୀୟ ହୁଏତ ପୂର୍ଣ୍ଣତା, ନଚେତ୍‌ ମୃତ୍ୟୁ । କିନ୍ତୁ ଏହି ପରିବର୍ତ୍ତନ ନିରପେକ୍ଷ ନୁହେଁ । ଏହାର ଅନ୍ତରାଳରେ ଏକ ସନାତନ ସତ୍ତା ବିଦ୍ୟମାନ ଥାଏ । ସୁତରାଂ ଯାହା ପରିବର୍ତ୍ତିତ ହୁଏ, ତାହାର ଆତ୍ମା ବା ସ୍ୱରୂପ ସର୍ବଦା ଉକ୍ତ ପରିବର୍ତ୍ତନର ଭିତ୍ତିଭୂମି ହୋଇଥାଏ । ସେହିପରି ଭାରତୀୟ ସଂସ୍କୃତିର ନାନା ପରିବର୍ତ୍ତନ ଘଟିଥିଲେ ହେଁ, ଏହାର ଆତ୍ମା ବା ସ୍ୱରୂପ ପରିବର୍ତ୍ତିତ ହୋଇ ନାହିଁ । ଭାରତ ଏପର୍ଯ୍ୟନ୍ତ ନିଜର ସେହି ଆଦି ସଂସ୍କୃତିପିଢ଼ରେ ଦଣ୍ଡାୟମାନ ରହି ବିଶ୍ୱସଙ୍ଗରେ ନିଜକୁ ସମଯୋଜିତ କରି ଆସୁଅଛି । (କୌଣସି ଦେଶ ବା ଜାତିର ସଂସ୍କୃତି ତାହାର ଆଦର୍ଶ ଉପରେ ପ୍ରତିଷ୍ଠିତ । ଯେଉଁ ସଂସ୍କୃତି ଯେତେ ଉନ୍ନତ ଓ କ୍ରିୟାଶୀଳ, ତାହାର ପଶ୍ଚାତ୍‌ ଦେଶରେ ସେତିକି ଉଚ୍ଚ ଆଦର୍ଶ ବିଦ୍ୟମାନ ଥିବା ସ୍ୱାଭାବିକ)-। କାରଣ ସଂସ୍କୃତି ଆଦର୍ଶର ବିଭିନ୍ନ ବିଭାବର ବହିଃପ୍ରକାଶ-ଆଦର୍ଶର କାର୍ଯ୍ୟ-ପରିଣତି, କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ଭୌତିକ ସୁଖସମ୍ଭୋଗ କୌଣସି ଦେଶ ବା ଜାତିର ଚରମ ଲକ୍ଷ୍ୟ ହୁଏ, ତାହାହେଲେ ତାହାର ସଂସ୍କୃତି ଦୈହିକ ସୁଖସ୍ୱାଚ୍ଛନ୍ଦ୍ୟ ସହକାରୀ ଧନସମ୍ପଦ ଓ ନାନାବିଧ ଇନ୍ଦ୍ରିୟ ଲଭ୍ୟ ଭୋଗବିଳାସର ଆକାର ଧାରଣ କରେ ଏବଂ ଭୌତିକବଳ ସମ୍ପନ୍ନ ରାଜଶକ୍ତିରୂପରେ ଦେଶବିଦେଶର ଅଧିବାସୀଙ୍କୁ କରଗତ କରି ସେମାନଙ୍କର ସୁଖସମ୍ଭୋଗ ଉପରେ କର୍ତ୍ତୃତ୍ୱ କରେ-। ପକ୍ଷାନ୍ତରେ ବିଶ୍ୱମାନବିକତା ଆଦର୍ଶରୂପରେ ଗୃହୀତ ହେଲେ ମାନବ ବିଶ୍ୱରେ ନିଜକୁ ଏବଂ ନିଜଠାରେ ବିଶ୍ୱକୁ ଦେଖି ଏକ ଅକଥନୀୟ ବିଶ୍ୱପ୍ରେମ ଅନୁଭବପୂର୍ବକ ତାହାକୁ ନାନା ଦେଶହିତକର ଅନୁଷ୍ଠାନରୂପରେ ପ୍ରକାଶ କରେ ଏବଂ ଏହି ଅନୁଷ୍ଠାନଗୁଡ଼ିକର ମାଧ୍ୟମରେ ବିଶ୍ୱର ବିଭିନ୍ନ ବିଭାଗରେ ଗୋଟିଏ ବହୁକ୍ରିୟାଶୀଳ ସଂସ୍କୃତି ଗଢ଼ି ବସେ । ସୁତରାଂ କହିବାକୁ ହେବ, କୌଣସି ଦେଶ ବା ଜାତିର ସଂସ୍କୃତି ତାହାର ଚରମଲକ୍ଷ୍ୟ ବା ଚରମ ଆଦର୍ଶ ଉପରେ ପ୍ରତିଷ୍ଠିତ-ତାହାର ଉକ୍ତ ଆଦର୍ଶର ମହନୀୟତା ବା ନିଚ୍ଚତାର ପରିମାପକ । ବର୍ତ୍ତମାନ ଭାରତର ଏହି ଆଦର୍ଶ କ’ଣ ଥିଲା ଏବଂ ଏହାର ବହିଃପ୍ରକାଶ କିପରି ଭାବରେ ଘଟି ତାହାର ଗୋଟିଏ ମହତୀ ସଂସ୍କୃତି ସୃଷ୍ଟି କରିପାରିଥିଲା, ଏହାହିଁ ଆମ୍ଭମାନଙ୍କର ଆଲୋଚ୍ୟ ବିଷୟ ।

 

ଭାରତରେ ବୈଦିକଯୁଗ ପୂର୍ବରୁ ଏକ ଅସୁର ବା ଅନାର୍ଯ୍ୟ ସଭ୍ୟତା ବିଦ୍ୟମାନ ଥିବାର ଯେଉଁ ଐତିହାସିକ ପ୍ରମାଣମାନ ମିଳୁଅଛି, ସେଥିରୁ ଅନୁମିତ ହୁଏ ଯେ ବୈଦିକ ବା ଆର୍ଯ୍ୟ ସଭ୍ୟତା ତାହାର ସଂଘର୍ଷରେ ଆସି ତାହାର ଉପାଦାନଗୁଡ଼ିକୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜର ଉନ୍ନତଆଦର୍ଶ ଓ ବିଶାଳ ସଂସ୍କୃତିକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିପାରିଥିଲା । ମାନବଜୀବନର ପରମ ଆଦର୍ଶ ‘ସତ୍ୟ ଶିବ-ସୁନ୍ଦର’କୁ ସମ୍ମୁଖରେ ରଖି ଆର୍ଯ୍ୟ-ଭାରତ ସ୍ୱୀୟ ସଂସ୍କୃତି ଓ ସଭ୍ୟତା ଗଢ଼ି ଆସିଛି । ଆଦର୍ଶର ପୂର୍ଣ୍ଣତା ତାହାର ବିଭିନ୍ନ ବିଭାବର ପୂର୍ଣ୍ଣତା ଉପରେ ନିର୍ଭର କରେ । ସୁତରାଂ ସତ୍ୟ, ଶିବ ଓ ସୁନ୍ଦର ନାମରେ ବିଭାବତ୍ରୟର ସମ୍ପୂର୍ଣ୍ଣ ଉପଲବ୍‌ଧି ନିମିତ୍ତ ଯେଉଁ ସବୁ ସହକାରୀ ଅବସ୍ଥା ଓ ଉପାୟ ଆବଶ୍ୟକ, ସେଗୁଡ଼ିକ ସୃଷ୍ଟିକରି ଭାରତବାସୀ ତାହାର ସଂସ୍କୃତି ଭାରତୀୟ ଜୀବନକୁ ଚିରକାଳ ନିୟମିତ କରିଅଛି । ଅବଶ୍ୟ ଏହାକୁ ବହୁ ବାଧାବିଘ୍ନ ଅତିକ୍ରମ କରିବାକୁ ହୋଇଅଛି । ମାତ୍ର ଏଗୁଡ଼ିକ ଯୁଗପ୍ରବର୍ତ୍ତକ ମହାମନୀଷିମାନଙ୍କ କର୍ତ୍ତୃକ ଦୂରୀକୃତ ହୋଇ ସମଗ୍ର ଜାତୀୟ ଜୀବନକୁ ଏହି ଆଦର୍ଶ ଦିଗରେ ନେଇଯାଇଅଛି । ଭାରତୀୟ-ପ୍ରାଣ ପୂର୍ଣ୍ଣ ସତ୍ୟର ଅନୁସନ୍ଧାନରେ ଲାଗିପଡ଼ି ଜ୍ଞାନକ୍ଷେତ୍ରରେ ବେଦବେଦାଙ୍ଗ ରୂପରେ ଏକ ପ୍ରକାଣ୍ଡ ସଂସ୍କୃତିଧାରା ସୃଷ୍ଟି କରିପାରିଅଛି । ସେହିପରି ‘ଶିବ’ ବା ମଙ୍ଗଳର ଅନୁସନ୍ଧାନରେ ଗତିକରି ବ୍ୟାବହାରିକ ଜୀବନକ୍ଷେତ୍ରରେ ଲୋକହିତକର ଅନୁଷ୍ଠାନମାନଙ୍କର ସୃଷ୍ଟିରେ ନିଜର ଶକ୍ତି ବିନିଯୋଗ କରିଅଛି ଏବଂ ସେଥି ସଙ୍ଗେ ସଙ୍ଗେ ବିଭିନ୍ନ କଳାର ସୃଷ୍ଟି କରି ‘ସୁନ୍ଦର’ ଉପଲବ୍‌ଧିରେ ବହୁ ପରିମାଣରେ ସଫଳକାମ ହୋଇଅଛି । ଏହି ତ୍ରିବିଧ ସୃଷ୍ଟି ତ୍ରିବେଣୀର ମିଳିତ ଧାରା ପରି ଏକ ସମ୍ମିଳିତ ସଂସ୍କୃତିର ଧାରାରୂପରେ ପ୍ରବାହିତ ହୋଇ ଭାରତର ସମଷ୍ଟି ଗତ ତଥା ବ୍ୟକ୍ତିଗତ ଜୀବନକୁ ନିୟନ୍ତ୍ରିତ କରି ଆସିଅଛି । ଭାରତୀୟ ଦର୍ଶନ, ଧର୍ମତତ୍ତ୍ୱ, ନୀତିଶାସ୍ତ୍ର, ରାଜନୀତି, ଅର୍ଥଶାସ୍ତ୍ର, ଶିଳ୍ପକଳା, ଯୌନତତ୍ତ୍ୱ, ଆୟୁର୍ବେଦ, ଗଣିତଶାସ୍ତ୍ର, ସଙ୍ଗୀତବିଦ୍ୟା, ସାହିତ୍ୟ ପ୍ରଭୃତି ଜ୍ଞାନମାର୍ଗ ଓ ବିଭିନ୍ନ ଦେଶହିତକର ଅନୁଷ୍ଠାନମାନ ତାହାର ବିଶାଳ ସଂସ୍କୃତିର ବିଭିନ୍ନ ବିଭାଗ ମାତ୍ର । ଏ ଗୁଡ଼ିକର ବିଭିନ୍ନତା ଦୃଷ୍ଟିରୁ କେହି କେହି କହିପାରନ୍ତି, ଯେପରିକି ଏଗୁଡ଼ିକ ପରସ୍ପର ଠାରୁ ଏକାବେଳକେ ବିଚ୍ଛିନ୍ନ । କିନ୍ତୁ ଯଥାର୍ଥରେ ତାହା ନୁହେଁ । ସମସ୍ତ ଉଲ୍ଲିଖିତ ତ୍ରିରୂପାତ୍ମକ ଚରମଲକ୍ଷର ଉପଲବ୍‌ଧି ନିମିତ୍ତ ବିଭିନ୍ନ ଉପାୟ ମାତ୍ର । ପ୍ରତ୍ୟେକରେ ସେହି ‘ସତ୍ୟ ଶିବ ସୁନ୍ଦର’ ପୂର୍ଣ୍ଣ ଉପଲବ୍‌ଧି ନିମିତ୍ତ ପ୍ରଚେଷ୍ଟା ଓ ସମାଯୋଜନା ରହିଅଛି । ଏହାହିଁ ହେଲା ପ୍ରାଚୀନ ଭାରତର ସଂସ୍କୃତିର ସ୍ୱରୂପ । ଭାରତୀୟ ସଂସ୍କୃତିର ପ୍ରାଚୀନତା ଆଧୁନିକ ପଣ୍ଡିତମାନଙ୍କର ଗବେଷଣାଦ୍ୱାରା ପ୍ରତିପାଦିତ ହେବାରେ ଲାଗିଅଛି । ମହେଞ୍ଜୋଦାରୋ ଓ ହରପ୍‌ପାରେ ପ୍ରତ୍ନତତ୍ତ୍ୱବିତ୍‌ଗଣ ଏକ ଲୁପ୍ତ ସଭ୍ୟତାର ଯେଉଁସବୁ ନିଦର୍ଶନ ଓ ଅବଶେଷ ଆବିଷ୍କାର କରିଅଛନ୍ତି, ସେଥିରୁ ବର୍ତ୍ତମାନ ପ୍ରତୀୟମାନ ହେଉଅଛି ଯେ, ପ୍ରାଚୀନ ଭାରତରେ, ଏପରିକି ପ୍ରାଗୈତିହାସିକ ଯୁଗରେ, ଏପରି ଏକ ସଭ୍ୟତା ଥିଲା, ଯହିଁରୁ ତାହାର ଏହି ବହୁମୁଖୀ ସଂସ୍କୃତିର ଉଦ୍ଭବ ହୋଇଥିଲା । ଏହାଛଡ଼ା ଏଲୋରା, ଅଜନ୍ତା ଓ ଏଲିଫାଣ୍ଟା ପ୍ରଭୃତିର ଭିତ୍ତିଚକ୍ର (Fresco) ବିଭିନ୍ନ ସ୍ଥାନର ଅନୁଶାସନ ଶିଳା ଲିପି ଏବଂ ତାମ୍ରଫଳକ ପ୍ରଭୃତିରୁ ମଧ୍ୟ ଏହି ସଂସ୍କୃତିର ପରିବର୍ତ୍ତୀ ଅବସ୍ଥାର ପରିଚୟ ମିଳେ । ଭାରତର ପ୍ରାଚୀନ ସଂସ୍କୃତି ସେହି ଆଦି ମୌଳିକତା ନେଇ ଅବାଧରେ ଯେ ଗତିକରି ଆସୁଛି, ତାହା ନୁହେଁ, ଏ ଦେଶରେ ଯେତେ ଯେତେ ବୈଦେଶିକ ଆକ୍ରମଣ ତଥା ଆଭ୍ୟନ୍ତରୀଣ ଆନ୍ଦୋଳନ ଜାତିଗତ ଓ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିଅଛି, ତାହା ଫଳରେ ଏହି ସଂସ୍କୃତିଟି ବହୁଧା ରୂପାନ୍ତରିତ ହୋଇଅଛି । ତଥାପି ଭାରତ ତାହାର ସ୍ୱାଭାବିକ ସହିଷ୍ଣୁତା ବଳରେ ଏହି ସମସ୍ତ ପ୍ରଭାବକୁ ନିଜସ୍ୱ କରି ସଂସ୍କୃତିର ବିଭିନ୍ନତା ମଧ୍ୟରେ ଐକ୍ୟ ସମ୍ପାଦନ କରିଅଛି ।

 

ଭାରତୀୟ ସଂସ୍କୃତିର ଏହି ଧାରା କେବଳ ଭାରତରେ ଆବଦ୍ଧ ନରହି ପୃଥିବୀର ଅନ୍ୟାନ୍ୟ ଦେଶ ଓ ସଭ୍ୟତାକୁ ପ୍ରଭାବିତ କରିଥିଲା– କେବଳ ଯେ ପ୍ରଭାବିତ କରିଥିଲା, ତାହା ନୁହେଁ, ସେମାନଙ୍କ ସଂସ୍କୃତିକୁ ପରିବର୍ତ୍ତିତ କରି ନିଜକୁ ପ୍ରତିଷ୍ଠିତ କରିପାରିଥିଲା ମଧ୍ୟ । ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ, ପ୍ରତ୍ୟେକ ଦିଗକୁ ଏହି ବିଶାଳ ସଂସ୍କୃତିଧାରା ସ୍ୱୀୟ ବିଭବପ୍ରାଚୁର୍ଯ୍ୟ ନେଇ ପ୍ରବାହିତ ହୋଇଥିଲା । ବୋରେବୁଦୁର, ଆଙ୍କାରା, ଚିନ୍, ଜାପାନ, ମଧ୍ୟଏସିଆ, ବ୍ରହ୍ମଦେଶ, ମାଳୟ, ଉପଦ୍ୱୀପ, ସୁମାତ୍ରା, ଜାଭା, ବାଲିଦ୍ୱୀପ, ସିଂହଳ, ଇରାନ୍‌, ଆରବ, ମିଶର, ସୁମେରୁ, ମେକ୍‌ସିକୋ, ପ୍ରଭୃତି ଅଞ୍ଚଳମାନଙ୍କରେ ଏହି ସଂସ୍କୃତିରୂପିଣୀ ମନ୍ଦାକିନୀର ଧାରା ପ୍ରବାହିତହୋଇ ସେମାନଙ୍କର ସଭ୍ୟତା ସଂସ୍କୃତି ଉପରେ ପ୍ରଭୂତ ପ୍ରଭାବ ବିସ୍ତାର କରିପାରିଅଛି । କହିବା ଅସମୀଚୀନ ନୁହେଁ ଯେ ଆଧୁନିକ ଭାରତର ଇତିହାସ ତାହାର ଯଥାର୍ଥ ଇତିହାସ ନୁହେଁ–ବରଂ ତାହାର ସଭ୍ୟତା ଓ ସଂସ୍କୃତିର ଏକ ବିକଳ ଚିତ୍ର ମାତ୍ର । ଆଧୁନିକ ଭାରତ ଏକ ସମୟରେ ପ୍ରତିଷ୍ଠିତ ଓ ପ୍ରସାରିତ ଏକ ‘‘ବୃହତ୍ତର ଭାରତ’*ର ଭଗ୍ନାବଶେଷ । ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଅନୁସନ୍ଧାନ ଓ ଗବେଷଣାର ସାହାଯ୍ୟରେ ଅତୀତର ଗର୍ଭରୁ କାଳର କରାଳଗ୍ରାସରେ ଗ୍ରସ୍ତ ପ୍ରାଚୀନ ଭାରତ ବିଶାଳ ସଭ୍ୟତା ଓ ସଂସ୍କୃତିର ପ୍ରସାର ସମ୍ବନ୍ଧରେ ଯେଉଁ ଚମକପ୍ରଦ ନିଦର୍ଶନମାନ ଆବିଷ୍କୃତ ହୋଇଅଛି ଓ ହେଉଅଛି, ସେଗୁଡ଼ିକରୁ ସ୍ପଷ୍ଟ ପ୍ରମାଣ ମିଳୁଅଛି ଯେ, ଭୂପୃଷ୍ଠରୁ ଉଲ୍ଲିଖିତ ଅଂଶମାନ ଅନ୍ତଃସଲିଳା ଫଲ୍‌ଗୁପରି ପ୍ରାଚୀନ ଭାରତର ସେହି ବିରାଟ ସଂସ୍କୃତିଧାରାକୁ ପ୍ରଛନ୍ନ ଭାବରେ ନିଜ ନିଜର ଗର୍ଭରେ ଧାରଣ କରିଅଛନ୍ତି । ଅତୀତର ଏହି ଭାରତ-କାଳର ଗର୍ଭରେ ଲୁପ୍ତ ଏହି ଭାରତ ହିଁ ‘‘ବୃହତ୍ତର ଭାରତ’’ ନାମରେ ଐତିହାସିକ ଓ ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କର ଆଲୋଚ୍ୟ ବିଷୟ ହୋଇପଡ଼ିଛି । ସହସ୍ରାଧିକ ବର୍ଷ ପୂର୍ବେ ଭାରତର ସଭ୍ୟତା ଯେ ଏହିପରି ବିସ୍ତୃତି ଲାଭକରି ନାନା ବିଦେଶୀୟ ସଂସ୍କୃତିକୁ ପ୍ରଭାବିତ କରିପାରିଥିଲା ଏବଂ ଉଲ୍ଲିଖିତ ଦୂରବର୍ତ୍ତୀ ଦେଶମାନଙ୍କରେ ଶାସନତନ୍ତ୍ର ଓ ନିଜର ଆଦର୍ଶର ଅନୁରୂପ ଅନ୍ୟାନ୍ୟ ଅନୁଷ୍ଠାନମାନ ପ୍ରତିଷ୍ଠିତ କରିପାରିଥିଲା, ଏହା ଭାରତ ପକ୍ଷରେ କମ୍‌ ଗୌରବର ବିଷୟ ନୁହେଁ । ଉପରୋକ୍ତ ଅନୁସନ୍ଧାନ ଫଳରେ ଜଣାଯାଇଅଛି, ଭାରତୀୟ ଔପନିବେଶିକଗଣ ସ୍ୱୀୟ ନୌ-ବିଭବ ବଳରେ ବାରିଧିବକ୍ଷ ଅତିକ୍ରମ କରି ଦକ୍ଷିଣପୂର୍ବ ଏସିଆରେ ‘ଶୈଳେନ୍ଦ୍ର ସାମ୍ରାଜ୍ୟ’ ସ୍ଥାପନ କରିଥିଲେ ଏବଂ ଭାରତୀୟ ବଣିକମାନେ ବାଣିଜ୍ୟ ସୂତ୍ରରେ ନାନା ଦେଶରୁ ଧନରତ୍ନ ଆହରଣ କରି ସ୍ୱେଦେଶର ସୁଖସମୃଦ୍ଧି ସାଧନ କରୁଥିଲେ । ଆହୁରି ମଧ୍ୟ, ଭାରତରୁ ଉଦ୍ଭୂତ ବୌଦ୍ଧଧର୍ମ ଏସିଆ, ତିବ୍ଦତ, ଚୀନ୍‌, ଜାପାନ୍‌, ସିଂହଳ, ବ୍ରହ୍ମଦେଶ ପ୍ରଭୃତି ଦୂରବର୍ତ୍ତୀ ରାଜ୍ୟମାନଙ୍କରେ ପ୍ରସାର ଲାଭ କରି ସେମାନଙ୍କର ଧର୍ମଗତ, ଜାତିଗତ ତଥା ସାମାଜିକ ଜୀବନରେ ଏକ ମହା ସାଂସ୍କୃତିକ ପରିବର୍ତ୍ତନ ଆନୟନ କରିପାରିଥିଲା । ଭାରତର ଗଣିତଶାସ୍ତ୍ର ପୃଥିବୀର ଆଦି ଗଣିତଶାସ୍ତ୍ର ବୋଲି ପଣ୍ଡିତମାନେ ସବୁ କାଳେ ସ୍ୱୀକାର କରିଅଛନ୍ତି । ଅବଶ୍ୟ ଭାରତର ବୀଜଗଣିତ, ଜ୍ୟାମିତି, ତ୍ରିକୋଣମିତି ବିଦେଶୀୟ ପଣ୍ଡିତମାନଙ୍କ ଦ୍ୱାରା ଅନେକ ପରିମାଣରେ ପରିବର୍ଦ୍ଧିତ ହୋଇ ଆମ୍ଭମାନଙ୍କ ସମକ୍ଷରେ ନୂତନ ରୂପରେ ଉପସ୍ଥାପିତ ହେଉଅଛି । ମାତ୍ର ଏଗୁଡ଼ିକର ମୂଳବୀଜ ପ୍ରାଚୀନ ଭାରତରେ ସହସ୍ର ସହସ୍ର ବର୍ଷ ପୂର୍ବେ ବିଦ୍ୟମାନ ସେହି ସଂସ୍କୃତିରୁ ଗୃହୀତ ହୋଇଥିଲା ।

 

*ବଙ୍ଗ ସାହିତ୍ୟ ସମ୍ରାଟ ରବୀନ୍ଦ୍ର ନାଥ ତାଙ୍କର ‘‘Greater India” [ବୃହତ୍ତର ଭାରତ] ଶୀର୍ଷକ ପ୍ରବନ୍ଧରେ ଏହି ନାମରେ ଯେଉଁ ବ୍ୟାଖ୍ୟାନ ଦେଇଛନ୍ତି, ସେହି ଅର୍ଥରେ ଏହାକୁ ବୁଝିବାକୁ ହେବ ନାହିଁ । କାରଣ ରବିନ୍ଦ୍ରଙ୍କ ମତରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଭ୍ୟତାର ମିଳନଦ୍ୱାରା ଏପରି ଏକ ଭାରତ ଉପୁଜିବ, ଯାହା ‘ବୃହତ୍ତର ଭାରତ’ ନାମରେ ଅଭିହିତ ହୋଇପାରିବ । ମାତ୍ର ଏଠାରେ ଯେଉଁ ‘ବୃହତ୍ତର ଭାରତ’ କଥା କୁହାଯାଇଛି, ତାହା ଅତୀତର ବୃତହତ୍ତର ଭାରତ-ଭବିଷ୍ୟତର ନୁହେଁ ।

 

ଭାରତୀୟ ସଂସ୍କୃତିର ଏକ ବିଶିଷ୍ଟ ଅଙ୍ଗ ଶିକ୍ଷା ପ୍ରାଚୀନ ଭାରତରେ ସ୍ୱାଧୀନ ଭାବରେ ଗତିକରି ଆସିଥିଲା । ଗୁରୁକୁଳରେ ବ୍ରହ୍ମଚାରୀମାନଙ୍କର ବ୍ରହ୍ମବିଦ୍ୟା ତଥା ଜୀବନବିଷୟକ ବ୍ୟାବହାରିକ ନୀତିସକଳର ଅଧ୍ୟୟନଠାରୁ ଆରମ୍ଭ କରି ନାଳନ୍ଦା, ତକ୍ଷଶିଳା, ଉଜ୍ଜୟିନୀ ଓ ଅମରାବତୀ ପ୍ରଭୃତି ବିଶ୍ୱବିଦ୍ୟାଳୟମାନଙ୍କରେ ଦର୍ଶନ, ବିଜ୍ଞାନ, ସାହିତ୍ୟ, ସଙ୍ଗୀତ ପ୍ରଭୃତି ନାନାଦି ବିଷୟରେ ଗଭୀର ଅନୁଶୀଳନ ପର୍ଯ୍ୟନ୍ତ ଯେଉଁସବୁ ଶିକ୍ଷାଯୋଜନା ଭାରତ ଅନୁସରଣ କରି ଆସିଥିଲା, ସେହି ସମସ୍ତ ଏକ ସୂକ୍ଷ୍ମତମ ବିଚାର ଓ ମୌଳିକ ପରିକଳ୍ପନା ସ୍ପଷ୍ଟ ପ୍ରତିଫଳିତ । ଏହି ଶିକ୍ଷାକେନ୍ଦ୍ରମାନ ଜ୍ଞାନକ୍ଷେତ୍ରରେ ଏପରି ବିଶ୍ୱପ୍ରାଧାନ୍ୟ ଲାଭ କରିଥିଲା ଯେ ଦେଶ ଦେଶାନ୍ତରରୁ ବହୁସଂଖ୍ୟକ ଗବେଷକ ଓ ବିଦ୍ୟାର୍ଥୀଙ୍କୁ ଆକର୍ଷଣ କରିପାରିଥିଲା । ଏହି ଅନୁଷ୍ଠାନଗୁଡ଼ିକ ତେଣୁ ଏହାର ସଂସ୍କୃତି ବିସ୍ତାରର ପ୍ରଧାନ ମାଧ୍ୟମ ଥିଲେ, କହିଲେ ଚଳେ । ଆହୁରି ମଧ୍ୟ ଭାରତୀୟ କଳା ନିଜର ବୈଶିଷ୍ଟ୍ୟ ନେଇ ପୃଥିବୀରେ ଏକ ଅତୁଳନୀୟ ତଥା ଅନନୁକରଣୀୟ ସ୍ଥାନ ଅଧିକାର କରିଥିଲା । ଆଫଗାନିସ୍ଥାନଠାରୁ ଆରମ୍ଭ କରି କାମ୍ବୋଡ଼ିଆ ଓ ଜାଭା ପର୍ଯ୍ୟନ୍ତ ଯେଉଁସବୁ ଅଞ୍ଚଳରେ ଏହି କଳା ବିସ୍ତୃତି ଲାଭ କରିଥିଲା, ସେହି ସେହି ଅଞ୍ଚଳରେ ତାହା ପରିସ୍ଥିତିର ବିଭିନ୍ନତା ସତ୍ତ୍ୱେ ନିଜତ୍ୱ ହରାଇ ନଥିଲା । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀଠାରୁ ଆରମ୍ଭ କରି ପାରସ୍ୟ ଦେଶୀୟ, ଗ୍ରୀସୀୟ ଓ ରୋମୀୟ କଳାର ପ୍ରଭାବ ମଧ୍ୟ ଦେଇ ଏହା ଏ ଦିଗରେ ନିଜର ମୌଳିକ ଶକ୍ତିର ଯଥେଷ୍ଟ ବିକାଶସାଧନ କରିଥିଲା । ପୃଥିବୀର ଅନ୍ୟାନ୍ୟ ଦେଶର କଳା ତୁଳନାରେ ଭାରତର କଳା ବିଶେଷ ପରିମାଣରେ ଧର୍ମାତ୍ମକ ଥିଲା ଏବଂ ରାଜଶକ୍ତି ପ୍ରଭାବରୁ ସମ୍ପୂର୍ଣ୍ଣ ସ୍ୱାଧୀନ ରହିପାରିଥିଲା । ସ୍ଥାପତ୍ୟବିଦ୍ୟାରେ ପ୍ରାଚୀନ ଭାରତର ଶିଳ୍ପୀଗଣ ଏପରି ଅସାଧାରଣ ନୈପୁଣ୍ୟ ଅର୍ଜ୍ଜନ କରିଥିଲେ ଯେ, ପ୍ରକାଣ୍ଡ ଗୁମ୍ଫା, ସୁରମ୍ୟ ମନ୍ଦିର ଓ ମନୋହାରୀ ଜୀବନ୍ତ ମୂର୍ତ୍ତିମାନ ଶୈଳଖଣ୍ଡ ଦେହରେ କୃତିତ୍ତ୍ୱର ସହିତ ଖୋଦନ କରିପାରୁଥିଲେ ।

 

ପ୍ରଧାନତଃ ମୁସଲମାନ ରାଜତ୍ୱର ଆରମ୍ଭରୁ ଭାରତୀୟ ସଂସ୍କୃତିରେ ନାନା ବୈଦେଶିକ ଉପାଦାନର ମିଶ୍ରଣବଶତଃ ତାହାର ବିଶୁଦ୍ଧତା ଅନେକ ପରିମାଣରେ ହ୍ରାସପ୍ରାପ୍ତ ହୋଇଅଛି । ବହୁ ଭାଷା, ଧର୍ମ, ଜାତି ଓ ଗୋଷ୍ଠୀର ଏହି ମିଳନ କ୍ଷେତ୍ରରେ ସାଂସ୍କୃତିକ ଜୀବନ ବିଭିନ୍ନ ଆବର୍ତ୍ତନ ଓ ବିବର୍ତ୍ତନ ଫଳରେ ନିଜର ଅବାଧ ଗତି ରକ୍ଷା କରିବାରେ ଅସମର୍ଥ ହୋଇପଡ଼ିଲା । ସ୍ଥୂଳତଃ ବିଚାର କଲେ ଦେଖାଯାଏ ଯେ ବୈଦେଶିକ ଶକ୍ତିର ଅଧୀନ ନ ହେବା ପର୍ଯ୍ୟନ୍ତ ଭାରତର ସାମାଜିକ ଜୀବନ ପରମ୍ପରାଗତ ବିଧିବିଧାନ ଉପରେ ପ୍ରତିଷ୍ଠିତ ଥିଲା । କିନ୍ତୁ କାଳକ୍ରମେ ଅବସ୍ଥାର ବିପର୍ଯ୍ୟୟ ମଧ୍ୟରେ ଏହାର ମୌଳିକତା ଓ ମର୍ଯ୍ୟାଦାର ବହୁତ ହାନି ଘଟିବାକୁ ଲାଗିଲା । ମାନବର ଦୈନନ୍ଦିନ ଜୀବନରେ ଉଲ୍ଲିଖିତ ବିଧିବିଧାନଗୁଡ଼ିକର ଉପାଦେୟତାର ଉପଲବ୍‌ଧି ତଥା ଯଥାଯଥ ପ୍ରୟୋଗରେ ଅଭାବରେ ସାମାଜିକ ଜୀବନ ଶିଥିଳ ହୋଇପଡ଼ିଲା ଏବଂ ଧର୍ମଗତ ସଂକୀର୍ଣ୍ଣତା, ବର୍ଣ୍ଣଗତ କଠୋରତା ଓ ପରଦାପ୍ରଥା ପ୍ରଭୃତି ନାନା କୁସଂସ୍କାର ନିଗୂଢ଼ ବନ୍ଧନରେ ଆବଦ୍ଧ ହେବାକୁ ଲାଗିଲା । କିନ୍ତୁ ଏହା ସତ୍ତ୍ୱେ ଭାରତୀୟ ସଂସ୍କୃତି ମୁସଲମାନ ସଭ୍ୟତାର ସଂସ୍ପର୍ଶରେ ଆସିବାରୁ ଏହାର ଧର୍ମ ଓ ଭାଷା ସମ୍ପର୍କରେ ସମନ୍ୱୟର ଉଦ୍ୟମମାନ ଦେଖାଗଲା । ହିନ୍ଦୁ ଓ ମୁସଲ୍‌ମାନମାନଙ୍କ ମଧ୍ୟରେ ମୈତ୍ରୀ ସ୍ଥାପନ କରିବା ଉଦ୍ଦେଶ୍ୟରେ ସତ୍ୟପୀର ସମ୍ପ୍ରଦାୟର ଉଦ୍ଭବ; ରାମାନନ୍ଦ, କବୀର ଓ ଗୁରୁ ନାନକଙ୍କର ଉଭୟ ଧର୍ମ୍ମ ସମନ୍ୱୟ ଦିଗରେ ପ୍ରଚେଷ୍ଟା ଓ ଉର୍ଦ୍ଦୁ ଭାଷାର ଉତ୍ପତ୍ତି ଏହାର ପ୍ରକୃଷ୍ଟ ଉଦାହରଣ । ମୋଗଲ ରାଜତ୍ୱରେ ଭାରତୀୟ ଓ ମୋଗଲ କଳାର ସମ୍ମିଶ୍ରଣ ଫଳରେ ଅଳଙ୍କାର ବହୁଳ ସ୍ଥାପତ୍ୟ ପରିବର୍ତ୍ତନ ସରଳ ସୁନ୍ଦର ସମାଧିମନ୍ଦିର, ମସ୍‌ଜିଦ୍‌ ପ୍ରଭୃତି ନିର୍ମିତ ହେଲା । ହିନ୍ଦୁ ପଣ୍ଡିତଗଣ ପାରସ୍ୟ ଭାଷାରେ ଉପାଦେୟ ଗ୍ରନ୍ଥମାନ ରଚନା କଲେ ଓ ମୌଲବୀମାନେ ସଂସ୍କୃତ ଗ୍ରନ୍ଥମାନଙ୍କୁ ଉକ୍ତ ଭାଷାରେ ଅନୁବାଦ କଲେ । ଏହା ଫଳରେ ଭାରତୀୟ ସଂସ୍କୃତିରେ ବିଦେଶୀୟ ଉପାଦାନମାନ ପ୍ରବେଶ କଲା ଏବଂ ମୋଗଲ ସମ୍ରାଟ ଆକବରଙ୍କ ଚେଷ୍ଟାରେ ଉଭୟ ସଂସ୍କୃତି ମଧ୍ୟରେ ଏକ ସମନ୍ୱୟ ସ୍ଥାପିତ ହେଲା ।

 

କିନ୍ତୁ ଏକଦେଶଦର୍ଶୀ, ଧର୍ମାନ୍ଧ ଆଓରଙ୍ଗଜେବଙ୍କ ରାଜତ୍ୱ କାଳରେ ଶିଖ୍‌, ରାଜପୁତ ଓ ମରହଟ୍ଟା ଶକ୍ତିମାନେ ଏତେ ଉତ୍ୟକ୍ତ ଓ ପ୍ରବଳ ହୋଇପଡ଼ିଲେ ଯେ ମୋଗଲ ସାମ୍ରାଜ୍ୟର ପତନ ସଙ୍ଗେ ସଙ୍ଗେ ଏକ ଧର୍ମଗତ ଓ ରାଜନୈତିକ ବିଭ୍ରାଟ ସୃଷ୍ଟି ହେଲା । ପ୍ରାଚୀନ ଭାରତର ରାଜନୀତି ପ୍ରଜାମଣ୍ଡଳୀ ଓ ରାଜଶକ୍ତିର ସୌହାର୍ଦ୍ଦ୍ୟ ଓ ସହଯୋଗର ଏକ ସୁଦୃଢ଼ ନୀତି ଉପରେ ପ୍ରତିଷ୍ଠିତ ଥିଲା-। ସେଥିଲାଗି ସିନା ‘ରାମ-ରାଜ୍ୟ’ର ପରିକଳ୍ପନା ଆଜିସୁଦ୍ଧା ଭାରତୀୟ ପ୍ରାଣକୁ ଉଦ୍‌ବୁଦ୍ଧ କରୁଅଛି–ସେଥିଲାଗି ସିନା ‘ଦେବାନା ପ୍ରିୟ ପ୍ରିୟଦର୍ଶୀ’ ଅଶୋକ ସାର୍ବଜନୀନ ମୈତ୍ରୀବ୍ରତର ନିଷ୍ଠାପର ପାଳନରେ ନିଜର ପ୍ରାଣ ଉତ୍ସର୍ଗ କରିଥିଲେ । କିନ୍ତୁ ରାଜନୀତି କ୍ଷେତ୍ରରେ ଏହି ଆଦର୍ଶ ବହୁଦିନ କ୍ରିୟାଶୀଳ ହୋଇ ତିଷ୍ଠି ପାରି ନଥିଲା । ବିଦେଶୀୟ ରାଜଶକ୍ତିର ପ୍ରଭାବରେ ଧର୍ମନୀତି ବା ଆଧ୍ୟାତ୍ମିକତା ଉପରେ ପ୍ରତିଷ୍ଠିତ ଭାରତୀୟ ଶାସନତନ୍ତ୍ର ତାହାର ସ୍ୱାତନ୍ତ୍ର୍ୟ ହରାଇ ବସିଲା ଅବଶ୍ୟ କିଛିକାଳ ପାଇଁ ଉଦାରଚେତା ଆକବର ଏହି ମାର୍ଜ୍ଜିତ ରାଜନୀତି ଅନୁସରଣ କରିବାରେ ଯତ୍ନବାନ୍‌ ହୋଇଥିଲେ । ତଥାପି କୌଣସି ସମୟରେ ହେଲେ ବୈଦେଶିକ ଶାସନ ପ୍ରଣାଳୀ ଭାରତୀୟ ପ୍ରଜାକୁ ଶାନ୍ତି ଓ ସମୃଦ୍ଧିରେ ରଖିପାରି ନ ଥିଲା । କାରଣ ଏହି ଶକ୍ତିସବୁ ମୁଖ୍ୟତଃ ଆଧିପତ୍ୟବିସ୍ତାର ଓ ଶୋଷଣ ଉଦ୍ଦେଶ୍ୟରେ ହିଁ ଭାରତରେ ପ୍ରବେଶ କରିଥିଲେ । କାଳକ୍ରମେ ପୁଞ୍ଜିପତିମାନଙ୍କର ସ୍ୱାର୍ଥସିଦ୍ଧି, ଦୁର୍ବଳ ନିଃସହାୟ ପ୍ରଜାର ଦୂରବସ୍ଥା ରାଜଶକ୍ତିର ଉଦାସୀନତା ଏବଂ ରାଜନୈତିକ ତଥା ଅର୍ଥନୈତିକ ନିରାପତ୍ତାନାଶର ମୁହୁର୍ମୁହୁଃ ଆଶଙ୍କା ଓ ଅନ୍ୟାନ୍ୟ ଅନେକ ସହଗାମୀ କାରଣବଶତଃ ଭାରତୀୟ ଜୀବନ ସର୍ବଥା ବିପର୍ଯ୍ୟସ୍ତ ଓ ବିକଳାଙ୍ଗ ହୋଇପଡ଼ିଲା । କିନ୍ତୁ ଏହି ପ୍ରତିକୂଳ ଅବସ୍ଥାମାନଙ୍କର ଅଧୀନ ହୋଇ ସୁଦ୍ଧା ଭାରତର ସେହି ନିରବଚ୍ଛିନ୍ନ ସଂସ୍କୃତିଧାରା ପ୍ରଚ୍ଛନ୍ନ ଭାବରେ ଜୀବିତ ରହିଥିଲା । ବ୍ରିଟିଶ ରାଜତ୍ୱରେ ଯେତେବେଳେ ଊନବିଂଶ ଶତାବ୍ଦୀର ବହୁମୁଖୀ ତଥା ଶକ୍ତିଶାଳୀ ପାଶ୍ଚାତ୍ୟ ସଭ୍ୟତାର ଗୋଟିଏ ପ୍ରବଳ ଧାରା ଭାରତଭୂମିରେ ପ୍ରବେଶ କଲା, ସେତେବେଳେ ପୂର୍ବବର୍ତ୍ତୀ ବିଦେଶୀୟ ରାଜାମାନଙ୍କ ଅଧୀନରେ ଅବନତ ଅବସ୍ଥାକୁ ଆସିଥିବା ଭାରତୀୟ ସଭ୍ୟତା ଓ ସଂସ୍କୃତି ପକ୍ଷରେ ଏହାର ସମ୍ମୁଖରେ ମୁଣ୍ଡ ଟେକି ରହିବା ବହୁତ କଷ୍ଟସାଧ୍ୟ ହୋଇପଡ଼ିଲା । ଜ୍ଞାନ-ବିଜ୍ଞାନ କ୍ଷେତ୍ରରେ ବଳୀୟାନ ଏହି ଇଉରୋପୀୟ ଶକ୍ତି ଭାରତକୁ କେବଳ ରାଜନୈତିକ ଭାବରେ ନୁହେଁ, ଅନ୍ୟାନ୍ୟ ଅନେକ ପ୍ରକାରରେ ମଧ୍ୟ ଅଧିକାର କରିବାକୁ ବସିଲା । ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ ଫଳରେ ଭାରତୀୟ ଜୀବନର ଦୃଷ୍ଟିକୋଣ ବହୁ ପରିମାଣରେ ପରିବର୍ତ୍ତିତ ହେବାକୁ ଲାଗିଲା । ଲୋକ ସମାଜରେ ସମାଲୋଚନାମୂଳକ ମନୋବୃତ୍ତି ଜାତହୋଇ ଭାରତର ତଦନୀନ୍ତନ ସାମାଜିକ ଓ ଧର୍ମଗତ ପ୍ରଥା ଏବଂ ନୀତିମାନଙ୍କର ସଂସ୍କାର ସାଧନର ପନ୍ଥା ଉଦ୍‌ଘାଟିତ ହେଲା । ଇଉରୋପୀୟ ସମାଜର ରୀତିନୀତି ଓ ଧର୍ମଧାରଣାରେ ଲୋକେ ଏତେ ଦୂର ପ୍ରଭାବିତ ହୋଇପଡ଼ିଲେ ଯେ ଧର୍ମ-ବିଶ୍ୱାସରୁ ଆରମ୍ଭ କରି ସାଧାରଣ ଚାଲିଚଳଣ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟରେ ପରମ୍ପରାଗତ ବିଧିବିଧାନ ପ୍ରତି ସେମାନଙ୍କର ଆସ୍ଥା କ୍ରମଶଃ କମିବାକୁ ଲାଗିଲା । ଏହାର ଫଳରେ ଭାରତୀୟ ସଂସ୍କୃତି ଏକ ମହା ଜଟିଳ ଆକାର ଧାରଣ କଲା । କିନ୍ତୁ ଏହାର ମୌଳିକ ଭିତ୍ତି ଲୋପ ନ ପାଇ ନବଯୁଗର ସଭ୍ୟତାର ସଂଘର୍ଷରେ ପୁନଃ ପ୍ରତିଷ୍ଠିତ ହେବାକୁ ଲାଗିଲା । ବ୍ରାହ୍ମଧର୍ମ ଓ ବ୍ରାହ୍ମସମାଜ ଏହି ସଂଘର୍ଷର ଫଳ । ରାମମୋହନରାୟ ପ୍ରଭୃତି ମନୀଷୀଗଣ ଏ ଦିଗରେ ଅଗ୍ରସର ହୋଇ ପାଶ୍ଚାତ୍ୟ ସଂସ୍କୃତି ସହିତ ଭାରତର ପରମ୍ପରାଗତ ଜୀବନକୁ ସମାଯୋଜିତ କରିବାପାଇଁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟର ସମନ୍ୱୟ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟରେ, ପ୍ରାଚୀନ ଭାରତର ଭାବଧାରାକୁ ନୂତନ ପରିସ୍ଥିତି ଅନୁଯାୟୀ ନିୟମିତ କରିବାକୁ ଲାଗିଲେ । ସ୍ୱାମୀ ବିବେକାନନ୍ଦ ଓ ଦୟାନନ୍ଦ ସରସ୍ୱତୀ ପ୍ରଭୃତି ମହାପୁରୁଷଗଣ ଭାରତୀୟ ଦର୍ଶନ ଓ ବୈଦିକ ବିଧିବିଧାନକୁ ସୁବୋଧ୍ୟ ତଥା ନୂତନ ଭାବରେ ପ୍ରଚାର କରି ଭାରତର ପ୍ରତିହତ ସଂସ୍କୃତିକୁ ପୁନର୍ବାର ଉଜ୍ଜୀବିତ କରାଇବା ପାଇଁ ଉଦ୍ୟମ କଲେ । ବୈଜ୍ଞାନିକ ଯୁଗର ପ୍ରଥମାବସ୍ଥାରେ ଲୋକମାନଙ୍କ ମନରେ ଯେଉଁ ସନ୍ଦେହ ଓ ନାସ୍ତିକତା ଜାଗରୁକ ହୋଇଥିଲା, ସେସବୁ ହୀନପ୍ରଭ ହେବାକୁ ଲାଗିଲା । ସୁଦୂର ଆମେରିକା ଓ ଇଂଲଣ୍ଡ ପ୍ରଭୃତି ସଭ୍ୟତମ ଦେଶମାନଙ୍କରେ ଭାରତର ଏହି ଭାବଧାରା ଭାରତୀୟ ସଂସ୍କୃତିର ମର୍ଯ୍ୟାଦା ପ୍ରତି ସମ୍ମାନ ଓ ଭକ୍ତି ଜନ୍ମାଇ ଦେଲା । ମାକ୍‌ସମୁଲାର, ସୋପେନହାଓ୍ୱାର, ରୋମାଁ ରୋଲାଁ ପ୍ରମୁଖ ବିଶ୍ୱବିଖ୍ୟାତ ପାଶ୍ଚାତ୍ୟ ପଣ୍ଡିତଗଣ ଭାରତୀୟ ଆଦର୍ଶ ଓ ସଂସ୍କୃତିର ଭୂୟସୀ ପ୍ରଶଂସା କରି ଭାରତ ଜଗତକୁ କି ମହାଶିକ୍ଷା ଦାନ କରିପାରେ, ତାହା ଲିପିବଦ୍ଧ ଭାବରେ ପାଶ୍ଚାତ୍ୟ ଜଗତ୍‌ ସମକ୍ଷରେ ଉପସ୍ଥାପିତ କଲେ । ସୁତରାଂ ଭାରତୀୟ ସଂସ୍କୃତି ପୁନରୁଜ୍ଜୀବିତ ହୋଇ ଆଧୁନିକ ଜଗତରେ ତାହାର ଅତୀତ ଗୌରବର ପ୍ରକୃଷ୍ଟ ପରିଚୟ ଦେଉଅଛି । ଏହି ବିଂଶ ଶତାବ୍ଦୀରେ ଅତି ଅଳ୍ପ ସମୟ ପୂର୍ବେ ମହାମାନବ ଗାନ୍ଧିଜୀ ଭାରତୀୟ ଆଦର୍ଶରେ ନିହିତ ଅହିଂସା ନୀତି ଓ ବିଶ୍ୱମାନବିକତାର ପ୍ରଚାର ଦ୍ୱାରା ଧର୍ମ ସମାଜ ଓ ରାଜନୀତି କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିଅଛନ୍ତି । ତାଙ୍କରି ସାଧନାର ଫଳରେ ଆଜି ଦେଶ ବିଦେଶର ରାଜନୈତିକ ଜୀବନରେ ଏକ ଧକ୍‌କା ବାଜିଅଛି । ଆଧ୍ୟାତ୍ମିକତାରୂପକ ଭିତ୍ତି ଉପରେ ଦଣ୍ଡାୟମାନ ଏହି ଅହିଂସା । ବିଶ୍ୱପ୍ରେମ ବିଶ୍ୱଶାନ୍ତିର ପ୍ରତିଷ୍ଠା ପାଇଁ ପଥ ସୁଗମ କରିଦେଇଅଛି ଏହାଛଡ଼ା ସଂସ୍କୃତିର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଭାରତ ତାହା ପରମ୍ପରାଗତ ଗୌରବକୁ ଏ ଯୁଗରେ ସୁଦ୍ଧା ଅକ୍ଷୁଣ୍ଣ ରଖିଅଛି । ଗଣିତ କ୍ଷେତ୍ରରେ ଶ୍ରୀନିବାସ ରାମାନୁଜଙ୍କର ଅଲୌକିକ ପ୍ରତିଭା, ଉଦ୍ଭିଦ ବିଜ୍ଞାନରେ ସାର ଜଗଦୀଶଙ୍କର କୃତିତ୍ୱ ଏବଂ ସାର୍‌ ସି.ଭି.ରମଣଙ୍କର ବୈଜ୍ଞାନିକ ଜଗତରେ ବିପ୍ଳବକର ଆବିଷ୍କାର, ସମସ୍ତ ଭାରତୀୟ ସଂସ୍କୃତିକୁ ବିଶ୍ୱ ସଂସ୍କୃତିରେ ଉଚ୍ଚ ଆସନ ଦେଇଅଛି । ପ୍ରାଚୀନ ଭାରତରେ ଶଙ୍କର, ରାମାନୁଜ ଯେପରି ଭାରତୀୟ ଦର୍ଶନର ମୌଳିକ ତତ୍ତ୍ୱସକଳର ପ୍ରତିଷ୍ଠା ପ୍ରଖ୍ୟାପନ କରିଥିଲେ, ଏ ଯୁଗରେ ଏହିପରି ଶ୍ରୀ ଅରବିନ୍ଦ ସ୍ୱୀୟ ସ୍ୱାଧୀନ ଚିନ୍ତାବଳରେ ଭାରତୀୟ ଦର୍ଶନକୁ ନୂତନ ରୂପରେଖ ଦେଇ ବିଶ୍ୱଦର୍ଶନ କ୍ଷେତ୍ରରେ ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି । ସାହିତ୍ୟ କ୍ଷେତ୍ରରେ ପୁଣି କାଳିଦାସଙ୍କର ଅମର ଲେଖନୀରୁ ନିଃସୃତ ‘ଅଭିଜ୍ଞାନ ଶୁକୁନ୍ତଳା’ ଯେପରି ପ୍ରସିଦ୍ଧ ଜର୍ମାନ କବି ଗେଟେଙ୍କୁ ସ୍ତମ୍ଭିତ ଓ ବିମୁଗ୍‌ଧ କରିଥିଲା, ଆଧୁନିକ ଯୁଗର ବିଶ୍ୱକବି ରବୀନ୍ଦ୍ରଙ୍କର କାବ୍ୟକବିତା ସେହିପରି ଉଇଲିୟମ୍‌ ବଟ୍‌ଲର, ଇଟସ୍‌ ପ୍ରଭୃତି ବିଶିଷ୍ଟ ସାହିତ୍ୟିକଙ୍କର ଭୂୟସୀ ପ୍ରଶଂସାର ପାତ୍ର ହୋଇପାରିଅଛି । ସୁତରାଂ କହିବାକୁ ହେବ, ଭାରତର ଜାତୀୟ ସଂସ୍କୃତି ପୁନର୍ଜୀବିତ ହୋଇ ଆଧୁନିକ ଜଗତରେ ତାହାର ଅତୀତ ଗୌରବର ପ୍ରକୃଷ୍ଟ ପରିଚୟ ଦେଉଅଛି । ଭାରତୀୟ ସଂସ୍କୃତି ଧାରାର ଏହି ନିରବଚ୍ଛିନ୍ନତା ହୃଦୟଙ୍ଗମ କରି କିଏ ବିଶ୍ୱାସ ନ କରିବ ଯେ ନାନା ବାଧାବିଘ୍ନ ସତ୍ତ୍ୱେ ଏହା ଭବିଷ୍ୟତରେ କ୍ରିୟାଶୀଳ ରହି ଭାରତ ତଥା ସମଗ୍ର ଜଗତର ବ୍ୟକ୍ତିଗତ, ସାମାଜିକ ଓ ଜାତୀୟ ଜୀବନର ଗତିକୁ ନିୟନ୍ତ୍ରିତ କରିବ ?

 

ବର୍ତ୍ତମାନ ଭାବିବାର ବିଷୟ, ଭାରତୀୟ ସଂସ୍କୃତି କିପରି ଭାବରେ ଗତି କଲେ ବିଶ୍ୱକଲ୍ୟାଣ ସାଧନରେ କୃତକାର୍ଯ୍ୟ ହୋଇ ପାରିବ । ଏହି ସମ୍ବନ୍ଧରେ କିଛି କହି ପ୍ରବନ୍ଧଟି ଶେଷ କରିବୁଁ । କହିବା ବାହୁଲ୍ୟ ଯେ ଗାନ୍ଧିଜୀଙ୍କର ନୀତିସମୂହ କେବଳ ଭାରତରେ କାହିଁକି, ସମଗ୍ର ପୃଥିବୀରେ ଏକ ମହା ସମସ୍ୟା ଉପସ୍ଥାପିତ କରିଅଛି । ବହୁ ଶତାବ୍ଦୀର ‘ପରାଧୀନ’ ଭାରତ ଆଜି ‘ସ୍ୱାଧୀନ ଭାରତ’ରେ ପରିଣତ ହୋଇଅଛି । ମହାତ୍ମାଜୀଙ୍କର ନୀତିରେ, ଅନ୍ୟ ଭାବରେ କହିଲେ, ପ୍ରାଚୀନ ଭାରତରେ ସେହି ମହନୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶପ୍ରାଣ ନେତୃବୃନ୍ଦ କର୍ଣ୍ଣଧାରରୂପେ ଏହି ସ୍ୱାଧୀନ ଭାରତପୋତକୁ ଅନ୍ତର୍ଜାତିକ ରାଜନୀତିର ମହାସାଗର ବକ୍ଷରେ ପରିଚାଳିତ କରିବାରେ ଲାଗିପଡ଼ିଅଛନ୍ତି । ବିଗତ ପୃଥିବୀବ୍ୟାପୀ ମହାସମର ଫଳରେ ମାନବୀୟ ସଭ୍ୟତା ଓ ସଂସ୍କୃତି ବିପର୍ଯ୍ୟସ୍ତ ହୋଇପଡ଼ିଅଛି– ଆଧ୍ୟାତ୍ମିକ ମନୋବୃତ୍ତି କ୍ଷୁଣ୍ଣ ହୋଇ କ୍ଷମତାର ମୋହ ଓ ତଜ୍ଜନିତ ଜୀବଧର୍ମର ସ୍ୱଚ୍ଛନ୍ଦ କ୍ରୀଡ଼ା ମାନବ ଜୀବନକୁ ଅସ୍ତବ୍ୟସ୍ତ କରି ଦେଉଅଛି । ଠିକ୍‌ ଏତିକିବେଳେ ଭାରତ ତାହାର ସଂସ୍କୃତିଗତ ନୀତିସକଳର ପ୍ରୟୋଗରେ ଆତ୍ମଶୁଦ୍ଧି କରିବା ସଙ୍ଗେ ସଙ୍ଗେ ସମଗ୍ର ପୃଥିବୀରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା କରିବାକୁ ଯତ୍ପରୋନାସ୍ତି ଯତ୍ନଶୀଳ ହେବ ହିଁ ହେବ । ଜଡ଼ ବିଜ୍ଞାନର ପ୍ରଭାବରେ ଆଜିକାର ମାନବ ସମାଜ ପାଶବିକ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ରକ୍ତପିପାସୁ ରଣଚଣ୍ଡୀର ସେବାପୂଜାରେ ଆପଣାକୁ ନିୟୋଜିତ କରିଅଛି ‘ଆତ୍ମବଳ’ର ପରିବର୍ତ୍ତରେ ‘ଆଟମ୍‌ ବଳ’ ବା ଆଣବିକତ ବୋମାର ପ୍ରୟୋଗ ବିଶ୍ୱଶାନ୍ତି ଆନୟନ କରିବ ବୋଲି ମାନବ ଜଗତରେ ଏକ ଅମୂଳକ ବିଶ୍ୱାସ ଖେଳିଯାଇଅଛି । ଏହି ଘଡ଼ିସନ୍ଧିବେଳେ ଭାରତ ତାହାର ପ୍ରାଚୀନ ଆଦର୍ଶ ଜଗତ ସମକ୍ଷରେ ଉପସ୍ଥାପିତ କରି ତାହାର ଆଧ୍ୟାତ୍ମିକ ନୀତିସକଳର ପ୍ରୟୋଗରେ ଜଗତବାସୀଙ୍କୁ ଉଦ୍‌ବୁଦ୍ଧ ଉତ୍ତେଜିତ ଓ ପ୍ରାଣମୟ କରୁ–ସମଗ୍ର ମାନବ ସମାଜକୁ ଆତ୍ମବଳରେ ବଳୀୟାନ୍‌ କରୁ । ଅତୀତର ସ୍ୱାଧୀନ ଭାରତ ବର୍ତ୍ତମାନର ସ୍ୱାଧୀନ ଭାରତ ରୂପରେ ପୁନର୍ବାର ଗାନ କରୁ-

 

‘‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେସନ୍ତୁ ନିରାମୟାଃ ।

ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍‌ ଦୁଃଖଭାଗ୍‌ ଭବେତ୍ ।’’

 

ଏହି ମହାମନ୍ତ୍ରର ଅମୃତଝଙ୍କାର ବିଶ୍ୱବାସୀର ପ୍ରାଣରେ ପ୍ରେମମନ୍ଦାକିନୀ ଧାରା ପ୍ରବାହିତ କରି–ବିଶ୍ୱର ପ୍ରତି ରନ୍ଧ୍ରରେ ସେହି ‘ସତ୍ୟ ଶିବ-ସୁନ୍ଦର’ର ଉପଲବ୍‌ଧି ନିମିତ୍ତ ପନ୍ଥା ଉଦ୍‌ଘାଟନ କରି–ବିଶ୍ୱଶାନ୍ତି ପ୍ରତିଷ୍ଠିତ କରିବ ଏବଂ ସେଥି ସଙ୍ଗେ ସଙ୍ଗେ ଭାରତୀୟ ସଂସ୍କୃତିର ଧାରା ଚତୁର୍ଦ୍ଦିଗକୁ ପ୍ରବାହିତ ହୋଇ ବିଶ୍ୱକୁ ଏକ ମହାସମନ୍ୱୟକ୍ଷେତ୍ରରେ ପରିଣତ କରିବ, ଏହା ହିଁ ହେବ ଭବିଷ୍ୟତର ‘ବୃହତ୍ତର ଭାରତ’ ।

Image

 

‘ନାଗରିକ’ର ଦାୟିତ୍ୱ

 

‘ନାଗରିକ’ ଶବ୍ଦଟି ନାନା ଅର୍ଥରେ ବ୍ୟବହୃତ ହୋଇଥିଲେହେଁ ଏ ପ୍ରବନ୍ଧ ଆମ୍ଭେମାନେ ଏହାକୁ ‘ପୌରଜନ’ ଅର୍ଥରେ ବ୍ୟବହାର କରିବାକୁ ଯାଇଅଛୁଁ । ଏହି ଅର୍ଥରେ ପ୍ରକୃତ ନାଗରିକ ସେହି, ଯେ କି ସମାଜ, ଜାତି ବା ଦେଶର ରକ୍ଷଣ ଓ କଲ୍ୟାଣ ବା ସମୃଦ୍ଧିର ସମ୍ପାଦନରେ ଜଣେ ଅଂଶୀଦାର ଏବଂ ଯାହାର ସେଥିପାଇଁ ପ୍ରତ୍ୟେକ କର୍ମକ୍ଷେତ୍ର ବା ଅନୁଷ୍ଠାନର ପରିଚାଳନାରେ ଦାୟିତ୍ୱ ଓ ଅଧିକାର ରହିଅଛି । ସେ ସମାଜ ବା ଜାତିର ସହିତ ଏପରି ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ ଯେ ତାହାର ବ୍ୟକ୍ତିଗତ ଜୀବନର ସକଳ ଦିଗର ବିକାଶ ଉକ୍ତ ସମାଜ ବା ଜାତିର ସମୃଦ୍ଧି ଉପରେ ନିର୍ଭର କରେ । ଏକ ଦିଗରେ ତାହାର ବ୍ୟକ୍ତିତ୍ୱ ଓ ଅନ୍ୟ ଦିଗରେ ତାହାର ସାମାଜିକତା ବା ଜାତୀୟତା, ଏହି ଦୁଇଟିର ମଧ୍ୟରେ ଅବସ୍ଥିତ ରହି ପ୍ରତ୍ୟେକ ବ୍ୟକ୍ତି ତାହାର ଜୀବନଧାରଣ ପନ୍ଥା ଉଦ୍‌ଘାଟନ କରିବାରେ ଲାଗିଅଛି । ବ୍ୟକ୍ତିଗତ ଭାବରେ ନିଜର ସ୍ଥିତି, ରକ୍ଷଣ ଓ ବଦ୍ଧନ ପାଇଁ ତାହାଠାରେ ଏକ ସହଜାତ ବା ଜନ୍ମଗତ ବୃତ୍ତି ନିହିତ ରହିଅଛି ସତ; କିନ୍ତୁ ସେଥି ସଙ୍ଗେ ସଙ୍ଗେ ତାହାଠାରେ ଆସଙ୍ଗଲିପ୍‌ସା ଓ ତଜ୍ଜନିତ ପରାର୍ଥପରତାର ବୀଜ ମଧ୍ୟ ବିଦ୍ୟମାନ ଅଛି । ସୁତରାଂ ମାନବ-ଜୀବନ କେବଳ ବ୍ୟକ୍ତିଗତ ସ୍ୱାର୍ଥ ସଂରକ୍ଷଣରେ ନିବଦ୍ଧ, ତେଣୁ ସାମାଜିକ ବା ଜାତିଗତ ପରିବେଷ୍ଟନୀରୁ ବିଚ୍ଛିନ୍ନ, ଏକ ଜୀବନ ନୁହେଁ । ନିଜତ୍ୱ ଓ ପରତ୍ୱ, ସ୍ୱାର୍ଥ ଓ ନିଃସ୍ୱାର୍ଥ, ବ୍ୟକ୍ତିଗତତା ଓ ସାର୍ବଜନୀନତା–ଏହି ଉଭୟ ବିଭାବର ସମନ୍ୱୟରେ ମାନବର ଜୀବନ ଗଠିତ । ସୁତରାଂ ତାହାର ଆପାତବ୍ୟକ୍ତିତ୍ୱର ଅନ୍ତରାଳରେ ଏହି ସାର୍ବଜନୀନତା ବିଦ୍ୟମାନ ରହି ତାହାକୁ ସମାଜ, ଜାତି ଓ ଦେଶର ଏକ ଅପରିହାର୍ଯ୍ୟ ଅଙ୍ଗ ରୂପରେ ଅବସ୍ଥାପିତ କରିଅଛି । ଏହାର ଫଳରେ ସମୂହକଲ୍ୟାଣ ଓ ତାହାର ମଧ୍ୟ ଦେଇ ବ୍ୟଷ୍ଟିକଲ୍ୟାଣ ସମ୍ପାଦିତ ହେଉଅଛି ଏହି ଦୁଇ ଜନ୍ମଗତ ବା ସହଜତା ବୃତ୍ତିର ଯଥାଯଥ ବିନିଯୋଗ ବା କାର୍ଯ୍ୟକାରିତା ଉପରେ ହିଁ ସାମାଜିକ ତଥା ଜାତିଗତ ସଂସ୍ଥିତା ଓ ତଦନ୍ତର୍ଗତ କଲ୍ୟାଣକର ଅନୁଷ୍ଠାନଗୁଡ଼ିକର ଅସ୍ତିତ୍ୱ ଓ ଅଭିବୃଦ୍ଧି ସମ୍ଭବପର ହୋଇପାରେ । ଯେତେବେଳେ ବ୍ୟକ୍ତିଜୀବନର ସମାନତା ବା ଜାତି ସହିତ ଏହିପରି ଅଙ୍ଗାଙ୍ଗୀଭାବରେ ସମ୍ବନ୍ଧ ରହେ ସେତେବେଳେ ତାହାକୁ ‘ନାଗରିକ’ ଆଖ୍ୟା ଦିଆଯାଇଥାଏ ବର୍ତ୍ତମାନ ଦେଖିବାକୁ ହେବ, ଉପଯୁକ୍ତ ନାଗରିକ ହେବାକୁ ହେଲେ ମାନବକୁ କେଉଁ କେଉଁ ନୀତି ବା କର୍ମପନ୍ଥା ଅବଲମ୍ବନ କରିବାକୁ ହେବ ।

ପ୍ରଥମତଃ ସମାଜ ବା ଜାତିର ଅନ୍ତର୍ଗତ ପ୍ରତ୍ୟେକ ବ୍ୟକ୍ତିର ମନରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ପ୍ରତି ଶ୍ରଦ୍ଧା ବା ସମ୍ମାନ ରହିବା ଏକାନ୍ତ ଆବଶ୍ୟକ । ମୋର ନିଜର କଲ୍ୟାଣସାଧନ ମୋର କର୍ତ୍ତବ୍ୟ ସତ, ମାତ୍ର ଏହି କଲ୍ୟାଣ ସମାଜ ବା ଜାତିର ଅନ୍ୟାନ୍ୟ ବ୍ୟକ୍ତିଙ୍କ କଲ୍ୟାଣ ବିନା ଅସମ୍ଭବ । ବର୍ତ୍ତମାନ ପରିସ୍ଥିତିରେ ଯେପରି ଦେଖିବାକୁ ମିଳେ ଅଧିକାଂଶ ଦେଶବାସୀଙ୍କର ସ୍ୱାର୍ଥନ୍ଧତା ଏତେଦୂର ବଢ଼ି ଯାଇଅଛି ଯେ, ଅନ୍ୟର ମଙ୍ଗଳ ପ୍ରତି ଦୃକ୍‌ପାତ ନ କରି, ବରଂ ଦରକାର ହେଲେ ଅନ୍ୟକୁ ମାରି ନିଜର ସ୍ୱାର୍ଥ ସାଧନ କରିବାପାଇଁ ସେମାନଙ୍କଠାରେ ଏକ ଦୁର୍ବାର ଲାଳସା ଜାଗରିତ ହୋଇଅଛି । ଏହା ଫଳରେ ବ୍ୟକ୍ତିଗତ ଜୀବନର ସ୍ୱାର୍ଥ ସାଧିତ ହେବା ଦୂରେ ଥାଉ ବରଂ ଏହା ଏକାବେଳକେ ଧ୍ୱଂସପ୍ରାପ୍ତ ହୋଇଯିବାର ସମ୍ଭାବନା ରହିଅଛି । ଅନ୍ୟର କଲ୍ୟାଣ ପ୍ରତି ଅସମ୍ମାନ ପ୍ରଦର୍ଶନ କରି ସର୍ବଗ୍ରାସୀ ସ୍ୱାର୍ଥନ୍ଧତା ବା ଆତ୍ମମ୍ଭରିତାର ସ୍ୱଚ୍ଛନ୍ଦ ଲୀଳା ସମ୍ପାଦନ କରିବାଦ୍ୱାରା ଏମାନେ ଆତ୍ମହତ୍ୟା କରନ୍ତି ମାତ୍ର । ବାସ୍ତବିକ କେତେକ ବ୍ୟକ୍ତି ସମାଜ ବା ଜାତିରେ ସ୍ୱାର୍ଥକେନ୍ଦ୍ରିକ କାର୍ଯ୍ୟମାନ କରି ନିଜର ଅସମ୍ଭାଳ ଦର୍ପ ଓ କ୍ଷମତା ବଳରେ ଦେଶବାସୀଙ୍କର ସମୂହବିକାଶ ପଥରେ ଏତେ ବାଧାବିଘ୍ନ ସୃଷ୍ଟି କରନ୍ତି ଯେ, ସମାଜ ବା ଜାତିର ମେରୁଦଣ୍ଡ ଭାଙ୍ଗିପଡ଼ି ସେମାନଙ୍କର ନିଜ ନିଜର ସ୍ୱାର୍ଥସିଦ୍ଧି, ନିଜ ନିଜର ବ୍ୟକ୍ତିତ୍ୱର ବିକାଶ ମଧ୍ୟ ଅସମ୍ଭବ ହୋଇପଡ଼େ । ତଥାକଥିତ ବା ଆକସ୍ମିକ ଭାବରେ ଲବ୍‌ଧ ପଦମର୍ଯ୍ୟାଦା ବା ପ୍ରତିଷ୍ଠା ବଳରେ ସେମାନେ ଦେଶର ଅନ୍ୟାନ୍ୟ ବ୍ୟକ୍ତିମାନଙ୍କୁ ଦୀନହୀନ ତଥା ଘୃଣ୍ୟ ବୋଲି ମନେ କରନ୍ତି । ଈଦୃଶ ମନୋବୃତ୍ତି ସେମାନଙ୍କ ପ୍ରାଣରେ କେତେଗୁଡ଼ିଏ ନୀଚ, ସଂକୀର୍ଣ୍ଣ ଜୀବିଧର୍ମ ସୃଷ୍ଟିକରି ମାନବସମାଜକୁ ଇତର ପ୍ରାଣୀମାନଙ୍କର କଳହକ୍ଷେତ୍ରରେ ପରିଣତ କରିଦିଏ । ଏହି ଶ୍ରେଣୀର ବ୍ୟକ୍ତି ନାଗରିକତାର ବହୁ ଦୂରରେ ଅବସ୍ଥିତ । ସଂକୀର୍ଣ୍ଣ ସ୍ୱାର୍ଥ ବିଜଡ଼ିତ, ଜୀବିଧର୍ମପ୍ରଣୋଦିତ ବ୍ୟକ୍ତିଗତ ଜୀବନ ସମାଜ ବା ଜାତିର ଜୀବନ ନୁହେ, ତେଣୁ ‘ନାଗରିକ’ ଆଖ୍ୟା ପାଇବା ପାଇଁ ଏକାନ୍ତ ଅନୁପଯୁକ୍ତ । ସୁତରାଂ ପ୍ରତ୍ୟେକ ବ୍ୟକ୍ତି ସମାଜ ବା ଜାତିର ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନକୁ ନାଗରିକ ଜୀବନର ଏକ ମୂଳନୀତି ରୂପେ ଅବଲମ୍ବନ କର ତଦନୁସାରେ ନିଜର କର୍ମପନ୍ଥା ନିୟନ୍ତ୍ରିତ କରିବା ବିଧେୟ ।

ଦ୍ୱିତୀୟତଃ ନାଗରିକ ଜୀବନରେ ନିୟମାଧୀନତା ଏକ ଅପରିହାର୍ଯ୍ୟ ଦାୟିତ୍ୱ । କଥାଟିକୁ ଅନ୍ୟ ଭାବରେ ପ୍ରକାଶ କଲେ କହିବାକୁ ହେବ, ସମାଜ ବା ଦେଶରେ ପ୍ରଚଳିତ ଆଇନଗୁଡ଼ିକର ଯଥାଯଥ ପ୍ରତିପାଳନ ପ୍ରତ୍ୟେକ ନାଗରିକର ଗୋଟିଏ ଗୁରୁତର କର୍ତ୍ତବ୍ୟ । ଆମ ଦେଶରେ ନାଗରିକ ଜୀବନ ଏତେ ଅନୁନ୍ନତ ଅବସ୍ଥାରେ ପଡ଼ିରହିଛି ଯେ, ତାହା ଦେଶ ବା ସମାଜରେ ପ୍ରବର୍ତ୍ତିତ ନିୟମ ବା ବିଧିବିଧାନର ପାଳନରେ ବହୁତ ପଶ୍ଚାତ୍‌ପଦ ହୋଇପଡ଼ିଛି । ବାସ୍ତବିକ, ସମାଜ ବା ଜାତିର ପ୍ରତ୍ୟେକ ଅନୁଷ୍ଠାନରେ କି ଗ୍ରାମ୍ୟଜୀବନରେ କି ସହର ଜୀବନରେ, ସର୍ବତ୍ର ଅବୈଧାନିକ ମନୋବୃତ୍ତି ଓ ତଜ୍ଜନିତ ନିୟମଲଘଂନଶୀଳତା ଲୋକଙ୍କର ଅସ୍ଥିମଜ୍ଜାଗତ ହୋଇ ପଡ଼ିଥିବା ପରି ବୋଧହୁଏ । ଉଦାହରଣ ସ୍ୱରୂପ ଗ୍ରାମ ବା ସହରମାନଙ୍କରେ ଯେଉଁସବୁ କଲ୍ୟାଣକର ବିଧିବିଧାନ ବା ଆଇନକାନୁନ ପ୍ରବର୍ତ୍ତନ କରାଯାଉଛି, ତତ୍‌ପ୍ରତି ଲୋକମାନଙ୍କର ସୁଦୃଢ଼ ଆସ୍ଥା ଦେଖାଯାଉ ନାହିଁ । ସର୍ବସାଧାରଣ ରାସ୍ତାଘାଟ ପ୍ରଭୃତି ହାଣିକାଟି ଓ ଜଳନିଷ୍କାସନର ପଥ ରୁଦ୍ଧକରି କେତେକ ସ୍ୱାର୍ଥାନ୍ଧ ବ୍ୟକ୍ତି ନିଜ ନିଜର ସୁବିଧା କରିନେବାରେ ଏତେ ତତ୍ପର ଯେ, ଜନସାଧାରଣଙ୍କର ସୁଖସ୍ୱାଚ୍ଛନ୍ଦ୍ୟ ସେମାନଙ୍କ ଦୃଷ୍ଟିରେ ଆଦୌ ପଡ଼ୁନାହିଁ । ସେମାନେ ଜାଣିପାରୁନାହାନ୍ତି ଯେ, ସର୍ବସାଧାରଣ ଅନୁଷ୍ଠାନଗୁଡ଼ିକ ସମୂହକଲ୍ୟାଣର ଭିତ୍ତିଭୂମି । କେବଳ ଧନ ଓ ବଡ଼ିମାବଳରେ ସ୍ଥାନୀୟ ବିଧିବିଧାନମାନ ଭଙ୍ଗ କରି ସେମାନେ ଅତର୍କିତ ଭାବରେ ନିଜ ନିଜର ଗଳାରେ ଛୁରିକାଘାତ କରୁଅଛନ୍ତି ମାତ୍ର । ବଡ଼ ବିଚିତ୍ର ଭାବରେ ଏମାନେ ନାଗରିକ-ଜୀବନନୀତିର ବାହାରେ ରହି ନିଜ ନିଜର ଆତ୍ମମ୍ଭରିତା ଓ ଆଶୁସୁଖସ୍ୱାଚ୍ଛନ୍ଦ୍ୟର ଚରିତାର୍ଥତା ନିମିତ୍ତ ଉଲ୍ଲିଖିତ ଅବୈଧ କାର୍ଯ୍ୟକଳାପଦ୍ୱାରା ଜନସାଧାରଣଙ୍କର ଜୀବନଧାରଣର ସୁବିଧା ନଷ୍ଟ କରି ଦେଉଅଛନ୍ତି । ଏଥିପାଇଁ ଜନସାଧାରଣଙ୍କୁ ନାନା ଅପ୍ରୀତିକର ଘଟନାର ସମ୍ମୁଖୀନ ହେବାକୁ ପଡ଼ୁଅଛି । ଏହିପରି ଆମର ସାମାଜିକ ଓ ଜାତୀୟ ଜୀବନରେ ସ୍ୱାର୍ଥସର୍ବସ୍ୱ ତଥା ନାଗରିକତା ପ୍ରତି ଅଶ୍ରଦ୍ଧା ବ୍ୟକ୍ତିମାନଙ୍କର ନିଜ ନିଜ ପ୍ରତି ଆପାତ ହିତକର ଅଥଚ ଜନସାଧାରଣଙ୍କ ପ୍ରତି ଅହିତକର କାର୍ଯ୍ୟକଳାପରେ ନାଗରିକ ଜୀବନରେ ବଡ଼ ଗୋଟାଏ ବ୍ୟତ୍ୟୟ ଘଟୁଛି । ପ୍ରତ୍ୟେକ ସଭ୍ୟ ଜାତି ବା ସମାଜ କେତେଗୁଡ଼ିଏ ବିଧିବିଧାନ ସାହାଯ୍ୟରେ ନିଜର ତଥା ତଦନ୍ତର୍ଗତ ବ୍ୟକ୍ତିଗତ ଜୀବନର କାର୍ଯ୍ୟଗୁଡ଼ିକୁ ନିୟନ୍ତ୍ରିତ ନ କଲେ ନାଗରିକତା ଆକାଶକୁସୁମବତ୍‌ ଅଲଭ୍ୟ ହେବ ।

ତୃତୀୟତଃ ସମୂହ କଲ୍ୟାଣ ନିମିତ୍ତ ଆବଶ୍ୟକମତେ ସ୍ୱାର୍ଥ ବିସର୍ଜନ ନାଗରିକ ଜୀବନର ଆଉ ଏକ ମୂଳନୀତି । ଅନେକ ସମୟରେ ଏପରି ଘଟେ ଯେ, ସାମୂହିକ କଲ୍ୟାଣସାଧନ ସକାଶେ ବ୍ୟକ୍ତିବିଶେଷଙ୍କୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଥାଏ । କିନ୍ତୁ ଜନସାଧାରଣଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ ବ୍ୟକ୍ତିଗତ ସ୍ୱାର୍ଥଲିପ୍‌ସା ଏତେ ବଳବତୀ ହୋଇପଡ଼ିଛି ଯେ, କୌଣସି ଜନହିତକର ଅନୁଷ୍ଠାନର ପ୍ରତିଷ୍ଠା ସକାଶେ ଲୋକମାନେ ସାମାନ୍ୟ ତ୍ୟାଗ ସ୍ୱୀକାର କରିବାକୁ ଏକାନ୍ତ ବୀତସ୍ପୃହ ଦେଖାଯାନ୍ତି । ମଉଜ ମଜ୍‌ଲିସରେ ପ୍ରଚରୁ ଅର୍ଥ ବ୍ୟୟିତ ହେଉଅଛି, ମାତ୍ର ସାଧାରଣ ହିତକର କାର୍ଯ୍ୟ ବେଳକୁ ସାମାନ୍ୟ କିଛି ତ୍ୟାଗ କରିବାକୁ ଲୋକେ କୁଣ୍ଠିତ । ପାଲା, ନାଟ, ସଙ୍ଗୀତ ଇତ୍ୟାଦିରେ ଧୃର୍ତ୍ତ ମାମଲତକାରର ଆହ୍ୱାନରେ ଲୋକେ ଅଜସ୍ର ଅର୍ଥ ବ୍ୟୟ କରୁଅଛନ୍ତି, ଅଥଚ ଗ୍ରାମର ସାମାନ୍ୟ ନିମ୍ନପ୍ରାଥମିକ ବିଦ୍ୟାଳୟଟି ଭାଙ୍ଗି ଭୂମିସାତ୍ ହେଉଅଛି । ଦେବାଳୟ, ପୁଷ୍କରିଣୀ, ରାସ୍ତାଘାଟ ପ୍ରଭୃତି ସାଧାରଣ ଅନୁଷ୍ଠାନମାନଙ୍କର ସଂରକ୍ଷଣ ପାଇଁ ସାମାନ୍ୟ କିଛି ସାହାଯ୍ୟ ଆବଶ୍ୟକ ହେଲେ ଲୋକେ ଯେପରି କି ହାଣକୁ ଗଲାପରି ବୋଧ କରୁଛନ୍ତି । ଏସବୁ ହୃଦୟବିଦାରକ ଘଟଣାମାନ ଦେଖିଲେ ନାଗରିକତାରେ ଅବବୁଦ୍ଧ ପ୍ରତ୍ୟେକ ବ୍ୟକ୍ତିର ପ୍ରାଣରେ ଗଭୀର ଦୁଃଖ ଆସେ । ଏପରି ଜୀବନ ଗ୍ରାମରେ ହେଉ ବା ସହରରେ ହେଉ, ସାମାଜିକତା ବା ଜାତୀୟତାର ପୂର୍ଣ୍ଣ ବିରୋଧୀ ଏବଂ ଯେ ପର୍ଯ୍ୟନ୍ତ ଏହି ସଂକୀର୍ଣ୍ଣମନା ବ୍ୟକ୍ତିମାନଙ୍କର ସଂଶୋଧନ ବା ନିରାକର ନ ହୋଇଛି, ସେ ପର୍ଯ୍ୟନ୍ତ ମାନବସମାଜ ଅବମାନବ ସମାଜ (Subhuman Society) ହୋଇ ରହିଥିବ । ସେଥିପାଇଁ ଦେଶର ପ୍ରତ୍ୟେକ ବ୍ୟକ୍ତିର ନିଜର ସମାଜ ବା ଜାତିର କଲ୍ୟାଣାର୍ଥ ଆବଶ୍ୟକ ତ୍ୟାଗପାଇଁ କୁଣ୍ଠିତ ହେବା ଅନୁଚିତ । ପ୍ରତ୍ୟେକଙ୍କୁ ମନେ ରଖିବାକୁ ହେବ, ଦେଶର କଲ୍ୟାଣସାଧନ କରିବାକୁ ହେଲେ ବ୍ୟକ୍ତିକୁ ନିଜର ବଡ଼ିମା ଓ ବ୍ୟକ୍ତିଗତ ସଂକୀର୍ଣ୍ଣତା ପରିହାର କରି ଆତ୍ମବଳି ହେବାକୁ ପଡ଼ିବ । ଏହାହିଁ ଯଥାର୍ଥ ନାଗରିକତାର ପ୍ରକୃଷ୍ଠ ପରିଚୟ । ଏହା ଛଡ଼ା ପ୍ରକୃତ ନାଗରିକ ହେବାପାଇଁ ବ୍ୟକ୍ତିକୁ ଅତ୍ୟଧିକ ବିଷୟାସକ୍ତି, କାମ, କ୍ରୋଧ, ଲୋଭ, ମୋହ, ପ୍ରତିହିଂସା ପ୍ରଭୃତିର ଦାସ ହେବାକୁ ହେବ ନାହିଁ । ଗୀତା ଯଥାର୍ଥ କହିଁଛନ୍ତି-

‘‘ଧ୍ୟାୟତୋ ବିଷୟାନ୍‌ ପୁଂସଃ ସଙ୍ଗସ୍ତେଷୂପଜାୟତେ,

ସଙ୍ଗାତ୍ ସଞ୍ଚାୟତେ କାମଃ କାମାତ୍‌ କ୍ରୋଧୋଽଭିଜାୟତେ ।

କ୍ରୋଧାଦଭବତି ସମ୍ମୋହଃ ସମ୍ମୋହାତ୍‌ ସ୍ମୃତିବିଭମଃ,

ସ୍ମୃତିଭ୍ରାଂଶବ୍ଦ ବୁଦ୍ଧିନାଶୋ ବୁଦ୍ଧିନାଶାତ୍‌ ପଣଶ୍ୟତି ।’’

 

ବାସ୍ତବିକ୍‌, ଅତ୍ୟନ୍ତ ବିଷୟମନା ହେଲେ ଲୋକର ମନରେ ଯେଉଁ ଅତ୍ୟଧିକ ଆସକ୍ତି ଜାତ ହୁଏ, ତାହାର ଫଳରେ ସେ କାମ, କ୍ରୋଧ, ଲୋଭ, ମୋହ ପ୍ରଭୃତିର ବଶବର୍ତ୍ତୀ ହୋଇ ନିଜର ଆଦର୍ଶ ଭୁଲିଯାଏ ଏବଂ ଶେଷରେ କର୍ତ୍ତବ୍ୟଜ୍ଞାନରହିତ ହୋଇ ଧ୍ୱଂସମୁଖରେ ପତିତ ହୁଏ । ନାଗରିକ ଜୀବନରେ ଏହି ଉକ୍ତିର ଯଥାର୍ଥ୍ୟ ଯଥେଷ୍ଟ ଅଛି । ଯେଉଁମାନେ ସର୍ବଦା ବିଷୟମଗ୍ନ ରହି କେବଳ ଧନର ଦାସ ହୋଇପଡ଼ନ୍ତି, ସେମାନେ ଉଲ୍ଲିଖିତ ଦୁର୍ଗୁଣ ଓ ଦୁଷ୍ପ୍ରବୃତ୍ତିର ଅଧୀନ ହୋଇ ଶେଷରେ ସମାଜ ତଥା ଜାତିପ୍ରତି ସ୍ୱ ସ୍ୱ କର୍ତ୍ତବ୍ୟ ଭୁଲିଯାଆନ୍ତି । ତେଣୁ ସେମାନେ ନାଗରିକ ହେବା ପରିବର୍ତ୍ତେ ଗୋଟିଏ ଗୋଟିଏ ସ୍ୱାର୍ଥନ୍ୱେଷୀ ଜୀବନରେ ପରିଣତ ହୋଇ ମାନବଜୀବନର ଉତ୍କର୍ଷ ହରାଇ ବସନ୍ତି । ଦେଶମାତୃକାର ଉନ୍ନତିକଳ୍ପେ ପ୍ରତ୍ୟେକ ବ୍ୟକ୍ତିକୁ ଯେ କେତେଗୁଡ଼ିଏ କର୍ତ୍ତବ୍ୟ ପାଳନ କରିବାକୁ ହେବ, ତାହା ସେମାନେ ଆଦୌ ଭାବିପାରନ୍ତି ନାହିଁ । ସେମାନେ ଭୁଲିଯାନ୍ତି ଯେ, ଯେଉଁ ସମାଜ ବା ଜାତିର କ୍ରୋଡ଼ରେ ଲାଳିତପାଳିତ ହୋଇ ସେମାନେ ଆଜି ଧରାପୃଷ୍ଠରେ ନିଜ ନିଜର ପୌରୁଷ ଦେଖାଉଅଛନ୍ତି, ତାହାର ରକ୍ଷଣ ଓ ଅଭିବୃଦ୍ଧି ନିମିତ୍ତ ପ୍ରଯତ୍ନ ନ କଲେ ପ୍ରତ୍ୟେକଙ୍କର ଅସ୍ତିତ୍ୱ ପର୍ଯ୍ୟନ୍ତ ବିଲୟ ଭଜିବ । କିନ୍ତୁ ଦୁଃଖର କଥା, ଏ ମନୋଭାବ ସମାଜ ବା ଜାତିର ଅଧିକାଂଶ ବ୍ୟକ୍ତିଙ୍କଠାରୁ କ୍ରମଶଃ ଲୋପ ପାଇବାକୁ ଯାଉଅଛି ଏବଂ କହିବା ଅସମୀଚୀନ ନୁହେଁ ଯେ, ଦିନ ଆସିବ ଯେତେବେଳେ ନାଗରିକତା ଦୁବୃର୍ତ୍ତ ଆତ୍ମମ୍ଭରିତାରେ ପରିଣତ ହୋଇ ସମାଜ ବା ଜାତିକୁ ଏକାବେଳେକେ ରସାତଳଗାମୀ କରିଦେବ । ବ୍ୟକ୍ତିବିଶେଷ ଯେପର୍ଯ୍ୟନ୍ତ ଗର୍ବ, ଦମ୍ଭ ଓ ଅହମିକାରେ ଚାଳିତ ନ ହୋଇ ଜନସାଧାରଣର କଲ୍ୟାଣକୁ ନିଜ ନିଜର ବ୍ୟକ୍ତିଗତ କଲ୍ୟାଣର ମୂଳନିଦାନ ବୋଲି ଉଲଲବ୍‌ଧି କରି ନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କର ମନରେ ନାଗରିକତାର ଅବବୋଧ ଆସିପାରିବନାହିଁ ଓ ପରିଣାମ ଏହା ହିଁ ହେବ ଯେ, ସମାଜ ବା ଜାତିର ବିକାଶ ସର୍ବଦା ଅସମ୍ଭବ ହୋଇପଡ଼ିବ । ପୁଣି ମିଥ୍ୟା, ପ୍ରତିଜ୍ଞାଭଙ୍ଗ, ପ୍ରବଞ୍ଚନା ପ୍ରଭୃତି ଦୁଷ୍କର୍ମ ନାଗରିକ ଜୀବନର ପ୍ରଧାନ ଅନ୍ତରାୟ । ଦେଶର ସର୍ବତ୍ର ସର୍ବବିଧ କର୍ମକ୍ଷେତ୍ରରେ ନିଷ୍ଠାର ସହିତ କର୍ତ୍ତବ୍ୟସାଧନ ପ୍ରକୃତ ନାଗରିକର ଧର୍ମ । ‘ଆପେ ବଞ୍ଚି ପରକୁ ବଞ୍ଚାଇବା’ ନୀତିଟି ତାହାର ଜପାମାଳି ହେବା ଉଚିତ । ସତ୍ୟତାର ଉହାଡ଼ରେ ମିଥ୍ୟାର ଆଶ୍ରୟ ନେଇ ନାନା ଅସାଧୁ ଉପାୟର ଅବଲମ୍ବନରେ ଦେଶବାସୀଙ୍କୁ ପ୍ରଭାବିତ କରିବାରେ ହିଁ ଅନେକ ନିଜ ନିଜକୁ ଧନ୍ୟ ମନେ କରନ୍ତି । ମାତ୍ର ଏହା ଜାତୀୟଜୀବନର କଳଙ୍କ, ଏବଂ ନାଗରିକତାର ବିକାଶରେ ଏକ ମାରାତ୍ମକ ରୋଗ । ଏହା ହୃଦୟଙ୍ଗମ କରି ଓ ଜାତି ବା ସମାଜର ସମଷ୍ଟିଗତ କଲ୍ୟାଣକୁ ସମ୍ମୁଖରେ ରଖି ନିଜର ଜୀବନକୁ ନିୟନ୍ତ୍ରିତ କରିବାରେ ହିଁ ନାଗରିକ ଜୀବନର ଯଥାର୍ଥ୍ୟ ରହିଅଛି ।

 

ଉପରେ ଆମ୍ଭେମାନେ ନାଗରିକ ଜୀବନର ଦାୟିତ୍ୱ ସମ୍ବନ୍ଧରେ କେତେଗୁଡ଼ିଏ ନୀତିର ସୂଚନା ଦେଲୁଁ । ଏହି ନୀତିଗୁଡ଼ିକର ଅବଲମ୍ବନରେ ବ୍ୟକ୍ତିଗତ ଜୀବନ ନିୟନ୍ତ୍ରିତ ହେଲେ, ମନେହୁଏ, ସାମାଜିକ ତଥା ଜାତୀୟଜୀବନରେ ଉତ୍କର୍ଷ ସମ୍ପାଦିତ ହେବ ଏବଂ ସମାଜ ବା ଜାତି ସହିତ ବ୍ୟକ୍ତିଜୀବନ ଅବିଚ୍ଛେଦ୍ୟ ଭାବରେ ସମ୍ପୃକ୍ତ ରହିଥିବାରୁ ବ୍ୟକ୍ତିଜୀବନର ମଧ୍ୟ ଅଭିବୃଦ୍ଧି ସାଧିତ ହେବ । ଆମ ଦେଶରେ ବ୍ୟକ୍ତିମାନଙ୍କଠାରେ ନାଗରିକତାର ଅବବୋଧ ଜନ୍ମାଇବା ନିମିତ୍ତ ସର୍ବବିଧ ପ୍ରଚେଷ୍ଟା ହେବା ଆବଶ୍ୟକ । ସୁଖର କଥା, ସ୍ୱାଧୀନ ଭାରତରେ ଜାତୀୟ ସରକାରଙ୍କର ଦୃଷ୍ଟି ଏ ଦିଗରେ ପଡ଼ିଅଛି । ଗ୍ରାମମାନଙ୍କରେ ନାଗରିକ ଜୀବନର ଗଠନ ନିମିତ୍ତ ‘ଗ୍ରାମପଞ୍ଚାୟତ ନାମକ ଲୋକହିତକର ଅନୁଷ୍ଠାନ ପ୍ରତିଷ୍ଠିତ ହେବାରେ ଲାଗିଅଛି । ଗ୍ରାମମାନଙ୍କରେ ଶିକ୍ଷା ସ୍ୱାସ୍ଥ୍ୟ, ରାସ୍ତାଘାଟ ପ୍ରଭୃତି ଯାବତୀୟ ବ୍ୟାପାରମାନ ନିୟନ୍ତ୍ରଣ କରି ଗ୍ରାମବାସୀମାନଙ୍କୁ ନିୟମାଧୀନତା ଓ ସାମାଜିକ ଶୃଙ୍ଖଳା ପ୍ରଭୃତି ନାଗରିକ ଜୀବନର ଅନୁକୂଳ ଉପାୟମାନଙ୍କରେ ଅନୁପ୍ରାଣିତ କରିବା ଏହି ଅନୁଷ୍ଠାନର ଉଦ୍ଦେଶ୍ୟ । ଅବଶ୍ୟ ବର୍ତ୍ତମାନ ଏହାର ଶୈଶବାବସ୍ଥା ଏବଂ ସେଥିପାଇଁ ପୂର୍ବରୁ ଅନିୟନ୍ତ୍ରିତ ତଥା ସ୍ୱାର୍ଥନିବଦ୍ଧ ବ୍ୟକ୍ତିମାନଙ୍କୁ ନେଇ ଏ ଅନୁଷ୍ଠାନକୁ ଜୀବନ୍ତ ଓ କର୍ମପ୍ରବଣ କରିବା ଦୁଷ୍କର ହୋଇପଡ଼ିଛି । ତଥାପି ଆଶା ଅଛି, ଲୋକପ୍ରିୟ ସରକାରଙ୍କର ନିଷ୍ଠାପର ପ୍ରେରଣା ଓ ସାହାଯ୍ୟ ଏବଂ ଦେଶବାସୀଙ୍କର ଅକପଟ ସହଯୋଗ ଓ ଦେଶପ୍ରୀତି ଏ ଶ୍ରେଣୀର ଅନୁଷ୍ଠାନକୁ ବଞ୍ଚାଇ ରଖିବ ଓ ଗ୍ରାମମାନଙ୍କର ସମୂହ ଉନ୍ନତି ସାଧନ କରି ଜନସାଧାରଣଙ୍କୁ ପ୍ରକୃତ ନାଗରିକ ଧର୍ମରେ ଦୀକ୍ଷିତ କରିବ । ଭଗବାନ କରନ୍ତୁ, ସେ ଦିନ ଆସୁ ଏବଂ ନାଗରିକତାର ଉନ୍ମାଦନାରେ ପ୍ରତ୍ୟେକ ବ୍ୟକ୍ତିର ପ୍ରାଣ ନାଚିଉଠୁ ।

 

ଏ ସମ୍ପର୍କରେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ ବିଷୟ ଏହି କି, ବିଦେଶୀୟ ରାଜତନ୍ତ୍ରର ଅଧୀନ ଥିବା ସମୟରେ ଭାରତୀୟ ନାଗରିକର ସ୍ୱାଧୀନ ଭାଷଣ, ସ୍ୱାଧୀନ ଚିନ୍ତା ଓ ସ୍ୱାଧୀନ ବିହାର ଉପରେ ଯଥାଯଥ ଅଧିକାର ନ ଥିଲା । କିନ୍ତୁ ଆଜି ଭାରତ ସ୍ୱାଧୀନ ରାଷ୍ଟ୍ରରୂପେ ଜଗତ ସମକ୍ଷରେ ଦଣ୍ଡାୟମାନ । ଭାରତୀୟ ନାଗରିକଗଣ ଏହି ପରିବର୍ତ୍ତିତ ବାତାବରଣ ଅନୁଯାୟୀ ସ୍ୱ ସ୍ୱ କର୍ମପନ୍ଥା ନିୟନ୍ତ୍ରିତ କରିବା ବିଧେୟ । ସ୍ୱାୟତ୍ତଶାସନ ପ୍ରତ୍ୟେକ ନାଗରିକକୁ ଯଥୋଚିତ ସ୍ୱାଧୀନତା ଦେବା ସଙ୍ଗେ ସଙ୍ଗେ ତାହାର ଦାୟିତ୍ୱକୁ ଯେ ଶତଗୁଣ ଗୁରୁତର କରିଦେଇଅଛି–ଏହା ପ୍ରତ୍ୟେକଙ୍କର ହୃଦୟଙ୍ଗମ କରିବା ଉଚିତ । ପୁଣି ନବ ନବ ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର ବଳରେ ବିଂଶ ଶତାବ୍ଦୀର ମାନବ ପ୍ରତ୍ୟେକ ଜଗଦ୍‌ବାସୀକୁ ନିଜର ପ୍ରତିବେଶୀରେ ପରିଣତ କରିଅଛି । ସମୟ ଓ ଦୁରତ୍ୱର ବ୍ୟବଧାନ ମାନବର କରାୟତ୍ତ ହୋଇପଡ଼ିଅଛି, ତେଣୁ ପୃଥିବୀରେ ଯେକୌଣସି ଜଣେ ନାଗରିକ ଯାହା କିଛି କାର୍ଯ୍ୟ କରୁ ନା କାହିଁକି, ତାହା ପ୍ରତ୍ୟେକ ଅପର ମାନବର ଭାଗ୍ୟନିୟନ୍ତ୍ରଣ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅବଶ୍ୟ କରିବ । ଏହି ଦୃଷ୍ଟିକୋଣରୁ ବିଚାର କଲେ, ଆମ୍ଭେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେବୁଁ ଯେ, ପ୍ରତ୍ୟେକ ଭାରତୀୟ ନାଗରିକ ତାହାର ସମାଜ ଓ ଜାତିର ସ୍ୱାର୍ଥସଂରକ୍ଷଣରେ ଯତ୍ପରୋନାସ୍ତି ପ୍ରଚେଷ୍ଟା କରିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତୀୟ, ରାଜନୀତିକ ଆର୍ଥନୀତିକ ତଥା ସାମାଜିକ ପରିବର୍ତ୍ତନ ବିଷୟରେ ସଜାଗ ନ ରହିଲେ ତାହାର କର୍ତ୍ତବ୍ୟ ସମ୍ପୂର୍ଣ୍ଣ ହେବ ନାହିଁ ।

Image

 

ସ୍ୱାଧୀନତା

 

‘ସ୍ୱାଧୀନତା’ ଶବ୍ଦଟି ଆଜିକାଲି ଏତେ ଲୋକପ୍ରସିଦ୍ଧ ଯେ ଏହା ସମ୍ବନ୍ଧରେ କିଛି ଲେଖିବାକୁ ଯିବାବେଳେ ପ୍ରଶ୍ନ ଉଠେ ସ୍ୱାଧୀନତା ବିଷୟରେ ଆଉ କଅଣ କିଛି ଲେଖିବାର ଅବକାଶ ଅଛି ? ଲୋକେ କଅଣ ଏହାର ଅର୍ଥ ଏପର୍ଯ୍ୟନ୍ତ ଜାଣି ନାହାନ୍ତି । ଏତ ଅତି ଜଣାଶୁଣା କଥା, ଭାରତ ସ୍ୱାଧୀନତା ହାସଲ କରିସାରିଛି-ବକ୍ତୃତା ମଞ୍ଚରେ ‘ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହି ସ୍ୱାଧୀନତାକୁ ନେଇ ଭାଷଣମାନ ଦେଇ ଆସୁଛନ୍ତି ଏ ବିଷୟଟିର ତେଣୁ ଅଧିକ କି ଆଲୋଚନା କରାଯିବ ? ଏସବୁ ପ୍ରଶ୍ନ ମନରେ ଜାଗିଉଠିବା ସ୍ୱାଭାବିକ । ଏ ସମ୍ପର୍କରେ ମନେପଡ଼େ, ଥରେ ବିରାଡ଼ିର ସଂଜ୍ଞା କଅଣ ହେବ, ବିଚାର କରାଯାଉଥିବା ସମୟରେ ଜଣେ କହି ପକାଇଲେ–‘‘ବିରାଡ଼ି ପରି ସୁପରିଚିତ ପ୍ରାଣୀର ପୁଣି ଗୋଟାଏ ସଂଜ୍ଞା କଅଣ ? ଏହାର ନାମଟି ଶୁଣିଲା ମାତ୍ରକେ ଆମ୍ଭେମାନେ ଏହା କଅଣ, ସହଜରେ ବୁଝିପାରୁ ।’’ ଏଥିରେ ବିସ୍ମିତ ହେବାର କିଛି ନାହିଁ । କାରଣ ଅତିପରିଚିତ ବସ୍ତୁଗୁଡ଼ିକର ସଂସ୍ପର୍ଶରେ ଆସି ଆମ୍ଭେମାନେ ଅନେକ ସମୟରେ ସେଗୁଡ଼ିକ ସମ୍ବନ୍ଧରେ ଏପରି ବ୍ୟବହାରୋପଯୋଗୀ ସ୍ଥୂଳ ଧାରଣା କରି ପକାଇଥାଉଁ ଯେ ସେଗୁଡ଼ିକର ଯଥାଯଥ ଲକ୍ଷଣ ପ୍ରତି ଆମ୍ଭମାନଙ୍କର ଦୃଷ୍ଟି ପଡ଼େ ନାହିଁ । ସାଧାରଣ ମାନବ ପ୍ରତି ବୃକ୍ଷରୁ ଫଳର ପତନ ଗୋଟିଏ ସାଧାରଣ ତଥା ସୁପରିଚିତ ଘଟଣା । ସେ ଜାଣିଲା ଯେ, ଗଛର ଫଳଟି କାହିଁକି ପଡ଼ିଲା । ପୁଣି କାହିଁକି ତଳଆଡ଼କୁ ଖସି ଭୂମିରେ ପଡ଼ିଲା, ଉପର ଆଡ଼କୁ ଉଠି ନ ଗଲା–ଏଭଳି ପ୍ରଶ୍ନ ତାହାର ମନରେ ଜାଗରିତ ହୁଏ ନାହିଁ । ମାତ୍ର ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କ ପରି ଗଭୀର ତତ୍ତ୍ୱାନୁସନ୍ଧିତ୍ସୁ ବ୍ୟକ୍ତିଙ୍କ ପ୍ରତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟନା ଏବଂ ଏହାରି ସମ୍ବନ୍ଧରେ ଉଲ୍ଲିଖିତ ପ୍ରଶ୍ନପରି ପ୍ରଶ୍ନମାନ ଉତ୍ତୋଳନ କରି ଯେ ଦିନେ ପୃଥିବୀର ମାଧ୍ୟାକର୍ଷଣତତ୍ତ୍ୱ ଆବିଷ୍କାର କରିପାରିଥିଲେ । ସେହିପରି ଯଦି କୌଣସି ପ୍ରାଣୀତତ୍ତ୍ୱବିତ୍‌ ବିରାଡ଼ିଟି ବିଷୟରେ ଆଲୋଚନା କରିବସନ୍ତି, ତାହାହେଲେ ସେ ପ୍ରାଣୀଟି ବିଷୟରେ ଏତେ ଗୂଢ଼ତତ୍ତ୍ୱ ବାହାର କରିବେ ଯେ ସାଧାରଣମାନବ ଅବାକ୍‌ ହୋଇଯିବ । କଥାରେ କହନ୍ତି, ଅତି ପରିଚୟେ ଗୌରବ ନଷ୍ଟ ।’ ତେଣୁ ସାଧାରଣମାନବ ତାହାର ଦୈନନ୍ଦିନ ଜୀବନ ସମ୍ପର୍କରେ ଆସୁଥିବା ବସ୍ତୁଗୁଡ଼ିକ ସମ୍ବନ୍ଧରେ ସେତେ ମୁଣ୍ଡ ଖେଳାଇବାକୁ ଯାଏ ନାହିଁ । ମାତ୍ର ଅନୁସନ୍ଧିତ୍ସୁ ମାନବ ପ୍ରତି ଏହି ବସ୍ତୁଗୁଡ଼ିକ ଯେତେ ସୁପରିଚିତ ହେଲେହେଁ ତତ୍ୱତଃ ଅପରିଚିତ ବୋଲି ପ୍ରତୀୟମାନ ହୁଅନ୍ତି । ସେ ଏହି ବସ୍ତୁଗୁଡ଼ିକର ଯଥାର୍ଥ ପରିଚୟ ପାଇବାସକାଶେ ଏଗୁଡ଼ିକର ସ୍ୱରୂପ ବା ଲକ୍ଷଣ ସ୍ଥିରକରିବା ନିମିତ୍ତ ଏଗୁଡ଼ିକୁ ଗୋଟିଏ ଗୋଟିଏ ଜଟିଳତମ ବସ୍ତୁ ମନେକରି ତତ୍ତ୍ୱାନୁଶୀଳନରେ ଲାଗିପଡ଼େ । ସୁତରାଂ ଯାହା ଆମ ସ୍ଥୂଳ ଦୃଷ୍ଟିରେ ସୁପରିଚିତ, ତାହା ସୂକ୍ଷ୍ମ ଦୃଷ୍ଟିରେ ଅପରିଚିତ ଏକ ଜଟିଳ ବିଷୟ । ଆମ୍ଭମାନଙ୍କର ଆଲୋଚ୍ୟ ବିଷୟ ‘ସ୍ୱାଧୀନତା’ ପ୍ରତି ମଧ୍ୟ ଏହି ଉକ୍ତିଟି ପ୍ରଯୋଜ୍ୟ । ‘ସ୍ୱାଧୀନତା’ କହିଲା ମାତ୍ରକେ ଲୋକେ ସାଧାରଣତଃ ବୁଝିଥାନ୍ତି–ରାଜନୈତିକ ସ୍ୱାଧୀନତା ବିଦେଶୀୟ କୌଣସି ଜାତିର ଶାସନର ମୁକ୍ତିହିଁ ରାଜନୀତି କ୍ଷେତ୍ରରେ ‘ସ୍ୱାଧୀନତା’ ନାମରେ ପରିଚିତ । ଏହି ରାଜନୈତିକ ଅର୍ଥ ହିଁ ଆମ୍ଭମାନଙ୍କଠାରେ ସୁପରିଚିତ । ତେଣୁ ‘ସ୍ୱାଧୀନତା’ ଶବ୍ଦଟି ଉଚ୍ଚାରିତ ହେବା ମାତ୍ରକେ ଲୋକେ ମନେକରନ୍ତି, ଯେପରି କି ସେମାନେ ଏହା ସମ୍ବନ୍ଧରେ ଯଥାର୍ଥ ତଥା ଯଥେଷ୍ଟ ଜ୍ଞାନଲାଭ କରି ଅଛନ୍ତି । ମାତ୍ର ସୂକ୍ଷ୍ମ ବିଶ୍ଳେଷଣରେ ଦେଖିବାକୁ ଗଲେ ଏହାର ଅର୍ଥ ବଡ଼ ଗଭୀର ବୋଲି ମନେହୁଏ । ବର୍ତ୍ତମାନ ଏହି ସୁପରିଚିତ ବିଷୟଟି କିପରି ପ୍ରକୃତରେ ସୁପରିଚିତ ନୁହେଁ, ତାହାହିଁ ଦେଖାଇବାକୁ ଚେଷ୍ଟା କରିବୁଁ ।

 

‘‘ସ୍ୱାଧୀନତା’ର ଆକ୍ଷରିକ ଅର୍ଥ ପ୍ରତି ଦୃଷ୍ଟି ପକାଇଲେ ଜଣାଯିବ, ‘ସ୍ୱ’ର ଅଧିନ ହେବାହିଁ ସ୍ୱାଧୀନତା । ମାତ୍ର ଏହି ‘ସ୍ୱ’ର ଅର୍ଥ କଅଣ ? ଏହି ଶବ୍ଦଟିର ଅର୍ଥ ହେଉଛି ‘ନିଜ’ ବା ‘ଆପଣା’ । କିନ୍ତୁ ଏହି ଶବ୍ଦଟି ବ୍ୟକ୍ତିଗତ ବା ଜାତିଗତ ଅର୍ଥରେ ବ୍ୟବହୃତ ହୋଇପାରେ । ବ୍ୟକ୍ତିଗତ ଅର୍ଥରେ ‘ସ୍ୱ’ କେବଳ ‘ସ୍ୱୟଂ’ ଅର୍ଥାତ୍‌ ନିଜର ଆତ୍ମାକୁ * ବୁଝାଏ । ବ୍ୟକ୍ତି ସେତେବେଳେ ‘ସ୍ୱ’କୁ ‘ମୁଁ’ରେ ପର୍ଯ୍ୟବସିତ କରି ରହିଥାଏ-‘ଏ ପଦାର୍ଥଟି ମୋର ସ୍ୱ-ଅଧିକାରରେ ଅଛି ।’ ‘ଏହି ସମ୍ପତ୍ତଟି ଦେବଦତ୍ତର ସ୍ୱୋପାର୍ଜିତ (ସ୍ୱ-ଉପାର୍ଜିତ) ସମ୍ପତ୍ତି’-ଇତ୍ୟାଦି । ଏଠାରେ ‘ସ୍ୱ’ କେବଳ ବ୍ୟକ୍ତିଗତ ସଂକୀର୍ଣ୍ଣ ‘ମୁଁ’ ଛଡ଼ା କିଛି ନୁହେଁ । ମାତ୍ର ଏହା ଛଡ଼ା ଶବ୍ଦଟି ବ୍ୟାପକ ଅର୍ଥରେ ବ୍ୟବହୃତ ହୋଇ ଜାତିକୁ ଅନ୍ତର୍ଭୁକ୍ତ କରିବସେ । ସେତେବେଳେ ଆମ୍ଭେମାନେ କହୁଁ–‘ଆମ୍ଭେମାନେ’ ‘ସ୍ୱାଧୀନ’, ଏହାର ଅର୍ଥ ହେଉଅଛି, ଆମ୍ଭେମାନେ ଜାତି ହିସାବରେ କାହାରି ଅଧୀନ ନୋହୁଁ । ଏହି ଅର୍ଥରେ ରାଜନୀତିକ୍ଷେତ୍ରରେ ‘ସ୍ୱାଧୀନତା’ ବ୍ୟବହୃତ । ବ୍ୟକ୍ତିଗତ ସ୍ୱ’ ପରି ଜାତିଗତ ‘ସ୍ୱ’ ଅଛି । ଜାତୀୟ ଜୀବନ ନିଜକୁ ଏକ ସମ୍ମିଳିତ ତଥା ସଂଗଠିତ ଶକ୍ତି ବୋଲି ମନେକରି ‘ସ୍ୱ’ ଶବ୍ଦଟିକୁ ନିଜଠାରେ ପ୍ରୟୋଗ କରିବସେ । ସେତେବେଳେ ଏହି ‘ସ୍ୱ’ ସଂକୀର୍ଣ୍ଣ ବ୍ୟକ୍ତିଗତ ‘ସ୍ୱ’ଠାରୁ ଏକ ପୃଥକ୍‌ ଅର୍ଥର ବ୍ୟଞ୍ଜନା କରେ । ଏହି ଦୃଷ୍ଟିକୋଣରୁ ଦେଖିଲେ ଆମ୍ଭେମାନେ ‘ସ୍ୱାଧୀନତା’ ଶବ୍ଦଟିର ଦୁଇଟି ମୌଳିକ ବା ମୁଖ୍ୟ ଅର୍ଥ ଦେଖିବାକୁ ପାଉଁ–ଗୋଟିଏ ବ୍ୟକ୍ତିଗତ ସ୍ୱାଧୀନତା ଓ ଅନ୍ୟଟି ଜାତିଗତ ସ୍ୱାଧୀନତା । ସୁତରାଂ ସ୍ୱାଧୀନତା ବିଷୟରେ ଆଲୋଚନା କରିବାକୁ ହେଲେ ଆମ୍ଭମାନଙ୍କୁ ଏହି ଦ୍ୱିବିଧ ଅର୍ଥ ପ୍ରତି ଦୃଷ୍ଟି ଦେବାକୁ ହେବ ।

 

*–The individual self.

 

ବର୍ତ୍ତମାନ ବ୍ୟକ୍ତିଗତ ସ୍ୱାଧୀନତାର ବିଶ୍ଳେଷଣ କରାଯାଉ । ବ୍ୟକ୍ତି ମାତ୍ରକେ ଯେତେବେଳେ ଆତ୍ମସଂଯମବଳରେ ନିଜକୁ କାମ, କ୍ରୋଧ, ଲୋଭ, ମୋହ ପ୍ରଭୃତି ପ୍ରବୃତ୍ତିମାନଙ୍କ ପ୍ରଭାବରୁ ତଥା ଅନ୍ୟ ବ୍ୟକ୍ତି ବା ବହିଃଶକ୍ତିର କବଳରୁ ମୁକ୍ତ କରେ, ସେତେବେଳେ ସେ ସ୍ୱାଧୀନ ବୋଲି କହିବାକୁ ହୁଏ । ସେତେବେଳେ ସେ’ ନିଜେ ନିଜର ଶାସକ, ନିଜେ ନିଜର ଅଧୀନ । ସେ ଯେ ‘ପରତନ୍ତ୍ର ନୁହେ, କେବଳ ତାହା ନୁହେ–ସେ ମଧ୍ୟ ‘ସ୍ୱତନ୍ତ୍ର’ । କେବଳ ପରତନ୍ତ୍ରତାରୁ ମୁକ୍ତ ହେଲେ ବ୍ୟକ୍ତି ସମ୍ପୂର୍ଣ୍ଣ ସ୍ୱାଧୀନ ବୋଲି କୁହାଯାଇ ନ ପାରେ, କାରଣ ସେତେବେଳେ ତାହାର ସ୍ୱାଧୀନତା କେବଳ ନିରାକରଣାତ୍ମକ (negative) ସ୍ୱାଧୀନତା, ନିୟୋଜାତ୍ମକ (positive) ନୁହେ ନିରାକରଣ ପ୍ରଣାଳୀର ଅବଲମ୍ବନରେ ସେ ଅପରର ଶାସନ ବା ପ୍ରଭାବରୁ ମୁକୁଳିଛି ମାତ୍ର, କିନ୍ତୁ ମୁକୁଳି ସାରି ସେ କିପରି ଜୀବନରେ ଗତି କରୁଛି, ସେଥିପ୍ରତି ଦୃଷ୍ଟି ଦେଇ ନାହିଁ । ସେତେବେଳେ ସେ ପରାଧୀନତା ବନ୍ଧନରୁ ମୁକ୍ତ ହୋଇ ନିଜର ଶାସନରେ ଆସିବା ଅର୍ଥାତ୍‌ ନିଜେ ନିଜକୁ ଦାୟିତ୍ୱସମ୍ପନ୍ନ କରି ଜୀବନର ବିକାଶଦିଗରେ ଗତି କରିବ, ସେତେବେଳେ ଯାଇ ସେ ପ୍ରକୃତରେ ସ୍ୱାଧୀନ ବୋଲି କହିବାକୁ ହେବ । (କେବଳ ନିରାକରଣ ପ୍ରଣାଳୀରେ ନିଜ ଉପରୁ ପରର ପ୍ରଭାବକୁ ତଡ଼ିଦେଇ ଯଦୃଚ୍ଛାଗତି କଲେ ଚଳିବ ନାହିଁ, ସେଥିପାଇଁ ସଂଯମ ଆବଶ୍ୟକ) ଅନେକେ ଯାଦୃଚ୍ଛିକ ଭାବରେ କାର୍ଯ୍ୟ କରିବାକୁ ସୁବିଧା ପାଇଲେ ନିଜ ନିଜକୁ ସ୍ୱାଧୀନ ବୋଲି ମନେ କରିଥାନ୍ତି । ମାତ୍ର ତାହା ସ୍ୱାଧୀନତା ନୁହେ-ସ୍ୱେଚ୍ଛାଚାରିତା । ସେଥିପାଇଁ ପରତନ୍ତ୍ରତାରୁ ମୁକ୍ତିଲାଭ କରି ‘ସ୍ୱ’ ଅର୍ଥାତ୍‌ ଆପଣାରନିର୍ମଳ ବିବେକ ବା ଆତ୍ମଶକ୍ତିବଳରେ ନିଜକୁ ସଂଯତରଖି କାର୍ଯ୍ୟ କ୍ଷେତ୍ରରେ ଅଗ୍ରସର ହେବାକୁ ହେବ । ନିଜେ କାହାରି ଶାସନରେ ନ ରହି ସମାଜ ବା ଜାତିର ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ପ୍ରତି ମନମୁଖୀ ବ୍ୟବହାର ଦେଖାଇବା ଯଥାର୍ଥତଃ ସ୍ୱାଧୀନତା ନୁହେ–ବରଂ ପ୍ରଚ୍ଛନ୍ନ ପରତନ୍ତ୍ରତା । କାରଣ ନିଜଠାରେ ନିହିତ ଥିବା ଜୈବ ପ୍ରବୃତ୍ତିର ଅଧୀନ ହୋଇ, ନିଶାଖୋର ନିଶାର ପ୍ରଭାବରେ ନିଜକୁ ସୁଖୀମନେ କଲା ପରି ଏପରି ବ୍ୟକ୍ତି ଆପଣାକୁ ସ୍ୱାଧୀନ ମନେକରେ । କିନ୍ତୁ ମନେ ରଖିବାକୁ ହେବ, ଇନ୍ଦ୍ରିୟପରତନ୍ତ୍ର କୌଣସି, ବ୍ୟକ୍ତି ‘ସ୍ୱାଧୀନ’ ପଦବାଚ୍ୟ ନୁହେ; କାରଣ ତାହାର ଜୀବନ ପ୍ରଜ୍ଞା ବା ବିଚାର ଶକ୍ତିରେ ପ୍ରଣୋଦିତ ନୁହେ–ଏପରି ବ୍ୟକ୍ତି କେବଳ ପ୍ରବୃତ୍ତି ପରିଚାଳିତ ଜୀବମାତ୍ର । ତେଣୁ କହୁଁ, ଆତ୍ମସଂଯମବଳରେ କର୍ମପନ୍ଥା ସୁନିୟନ୍ତ୍ରିତ କରି ନିଜର ସମସଂସ୍ଥିତ ସମ୍ପାଦନ କରିବା ହିଁ ପ୍ରକୃତ ବ୍ୟକ୍ତିଗତ ସ୍ୱାଧୀନତା (ପ୍ରକୃତରେ ସ୍ୱାଧୀନ ବ୍ୟକ୍ତି ପ୍ରବୃତ୍ତିପ୍ରାବଲ୍ୟ ତଥା ଯାବତୀୟ ବହିଃପ୍ରଭାବରୁ ତ ମୁକ୍ତ, ପୁଣି ତା ସଙ୍ଗେ ସଙ୍ଗେ ସ୍ୱୀୟ ପ୍ରଜ୍ଞା ବା ବିଚାର ଶକ୍ତିର ଅଧୀନରେ ଚାଳିତ । କେବଳ କାହାରି ଅଧୀନ ନ ହେବା ସ୍ୱାଧୀନତା ନୁହେ–ସ୍ୱାଧୀନତାର ପ୍ରକୃତ ଅର୍ଥ ପ୍ରଜ୍ଞାସହାୟ ଆତ୍ମସଂଯମ ଉପରେ ପ୍ରତିଷ୍ଠିତ ଆତ୍ମଶକ୍ତିର ଅଧୀନ ହେବା-। ପରାଧୀନତାର ନିରାକରଣ ଓ ଆତ୍ମଶକ୍ତିର ଯଥାଯଥ ନିୟୋଜନ, ଏହି ବିଭାବଦ୍ୱୟ ଏକତ୍ରଯୋଗେ ସ୍ୱାଧୀନତାର ସ୍ୱରୂପ ଗଠନ କରିଥାଏ । ଏହିପରି ସ୍ୱାଧୀନ ବ୍ୟକ୍ତି ହିଁ ଗୀତୋକ୍ତ ‘ସ୍ଥିତଧୀଃ’ ବା ‘ସ୍ଥିତପ୍ରଜ୍ଞ’ ବୋଲି କହିବାକୁ ହେବ, ଏବଂ ଈଦୃଶ ବ୍ୟକ୍ତିକୁ ଲକ୍ଷ୍ୟ କରି ଗୀତାକାର କହିଅଛନ୍ତି–

 

‘‘ରାଗଦ୍ୱେଶବିଯୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍‌ ।

ଆତ୍ମବଶ୍ୟୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି ।’’

 

ସୁତରାଂ ବ୍ୟକ୍ତିଗତ ସ୍ୱାଧୀନତା ଏକ ଜଟିଳ ସମସ୍ୟା ଏବଂ ଏହା ଉପଲବ୍‌ଧି ନିମିତ୍ତ ବ୍ୟକ୍ତି ତାହାର ଆତ୍ମଶକ୍ତିକୁ ସୁସଂଯତ ବା ସୁନିୟନ୍ତ୍ରିତ ନ କଲେ ପରିଣାମ ହେବ କେବଳ ଉଚ୍ଛୃଙ୍ଖଳତା ।

 

ଜାତିଗତ ସ୍ୱାଧୀନତା ରାଜନୈତିକକ୍ଷେତ୍ରରେ ବିଶେଷତଃ ପରିଦୃଷ୍ଟ ହୋଇଥାଏ । ଏହି ସ୍ୱାଧୀନତା ଲାଭ କରିବା ନିମିତ୍ତ ଜାତି ବିଶେଷ ନିଜକୁ ଅପର ଜାତି ବା ଶାସକର ପ୍ରଭାବରୁ ମୁକ୍ତ କରିବାକୁ ଚେଷ୍ଟାକରେ । ସ୍ୱଦେଶର ଶାରୀରିକ, ମାନସିକ, ନୈତିକ, ଅର୍ଥନୈତିକ ପ୍ରଭୃତି ବିଭାଗର ବିକାଶ ନିମିତ୍ତ ଯେଉଁସବୁ ଉପାୟ ବା ଯୋଜନା ଆବଶ୍ୟକ, ସେସବୁ ବିଦେଶୀୟ ଶାସନର ପ୍ରଭାବରେ ସ୍ୱଚ୍ଛନ୍ଦ ଭାବରେ ଗଢ଼ି ଉଠିପାରନ୍ତି ନାହିଁ । ସେଥିପାଇଁ ଜାତିବିଶେଷ ଶାସକବର୍ଗଙ୍କୁ ତଡ଼ି ନିଜକୁ ସ୍ୱାଧୀନ କରିବାକୁ ଅଗ୍ରସର ହୋଇଥାଏ । ସ୍ୱାଧୀନତା ପ୍ରତ୍ୟେକ ଦେଶ ବା ଜାତିର କାମ୍ୟ । ଯେପରିକି ବ୍ୟକ୍ତିମାତ୍ରକେ ପରାଧୀନ ରହିବାକୁ ଚାହେ ନାହିଁ, ସେହିପରି ଜାତିମାତ୍ରକେ ବି ନିଜକୁ ଅପର ଜାତି ବା ଶକ୍ତିର ଅଧୀନ ରଖିବାକୁ ଭଲ ପାଏ ନାହିଁ । ସୁତରାଂ ସ୍ୱେଦେଶକୁ ସ୍ୱାଧୀନ କରିବା ପାଇଁ ଜାତିବିଶେଷକୁ ଅବସ୍ଥାଭେଦରେ ନାନାବିଧ ବାଧାବିଘ୍ନ ସୃଷ୍ଟି କରିବାଠାରୁ ଆରମ୍ଭ କରି ରକ୍ତପାତ ପର୍ଯ୍ୟନ୍ତ ଯାବତୀୟ ଉପାୟ ଅବଲମ୍ବନ କରିବାକୁ ହୁଏ । ବହିଃଶତ୍ରୁ ବା ବିଦେଶୀ ଶାସକ ଦେଶରୁ ବିତାଡ଼ିତ ହେଲେ ଜାତିବିଶେଷ ନିଜେ ନିଜର ବିଚାରବଳରେ ଉପଯୁକ୍ତ କର୍ମପନ୍ଥା ବା ଯୋଜନାମାନ ପ୍ରସ୍ତୁତ କରି ସ୍ୱଦେଶର ସର୍ବବିଧ ଅଭିବୃଦ୍ଧି ସାଧନ କରିବାରେ ଲାଗିପଡ଼େ । ଏହି ସ୍ୱାଧୀନତା ପାଇଁ ସାରା ପୃଥିବୀରେ ସମରାନଳ ଜଳିଉଠିଛି-ଧ୍ୱସଂର ଭୟାବହ ତାଣ୍ଡବଲୀଳା ଦେଖିବାକୁ ମିଳିଛି । ପ୍ରତ୍ୟେକ ଜାତି ନିଜର ସ୍ୱାଧୀନତା ବଜାୟ ରଖିବାକୁ ଆପ୍ରାଣ ଯତ୍ନବାନ ରହିଅଛି । କେତେବେଳେ ପରାଧୀନ ଜାତି ଶାଶକ-ଶକ୍ତିର ବିରୁଦ୍ଧରେ ବିପ୍ଳବ ସୃଷ୍ଟି କରି ସ୍ୱାଧୀନତା-ସଙ୍ଗୀତରେ ଦେଶବାସୀଙ୍କର ପ୍ରାଣକୁ ଝଂକୃତ କରିଦେଉଛି । କେତେବେଳେ ପୁଣି କୌଣସି କୌଣସି ସ୍ୱାଧୀନ ଜାତି ନିଜନିଜର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖି ଜାତୀୟ ଜୀବନ ଗଢ଼ିବା ସକାଶେ ଅନ୍ୟାନ୍ୟ ଜାତିର ବ୍ୟକ୍ତିମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରି ଆବଶ୍ୟକ ହେଲେ ଦେଶବାସୀ ସେମାନଙ୍କର ଅସ୍ତିତ୍ୱ ଲୋପକରି ଦେଉଅଛନ୍ତି । ଏପରିକି କୌଣସି ଜାତି ଅପର କୌଣସି ଜାତିକୁ ସ୍ୱଦେଶର ଅଭ୍ୟୁତ୍‌ଥାନରେ ଅନ୍ତରାୟ ବୋଲି ମନେକଲେ ଯୁଦ୍ଧଘୋଷଣା କରି ତାହାକୁ ନିଜର ଅଧିନ କରି ପକାଉଅଛି ଏହିପରି ନାନା ଭାବରେ ରାଜନୀତି କ୍ଷେତ୍ରରେ ସ୍ୱାଧୀନତା ହାସଲ କରିବାପାଇଁ ଜାତି ଜାତି ମଧ୍ୟରେ, ଦେଶ-ଦେଶ ମଧ୍ୟରେ ବିବାଦ ବିସମ୍ବାଦ ଲାଗିରହିଅଛି ।

 

ଏହି ସ୍ୱାଧୀନତାକୁ ଆହୁରି ବିଶ୍ଳେଷଣ କଲେ ଦେଖାଯିବ ଯେ, ଯେପରି ବ୍ୟକ୍ତିଗତ ସ୍ୱାଧୀନତାରେ, ସେହିପରି ଏଥିରେ ବି ନିରାକରଣ ଓ ନିୟୋଜନ–ଏହି ଦୁଇଟି ଦିଗ ରହିଅଛି । ଜାତି ବିଶେଷ ନିରାକରଣ ପ୍ରଣାଳୀର ଅବଲମ୍ବନରେ ଅପର ଜାତିକୁ ସ୍ୱଦେଶରୁ ତଡ଼ିଦେଇ ନିଜକୁ ସ୍ୱାଧୀନ ବୋଲି ଘୋଷଣା କରେ ଏବଂ ସେଥି ସଙ୍ଗେ ସଙ୍ଗେ ସ୍ୱଦେଶ ଆଭ୍ୟନ୍ତରୀଣ ଅଭିବୃଦ୍ଧି ସାଧନ କରିବାରେ ଲାଗିପଡ଼େ । ଯେଉଁ ଜାତି ଏହି ଉଭୟ ଦିଗରେ ଗତି କରି ନିଜକୁ ସୁପ୍ରତିଷ୍ଠିତ କରେ, ତାହାକୁ ହିଁ ପ୍ରକୃତରେ ସ୍ୱାଧୀନ ଜାତି ବୋଲି କହିବାକୁ ହେବ । କିନ୍ତୁ ଯଦି କୌଣସି ଜାତି ଭାବପ୍ରବଣତାରେ ଚାଳିତ ହୋଇ ଅପର ଜାତି ବା ଶାସକର କବଳରୁ ନିଜକୁ ମୁକ୍ତ କରିସାରିଲା ପରେ ସ୍ୱଦେଶର କତିପୟ ସ୍ୱାର୍ଥାନ୍ଧ ନେତାଙ୍କର ପ୍ରଭାବରେ ପଡ଼ି ନିଜର ସର୍ବବିଧ ଉନ୍ନତିର ଧ୍ୱଂସ ଆନୟନ କରେ, ତାହା ହେଲେ ତାହାରି ସ୍ୱାଧୀନତା ଯଥାର୍ଥ ସ୍ୱାଧୀନତା ନୁହେଁ । ଇତିହାସରେ ଦେଖିବାକୁ ମିଳେ, କେତେକ ଜାତି ସ୍ୱାଧୀନତା ଲାଭ କରିବା ପରେ ଆଭ୍ୟନ୍ତରୀଣ ବିପ୍ଳବ, ଅନେକ ତଥା ଇନ୍ଦ୍ରିୟ ଭୋଗବିଳାସର ଅଧୀନ ହୋଇ ଦେଶକୁ ଛାରଖାରକରିପକାନ୍ତି । ଫଳରେ ସେମାନଙ୍କର ତଥାକଥିତ ସ୍ୱାଧୀନତା ପରାଧୀନତାର ନିଷ୍ପେଣଠାରୁ ଆହୁରି ଦୁଃଖଜନକ ହୋଇପଡ଼େ । ଯେପରି ବ୍ୟକ୍ତିଗତ ସ୍ୱାଧୀନତା ସଂଯମର ଅଭାବରୁ ଉଚ୍ଛୃଙ୍ଖଳତାରେ ପରିଣତ ହୁଏ ସେହିପରି ଜାତିଗତ ସ୍ୱାଧୀନତା ସଂଯମ ଓ ଶୃଙ୍ଖଳାର ଅଭାବରୁ ଆଭ୍ୟନ୍ତରୀଣ କଳହ ଓ ସ୍ୱେଚ୍ଛାଚାରିତାରେ ପରିଣତ ହୁଏ । ଦୁର୍ବାର ରାଜ୍ୟଲିପ୍‌ସା, ବିକୃତବିଜୟବାସନା ଏବଂ ଅଯଥା ଆତ୍ମବଡ଼ିମା, ଗର୍ବ ଓ ଦମ୍ଭ ଯେ କୌଣସି ସ୍ୱାଧୀନତା ଜାତିକୁ ଧ୍ୱସ୍ତବିଧ୍ୱସ୍ତ କରି ପୁନର୍ବାର ପରାଧୀନତାର କବଳରେ ପ୍ରକ୍ଷେପ କରେ । ସେଥିପାଇଁ ଜାତିଗତ ସ୍ୱାଧୀନତା ନିରାକରଣ ଓ ନିୟୋଜନ–ଏହି ଉଭୟ ପ୍ରଣାଳୀର ଭିତ୍ତିରେ ସମ୍ପାଦିତ ହେବା ଆବଶ୍ୟକ । ସ୍ୱାଧୀନତାର ଅର୍ଜନ ଯେତିକି କଷ୍ଟସାଧ୍ୟ, ତାହାର ସଂରକ୍ଷଣ ତାହାଠାରୁ ବଳି କଷ୍ଟକର । ତେଣୁ ବହିଃଶତ୍ରୁର ଆକ୍ରମଣରୁ ଦେଶକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଦେଶର ଆଭ୍ୟନ୍ତରୀଣ ସକଳ ଦିଗର ପ୍ରଗତି ସମ୍ପାଦନ କରିବା ବିଧେୟ । ଜାତିର ନେତୃସ୍ଥାନୀୟ ବ୍ୟକ୍ତିମାନେ ଦେଶର କର୍ଣ୍ଣଧାରରୂପେ ସର୍ବଦା, ସର୍ବଥା ସଜାଗ ରହିବା ଏକାନ୍ତ ପ୍ରୟୋଜନୀୟ । ଏଥିପାଇଁ ସୁଚିନ୍ତିତ ଯୋଜନା ଓ ସୁନିୟନ୍ତ୍ରିତ କର୍ମକ୍ଷତ୍ର ଆବଶ୍ୟକ । ବ୍ରକ୍ତିଗତ ଚରିତ୍ରର ବିକାଶ ସଙ୍ଗେ ସଙ୍ଗେ ଜାତୀୟ ଚରିତ୍ରର ଗଠନ ଓ ପ୍ରତିଷ୍ଠା ଦିଗରେ ନେତୃବୃନ୍ଦଙ୍କର ନିର୍ମିମେଷ ଦୃଷ୍ଟି ଓ ଅଖଣ୍ଡ ଅବଧାନ ରହିବା ଉଚିତ । ଦେଶର ପ୍ରତ୍ୟେକ ବ୍ୟକ୍ତି ନାଗରିକତାର ଅର୍ଥ ଓ ମହତ୍ୱ ହୃଦୟଙ୍ଗମ କରି ଜାତୀୟ ଜୀବନର ବିକାଶରେ ନିଷ୍ଠାପର ସହଯୋଗ କରିବା ବିଧେୟ । କେବଳ ସେତିକି ନୁହେଁ, ଦେଶର ବିଭିନ୍ନ ବିଭାଗର କର୍ମଚାରୀଗଣ ଆପଣା ଆପଣାର ବ୍ୟକ୍ତିଗତ ସ୍ୱାର୍ଥକୁ ଜାତୀୟବିକାଶ–ବେଦିକାରେ ବଳି ଦେଇ କର୍ତ୍ତବ୍ୟକ୍ଷେତ୍ରରେ ମନଃପ୍ରାଣ ଢାଳିଦେବା ଆବଶ୍ୟକ । ପ୍ରତ୍ୟେକ ବ୍ୟକ୍ତିଙ୍କର ମନେ ରଖିବା ଉଚିତ, ସେ ଯେପରି ଶାସନ କ୍ଷେତ୍ରରେ କାର୍ଯ୍ୟ କଲାବେଳେ ନିଜର ପେଟ-ପକେଟ ପୂରଣ କରିବାକୁ ଏକମାତ୍ର ଲକ୍ଷ୍ୟ ବୋଲି ମନେ କରନ୍ତି । ଦେଶର ସରକାରୀ କର୍ମଚାରୀ ବୃନ୍ଦ ଅନେକ ସମୟରେ ମନେ କରିପାରନ୍ତି ଯେ, ସେମାନେ କେବଳ ସ୍ୱ-ସ୍ୱ ପରିବାରର ସୁଖସମୃଦ୍ଧି ନିମିତ୍ତ ବେତନ ଭୋଗ କରୁଅଛନ୍ତି । ଏହି ଭାବରେ ପ୍ରଣୋଦିତ ହୋଇ ଅନେକେ ଏତେ ସ୍ୱାର୍ଥାନ୍ଧ ବା ଆତ୍ମମ୍ଭରୀ ହୋଇପଡ଼ନ୍ତି ଯେ, ସେମାନେ ଅନେକ ଅବୈଧ ଉପାୟରେ ଅର୍ଥସଂଗ୍ରହ କରିବସନ୍ତି । ମାତ୍ର ସେମାନଙ୍କର ମନେରଖିବା ଉଚିତ, ସେମାନେ ଯେଉଁ ଯେଉଁ କାର୍ଯ୍ୟରେ ନିଯୁକ୍ତ ଥାଆନ୍ତି, ସେହି ସେହି କାର୍ଯ୍ୟଗୁଡ଼ିକ ତାଙ୍କ ଦେଶର, ତାଙ୍କ ଜାତିର ଓ ତେଣୁ ତାଙ୍କ ନିଜ ନିଜର ମଙ୍ଗଳ ନିମିତ୍ତ ଅଭିପ୍ରେତ । ସେମାନେ ଜାତୀୟ ସରକାରଙ୍କୁ ବାହାରର ଏକ ଶକ୍ତି ବୋଲି ମନେକରି ‘ଯେନ ତେନ ପ୍ରକାରେଣ’ ଦେଶର ସାଧାରଣ ପାଣ୍ଠିରୁ ଅର୍ଥ ଟାଣିଆଣି ନିଜ ନିଜର ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟ ବଢ଼ାଇବାରେ ଲାଗିପଡ଼ନ୍ତି । ଏପରି ମନୋବୃତ୍ତି ଦେଶର ପ୍ରଗତିରେ ଏକ ପ୍ରଧାନ ଅନ୍ତରାୟ । ଏମାନେ ନିଜ ନିଜର ସ୍ୱାର୍ଥସିଦ୍ଧି ପାଇଁ ନିଜ ଜାତିର ବିକାଶ ନିମିତ୍ତ ଅଭିପ୍ରେତ ଅର୍ଥକୁ ଆତ୍ମସାତ୍ କରିବାକୁ ଯାଇଁ ଜାତୀୟ କର୍ତ୍ତବ୍ୟ ପ୍ରତି ଦୃକ୍‌ପାତ କରନ୍ତି ନାହିଁ । ଜାତିର ଅନ୍ତର୍ଗତ ଈଦୃଶ ବ୍ୟକ୍ତି ଜାତିର କଳଙ୍କ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମାନଙ୍କର କାର୍ଯ୍ୟକଳାପରୁ ଜଣାପଡ଼ିବ ଯେ, ଏମାନଙ୍କଠାରେ ଜାତୀୟତାବୋଧ ବା ଦେଶପ୍ରୀତି ଆଦୌ ଜନ୍ମିନାହିଁ । ଏ ଶ୍ରେଣୀର ବ୍ୟକ୍ତିଙ୍କ ହାତରେ ଦେଶର ପରିଚାଳନାର ଭାର ଛାଡ଼ି ଦିଆଗଲେ ସ୍ୱାଧୀନତାର ମର୍ଯ୍ୟାଦା ଏକାବେଳକେ ନଷ୍ଟ ହୋଇଯିବ । ନାନା ଦିଗରୁ ଶୁଣିବାକୁ ମିଳେ, କେତେକ ଉତ୍କୋଚ, କଳାବଜାର ପ୍ରଭୃତି ନୀଚ ତଥା ଘୃଣ୍ୟ କାର୍ଯ୍ୟରେ ଗୁପ୍ତଭାବରେ ଲିପ୍ତ ରହିବା ଫଳରେ ଲାଞ୍ଛିତ ଓ ଦଣ୍ଡିତ ହେଉଅଛନ୍ତି । ଏହିପରି ଯଦି ଜାତିର ବ୍ୟକ୍ତିମାନେ ଗତି କରନ୍ତି, ତାହାହେଲେ ଯେ କୌଣସି ସରକାର ଅଚିରେ ଭୁଷୁଡ଼ି ପଡ଼ିବ ଏବଂ ତାହାର ଫଳରେ ସ୍ୱାଧୀନତା ଯଥେଚ୍ଛାଚାରିତାରେ ପରିଣତ ହୋଇ ଶେଷରେ ମହାବିପ୍ଳବ ସୃଷ୍ଟି କରିବ । ଜାତୀୟ ଚରିତ୍ର ଗଠିତ ନ ହେଲେ, ଜାତିର ଅନ୍ତର୍ଗତ ବ୍ୟକ୍ତିମାନଙ୍କର କର୍ତ୍ତବ୍ୟବୋଧ ଓ ନିଷ୍ଠାପରତା ନ ବଢ଼ିଲେ, ସ୍ୱାଧୀନତାର ଅର୍ଥ କିଛି ନାହିଁ । ଏପରି ବିକୃତ ବା ବ୍ୟାଧିଗ୍ରସ୍ତ ସ୍ୱାଧୀନତାର ବିଲୟ ସୁନିଶ୍ଚିତ । ଆଭ୍ୟନ୍ତରୀଣ କଳହ, ଦଳଗତ ସଂଘର୍ଷ, ସ୍ୱାର୍ଥପର ମନୋବୃତ୍ତି, ସର୍ବୋପରି ଜାତୀୟ ଚରିତ୍ରର ଅଭାବ ପ୍ରଭୃତି ମହାବ୍ୟାଧିଗୁଡ଼ିକରେ ପ୍ରପୀଡ଼ିତ ଜାତି ରାଜନୈତିକ ସ୍ୱାଧୀନତା ଲାଭ କରିବା ତ ଦୂରର କଥା, କୌଣସି ପ୍ରକାର ସ୍ୱାଧୀନତାର ସ୍ୱାଦ ଅନୁଭବ କରିପାରିବ ନାହିଁ । ଏପରି ଜାତି କେବଳ ପରାଧୀନ ଓ ପରପଦାନତ ରହିବା ପାଇଁ ଅଭିପ୍ରେତ ।

 

ଏହି ସାଧାରଣ ଉକ୍ତିଗୁଡ଼ିକର ଦୃଷ୍ଟିରେ ଆମର ସ୍ୱାଧୀନତାକୁ ବିଚାର କରିବା ଉଚିତ । ଭାରତ ରାଜନୈତିକ ସ୍ୱାଧୀନତା ହାସଲ କରି ପୃଥିବୀର ସମୃଦ୍ଧିମନ୍ତ ଦେଶମାନଙ୍କ ଆଗରେ ନିଜକୁ ପ୍ରତିଷ୍ଠିତ କରିବାକୁ ବସିଅଛି । ସ୍ୱେଦେଶବତ୍ସଳ ବହୁ ନେତୃସ୍ଥାନୀୟ ବ୍ୟକ୍ତିଙ୍କର ଉତ୍ତେଜନାମୟ ଗମ୍ଭୀର ଉଦ୍‌ବୋଧନ ଭାରତୀୟଙ୍କ ପ୍ରାଣକୁ ଝଙ୍କୃତ କରୁଅଛି । ଦେଶ ଦୀର୍ଘକାଳବ୍ୟାପୀ ପରାଧୀନତା-ପାଶରୁ ମୁକ୍ତ ହୋଇ ସ୍ୱାଧୀନତାଜନିତ ଜାତୀୟ ଉନ୍ମାଦନା ଅନୁଭବ କରୁଅଛି । ଏହା ଅତି ଆନନ୍ଦ ଓ ଗୌରବର କଥା; ମାତ୍ର ସେଥି ସଙ୍ଗେ ସଙ୍ଗେ ଆମ୍ଭମାନଙ୍କୁ ଏଥିପୂର୍ବରୁ ସୂଚିତ ଉକ୍ତିଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ହେବ । ଭାରତର ସ୍ୱାଧୀନତା କତିପୟ ମହାମନା ତ୍ୟାଗବୀରଙ୍କ ନିଷ୍ଠାପର ଦେଶପ୍ରେମ ଓ ସାଧନାର ଫଳ । ଏହି ମହାପୁରୁଷଙ୍କ କର୍ତ୍ତୃକ ସୂଚିତ ଆଦର୍ଶ ଓ ନୀତି ଉପରେ ହିଁ ନିର୍ଭର କରି ଆଜି ଭାରତ ସଗର୍ବରେ ତାହାର ସ୍ୱାଧୀନତା-ଧ୍ୱଜା ଜଗତ ସମକ୍ଷରେ ଉଡ଼ାଉଅଛି ଏବଂ ଜଗତର ବିଭିନ୍ନ ବିବିଦମାନ ସ୍ୱାଧୀନ ଜାତିମାନଙ୍କୁ ଅହିଂସା-ମହାମନ୍ତ୍ରରେ ଅନୁପ୍ରାଣିତ କରି ସେମାନଙ୍କ ମଧ୍ୟରେ ଐକ୍ୟ ଓ ମୈତ୍ରୀ ସ୍ଥାପନ କରିବାକୁ ଅଗ୍ରସର ହେଉଅଛି । ପ୍ରତ୍ୟେକ ଜାତି ବା ଦେଶ ସ୍ୱାଧୀନତା ସଙ୍ଗେ ସଙ୍ଗେ ବିଶ୍ୱମୈତ୍ରୀ ଓ ବିଶ୍ୱଭ୍ରାତୃତ୍ୱରୂପକ ମହାଭାବରେ ଏକ ମହାସମନ୍ୱୟର, ଏକ ମହାନ୍‌ ଐକ୍ୟର ଦିଗରେ ଗତି କରିବାରେ ଲାଗିଅଛି । ଏହି ସମନ୍ୱୟ, ଏହି ସାର୍ବଜନୀନ ମୈତ୍ରୀ ଓ ଭ୍ରାତୃତ୍ୱର ବଳରେ ପ୍ରତ୍ୟେକ ସ୍ୱାଧୀନ ଜାତି ନିଜର ଅଭିବୃଦ୍ଧି ସମ୍ପାଦନ କରିବା ସଙ୍ଗେ ସଙ୍ଗେ ସମଗ୍ର ମାନବ ଜାତିର ସର୍ବାଙ୍ଗୀନ ବିକାଶ ପାଇଁ ଏକ ଶାନ୍ତିମୟ ତଥା ସମୃଦ୍ଧିମନ୍ତ ବିଶାଳ କ୍ଷେତ୍ର ସୃଷ୍ଟି କରିବ । ଦିନ ଆସିବ, ଯେତେବେଳେ ପ୍ରତ୍ୟେକ ଦେଶରେ ପ୍ରାଚୀନ ଭାରତର ସେହି ପବିତ୍ର ମହାମନ୍ତ୍ରର ସଙ୍ଗୀତମୟ ଶୁଭଶଙ୍ଖ ବାଜି ଉଠିବ–

 

‘‘ସର୍ବସ୍ତରତୁ ଦୁର୍ଗାଣି ସର୍ବୋ ଭଦ୍ରାଣି ପଶ୍ୟତୁ

ସର୍ବଃ କାମନବାପ୍ନୋତୁ ସର୍ବତ୍ର ନନ୍ଦନ୍ତୁ ।’’

 

ଅବଶ୍ୟ ଭାରତର ଜାତୀୟ-ଜୀବନ ସ୍ୱାଧୀନତା ଲାଭ କରି ଯେ ଏକାବେଳକେ ପୂର୍ବୋକ୍ତ ଦୁର୍ବଳତାଗୁଡ଼ିକରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଅଛି, ଏହା ନୁହେଁ । ତଥାପି ତାହାର ଆଦର୍ଶ ମହତ୍‌ ଓ ସେହି ଆଦର୍ଶକୁ ବାସ୍ତବ ରୂପ ଦେବାପାଇଁ ତାହାର ନେତୃବର୍ଗଙ୍କର ଅଦମ୍ୟ ପ୍ରଚେଷ୍ଟା ରହିଅଛି । ଆଶା, ତାହାର ନିଷ୍ଠାପର ଦେଶ-ପ୍ରେମୀ ବଳିଷ୍ଠ ବ୍ୟକ୍ତିଙ୍କ ନେତୃତ୍ୱରେ ଏ ସକଳ ଦୁର୍ବଳତା ଦୂରୀଭୂତ ହେବ ଓ ଭାରତୀୟ ଜାତି ଦିନେ ସମଗ୍ର ପୃଥିବୀର ଗୁରୁରୂପେ ନିଜର ମହତ୍ୱ ପ୍ରତିଷ୍ଠିତ କରିବ । ପରାଧୀନ ଭାରତର କବି ତାହାର ଦୁର୍ଦ୍ଦଶା ଦେଖି ଦିନେ ଗାଇଥିଲେ-

 

‘‘କେମନ୍ତେ ହେ ବିଭୋ ! ଆଜି କରିବି ବିଶ୍ୱାସ,

ଏହି ସେହି ଦେବଭୂମି ବିଶ୍ୱବନ୍ଦନୀୟ ?’’

 

ମାତ୍ର ସ୍ୱାଧୀନ ଭାରତରେ କବିଙ୍କର ସଂଶୟ ଦୂରୀଭୂତ ହେବାର ବାଟ ଫିଟିଗଲାଣି । କେବଳ ଜାତୀୟ ଚରିତ୍ରଗଠନ ଓ ତଜ୍ଜନିତ ନିଷ୍ଠାପର କର୍ମଠତା ତଥା କର୍ତ୍ତବ୍ୟଜ୍ଞାନର ଭିତ୍ତି ସୁଦୃଢ଼ ହେବା ବିଧେୟ ।

Image

 

Unknown

ଆଧୁନିକ ସଭ୍ୟତା

 

‘ସଭ୍ୟତା’ ଶବ୍ଦଟି ଏ ପ୍ରବନ୍ଧରେ ଇଂରାଜୀ ‘ସିଭିଲିଜେସନ’ (Civilisation) ଶବ୍ଦର ପରିଭାଷାରୂପେ ନିଆଯାଇଅଛି । ଆମ ଭାଷାରେ କେତେଗୁଡ଼ିଏ ସୁପରିଚିତ ବା ଲୋକପ୍ରସିଦ୍ଧ ଶବ୍ଦ ରହିଅଛି ଯେଉଁଗୁଡ଼ିକ ଉଚ୍ଚାରଣ କଲାମାତ୍ରକେ ଆମ୍ଭେମାନେ ଅର୍ଥ ଲାଗି ଘାଣ୍ଟି ହେଉନାହିଁ । ସେଗୁଡ଼ିକ ମଧ୍ୟରୁ କେଉଁଟି କେଉଁ ବସ୍ତୁ ବା ବିଷୟକୁ ବୁଝାଏ, ତାହା ସହଜରେ ଜଣାପଡ଼େ । ମାତ୍ର ଭାଷାରେ ସେଗୁଡ଼ିକର ଯଥାଯଥ ଅର୍ଥ ବ୍ୟକ୍ତ କରିବାକୁ ଗଲାବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ହୁଏ । ‘ସଭ୍ୟତା’ ଉଲ୍ଲିଖିତ ଅର୍ଥରେ ଏହିପରି ଏକ ଶବ୍ଦ । ଏହି ଶବ୍ଦଟି ସଂସ୍କୃତ ‘ସଭ୍ୟ’ ଶବ୍ଦରୁ ଉଦ୍‌ଭୂତ । ତେଣୁ ଏହାର ମୌଳିକ ଅର୍ଥ ହେଉଅଛି–ସଭ୍ୟ ହେବାର ଗୁଣ । ‘ସଭ୍ୟ’ ଶବ୍ଦଟି ପୁଣି ସଭା ଶବ୍ଦରୁ ବ୍ୟୁତ୍ପନ୍ନ । ଏହି ‘ସଭା’ ଶବ୍ଦର ଆକ୍ଷରିକ ଅର୍ଥପ୍ରତି ଦୃଷ୍ଟି ଦେଲେ ଜଣାଯାଏ–ଯେଉଁଠାରେ ସହ ବା ମିଳନସୂତ୍ରରେ ବ୍ୟକ୍ତିମାନେ ଶୋଭା ପାଆନ୍ତି, ସେହି ସ୍ଥଳ ହିଁ ସଭା । ଅର୍ଥାତ୍‌ ‘ସଭା’ କହିଲେ କୌଣସି ସଦୁଦ୍ଦେଶ୍ୟରେ ସମବେତ ବ୍ୟକ୍ତିମାନଙ୍କର ସମଷ୍ଟିକୁ ବୁଝାଏ । ଅମକୋଷସ୍ଥ ନିମ୍ନଲିଖିତ ପଂକ୍ତିଦ୍ୱୟରେ ଏହାର କେତୋଟି ପର୍ଯ୍ୟାୟ ଦେଖିବାକୁ ମିଳେ:-

 

‘‘ସମଜ୍ୟା ପରିଷଦ୍‌ ଗୋଷ୍ଠୀ ସଭା-ସମିତି-ସଂସଦଃ

ଆସ୍ଥାନୀ କ୍ଳୀବମାସ୍ଥାନଂ ସ୍ତ୍ରୀନପୁଂସକୟୋଃ ସଦଃ ।’’

 

ଏଥିରୁ ଅନୁମିତ ହେବ, ସଭାରେ ଶୋଭା ପାଏ ଯେ ସେ ସଭ୍ୟ, ଅର୍ଥାତ୍‌ କୌଣସି ସାଧୁ ଉଦ୍ଦେଶ୍ୟରେ ସମବେତ ଜନତାର ସହିତ ମିଳିମିଶି କାର୍ଯ୍ୟକରିବା ବ୍ୟକ୍ତି ହିଁ ‘ସଭ୍ୟ’ ନାମରେ ପରିଗଣିତ ହୋଇଥାନ୍ତା । ତେଣୁ ‘ସଭ୍ୟ’ କହିଲେ ‘ସଭାସଦ’ ବୁଝିବାକୁ ହେବ । ଏହାର ଆଉ ଗୋଟିଏ ଅର୍ଥ ହେଉଛି ‘ସାମାଜିକ’-‘ସଭ୍ୟାଃ ସାମାଜିକାଶ୍ଚତେ’ (ଅମରକୋଷ) । ଅର୍ଥାତ୍‌ ଯେ ସମାଜରେ ଅବସ୍ଥିତ ରହି ସମାଜର କଲ୍ୟାଣ ବିଧାୟକ ବିଧିବିଧାନ ତଥା ତଦନୁମୋଦିତ କର୍ମସମ୍ପାଦନରେ ଲାଗିରହେ, ସେ ‘ସଭ୍ୟ’ ପଦବାଚ୍ୟ । ‘ସଭ୍ୟ’-ଶବ୍ଦଟି ପୁଣି ବିଶେଷଣ ରୂପେ ବ୍ୟବହୃତ ହୋଇଥାଏ । ସେତେବେଳେ ଏହାର ଅର୍ଥ ହେଉଛି–ଶିଷ୍ଟାଚାର ବା ସଂସ୍କୃତ (Refined) । ଏହି ଅର୍ଥରେ ଯେଉଁ ବ୍ୟକ୍ତିଙ୍କ ଆଚାର ବ୍ୟବହାର ସମାଜସଂସ୍କାର ବିରୋଧୀ ନ ହୋଇ ସର୍ବଦା ଓ ସର୍ବଥା ଉତ୍କର୍ଷ ବିଧାୟକ ହୋଇଥାଏ, ସେହି ବ୍ୟକ୍ତି ହିଁ ‘ସଭ୍ୟ’ ରୂପେ ବିବେଚିତ ହୁଅନ୍ତି । ତେଣୁ ‘ସଭ୍ୟତା’ କହିଲେ ଉଲ୍ଲିଖିତ ବିଭିନ୍ନ ଅର୍ଥରେ ସଭ୍ୟ ହେବାର ଗୁଣ ବା ଧର୍ମକୁ ବୁଝାଏ । ଅତଏବ ଆମ୍ଭେମାନେ କହିପାରୁଁ, ସଭାରେ ସମବେତ ଜନତା ମଧ୍ୟରେ ଆସନ ଗ୍ରହଣପୂର୍ବକ ସମଧର୍ମା ହୋଇ କାର୍ଯ୍ୟ କରିବାର ଗୁଣ ହିଁ ସଭ୍ୟତା । ସାମାଜିକତା ବା ଶିଷ୍ଟାଚାର ସଭ୍ୟତାର ଅର୍ଥ-ବ୍ୟଞ୍ଜକ । ଏହିପରି ସଭ୍ୟତା ଶବ୍ଦଟି ବହୁକାଳ ଧରି ଆମ ଦେଶରେ ବ୍ୟବହୃତ ହୋଇ ଆସିଅଛି । ମାତ୍ର ଇଂରାଜୀ ଶିକ୍ଷାର ପ୍ରବର୍ତ୍ତନ ଫଳରେ ଏହା ଏହି ପ୍ରବନ୍ଧର ପ୍ରାରମ୍ଭରେ ସୂଚିତ ଏକ ବିଶିଷ୍ଟ ଅର୍ଥରେ ଅର୍ଥାତ୍‌ ଏକ ପାରିଭାଷିକ ଶବ୍ଦରୂପେ ପ୍ରଚଳିତ ହେଉଅଛି । ଏହି ଅର୍ଥରେ ସଭ୍ୟତାର ସ୍ୱରୂପ ନିର୍ଣ୍ଣୟ ପୂର୍ବକ ଆଧୁନିକ ସଭ୍ୟତାର ଏକ ସଂକ୍ଷିପ୍ତ ବିଶ୍ଳେଷଣ ଉପସ୍ଥାପିତ କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ ।

 

ଉଲ୍ଲିଖିତ ବିଶିଷ୍ଟ ଅର୍ଥରେ ସଭ୍ୟତାର ସ୍ୱରୂପ ବା ଲକ୍ଷଣ ତର୍କଶାସ୍ତ୍ରାନୁମୋଦିତ ଏକ ବାକ୍ୟରେ ପ୍ରକାଶ କରିବା କଠିନ । ତଥାପି ବର୍ଣ୍ଣନା ସାହାଯ୍ୟରେ ଆମ୍ଭେମାନେ ଏହାର ଏକ ସ୍ଥୂଳ ଧାରଣା କରିପାରୁଁ । ତର୍କଶାସ୍ତ୍ରସମ୍ମତ ସଂଜ୍ଞା ବା ଲକ୍ଷଣ ଅସମ୍ଭବ ବା କଷ୍ଟସାଧ୍ୟ ହେଲେ ଅନେକ ସମୟରେ ବର୍ଣ୍ଣନାର ଆଶ୍ରୟ ନେବାକୁ ହୋଇଥାଏ ତେଣୁ ‘ସଭ୍ୟତା’ର ସ୍ୱରୂପର ଏକ ବର୍ଣ୍ଣନା ଦେଲେ ଏହାର ଅର୍ଥ ପରିସ୍ଫୁଟ ହେବ । ଏହି ଶବ୍ଦଟି ଇଂରାଜୀ ସିଭିଲିଜେସନ (Civilisation) ପରି ଏକ ସମଷ୍ଟିବାଚକ ଶବ୍ଦ; ଏହା କୌଣସି ଗୋଟିଏ ଗୁଣ, ଧର୍ମ ବା କର୍ମର ବ୍ୟଞ୍ଜକ ନୁହେଁ । କିମ୍ୱା ଏହି ଅର୍ଥରେ ବ୍ୟକ୍ତିବିଶେଷ ପ୍ରତି ପ୍ରଯୋଜ୍ୟ ନୁହେଁ । ଏହା ସାଧାରଣତଃ ଜାତି ଦେଶ ବା କାଳ ପ୍ରତି ପ୍ରଯୁକ୍ତ ହୋଇଥାଏ । ରାମ ବା ଗୋପାଳର ସଭ୍ୟତା ନ କହି ଆମ୍ଭେମାନେ କହିଥାଉଁ, ‘ଆର୍ଯ୍ୟସଭ୍ୟତା’ ‘ରୋମୀୟ ସଭ୍ୟତା’ ‘ଗ୍ରୀସୀୟ ସଭ୍ୟତା’ ଇତ୍ୟାଦି । ସେହିପରି କାଳଭେଦରେ ଆମ୍ଭେମାନେ କହିଥାଉଁ–‘ବୈଦିକ ସଭ୍ୟତା’ ‘ପ୍ରାଚୀନ ସଭ୍ୟତା’ ଇତ୍ୟାଦି । ଏହା ପୁଣି ଜାତି, ଦେଶ ବା କାଳର କୌଣସି ଏକ ବିଶିଷ୍ଟ ଗୁଣ ବା କ୍ରିୟାନୁଷ୍ଠାନକୁ ନ ବୁଝାଇ ତାହାର ଯାବତୀୟ ବିଭାବର ବିକାଶର ସମଷ୍ଟିକୁ ହିଁ ବୁଝାଇଥାଏ । ଉଦାହରଣସ୍ୱରୂପ, ଯେତେବେଳେ ଆମ୍ଭେମାନେ କହୁଁ–‘ଭାରତୀୟ ସଭ୍ୟତା’, ‘ହିନ୍ଦୁ, ସଭ୍ୟତା’, ‘ଚିନୀୟ ସଭ୍ୟତା’ ବା ଏହିପରି ଅନ୍ୟ କୌଣସି ସଭ୍ୟତା, ସେତେବେଳେ ଆମ୍ଭେମାନେ ବୁଝୁଁ, ଉକ୍ତ ଜାତି ବା ଦେଶର ଭୌତିକ, ଆଧ୍ୟାତ୍ମିକ, ମାନସିକ, ନୈତିକ, ଅର୍ଥନୈତିକ, ରାଜନୈତିକ ପରିସ୍ଥିତି ଓ ବିକାଶର ଏକ ସମାହାର ବା ସମଷ୍ଟି । ସୁତରାଂ ଆମ୍ଭେମାନେ କହିପାରୁଁ–ଜାତି, ଦେଶ ବା କାଳଭେଦରେ ମାନବଜୀବନର ଯାବତୀୟ ବିକାଶଧାରାର ସମଷ୍ଟି ହିଁ ସଭ୍ୟତା । ଭୌଗଳିକ ଅବସ୍ଥାନ ଭେଦରେ ଭିନ୍ନ ଭିନ୍ନ ଜାତିରେ ଯୁଗ ଯୁଗ ଧରି ପାରିପାର୍ଶ୍ୱିକ ପରିବେଷ୍ଟନୀର ସହିତ ମାନବର ଯେଉଁ ଜୀବନ ସଂଗ୍ରାମ ଚାଲି ଆସୁଅଛି, ସେହି ଜୀବନସଂଗ୍ରାମ ଓ ତଦ୍‌ଘଟିତ ସର୍ବବିଧ ସଂଯୋଜନାର ଫଳ ହିଁ ସଭ୍ୟତା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାଦୀକ୍ଷା, ଜ୍ଞାନବିଜ୍ଞାନ, କୃଷିବାଣିଜ୍ୟ, ଶିଳ୍ପକଳା, ଯାନବାହନ, ଯନ୍ତ୍ରପାତି, ଯୁଦ୍ଧୋପକରଣ, ବିଚାରାଳୟ, ଧର୍ମାନୁଷ୍ଠାନ, ସାମାଜିକ ରୀତିନୀତି ପ୍ରଭୃତି ଯାବତୀୟ ବ୍ୟାପାରକୁ ନେଇ ସଭ୍ୟତା ଗଠିତ । ଏହି ବ୍ୟାପାରଗୁଡ଼ିକ ହିଁ ସଭ୍ୟତାର ଅଙ୍ଗପ୍ରତ୍ୟଙ୍ଗ ସ୍ୱରୂପ ।

 

ପ୍ରାଗ୍‌ବୈଦିକ ଯୁଗରୁ ଆରମ୍ଭ କରି ସଭ୍ୟତାର ବିଭିନ୍ନ ରୂପରେଖର ବର୍ଣ୍ଣନା ଦେଖିବାକୁ ମିଳେ । ବୈଦିକଯୁଗରେ ଆର୍ଯ୍ୟମାନେ ଭାରତରେ ବସତି ସ୍ଥାପନ କଲାବେଳେ ଦେଖିବାକୁ ପାଇଲେ ଏକ ସଭ୍ୟତା, ଯାହା ଇତିହାସରେ ‘ଅନାର୍ଯ୍ୟ’ ସଭ୍ୟତା ନାମରେ ବିଦିତ । ଏହି ‘ଅନାର୍ଯ୍ୟ ସଭ୍ୟତା’ ଭାରତରେ ଆର୍ଯ୍ୟମାନଙ୍କ ଆଗମନ ପୂର୍ବରୁ ବିଦ୍ୟମାନ ଥିଲେ ହେଁ, ଏହା ଯେ କେବଳ ଭାରତରେ ହିଁ ଥିଲା, ଏହା କହି ହେବନାହିଁ । କାରଣ ଆର୍ଯ୍ୟ ଭିନ୍ନ ବିଭିନ୍ନ ଜାତିର ମାନବ ମଧ୍ୟ ପୃଥିବୀର ଅନ୍ୟାନ୍ୟ ଦେଶରେ ବହୁ ପୂର୍ବରୁ ବାସ କରୁଥିଲେ । ତେଣୁ ସେମାନଙ୍କର ମଧ୍ୟ ସଭ୍ୟତା ଥିବା ସ୍ୱାଭାବିକ । ଏହି ଆର୍ଯ୍ୟ ଭିନ୍ନ ଜାତିମାନଙ୍କର ସଭ୍ୟତାଗୁଡ଼ିକୁ ବ୍ୟାପକ ଅର୍ଥରେ ‘ଅନାର୍ଯ୍ୟ ସଭ୍ୟତା’ ଶ୍ରେଣୀଭୁକ୍ତ କରାଯାଇପାରେ । ସେ ଯାହାହେଉ, ଆମ୍ଭେମାନେ ଯୁଗ ଯୁଗ ଧରି ସଭ୍ୟତାର ଉଲ୍ଲେଖ କରିପାରୁ । ସେଥିପାଇଁ କାଳ ଦୃଷ୍ଟିରୁ ସଭ୍ୟତାର ରୂପରେଖ ଏକା ଧରଣର ହୋଇ ନ ପାରେ । ଏଣୁ ଭିନ୍ନ ଭିନ୍ନ ଯୁଗର ସଭ୍ୟତା ପରସ୍ପରଠାରୁ ପୃଥକ୍‌ ଥିବାର ଜଣାଯାଏ । ସଭ୍ୟତାର ରୂପରେଖର ଏହି ବିଭିନ୍ନତାବଶତଃ ଏହାର ଯଥାର୍ଥ ସ୍ୱରୂପ ନିରୂପଣ କରିବା ଏକ ବଡ଼ ଦୁରୂହ ବ୍ୟାପାର ତଥାପି ଏହି ବିଭିନ୍ନତା ମଧ୍ୟରେ ଏକତ୍ତ୍ୱ ନିହିତ ଅଛି । ପ୍ରାଗ୍‍ବୈଦିକ ହେଉ, ବୈଦିକ ହେଉ, ଚିନୀୟ ହେଉ ବା ଗ୍ରୀସୀୟ ହେଉ ଏହିପରି ଯେ କୌଣସି ସତ୍ୟତା ହେଉ, ଏସବୁର ‘ସଭ୍ୟତା’ ନାମକରଣ ମୂଳରେ କୌଣସି ଏକ ସାଧାରଣ ଧର୍ମ ବିଦ୍ୟମାନ ରହିଅଛି । ତାହା ନ ହୋଇଥିଲେ ଏମାନଙ୍କ ପ୍ରତି ‘ସଭ୍ୟତା’ ନାମଟି ପ୍ରଯୋଜ୍ୟ ହୁଅନ୍ତା ନାହିଁ । ଏ ସମ୍ପର୍କରେ ତେଣୁ ପ୍ରଶ୍ନ ଉଠେ–ଯଦି ଜାତି, ଦେଶ ବା କାଳଦୃଷ୍ଟିରୁ ସଭ୍ୟତାର ଏହିପରି ବିଭିନ୍ନତା ରହିଅଛି, ତାହାହେଲେ ଏହାର ସୀମାରେଖା କେଉଁଠି ? ଏପରି କଅଣ କୌଣସି ଦେଶ, ଜାତି ବା ଯୁଗ ଥିଲା, ଯହିଁରେ ସଭ୍ୟତା ଏକାବେଳକେ ନ ଥିଲା ? ଆମ୍ଭେମାନେ ଅନେକ ସମୟର କହିଥାଉଁ, ‘ଅମୁକ ଜାତି ଅସଭ୍ୟ’, ‘ଅମୁକ ଦେଶ ଅସଭ୍ୟ’ ଓ ‘ଅମୁକ ଯୁଗରେ ଅସଭ୍ୟ ଲୋକ ବାସ କରୁଥିଲେ’ ଏପରି କହିବାର କିଛି ଅର୍ଥ ଅଛି କି ନାହିଁ ? ଯଦି ଥାଏ, ତାହାହେଲେ ସଭ୍ୟତାକୁ ଅସଭ୍ୟତାରୁ ପୃଥକ୍‌ କରିବା ପାଇଁ ଏକ ମୌଳିକ ନୀତି ଆବଶ୍ୟକ । ଏହି ମୌଳିକନୀତି, ଏହି ମାପ କାଠିଟି କଅଣ ସଭ୍ୟତା ଓ ଅସଭ୍ୟତା ମଧ୍ୟରେ ନିରପେକ୍ଷ ଗୁଣଗତ ପାର୍ଥକ୍ୟ ସ୍ୱୀକାର କରାଯାଇ ପାରେ କି ନାହିଁ ? ଉଦାହରଣ ସ୍ୱରୂପ, ଭାରତର ବିଭିନ୍ନ ଯୁଗର ସଭ୍ୟତା ମଧ୍ୟରେ ଯେଉଁ ପାର୍ଥକ୍ୟ ରହିଅଛି, ତାହା କଅଣ ଏହିପରି ଏକ ନିରପେକ୍ଷ ଗୁଣଗତ ପାର୍ଥକ୍ୟ ? ଅନ୍ୟାନ୍ୟ ଦେଶ ବା ଜାତିର ସଭ୍ୟତା ସମ୍ବନ୍ଧରେ ମଧ୍ୟ ଏହିପରି ପ୍ରଶ୍ନ ଉଠିପାରେ ଏହାର ଉତ୍ତର ଦେବାକୁ ହେଲେ ପ୍ରଥମେ ବିଚାର କରିବାକୁ ହେବ ସଭ୍ୟତାର ସୀମାରେଖା କେଉଁଠି ? ଯଦି କହୁଁ, ଆଦିମ ଜାତିର ଜୀବନକ୍ଷେତ୍ରରେ ଯେଉଁ ସବୁ ଲକ୍ଷଣ ଦେଖାଯାଏ, ସେସବୁର ଦୃଷ୍ଟିରେ ଉକ୍ତ ଜାତିର ସଭ୍ୟତା ନାହିଁ, ତାହେଲେ ସଭ୍ୟତାର ଗୋଟାଏ କିଛି ଅପରିହାର୍ଯ୍ୟ ଲକ୍ଷଣ ଅଛି, ଯାହାର ଭିତ୍ତିରେ ଆମ୍ଭେମାନେ କେତେକ ଆଦିମ ଜାତିକୁ ‘ଅସଭ୍ୟ’ ନାମ ଦେଉଁ । କିନ୍ତୁ ସଙ୍ଗେ ସଙ୍ଗେ ପ୍ରଶ୍ନ ହେବ–ଅସଭ୍ୟତାର ସୀମାରେଖା ପୁଣି କେଉଁଠି ? ଏହାର ସମାଧାନ ତେଣୁ ଜଟିଳତର ହୋଇପଡ଼େ । ସୁରତାଂ ସଭ୍ୟତା ଓ ଅସଭ୍ୟତା ମଧ୍ୟରେ ନିରପେକ୍ଷ ପାର୍ଥକ୍ୟ ସ୍ଥିର କରିବା ଏକ କଠିନ ସମସ୍ୟା । କାହାକୁ ‘ସଭ୍ୟ’ କହିବ ଓ କାହାକୁ ‘ଅସଭ୍ୟ’ କହିବ, ଏହା ନିରୂପଣ କରିବାର କୌଣସି ନିରପେକ୍ଷ ମୌଳିକ ନୀତି ମିଳେ ନାହିଁ ତଥାପି ‘ସଭ୍ୟତା’ ଓ ‘ଅସଭ୍ୟତା’, ‘ସଭ୍ୟ’ ଓ ଅସଭ୍ୟ ଶବ୍ଦଗୁଡ଼ିକର ପ୍ରୟୋଗ ରହିଅଛି ଏହି ଶବ୍ଦଗୁଡ଼ିକୁ ଏକାବେଳକେ ଉଡ଼ାଇ ନଦେଇ ସେମାନଙ୍କର ପ୍ରୟୋଗଗତ ପାର୍ଥକ୍ୟର କୌଣସି ଏକ ମାନଦଣ୍ଡ ସ୍ଥିର କରିବା ବରଂ ସମୀଚୀନ ହେବ । ଆମ୍ଭମାନଙ୍କ ମତରେ ସଭ୍ୟତାକୁ ନିରପେକ୍ଷ ଗୁଣଗତ ଦୃଷ୍ଟିକୋଣରୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ ନ କରି ବିକାଶର ପରିମାଣ ଦୃଷ୍ଟିରୁ ବିଭକ୍ତ କଲେ ସୁବିଧାଜନକ ହେବ । ଏ ଦୃଷ୍ଟିରୁ ପ୍ରତ୍ୟେକ ଜାତି, ଦେଶ ବା ଯୁଗର ସଭ୍ୟତା ବିକାଶର ପରିମାଣଭେଦରେ ପୃଥକ ପୃଥକ ବିବେଚିତ ହେବେ । ଏଥିପୂର୍ବେ ସଭ୍ୟତାର ସ୍ୱରୂପ ନିର୍ଣ୍ଣୟ କରିବାକୁ ଯାଇ ଆମ୍ଭେମାନେ ଯେଉଁ ବର୍ଣ୍ଣନାତ୍ମକ ବିଶ୍ଳେଷଣ ଉପସ୍ଥାପିତ କରିଅଛୁଁ, ତାହାର ଭିତ୍ତିରେ କହିପାରୁ, ଏକ ଦେଶ, ଜାତି ବା ଯୁଗର ସଭ୍ୟତା ଏବଂ ଅନ୍ୟ ଦେଶ, ଜାତି ବା ଯୁଗର ସଭ୍ୟତା ମଧ୍ୟରେ ବିକାଶଦୃଷ୍ଟିରୁ ପରିମାଣ ଗତ ପାର୍ଥକ୍ୟ ରହିଅଛି । ଏଗୁଡ଼ିକ ଭିନ୍ନ ଭିନ୍ନ ସ୍ତରର ସଭ୍ୟତା କହିଲେ ଅସମୀଚୀନ ହେବ ନାହିଁ । ଅତି ପ୍ରାଚୀନ ଆଦିମ ଜାତିମାନଙ୍କଠାରୁ ଆରମ୍ଭକରି ଆଧୁନି ସଭ୍ୟତା ପର୍ଯ୍ୟନ୍ତ ଯେତେ ଯେତେ ସଭ୍ୟତା ଧରାବକ୍ଷରେ ନୃତ୍ୟକରି ଯାଇଅଛି, ସେସବୁ ପ୍ରତ୍ୟେକ ‘ସଭ୍ୟତା’ ପଦବାଚ୍ୟ, ମାତ୍ର ସେମାନଙ୍କ ମଧ୍ୟରେ ବିକାଶର ପରିମାଣ ସମାନ ନୁହେ । ଆଦିମ ଜାତିର ସଭ୍ୟତାରେ ତାହାର ଜୀବନ ଯତୋଟି ଦିଗରେ ବିକାଶ ଲାଭ କରିପାରିଥିଲା, ମଧ୍ୟଯୁଗ ବା ଆଧୁନିକ ଯୁଗର ସଭ୍ୟତାରେ ତଦପେକ୍ଷା ଅଧିକ ଦିଗରେ ବିକାଶ ଦେଖିବାକୁ ମିଳେ । ସୁତରାଂ ବିକାଶର ପରିମାଣହିଁ ସଭ୍ୟତାର ଓ ଅସଭ୍ୟତାର ମାପକାଠି ହେବା ବିଧେୟ । ନିରପେକ୍ଷ ଗୁଣଗତ ପାର୍ଥକ୍ୟ ଦୃଷ୍ଟିରୁ ବିଚାର କରିବାକୁ ଗଲେ ଆମ୍ଭେମାନେ କୌଣସି ସୀମାରେଖା ପାଇପାରିବୁ ନାହିଁ ଏବଂ ତେଣୁ ‘ସଭ୍ୟତା’ ଓ ‘ଅସଭ୍ୟତା’ ଶବ୍ଦଦ୍ୱୟର ପ୍ରୟୋଗରେ କୌଣସି ଯଥାର୍ଥ୍ୟ ରହିବ ନାହିଁ । ପ୍ରତ୍ୟେକ ଜାତି, ଦେଶ ବା ଯୁଗର ସଭ୍ୟତା ହିଁ ସଭ୍ୟତା ବୋଲି କହିଲେ ଅଯଥାର୍ଥ ହେବ ନାହିଁ । ସେଥିପାଇଁ ତ ଆମ୍ଭେମାନେ କହିଥାଉଁ, ‘ପ୍ରାଚୀନ ସଭ୍ୟତା’ ଓ ‘ଆଧୁନିକ ସଭ୍ୟତା’ ‘ବୈଦିକ ସଭ୍ୟତା’ ଓ ‘ପ୍ରାଗ୍‌ବୈଦିକ ସଭ୍ୟତା’, ‘ପ୍ରାଚ୍ୟ ସଭ୍ୟତା’ ଓ ‘ପାଶ୍ଚାତ୍ୟ ସଭ୍ୟତା’ ଇତ୍ୟାଦି । ଏପରି କହିବାରେ କୌଣସି ଅର୍ଥ ରହିବ ନାହିଁ, ଯଦି ସ୍ୱୀକାର କରାଯାଏ ଯେ ‘ସଭ୍ୟତା’, ଅସଭ୍ୟତା’ ମଧ୍ୟରେ ଗୁଣଗତ ବା ପ୍ରକାରଗତ ଏକ ଚରମ ପାର୍ଥକ୍ୟ ରହିଅଛି, ସୁତରାଂ ‘ସଭ୍ୟତା’ ଓ ତଦ୍‌ବିପରୀତ ‘ଅସଭ୍ୟତା’କୁ ଆମ୍ଭେମାନେ ନିରପେକ୍ଷ ଗୁଣଗତ ପାର୍ଥକ୍ୟ ଭିତ୍ତିରେ ସ୍ୱୀକାର ନ କରି ବରଂ ଆପେକ୍ଷିକ ଭାବରେ ବା ବିକାଶର ପରିମାଣ ଦୃଷ୍ଟିରୁ ବିଚାର କରିବାକୁ ଉଚିତ ମନେକରୁଁ । ତାହା ହେଲେ ଉଭୟ ଶବ୍ଦର ପ୍ରେଯୋଜ୍ୟତା ରହିପାରିବ । ଏହି ଦୃଷ୍ଟିକୋଣରୁ ବିଚାର କରି ଆମ୍ଭମାନଙ୍କୁ କହିବାକୁ ହେବ-ଯେଉଁ ଜାତି, ଦେଶ ବା ଯୁଗରେ ମାନବଜୀବନର ସର୍ବାଙ୍ଗୀନ ବିକାଶ ନିମିତ୍ତ ଉପଯୁକ୍ତ ଚିନ୍ତା, କଳ୍ପନା ଏବଂ ତଦନୁଯାୟୀ ସୁସମ୍ବନ୍ଧ କର୍ମଯୋଜନା ଓ ତାହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଉପାୟମାନଙ୍କର ଉଦ୍ଭାବନ ତଥା ଆବିଷ୍କାର ଦେଖିବାକୁ ମିଳେ, ସେହି ଜାତି, ଦେଶ ବା ଯୁଗ ‘ସଭ୍ୟ’ ଆଖ୍ୟା ପାଇବାରେ ଏବଂ ଯହିଁରେ ସମୂହ-ଜୀବନର ପୂର୍ଣ୍ଣ ବିକାଶ ଲାଗି ଏସବୁର ସୁସମ୍ବନ୍ଧ ପ୍ରକାଶ ଘଟିନାହିଁ, ତାହାକୁ ଆମ୍ଭେମାନେ ‘ଅସଭ୍ୟ’ ବୋଲି କହିପାରୁ ଏହି ପରିମାଣଗତ ତଥା ଆପେକ୍ଷିକ ପାର୍ଥକ୍ୟ ଛାଡ଼ିଦେଲେ କିଏ ‘ସଭ୍ୟ’ ଓ କିଏ ‘ଅସଭ୍ୟ’ ଏହା ନିରୂପଣ କରିହେବ ନାହିଁ । କାରଣ ପ୍ରତ୍ୟେକ ଜାତି, ଦେଶ ବା ଯୁଗରେ ‘ସଭ୍ୟତା’ର ସତ୍ତା ନ୍ୟୂନାଧିକ ପରିମାଣରେ ବିଦ୍ୟମାନ ରହିଅଛି ।

 

ଉପରେ ସଭ୍ୟତା ସମ୍ବନ୍ଧରେ ଯାହା ସବୁ କୁହାଗଲା, ସେଗୁଡ଼ିକର ଦୃଷ୍ଟିରେ ବର୍ତ୍ତମାନ ଆଧୁନିକ ସଭ୍ୟତାର ରୂପରେଖ ନିରୂପଣ କରିବାକୁ ହେବ । ଆଜିକାଲି ବିଭିନ୍ନ ଦେଶ ବା ଜାତିରେ ମାନବସମାଜର ବିକାଶ ନିମିତ୍ତ ଜ୍ଞାନକ୍ଷେତ୍ରରେ ଯେଉଁ ତଥ୍ୟମାନ ପ୍ରତିଷ୍ଠିତ ହୋଇଅଛି ଓ ହେଉଅଛି ଏବଂ ସେମାନଙ୍କ ଭିତ୍ତିରେ ଜୀବନଧାରଣାର୍ଥ ବିଭିନ୍ନ ପରିକଳ୍ପନା ବା ବିଭିନ୍ନ ଉଦ୍ଭାବନ ତଥା ଆବିଷ୍କାର ପ୍ରଭୃତିର ସାହାଯ୍ୟରେ ଯେଉଁସବୁ ବ୍ୟବହାରିକ ବିଧିବିଧାନ ଓ କର୍ମଧାରା ନିର୍ଣ୍ଣୀତ ହୋଇଅଛି, ସେ ସମସ୍ତର ସମଷ୍ଟିକୁ ଘେନି ଆଧୁନିକ ସଭ୍ୟଜଗତ ଗଢ଼ି ଉଠୁଛି । ଏହି ସଭ୍ୟତା ଯେ ଅତୀତର ସାଧନା ଓ ସିଦ୍ଧିରୁ ଏକାବେଳକେ ବିଚ୍ଛିନ୍ନ, ଏହା କହିହେବ ନାହିଁ । କାରଣ ପ୍ରାଗୈତିହାସିକ ଯୁଗରୁ ଆରମ୍ଭ କରି ଯେତେ ଯେତେ ସ୍ତରର ସଭ୍ୟତା ମାନବର ଜୀବନକ୍ଷେତ୍ରରେ ଦେଖାଦେଇ ଆସିଅଛି, ସେଗୁଡ଼ିକର ଭିତ୍ତି ତଥା ପ୍ରଭାବରେ ହିଁ ଏଯୁଗର ସଭ୍ୟତା ସମ୍ଭବପର ହୋଇଅଛି । ଅତୀତ ବର୍ତ୍ତମାନରୁ ବିଚ୍ଛିନ୍ନ ନୁହେ, ବରଂ ବର୍ତ୍ତମାନର ମୂଳରେ ଓ ଅନ୍ତରାଳରେ ଏହାର ପ୍ରଭାବ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ରହିଅଛି । ଭାରତରେ ଆବହମାନକାଳରୁ ଚାଲିଆସୁଥିବା ଅନାର୍ଯ୍ୟ-ସଭ୍ୟତା ଆର୍ଯ୍ୟସଭ୍ୟତାକୁ ବହୁପରିମାଣରେ ପ୍ରଭାବିତ କରିଛି ଏବଂ ପୃଥିବୀର ଅନ୍ୟାନ୍ୟ ଦେଶର ସଭ୍ୟତାକୁ ସେହିପରି ସେହି ସେହି ଦେଶର ପରବର୍ତ୍ତୀ ସଭ୍ୟତା ଉପରେ ପ୍ରଭାବ ପକାଇଅଛି । ରୋମୀୟ ସଭ୍ୟତା ଏସିଆ ଓ ଇଉରୋପୀୟ ଦେଶମାନଙ୍କରେ ପ୍ରଭାବ ବିସ୍ତାର କରିଥିଲା ଓ ଏହି ଦେଶମାନ ଜ୍ଞାନବିଜ୍ଞାନ କ୍ଷେତ୍ରରେ ତଥା ବ୍ୟାବହାରିକ ଜୀବନକ୍ଷେତ୍ରରେ ଭାରତର ଆର୍ଯ୍ୟ ସଭ୍ୟତା ଦ୍ୱାରା ବହୁପରିମାଣରେ ପ୍ରଭାବିତ ହୋଇଥିଲେ । ସେଥିଯୋଗୁଁ ସିନା ‘ଭାରତଭାବନା’ରେ କବି ଗାଇଥିଲେ–

 

‘‘ଏହ କି ଭାରତ ଯାର ମହିମାସଙ୍ଗୀତ-

ଗମ୍ଭୀର ଝଙ୍କାରେ ପୂର୍ଣ୍ଣ ଦିଗଦିଗନ୍ତର !

ଏହି କି ସେ ସୁମନୋଜ୍ଞ ଆଶାସରୋବର,

ଯାର ଜ୍ଞାନାମୃତପାନେ କୃତାର୍ଥ ଧରଣୀ

ଯାର ତେଜେ ବିଭାସିତ ଦେଶ ଦେଶାନ୍ତର

ଏହି କି ସେ ବସୁଧାରା ସମୁଜ୍ଜ୍ୱଳ ମଣି !’’

 

ଅତୀତରେ ଯେ କେତେ ସଭ୍ୟତା କାଳର କରାଳ-କବଳରେ ବିଲୟପ୍ରାପ୍ତ ହୋଇଅଛି, ଆଧୁନିକ ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଗବେଷଣା ତାହାର ସାକ୍ଷୀ । ହରପ୍‌ପା, ମହେଞ୍ଜୋଦାରୋ ପ୍ରଭୃତି ସ୍ଥାନରେ ପ୍ରାଚୀନ ସଭ୍ୟତାର ଯେଉଁ ଯେଉଁ ଅବଶେଷମାନ ଆବିଷ୍କୃତ ହୋଇଅଛି, ଓ ହେଉଅଛି ସେଥିପ୍ରତି ଲକ୍ଷ୍ୟକଲେ ମନେ ହୁଏ, ଅତୀତର କେତେ ସଭ୍ୟତା ଆଧୁନିକ ଯୁଗର ସଭ୍ୟତାଠାରୁ ନିକୃଷ୍ଟ ବୋଲି କହିବହେବ ନାହିଁ, ବରଂ କେତେକ ଦିଗରେ ଉତ୍କୃଷ୍ଟତର ବୋଲି ବିବେଚିତ ହୋଇପାରେ । ଏପରି ଅବସ୍ଥାରେ ‘ଆଧୁନିକ ସଭ୍ୟତା’ର କିଛି ଗୋଟାଏ ନିର୍ଦ୍ଦିଷ୍ଟ ରୂପରେଖ ଅଛି ବୋଲି କିପରି କହିବାକୁ ହେବ ? ଐତିହାସିକ ଯୁଗର ପୂର୍ବରୁ ଆରମ୍ଭକରି ଯେଉଁସବୁ ବିଭିନ୍ନ ଧରଣର ସଭ୍ୟତା ବିଭିନ୍ନ ଦେଶ, ଜାତି ବା ଯୁଗରେ ଦେଖା ଦେଇଅଛି, ସେ ସବୁର ଉତ୍କର୍ଷାପକର୍ଷ ଭିତ୍ତିରେ ଶ୍ରେଣୀକରଣ କରିବାକୁ ହେଲେ ଆମ୍ଭମାନଙ୍କର ଏକମାତ୍ର ମାନଦଣ୍ଡ ହେବ–ମାନବଜାତିର ସର୍ବତୋମୁଖ ବିକାଶ ଓ ତଜ୍ଜନିତ ସୁଖଶାନ୍ତି । ଏହି ଆଦର୍ଶକୁ ସମ୍ମୁଖରେ ଧରିରଖି ମାନବଜାତି ଯେତେବେଳେ ଭୌତିକ, ଆଧ୍ୟାତ୍ମିକ, ମାନସିକ, ନୈତିକ, ଅର୍ଥନୈତିକ ତଥା ରାଜନୈତିକ ବିକାଶରେ ପୂର୍ଣ୍ଣତା ଲାଭକରି ବିଶ୍ୱମାନବିକତା ପ୍ରତିଷ୍ଠିତ କରିବ, ସେତେବଳର ସଭ୍ୟତାକୁ ପରିପୂର୍ଣ୍ଣ ସଭ୍ୟତା ବୋଲି କହିବାକୁ ହେବ । ସେତେବେଳେ ବିଭିନ୍ନ ଜାତି, ଦେଶ ଓ କାଳର ସଭ୍ୟତା ମାନ ଆଉ ସ୍ୱତନ୍ତ୍ରଭାବରେ ତିଷ୍ଠି ନ ପାରି ଏକ ମହାମାନବୀୟ ସଭ୍ୟତାରେ ପରିଣତ ହୋଇଯିବ । ଏହି ଆଦର୍ଶ ହେଉଛି, ମାନବର ପୂର୍ଣ୍ଣତା, ମାନବଜାତିର ପରମପୁରୁଷାର୍ଥ । ଧରାଧାମର ଅଧିବାସୀ ସମଗ୍ର ମାନବ-ଜାତି ତଦନ୍ତର୍ଗତ ବ୍ୟକ୍ତି ଓ ସମାଜକୁ ନେଇ ଏହି ପୂର୍ଣ୍ଣତା ଦିଗରେ ଅଗ୍ରସର ହେବାକୁ ଯତ୍ନଶୀଳ ହୋଇ ନାହିଁ । ଉଲ୍ଲିଖିତ ଚରମ ଆଦର୍ଶ ସ୍ୱରୂପ ସମ୍ୟକ୍‌ ହୃଦୟଙ୍ଗମ କରି ନ ପାରି ବିଭିନ୍ନ ଯୁଗ ଓ ଦେଶର ଜାତିଗୁଡ଼ିକ ଭିନ୍ନ ଭିନ୍ନ ରୁଚିର ଆଦର୍ଶ କଳ୍ପନାପୂର୍ବକ ତଦନୁଯାୟୀ ନିଜ ନିଜର ସଭ୍ୟତା ଗଢ଼ି ଆସିଅଛନ୍ତି । ପ୍ରାଚୀନ ଯୁଗର ସଭ୍ୟତାମାନ ଯେଉଁ ଯେଉଁ ଆଦର୍ଶ ଉପରେ ପ୍ରତିଷ୍ଠିତ ଥିଲା, ବର୍ତ୍ତମାନ ଯୁଗର ସଭ୍ୟତାଗୁଡ଼ିକ ଠିକ୍‌ ସେହି ସେହି ଆଦର୍ଶ ଉପରେ ପ୍ରତିଷ୍ଠିତ ହେବା ପରି ଜଣାଯାଏ ନାହିଁ । ପ୍ରାଚୀନ ସଭ୍ୟତାଗୁଡ଼ିକ ପ୍ରଧାନତଃ ଧର୍ମାଶ୍ରୟୀ ଥିବାରୁ ସେଗୁଡ଼ିକର ଆକାର ପ୍ରକାର ଯାହା ଥିଲା, ଆଧୁନିକ ଯୁଗରେ ସେପରି ଦେଖାଯାଏ ନାହିଁ । ଜଡ଼ବିଜ୍ଞାନ ଓ ତଜ୍ଜନିତ ଜୀବନଧାରଣ-ପ୍ରକ୍ରିୟା ମାନବକୁ ଧର୍ମବିଶ୍ୱାସ ପ୍ରତି ପରାଙ୍‌ମୁଖ କରିଅଛି ଏବଂ ଭୌତିକ ତଥା ଇନ୍ଦ୍ରିୟଲଭ୍ୟ ସୁଖସ୍ୱାଚ୍ଛନ୍ଦକୁ ହିଁ ତାହାର ସମ୍ମୁଖରେ ଆଦର୍ଶ ରୂପରେ ଉପସ୍ଥାପିତ କରିଅଛି । ଏହି ଆଦର୍ଶକୁ ଆଶ୍ରୟ କରି ମାନବ ବର୍ତ୍ତମାନର ସଭ୍ୟତା ଗଢ଼ିବାରେ ଲାଗିଅଛି । ଏହାରି ଆଡ଼କୁ ଧାବମାନ ହୋଇ ସେ ତାହାର ବିକାଶର ପୂର୍ଣ୍ଣତା ଉପଲବ୍‌ଧି କରିବ ବୋଲି ଚେଷ୍ଟା କରୁଅଛି । ଏହା ଫଳରେ ତାହାର ଆଧ୍ୟାତ୍ମିକ ମେରୁଦଣ୍ଡ ଭାଙ୍ଗି ପଡ଼ୁଅଛି । ଆଧୁନିକ ସଭ୍ୟଜଗତ ବିଳାସବ୍ୟସନର ଅଧୀନ । ତାହାର ଧନଲିପ୍‌ସା ଓ କ୍ଷମତାମୋହ ଏତେ ପ୍ରାବଲ୍ୟ ଲାଭ କରିଅଛି । ଯେ, ତାହାର ସଭ୍ୟତା ବହୁତୋମୁଖୀ ହେବାକୁ ଯାଉଥିଲେହେଁ ମାନବିକତାର ବିକାଶରେ ଏକ ପ୍ରଧାନ ଅନ୍ତରାୟ ହେଉଅଛି । ଅବଶ୍ୟ ବଡ଼ ବଡ଼ ଶକ୍ତିଶାଳୀ ଜାତିମାନେ ଅନେକ ସମୟରେ ଆଧ୍ୟାତ୍ମିକତା ନୈତିକତାର ଦ୍ୱାହି ଦେଇ ଜନସମାଜକୁ ପ୍ରଭାବିତ କରିବାକୁ ଯାଉଅଛନ୍ତି; ମାତ୍ର ସେମାନଙ୍କର ଏହି ଦ୍ୱାହି କେବଳ ସେମାନଙ୍କର ଭୌତିକ ଆଦର୍ଶ ଓ ତଦାଶ୍ରୟୀ ସଭ୍ୟତାକୁ ପ୍ରତିଷ୍ଠିତ କରିବାର ଏକ ସାମୟିକ କୌଶଳ ବା ଛଳନା ପରି ବୋଧହୁଏ ପୃଥିବୀର ଗତ ମହାସମରରେ ଆଧୁନିକ ସଭ୍ୟତାନୁମୋଦିତ ଯାବତୀୟ ଯୁଦ୍ଧସରଞ୍ଜାମ ପ୍ରୟୋଗ କରି ଯୁଦ୍ଧବ୍ୟାପୃତ ଜାତିମାନେ ଧନଜୀବନ ବ୍ୟାପକ ଧ୍ୱଂସ ଆନୟନ କରିବାରେ ଲାଗିଥିଲେ । ଯେତେବେଳେ ଏହି ପାଶବ ହିଂସାକାଣ୍ଡ ଅପ୍ରତିହତଭାବରେ କୌଣସି ପକ୍ଷରୁ ଅନୁକୂଳ ଥିଲା, ସେତେବେଳେ ଧର୍ମବିଶ୍ୱାସର ନାମଗନ୍ଧ ପର୍ଯ୍ୟନ୍ତ ଥିଲା; ମାତ୍ର ଯେତେବେଳେ ଏହାର ଅବସାନ ଘଟିଲା, ସେତେବେଳେ ଚାରିଆଡ଼େ ନେତୃପକ୍ଷ ଦେବମନ୍ଦିରରେ ପ୍ରାର୍ଥନା କରିବା ପାଇଁ ଡାକ ପକାଇଲେ । ଏହି ଯେଉଁ ଆଧ୍ୟାତ୍ମିକ ଭାବ ବା ଧର୍ମବିଶ୍ୱାସ ସେମାନଙ୍କ ମନରେ ଜାଗରିତ ହେଲା, ତାହା କଅଣ ପ୍ରକୃତରେ ଆତ୍ମନିଷ୍ଠା ବା ଆତ୍ମଶୁଦ୍ଧି ଉପରେ ପ୍ରତିଷ୍ଠିତ ? ଯେଉଁ ସଭ୍ୟତା ମାନବ ଜାତିର ବିନାଶସାଧନ କରି ବିଜୟ ଲାଭ ପରେ ପରେ ଈଶ୍ୱର ବିଶ୍ୱାସର ଆଶ୍ରୟ ନିଏ, ସେ ସଭ୍ୟତା ପ୍ରଚ୍ଛନ୍ନ ପାଶବିକତା-ପ୍ରକୃତ ସଭ୍ୟତାର ଏକ ଛଳନା ମାତ୍ର । ହିଂସା ତଥା ହତ୍ୟାକାଣ୍ଡ ଉପରେ ପ୍ରତିଷ୍ଠିତ ସଭ୍ୟତାରେ ପୁଣି ଈଶ୍ୱରବିଶ୍ୱାସର ସ୍ଥାନ । ଏହା କେବଳ ଧର୍ମ ନାମରେ କ୍ଷମତାବିସ୍ତାର କରିବାର ଏକ ପ୍ରତାରଣାପୂର୍ଣ୍ଣ କୌଶଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି କୌଶଳ ପୁଣି ସେହି ହିଂସାଦ୍ୱେଷଜନିତ ପାଶବିକ ନିଷ୍ଠୁରତାରେ ପ୍ରଣୋଦିତ ତଥା ଆଧ୍ୟାତ୍ମିକତାବିହୀନ ଭୌତିକ ମନୋବୃତ୍ତିର ଫଳ ଛଡ଼ା ଅନ୍ୟ କିଛି ନୁହେଁ । ଆଧ୍ୟାତ୍ମିକତା ଓ ତତ୍‌ପ୍ରତିଷ୍ଠିତ ନୈତିକତା ଭୌତିକତାର ଦାସ ହୋଇଅଛି ମାତ୍ର । ତେଣୁ ସମଗ୍ର ପୃଥିବୀର ସଭ୍ୟତା ବର୍ତ୍ତମାନ ଯେପରି ଏକ ରାକ୍ଷସୀୟ କାଣ୍ଡରେ ପରିଣତ ହୋଇଅଛି । ଆଧ୍ୟାତ୍ମିକତାର ଭିତ୍ତିରେ ଭୌତିକତା ପ୍ରତିଷ୍ଠିତ ହେଲେ ମାନବ ଜାତିର ମଙ୍ଗଳ ସାଧିତ ହେବ । ମାତ୍ର ଦୁଃଖର କଥା, ସ୍ନେହ ସହାନୁଭୂତି, ସାହାଯ୍ୟ ସହଯୋଗ, ଯାହାକିଛି ଆଧୁନିକ ସଭ୍ୟତାରେ ଦେଖିବାକୁ ମିଳେ, ସେସବୁ ଭୌତିକତାପ୍ରାଣୋଦିତ ଏକ ପ୍ରଚ୍ଛନ୍ନ ସ୍ୱାର୍ଥାନ୍ଧତା । ପ୍ରତାରକ ନିଜକୁ ପ୍ରଭୁଭକ୍ତ ଏବଂ ପୂଣ୍ୟ ବିଶ୍ୱାସଭୂମି ବୋଲି ଦେଖାଇ ହୋଇ ଅପରକୁ ପ୍ରତାରିତ କଲାପରି ଆଧୁନିକ ସଭ୍ୟତା ‘ସଭ୍ୟତା’ ନାମରେ ନିଜର ପରିଚୟ ଦେଇ ଜଗତକୁ ପ୍ରତାରଣା-ଜାଲରେ ନିବଦ୍ଧ କରି ପକାଉଥିବାର ଅନୁମିତ ହୁଏ । ଅବଶ୍ୟ, ଆଧୁନିକ ପ୍ରତ୍ୟେକ ଜାତିର ସଭ୍ୟତାରେ ଜ୍ଞାନବିଜ୍ଞାନଲବ୍‌ଧ ଯାନବାହନ, କଳକବ୍‌ଜା ସାହାଯ୍ୟରେ ବହୁ ସୁବିଧାସୁଯୋଗର ବ୍ୟବସ୍ଥା କରାଯାଇଅଛି । ମାନବ ବ୍ୟୋମଯାନ ସାହାଯ୍ୟରେ ଅନନ୍ତ ଜଗତର ବକ୍ଷ ବିଦାରଣ କରି ପୃଥିବୀର ବିଭିନ୍ନ ସ୍ଥାନର ଦୂରତ୍ୱକୁ ନିକଟତ୍ୱରେ ପରିଣତ କରିଅଛି । ବୈଦ୍ୟୁତିକ ଶକ୍ତିର ପ୍ରୟୋଗରେ ବେତାର, ଟେଲିଫୋନ୍‌, ଟେଲିଗ୍ରାଫ୍‌, ଟେଳିଭିଜନ ପ୍ରଭୃତି ଅଦ୍ଭୁତ ଉଦ୍ଭାବନମାନଙ୍କଦ୍ୱାରା ସଭ୍ୟତାର ବହୁତୋମୁଖ ବିକାଶସାଧନ କରିପାରିଅଛି । ମାତ୍ର ଏହାର ଅଭ୍ୟନ୍ତରରେ ମାନବିକତା ନାହିଁ–ଅଛି କେବଳ ସ୍ୱାର୍ଥସାଧନର ଏକ ଦୁର୍ବାର ଲାଳସା । ଏହି ଲାଳସାର ଫଳରେ ଆଜି ପୃଥିବୀ ଆତଙ୍କିତ; କାରଣ ‘ସଭ୍ୟ’ ନାମରେ ପରିଚିତ ଆଧୁନିକ ଜାତିମାନଙ୍କ ମଧ୍ୟରେ ବିଜୟଲିପ୍‌ସା, କ୍ଷମତାମୋହ, ସଂକୀର୍ଣ୍ଣ ଜାତୀୟତାର ଅନ୍ଧାନୁସରଣ ପ୍ରଭୃତି ମାନବିକତାହୀନ ପ୍ରବୃତ୍ତି ବିଦ୍ୟମାନ ରହିଥିବାରୁ ଆଧୁନିକ ସଭ୍ୟତାର ଏତେ ପ୍ରକର୍ଷ ସତ୍ତ୍ୱେ ଆତଙ୍କ, ଭୟ, ଅବିଶ୍ୱାସ ଓ ହିଂସାଦ୍ୱେଷ ପ୍ରଭୃତିର ଅବାଧ ଲୀଳା ଲାଗି ରହିଅଛି ଏବଂ ବହୁ ବିଜ୍ଞାଶକ୍ତି ଚିତ୍କାର କରୁଅଛନ୍ତି–ଏ ସଭ୍ୟତା ଧ୍ୱଂସୋନ୍ମୁଖ ହୋଇପଡ଼ିଛି ଏବଂ ମହାମାନବଜାତିର ନିରାପତ୍ତା ଓ ବିକାଶ ସମ୍ପାଦନ କରିବା ତ ଦୂରର କଥା, ଧରାପୃଷ୍ଠରୁ ତାହାର ସତ୍ତା ପର୍ଯ୍ୟନ୍ତ ଲୋପ କରିଦେବ ବୋଲି ଆଶଙ୍କା ହୁଏ ।

 

ବର୍ତ୍ତମାନ ପ୍ରଶ୍ନ ଉଠେ–ଏହି ସଭ୍ୟତା କଅଣ ପ୍ରାଚୀନ ସଭ୍ୟତାଠାରୁ ଉତ୍କୃଷ୍ଟତର ? ଏହା ଅବଶ୍ୟ ବହୁକ୍ରିୟାନ୍ୱିତ ତଥା ଜଟିଳ ହୋଇଅଛି, ମାତ୍ର ତାହା ସତ୍ତ୍ୱେ ଏହା ଯେ ସେହି ଆଦିମ ଜାତିର ସଭ୍ୟତାଠାରୁ କୌଣସି ଗୁଣରେ ଉତ୍କୃଷ୍ଟତର, ଏହା କହି ହେବ ନାହିଁ । ଏ ସଭ୍ୟତାରେ ପେଟ-ପକେଟର ସୁବିଧା ଅଛି; ମାତ୍ର ମାନବଜାତିର ମହାମାନବିକତାର ବିକାଶପାଇଁ ଅନୁକୂଳ ଉପାଦାନ ଦେଖିବାକୁ ବିରଳ । ପରମାଣୁ ବୋମାମାନ ପକାଇ ଶତ୍ରୁରାଜ୍ୟର ନିରାପତ୍ତା ଓ ସୁଖସ୍ୱାଚ୍ଛନ୍ଦ୍ୟ ନଷ୍ଟ କରିବା ଏ ସଭ୍ୟତାରେ ସମ୍ଭବପର ମାତ୍ର ଦେଶ ଦେଶ ମଧ୍ୟରେ, ଜାତି ଜାତି ମଧ୍ୟରେ ଆଧ୍ୟାତ୍ମିକତା ତଥା ନୈତିକ ଭିତ୍ତିରେ ସମନ୍ୱୟ ସ୍ଥାପନପୂର୍ବକ ମହାମାନବିକତା ପ୍ରତିଷ୍ଠିତ କରିବା ପାଇଁ ଏହା ଉପଯୋଗୀ ବୋଲି କହିବା କଷ୍ଟକର । ଆଶ୍ୱାସନାର କଥା, ଏବେ ଆଧୁନିକ ଯୁଗର ଅଧିନାୟକମାନେ ଏହାର ସତ୍ୟତା କେତେକ ପରିମାଣରେ ଉପଲବ୍‌ଧି କରି ସମଗ୍ର ପୃଥିବୀରେ ଏହି ମହାମାନବିକତା ରୂପ ଆଦର୍ଶର ପ୍ରତିଷ୍ଠା ଓ ଉପଲବ୍‌ଧି ନିମିତ୍ତ ନାନାବିଧ ଆନ୍ତର୍ଜାତିକ ଅନୁଷ୍ଠାନମାନ ଗଢ଼ି ବିଭିନ୍ନ ଦେଶର ସଭ୍ୟତା ମଧ୍ୟରେ ଐକ୍ୟସ୍ଥାପନପୂର୍ବକ ମାନବଜାତିର ସମୂହବିକାଶସାଧନ କରିବାକୁ ପ୍ରଚେଷ୍ଟା ଚଳାଇ ଆସୁଛନ୍ତି । ‘ଅୟମାରମ୍ଭଃ ଶୁଭାୟ ଭବତୁ’–ଏହା ହିଁ ଆମ୍ଭମାନଙ୍କର ଏକାନ୍ତ କାମନା । ମାତ୍ର ସେଥି ସଙ୍ଗେ ସଙ୍ଗେ କହିବାକୁ ଚାହୁଁ, ଏ ଉଦ୍ୟମ ଯେପରି କେତୋଟି କ୍ଷମତାଶୀଳ ଜାତି ବା ଦେଶର ସ୍ୱାର୍ଥସାଧନର ଉପାୟରେ ପର୍ଯ୍ୟବସିତ ନ ହୁଏ-। ସମଦର୍ଶିତା, ବିଶ୍ୱଭ୍ରାତୃତ୍ତ୍ୱ ତଥା ଉଦାରତାରେ ପ୍ରଣୋଦିତ ହୋଇ ସମଗ୍ର ପୃଥିବୀର ଜାତି ଜାତି ମଧ୍ୟରେ, ଦେଶ ଦେଶ ମଧ୍ୟରେ ଐକ୍ୟ ଓ ମୈତ୍ରୀ ସ୍ଥାପନ କରିବା ଏକ କଥା ଏବଂ ସଂକୀର୍ଣ୍ଣ ଜାତୀୟ ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ଧୂର୍ତ୍ତତାର ସହିତ ସାମୟିକ ଆପାତ-ମିଳନ ଅନ୍ୟ ଏକ ସ୍ୱତନ୍ତ୍ର କଥା । ତେଣୁ ସଭ୍ୟତାର ମିଳନ-ମଣ୍ଡପରେ ଆସୀନ ହୋଇ ପରସ୍ପରର ଦୁର୍ବଳତା ନିରାକରଣପୂର୍ବକ ସମଗ୍ର ମାନବଜାତିକୁ ସେହି ମହାମାନବିକତା ଆଡ଼କୁ ଅଗ୍ରସର କରାଇନେବା, ଆଧ୍ୟାତ୍ମିକ ତଥା ନୈତିକ ଭିତ୍ତିରେ ବିଶ୍ୱଭ୍ରାତୃତ୍ୱ ସ୍ଥାପନ କରିବା, ସଭ୍ୟତାର ଚରମ ଲକ୍ଷ୍ୟ ହେବା ବିଧେୟ । ନଚେତ ଜାତିଗତ ସଂକୀର୍ଣ୍ଣତା ଓ ତଜ୍ଜନିତ ଦ୍ୱେଷବିଦ୍ୱେଷ ବ୍ୟକ୍ତିଗତ ଜୀବନକୁ କଳୁଷିତ କରି ସକଳ ସଭ୍ୟତାର ମୂଳରେ କୁଠାରଘାତ କରିବ । ଅଣ୍ଟି ଛୁରୀ ତଣ୍ଟି କାଟିଲା ପରି ଆଧୁନିକ ଜଡ଼ ସଭ୍ୟତା ନିଜର ସମସ୍ତ ଆପାତ ଉତ୍କର୍ଷ ସତ୍ତ୍ୱେ ଯନ୍ତ୍ରଦାନବର ଅସମ୍ଭାଳ ହୁଙ୍କାର ତଥା ଉନ୍ମାଦନାରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯିବ ଏବଂ ଧରାପୃଷ୍ଠରୁ ତାହାର ସ୍ରଷ୍ଟା ମାନବର ଅସ୍ତିତ୍ୱ ପର୍ଯ୍ୟନ୍ତ ରହିବା ଅସମ୍ଭବ ହୋଇପଡ଼ିବ ।

Image

 

ବିଶ୍ୱରେ ମାନବର ସ୍ଥାନ

 

ଆଧୁନିକ ଜ୍ୟୋର୍ତିବିଜ୍ଞାନ କହେ, ଏ ବିଶ୍ୱ ଅଗଣିତ ଜ୍ୟୋତିଷ୍କମଣ୍ଡଳୀ ନେଇ ଗଠିତ । ଏହାର ପରିସର ନିର୍ଣ୍ଣୟ କରିବାକୁ ଯାଇ ଏହି ଜ୍ୟୋର୍ତିବିଜ୍ଞାନ ଘୋଷଣା କରିବାକୁ ଯାଇଅଛି, ଆମ୍ଭମାନଙ୍କର ଏ ପ୍ରକାଣ୍ଡ ସୌରଜଗତ୍‌ କୋଟି କୋଟି ନାକ୍ଷତ୍ରିକ ଜଗତ ମଧ୍ୟରୁ ଗୋଟିଏ ଏବଂ ତୁଳନାରେ ଅତି କ୍ଷୁଦ୍ର । ଏହା ମଧ୍ୟରେ ପୁଣି ଆମର ଆବାସ ଭୂମି ଏହି ପୃଥିବୀ-ଗ୍ରହଟି ତଦପେକ୍ଷା ଆହୁରି ଅଧିକ କ୍ଷୁଦ୍ର । ଜଣେ ସୁପ୍ରସିଦ୍ଧ ବୈଜ୍ଞାନିକ ସାର ଜେ. ଜିନ୍‌ସ (Sir Jeans) ଏହି ନାକ୍ଷତ୍ରିକ ଜଗତଗୁଡ଼ିକର ସଂଖ୍ୟା ଓ ପରିମାଣ ସମ୍ବନ୍ଧରେ ଏକ ସ୍ଥୂଳ ଧାରଣା ଦେବାକୁ ଯାଇ କହିଅଛନ୍ତି ଏଗୁଡ଼ିକର ସଂଖ୍ୟା ଏତେ ଅପରିମେୟ ଯେ ଏଗୁଡ଼ିକୁ ପୃଥିବୀସ୍ଥ ସମୁଦ୍ରୋପକୂଳର ବାଲୁକାକଣାମାନଙ୍କ ସହିତ ତୁଳନା କରାଯାଇପାରେ ଏବଂ ଏହି ଦୃଷ୍ଟିରୁ ଦେଖିବାକୁ ଗଲେ, ଆମ ସୂର୍ଯ୍ୟଟି ସେଥିମଧ୍ୟରୁ ଗୋଟିଏ ମାତ୍ର ବାଲୁକାକଣା ସଙ୍ଗେ ସମାନ ବୋଲି କଳ୍ପିତ ହେବ । ପୁଣି ସୂର୍ଯ୍ୟର ତୁଳନାରେ ପୃଥିବୀ ଏତେ କ୍ଷୁଦ୍ର ଯେ ଏହା ଉକ୍ତ ସୂର୍ଯ୍ୟରୂପ ବାଲୁକାକଣାର ଲକ୍ଷ ଲକ୍ଷ ଭାଗରୁ ଭାଗେ ବୋଲି ବିବେଚିତ ହେବ । ଏହି କ୍ଷୁଦ୍ରାଦପି କ୍ଷୁଦ୍ର ପୃଥିବୀପୃଷ୍ଠରେ ବାସ କରେ ମାନବ । ଜ୍ୟୋର୍ତିବିଜ୍ଞାନ ପୁଣି କହେ, ଆମର ଏ ସୌରଜଗତର କେନ୍ଦ୍ର ସୂର୍ଯ୍ୟ କ୍ରମାଗତଭାବରେ ସ୍ୱୀୟ ତେଜ ଓ ଉତ୍ତାପ ହରାଇବାରେ ଲାଗିଛି, ଏପରିକି ଏକ ସମୟରେ ତାହାର ସମସ୍ତ ତେଜ ଓ ଉତ୍ତାପ ଏକାବେଳକେ ଲୋପ ପାଇଯିବ । ପଳରେ ପୃଥିବୀରୁ ଜୀବୋତ୍ପତ୍ତିର ଯାବତୀୟ ଅନୁକୂଳ ଅବସ୍ଥା ଲୋପ ପାଇ ଗ୍ରହଟି ଏକ ଜୀବଶୂନ୍ୟ ମରୁପିଣ୍ଡର ଅବସ୍ଥାରେ ଉପନୀତ ହେବ । ଏଭଳି ଧ୍ୱଂସୋନ୍ମୁଖ ସୌରଜଗତରେ ତେଣୁ ମାନବର ଧ୍ୱଂସ ଅନିବାର୍ଯ୍ୟ । ଏହି ଆବିଷ୍କାରଗୁଡ଼ିକ ଯଦି ସତ୍ୟ ହୁଏ, ତାହାହେଲେ ମାନବର ସ୍ଥାନ ବିଶ୍ୱରେ ଅତି ହେୟ, ଅତି ନଗଣ୍ୟ ବୋଲି ବିବେଚିତ ହେବା ବିଚିତ୍ର ନୁହେଁ ।

 

ଏହା ସଙ୍ଗକୁ ପୁଣି ଜଡ଼ବାଦ କହେ, ସମଗ୍ର ବିଶ୍ୱ ନିର୍ଜୀବ ଜଡ଼ପରମାଣୁମାନଙ୍କର ଆକସ୍ମିକ ସଂଘର୍ଷଜନିତ ସଂଯୋଗ ବିଯୋଗ ଫଳରେ ଉତ୍ପତ୍ତି ଲାଭ କରିଅଛି ଏବଂ ଏହି ଆଦିମ ଜଡ଼ରୁ ହିଁ ଆକସ୍ମିକ ଭାବରେ ଜୀବର ଓ ତେଣୁ ମାନବର ଉତ୍ପତ୍ତି ଘଟିଅଛି । ମାନବର ଶରୀର ଜଡ଼ପରମାଣୁମାନଙ୍କର ସଂଯୋଗର ଫଳ ଓ ମାନବର ବିଶିଷ୍ଟ ଶକ୍ତି ମନ ଓ ଚୈତନ୍ୟ ତାହାର ଜଡ଼ମସ୍ତିଷ୍କରୁ ଉଦ୍ଭତ ଏକ ଆକସ୍ମିକ ବା ଗୌଣ ବ୍ୟାପାର ମାତ୍ର । ଅତି ପ୍ରାଚୀନ କାଳରୁ ଲୋକରେ ପ୍ରଚଳିତ ଆତ୍ମା ସା ଚୈତନ୍ୟ ଶକ୍ତି କେବଳ ଜନବିବର୍ତ୍ତନର ଫଳ । ସୁତରାଂ ‘ଧୂଳିର ଏ ମର କଳେବର’ ଧୂଳିରେ ହିଁ ମିଶିବ ଏବଂ ସେଥି ସଙ୍ଗେ ସଙ୍ଗେ ମାନବର ଆତ୍ମା ବା ଚୈତନ୍ୟ ଓ ତାହାର ଯାବତୀୟ ମାନସିକ କ୍ରିୟା ବା ଶକ୍ତି ଏକାବେଳକେ ବିଲୟପ୍ରାପ୍ତ ହୋଇଯିବ । ତେଣୁ ମାନବ ବିଶ୍ୱର ଜଡ଼ଲୀଳା-ମହାପ୍ରାଙ୍ଗଣରେ ଏକ କ୍ଷଣସ୍ଥାୟୀ ସ୍ଫୁଲିଙ୍ଗ ମାତ୍ର । ଶରୀରର କ୍ରିୟା ପ୍ରତିକ୍ରିୟାଗୁଡ଼ିକୁ ଜଡ଼ବିବର୍ତ୍ତନର ଯାନ୍ତ୍ରିକ ପ୍ରଣାଳୀରେ ବ୍ୟାଖ୍ୟା କରି ଜଡ଼ବାଦ ଆଜି ମାନବର ସମସ୍ତ ଉତ୍କର୍ଷକୁ ଜଡ଼ୋଦ୍‌ଭୂତ ଏକ କ୍ଷଣସ୍ଥାୟୀ ବିକାଶରୂପେ ଦେଖିଅଛି । ଏହି ମତର ଅବଲମ୍ବୀ ହୋଇ ଭାରତର ଚାର୍ବାକ୍‌ ଅତି ପ୍ରାଚୀନ କାଳରୁ ଘୋଷଣା କରିଅଛନ୍ତି, ‘ଆତ୍ମା’ ବୋଲି ମାନବଠାରେ କୌଣସି ଏକ ସ୍ୱତନ୍ତ୍ର ପଦାର୍ଥ ନାହିଁ । ଏହି ଶରୀର ହିଁ ଆତ୍ମା ଏବଂ ଏହା ଧ୍ୱଂସଶୀଳ । ମାଟିର ପିଣ୍ଡ ମାଟିରେ ହିଁ ମିଶିବ । ଯେପରି କେତେଗୁଡ଼ିଏ ଉପାଦାନର ସମ୍ମିଶ୍ରଣରେ ମାଦକଶକ୍ତିର ଉତ୍ପତ୍ତି ଘଟିଥାଏ, ସେହିପରି ମସ୍ତିଷ୍କସ୍ଥ କତିପୟ ଜଡ଼ମୟ ସ୍ନାୟୁକୋଷମାନଙ୍କର ସଂଯୋଗରେ ଲୋକପ୍ରଚଳିତ ଚିତ୍‌ଶକ୍ତିର ସମ୍ଭବ ହୋଇଥାଏ । କିନ୍ତୁ ଏହି ଚିତ୍‌ଶକ୍ତି ବା ଜନସାଧାରଣଙ୍କ ତୁଣ୍ଡରେ ପ୍ରଚଳିତ ‘ଆତ୍ମା’ ସ୍ୱତନ୍ତ୍ର ନୁହେଁ, ଏହା କ୍ଷିତି, ଅପ୍, ତେଜ, ମରୁତ୍‌, ବ୍ୟୋମ–ଏହି ମହାଭୂତ ବା ମୌଳିକ ଉପାଦାନମାନଙ୍କରୁ ଉଦ୍ଭୂତ ଜଡ଼ ଶରୀରର ଏକ ନିରୁଦ୍ଦେଶ ବ୍ୟାପାର କହିଲେ ଅତ୍ୟୁକ୍ତି ହେବନାହିଁ । ତେଣୁ ଜଡ଼ବାଦ ମାନବକୁ ବିଶ୍ୱର କେଉଁ ନିମ୍ନତମ ସ୍ତରରେ ସ୍ଥାନ ଦେଇଅଛି, ତାହା ଯେ କେହି ଅନୁମାନ କରିପାରିବେ ।

 

ଉଲ୍ଲିଖିତ ବୈଜ୍ଞାନିକ ଓ ଦାର୍ଶନିକ ତଥ୍ୟଗୁଡ଼ିକ ଭାବୁକର ମନରେ ଏକ ଚମକପ୍ରଦ ଭାବ ଉଦ୍ରେକ କରେ । ତେଣୁ ସେ ପଚାରି ଉଠେ–ସତେ କଅଣ ମାନବ ବୁଦ୍‌ବୁଦ୍‌ସଦୃଶ ଏ କ୍ଷଣିକ ଆବିର୍ଭାବ ? ତାହାର ସ୍ଥାନ କ’ଣ ବିଶ୍ୱପ୍ରକ୍ରିୟାରେ ଏତେ ହେୟ ଏତେ ନଗଣ୍ୟ, ଏତେ ନିରର୍ଥକ ? ତାହାର ଜୀବନର ଖେଳା କ’ଣ ଜଡ଼ ଜଗତର ଅଣୁପରମାଣୁର ଚଳନରୁ ଉତ୍ପନ୍ନ ଏକ ବିନଶ୍ୱର ତଥା ଲକ୍ଷ୍ୟହୀନ ଆକସ୍ମିକ ବ୍ୟାପାର ମାତ୍ର ? ସେ କ’ଣ କେବଳ ‘‘ମୃତ୍ୟୁସିନ୍ଧୁକରାଳରୁ-ଲହରୀ’କୁ ଭେଟିବାକୁ ଏ ବିଶ୍ୱରେ ଆବିର୍ଭୂତ ହୋଇଅଛି ? ତାହାର କ’ଣ କିଛି ସ୍ୱାତନ୍ତ୍ର୍ୟ ନାହିଁ ? ସେ କ’ଣ ବିଶ୍ୱପ୍ରକ୍ରିୟାର ମହାପ୍ରବାହରେ କୂଟା କାଠି ପରି ଲକ୍ଷହୀନ ଭାବରେ ଗତି କରି ପରିଶେଷରେ ଧ୍ୱଂସମୁଖରେ ପତିତ ହେବ ? ତହାର ଜୀବନ କ’ଣ ଚୈତନ୍ୟହୀନ ଜଡ଼ଜଗତର ଅଳୀକ ପ୍ରତିବିମ୍ବ-? ଏହିପରି ବହୁବିଧ ପ୍ରଶ୍ନ ଭାବୁକର ମନରେ ଜାଗି ଉଠେ । ଏହି ପ୍ରଶ୍ନଗୁଡ଼ିକର ସମାଧାନ ସହଜସାଧ୍ୟ ନୁହେଁ । ଏଥିପାଇଁ ଗଭୀର ଚିନ୍ତା ଓ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଆବଶ୍ୟକ-। ବର୍ତ୍ତମାନ ବିଶ୍ୱରେ ମାନବର ପ୍ରକୃତ ସ୍ଥାନ ନିରୂପଣ କରିବା ଉଦ୍ଦେଶ୍ୟରେ ତାହାର ଜୀବନ ଓ ତାହାର କାର୍ଯ୍ୟକଳାପ ପ୍ରତି ଦୃଷ୍ଟିଦେଇ ଉଲ୍ଲିଖିତ ବୈଜ୍ଞାନିକ ଓ ଦାର୍ଶନିକ ମତ କେତେଦୂର ସମୀଚୀନ ତାହାର ଯଥାସମ୍ଭବ ଆଲୋଚନାରେ ପ୍ରବୃତ୍ତ ହେବୁଁ ।

 

ମାନବଜୀବନ ପ୍ରତି ଲକ୍ଷ୍ୟ କଲେ ଦେଖାଯିବ, ତାହାର ଶକ୍ତି ଅଦ୍ଭୂତ ତଥା ଅପରିମେୟ-। ବିଶ୍ୱର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଓ ତତ୍‌ସମ୍ବନ୍ଧୀୟ ତତ୍ତ୍ୱମାନଙ୍କର ନିରୂପଣ ତାହାର ସ୍ୱାଭାବିକ ପ୍ରବୃତ୍ତି । ଇନ୍ଦ୍ରିୟ-ପ୍ରତ୍ୟକ୍ଷରୁ ଆରମ୍ଭ କରି ଅନୁମାନ, ଧ୍ୟାନ, ଧାରଣା, କଳ୍ପନା, ସଂକଳ୍ପ, ନିର୍ବାଚନ ପ୍ରଭୃତି ମାନସିକ ପ୍ରକ୍ରିୟାଗୁଡ଼ିକର ସାହାଯ୍ୟରେ ସେ ବିଶ୍ୱର ପ୍ରତ୍ୟେକ ବସ୍ତୁ, ବିଶ୍ୱର କାରଣ ଓ ବିଶ୍ୱ ସହିତ ନିଜର ସମ୍ବନ୍ଧ ନିରୂପଣପୂର୍ବକ ତାହାର ପ୍ରକାଣ୍ଡ ଜ୍ଞାନଜଗତ ସୃଷ୍ଟି କରିପାରେ ତାହାର ଉଦ୍ଭାବନୀ ଶକ୍ତି ଏତେ ସୂକ୍ଷ୍ମ ଓ ପ୍ରବଳ ଯେ ସେ ଦୂରବୀକ୍ଷଣ ତଥା ଅଣୁବୀକ୍ଷଣ ଯନ୍ତ୍ରପରି ଯନ୍ତ୍ରମାନ ଉଦ୍ଭାବନ କରି ଲକ୍ଷ ଲକ୍ଷ ଆଲୋକବର୍ଷ (Light years) ରୂପରେ ଅନୁମେୟ ସୁଦୂର ଛାୟାପଥସ୍ଥ ଜ୍ୟୋତିଷ୍କମାନଙ୍କର ତଥା ଦର୍ଶନେନ୍ଦ୍ରିୟର ଅତୀତ ସୂକ୍ଷ୍ମତମ ପଦାର୍ଥମାନଙ୍କ ସମ୍ବନ୍ଧରେ ଚମକପ୍ରଦ ତଥ୍ୟମାନ ପ୍ରତିପାଦନ କରିପାରୁଅଛି । ବିଶ୍ୱର ବିଭିନ୍ନ ବିଭାଗ ସମ୍ବନ୍ଧରେ ବିଜ୍ଞାନମାନ ସୃଷ୍ଟି କରି ସେ ଆଜି ଜଗତବକ୍ଷରେ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଅଛି । ତାହାର କର୍ତ୍ତୃକ ବିଦ୍ୟୁତ୍‌-ଯନ୍ତ୍ରର ଉଦ୍ଭାବନ ଫଳରେ ସେ ଆଜି ସସାଗରାଧରାକୁ ଏକ କ୍ଷୁଦ୍ର ପ୍ରକୋଷ୍ଠବତ୍‌ କରି ପାରିଅଛି ଏବଂ ବୈଜ୍ଞାନିକ ତତ୍ତ୍ୱର ଭିତ୍ତିରେ ପୃଥିବୀପୃଷ୍ଠରୁ ଗଗନମଣ୍ଡଳରେ ବିଦ୍ୟମାନ ସୁଦୂର ଗ୍ରହ-ଉପଗ୍ରହମାନଙ୍କରେ ପଦାର୍ପଣ କରିବାକୁ ସାହସ ବାନ୍ଧୁଅଛି । ଜ୍ୟୋର୍ତିବିଜ୍ଞାନ, ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଉଦ୍‌ଭିଦ-ବିଜ୍ଞାନ, ଜୀବବିଜ୍ଞାନ ପ୍ରଭୃତି ବହୁବିଧ ବିଜ୍ଞାନ ତାହାରି ସୃଷ୍ଟି । ତାହାର ଚିନ୍ତା ଓ କଳ୍ପନା, ତାହାର ମାନସ ପ୍ରତ୍ୟକ୍ଷ ତାହାର ସମଗ୍ର ଜ୍ଞାନସମ୍ଭାରର ମୂଳରେ ବିଦ୍ୟମାନ । ସେ ଦର୍ଶନ ସୃଷ୍ଟିକରି ବିଶ୍ୱର ବିଭିନ୍ନ ବିଭାଗର ଜ୍ଞାନରାଶି ମଧ୍ୟରେ ସମନ୍ୱୟ ସ୍ଥାପନପୂର୍ବକ ତାହାର ମାନବତ୍ୱର ସାର୍ଥକତା ପ୍ରତିଷ୍ଠିତ କରିଅଛି । ତାହାର ଜଳଯାନ, ସ୍ଥଳଯାନ, ବ୍ୟୋମଯାନ, ରକେଟ୍‌, ତାରବାର୍ତ୍ତା, ବେତାରଯନ୍ତ୍ର, ଟେଲିଭିଜନ, କୃତ୍ରିମ ଉପଗ୍ରହ ପ୍ରଭୃତି ଅଦ୍ଭୁତ ଉଦ୍ଭାବନମାନ ଆଜି ତାକୁ ବିଶ୍ୱର ପରିମାପକରୂପେ ପ୍ରତିଷ୍ଠାପିତ କରିଅଛି । ଏହାଛଡ଼ା ଆବାହମାନକାଳରୁ ପ୍ରଚଳିତ ଓ ପ୍ରତିଷ୍ଠିତ ତାହାର ସାହିତ୍ୟ, ଗଣିତ, ଇତିହାସ, ଭୂଗୋଳ ପ୍ରଭୃତି ତାହାର ସ୍ୱଭାବସିଦ୍ଧ ବିଶ୍ୱତଥ୍ୟାନୁସନ୍ଧାନର ଫଳ ଛଡ଼ା ଆଉ କିଛି ନୁହେଁ । ସେ ଆଜି ଧରାପୃଷ୍ଠରେ କବି, ଧର୍ମୋପଦେଷ୍ଟା, ରାଜନୀତିଜ୍ଞ, ସମାଜସଂସ୍କାରକ, ଶିଳ୍ପୀ, ଚିତ୍ରକର ପ୍ରଭୃତି ରୂପରେ ଆସୀନ । ତାହାର ବେଦ, ବାଇବଲ୍‌, କୋରାନ୍‌, ପ୍ରଭୃତି ଧର୍ମଶାସ୍ତ୍ର ଓ ସେମାନଙ୍କ ଭିତ୍ତିରେ ଧର୍ମାନୁଷ୍ଠାନମାନ, ତାହାର ଚିକିତ୍ସାଶାସ୍ତ୍ର, ଅର୍ଥଶାସ୍ତ୍ର, ତର୍କଶାସ୍ତ୍ର, ସାମାଜିକ ତଥା ଜାତିଗତ ନିୟମ ବା ଶୃଙ୍ଖଳା ତାହାର ସୃଷ୍ଟିକାରୀ ଶକ୍ତିର ଅକାଟ୍ୟ ସାକ୍ଷ୍ୟ ପ୍ରଦାନ କରୁଅଛି । କେବଳ ଏତିକି ନୁହେଁ, ବିଶ୍ୱପ୍ରକୃତିକୁ ପ୍ରକାଣ୍ଡ ପୁସ୍ତକରୂପେ ସମକ୍ଷରେ ରଖି ତାହାର ଗତିବିଧି ଏପରି ବିଚକ୍ଷଣତାର ସହିତ ନିରୀକ୍ଷଣ କରୁଅଛି ଯେ ତିମିତିମିଙ୍ଗିଳପୂର୍ଣ୍ଣ ସୁଗଭୀର ମହାସାଗର ଉତ୍ତୁଙ୍ଗତରଙ୍ଗମାଳାର ବିକ୍ଷୋଭ ଓ ଗମ୍ଭୀର ଗର୍ଜନ, ହିସ୍ରଜନ୍ତୁପୂର୍ଣ୍ଣ ଭୀଷଣ ଅରଣ୍ୟାନୀ ତୁଷାରାଚ୍ଛାଦିତ ଅଭ୍ରଂକଷ ଦୁର୍ଗମ ପର୍ବତମାଳା, ବନ୍ୟାବିକ୍ଷୋଭିତ ଭୀତିପ୍ରଦ ସ୍ରୋତସ୍ୱତୀ, ଦିଗନ୍ତବିସ୍ତାରିତ ମରୁପ୍ରାନ୍ତର, ବିଷୁବମଣ୍ଡଳର ପ୍ରଚଣ୍ଡ ଗ୍ରୀଷ୍ମ, ମେରୁମଣ୍ଡଳର ପ୍ରଚଣ୍ଡ ଶୈତ୍ୟ ପ୍ରଭୃତି ବିସ୍ମୟକର ଦୃଶ୍ୟାବଳୀର ସମ୍ମୁଖରେ ‘ଅସ୍ମିତା’ ହରାଇବା ପରିବର୍ତ୍ତରେ ବରଂ ସେମାନଙ୍କୁ ନିଜର ବୁଦ୍ଧିବିଚକ୍ଷଣତା ବଳରେ କରାୟତ୍ତ କରି ପ୍ରକୃତିବିଜୟୀ ରୂପରେ ଜୟବୈଜୟନ୍ତୀ ଉଡ଼ାଉଅଛି । ବିଶ୍ୱପ୍ରକୃତ ସହିତ ମାନବର ଏହି ନିତ୍ୟସଂଘର୍ଷ, ତାହାର ଦୁର୍ଜେୟ ପ୍ରକାଣ୍ଡତା ସଙ୍ଗେ ମାନବର ଏ ମହାସମର ତାକୁ ସମୂହଭାବରେ ଗ୍ରାସ କରି ପାରି ନାହିଁ, ବରଂ ତାହାକୁ କେତେବେଳେ କାପ୍‌ଟେନ୍‌ ସ୍କଟ୍‌, କେତେବେଳେ ହିଲାରି, କେତେବେଳେ ତେନସିଂ ପ୍ରଭୃତି ଚିର ଅମର ବ୍ୟକ୍ତିମାନଙ୍କରେ ପରିଣତ କରିଅଛି, ବିଶ୍ୱର ବକ୍ଷରେ ତାହାର ଗୌରବମୟ ଇତିହାସ ସୃଷ୍ଟି କରିଅଛି ।

 

ଅବଶ୍ୟ କେହି କେହି କହିପାରନ୍ତି, ‘‘ବିଶ୍ୱପ୍ରକୃତିର କରାଳ ପ୍ରକ୍ରିୟାର ପ୍ରଭାବରେ ଅସଂଖ୍ୟ ନରନାରୀ ଅକାଳ ମୃତ୍ୟୁମୁଖରେ ପତିତ ହେଉଅଛନ୍ତି । ଦୁର୍ଭିକ୍ଷ, ଭୂମିକମ୍ପ, ମହାମାରୀ, ବନ୍ୟାବ୍ୟୁତ୍ପାତ, ବଜ୍ରପାତ ପ୍ରଭୃତି ପ୍ରକୃତିର ପ୍ରଳୟଙ୍କରୀ ଧ୍ୱଂସଲୀଳା ଏହାର ପ୍ରତ୍ୟକ୍ଷ ପ୍ରମାଣ । ପୁଣି ମାନବର ତଥାକଥିତ ସୃଷ୍ଟିକରୀ ଶକ୍ତିର କୃତି ଯାବତୀୟ ଉଦ୍ଭାବନ, ତା’ର ସମସ୍ତ ଚେଷ୍ଟା ଓ ସତର୍କତା ସତ୍ତ୍ୱେ, ତା’ର ଧ୍ୱଂସର କାରଣ ହୋଇ ପଡ଼ୁଅଛି । କେତେ ବାଷ୍ପୀୟ ଯାନ ଯାତ୍ରୀସହ ଜଳି ଜଳି ଭସ୍ମରେ ପରିଣତ ହେଉଅଛି, କେତେ ମାରଣାସ୍ତ୍ରର ବିସ୍ଫୋଟନ ମୁହୂର୍ତ୍ତକ ମଧ୍ୟରେ ସହସ୍ରକ୍ରୋଶବ୍ୟାପୀ ଧରାପୃଷ୍ଠକୁ ଜନଶୂନ୍ୟ ମରୁଭୂମିରେ ପରିଣତ କରୁଅଛି । ଏସବୁ ପ୍ରତି ଦୃଷ୍ଟିଦେଲେ କିଏ କହିବ ଯେ ମାନବ ବିଶ୍ୱପ୍ରକୃତିକୁ ଜୟ କରିଅଛି । କେତେ ସତ୍ୟତା, କେତେ ସଂସ୍କୃତି, କେତେ ମହାପୁରୁଷ କାଳରେ କରାଳଗ୍ରାସରେ ଭୂଗର୍ଭସ୍ଥ ହୋଇ ଉତ୍‌ଖାତବସ୍ତୁ (fossils) ରୂପରେ ଦେଖା ଦେଉଅଛନ୍ତି । ସୁତରାଂ ବିଶ୍ୱପ୍ରକୃତି ସହିତ ତାହାର ସଂଗ୍ରାମରେ ମାନବ ବିଜୟ ଲାଭ କରିଅଛି, ଏହା ଭାବିବା ଭ୍ରମ ମାତ୍ର ।’’ ମାତ୍ର ଏହି ମତର ପୃଷ୍ଠପୋଷକମାନଙ୍କୁ ଚିନ୍ତାଶୀଳ ବ୍ୟକ୍ତିମାନେ ଉତ୍ତର ଦେବେ–ଏସବୁ ଉକ୍ତି ବ୍ୟକ୍ତିଗତ ଭାବରେ ସତ୍ୟ ହେଲେହେଁ ମାନବପ୍ରତି ପ୍ରଯୁଜ୍ୟ ନୁହେଁ । ଆମ୍ଭେମାନେ ଯେତେବେଳେ ‘ମାନବ’ ଶବ୍ଦଟି ବ୍ୟବହାର କରୁଁ, ସେତେବେଳେ ବୁଝୁଁ–‘ମାନବ’ ନାମକ ପ୍ରାଣୀଜାତି, ବ୍ୟକ୍ତିଗତ କେତେକ ମାନବ ନୁହେଁ । ବିଶ୍ୱ ପ୍ରକ୍ରିୟାରେ ନାଶର ସ୍ଥାନ ନାହିଁ, ଏକଥା ଆମ୍ଭେମାନେ କହୁ ନାହୁଁ । ସ୍ୱୀକାର କରୁଅଛୁଁ, ବିଶ୍ୱର ଅନ୍ୟାନ୍ୟ ବସ୍ତୁ ଓ ଜୀବମାନଙ୍କପରି ମାନବ ମଧ୍ୟ ଦିନେ ନାଶଯିବ । ମାତ୍ର ଏଥିରୁ କ’ଣ ପ୍ରମାଣିତ ହେଉଛି ଯେ ମାନବର ସ୍ଥାନ ବିଶ୍ୱରେ ଅତି ତୁଚ୍ଛ, ଅତି ସାମାନ୍ୟ, କେବଳ ନିରର୍ଥକ ? ଅନାଦି ଅନନ୍ତକାଳର ବିବର୍ତ୍ତନ ମଧ୍ୟରେ ମାନବର ଅସ୍ତିତ୍ୱ ତଥା ଜୀବନ କ୍ଷଣସ୍ଥାୟୀ ହେଲେହେଁ କାଳମାନଦଣ୍ଡରେ ନିର୍ଣ୍ଣୀତ କ୍ଷଣିକତ୍ୱ ତାହାର ଅଳୀକତ୍ୱ, ହୀନତ୍ୱ ହା ହେୟତ୍ୱ ପ୍ରତିପାଦନ କରୁଅଛି ବୋଲି କହିବା ସମୀଚୀନ ନୁହେଁ । ବ୍ୟକ୍ତିର ନାଶ ଘଟୁଅଛି, ମାତ୍ର ଏହି ବ୍ୟକ୍ତିଗତ ନାଶ ଜାତିର ନାଶ ନୁହେଁ । ଏପରି କି ଧରାପୃଷ୍ଠରେ ଗୋଟିଏ ମାତ୍ର ମାନବ ବଞ୍ଚି ରହିଥିବା ପର୍ଯ୍ୟନ୍ତ ‘ମାନବ’ ନାମକ ପ୍ରାଣୀର ଲୋପ ହୋଇ ନାହିଁ ବୋଲି କହିବାକୁ ହେବ । ଆହୁରି ଅଧିକ କହିବାକୁ ଯାଇ ଯଦି ଆମ୍ଭେମାନେ କହୁଁ, ମାନବର ଧ୍ୱଂସ ଅନିବାର୍ଯ୍ୟ ଏବଂ ଆଧୁନିକ ଜ୍ୟୋର୍ତିବିଜ୍ଞାନ ଘୋଷଣା କରିଅଛି ଯେ ସୌରଜଗତର କେନ୍ଦ୍ର ସୂର୍ଯ୍ୟର ଧ୍ୱଂସ ଯେତେ ଦୀର୍ଘକାଳ ପରେ ହେଲେହେଁ ଅବଶ୍ୟମ୍ଭାବୀ ତଥାପି ଏହାଦ୍ୱାରା ମାନବର ଅବାସ୍ତବତା ବା ହେୟତା ପ୍ରତିପାଦିତ ହେବାକୁ ଯାଉ ନାହିଁ । କାରଣ, ମାନବର ଅସ୍ତିତ୍ୱ ଯେତେ କ୍ଷଣସ୍ଥାୟୀ ହେଉନା କାହିଁକି, ବିଶ୍ୱରେ ତାହାର ସ୍ଥାନର ନୀଚତ୍ୱ ତଥା ନିରର୍ଥକତ୍ୱ ପ୍ରତିପାଦନ କରିବା ତାହାର ଉଲ୍ଲିଖିତ କାର୍ଯ୍ୟକଳାପର ଦୃଷ୍ଟିରେ ଅଯୌକ୍ତିକ ହେବ । ପ୍ରତ୍ୟେକ ପଦାର୍ଥର ମୂଲ୍ୟ ବା ଉପାଦେୟତା ତାହାର କାର୍ଯ୍ୟରୁ ଜଣାପଡ଼େ । ମାନବ ବିଶ୍ୱଜଗତରେ ଯେଉଁ ଯେଉଁ ଅଦ୍ଭୁତ କାର୍ଯ୍ୟମାନ ସମ୍ପାଦନ କରିଅଛି, କହୁଅଛି, ତାହା ଅନୁଧ୍ୟାନ କଲେ ଆମ୍ଭେମାନେ ସ୍ୱୀକାର କରିବାକୁ ବାଧ୍ୟ ହେବୁଁ ଯେ ମାନବ ନିଜର ସାଧନାବଳରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌, କାଳର ଏହି ବିଭାଗତ୍ରୟ ଅତିକ୍ରମ କରି ଅନନ୍ତକାଳର କଳ୍ପନା କରିପାରେ । ତାହାର ଚିରସହଚରୀ କଳ୍ପନା ତାହାକୁ ପ୍ରତ୍ୟକ୍ଷ ରାଜ୍ୟରୁ ପରୋକ୍ଷ ରାଜ୍ୟକୁ, ଇନ୍ଦ୍ରିୟଲଭ୍ୟ ରାଜ୍ୟରୁ ଅତୀନ୍ଦ୍ରିୟ ରାଜ୍ୟକୁ ନେଇଯାଇପାରେ ଏବଂ ତାହାକୁ ତ୍ରିକାଳଜ୍ଞ କରି ଭବିଷ୍ୟତ୍‌ଦ୍ରଷ୍ଟାରୂପରେ ପ୍ରତିଷ୍ଠିତ କରିପାରେ । ସେ ସସୀମ ହେଲେହେଁ ଅସୀମର ସନ୍ଧାନ ପାଇ ଗାନ କରିପାରେ–

 

‘ତମସୋ ମା ଜ୍ୟୋତିର୍ଗମୟ

ଅସତୋ ମା ସଦ୍ଦ୍‍ଗମୟ

ମୃତ୍ୟୋର୍ମାଽମୁତଂଗମୟ ।’

 

ସେ ତମଃ ଓ ଜ୍ୟୋତି, ଅସତ୍‌ ଓ ସତ୍‌, ମୃତ୍ୟୁ ଓ ଅମୃତତ୍ୱ ମଧ୍ୟରେ ପାର୍ଥକ୍ୟ ଉପଲବ୍‌ଧି କରିପାରେ । ସେ ଶରୀର ନୁହେଁ, ଶରୀରୀ, ସେ ସସୀମ ହୋଇ ମଧ୍ୟ ଅସୀମ, ଏକ ଅମର ଆତ୍ମା ପୁଣ୍ୟଜ୍ୟୋତିରେ ତାହାର ଅନ୍ତରରେ ବିଦ୍ୟମାନ ରହି ବିବେକ ରୂପରେ ତାହାର କର୍ମପନ୍ଥା ନିର୍ଦ୍ଦେଶ କରୁଅଛି, ବିଶ୍ୱ ସହିତ ତାହାର ସମ୍ବନ୍ଧ ପ୍ରଦର୍ଶନ କରୁଅଛି ଏବଂ ତାହାକୁ ଅମୃତର ସନ୍ତାନରୂପରେ ବିଶ୍ୱବକ୍ଷରେ ରୂପାୟିତ କରୁଅଛି । ସେ ମରଣଶୀଳ ହେଲେହେଁ ତାହାର ବାଲ୍ୟ, ଯୌବନ ଓ ଜରାର ମଧ୍ୟଦେଇ ଶେଷରେ କଳେବରଟି ତ୍ୟାଗ କଲେହେଁ, ତାହାର ସାଧନାବଳରେ ମହନୀୟ କର୍ମମାନ ସମ୍ପାଦନ କରି, ବିଶ୍ୱବାସୀଙ୍କ ମନରେ ଜୀବିତ ରହି ଅମରତ୍ୱ ଲାଭ କରେ । ପୁଣି ଶାସ୍ତ୍ର କହେ, ତାହାର ଶରୀର ଧ୍ୱଂସଶୀଳ ହେଲେହେଁ ତାହାର ଆତ୍ମା ଅମର-ଜ୍ୟୋତିରେ ଗତିଶୀଳ । ତାହାର ଆଦର୍ଶ ଅଛି, ପୁରୁଷାର୍ଥ ଅଛି ଏବଂ ଏହି ଆଦର୍ଶ ଓ ଏହି ପୁରୁଷାର୍ଥର ମଧ୍ୟଦେଇ ପୂର୍ଣ୍ଣତା ଆଡ଼କୁ ଗତି କରିବାକୁ ତାହାଠାରେ ଶକ୍ତି ନିହିତ ରହିଅଛି । ଅବଶ୍ୟ ଏହି ପୂର୍ଣ୍ଣତା ସେ ଉପଲବ୍‌ଧି ନକରି ପାରିଥାଏ ମାତ୍ର ଏହାକୁ ପରମ ପୁରୁଷାର୍ଥ ମନେକରି ସେ ସର୍ବଦା ସାଧନାନୁକ୍ରମରେ ନିଜକୁ ସେହି ପୂର୍ଣ୍ଣତାର ନିକଟତର କରୁଅଛି । ବିଶ୍ୱକୁ ସ୍ୱୀୟ ପ୍ରଜ୍ଞାରୂପକ ମାପକାଠିରେ ମାପି ତହିଁରେ ସତ୍ୟ-ଶିବ-ସୁନ୍ଦରର ଅବସ୍ଥାନ ଉପଲବ୍‌ଧି କରିପାରୁଅଛି, ଏହି ମାନବ । ଆତ୍ମଚିନ୍ତନ ଓ ଆତ୍ମବିଶ୍ଳେଷଣ ବଳରେ ସେ ବିଶ୍ୱରେ ଅନନ୍ତ ଭୂମାଙ୍କର ଆତ୍ମପ୍ରକାଶ ହୃଦୟଙ୍ଗମ କରି ତାଙ୍କ ସମକ୍ଷରେ ନତମସ୍ତକ ହୋଇଅଛି ଓ ତାଙ୍କର ମହିମାଦର୍ଶନରେ ବିସ୍ମୟସ୍ତବ୍‌ଧ ଓ ଭୟାବସନ୍ନ ହୋଇ ଗାଇଅଛି–‘ଆକୁଳେ ଲୋଡ଼ଇ ଆଶ୍ରା ତୋ ଅନନ୍ତ କ୍ରୋଡ଼େ । ମାତ୍ର ଏଥିରୁ ବିଶ୍ୱରେ ତାହାର ସ୍ଥାନର ହେୟତ୍ୱ ବା ନିରର୍ଥକତ୍ୱ ପ୍ରତିପାଦିତ ହେଉ ନାହିଁ ଯେ, ବରଂ ତାହାର ମହତ୍ୱର ପ୍ରକୃଷ୍ଟ ପରିଚୟ ମିଳୁଅଛି । ସେ ବୁଝିଛି, ସସୀମର ସୃଷ୍ଟି ଅସୀମର ଉପଲବ୍‌ଧି ଓ ପ୍ରତିଷ୍ଠା ନିମିତ୍ତ, ଅପୂର୍ଣ୍ଣତାର ସୃଷ୍ଟି ପୂର୍ଣ୍ଣତା ପ୍ରାପ୍ତି ଲାଗି ଉଦ୍ଦିଷ୍ଟ ଏକ ସାଧନାକ୍ଷେତ୍ର । ସେଥିପାଇଁ ସିନା କବିପ୍ରାଣରୁ ବାହାରିପଡ଼ିଛି ‘ତୋର ମଙ୍ଗଳ ବିଧାନ, କରିଅଛି ମରଣକୁ ଅମୃତ ସୋପାନ । ଆତ୍ମଶକ୍ତିର ଉଦ୍‌ବୋଧନ ନିମିତ୍ତ ସେ ସୃଷ୍ଟି କରିଅଛି ସ୍ତୁତି; ସତ୍ୟାନୁସନ୍ଧାନର ଚରିତାର୍ଥତା ନିମିତ୍ତ ‘ସତ୍ୟ’କୁ ବିଶ୍ୱରେ ମଙ୍ଗଳର ଉପଲବ୍‌ଧି ନିମିତ୍ତ ‘ଶିବ’କୁ ଓ ସୌନ୍ଦର୍ଯ୍ୟପିପାସାର ପରିତୋଷ ନିମିତ୍ତ ‘ସୁନ୍ଦର’କୁ ଜୀବନର ଆଦର୍ଶରୂପେ ଧରିଅଛି । ଏହି ଯେଉଁ ଅମରଶକ୍ତି ତାହାଠାରେ ବିଦ୍ୟମାନ ରହି ତାହାର ସଭ୍ୟତା ଓ ସଂସ୍କୃତି ଗଢ଼ିପାରିଛି, ତାହା ଅନୁଧ୍ୟାନ କରି କାହାର ସାହସ ହେବ କହିବାକୁ ଯେ ଏ ବିଶ୍ୱରେ ମାନବ କିଛି ନୁହେଁ ?

 

ଆହୁରି ଅନୁଧ୍ୟାନ କଲେ ବିଶ୍ୱରେ ମାନବର ସ୍ଥାନର ମହତ୍ତ୍ୱ ଅଧିକତର ଅନୁଭୂତ ହେବ-। ଏହି ପ୍ରବନ୍ଧର ମୂଳରେ ମାନବର କ୍ଷୁଦ୍ରତ୍ୱ ବା ହେୟତ୍ୱର ପ୍ରତିପାଦନ ନିମିତ୍ତ ଯେଉଁ ବୈଜ୍ଞାନିକ ଓ ଦାର୍ଶନିକ ଯୁକ୍ତିମାନ ଉପସ୍ଥାପିତ କରାଯାଇଅଛି ଏବଂ ଯେଉଁଗୁଡ଼ିକର ଆଲୋଚନାରେ ଆମ୍ଭେମାନେ ଏ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁଁ, ସେଗୁଡ଼ିକ ହିଁ ମାନବଜୀବନର ସତ୍ୟତ୍ୱ ଓ ବିଶ୍ୱରେ ତାହାର ସ୍ଥାନର ସାର୍ଥକତା ସମର୍ଥନ କରୁଅଛନ୍ତି । କାରଣ ଉକ୍ତ ମତଗୁଡ଼ିକର ସମର୍ଥକମାନେ ଯେଉଁ ତତ୍ତ୍ୱମାନଙ୍କର ସାହାଯ୍ୟରେ ବିଶ୍ୱରେ ମାନବର ସ୍ଥାନର ହେୟତ୍ୱ ପ୍ରଦର୍ଶନ କରିବାକୁ ଯାଇଅଛନ୍ତି, ସେଗୁଡ଼ିକ ସେମାନଙ୍କ ପରି ମାନବର ମସ୍ତିଷ୍କରୁ ହିଁ ଜାତ । ମାନବ ଯଦି ବିଶ୍ୱରେ ଅତି ନଗଣ୍ୟ, ତାହାହେଲେ ତାହାର ଏହି ନଗଣ୍ୟ ବା ଅନାମଧେୟ ମସ୍ତିଷ୍କରୁ ବିଶ୍ୱସମ୍ବନ୍ଧୀୟ ଅନୁଚିନ୍ତନ ଓ ମାନବର ହେୟତ୍ୱ ପ୍ରତିପାଦକ ତତ୍ତ୍ୱନିରୂପଣ ସମ୍ଭବପର ହେବ କିପରି-? ଅନ୍ତତଃ ‘ମାନବ ବିଶ୍ୱରେ କିଛି ନୁହେଁ’, ଏହିତକ ସିଦ୍ଧାନ୍ତ କରିବାପାଇଁ ଯେଉଁ ମାନବମସ୍ତିଷ୍କ ଆବଶ୍ୟକ, ତାହାର ଶକ୍ତିର ମହତ୍ତ୍ୱ ବା ସାର୍ଥକତା ସ୍ୱୀକାର କରିବାକୁ ହେବ-। ସୁତରାଂ ମାନବଜୀବନର ଅଳିକତ୍ୱ ପ୍ରତିପାଦନ କରିବା ନିମିତ୍ତ ବିଶ୍ୱରେ ମାନବର ସାର୍ଥକ ସତ୍ତା ମାନିବାକୁ ହେବ । ସେଥିପାଇଁ ଯେଉଁ ବିଜ୍ଞାନ ବା ଦର୍ଶନର ବଳରେ ତାହାର ସ୍ଥାନର ନିରର୍ଥକତ୍ୱ ଘୋଷିତ ହେଉଅଛି, ସେହି ବିଜ୍ଞାନ, ସେହି ଦର୍ଶନ ଏହି ମାନବଦ୍ୱାରା ହିଁ ସମ୍ଭବପର ହୋଇଅଛି । ଆସ୍ତିକତା ହେଉ ବା ନାସ୍ତିକତା ହେଉ, ଜଡ଼ବାଦ ହେଉ ବା ଆଧ୍ୟାତ୍ମବାଦ ହେଉ, ପ୍ରତ୍ୟେକଟି ମାନବର ସୃଷ୍ଟି–ତେଣୁ ବିଶ୍ୱସମ୍ବନ୍ଧୀୟ ବ୍ୟାଖା, ଜ୍ଞାନବିଜ୍ଞାନ, ସମସ୍ତର ସ୍ରଷ୍ଟା ମାନବ । ଯେଉଁ ଜ୍ଞାନବିଜ୍ଞାନରେ ଗର୍ବିତ ହୋଇ ମାନବ ଆଜି ନିଜକୁ ସୁଖୀ କରିବା ନିମିତ୍ତ ନିରବଚ୍ଛିନ୍ନ ପ୍ରଚେଷ୍ଟା ଚଳାଇଅଛି, ଯଦି ସେଗୁଡ଼ିକର ଜନ୍ମଦାତା ମାନବର ସ୍ଥାନ ବିଶ୍ୱରେ ଅତି ନଗଣ୍ୟ ବା ନିରର୍ଥକ, ତାହାହେଲେ ସମସ୍ତ ମାନବସଭ୍ୟତା, ସମସ୍ତ ଜ୍ଞାନବିଜ୍ଞାନ, ସମସ୍ତ ଆବିଷ୍କାର ଓ ଉଦ୍ଭାବନ ଅର୍ଥହୀନ ବିବେଚିତ ହେବ–ଏକ ଅଳୀକ ହେୟ ମସ୍ତିଷ୍କରୁ ଜାତ କେତେଗୁଡ଼ିଏ ଅସତ୍ୟ ବ୍ୟାପାର ମାତ୍ର ହୋଇପଡ଼ିବ-। ସୁତରାଂ ଯେଉଁମାନେ ବିଶ୍ୱରେ ମାନବର ସ୍ଥାନକୁ ଉଡ଼ାଇଦେବାକୁ ବସନ୍ତି, ସେମାନେ ଯେଉଁ ଜ୍ଞାନବିଜ୍ଞାନର ଭିତ୍ତିରେ ଏହା କରନ୍ତି, ତାହାର ମୂଳରେ କୁଠାରାଘାତ କରନ୍ତି । ବିଶ୍ୱରେ ଯଦି ମାନବର ସ୍ଥାନ ଏତେ ହେୟ, ତାହାହେଲେ ସେମାନେ ନିଜେ ନିଜେ ମାନବ ହୋଇଥିବାରୁ ହେୟ, ତେଣୁ ସେମାନଙ୍କର ଜ୍ଞାନବିଜ୍ଞାନ ବି ହେୟ । ସୁତରାଂ ମାନବର ଗର୍ବ କରିବାର କିଛି ନାହିଁ । ତାହାର ଜୀବନ ବ୍ୟର୍ଥ, ତାହାର ସଭ୍ୟତା ଓ ସଂସ୍କୃତି ମିଥ୍ୟା ଏବଂ ତାହାର ଯାବତୀୟ ଜ୍ଞାନବିଜ୍ଞାନ ଅମୂଳକ । ଏହା କିନ୍ତୁ ଆଧୁନିକ ଚିନ୍ତାଶୀଳ ମାନବ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ, ବରଂ ତାହାର ନବ ନବ ଉଦ୍ଭାବନ ତଥା ଆବିଷ୍କାରକୁ ନେଇ ସେ ନିଜର ଟେକ ବଢ଼ାଉଅଛି । ଯେଉଁ ଜାତି ଜ୍ଞାନଗରିମାରେ ଯେତେ ବଡ଼, ସେ ଧରାପୃଷ୍ଠରେ ସେତେ ଉଚ୍ଚ । ସୁତରାଂ ବିଶ୍ୱରେ ମାନବର ଅସ୍ତିତ୍ୱର ମୂଲ୍ୟ ସ୍ୱୀକାର ନ କରି ରହି ହେବ ନାହିଁ । ସେ ପୂର୍ଣ୍ଣପୁରୁଷ ବା ପୁରୁଷୋତ୍ତମ ନ ହେଲେହେଁ, ତାହାଠାରେ ସେହି ପୂର୍ଣ୍ଣପୁରୁଷତ୍ୱ ବା ପୁରୁଷୋତ୍ତମତ୍ୱ ଅବ୍ୟକ୍ତ ଭାବରେ ନିହିତ ରହିଅଛି । ଦେଶକାଳପାତ୍ରବଚ୍ଛିନ୍ନ ଅବସ୍ଥାରେ ରହିଥିଲେହେଁ ସାଧନାବଳରେ ସମସ୍ତ ବାଧାବିଘ୍ନ ଅତିକ୍ରମ କରି ସେ ଅମୃତତ୍ତ୍ୱ ଲାଭ କରିପାରେ । ବାସ୍ତବିକ୍‌, ମାନବର ଜୀବନ କି ଅଦ୍ଭୂତ, କି ମହାନ୍‌ ! ଏହା ଉପଲବ୍‌ଧି କରିପାରିଲେ ଯେ କୌଣସି ବ୍ୟକ୍ତି କବିଙ୍କ ସହ ଗାଇଉଠିବେ–‘ଅହୋ ମାନବଜୀବନ, କି ଅଦ୍ଭୂତ ଉଦ୍ଭାବନ-! ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ, ପଙ୍କଜ ଶୋଭଇ ଯଥା ପଙ୍କମୟ ସରେ ।’’

Image

 

ରାଜନୀତିକ୍ଷେତ୍ରରେ ନୈତିକତାର ସ୍ଥାନ

 

ପ୍ରସିଦ୍ଧ ଗ୍ରୀସୀୟ ପଣ୍ଡିତ ଆରିଷ୍ଟଟଲ କହିଅଛନ୍ତି–ମାନବ ଏକ ରାଜନୀତିକ ଜୀବ (Man is a political animal) । ବାସ୍ତବିକ, ମାନବସମାଜ ପ୍ରତି ଦୃଷ୍ଟି ପକାଇଲେ ଉକ୍ତିଟିର ଯଥାର୍ଥ୍ୟ ସ୍ପଷ୍ଟ ପ୍ରମାଣିତ ହୁଏ । ପ୍ରାଗୈତିହାସିକ ଯୁଗରୁ ଆରମ୍ଭ କରି ଇଦାନୀନ୍ତନ ସମୃଦ୍ଧ ତଥା ସଭ୍ୟତାସଂସ୍କୃତିସମ୍ପନ୍ନ ଯୁଗ ପର୍ଯ୍ୟନ୍ତ ମାନବ ତାହାର ବିକାଶକ୍ରମରେ ରାଜନୀତିକୁ ଏକ ପ୍ରଧାନ ଅବଲମ୍ବନ ରୂପେ ଧରି ଆସିଥିବାର ଅନୁମିତ ହୁଏ । ଏପରି ଶ୍ରେଣୀ ସମ୍ପ୍ରଦାୟ, ଗୋଷ୍ଠୀ ବା ଜାତି ନାହିଁ, ଯେଉଁଠାରେ କୌଣସି ନା କୌଣସି ଧରଣର ଶାସନ-ସଂସ୍ଥା ଦେଖିବାକୁ ମିଳେ ନାହିଁ । ପ୍ରାୟ ପ୍ରତ୍ୟେକ ପ୍ରାଚୀନତମ ଅରଣ୍ୟବାସୀ ମାନବଶ୍ରେଣୀ ମଧ୍ୟରେ ବ୍ୟକ୍ତିଗତ ସ୍ୱେଚ୍ଛାଚାରିତାକୁ ବଶୀଭୂତ ଓ ସୀମିତ କରି ରଖିବା ପାଇଁ ଅନ୍ତତଃ ଜଣେ ଜଣେ ବ୍ୟକ୍ତି ନେତୃରୂପରେ କାର୍ଯ୍ୟ କରି ଆସିଅଛନ୍ତି । ଶ୍ରେଣୀ ବା ଦଳର ପ୍ରତ୍ୟେକ ବ୍ୟକ୍ତି ତାହାଙ୍କୁ ହିଁ ଦଳପତି ରୂପେ ମାନି ଚଳିଥାନ୍ତି । ତାଙ୍କର ବାଣୀ ବା ଆଦେଶ ସେମାନଙ୍କ ପ୍ରତି ବିଧାନ ବା ଆଇନ ସ୍ୱରୂପ କାର୍ଯ୍ୟ କରିଥାଏ । ଆଧୁନିକ ଯୁଗରେ ସେହି ଆଦିମ ମାନବଜାତିର ଯେଉଁ ସବୁ ଅବଶେଷ କୋହ୍ଲ, କନ୍ଧ, ଗଣ୍ଡ, ଜୁଆଙ୍ଗ, ବଣ୍ଡା, ମୁଣ୍ଡାରି, ହଟେଣ୍ଟସ୍‌, ଏସ୍କିମୋ ପ୍ରଭୃତି ଗୋଷ୍ଠୀ ବା ଉପଜାତି ରୂପରେ ବିଦ୍ୟମାନ ଥିବାର ଦେଖାଯାଉଛି, ସେମାନଙ୍କ ମଧ୍ୟରେ ବିଂଶ ଶତାବ୍ଦୀ ଦୃଷ୍ଟିରୁ ସଭ୍ୟତା ଓ ତତ୍‌ସଂପୃକ୍ତ ଶାସନନୀତି ବା ବିଧିବିଧାନ ପରିଦୃଷ୍ଟ ନ ହେଲେହେଁ କୌଣସି ଏକ ଦଳଗତ ନିୟମବଦ୍ଧତା ଦେଖିବାକୁ ମିଳିପାରିବ । ସେମାନେ ନିଜ ନିଜ ଗୋଷ୍ଠୀ ବା ଦଳର ନେତାଙ୍କ ନିର୍ଦ୍ଦେଶମତେ ସେମାନଙ୍କ କାର୍ଯ୍ୟକଳାପରେ ଶୃଙ୍ଖଳିତ ରହିଥାନ୍ତି । ସେମାନଙ୍କର ଜାତିଆଣ ସଭା ସେମାନଙ୍କୁ ଏକଶାସନାଧୀନ ରଖି ବ୍ୟାବହାରିକ କ୍ଷେତ୍ରରେ ସେମାନଙ୍କ ଯାବତୀୟ ଗତିବିଧି ନିୟନ୍ତ୍ରିତ କରିଥାଏ । ଏହି ସବୁରୁ ସ୍ପଷ୍ଟ ଅନୁମିତ ହେବ, ମାନବ ଆଦିମ ଅବସ୍ଥାରୁ ପ୍ରକୃତିର ସହିତ ଘନିଷ୍ଟ ଭାବରେ ସଂପୃକ୍ତ ରହି ତାହାର ପ୍ରଭାବରେ ଯେତେ ଚାଳିତ ହେଲେହେଁ ନିଜର କର୍ମପରମ୍ପରା ସମଗ୍ର ଦଳ ବା ଗୋଷ୍ଠୀର ସୁବିଧା-ଅସୁବିଧା ପ୍ରତି ଦୃଷ୍ଟି ରଖି ନିୟମିତ ହୋଇଥାଏ । ଶାସନ ଶୃଙ୍ଖଳାର ବଶବର୍ତ୍ତୀ ହୋଇ ସମବେତ ଭାବରେ ପରସ୍ପରର ସୁଖସ୍ୱାଚ୍ଛନ୍ଦ୍ୟ ଆନୟନ କରିବା ଏହି ଶାସନ ବା ନିୟମର ଉଦ୍ଦେଶ୍ୟ ଏବଂ ଏହାହିଁ ଯେପରି କି ସେମାନଙ୍କର ଅନ୍ତର୍ନିହିତ ଏକ ପ୍ରବୃତ୍ତି–ଏକ ସହଜାତ ବୃତ୍ତି । ଏଇଥିପାଇଁ ସିନା ଆରିଷ୍ଟଟଲଙ୍କର ଉଲ୍ଲିଖିତ ଉକ୍ତିଟି ପାଠକର ପ୍ରାଣକୁ ସ୍ପର୍ଶ କରିଥାଏ । ପ୍ରତ୍ୟେକ ଗୋଷ୍ଠୀର ଅଗ୍ରଣୀ ବା ନେତାଙ୍କ ଉପରେ ନିୟମପ୍ରଣୟନ ବା ଶାସନପ୍ରଣାଳୀ ନ୍ୟସ୍ତ ରହିଥାଏ । ମାନବର ସ୍ୱଭାବସିଦ୍ଧ ଆସଙ୍ଗଲିପ୍‌ସା ତାହାକୁ ଦଳଭୁକ୍ତ କରି ଗୋଟିଏ ଗୋଟିଏ ଗୋଷ୍ଠୀ ବା ଉପଗୋଷ୍ଠୀର ଅଙ୍ଗୀଭୂତ କରି ରଖିଅଛି । କୌଣସିକାଳେ ମାନବ କୌଣସି ଏକ ଗୋଷ୍ଠୀ ବା ଦଳର ଅନ୍ତର୍ଭୁକ୍ତ ନ ହୋଇ ଜୀବନଧାରଣ କରିବାର ଦେଖାଯାଏ ନାହିଁ । ଅବଶ୍ୟ, କେବେ କେବେ ବ୍ୟକ୍ତିଗତ ସ୍ୱେଚ୍ଛାଚାର ବା ଯାଦୃଚ୍ଛିକତା ପ୍ରାଧାନ୍ୟ ଲାଭ କରି ‘ମାନବ ମାନବର ଭକ୍ଷକ’ (Man is a wolf to man), ଏହି ଧାରଣା ଆମ୍ଭମାନଙ୍କ ମନରେ ଜନ୍ମାଇ ଦେଇଥାଏ । ମାତ୍ର ପ୍ରକୃତିର ବିଚିତ୍ର ନିୟମ ତାହାକୁ ଉକ୍ତ ଅବସ୍ଥାରେ ବହୁକାଳ ଧରି ରଖିପାରେ ନାହିଁ । ତେଣୁ ଆଦିମ ପ୍ରାକୃତିକ ଅବସ୍ଥାରୁ ହିଁ ମାନବ ବ୍ୟକ୍ତିଗତ ଉଚ୍ଛୃଙ୍ଖଳତାକୁ ଦମନ କରି ସମାଜ ବା ଗୋଷ୍ଠୀ, ଶ୍ରେଣୀ ବା ଜାତି ସୃଷ୍ଟି କରି ଆସିଅଛି । ଏହି ଆଦିମ ଅବସ୍ଥାରୁ ହିଁ ମାନବ ଉପଲବ୍‌ଧି କରିପାରିଛି, ପରସ୍ପରର ସୁଖସ୍ୱାଚ୍ଛନ୍ଦ୍ୟ, ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ନ ଦେଇ ଜୀବନରେ ଗତି କଲେ ସମାଜ, ଜାତି ବା ଗୋଷ୍ଠୀ, କୌଣସିଟିର ସତ୍ତା ରହିବ ନାହିଁ ଓ ଫଳରେ ଜୀବନ ନାଶ ଆଡ଼କୁ ଗତି କରିବ । ସେଥିପାଇଁ ନେତା ବା ଦଳପତିର ଆବଶ୍ୟକତା ।

 

ଏହି ନେତା ବା ଦଳପତି କାଳକ୍ରମେ ବହୁତ ଶକ୍ତିଶାଳୀ ହୋଇଉଠି ‘ରାଜା’ ନାମରେ ପରିଚିତ ବା ପରିଗଣିତ ହେବାକୁ ଲାଗିଲେ ଏବଂ ତାଙ୍କରି ନେତୃତ୍ୱ ଓ କର୍ତ୍ତୃତ୍ୱରେ ସମାଜ, ଜାତି ବା ଗୋଷ୍ଠୀର ଅନ୍ତର୍ଗତ ବ୍ୟକ୍ତିମାନେ ଚାଳିତ ବା ଶାସିତ ହୋଇଥାନ୍ତି । ଏହିପରି ସେ ସମୟରେ ରାଜଶକ୍ତିର ଉଦ୍ଭବ ଏକ ବିଚତ୍ର ଘଟନା, କହିଲେ ଅତ୍ୟୁକ୍ତି ହେବ ନାହିଁ । ସେତେବେଳେ ରାଜନୀତି ଧର୍ମ ବିଶ୍ୱାସ ସହିତ ଜଡ଼ିତ ହୋଇ ରହିଥିବାରୁ କାଳକ୍ରମେ ମନୀଷୀମାନେ ରାଜାଙ୍କୁ ଦେବାନୁଭାବସମ୍ପନ୍ନ ବା ଦେବପ୍ରେରିତ ବୋଲି କହିବାକୁ ଯାଇଅଛନ୍ତି । ଉଦାହରଣ ସ୍ୱରୂପ, ପ୍ରାଚୀନ ଭାରତରେ ମହର୍ଷି ମନୁ ତାଙ୍କର ସୁବିଶ୍ରୁତ ସଂହିତାରେ କହିଅଛନ୍ତି–‘ମହତୀ ଦେବତା ହ୍ୟେଷା ନରରୂପେଣ ତିଷ୍ଠତି’–ରାଜା ମହତୀ ଦେବଶକ୍ତିର ଅବତାର–ସ୍ୱୟଂ ଦେବତା ନରରୂପ ଧାରଣ କରି ରାଜାଙ୍କଠାରେ ଅବତୀର୍ଣ୍ଣ ହୋଇଅଛନ୍ତି । ଏହି ଦେବାବତାର ରାଜା ରାଷ୍ଟ୍ରର ନିୟନ୍ତା, ଜାତି, ଗୋଷ୍ଠୀ ବା ସମାଜର ଶାସକ ତଥା ରକ୍ଷକ । ରାଜା ହିଁ ଜନତାର ପୂଜ୍ୟ ବା ସମ୍ମାନସ୍ପଦ । ତାଙ୍କ କର୍ତ୍ତୃକ ଅନୁମୋଦିତ ବିଧିବିଧାନ ବା ଶାସନପଦ୍ଧତି ଦେଶକୁ ସମୃଦ୍ଧିଶାଳୀ କରିବା ସଙ୍ଗେ ସଙ୍ଗେ ତାହାର ସଂରକ୍ଷଣ ନିମିତ୍ତ ବହିଃଶତ୍ରୁର ଆକ୍ରମଣ ପ୍ରତିହତ କରିବାର ଉପାୟ ସ୍ୱରୂପ ଦେଶରେ ଯୋଦ୍ଧୃଶକ୍ତିର ପ୍ରତିଷ୍ଠା ରାଜାଙ୍କର କର୍ତ୍ତବ୍ୟ । ଏହି ରାଜଧର୍ମର ପୁଙ୍ଖାନୁପୁଙ୍ଖ ପରିଚୟ ଉଲ୍ଲିଖିତ ସଂହିତାରେ ଦେଖିବାକୁ ମିଳେ । ପାଶ୍ଚାତ୍ୟ ଭୂଖଣ୍ଡରେ ମଧ୍ୟ ଏହି ରାଜଶକ୍ତି ଦେବଦତ୍ତ–ଶକ୍ତି–‘‘divine right of kingship” ରୂପେ ପରିଗଣିତ ହୋଇଥିବାର ଦୃଷ୍ଟିଗୋଚର ହୁଏ । ମଧ୍ୟଯୁଗୀୟ ଶାସନପଦ୍ଧତି ଧର୍ମବିଶ୍ୱାସର ଭିତ୍ତିରେ ପ୍ରତିଷ୍ଠିତ ହୋଇଥିଲା । ଦିନ ଥିଲା, ଯେତେବେଳେ ଧର୍ମପୀଠର ଅଧିପତି ପୋପ୍‌ ଧର୍ମଯାଜକ ରୂପେ ପୂଜିତ ହେଉଥିଲେ । ସେତେବେଳେ ଚର୍ଚ୍ଚ୍‌ ବା ଧର୍ମମନ୍ଦିର ପରମ ରାଜଗାଦିରୂପେ ସ୍ୱୀକୃତ ହେଉଥିଲା ଏବଂ ଦେଶବାସୀଙ୍କର ସମସ୍ତ ରାଜଭକ୍ତି ପୋପ୍‌ଙ୍କ ପ୍ରତି ପ୍ରଦର୍ଶିତ ହେଉଥିଲା । ପୋପ୍‌ ହିଁ ସର୍ବଶ୍ରେଷ୍ଠ ଶାସକ ତଥା ପାଳକ ଥିଲେ, କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମୟରେ ସେଥିପାଇଁ ରାଜନୀତି ଧର୍ମନୀତିର ଅଧୀନ ଥିଲା ଏବଂ ଧର୍ମ ନୈତିକତାର ସହିତ ମିଳିତ ରହିଥିବାରୁ ନୈତିକତା ରାଜନୀତିର ମୂଳଭିତ୍ତି ଥିଲା ବୋଲି କୁହାଯାଇପାରେ । ସେ ଯାହା ହେଉ, ରାଜଶକ୍ତି ଯେ ସବୁ ସମୟରେ ଓ ସବୁ ଦେଶରେ ‘ମହତୀ ଦେବତା’ ବୋଲି କଳ୍ପିତ ହୋଇଅଛି, ତାହା ନୁହେଁ । ତଥାପି ଏହା ଯେ ଏକ ମହତ୍ତର ତଥା ଅଲୌକିକ ଶକ୍ତି, ଏହା ସର୍ବତ୍ର ପରିଲକ୍ଷିତ ହୋଇଥାଏ । ଏଥିରେ ମନୁଙ୍କ ମତତୁଲ୍ୟ ମତ ମଧ୍ୟ ନିହିତ ଥିବାର ବିଶ୍ଳେଷଣରୁ ଉପଲବ୍‌ଧ ହେବ । କାହିଁକି ଯେ ଜଣେ ବ୍ୟକ୍ତିଙ୍କୁ ରାଜାରୂପେ ମାନି ଦେଶବାସୀ ତାହାଙ୍କ ଆଦେଶ ତଥା ନିର୍ଦ୍ଦେଶରେ ଗତି କରନ୍ତି ଏବଂ କୌଣସି ବ୍ୟକ୍ତି ରାଜଭକ୍ତ ନ ହେଲେ କାହିଁକି ଯେ ରାଜଦତ୍ତ ଦଣ୍ଡ ସ୍ୱୀକାର କରିବାକୁ ବାଧ୍ୟ ହୁଅନ୍ତି, ଏହାର ଉତ୍ତର ଦେବାକୁ ହେଲେ ଆମ୍ଭମାନଙ୍କୁ କହିବାକୁ ହେବ, ରାଜପୁରୁଷଙ୍କଠାରେ କିଛି ନା କିଛି ଐଶୀଶକ୍ତି ନିହିତ ରହିଅଛି । ରାଜାଙ୍କର ଶରୀରରକ୍ଷୀ ଓ ଦେଶରକ୍ଷୀ ସୈନ୍ୟସାମନ୍ତ ଇଚ୍ଛା କଲେ କ୍ଷଣକ ମଧ୍ୟରେ ତାଙ୍କୁ ଗାଦିଚ୍ୟୁତ କରିପାରନ୍ତି, କେବଳ ସେତିକି ନୁହେଁ, ତାଙ୍କୁ ହତ୍ୟା ମଧ୍ୟ କରିପାରନ୍ତି । ମାତ୍ର ପ୍ରାଚୀନ ଯୁଗର ରାଷ୍ଟ୍ରନୀତି ପ୍ରତି ଦୃଷ୍ଟି ଦେଲେ ଜଣାପଡ଼େ ପ୍ରତ୍ୟେକ ରାଜଶକ୍ତି ଧର୍ମବିଶ୍ୱାସଜନିତ ଏକ ନୈତିକତା ଉପରେ ପ୍ରତିଷ୍ଠିତ ରହିଥିଲା । ରାଜା ଯାହା କହନ୍ତି ବା କରନ୍ତି, ତାହା ସାଧାରଣ ପ୍ରଜାମାନଙ୍କର ଶିରୋଧାର୍ଯ୍ୟ । ଏହାହିଁ ଥିଲା ତଦାନୀନ୍ତନ ବିଶ୍ୱାସ, କିନ୍ତୁ କାଳକ୍ରମେ ମାନବ ସଭ୍ୟତାର ବିଭିନ୍ନ ସ୍ତର ଦେଇ ଉନ୍ନୀତ ହେବା ସଙ୍ଗେ ସଙ୍ଗେ କ୍ରମବିକାଶସୂତ୍ରରେ ରାଜନୀତି ଧର୍ମ ବା ନୈତିକତାଠାରୁ ବିଚ୍ଛିନ୍ନ ହୋଇ ଏକ ସ୍ୱତନ୍ତ୍ର ନୀତିରୂପରେ ପରିଗଣିତ ହେବାକୁ ଯାଇଅଛି–ଏକ ସ୍ୱତନ୍ତ୍ର କ୍ଷେତ୍ର ସୃଷ୍ଟିକରି ନିଜକୁ ପ୍ରତିଷ୍ଠିତ କରିବାକୁ ଯାଇଅଛି । ତେଣୁ ବର୍ତ୍ତମାନ ଯୁଗରେ ପଣ୍ଡିତମାନେ ରାଜନୀତି ଓ ନୈତିକତା, ଉଭୟର ସମ୍ବନ୍ଧ ନେଇ ବିଭିନ୍ନ ମତ ପ୍ରଚାର କରିଅଛନ୍ତି । ବର୍ତ୍ତମାନ ଏହି ମତନୈକ୍ୟ ପ୍ରତି ଦୃଷ୍ଟି ଦେବାକୁ ଯାଉଅଛୁ ।

 

ସାଧାରଣତଃ ରାଜନୀତିକ୍ଷେତ୍ର ଓ ନୈତିକତାକ୍ଷେତ୍ର ପରସ୍ପର ଠାରୁ ସ୍ୱତନ୍ତ୍ର ବୋଲି ବିବେଚିତ ହୋଇଥାଏ । ଉଭୟ କ୍ଷେତ୍ରରେ ହିତ ଅହିତ, ନ୍ୟାୟ ଅନ୍ୟାୟ ଦୃଷ୍ଟିରୁ କାର୍ଯ୍ୟକଳାପର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ମାତ୍ର ଏହି ସାଦୃଶ୍ୟ ସତ୍ତ୍ୱେ ଉଭୟ କ୍ଷେତ୍ର ମଧ୍ୟରେ ମୌଳିକ ପାର୍ଥକ୍ୟ ରହିଅଛି । ଉଭୟେ ସେଥିପାଇଁ ଏକ ନୁହନ୍ତି । କାରଣ ରାଜନୀତି ଦୃଷ୍ଟିରୁ କାର୍ଯ୍ୟବିଶେଷର ମୂଲ୍ୟ ଉକ୍ତ କାର୍ଯ୍ୟର ବହିଃପରିଣତି ବା ଫଳ ପ୍ରତି ଲକ୍ଷ୍ୟ ରଖି ନିରୂପିତ ହୋଇଥାଏ । ମାତ୍ର ନୈତିକତା ଦୃଷ୍ଟିରୁ ଉକ୍ତ କାର୍ଯ୍ୟର ମୂଲ୍ୟ କର୍ତ୍ତାର ଅଭିପ୍ରାୟ ବା ମନୋବୃତ୍ତି ଉପରେ ନିର୍ଭର କରେ । ଦୃଷ୍ଟାନ୍ତ ସ୍ୱରୂପ ଧର, କୌଣସି ବ୍ୟକ୍ତି ଗୋଟିଏ ପକ୍ଷୀକୁ ହୁରୁଡ଼େଇ ଦେବା ଅଭିପ୍ରାୟରେ ଚାଳିତ ହୋଇ ତାହା ଆଡ଼କୁ ଲକ୍ଷ୍ୟକରି ଟେକାଟିଏ ପକାଇ ଦେଲା । ମାତ୍ର ଠିକ୍‌ ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ପଥିକ ଉପରେ ଟେକାଟି ପଡ଼ି ତାହାର ମୁଣ୍ଡ ଖଣ୍ଡିଆ କରିଦେଲା । ଏହି କର୍ମଟିକୁ ଯଦି ରାଜନୀତି ଦୃଷ୍ଟିକୋଣରୁ ବିଚାର କରାଯାଏ, ତାହାହେଲେ ଏହାର ଫଳ ବା ବହିଃ ପରିମାଣ ଭଲ କି ମନ୍ଦ, ବିଚାର କରି କର୍ତ୍ତା ଦୋଷୀ କି ନିର୍ଦ୍ଦୋଷ, ସ୍ଥିର କରାଯାଇଥାଏ । ସଂଶିତ କର୍ମଟିର ଫଳ ପଥିକର କ୍ଷତିକାରକ ହୋଇଥିବାରୁ ରାଜନୀତି କହିବ, କର୍ତ୍ତା ଅପରାଧୀ ଓ ତେଣୁ ଦଣ୍ଡନୀୟ । ମାତ୍ର ନୈତିକତା ଭିତ୍ତିରୁ ବିଚାର କରିବାକୁ ଗଲେ ପ୍ରଶ୍ନ ହେବ–କର୍ତ୍ତା କି ଉଦ୍ଦେଶ୍ୟ ବା ଅଭିପ୍ରାୟ ମନ ମଧ୍ୟରେ ପୋଷଣ କରି ଟେକାଟି ପକାଉଥିଲେ ? ଏହି ଦୃଷ୍ଟିରୁ କାର୍ଯ୍ୟଟି ବିଶ୍ଳେଷଣ କଲେ ଜଣାଯିବ ଯେ କର୍ତ୍ତା ପଥିକ ପ୍ରତି କୌଣସି ହିଂସା ପୋଷଣ କରି ନାହାନ୍ତି କି ପଥିକକୁ ଲକ୍ଷ୍ୟକରି ଟେକାଟି ପକାଇ ନାହାନ୍ତି । ଏପରି ସ୍ଥଳେ କର୍ତ୍ତା ଦଣ୍ଡନୀୟ ନୁହନ୍ତି । କାରଣ ପଥିକକୁ କ୍ଷତ କରିବାର ଉଦ୍ଦେଶ୍ୟ ବା ଅଭିପ୍ରାୟରେ ଚାଳିତ ହୋଇ ସେ କାର୍ଯ୍ୟଟି କରି ନାହାନ୍ତି । ସୁତରାଂ କହିବାକୁ ହେବ, ରାଜନୀତି ଦୃଷ୍ଟିରୁ କାର୍ଯ୍ୟଗୁଡ଼ିକର ବିଚାର ବାସ୍ତବମୁଖୀ–ଅର୍ଥାତ୍‌ ବାସ୍ତବ ଜଗତରେ ପରିଦୃଷ୍ଟ କାର୍ଯ୍ୟର ବାହ୍ୟ ଫଳାଫଳ ଉପରେ ନିର୍ଭର କରେ । ମାତ୍ର ସେଗୁଡ଼ିକର ନୈତିକତା-ମୂଳକ ବିଚାର ଆନ୍ତର୍ମୁଖୀ–ଅର୍ଥାତ୍‌ କର୍ତ୍ତାର ମନମଧ୍ୟରେ କଳ୍ପିତ ଉଦ୍ଦେଶ୍ୟର ଔଚିତ୍ୟ ବା ଅନୌଚିତ୍ୟ ଉପରେ ନିର୍ଭର କରେ ।

 

ଦ୍ୱିତୀୟତଃ ରାଜନୀତିକ୍ଷେତ୍ରରେ ବ୍ୟକ୍ତିମାନଙ୍କର ସାମୁହିକ ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ଦିଆଯାଇଥାଏ । କିନ୍ତୁ ନୈତିକତାକ୍ଷେତ୍ରରେ ମାନବର ବ୍ୟକ୍ତିଗତ ଚରିତ୍ରର ଉତ୍କର୍ଷ ପ୍ରତି ଲକ୍ଷ୍ୟ ରଖି କର୍ମପନ୍ଥା ଓ ତାହାର ଔଚିତ୍ୟ ଅନୌଚିତ୍ୟ ନିରୂପିତ ହୋଇଥାଏ ।

 

ରାଜନୀତି କାର୍ଯ୍ୟର ମୂଲ୍ୟ ବିଚାର କଲାବେଳେ କାର୍ଯ୍ୟପ୍ରସୂତ ଫଳର ସୁବିଧାଜନକତା ବା ଅସୁବିଧାଜନକତା ବିଚାର କରିଥାଏ । ମାତ୍ର ନୈତିକତା କ୍ଷେତ୍ରରେ ସୁବିଧାଜନକତା କାର୍ଯ୍ୟର ଅନୁମୋଦନୀୟତାର ମାପକାଠି ହୋଇ ନପାରେ । କାରଣ ଅନେକ ସମୟରେ ଦେଖାଯାଏ, ଗୋଟିଏ ଅନୈତିକ ବା ଅନ୍ୟାୟ କର୍ମ ଲୋକମାନଙ୍କର ସୁଖସ୍ୱାଚ୍ଛନ୍ଦ୍ୟର ଅନୁକୂଳ ହୋଇପାରେ । କିନ୍ତୁ ନୈତିକତା ଦୃଷ୍ଟିରୁ ଦେଖିଲେ ଉକ୍ତ କର୍ମ ସତ୍‌ ଉଦ୍ଦେଶ୍ୟରେ ସାଧିତ ହୋଇନାହିଁ । ବରଂ ଏକ ଅନୁଚିତ ଉପାୟରେ କେବଳ ସୁବିଧାଜନକତା ପ୍ରତି ଦୃଷ୍ଟି ରଖି ସମ୍ପାଦିତ ହୋଇଥାଏ । ଉଦାହରଣ ସ୍ୱରୂପ, ମିଥ୍ୟା କହି କୌଣସି ସାଧାରଣ ହିତକର କାର୍ଯ୍ୟ କଲାବେଳେ ରାଜନୀତିକ ବିଚାର ଦୃଷ୍ଟିରୁ କେବଳ ଫଳପ୍ରତି ଦୃଷ୍ଟିରଖି ଉକ୍ତ ମିଥ୍ୟାକଥନରୂପ କାର୍ଯ୍ୟକୁ ଅନୁମୋଦନୀୟ ବୋଲି ମନେକରୁଁ । ମାତ୍ର ଏହା ଏକ ପ୍ରତାରଣା । କେବଳ ସୁବିଧା ପ୍ରତି ଲକ୍ଷ୍ୟରଖି ଆମ୍ଭେମାନେ ଜଗତକୁ ମିଥ୍ୟାର ପ୍ରବଞ୍ଚନାରେ ପକାଇବା । ନୈତିକତାର ଦୃଷ୍ଟିକୋଣରୁ କୌଣସିମତେ ସମୀଚୀନ ନୁହେଁ ।

 

ପୁନଶ୍ଚ ରାଜନୀତିକ ଦୃଷ୍ଟିକୋଣରୁ କାର୍ଯ୍ୟର ପରିମାଣ ବା ଶେଷଫଳର ଉପକାରିତା ବା ଅନୁପକାରିତାରୁ ଉକ୍ତ କାର୍ଯ୍ୟର ଔଚିତ୍ୟାନୌଚିତ୍ୟ ନିରୂପିତ ହୋଇଥାଏ । ଏ କ୍ଷେତ୍ରର ନୀତି ହେଉଛି-‘End justifies the means’-କାର୍ଯ୍ୟର ପରିମାଣ ଭଲ ହେଲେ କାର୍ଯ୍ୟଟି ନୈତିକ ଦୃଷ୍ଟିକୋଣରୁ ଅନୁମୋଦନୀୟ ହୋଇଥିଲେହେଁ ଉଚିତ ବା ନ୍ୟାୟାନୁମୋଦିତ ବୋଲି ବିବେଚିତ ହୋଇଥାଏ । ମନେକର, କୌଣସି ବ୍ୟକ୍ତି କୌଣସି ଧନାଢ଼୍ୟ ବ୍ୟକ୍ତିର ଧନସମ୍ପଦ ଅପହରଣ କରି ତାହାର ବିନିଯୋଗରେ ସମାଜର ଏକ ହିତକର ଅନୁଷ୍ଠାନ ଗଢ଼ିଲେ । ଅନୁଷ୍ଠାନଟିର ହିତକାରିତା ଦୃଷ୍ଟିରୁ ଉକ୍ତ ପରଧନାପହରଣ କାର୍ଯ୍ୟଟି ରାଜନୀତି କ୍ଷେତ୍ରରୁ ସମର୍ଥନ ପାଇଥାଏ । ମାତ୍ର ନୈତିକ ଦୃଷ୍ଟିକୋଣରୁ ଏହି କାର୍ଯ୍ୟଟିର ଉପାୟ ଅନ୍ୟାୟ ହୋଇଥିବାରୁ ଉପେୟ ବା ପରିଣାମ ଯେତେ ଶୁଭାବହ ହେଲେ ବି କୌଣସିମତେ ଅନୁମୋଦନୀୟ ନୁହେଁ କାରଣ କାର୍ଯ୍ୟଟି କର୍ତ୍ତାର ଅନ୍ୟାୟ ଉଦ୍ଦେଶ୍ୟ ବା ଅଭିପ୍ରାୟରେ ସମ୍ପାଦିତ ହୋଇଅଛି । ତେଣୁ ନୀତିଶାସ୍ତ୍ର ଦୃଷ୍ଟିରୁ ଉପାୟ ଓ ଉପେୟ, କାର୍ଯ୍ୟ ଓ ତାହାର ପରିଣାମ, ଉଭୟେ ସତ୍‌ ହେବା ଆବଶ୍ୟକ ।

 

ଏହିପରି ସାଧାରଣତଃ ରାଜନୀତି ଓ ନୈତିକତା ମଧ୍ୟରେ ପାର୍ଥକ୍ୟ ପ୍ରଦର୍ଶିତ ହୋଇ ଉଭୟ କ୍ଷେତ୍ର ପରସ୍ପରଠାରୁ ବିଭିନ୍ନ ବୋଲି ବିବେଚିତ ହୋଇଥାଏ । ମାତ୍ର ଏହି ବିଭିନ୍ନତା ସତ୍ତ୍ୱେ ଉଭୟେ ପରସ୍ପରକୁ ପ୍ରଭାବିତ କରିପାରନ୍ତି । ରାଜନୀତି ଓ ନୈତିକତାର ସମନ୍ୱୟ ବା ଅନ୍ୟାନ୍ୟ ପ୍ରଭାବ ଏହି ମତରେ ସମ୍ଭବପର । ଅର୍ଥାତ୍‌, ଏହି ମତରେ ରାଜନୀତି ନୈତିକତା ଦ୍ୱାରା ନିୟନ୍ତ୍ରିତ ହୋଇପାରେ ତଥା ନୈତିକତାର କ୍ଷେତ୍ର ମଧ୍ୟ ଅନେକ ସମୟରେ ରାଜନୀତି ଦ୍ୱାରା ପ୍ରଭାବିତ ହୋଇଥାଏ ।

 

ଏହାଛଡ଼ା ଆଉ ଏକ ମତ ଇଟାଲୀୟ ପଣ୍ଡିତ ମାକିଆଭେଲିଙ୍କ କର୍ତ୍ତୃକ ପ୍ରଚାରିତ ହୋଇଅଛି । ତାହା ହେଉଛି–ରାଜନୀତି ଓ ନୈତିକତା ମଧ୍ୟର କୌଣସି ସମନ୍ୱୟ ବା ସମ୍ପର୍କ ସ୍ଥାପିତ ହୋଇ ନ ପାରେ । ରାଜନୀତିକ୍ଷେତ୍ର ନୈତିକତାର କ୍ଷେତ୍ରରୁ ଆତ୍ୟନ୍ତିକ ଭାବରେ ବିଚ୍ଛିନ୍ନ,–ରାଜନୀତିରେ ନୈତିକତାର ସତ୍ତା ରହି ନ ପାରେ । ତାଙ୍କର ମତ, ରାଜା ରାଷ୍ଟ୍ରର ଅଧିନାୟକଭାବରେ ଶୃଙ୍ଖଳା ସଂରକ୍ଷଣ ତଥା ସମୃଦ୍ଧି ନିମିତ୍ତ ହତ୍ୟା, ଅପହରଣ ପ୍ରଭୃତି ଯେ କୌଣସି ଅତ୍ୟାଚାରସମ୍ବଳିତ ନୀତି ଅବଲମ୍ବନ କରିପାରନ୍ତି । ତାଙ୍କର କାର୍ଯ୍ୟକୁ ନୈତିକତା କୌଣସିମତେ ବ୍ୟାହତ କରି ନ ପାରେ । ଆବଶ୍ୟକ ହେଲେ ଦେଶରକ୍ଷା ପାଇଁ ଶତ୍ରୁର ସମସ୍ତ ଶକ୍ତି ପରାହତ କରି, ତାହାର ଧନବଳ ତଥା ଜନବଳକୁ କଳେବଳେ କୌଶଳେ କରଗତ କରି, ରାଜଶକ୍ତି ଦେଶବାସୀଙ୍କର ପ୍ରିୟପାତ୍ର ହୋଇପାରେ । ରାଜନୀତିକ୍ଷେତ୍ର ନୈତିକତାର ମାନଦଣ୍ଡରେ ଚାଳିତ ହେବା କୌଣସିମତେ ସମୀଚୀନ ନୁହେଁ । ଏହି ମତରେ ରାଜାଙ୍କର ବାଣୀ ବା ଆଦେଶ ହିଁ ଏକମାତ୍ର ନୀତି–‘The king has no law’ ରାଜା କୌଣସି ନିୟମ ବା ଆଇନ୍‌ର ଅଧୀନ ନୁହନ୍ତି ଓ ସେଥିପାଇଁ ନୈତିକତାର ବନ୍ଧନ ତାଙ୍କ ପ୍ରତି ପ୍ରଯୋଜ୍ୟ ନୁହେଁ ।

 

ଉପରୋକ୍ତ ମତଦ୍ୱୟରେ ରାଜନୀତି ଓ ନୈତିକତା, ଉଭୟର ସ୍ୱାତନ୍ତ୍ର୍ୟ ସ୍ୱୀକାର କରାଯାଇଅଛି । ମାତ୍ର ଅନ୍ୟ କେତେକ ପଣ୍ଡିତ ଉଭୟ କ୍ଷେତ୍ର ମଧ୍ୟରେ ଅବିଚ୍ଛେଦ୍ୟ ସମ୍ପର୍କ ବିଦ୍ୟମାନ ଥିବାର ମତ ପ୍ରଖ୍ୟାପନ କରିବାକୁ ଯାଇଅଛନ୍ତି । ଏହି ମତରେ ରାଜନୀତି ଓ ନୈତିକତା ପରସ୍ପର ସହିତ ସଂଶ୍ଳିଷ୍ଟ–ଏକ ଅନ୍ୟଠାରୁ ବିଚ୍ଛିନ୍ନ ନୁହେଁ । ଏହି ମତଟି କିନ୍ତୁ ଦୁଇଶ୍ରେଣୀର ପଣ୍ଡିତଙ୍କ କର୍ତ୍ତୃକ ଦୁଇ ବିଭିନ୍ନ ଭାବରେ ଅବଲମ୍ବିତ ହୋଇଥାଏ । ହବ୍‌ସ୍‌ (Hobbes) ଓ ବେନ୍‌ (Bain) ନାମକ ଦୁଇଜଣ ଇଂଲଣ୍ଡୀୟ ପଣ୍ଡିତଙ୍କ ମତରେ ନୈତିକତା ରାଜନୀତିର ଅନ୍ତର୍ଗତ–ରାଜନୀତିର ଏକ ଶାଖା ମାତ୍ର । ଏମାନଙ୍କ ମତରେ ରାଜନୀତିରୁ ହିଁ ନୈତିକତାର ଉତ୍ପତ୍ତି ଘଟିଅଛି । ତେଣୁ ରାଜାଙ୍କ ପ୍ରବର୍ତ୍ତିତ ନୀତି ବିରୁଦ୍ଧରେ ନୈତିକତା ଯାଇ ନ ପାରେ । ଏହି ମତରେ ନୀତିଶାସ୍ତ୍ର ରାଜନୀତିଶାସ୍ତ୍ରଦ୍ୱାରା ନିୟନ୍ତ୍ରିତ–ରାଜନୀତିଗତ ଅନୁଶାସନ ବା ଶୃଙ୍ଖଳାପଦ୍ଧତି ହିଁ ନୈତିକତାର ଭିତ୍ତିଭୂମି । ଏହି ମତଟିର ଅନ୍ୟ ଏକ ରୂପ ପ୍ଳେଟୋ ଓ ହେଗେଲଙ୍କ କର୍ତ୍ତୃକ ପ୍ରଚାରିତ ହୋଇଅଛି । ଏ ଦୁହେଁ ରାଜନୀତିକୁ ନୈତିକତାର ଭିତ୍ତିରେ ପ୍ରତିଷ୍ଠିତ କରିବାକୁ ଯାଇଅଛନ୍ତି । ପ୍ଳେଟୋ(Plato) ତାଙ୍କର ‘ରିପବ୍‌ଲିକ୍‌’(The Republic) ନାମକ ଗ୍ରନ୍ଥରେ କହିବାକୁ ଯାଇଅଛନ୍ତି ଯେ ରାଷ୍ଟ୍ର ନୈତିକତାର ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ସେଥିପାଇଁ ସେ ରାଜଶକ୍ତିକୁ ନୈତିକତାସମ୍ପନ୍ନ ଶକ୍ତିରୂପେ ପ୍ରତିଷ୍ଠିତ କରିବାକୁ ବଦ୍ଧପରିକର, ଚରିତ୍ରବାନ୍‌, ନିଷ୍ଠାପର, ନ୍ୟାୟପରାୟଣ ଓ ଅଭିଜ୍ଞ ଦାର୍ଶନିକ ବ୍ୟକ୍ତିଙ୍କୁ ରାଷ୍ଟ୍ରର ଅଧିପତି ବା ରାଜାର ଆସନର ଯୋଗ୍ୟ ବୋଲି ସେ ପ୍ରଚାର କରିଅଛନ୍ତି ସେହିପରି ହେଗେଲ (Hegel)ମଧ୍ୟ ନୈତିକତାକୁ ଭିତ୍ତିରୂପେ ଗ୍ରହଣ କରି କହିଅଛନ୍ତି–ରାଷ୍ଟ୍ର ମାତ୍ରକେ ନୈତିକତାର ବାସ୍ତବ ପରିପ୍ରକାଶ (Objective expression) । ତେଣୁ ରାଷ୍ଟ୍ରନୀତିର ମୂଳରେ ନୈତିକତା ହିଁ ନିହିତ ରହିଅଛି । ଏହି ମତ ଦୁଇଟିରୁ ଅନୁମିତ ହେବ, ରାଜନୀତି ଓ ନୈତିକତା ଏପରି ଅଙ୍ଗାଙ୍ଗୀଭାବରେ ସଂଶ୍ଳିଷ୍ଟ ତଥା ସଂପୃକ୍ତ ଯେ ଦୁହିଙ୍କ ମଧ୍ୟରେ ପାର୍ଥକ୍ୟ ସ୍ୱୀକାର କରିବା ସମ୍ଭବପର ନୁହେଁ ।

 

ଆମ୍ଭମାନଙ୍କ ମତରେ କିନ୍ତୁ ରାଜନୀତି ଓ ନୈତିକତା ଏକ ବୋଲି ଭାବିବା ଉଚିତ ନୁହେଁ-। ଉଭୟ କ୍ଷେତ୍ରର ବୈଶିଷ୍ଟ୍ୟ ଅସ୍ୱୀକାର କରିହେବ ନାହିଁ । ମାନବ ଆରିଷ୍ଟଟଲ୍‌ଙ୍କ ମତରେ ରାଜନୀତିକ ଜୀବ ହେଲେହେଁ ସେ ନୈତିକ ଜୀବ ମଧ୍ୟ । ସୁତରାଂ ମାନବ ଜୀବନରେ ରାଜନୀତିକତା, ଓ ନୈତିକତା, ଉଭୟେ ଜନ୍ମରୁ ହିଁ ନିହିତ । ସୁତରାଂ ମାନବ ଏକାଧାରରେ ରାଜନୀତିକ ଓ ନୈତିକ ଜୀବ ହେଲେ ସୁଦ୍ଧା ରାଜନୀତିକତା ଓ ନୈତିକତା ଏକ ବୋଲି କହିବା ବା ଗୋଟିଏ ଅନ୍ୟଟିର ଅଙ୍ଗ ବା ଶାଖା ବୋଲି କହିବା ବା ଗୋଟିଏ ଅନ୍ୟଟିର ଅଙ୍ଗ ବା ଶାଖା ବୋଲି କହିବା ସମୀଚୀନ ହେବ ନାହିଁ । କାରଣ ରାଜନୀତିକ୍ଷେତ୍ରରେ ଅନେକଶଃ କୌଶଳ, କାପଟ୍ୟ, ଧୂର୍ତ୍ତତା ଏବଂ ତତ୍‌ ସଙ୍ଗେ ସଙ୍ଗେ ହିଂସା, ସଂନ୍ତ୍ରାସକାରୀ ବ୍ୟାପାର ଓ ଆକସ୍ମିକ ଆକ୍ରମଣ ପ୍ରଭୃତିକୁ ଉପାୟରୂପେ ଅବଲମ୍ବନ କରି କ୍ଷମତା ଓ କର୍ତ୍ତୃତ୍ୱ ହାସଲ କରାଯାଇଥାଏ । ଉଦାହରଣ ସ୍ୱରୂପ, ପ୍ରଥମ ମହାସମରର ଅବସାନର ଅବ୍ୟବହିତ ପୂର୍ବରୁ ଯେଉଁ ବିରାଟ ଅକ୍‌ଟୋବର ବିପ୍ଳବ ଋଷ ଦେଶରେ ଘଟିଥିଲା ଓ ଯାହାର କ୍ରମିକ ଫଳାଫଳ ଆମ୍ଭେମାନେ ବର୍ତ୍ତମାନର ଶାସନ ବ୍ୟବସ୍ଥା ରୂପରେ ଦେଖିବାକୁ ପାଉଁ, ତାହାର ସମସ୍ତ କୃତକାର୍ଯ୍ୟତା ବା ସାଫଲ୍ୟର ମୂଳରେ ଏହିପରି ଏକ ହିଂସାତ୍ମକ କ୍ରାନ୍ତିକାରୀ ତଥା କୌଶଳପୂର୍ଣ୍ଣ ଶକ୍ତି ହିଁ ପ୍ରଚ୍ଛନ୍ନ ଓ ପ୍ରତ୍ୟକ୍ଷ, ଉଭୟ ଭାବରେ କାର୍ଯ୍ୟ କରୁଥିଲା । ଏଥିରେ ନୈତିକତାର ଗନ୍ଧସ୍ପର୍ଶ ନ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଋଷର ଏହି ରାଜନୈତିକ ବିପ୍ଳବ ରକ୍ତପାତ ଉପରେ ପର୍ଯ୍ୟବସିତ ଥିବାରୁ ଏହାକୁ ପ୍ରକୃତ ବିପ୍ଳବ କହିବା ଅବିଧେୟ ହେବ । କାରଣ ଉପାୟ ଅନୈତିକତାଦୁଷ୍ଟ ରକ୍ତପ୍ଳାବନର ଭିତ୍ତିରେ ଅବଲମ୍ବିତ ହେଲେ ଉପାୟର ତଥାକଥିତ ସିଦ୍ଧିକୁ ପ୍ରକୃତ ସିଦ୍ଧି ବୋଲି ଭାବିବା ଏକ ଭ୍ରାନ୍ତ ମାତ୍ର । ସେଥିପାଇଁ ସିନା ଋଷର ଉକ୍ତ ମହାନ୍‌ ସମାଜବାଦୀ ଆଦର୍ଶ ସୁଦୂର ପରାହତ ହୋଇଅଛି । ଅଧର୍ମ ଓ ହିଂସାରେ, ଏକ କଥାରେ କହିବାକୁ ଗଲେ, ଅନୈତିକତାରେ ଦୂଷିତ ହେଲେ କୌଣସି ରାଷ୍ଟ୍ରନୀତି ଆଦର୍ଶର ନିକଟବର୍ତ୍ତୀ ହୋଇ ନ ପାରେ, ସୁତରାଂ ରାଜନୀତିକ୍ଷେତ୍ରରେ ଅନେକ ସମୟରେ ନୈତିକତାର ସତ୍ତା ଦେଖିବାକୁ ମିଳେ ନାହିଁ । ସେଥିପାଇଁ ରାଜନୀତିର କ୍ଷେତ୍ର ନୈତିକତାର କ୍ଷେତ୍ରରୁ ପୃଥକ୍‌ ବୋଲି ମନେ ହୁଏ ।

 

କିନ୍ତୁ ଏହି ପାର୍ଥକ୍ୟସତ୍ତ୍ୱେ ରାଜନୀତି ଯେ ସବୁବେଳେ ନୈତିକତାର ବିରୋଧୀ ହୋଇ ରହିଥିବ, ଏହା କହିବା ଯଥାର୍ଥ ନୁହେଁ । ଆଗରୁ କୁହାଯାଇଅଛି, ଉଭୟେ ପରସ୍ପରକୁ ପ୍ରଭାବିତ କରିଥାନ୍ତି । ମାତ୍ର ଆମ୍ଭମାନଙ୍କ ମତରେ କେବଳ ଏକ ଅନ୍ୟକୁ ପ୍ରଭାବିତ କରେ ବୋଲି କହିଦେଲେ ଯଥେଷ୍ଟ ହେଲା ନାହିଁ । ଆମ୍ଭମାନଙ୍କୁ କହିବାକୁ ହେବ, ରାଜନୀତି ନୈତିକତାରୁ ପୃଥକ୍‌ ହେଲେହେଁ ନୈତିକତା ଉପରେ ପ୍ରତିଷ୍ଠିତ ନ ହେଲେ ନୈତିକତାକୁ ମୂଳଭିତ୍ତି କରି ପୁଷ୍କଳତ୍ୱ ଲାଭ ନ କଲେ, ରାଷ୍ଟ୍ରରେ ମମତାମୋହ, ଦଳଗତ ବିସମ୍ବାଦ ପ୍ରଭୃତି ବ୍ୟାପିଯାଇ ଜାତି ବା ସମାଜର ଗଣ୍ଡିକୁ ଏକାବେଳକେ ଧ୍ୱଂସ କରିଦେବ । ରାଜନୀତି ନୈତିକତାରୁ ବିଚ୍ଛିନ୍ନ ରହିଲେ ରାଜଶକ୍ତି ବା ନେତୃବର୍ଗ ଏଥିପୂର୍ବେ ସୂଚିତ ନାନା ଅତ୍ୟାଚାର ଓ ଅନାଚାରରେ ଚାଳିତ ହୋଇ ରାଷ୍ଟ୍ରକୁ ଏକ ଆଭ୍ୟନ୍ତରୀଣ କଳହର କ୍ଷେତ୍ରରେ ପରିଣତ କରିହେବ । ରାଜନୀତିକ କାର୍ଯ୍ୟକଳାପ ନୈତିକତାର ସହଯୋଗ ବା ସମନ୍ୱୟରେ ନିୟନ୍ତ୍ରିତ ନ ହେଲେ ମାନବଜାତିର ବିକାଶ ଓ ସୌଷ୍ଠବ ସୁଦୂର ପରାହତ ହେବ । ସେଥିପାଇଁ ଗାନ୍ଧିଜୀ ଟଲ୍‌ଷ୍ଟୟଙ୍କ ଚିନ୍ତାଧାରାକୁ ସମର୍ଥନ କରି ରାଜନୀତି ନୈତିକତାର ଭିତ୍ତିରେ ପ୍ରତିଷ୍ଠିତ କରିବାକୁ ଯାଇଅଛନ୍ତି । ବ୍ୟକ୍ତିଗତ ଜୀବନର କାର୍ଯ୍ୟାବଳୀର ମୂଲ୍ୟାୟନ ନୈତିକତାର ମୂଳ ଲକ୍ଷ୍ୟ ହେଲେହେଁ ରାଜନୀତି କ୍ଷେତ୍ରରେ ତାହାର କାର୍ଯ୍ୟକାରିତା ରହିଅଛି । ମନେରଖିବାକୁ ହେବ, ବ୍ୟଷ୍ଟି ସମଷ୍ଟିରୁ ବିଚ୍ଛିନ୍ନ ନୁହେଁ-ସମଷ୍ଟି ମାତ୍ରକେ ବ୍ୟଷ୍ଟି ବା ବ୍ୟକ୍ତିମାନଙ୍କର ସମନ୍ୱିତ ସମାହାର, କହିଲେ ଅତ୍ୟୁକ୍ତି ହେବ ନାହିଁ । ସେଥିଲାଗି ସମଷ୍ଟିର ବିକାଶ ବ୍ୟଷ୍ଟି-ଜୀବନର ବିକାଶ ଉପରେ ନିର୍ଭର କରେ । ଜାତୀୟଚରିତ୍ର ବିକଶିତ ନ ହେଲେ ରାଷ୍ଟ୍ରର ସୁପରିଚାଳନା ଅସମ୍ଭବ ହୋଇପଡ଼ିବ, ମାତ୍ର ଏହି ଜାତୀୟଚରିତ୍ର, ଏହି ସମଷ୍ଟିଗତ ଚରିତ୍ର, ବ୍ୟଷ୍ଟିଚରିତ୍ରର ସଙ୍ଗଠନ ତଥା ଉତ୍କର୍ଷ ଉପରେ ଏକାନ୍ତ ନିର୍ଭର କରେ । ତେଣୁ ପ୍ରତ୍ୟେକ ରାଷ୍ଟ୍ରର ଅଧିନାୟକ, ରାଜପୁରୁଷ ହୁଅନ୍ତୁ ବା ନେତୃବୃନ୍ଦ ହୁଅନ୍ତୁ, ନୈତିକଚରିତ୍ରରେ ଚରିତ୍ରବାନ୍‌ ହେବା ବିଧେୟ । ନୈତିକତାବିହୀନ ରାଜନୀତି ଅନେକ ସମୟରେ ଏକ ଛତ୍ରାଧିପତ୍ୟର ମୋହରେ ଅନ୍ଧୀଭୂତ ହୋଇ ମାନବିକତାର ଯଥାର୍ଥ ବିକାଶର ପଥ ରୁଦ୍ଧ କରିଦିଏ । ଫଳତଃ ମାନବସମାଜ ପାଶବିକତା ଦୁଷ୍ଟ ଏକ କିଂଭୂତକିମାକାର ହୋଇ ଉଠେ । ଏହିସବୁ ବିଷମୟ ପରିଣତି ପ୍ରତି ଦୃଷ୍ଟି ରଖି ବୋଧହୁଏ ପ୍ଳେଟୋ ଓ ହେଗେଲ୍‌ ପ୍ରଭୃତି ମନୀଷୀମାନେ ନୈତିକତାକୁ ରାଜନୀତିର ପ୍ରାଣରୂପେ ଗ୍ରହଣ କରିବାକୁ ଯାଇଛନ୍ତି । ସୁତରାଂ ନୈତିକତାର ଉତ୍କର୍ଷ ଓ ପ୍ରତିଷ୍ଠା ପ୍ରତ୍ୟେକ ରାଷ୍ଟ୍ରର ଓ ତେଣୁ ପ୍ରତ୍ୟେକ ରାଜନୀତିର ବିଧିବିଧାନ ଓ କର୍ମକ୍ଷେତ୍ରର ମୂଳରେ ନିୟାମକ ରୂପେ ଅବଲମ୍ବିତ ହେବା ଆବଶ୍ୟକ । ଏହିପରି ନୈତିକତାପୃଷ୍ଟ ରାଜନୀତି ସମଷ୍ଟିଗତ ତଥା ବ୍ୟଷ୍ଟିଗତ ଜୀବନର ନୈତିକ ଅଗ୍ରଗତିରେ ଯଥେଷ୍ଟ ସହକାରୀ ହୋଇପାରେ । କ୍ଷମତାମୋହରେ ଦୃପ୍ତ ତଥା ଉନ୍ମତ୍ତ ହୋଇ ବଳପୂର୍ବକ ଆଇନ୍‌କାନୁନ୍‌ ରାଷ୍ଟ୍ରସ୍ଥ ବ୍ୟକ୍ତିମାନଙ୍କ ଉପରେ ଲଦି ଦେଲେ ଚଳିବ ନାହିଁ । ସେଥିପାଇଁ ରାଷ୍ଟ୍ରନାୟକମାନଙ୍କର ଚିନ୍ତାଧାରା ନୈତିକ ଆଦର୍ଶ ଓ ବିଚାରଧାରାରେ ଅନୁପ୍ରାଣିତ ହେବା ସର୍ବତୋଭାବେ ବିଧେୟ । ଅନ୍ୟଥା ଗଣବିକ୍ଷୋଭର ବିଦ୍ରୋହ ବହ୍ନି ପ୍ରଜ୍ୱଳିତ ହୋଇ ରାଷ୍ଟ୍ରକୁ ସମର ପ୍ରାଙ୍ଗଣରେ ପରିଣତ କରିଦେବ । ରାଜନୀତିରେ ଅବବାରିତ ଯାଦୃଚ୍ଛିକ କର୍ତ୍ତୃତ୍ୱ ବା ପ୍ରଭୁପଣର ବିସ୍ତାର ନୈତିକତାର ବିରୋଧୀ ଓ ତେଣୁ ସର୍ବଥା ଭୟାବହ । ସେଥିପାଇଁ କହୁଁ, ରାଜନୀତି କ୍ଷେତ୍ରରେ ନୈତିକତାର ସ୍ଥାନ କେହି ଅସ୍ୱୀକାର କରିପାରିବେ ନାହିଁ । ନୈତିକତାର ମହାମନ୍ତ୍ରରେ ଅଭିମନ୍ତ୍ରିତ ନ ହେଲେ ରାଜନୀତିକ ପରିସ୍ଥିତି ମାନବ ସମାଜ ପ୍ରତି ଏକ ଅଶାନ୍ତିକର ବ୍ୟାପାର ହୋଇ ପଡ଼ିବ । ଆଜିକାଲି ସର୍ବତ୍ର ରାଜନୀତିଜ୍ଞଗଣ ଶାନ୍ତିସ୍ଥାପନ ଉଦ୍ଦେଶ୍ୟରେ ନିରତିଶୟ ପ୍ରଚେଷ୍ଟା ଚଳାଇ ଆସୁଛନ୍ତି । କିନ୍ତୁ ସେମାନଙ୍କର ଚିନ୍ତାଧାରା ଆଦର୍ଶ ନୈତିକ ବିଚାରରେ ପ୍ରାଣବନ୍ତ ନ ହେଲେ ପୃଥିବୀପୃଷ୍ଠରେ ଶାନ୍ତି ସ୍ଥାପନର ଚିତ୍କାର ବା ପ୍ରଚେଷ୍ଟା ବ୍ୟର୍ଥ ହେବ ମାତ୍ର ।

Image

 

ଏକ କି ଅନେକ ?

 

ମାନବସମାଜର ପ୍ରାୟ ପ୍ରତ୍ୟେକ ସ୍ତରରେ ‘ଏକ’ ଓ ‘ଅନେକ’ ମଧ୍ୟରେ ଅର୍ଥାତ୍‌ ସମାଜସ୍ଥ ‘ଏକ ବ୍ୟକ୍ତି’ ଓ ‘ଅନ୍ୟାନ୍ୟ ଅନେକ ବ୍ୟକ୍ତି’ଙ୍କ ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ସଂଘର୍ଷ ଦେଖିବାକୁ ମିଳେ । ଅତି ପ୍ରାଚୀନ କାଳର ଆଦିମ ସମାଜ ମଧ୍ୟ ଏହି ସଂଘର୍ଷରୁ ସ୍ୱାଧୀନ ନ ଥିଲା । କୌଣସି ସମାଜ ବା ସଂଘର ସଂଖ୍ୟାଲଘିଷ୍ଠ ବ୍ୟକ୍ତିମାନେ ସଂଖ୍ୟାଗରିଷ୍ଠ ବ୍ୟକ୍ତିମାନଙ୍କର ସମବେତ ବଳର ସମ୍ମୁଖରେ ନତମସ୍ତକ ହୋଇପଡ଼ିବା ଏକ ସ୍ୱାଭାବିକ ବ୍ୟାପାର, ମାତ୍ର ସମସ୍ତ ସମୟରେ ଏପରି ଘଟିଥାଏ ଯେ ସମାଜ ବା ସଂଘର ଅନ୍ତର୍ଗତ କୌଣସି ଏକ ବ୍ୟକ୍ତି ତଦନ୍ତର୍ଗତ ଅନ୍ୟାନ୍ୟ ବ୍ୟକ୍ତିଙ୍କ ମତ ବା କର୍ମପନ୍ଥାର ବିରୁଦ୍ଧରେ ଦଣ୍ଡାୟମାନ ହୋଇ ନିଜର ମତ ବା କର୍ମପନ୍ଥାର ପ୍ରଚାର ଓ ପ୍ରତିଷ୍ଠା ନିମିତ୍ତ ପ୍ରାଣପଣେ ଲାଗିପଡ଼େ । ଏହାର ଫଳରେ ‘ଏକ’ ଓ ‘ଅନେକ’ ମଧ୍ୟରେ ଏକ ସଂଘର୍ଷ ସଂଘଟିତ ହୋଇଥାଏ । ‘ଏକ’ କହେ, ସମାଜର ଅନ୍ୟାନ୍ୟ ସମସ୍ତେ ସଂଖ୍ୟାରେ ଅନେକ ସତ, ମାତ୍ର ସେମାନେ ଯେଉଁ ମତ ବା ପନ୍ଥା ଅବଲମ୍ବନ କରୁଅଛନ୍ତି, ତାହା ସମାଜର ଉତ୍କର୍ଷ ବା ଅଭିବୃଦ୍ଧିରେ ଏକ ପ୍ରଧାନ ଅନ୍ତରାୟ, ତେଣୁ ଏକାବେଳକେ ପରିତ୍ୟାଜ୍ୟ । ଅପର ପକ୍ଷରେ ପୁଣି ଏହି ‘ଏକ’ ବିରୁଦ୍ଧରେ ‘ଅନେକ’ ଯୁକ୍ତି ଶୁଣିବାକୁ ମିଳେ ‘‘ଆମ ପଚିଶ ଜଣଙ୍କ ମତ ଏଡ଼ିଦେଇ ଏ ଲୋକଟା ଗତି କରୁଅଛି । ଆଚ୍ଛା, ଦେଖିବା କିପରି ସେ ଚଳିବ-ପଚିଶ ଜଣଙ୍କ ମତ ଉଡ଼ିଯାଇ ଜଣକର ମତଟା ବଜାୟ ରହିବ ।’’ ଏହି ଭାବରେ ଚାଳିତ ହୋଇ ‘ଅନେକ’ ‘ଏକ’ର ଉପରେ ନାନା ଉତ୍ପୀଡ଼ନ ଆରମ୍ଭ କରିବସେ । ଉଦାହରଣ ଅଭାବ ନାହିଁ । ଭାରତରେ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଏହି ସଂଘର୍ଷ ଲାଗି ରହିଥିବାର ଦେଖାଯାଏ । ଜଣେ ସଂଘରୁ ବାହାରି ନିଜର ସ୍ୱାଧୀନ ମତ ବ୍ୟକ୍ତ କଲେ ବା କୌଣସି ସ୍ୱାଧୀନ ମାର୍ଗ ଅବଲମ୍ବନ କଲେ, ସଂଘର ଅନ୍ୟାନ୍ୟ ସମସ୍ତେ ମିଳି ତାକୁ ଜବତ୍‌ କରିବସନ୍ତି-ଆବଶ୍ୟକ ହେଲେ ବର୍ଜନନୀତି ଅବଲମ୍ବନ କରି ତାକୁ ଏକ ବନ୍ଦୀରୂପେ ରଖିଦିଅନ୍ତି । ତେଣୁ ଅନେକ ସମୟରେ ସେମାନଙ୍କ ମତ ବା ପନ୍ଥା ଭ୍ରମମୂଳକ ହେଲେ ବି ସେ ତାହା ଗ୍ରହଣ କରିବାକୁ ବାଧ୍ୟ ହୁଏ, ମାତ୍ର ବେଳେ ବେଳେ ଏକ ଏକ ବ୍ୟକ୍ତି ଏପରି ଦୃଢ଼ମନା ଥାଆନ୍ତି ଯେ, ଅନ୍ୟାନ୍ୟ ବ୍ୟକ୍ତିଙ୍କର ସଂଘବଦ୍ଧ ଉତ୍ପୀଡ଼ନ ଯେତେ କଠୋର ହେଉ ପଛକେ, ନିଜର ବିବେକାନୁମୋଦିତ ପନ୍ଥାରୁ ତିଳେମାତ୍ର ବିଚ୍ୟୁତି ହୁଅନ୍ତି ନାହିଁ । ସେତେବଳେ ଏହି ଶ୍ରେଣୀର ବ୍ୟକ୍ତିର ନୀତି ହୋଇଥାଏ–

 

‘‘ନିନ୍ଦନ୍ତୁ ନୀତିନିପୁଣା ଯଦିବା ସ୍ତୁବନ୍ତୁ,

ଲକ୍ଷ୍ମୀଃ ସମାବିଶତୁ ଗଚ୍ଛତୁ ବା ଯଥେଷ୍ଟଂ ।

ଅଦ୍ୟୈବ ବା ମରଣମସ୍ତୁ ଯୁଗାନ୍ତରେ ବା

ନ୍ୟାୟାତ୍‌ ପଥଃ ପ୍ରବିଚଳନ୍ତି ପଦଂ ନ ଧୀରାଃ ।’’

 

ଫଳ ହୁଏ, ଗ୍ରାମର ‘ଅନେକ’ ମିଳି ‘ଏକ’ର ଉପରେ ଅତ୍ୟାଚାର ଆରମ୍ଭ କରିଦିଅନ୍ତି, ଏପରି କି ସମୟ ସମୟରେ ତାହାର ପ୍ରାଣନାଶ ପର୍ଯ୍ୟନ୍ତ ମଧ୍ୟ ଘଟିଥାଏ । ‘ଏକ’ ଓ ‘ଅନେକ’ ର ଏହି ସଂଘର୍ଷ ପ୍ରତି ଧ୍ୟାନ ଦେଲେ ପ୍ରଶ୍ନ ଉଠେ–ଏ ସଂଘର୍ଷର ମୂଳ କାରଣ କ’ଣ ? ‘ଏକ’ର କଣ ‘ଅନେକ’ର ସମକ୍ଷରେ ସ୍ଥାନ ନାହିଁ ? ‘ଅନେକ’ ବ୍ୟକ୍ତି ‘ବହୁ’ର ମତ କଣ ସବୁବେଳେ ଠିକ୍‌ ? ‘ଏକ’ର ମତ କଣ ‘ଅନେକ’ ଦ୍ୱାରା ଗୃହୀତ ନ ହେଲେ ନିଶ୍ଚୟ ଭ୍ରାନ୍ତ ? ମାନବ ସମାଜର କଣ ନୀତି ହେବା ଉଚିତ–‘ଏକ’ର ମତକୁ ଅଭ୍ରାନ୍ତିକର ବୋଲି ସର୍ବଦା ଗ୍ରହଣ କରିବାକୁ ହେବ ? ଏହି ପ୍ରଶ୍ନଗୁଡ଼ିକରେ ଆଲୋଚନା ଆବଶ୍ୟକ ମନେକରୁଁ ।

 

ବିଶ୍ଳେଷଣ କଲେ ‘ଏକ’ ଓ ‘ଅନେକ’ର ସଂଘର୍ଷ ନିମ୍ନଲିଖିତ କତିପୟ କାରଣରୁ ଘଟୁଥିବାର ପ୍ରତୀୟମାନ ହୁଏ ।

 

ପ୍ରଥମତଃ ଆଧୁନିକ ଯୁଗରେ ପ୍ରବର୍ତ୍ତିତ ଭୋଟଗ୍ରହଣ ପ୍ରଥାରୁ ଲୋକଙ୍କର ଧାରଣା ଜନ୍ମେ, ବହୁସଂଖ୍ୟକଙ୍କ ମତ ଯେଉଁ ପନ୍ଥା ସମର୍ଥନ କରେ, ତାହାହିଁ ଉତ୍କୃଷ୍ଟ ବା ଅଭ୍ରାନ୍ତ ପନ୍ଥା । ଏହି ଭୋଟ ପ୍ରଥା ସଂଖ୍ୟାଗରିଷ୍ଠ ଲୋକଙ୍କ ଭୋଟ ସାହାଯ୍ୟରେ ସଂଖ୍ୟାଲଘୁ ଲୋକଙ୍କ ମତକୁ ଭ୍ରାନ୍ତ ବା ଯଥାର୍ଥ ବୋଲି ପ୍ରତିପାଦନ କରି ବିଶେଷତଃ ରାଜନୀତିକ କ୍ଷେତ୍ରରେ କର୍ମପନ୍ଥା ନିର୍ଦ୍ଧାରଣ କରିଥାଏ ମତବିଶେଷର ସମକ୍ଷରେ ବହୁସଂଖ୍ୟକ ଓ ବିପକ୍ଷରେ ଅଳ୍ପସଂଖ୍ୟକ ଭୋଟକୁ ଭିତ୍ତି କରି ସମସ୍ୟାମାନଙ୍କର ଶେଷ ମୀମାଂସା କରାଯାଇଥାଏ । ଏହାର ଫଳରେ ଏପରି ଘଟେ ଯେ, ଏକ ବ୍ୟକ୍ତିର ମତ ଯଦି ଅନେକଙ୍କ ଦ୍ୱାରା ସମର୍ଥିତ ନ ହେଲା, ତାହାହେଲେ ତାହା ଭ୍ରାନ୍ତ ଓ ତେଣୁ ପ୍ରତ୍ୟାଖ୍ୟାତବ୍ୟ ବୋଲି ବିବେଚିତ ହୁଏ । କାର୍ଯ୍ୟପନ୍ଥାର ନିର୍ଦ୍ଧାରଣ ନିମିତ୍ତ ଏହି ଭୋଟ ଗ୍ରହଣ ବିଧିକୁ ଲକ୍ଷ୍ୟ କରି ଗ୍ରାମ ବା ସଂଘମାନଙ୍କର ‘ଏକ’ ଓ ‘ଅନେକ’ ମଧ୍ୟରେ ସଂଘର୍ଷ ସଂଘଟିତ ହୋଇଥାଏ । ସଂଖ୍ୟାନ୍ୟୁନତାବଶତଃ ‘ଏକ’ର ମତ ଯେ କେବଳ ପ୍ରତ୍ୟାଖ୍ୟାତ ହୁଏ, ତାହା ନୁହେଁ; ତାହା ସଙ୍ଗେ ସଙ୍ଗେ ‘ଏକ’ ‘ଅନେକ’ କର୍ତ୍ତୃକ ଲାଞ୍ଛିତ ଓ ଅବହେଳିତ ହୋଇଥାଏ । ଏହି ଧାରଣାବଶତଃ ହିଁ ଗ୍ରାମ ବା ସଂଘର ଅଧିକାଂଶ ବ୍ୟକ୍ତି ମିଳି ନରହତ୍ୟା, ଭ୍ରୂଣହତ୍ୟା ପ୍ରଭୃତି ଜଘନ୍ୟ ଅପକର୍ମମାନ ଗଡ଼ପ କରି ଦାଣ୍ଡରେ ନିର୍ଦ୍ଦୋଷ ବୋଲି ପରିଚୟ ଦିଅନ୍ତି । ‘ଏକ’ ଏମାନଙ୍କ ବିରୁଦ୍ଧରେ ଯେତେ ସ୍ୱର ଉଠାଇଲେ ସୁଦ୍ଧା ଏମାନେ ଅନେକତ୍ୱ ବଳରେ ସେଥିପ୍ରତି ଆଦୌ କର୍ଣ୍ଣପାତ କରନ୍ତି ନାହିଁ ।

 

ଦ୍ୱିତୀୟତଃ ଗ୍ରାମ ବା ସଂଘର ଲୋକେ ଅଜ୍ଞତାବଶତଃ ସମୟ ସମୟରେ ‘ମେଳି’କୁ ଏକତା ବୋଲି ମନେ କରିଥାନ୍ତି । ତେଣୁ ସେମାନେ ‘ଅନେକ’ରେ ପ୍ରାଧାନ୍ୟ ସ୍ଥାପନ କରି ‘ଏକ’କୁ ଦୁର୍ବଳ ଓ ଅସହାୟ ବୋଲି ଧରି ନିଅନ୍ତି । ସେମାନଙ୍କ ମତରେ ବହୁତ ଜନ ମିଶି ଯାହା କହିବେ ବା କରିବେ, ଏକ ତାହା ହିଁ ମାନି ନେବାକୁ ବାଧ୍ୟ, ନଚେତ୍‌ ତାହାର ଅସ୍ତିତ୍ୱ ବିପଜ୍ଜନକ । ମେଳି ଯେ ଏକତା ନୁହେଁ, ଏକଥା ସେମାନଙ୍କର ବୋଧଗମ୍ୟ ହୁଏ ନାହିଁ । ମେଳି ଯେ କେବଳ ସ୍ୱାର୍ଥମୂଳକ କ୍ଷଣିକ ଉତ୍ତେଜନା ବା ଭାବପ୍ରବଣତାରୁ ଜାତ, ମାତ୍ର ଏକତା ଯେ ନୀତି, କର୍ତ୍ତବ୍ୟଜ୍ଞାନ ତଥା ବିଚାରଶକ୍ତି ଉପରେ ପ୍ରତିଷ୍ଠିତ–ଏ ଭେଦଜ୍ଞାନ ସେମାନଙ୍କର ନ ଥାଏ, ତେଣୁ ସେମାନେ ଭାବନ୍ତି ଯେ, ଜୀବିପ୍ରବୃତ୍ତି ପ୍ରଣୋଦିତ କ୍ଷଣିକ ଉନ୍ମାଦନାରେ ଚାଳିତ ହୋଇ ଏକାଠି ହୋଇଗଲେ ଏକତାର ପ୍ରତିଷ୍ଠା ହୋଇଗଲା । ଏହି ଭ୍ରମାତ୍ମକ ଧାରଣା ଅନେକ ସମୟରେ ‘ଏକ’ ଓ ‘ଅନେକ’ ମଧ୍ୟରେ ଘଟୁଥିବା ସଂଘର୍ଷର କାରଣ ହୋଇଥାଏ ।

 

ତୃତୀୟତଃ ଅଯଥାର୍ଥ ମର୍ଯ୍ୟାଦାଜ୍ଞାନ ବେଳେ ବେଳେ ଏ ସଂଘର୍ଷ ଆନୟନ କରିଥାଏ । ଅନେକଙ୍କ ମତ ଏକ ବ୍ୟକ୍ତିଦ୍ୱାରା ଖଣ୍ଡିତ ହେଲେ ବ୍ୟକ୍ତିବିଶେଷର ସମ୍ମାନ ଆଗରେ ଏତେଗୁଡ଼ାଏ ଲୋକଙ୍କର ସମ୍ମାନହାନି ଘଟିବ, ଏହି ଆଶଙ୍କାରେ ଲୋକେ ‘ଏକ’ର ମତ ଯଥାର୍ଥ ବୋଲି ବୁଝିପାରୁଥିଲେ ସୁଦ୍ଧା ଆତ୍ମସମ୍ମାନ ରକ୍ଷାର ଛଳନାରେ ଚାଳିତ ହୋଇ ତାହାର ବିରୁଦ୍ଧରେ ଦଣ୍ଡାୟମାନ ହୋଇଥାନ୍ତି । ଏ ଅଯଥା ଆତ୍ମସମ୍ମାନରକ୍ଷଣଲିପ୍‌ସା ସେମାନଙ୍କ ବିବେକର ଆହ୍ୱାନକୁ ଏଡ଼ିଦେଇ ସେମାନଙ୍କୁ ବିପଥଗାମୀ କରାଏ, ତେଣୁ ହୃଦୟରେ ‘ଏକ’ର ମତର ଯଥାର୍ଥ୍ୟ ସ୍ପଷ୍ଟ ଉପଲବ୍‌ଧି କରୁଥିଲେହେଁ ସେମାନେ ତାହାର ବିରୁଦ୍ଧରେ ସଂଗ୍ରାମ ଚଳାଇ ବସନ୍ତି । ଫଳହୁଏ ‘ଏକ’ ଓ ‘ଅନେକ’ ମଧ୍ୟରେ ସଂଘର୍ଷ ।

 

ତା’ପରେ ସମୟ ସମୟରେ ‘ଏକ’ର ବ୍ୟକ୍ତିତ୍ୱ ପ୍ରତି ଦୃଷ୍ଟି ରଖି ‘ଅନେକ’ର ନେତା ‘ଏକ’ ପ୍ରତି ପ୍ରତିହିଂସାପରାୟଣ ହୋଇ ‘ଅନେକ’କୁ ‘ଏକ’ର ବିରୁଦ୍ଧରେ ଦଣ୍ଡାୟମାନ କରାଇଦିଏ । ଜାଗତିକ ନାନା ଘଟନାର ବଶବର୍ତ୍ତୀ ହୋଇ ‘ଏକ’ ‘ଅନେକ’ର ଅନ୍ତର୍ଗତ କତିପୟ ବ୍ୟକ୍ତିଙ୍କ ସହିତ ପୂର୍ବରୁ ବିରୋଧ କରିଥିବାରୁ ଏହି କତିପୟ ବ୍ୟକ୍ତି ତାହାଙ୍କର ପ୍ରତିଶୋଧ ନେବା ନିମିତ୍ତ ସତତ ଚେଷ୍ଟିତ ଥାନ୍ତି । ସୁତରାଂ ଯେତେବେଳେ ‘ଏକ’ ସମାଜ ବା ସଂଘର ସମୂହକଲ୍ୟାଣରକ୍ଷାର୍ଥ ପ୍ରଯତ୍ନ କରି ବସେ, ସେତେବେଳେ ଏହି ବ୍ୟକ୍ତିମାନେ ସେମାନଙ୍କର ଶତ୍ରୁ ସେହି ଏକ ବ୍ୟକ୍ତି ପ୍ରତି ପ୍ରତିହିଂସା ପରାୟଣ ହୋଇ ‘ଅନେକ’ର ଅନ୍ତର୍ଗତ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ନାନା କୌଶଳରେ ତାହାର ବିପକ୍ଷରେ କାର୍ଯ୍ୟ କରିବାକୁ ପ୍ରବର୍ତ୍ତନା ଦେଇଥାନ୍ତି । ସ୍ୱାର୍ଥାନ୍ଧ ତଥା ଧନସର୍ବସ୍ୱ ବ୍ୟକ୍ତିଗୁଡ଼ିକ ସେମାନଙ୍କ ସଂଘ ବା ଦଳର ଅନ୍ତର୍ଗତ ଏହି କତିପୟ ବ୍ୟକ୍ତିଙ୍କ ପ୍ରତି ସଶ୍ରଦ୍ଧ ରହି ‘ଏକ’ର ବିରୁଦ୍ଧରେ କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ‘ଘର ପଛକେ ପୋଡ଼ିଯାଉ, ମୂଷା କେଞ୍ଚେ ପାଉ’, ଏହି ନୀତିରେ ପ୍ରଭାବିତ ହୋଇ ଲୋକଗୁଡ଼ାକ ମେଳି ବାନ୍ଧି ‘ଏକ’ର ସର୍ବନାଶ କରିବାକୁ ଉଦ୍ୟତ ହୁଅନ୍ତି-। କେତେକ ଭୀରୁ ତଥା ନିର୍ଦ୍ଧନ ବ୍ୟକ୍ତି ‘ଅନେକ’ର ଅନ୍ତର୍ଗତ କେତେକ ଧନଶାଳୀ ଓ ତଥାକଥିତ ପଦମର୍ଯ୍ୟାଦାସମ୍ପନ୍ନ ବ୍ୟକ୍ତିମାନଙ୍କ ଭୟରେ ନିଜ ନିଜର ସ୍ୱାଧୀନ ଚିନ୍ତା ଓ ବିବେକକୁ ବଳିଦେଇ ‘ଅନେକ’ର ଆଶ୍ରୟରେ ନିରାପଦ ରହିପାରିବାର ଆଶାରେ ‘ଏକ’ର ମତ ଯେତେ ଯଥାର୍ଥ ହେଲେହେଁ, ‘ଏକ’ର ବ୍ୟକ୍ତିତ୍ୱ ଯେତେ ବଳିଷ୍ଠ ବା ଆଦର୍ଶ ସ୍ଥାନୀୟ ହେଲେହେଁ; ତାହାର ପକ୍ଷ ସମର୍ଥନ କରିପାରନ୍ତି ନାହିଁ । ‘ଏକ’ ନିର୍ଦ୍ଧନ ତେଣୁ ତାହାର କଥା ଗ୍ରହଣୀୟ ନୁହେଁ, ‘ଏକ’ ଆମ ଦଳର କେତେକଙ୍କ ଶତ୍ରୁ, ତେଣୁ ସେ ମଧ୍ୟ ଆମ ସମସ୍ତଙ୍କର ଶତ୍ରୁ, ଇତ୍ୟାଦି ଦୁର୍ବିବେଚନା ସଂଘର୍ଷର କାରଣ ହୋଇପଡ଼େ ।

 

ଆହୁରି ମଧ୍ୟ ଇର୍ଷା ଏହି ସଂଘର୍ଷର ଆଉ ଏକ କାରଣ ହୋଇଥାଏ । ଆଦର୍ଶବିହୀନ କେତେଗୁଡ଼ିଏ ବ୍ୟକ୍ତି ସମଗ୍ର ଗ୍ରାମ ବା ସଂଘକୁ କରାୟତ୍ତ କରି ନିଜ ନିଜର ସ୍ୱାର୍ଥସାଧନ କରିବାରେ ଲାଗି ପଡ଼ିଥାନ୍ତି । ଏପରି ଅବସ୍ଥାରେ କୌଣସି ଏକ ବ୍ୟକ୍ତି ଦେଶପ୍ରାଣତା ବା ଅନ୍ୟ କୌଣସି ଆଦର୍ଶରେ ଅନୁପ୍ରାଣିତ ହୋଇ ସମୂହ କଲ୍ୟାଣର ଅନୁକୂଳ କେତେଗୁଡ଼ିଏ ପନ୍ଥା ଅବଲମ୍ବନ କରିବାକୁ ଗଲେ ଉଲ୍ଲିଖିତ ବ୍ୟକ୍ତିମାନଙ୍କ ମନରେ ଈର୍ଷା ଜାତ ହୋଇଥାଏ । ସେମାନେ ଏତେକାଳ ସେମାନଙ୍କର ଅବୈଧ ଆଚରଣ ବା ସ୍ୱାର୍ଥପର କାର୍ଯ୍ୟକଳାପ ବଳରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଉପରେ ପ୍ରଭାବ ବିସ୍ତାର କରି ଓ ସେମାନଙ୍କର ଅଜ୍ଞତାର ସୁବିଧା ନେଇ ନିଜ ନିଜର ପ୍ରାଧାନ୍ୟ ସ୍ଥାପନ କରି ଆସିଅଛନ୍ତି, ମାତ୍ର ବର୍ତ୍ତମାନ ଏକମାତ୍ର ବ୍ୟକ୍ତି ବାହାରିପଡ଼ି ସେମାନଙ୍କ ପ୍ରତିଷ୍ଠା ବା ମର୍ଯ୍ୟାଦାରେ ହାନି ଘଟାଉଛି, ଏଥିରେ କ୍ରୁଦ୍ଧ ହୋଇ ସେମାନଙ୍କ ଦୁର୍ବାର ସ୍ୱାର୍ଥଲିପ୍‌ସାର ଚରିତାର୍ଥତା ନିମିତ୍ତ ଗ୍ରାମ ବା ସଂଘର ଅନ୍ୟାନ୍ୟ ସମସ୍ତ ବ୍ୟକ୍ତିଙ୍କୁ ଉକ୍ତ ‘ଏକ’ ବ୍ୟକ୍ତିର ବିରୁଦ୍ଧରେ ମତାଇବାରେ ଲାଗିପଡ଼ନ୍ତି । କିପରିତାହାର ପ୍ରତିପତ୍ତି ଲୋପ ପାଇବ ଏବଂ କିପରି ସେମାନଙ୍କର ସ୍ୱାର୍ଥସାଧନ ପାଇଁ କ୍ଷେତ୍ର ଅବାରିତ ରହିବ, ଏଥିପାଇଁ ସେମାନେ ସତତ ଯତ୍ନଶୀଳ ହୋଇପଡ଼ନ୍ତି । ଫଳରେ ‘ଏକ’ ଓ ‘ଅନେକ’ ଏକ ଦୁର୍ଦ୍ଦମନୀୟ ସଂଘର୍ଷର କବଳରେ ପଡ଼ିଯାନ୍ତି ।

 

ପୁଣି ସମାଜ ନିମ୍ନସ୍ତରର ହୋଇଥିଲେ ସାଧାରଣତଃ ବ୍ୟକ୍ତିମାନଙ୍କ ମଧ୍ୟରେ ସ୍ୱାର୍ଥର ସଂଘର୍ଷ ଘଟିଥାଏ । ତ୍ୟାଗ ସେମାନଙ୍କର ଜୀବନରେ ଅତି ନିମ୍ନ ସ୍ଥାନ ଅଧିକାର କରିଥାଏ । ପ୍ରତ୍ୟେକେ ପରସ୍ପରର ସ୍ୱାର୍ଥହାନୀ ଘଟାଇ ପରସ୍ପରର ଭକ୍ଷକରୂପେ କାର୍ଯ୍ୟ କରନ୍ତି । ଯଦି କେହି କେବେ କିଛି ତ୍ୟାଗ ସ୍ୱୀକାର କରିଥାଏ, ତାହା କୌଣସି ନୀତି ବା ସମଷ୍ଟିଗତ କଲ୍ୟାଣ ଦୃଷ୍ଟିରୁ ନୁହେଁ, କେବଳ ସେହି ସ୍ୱାର୍ଥସାଧନ ଦୃଷ୍ଟିରୁ । ସେମାନଙ୍କ ପକ୍ଷରେ ବନ୍ଧୁତା, ସ୍ନେହ, ଦୟା, କ୍ଷମା ପ୍ରଭୃତି ଗୁଣଗୁଡ଼ିକ କେବଳ ସ୍ୱାର୍ଥସିଦ୍ଧିର ଗୋଟିଏ ଗୋଟିଏ କୌଶଳ ବା ଉପାୟ ମାତ୍ର । ଏମାନଙ୍କର କୃତଜ୍ଞତା ହବ୍‌ସ (Hobbes)ଙ୍କ ଭାଷାରେ କେବଳ ଭବିଷ୍ୟତ୍‌ ସ୍ୱାର୍ଥସିଦ୍ଧି ପାଇଁ ଅଭିପ୍ରେତ, ଦୟା କେବଳ କ୍ଷମତାଲିପ୍‌ସା ଉପରେ ଏବଂ ଅନୁକମ୍ପା ଅପରର ବିପଦ ଦର୍ଶନରେ ନିଜର ଭାବୀ ବିପଦର କଳ୍ପନା ଉପରେ ପ୍ରତିଷ୍ଠିତ, ସୁତରାଂ ପ୍ରକୃତ ସ୍ୱାର୍ଥତ୍ୟାଗ ଏମାନଙ୍କ ଜାତକରେ ନାହିଁ । ପ୍ରତ୍ୟେକର ଟିକିଏ ଟିକିଏ ସ୍ୱାର୍ଥର ବିସର୍ଜନରେ ସମଗ୍ର ସଂଘ ବା ସମାଜର ଯେ ମହତ୍‌ କଲ୍ୟାଣ ସାଧିତ ହୋଇପାରେ, ଏହା ସେମାନଙ୍କର ସଂକୀର୍ଣ୍ଣ ମସ୍ତିଷ୍କରେ ପ୍ରବେଶ କରିପାରେ ନାହିଁ । ଏହି ଶ୍ରେଣୀର ଲୋକମାନଙ୍କ ସପକ୍ଷରେ କୌଣସି ଏକ ବ୍ୟକ୍ତି ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେତେବେଳେ ସମୁହକଲ୍ୟାଣକ୍ଷମ ତ୍ୟାଗବ୍ରତ ଅବଲମ୍ବନ କରି ଅନ୍ୟାନ୍ୟମାନଙ୍କୁ ସେଥିରେ ଅନୁପ୍ରାଣିତ ହେବାକୁ ପ୍ରବର୍ତ୍ତନା ଦିଏ, ସେତେବେଳେ ଏହି ସ୍ୱାର୍ଥାନ୍ୱେଷୀ ‘ଅନେକ’ ତାହାର ବିରୁଦ୍ଧରେ ଖଡ଼୍‌ଗ ଉତ୍ତୋଳନ କରିବସେ । ଫଳ ହୁଏ, ‘ଏକ’ର ସଙ୍ଗେ ‘ଅନେକ’ର ସଂଘର୍ଷ । ‘ଏକ’ ତାହାର ତ୍ୟାଗ ବା ଦେଶପ୍ରେମକୁ ଯେତେ ନିଷ୍ଠାର ସହିତ ପାଳନ କଲେ ସୁଦ୍ଧା ଏହି ବ୍ୟକ୍ତିମାନେ ତାହାକୁ ଏକ ପ୍ରଚ୍ଛନ୍ନ ସ୍ୱାର୍ଥାନ୍ୱେଷୀ ବୋଲି ରଟନା କରନ୍ତି । ‘ଏକ’ ତେଣୁ ନାନା ଭାବରେ ଲାଞ୍ଛିତ, ଅପମାନିତ ଓ ପରିଶେଷରେ ପରିତ୍ୟକ୍ତ ହୋଇଥାଏ ।

 

ଏହାଛଡ଼ା ସମୟ ସମୟରେ ଏପରି ଘଟିଥାଏ ଯେ, ‘ଏକ’ ନିଜର ନୈତିକ ଅଧୋଗତିବଶତଃ କେତେକଗୁଡ଼ିଏ ଅପକର୍ମ କରି ଗ୍ରାମ ବା ସଂଘର ନାନା ଅକଲ୍ୟାଣର କାରଣ ହୋଇଥାଏ । ଏ ଶ୍ରେଣୀର ‘ଏକ’ ତଦୀୟ ସଂଘ ବା ସମାଜର ଅନ୍ୟାନ୍ୟ ବ୍ୟକ୍ତିଙ୍କର ଚକ୍ଷୁଶୂଳ ହୋଇପଡ଼େ ଏବଂ ଯେତେବେଳେ ସେମାନେ ତାହାକୁ ସଂଶୋଧନ କରିବାକୁ ଉଦ୍ୟତ ହୁଅନ୍ତି, ସେତେବେଳେ ସେ କାହାରିକୁ ଖାତିର ନ କରି ସ୍ୱକୀୟ ଧନମଦରୁ ହେଉ ବା କୁପ୍ରବୃତ୍ତିମାନଙ୍କର ପ୍ରରୋଚନାରୁ ହେଉ, ଯେ କୌଣସି କାରଣରୁ ବହୁତ ଦୁର୍ବୃତ୍ତ ଓ ଦୁର୍ଦ୍ଦମ ହୋଇଥାଏ ଏପରି ଅବସ୍ଥାରେ ‘ଅନେକ’ ‘ଏକ’ର ବିରୁଦ୍ଧାଚରଣ କରିବାକୁ ବାଧ୍ୟ ହୁଏ । ଦୁଷ୍କର୍ମା ସମାଜବିଦ୍ୱେଷୀ ‘ଏକ’ ସର୍ବଦା ସମାଜର କଳଙ୍କସ୍ୱରୂପ ଓ ତେଣୁ ସର୍ବଥା ଘୃଣାର ପାତ୍ର, ସୁତରାଂ ତାହା ସହିତ ‘ଅନେକ’ର ସଂଘର୍ଷ ଅନିବାର୍ଯ୍ୟ ।

 

ଉପରେ ‘ଏକ’ ଓ ‘ଅନେକ’ ମଧ୍ୟରେ ଘଟୁଥିବା ସଂଘର୍ଷର ସ୍ୱରୂପ ଓ କାରଣ ସମ୍ବନ୍ଧରେ ଆମ୍ଭେମାନେ କେତେକ ଆଲୋଚନା କରିଅଛୁଁ । ବର୍ତ୍ତମାନ ଦେଖିବାକୁ ହେବ, କି ଉପାୟରେ ଏ ସଂଘର୍ଷ ଦୂରୀଭୂତ ହୋଇପାରେ ।

 

ସର୍ବପ୍ରଥମେ ଭୋଟପ୍ରଥା କଥା ବିଚାର କରାଯାଉ । ଆଧୁନିକ ଯୁଗରେ ପ୍ରଚଳିତ ଏହି ପ୍ରଥାଟିର ଅଭ୍ୟନ୍ତର ବିଶ୍ଳେଷଣ କରି ଦେଖିଲେ ବୁଝାଯିବ ଯେ, ଏହା ଏକ ନୀତି ଉପରେ ପ୍ରତିଷ୍ଠିତ-। ଏହାର ନୀତି ହେଉଛି–ଯଦି କୌଣସି ସମସ୍ୟାର ସମାଧାନ ସମ୍ପର୍କରେ ମତଭେଦ ପରିଲକ୍ଷିତ ହୁଏ, ତାହାହେଲେ ସମସ୍ୟାଟିର ସ୍ୱରୂପ ତଥା ଲକ୍ଷ୍ୟ ଉପରେ ବିଶଦ ଆଲୋଚନା ଏକାନ୍ତ ଆବଶ୍ୟକ ଏବଂ ଏହାର ସପକ୍ଷ ଓ ବିପକ୍ଷରେ ନାନା ତର୍କବିତର୍କ ପରେ ଯଦି ସ୍ଥିର ହୁଏ ଯେ; ଏହା ପ୍ରକୃତରେ ଦେଶ ବା ସମାଜର କଲ୍ୟାଣ ସାଧନର ଅନୁକୂଳ, ତାହାହେଲେ ଏହା ଗ୍ରହଣୀୟ, ଅନ୍ୟଥା ବର୍ଜନୀୟ । ମାତ୍ର ଏହି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସଂଘ ବା ସମାଜର ବ୍ୟକ୍ତିମାନଙ୍କର ମତ ସପକ୍ଷରେ କି ବିପକ୍ଷରେ, ଏହା ନିରୂପଣ କରିବା ନିମିତ୍ତ ଭୋଟ ସଂଗ୍ରହ କରାଯାଇଥାଏ । ଯଦି ବହୁସଂଖ୍ୟକ ଭୋଟ ଉପସ୍ଥିତ କ୍ଷେତ୍ରରେ ସିଦ୍ଧାନ୍ତଟିର ଅନୁକୂଳ ହୋଇଥାଏ, ତାହାହେଲେ ଏହାର ବିପକ୍ଷରେ ଥିବା ଅଳ୍ପସଂଖ୍ୟକ ବା ସଂଖ୍ୟାଲଘିଷ୍ଠ ଲୋକଙ୍କ ଭୋଟକୁ ପ୍ରତ୍ୟାହାର କରିବାକୁ ହୋଇଥାଏ । ଏଥିରୁ ଅନୁମିତ ହେବ ଯେ, ଭୋଟଗ୍ରହଣ ଏକ ଯାଦୃଚ୍ଛିକ କାର୍ଯ୍ୟ ନୁହେଁ, ମାତ୍ର ଏହାର ପ୍ରକୃତ ଅର୍ଥ ଓ ଲକ୍ଷ୍ୟ ପ୍ରତି ଦୃଷ୍ଟି ନ ଦେଇ ଏବଂ କେବଳ ଏହାର ବାହ୍ୟ ଦିଗଟିକୁ ଆଦର୍ଶରୂପେ ଗ୍ରହଣ କରି ଲୋକେ ଅନେକ ସମୟରେ ଅଳ୍ପସଂଖ୍ୟକ ବା ଏକ ବ୍ୟକ୍ତିର ମତକୁ ଫୋପାଡ଼ି ଦେଇଥାନ୍ତି । ‘ଏକ’ ସଂଖ୍ୟାରେ ‘ଅନେକ’ରୁ ନ୍ୟୂନ ହୋଇଥିବାରୁ ଏହି ପ୍ରଥାଟି କେବଳ ଅନ୍ଧାରୁଆ ହାତଉଠା କାରବାରରେ ପରିଣତ ହୋଇଥାଏ । ଲୋକ ବୁଝନ୍ତି ନାହିଁ ଯେ, ବିନା ଆଲୋଚନାରେ ‘ଅନେକ’ର ମତକୁ ଯଥାର୍ଥ ଓ ‘ଏକ’ର ମତକୁ ଅଯଥାର୍ଥ ବୋଲି ମନେ କରିବା ଅବିମୃଶ୍ୟକାରିତା ଛଡ଼ା କିଛି ନୁହେଁ । କାରଣ ସମୟ ସମୟେ ଜଣେ ଜଣେ ଯେଉଁ ମତ ବା କର୍ମପନ୍ଥାର ନିର୍ଦ୍ଦେଶ ଦିଅନ୍ତି, ଯଥାଯଥ ଆଲୋଚନାରେ ତାହା ଅଭ୍ରାନ୍ତ ବୋଲି ପ୍ରମାଣିତ ହୋଇଥାଏ । ଉଦାହରଣ ସ୍ୱରୂପ, ଏକ ବୁଦ୍ଧ, ଏକ ଖ୍ରୀଷ୍ଟ ଓ ଏକ ଗାନ୍ଧି ନିଜ ନିଜର ନୀତି ଓ ଧର୍ମ ପ୍ରଚାର କଲାବେଳେ ଏହି ବିଶ୍ୱାସରେ ଚାଳିତ ହୋଇଥିଲେ ଯେ, ସେମାନଙ୍କର ନୀତି ଓ ଧର୍ମ ଅଧିକାଂଶ ବ୍ୟକ୍ତିଙ୍କ ଦ୍ୱାରା ଗୃହୀତ ହେବ, ମାତ୍ର ପ୍ରତ୍ୟେକଙ୍କ ବିରୁଦ୍ଧରେ ‘ଅନେକ’ ବାଧା ସୃଷ୍ଟି କରିଅଛି ଓ ତାହାର ଫଳରେ ପ୍ରତ୍ୟେକେ ନାନା ଭାବରେ ଅବମାନିତ ଓ ନିର୍ଯ୍ୟାତିତ ହୋଇଅଛନ୍ତି । ତଥାପି ଯେତେବେଳେ ଲୋକମାନେ ବୁଝିପାରୁଛନ୍ତି ଯେ, ସେମାନଙ୍କ ପ୍ରଚାରିତ ନୀତି ଓ ଧର୍ମ ପ୍ରକୃତରେ ସତ୍ୟ ତଥା ଗ୍ରହଣୀୟ, ସେତେବେଳେ ପ୍ରତ୍ୟେକେ ସାଦରେ ପୂଜିତ ହୋଇଅଛନ୍ତି । ମନେ ରଖିବା ଉଚିତ, ସଂସ୍କାରକ ସାଧାରଣ ଏକ ବ୍ୟକ୍ତି ହୋଇଥାନ୍ତି । କେବଳ ଅନ୍ଧପୁରୀ ନିଶାପ ବଳରେ ବହୁତ ଜନ ମିଳି ଉକ୍ତ ସଂସ୍କାରକୁ ହେୟଜ୍ଞାନ କରିବା କୌଣସିମତେ ସମୀଚୀନ ନୁହେ । ବାସ୍ତବିକ ‘ଏକ’ ‘ଅନେକ’କୁ ପ୍ରଭାବିତ କରିପାରେ ଏବଂ ‘ଅନେକ’ର ଅବନତ ଜୀବନକୁ ଉନ୍ନତ କରି ସମାଜ ବା ସଂଘର ପୂଜ୍ୟ ହୋଇପାରେ ।

 

ତା’ପରେ ମେଳି ଓ ଏକତାର କଥା । ଏ ଦୁଇଟି ଯେ ଏକ ନୁହେ, ତାହା ଦେଶବାସୀ ସମ୍ୟକ୍‌ ହୃଦୟଙ୍ଗମ କଲେ ଏହି ସଂଘର୍ଷର ଅବସାନ ହେବ । ଆଗରୁ କହିଅଛୁ, ମେଳି କ୍ଷଣିକ ଉନ୍ମାଦନା ଉପରେ ପ୍ରତିଷ୍ଠିତ ବୋଲି କ୍ଷଣସ୍ଥାୟୀ, ମାତ୍ର ଏକତା ନୀତି, କର୍ତ୍ତବ୍ୟଜ୍ଞାନ ତଥା ବିଚାର ଉପରେ ପ୍ରତିଷ୍ଠିତ ହୋଇଥିବାରୁ ତାହାର ସ୍ଥାୟିତ୍ୱ ଦୀର୍ଘକାଳବ୍ୟାପୀ । ମେଳି ହୁଏତ ଅସାଧ୍ୟସାଧନ କରିପାରେ, ମାତ୍ର ତାହାର ପରିଣାମ ଶୁଭାବହ ନୁହେ । ମେଳିର ‘ଅନେକ’ ଭୟପ୍ରଦର୍ଶନ, ଅତ୍ୟାଚାର ପ୍ରଭୃତି ଉପାୟରେ ‘ଏକ’କୁ ବଶୀଭୂତ କରିପାରେ, ମାତ୍ର ‘ଏକ’ର ହୃଦୟରେ ହିତକର ପରିବର୍ତ୍ତନ ଆଣିପାରେ ନାହିଁ । ମେଳିସଂଘଟିତ ସଂସ୍କାର ସଂସ୍କାର, ନୁହେ, କାରଣ ଏହା ଅନ୍ଧତାଡ଼ନା ଓ ଭୟପ୍ରଦର୍ଶନ ଉପରେ ପ୍ରତିଷ୍ଠିତ । ମାତ୍ର ଏକତା ନୀତିମୂଳକ, ଏହାର ସୂତ୍ର ଦୃଢ଼ ଏବଂ ଏହି ସୂତ୍ରରେ ଆବଦ୍ଧ ଲୋକେ ଦୀର୍ଘକାଳ ଧରି ସୁଖଶାନ୍ତିରେ ତିଷ୍ଠିପାରନ୍ତି । ସୁତରାଂ ମେଳିଗତ ‘ଅନେକ’, ଏକତାବଦ୍ଧ ‘ଅନେକ’ଠାରୁ ସମ୍ପୂର୍ଣ୍ଣ ପୃଥକ୍‌ । ଏକତାବଦ୍ଧ ‘ଅନେକ’ ‘ଏକ’ର ଉପରେ କଲ୍ୟାଣକର ପ୍ରଭାବ ବିସ୍ତାର କରିପାରେ, ମାତ୍ର ମେଳିଗତ ‘ଅନେକ’ ଉନ୍ମାଦନାର ବଶବର୍ତ୍ତୀ ହୋଇ ଅବ୍ୟବସ୍ଥିତ ଭାବରେ ଯାହା ତାହା କରିପକାଏ–ଯଦିବା କୌଣସି ସମୟରେ ଦୈବାତ୍‌ ଭଲ କାର୍ଯ୍ୟ କରିଥାଏ, ତାହା ଅବ୍ୟବସ୍ଥିତ ଚିତ୍ତର ପ୍ରସାଦ ପରି ଭୟାବହ । ଆଦର୍ଶ ମହତ୍‌ ହେଲେ ଓ ତଦନୁଯାୟୀ ‘ଅନେକ’ର କର୍ମପନ୍ଥା ନିୟମିତ ହେଲେ କୌଣସି ‘ଏକ’ ସେଥିରୁ ବହୁକଳ ବିଚ୍ଛିନ୍ନ ହୋଇ ରହିପାରିବ ନାହିଁ, କିନ୍ତୁ ଦୁଃଖର କଥା, ମେଳିକୁ ଏକତାରୂପେ ବୁଝି ଲୋକେ ବିଚାରହୀନ ଭାବରେ ‘ଅନେକ’ର ଉତ୍କର୍ଷ ପ୍ରତିପାଦନ କରିବାକୁ ବସନ୍ତି । ଏହି ନିର୍ବୋଧତା ଦୂର ହେଲେ ‘ଏକ’ର ସହିତ ‘ଅନେକ’ର ସଂଘର୍ଷ ଅପସରିଯିବ ।

 

ତୃତୀୟ କାରଣର ଦୂରୀକରଣ ନିମିତ୍ତ ଗ୍ରାମ ବା ସଂଘକୁ ଅମୂଳକ ମର୍ଯ୍ୟାଦାଜ୍ଞାନର ବହୁ ଦୂରରେ ରହିବାକୁ ହେବ । ମନେ ରଖିବାକୁ ହେବ, ‘ଏକ’ର ମତ ଅନେକ ସମୟରେ ସତ୍ୟ ବା ଅଭ୍ରାନ୍ତ ହୋଇପାରେ ଏବଂ ‘ଅନେକ’ର ମତ ଏକାବେଳକେ ଅସତ୍ୟ ବା ଭ୍ରାନ୍ତ ବୋଲି ପ୍ରମାଣିତ ହୋଇପାରେ । ପଚିଶ ଜଣ ଯାହା କହିବେ ବା କରିବେ, ତାହାହିଁ ସର୍ବଦା ଠିକ୍‌ ଏବଂ ବିନା ବିଚାରରେ ଗ୍ରହଣଯୋଗ୍ୟ–ଏଭଳି ଉକ୍ତି କୌଣସିମତେ ତର୍କଶାସ୍ତ୍ରସମ୍ମତ ନୁହେଁ । ସତ୍ୟ ଓ ନ୍ୟାୟର ସମକକ୍ଷରେ କି ‘ଏକ’, କି ‘ଅନେକ’, ପ୍ରତ୍ୟେକର ନତମସ୍ତକ ହେବା ବିଧେୟ । ‘ଏକ’ର ମତ ଯଥାର୍ଥ ହେଲେ, ତାହା ଅକାତରରେ ଗ୍ରହଣ କରିବାଦ୍ୱାରା ମର୍ଯ୍ୟାଦା ହାନି ଘଟିବା ପରିବର୍ତ୍ତରେ ବରଂ ଯଥାର୍ଥ ମର୍ଯ୍ୟାଦାବୋଧର ପ୍ରକୃଷ୍ଟ ପରିଚୟ ମିଳିଥାଏ । ଦୁର୍ବଳ ତଥା ବିଚାରହୀନ ଜନତା ସଂଖ୍ୟାଗରିଷ୍ଠତାକୁ ବଳ କରି ‘ଏକ’ର ଯଥାର୍ଥ ମତକୁ ଅଯଥାର୍ଥ ବୋଲି ପ୍ରତ୍ୟାଖ୍ୟାନ କରିବାଦ୍ୱାରା ଆପଣାକୁ ସମ୍ମାନିତ ମନେକରିପାରେ ମାତ୍ର ତାହାର ଏହି ତଥାକଥିତ ସମ୍ମାନର ଅନ୍ତରାଳରେ କେବଳ ଅପମାନର ପରିଚୟ ମିଳେ । ସତ୍ୟ ଓ ନ୍ୟାୟର ପୂଜକ ‘ଏକ’ ହେଲେ ବି ‘ଅନେକ’ର ଭୌତିକବଳକୁ ପଦଦଳିତ କରି ଆପଣାର ତଥା ସମାଜ ବା ସଂଘର ଗୌରବ ବଢ଼ାଇଥାଏ । ବାସ୍ତବିକ ଏପରି ‘ଏକ’ ପ୍ରକୃତରେ ବୀରପଦବାଚ୍ୟ । ସେହିପରି ‘ଅନେକ’ ଯଦି ଉପଲବ୍‌ଧି କରେ ଯେ, ସତ୍ୟ ଓ ନ୍ୟାୟର ମର୍ଯ୍ୟାଦା ସଂରକ୍ଷିତ ହେବାରେ ହିଁ ଜୀବନରେ ଯଥାର୍ଥ ମର୍ଯ୍ୟାଦା ଫୁଟିଉଠେ, ତାହାହେଲେ ସତ୍ୟସନ୍ଧ ତଥା ନ୍ୟାୟପରାୟଣ ‘ଏକ’ର ସହିତ ତାହାର ସଂଘର୍ଷର ଅବକାଶ ରହିବ ନାହିଁ । ସୁତରାଂ ବୃଥା ଅଭିମାନ ଓ ବୃଥା ଅହଂଜ୍ଞାନରେ ଚାଳିତ ନ ହୋଇ ‘ଅନେକ’କୁ ମନେରଖିବାକୁ ହେବ ଯେ, ‘ଏକ’ ମଧ୍ୟ ନିଜର ସ୍ୱାଧୀନ ଚିନ୍ତାବଳରେ ‘ଅନେକ’ର ପଥନିର୍ଦ୍ଦେଶକ ହୋଇପାରେ ।

 

ଏହାପରେ ଚତୁର୍ଥ କାରଣ ପ୍ରତି ଦୃଷ୍ଟି ଦିଆଯାଉ । ନିର୍ଦ୍ଧନ, ନିଃସହାୟ ଓ ନିରାଡ଼ମ୍ବର ବ୍ୟକ୍ତିର ଉକ୍ତିକୁ ହେୟଜ୍ଞାନ କରିବା ଲୋକମାନଙ୍କର ଯେପରି ଏକ ସ୍ୱାଭାବିକ ପ୍ରବୃତ୍ତି ହୋଇପଡ଼ିଛି-। ସାଧାରଣତଃ ସେମାନେ ଧନକୁହିଁ ମର୍ଯ୍ୟାଦାର ମାପକାଠି ବୋଲି ଧରି ନିଷ୍ଠାପର ତଥା କର୍ତ୍ତବ୍ୟପରାୟଣ ବ୍ୟକ୍ତିର ନୀତି ବା କର୍ମପନ୍ଥାକୁ ତାହାର ନିର୍ଦ୍ଧନତ୍ୱର ଦୃଷ୍ଟିରେ ଅତି ହୀନ ବୋଲି ମନେ କରିଥାନ୍ତି । ଯେଉଁମାନେ ବୁଝନ୍ତି ନାହିଁ ଯେ, କେବଳ ଧନିତ୍ୱ ଜୀବନରେ ଯଥାର୍ଥ ମାନଦଣ୍ଡ ହୋଇ ନ ପାରେ । ଅସହାୟ ତଥା ଅବହେଳିତ ବ୍ୟକ୍ତିର ସମକ୍ଷରେ ଧନର ଗାରିମା ଦେଖାଇ ସେମାନେ କିଛିକ୍ଷଣ ତାଣ୍ଡବନୃତ୍ୟ କରିପାରନ୍ତି, ମାତ୍ର ଦିନ ଆସେ, ଯେତେବେଳେ ସେହି ଧନିତ୍ୱର ମଦିରା ପାନ କରି ସୋନେ ଅଧୋଗତିର ଗଭୀର ଗହ୍ୱରରେ ସମାଧି ଲାଭ କରନ୍ତି । ନିର୍ମଳମନା, ପରୋପକାରୀ, ସ୍ୱାଧୀନଚେତା ଓ ଚରିତ୍ରବାନ୍‌ ଏକ ନିର୍ଦ୍ଧନ ବ୍ୟକ୍ତି କୋଟି କୋଟି ସଂକୀର୍ଣ୍ଣମନା, ଗର୍ବୋନ୍ନତ୍ତ ଓ ଦୁଶ୍ଚରିତତ୍ର ଧନାଢ଼୍ୟ ବ୍ୟକ୍ତିଙ୍କଠାରୁ ସହସ୍ର ଗୁଣରେ ଶ୍ରେୟସ୍କର । ସେଥିପାଇଁ କହୁଁ, ‘ଏକ’ ଯେତେ ନିର୍ଦ୍ଧନ ଓ ନିଃସହାୟ ହେଲେ ବି, ତାହାର ସାମାଜିକ ପଦମର୍ଯ୍ୟାଦା ଏହି ଦୃଷ୍ଟିରୁ ଯେତେ ଅଳ୍ପ ହେଲେହେଁ, ତାହାର ଉଜ୍ଜ୍ୱଳ ବିବେକ, ସତ୍ୟ ଓ ନ୍ୟାୟ ପ୍ରତି ତାହାର ଶ୍ରଦ୍ଧା ଓ ତାହାର ଶୁଦ୍ଧଚରିତ୍ରବତ୍ତାର ସମ୍ମୁଖରେ ଶତ ଶତ ‘ଅନେକ’ ଦୁର୍ବଳ ତଥା ନିକୃଷ୍ଟ ବୋଲି ବିବେଚିତ ହେବେ । ହୃଦୟରେ ଏହି ଭାବ ପୋଷଣ କରି ଗତି କଲେ ସଂଘର୍ଷର ସମ୍ଭାବନା ବହୁପାରିମାଣରେ କମିଯିବ-

 

ଈର୍ଷା କିପରି ଏହି ସଂଘର୍ଷର ଆଉ ଏକ କାରଣ, ଏହା ଆଗରୁ ଦେଖାଇ ଦିଆଯାଇଅଛି-। ଈର୍ଷାପରାୟଣ ‘ଅନେକ’ ‘ଏକ’ର ପ୍ରତିଷ୍ଠା ବା ନେତୃତ୍ୱ ସ୍ୱୀକାର କରିବାକୁ ଏକାନ୍ତ ଅନିଚ୍ଛୁକ ଥିବାର ଦେଖାଯାଏ । ମାତ୍ର ସର୍ବଦା ସ୍ମରଣ ରଖିବା ଉଚିତ, ଈର୍ଷା ଲୋକକୁ ବିଚାରାନ୍ଧ କରି ଅପରର ଉନ୍ନତିରେ ନାନା ପ୍ରତିବନ୍ଧକ ସୃଷ୍ଟି କରିବାଦ୍ୱାରା ଜୀବନକୁ କଳଙ୍କିତ ତଥା ଅବନତ କରିପକାଏ । ତେଣୁ ଆତ୍ମସଂଯମ ଓ ଉଦାରକତାବଳରେ ଏହି ଦୁର୍ଗୁଣଟି ପରିହାର କରି ‘ଏକ’ର ନୀତି ଓ କର୍ମପନ୍ଥାକୁ ନିରପେକ୍ଷ ଭାବରେ ବିଚାର କରିବା ଉଚିତ । ଈର୍ଷାଜନିତ ଅସହିଷ୍ଣୁତା ସମାଜ ତଥା ଜାତିର ଉନ୍ନତିରେ ଏକ ପ୍ରଧାନ ଅନ୍ତରାୟ । ଏହି ଭାବରେ ଚାଳିତ ହୋଇ ‘ଅନେକ’ ‘ଏକ’ର କାର୍ଯ୍ୟକୁ ଯଥାଯଥ ଭାବରେ ବିଚାର କଲେ ସଂଘର୍ଷର ସମ୍ଭାବନା ରହିବ ନାହିଁ ।

 

ଈର୍ଷା ପରି ସ୍ୱାର୍ଥପରତା ମଧ୍ୟ ବହୁ ଅନିଷ୍ଟର କାରଣ ହୋଇଥାଏ । ସମାଜ ବା ସଂଘର ସ୍ୱାର୍ଥପର ବ୍ୟକ୍ତିମାନେ ସଂକୀର୍ଣ୍ଣତାର ଦାସ ହୋଇ ନିଜ ନିଜର ଆତ୍ମମ୍ଭରିତା ଚରିତାର୍ଥ କରିବା ନିମିତ୍ତ ସଂଘର୍ଷକୁ ପ୍ରଶୟ ଦେଇଥାନ୍ତି । ସେମାନେ ବୁଝନ୍ତି ନାହିଁ ଯେ ଏକର ସ୍ୱାର୍ଥ ଅନ୍ୟର ସ୍ୱାର୍ଥ ସହିତ ଜଡ଼ିତ ଏବଂ ପ୍ରତ୍ୟେକର ହିତ ପ୍ରତି ସମ୍ମାନ ରଖି କାର୍ଯ୍ୟ ନ କଲେ କେବଳ ଅପରର ସ୍ୱାର୍ଥ ଯେ ନଷ୍ଟ ହେବ, ତାହା ନୁହେଁ, ସେମାନଙ୍କର ନିଜ ନିଜର ସ୍ୱାର୍ଥସିଦ୍ଧିରେ ମଧ୍ୟ ବାଧା ପଡ଼ିବ । ସୁତରାଂ ସ୍ୱାର୍ଥ ଦୃଷ୍ଟିରୁ ‘ଅନେକ’କୁ ମତାଇ ‘ଏକ’ର ତ୍ୟାଗ ଓ ଦେଶପ୍ରାଣତାକୁ ପଣ୍ଡ କରିବାକୁ ଚେଷ୍ଟା କରିବା କେବଳ ଆତ୍ମହତ୍ୟା ସଙ୍ଗେ ସମାନ । ସେଥିପାଇଁ ‘ଅନେକ’କୁ ସ୍ୱାର୍ଥପର ବ୍ୟକ୍ତିମାନଙ୍କ କୁପରାମର୍ଶରେ ନ ପଡ଼ି ବରଂ ସମାଜ ବା ସଂଘର କଲ୍ୟାଣକାମୀ ‘ଏକ’କୁ ଆଦରର ସହିତ ଗ୍ରହଣ କରିବାକୁ ହେବ । ତାହାହେଲେ ଯାଇଁ ସ୍ୱାର୍ଥାନ୍ଧତାମୂଳକ ସଂଘର୍ଷ ଦୂରୀଭୂତ ହେବ ।

 

ଏ ପର୍ଯ୍ୟନ୍ତ ଆମ୍ଭେମାନେ ଯାହା କହିଗଲୁଁ, ସେଥିରୁ କେହି କେହି ଭାବିପାରନ୍ତି ଯେ, ଆମ୍ଭେମାନେ କେବଳ ‘ଏକ’ର ପକ୍ଷ ସମର୍ଥନ କରି ‘ଅନେକ’ର ଦୋଷଦର୍ଶୀ ହୋଇଅଛୁଁ । ମାତ୍ର ତା ନୁହେଁ । ଆମ୍ଭେମାନେ ମଧ୍ୟ ଦେଖାଇଅଛୁଁ ଯେ ସମୟ ସମୟରେ ‘ଏକ’ ସମାଜ ବା ସଂଘର ସାମୂହିକ କଲ୍ୟାଣର ବିରୁଦ୍ଧରେ ଗତି କରି ‘ଅନେକ’ର ଘୃଣାର ପାତ୍ର ହୋଇଥାଏ । ଏହି ଶ୍ରେଣୀର ‘ଏକ’ ‘ଅନେକ’ର ସହିତ ଯେଉଁ ସଂଘର୍ଷ ଆଣିଥାଏ, ତାହାର ଦୂରୀକରଣ ନିମିତ୍ତ ତାହାକୁ ସଂଶୋଧନ କରିବାକୁ ହେବ । ଯଦି ଏହି ‘ଏକ’ ଅସଂଶୋଧ୍ୟ ହୋଇପଡ଼େ, ତାହାହେଲେ ‘ଅନେକ’ର କର୍ତ୍ତବ୍ୟ ହେଉଛି, ତାହାପ୍ରତି କଠୋର ଉପାୟ ଅବଲମ୍ବନ କରିବା; ମାତ୍ର ଏହା କରିବା ପୂର୍ବରୁ ସେ ଯେପରି ତାହାର ଗତିବିଧିର ଅବୈଧତା ହୃଦୟଙ୍ଗମ କରିପାରିବ, ତତ୍‌ପ୍ରତି ‘ଅନେକ’ର ଯତ୍ପରୋନାସ୍ତି ଚେଷ୍ଟା କରିବା ଉଚିତ । ଜୀବନରେ ଶାସ୍ତିର ଯେ ସ୍ଥାନ ନାହିଁ, ଏ କଥା କେହି କହୁ ନାହିଁ, ମାତ୍ର ଏହି ଶାସ୍ତିବିଧାନର ମୂଳନୀତି ହେବା ଉଚିତ–‘ପାପୀର ନାଶ ଅପେକ୍ଷା ପାପୀର ପାପର ନାଶ ବରଂ ଶ୍ରେୟସ୍କର ।’ ‘ଏକ’କୁ ମଧ୍ୟ ମନେ ରଖିବାକୁ ହେବ, ‘ଅନେକ’ ସବୁବେଳେ ଭ୍ରାନ୍ତ ନୁହେଁ କି ସେ ନିଜେ ସବୁବେଳେ ଅଭ୍ରାନ୍ତ ନୁହେଁ । ତେଣୁ ପରସ୍ପର ପରସ୍ପର ପ୍ରତି ଶ୍ରଦ୍ଧା, ସହାନୁଭୂତି ଓ ସମ୍ମାନ ରଖି ବିଚାର ବଳରେ ଯଥାବିଧି କାର୍ଯ୍ୟ କଲେ ‘ଏକ’ ‘ଅନେକ’ର ଅନ୍ତର୍ଭୁକ୍ତ ହେବ ଓ ସଂଘର୍ଷର ସମ୍ଭାବନା ରହିବ ନାହିଁ ।

 

ବର୍ତ୍ତମାନ ପ୍ରଶ୍ନ ହେଉଛି–‘ଏକ’ ଓ ‘ଅନେକ’ ମଧ୍ୟରେ ପ୍ରକୃତ ସମ୍ପର୍କ କଅଣ ? ଉପରଲିଖିତ ଆଲୋଚନାରୁ ଅନୁମିତ ହୋଇପାରେ, ଯେପରି କି ‘ଏକ’ ଓ ‘ଅନେକ’ ପରସ୍ପରଠାରୁ ସ୍ୱତନ୍ତ୍ର, ମାତ୍ର ସୂକ୍ଷ୍ମଭାବରେ ଦେଖିଲେ ସ୍ପଷ୍ଟ ପ୍ରତୀୟମାନ ହେବ ଯେ ଉଭୟର ଏହି ଆପାତସ୍ୱାତନ୍ତ୍ର୍ୟର ମୂଳରେ ଏକ ନିଗୁଢ଼ ଅବିଚ୍ଛେଦ୍ୟ ସମ୍ପର୍କ ନିହିତ ରହିଅଛି । ‘ଏକ’ର ଅଭାବରେ ‘ଅନେକ’ର ଓ ‘ଅନେକ’ର ଅଭାବରେ ‘ଏକ’ର ମୂଲ୍ୟ ଉପଲବ୍‌ଧି ହେବା ଅସମ୍ଭବ । ‘ଏକ’କୁ ଘେନି ‘ଅନେକ’ ଓ ‘ଅନେକ’କୁ ଘେନି ‘ଏକ’ ତିଷ୍ଠି ପାରିଅଛି । ‘ଏକ’ ‘ଏକ’ର ମିଳନରେ ‘ଅନେକ’ ଓ ‘ଅନେକ’ର ଅଙ୍ଗରୂପରେ ‘ଏକ’ ସମ୍ଭବପର । ତେଣୁ ‘ଅନେକ’ରୁ ବିଚ୍ଛିନ୍ନ ‘ଏକ’ ଓ ‘ଏକ’ରୁ ବିଚ୍ଛିନ୍ନ ‘ଅନେକ’ ବନ୍ଧ୍ୟାପୁତ୍ର ପରି ଅଳିକ । ‘ଏକ’ର ମହତ୍ତ୍ୱରେ ‘ଅନେକ’ର ପୁଷ୍ଟି ଓ ‘ଅନେକ’ର ପୁଷ୍ଟିରେ ‘ଏକ’ର ମହତ୍ତ୍ୱ ପ୍ରତିପାଦିତ ହୋଇଥାଏ । ଉଭୟ ପରସ୍ପରକୁ ପ୍ରଭାବିତ କରିଥାନ୍ତି, କାରଣ ଉଭୟେ ଏକ ଗୋଷ୍ଠୀ ବା ସମାଜର ଦୁଇଟି ବିଭାଗ ମାତ୍ର । ଦାର୍ଶନିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯିବ ଯେ, ଏକ ନିତ୍ୟ ପଦାର୍ଥରୁ ବହୁ ବା ‘ଅନେକ’ର ଉତ୍ପତ୍ତି ଘଟିଅଛି ଏବଂ ଏହି ବହୁ ବା ‘ଅନେକ’ର ମଧ୍ୟରେ ସେହି ‘ଏକ’ ସନାତନ ବସ୍ତୁ ହିଁ ଅନୁସ୍ୟୂତ ରହିଅଛି । ବିଶ୍ୱର ପ୍ରତ୍ୟେକ ବିଭାଗରେ ତେଣୁ ‘ଏକ’ ଓ ‘ଅନେକ’ ପରସ୍ପର ଅଙ୍ଗାଙ୍ଗୀ ଭାବରେ ବିଦ୍ୟମାନ ରହିଅଛନ୍ତି–କେହି କାହାଠାରୁ ବିଚ୍ଛିନ୍ନ ନୁହେଁ ଏହି ସତ୍ୟ ହିଁ ମାନବସମାଜରେ ପ୍ରକଟିତ ହେଉଅଛି । ସମାଜର ବିଭିନ୍ନ ମତାବଲମ୍ବୀ ବ୍ୟକ୍ତିମାନଙ୍କ ମଧ୍ୟରେ ଐକ୍ୟ ଯେ ପରିଲକ୍ଷିତ ହୁଏ, ସମାଜସ୍ଥ ବ୍ୟକ୍ତିମାନେ ଏକଭାବାପନ୍ନ ହୋଇ ଏକ କର୍ତ୍ତବ୍ୟ ବା ଲକ୍ଷ୍ୟକୁ ସମସ୍ତଙ୍କର କର୍ତ୍ତବ୍ୟ ବା ଲକ୍ଷ୍ୟ ବୋଲି ମନେ କରନ୍ତି, ତାହା କେବଳ ‘ଏକ’ ଓ ‘ଅନେକ’ ମଧ୍ୟରେ ନିହିତ ଏହି ଅବିଚ୍ଛେଦ୍ୟ ସମ୍ପର୍କ ହେତୁରୁ ହିଁ ସମ୍ଭବପର ହୋଇଅଛି । ତାହା ନ ହୋଇଥିଲେ ‘ଅନେକ’ କେବଳ କେତେଗୁଡ଼ିଏ ବିଚ୍ଛିନ୍ନ, ସ୍ୱତନ୍ତ୍ର ଓ ତେଣୁ ପରସ୍ପର ବିରୋଧୀ ‘ଏକ’ର ଆକସ୍ମିକ ଏକତ୍ରୀକରଣ ମାତ୍ର ହୋଇ ପଡ଼ନ୍ତା । ଯେଉଁ ‘ଏକ’ ‘ଅନେକ’ର ପୃଷ୍ଠପୋଷକ ନୁହେଁ ଓ ଯେଉଁ ‘ଅନେକ’ ଏକତ୍ୱ ଉପରେ ମିଳିତ ନୁହେଁ, ତାହା କେବଳ ଗୋଟିଏ ଅବାସ୍ତବ ମାନସକଳ୍ପନା ମାତ୍ର । ସମାଜସ୍ଥ ଅନେକଙ୍କର ପ୍ରଚେଷ୍ଟା ଓ ପ୍ରଭାବରେ ‘ଏକ’ ତାହାର ବ୍ୟକ୍ତିତ୍ୱ ନେଇ ଜନ୍ମଗ୍ରହଣ କରେ ଓ ଏହି ‘ଏକ’ର ବିକାଶ ଏବଂ ପ୍ରଭାବ ‘ଅନେକ’କୁ ନିୟମିତ କରି ସମଗ୍ର ସମାଜକୁ ପ୍ରଗତିଶୀଳ କରିଥାଏ; ସୁତରାଂ ଉଭୟର ସମନ୍ୱୟରେ, ଉଭୟର ସହଯୋଗରେ ହିଁ ମାନବସମାଜର ଅସ୍ତିତ୍ୱ ଓ ଅଭିବୃଦ୍ଧି ନିର୍ଭର କରେ ।

 

ଅତଏବ ଆମ୍ଭମାନଙ୍କୁ ‘ଏକ’ ଓ ‘ଅନେକ’ ଏହି ଦୁହିଁଙ୍କ ମଧ୍ୟରେ ନିହିତ ପ୍ରକୃତ ସମ୍ବନ୍ଧ ଉପଲବ୍‌ଧି କରି ସମାଜରେ ଗତି କରିବାକୁ ହେବ ଏବଂ ସେଥି ସଙ୍ଗେ ସଙ୍ଗେ ମନେ ରଖିବାକୁ ହେବ ଯେ, ଉଭୟଙ୍କ ମଧ୍ୟରେ ଯେଉଁ ସବୁ ସଂଘର୍ଷ ଘଟୁଅଛି, ତାହା କେବଳ ଉଭୟଙ୍କର ଚରମ କଲ୍ୟାଣର ପ୍ରତିଷ୍ଠା ନିମିତ୍ତ, ମାନବସମାଜର ଦୃଢ଼ ସଂଗଠନ ନିମିତ୍ତ ଏକ ପୂର୍ବଗାମୀ ଅସ୍ଥାୟୀ ଅବସ୍ଥା ମାତ୍ର । ବିରୋଧର ପରେ ସଂଯୋଗ, ବିଚ୍ଛେଦର ପରେ ମିଳନ, ଜୀବନର ସରସତା ସମ୍ପାଦନ କରିପାରିଲେ, ସଂଘର୍ଷ କେବଳ ସ୍ମୃତିର ବସ୍ତୁ ହୋଇ ରହିବ ଏବଂ ମାନବସମାଜ ‘ଏକ’ରେ ‘ଅନେକ’ ଓ ‘ଅନେକ’ରେ ‘ଏକ’ ଦେଖି ନିଜର ଉତ୍କର୍ଷ ଉପଲବ୍‌ଧି କରିବ ।

Image

 

Unknown

ନୂତନ ଓ ପୁରାତନ

 

ମାନବଜାତିର ନୂତନ ଆଡ଼କୁ ଗତି କରିବାର ପ୍ରବୃତ୍ତି ବହୁଶଃ ଦେଖିବାକୁ ମିଳେ । ନୂତନ ମାତ୍ରକେ ପରିବର୍ତ୍ତନମୂଳକ । ଯେଉଁଠି ପରିବର୍ତ୍ତନ ନାହିଁ, ସେଠି ନୂତନର ସମ୍ଭାବନା ନାହିଁ । କେବଳ ମାନବଜଗତରେ କାହିଁକି, ବିଶ୍ୱର ପ୍ରତ୍ୟେକ ସ୍ତରରେ ଏହି ପରିବର୍ତ୍ତନ ଚାଲିଅଛି । ନିର୍ଜୀବ ଜଡ଼ପଦାର୍ଥ ଆପାତଦୃଷ୍ଟିରେ ଯେତେ ନିଷ୍କ୍ରିୟ ନିସ୍ପନ୍ଦ ପ୍ରତୀୟମାନ ହେଲେହେଁ ତାହାର ଅନ୍ତରାଳରେ କ୍ରିୟାଶୀଳତା ନିହିତ ରହିଅଛି । ଯେଉଁ ପ୍ରସ୍ତରଖଣ୍ଡଟି ମୁଁ ପନ୍ଦର ବର୍ଷ ପୂର୍ବେ ଆମ ଗ୍ରାମର ସୀମାରେ ଦେଖିଥିଲି, ତାହା ତଦାନୀନ୍ତନ ଆକୃତି ବା ରୂପରେଖ ନେଇ ଅକ୍ଷୁଣ୍ଣଭାବରେ ବିଦ୍ୟମାନ ଅଛି ବୋଲି ମୋତେ ବା ମୋର ଗ୍ରାମବାସୀମାନଙ୍କୁ ବୋଧ ହେଉଥିଲେହେଁ ଏହି ଦୀର୍ଘକାଳ ମଧ୍ୟରେ ପ୍ରତ୍ୟକ୍ଷ ତଥା ପରୋକ୍ଷଭାବରେ କି ପ୍ରାକୃତିକ, କି କୃତ୍ରିମ, କେତେ ପ୍ରଭାବର ଯେ ସମ୍ମୁଖୀନ ହୋଇଅଛି, ତାହା କହିହେବ ନାହିଁ । କିନ୍ତୁ ଉକ୍ତ ପ୍ରଭାବଗୁଡ଼ିକ ଯେ ପ୍ରସ୍ତରଟିର ଉପରେ ଅବାଧରେ କାର୍ଯ୍ୟ କରିଯାଇଅଛନ୍ତି, ତାହା ନୁହେଁ; କାରଣ ପ୍ରସ୍ତରଟି ସେଗୁଡ଼ିକ ପ୍ରତି ପ୍ରତିକ୍ରିୟା ଦେଖାଇଅଛି–ସେଗୁଡ଼ିକର ଅବାଧ ଗତିରେ ବାଧାଦେଇ ଆପଣାର ନିଜତ୍ୱ ରକ୍ଷା କରିବାକୁ ଯାଇଅଛି । ଏହି କ୍ରିୟା-ପ୍ରତିକ୍ରିୟା, ଏହି ଅନ୍ୟୋନ୍ୟ ସଂଘର୍ଷର ଫଳରେ ପ୍ରସ୍ତରଟି ପନ୍ଦର ବର୍ଷ ପୂର୍ବେ ଯେଉଁ ଅବସ୍ଥାରେ ଥିଲା, ବର୍ତ୍ତମାନ ଠିକ୍‌ ସେହି ଅବସ୍ଥାରେ ଅଛି ବୋଲି କହି ନ ପାରୁଁ । ଏହିପରି ଅନ୍ୟାନ୍ୟ ସମସ୍ତ ଜଡ଼ବସ୍ତୁର କଥା । ଆଧୁନିକ ଜଡ଼ବିଜ୍ଞାନ ପ୍ରମାଣ କରିଅଛି, ପ୍ରତ୍ୟେକ ଜଡ଼ବସ୍ତୁ ସୂକ୍ଷ୍ମତମ ତଡ଼ିତ୍‌ବିନ୍ଦୁମାନଙ୍କର ସଂଯୋଗରେ ଗଠିତ ଏବଂ ଏହି ତଡ଼ିଦ୍‌ବିନ୍ଦୁଗୁଡ଼ିକ ଅକଳ୍ପନୀୟ ଭାବରେ ଗତିଶୀଳ । ଏଥିରୁ ସ୍ପଷ୍ଟ ଅନୁମିତ ହେବ ଯେ, ସମ୍ରଗ ଜଡ଼ଜଗତ୍‌ ଓ ତଦନ୍ତର୍ଗତ ବସ୍ତୁଗୁଡ଼ିକ ସତତ କ୍ରିୟାଶୀଳ–ଶକ୍ତି ବା ବଳର ଭଣ୍ଡାର ।

 

ଉଦ୍ଭିଦବିଭାଗ ଓ ପ୍ରାଣୀବିଭାଗରେ ଏହି କ୍ରିୟାଶୀଳତା ସ୍ପଷ୍ଟତରଭାବରେ ପରିଦୃଷ୍ଟ ହୋଇଥାଏ । ଏପରି ଉଦ୍ଭିଦ ନାହିଁ, କି ଏପରି ପ୍ରାଣୀ ନାହିଁ, ଯାହା କି ଶକ୍ତି ବା ବଳର ପ୍ରକାଶକ୍ଷେତ୍ର ନୁହେଁ । ଏହି ପ୍ରତ୍ୟେକ ବସ୍ତୁରେ ଆମ୍ଭେମାନେ ଦେଖିବାକୁ ପାଉଁ କେତେକ କ୍ରିୟା-ପ୍ରତିକ୍ରିୟା । ପ୍ରତ୍ୟେକ ଉଦ୍ଭିଜ୍ଜୀବନ ବା ପ୍ରାଣୀ ତାହାର ଚତୁର୍ଦ୍ଦିଗସ୍ଥ ପ୍ରାକୃତିକ ତଥା କୃତ୍ରିମ ପରିବେଷ୍ଟନୀର ପ୍ରଭାବ ସଙ୍ଗେ ଯୁଦ୍ଧ କରି ନାନାଭାବରେ ନିଜକୁ ସମାଯୋଜିତ କରିବାରେ ଲାଗିଅଛି । ଏହି କ୍ରିୟା-ପ୍ରତିକ୍ରିୟା ବା ସଂଘର୍ଷର ଫଳରେ କି ନିର୍ଜୀବ କି ସଜୀବ, ପ୍ରତ୍ୟେକ ବସ୍ତୁର ଜାତିଗତ ଓ ବ୍ୟକ୍ତିଗତ ଭାବରେ ରୂପଗୁଣ ଭେଦରେ ବହୁ ପରିବର୍ତ୍ତନ ଘଟି ଆସୁଅଛି । ମାତ୍ର ମାନବଠାରେ ଏହି ପରିବର୍ତ୍ତନ କେବଳ ଶାରୀରିକ ଭାବରେ ନୁହେ, ମାନସିକ, ନୈତିକ, ରାଜନୈତିକ ପ୍ରଭୃତି ବିଭିନ୍ନ ଦିଗରେ ପ୍ରକାଶମାନ ହେଉଅଛି । ତେଣୁ ବିଶ୍ୱପ୍ରକ୍ରିୟାର ଇତିହାସରେ ଆମ୍ଭେମାନେ ବିଭିନ୍ନ ଦିଗରେ ପରିବର୍ତ୍ତନମାନ ଦେଖିବାକୁ ପାଉଁ । ଏହି ପରିବର୍ତ୍ତନ ବସ୍ତୁବିଶେଷର ଏକ ନିର୍ଦ୍ଦିଷ୍ଟ ଅବସ୍ଥାରୁ ଅବସ୍ଥାନ୍ତରକୁ ଗତିକରିବା ଛଡ଼ା ଅନ୍ୟ କିଛି ନୁହେଁ ।

 

ମାନବଜୀବନ ଏହିପରି ନାନା ପରିବର୍ତ୍ତନର ଅଧୀନ ହୋଇ ସମଷ୍ଟିଗତ ଓ ବ୍ୟଷ୍ଟିଗତଭାବରେ ବିଭିନ୍ନ ରୂପଗୁଣର ଅଧିକାରୀ ହେଉଅଛି । ଏହି କାରଣରୁ ହିଁ ଧରାପୃଷ୍ଠରେ ବିଭିନ୍ନ ଜାତି, ବିଭିନ୍ନ ସମ୍ପ୍ରଦାୟ, ବିଭିନ୍ନ ଭାଷା, ବିଭିନ୍ନ ରୁଚି, ବିଭିନ୍ନ ରୀତିନୀତିର ଉତ୍ପତ୍ତି ଘଟିଅଛି । ମାନବ ତେଣୁ ମାନବେତର ବିଭାଗର ବସ୍ତୁମାନଙ୍କ ସହିତ ଏହି ପରିବର୍ତ୍ତନବିଧିରେ ଚାଳିତ ହୋଇ ବିଶ୍ୱପ୍ରକୃତିର ବିଭିନ୍ନ ବିଭାଗ ସହିତ ସାମଞ୍ଜସ୍ୟ ବା ସୌସାଦୃଶ୍ୟ ରଖିଆସୁଅଛି । ମାତ୍ର ଏଥିରୁ ବୁଝିବାକୁ ହେବ ନାହିଁ ଯେ, ମାନବ ସର୍ବତୋଭାବରେ ଅନ୍ୟାନ୍ୟ ବସ୍ତୁ ବା ପ୍ରାଣୀମାନଙ୍କ ସଦୃଶ ଗତିକରେ । ସେମାନଙ୍କ ସଙ୍ଗେ ମାନବକୁ ତୁଳନା କଲେ ସ୍ପଷ୍ଟ ଅନୁମିତ ହେବ ଯେ, ଅନେକ ଦିଗରେ ତାହାର ବିଶେଷତ୍ୱ ରହିଅଛି । ଆହାର-ନିଦ୍ରା-ଭୟ-ମୈଥୁନମୂଳକ କ୍ରିୟାକଳାପରେ ସେ ଇତର ପ୍ରାଣୀମାନଙ୍କଠାରୁ ଅଭିନ୍ନ ହେଲେହେଁ ଚିନ୍ତା, କଳ୍ପନା, ବୁଦ୍ଧି, ବିବେକ ପ୍ରଭୃତି ବହୁ ଦିଗରେ ସେମାନଙ୍କଠାରୁ ଭିନ୍ନ । ମାନବର ଏହି ବିଶିଷ୍ଟତାବଶତଃ ସେ ପ୍ରାଣୀଜଗତର ଉଚ୍ଚତମ ଶ୍ରେଣୀରେ ଅବସ୍ଥିତ । ପ୍ରଜ୍ଞା ତାହାର ପ୍ରଧାନଚାଳକ । ତେଣୁ ତାହାର ‘ଭଲ-ମନ୍ଦ’, ‘ନ୍ୟାୟ-ଅନ୍ୟାୟ’, ‘ଉଚ୍ଚ ନୀଚ’, ‘କ୍ଷୁଦ୍ର-ବୃହତ୍‌’ ପ୍ରଭୃତି ପାର୍ଥକ୍ୟ ଉପଲବ୍‌ଧି କରିବାର ଶକ୍ତି ଅଛି । ଏହାରି ବଳରେ ହିଁ ସେ ତାହାର ଜୀବନର ବିଭିନ୍ନ ଅବସ୍ଥା ତୁଳନା କରି ପଦାର୍ଥମାନଙ୍କର ଉପାଦେୟତା ବା ଅନୁପାଦେୟତା ନିରୂପଣ କରିପାରେ–ବିଶ୍ୱସ୍ଥ ଯାବତୀୟ ବସ୍ତୁର ଉତ୍କର୍ଷାପକର୍ଷ ନିର୍ଣ୍ଣୟପୂର୍ବକ ଜୀବନର ସର୍ବାଙ୍ଗୀନ ବିକାଶ ନିମିତ୍ତ ଉପଯୁକ୍ତ ପନ୍ଥା ଉଦ୍‌ଘାଟନ କରିପାରେ–ଜଗତର ଇତିହାସ ଗଢ଼ି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସମ୍ବନ୍ଧ ସ୍ଥାପନ କରିପାରେ । ମାନବର ଏହି ତୁଳନାତ୍ମିକା ଶକ୍ତି ହିଁ ତାହାକୁ ଉନ୍ନତିଲିପ୍‌ସୁ କରିଅଛି । ସେ କେବଳ ଏକ ଅବସ୍ଥାରେ ପଡ଼ି ନ ରହି ପରିବର୍ତ୍ତନର କ୍ଷେତ୍ର ସୃଷ୍ଟି କରିବସେ । ସେ ସୃଷ୍ଟ ହେଲେହେଁ ସ୍ରଷ୍ଟା ମଧ୍ୟ । ତାହାର ପୁରୋଦର୍ଶିତା ତାହାକୁ ଅନବତ ଅବସ୍ଥାରୁ ଉନ୍ନତ ଅବସ୍ଥା ଆଡ଼କୁ ଟାଣିନେବାରେ ଲାଗିଅଛି । ତେଣୁ ସେ ଜୀବନର ସକଳ ବିଭାଗରେ ନୂତନରୁ ନୂତନତର ଅବସ୍ଥା ଦିଗରେ ଗତି କରିବାରେ ଲାଗିଅଛି । ସ୍ୱୀୟ ସୃଷ୍ଟିକରୀ ଶକ୍ତିବଳରେ ସେ ଜଗତର ବିକାଶଧାରାରେ ପାର୍ଥକ୍ୟରେଖା ନିର୍ଦ୍ଦେଶ କରି ଗୋଟିକୁ ‘ପୁରାତନ’ କହିଲେ ଅନ୍ୟଟିକୁ ‘ନୂତନ’ ବୋଲି କହୁଅଛି । ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ଅବସ୍ଥାପିତ ରହି ସେ ଯେତେବେଳେ ଦେଖେ ଯେ ଅବସ୍ଥାନ୍ତରକୁ ଗତି ନ କଲେ ତାହାର ରକ୍ଷା ନାହିଁ, ସେତେବଳେ ସ୍ୱୀୟ ପ୍ରଜ୍ଞା ଓ କଳ୍ପନାର ସାହାଯ୍ୟରେ ଏପରି ଏକ ଅବସ୍ଥାର ଆବଶ୍ୟକତା ଉପଲବ୍‌ଧି କରେ, ଯାହାକୁ ସେ ‘ନୂତନ’ ଆଖ୍ୟା ଦେଇଥାଏ । ଏହିପରି ଭାବରେ ମାନବ ‘ପୁରାତନ’ ଓ ‘ନୂତନ’ର ପାର୍ଥକ୍ୟ ସୃଷ୍ଟି କରେ । ତାହାର ଅନ୍ତର୍ନିହିତ ଆତ୍ମରକ୍ଷଣବୃତ୍ତି ତାହାକୁ ‘ପୁରାତନ’ରୁ ‘ନୂତନ’ ଆଡ଼କୁ ଗତି କରିବା ପାଇଁ ପ୍ରେରଣା ଦିଏ । ତୁଳନା ଶକ୍ତିଟି ତାହାଠାରେ ଏପରି ପରିସ୍ଫୁଟ ହେବାକୁ ଯାଇଅଛି ଯେ ଅନେକ ସମୟରେ ସେ ସମାଜର ବିକାଶକ୍ରମରେ ଗତି କରି ପୁରାତନକୁ ଉପେକ୍ଷା କରି ନୂତନକୁ ଅଭିନନ୍ଦନ କରିବାକୁ ସତତ ଯତ୍ନଶୀଳ ହୋଇଥାଏ । ଏହି ହେତୁରୁ ହିଁ ବିଭିନ୍ନ ଧରଣର ସଭ୍ୟତା ଅଦ୍ଭୁତ ଭାବରେ ଗଢ଼ିଉଠିଛି । ତାହାର ଦୈନନ୍ଦିନ ବ୍ୟକ୍ତିଗତ ଜୀବନରୁ ଆରମ୍ଭ କରି ସାମାଜିକ, ରାଜନୈତିକ ପ୍ରଭୃତି ସକଳ ଅବସ୍ଥାରେ ‘ନୂତନ’ର ଅନ୍ୱେଷଣ ଓ ଅଭିନନ୍ଦନ ଚାଲିଥିବାର ଦେଖାଯାଏ । ପୁରାତନ ବେଶଭୂଷା ପରିତ୍ୟାଗପୂର୍ବକ ନୂତନ ବେଶଭୂଷାର ଉଦ୍ଭାବନ ଓ ବ୍ୟବହାର, ପୁରାତନ ଖାଦ୍ୟପେୟର ପରିବର୍ତ୍ତନରେ ନୂତନ ଖାଦ୍ୟପେୟର ପ୍ରଚଳନ, ପୁରାତନ ବାସଗୃହର ସ୍ଥାନରେ ନୂତନ ସୁରମ୍ୟ ସୌଧର ନିର୍ମାଣ ପ୍ରଭୃତି ବ୍ୟାପାରମାନ ମାନବଜୀବନରେ ନିରନ୍ତର ଘଟୁଅଛି । ସଂକ୍ଷେପରେ କହିବାକୁ ଗଲେ ପୁରାତନର ବର୍ଜନ ଓ ନୂତନର ଅଭିନନ୍ଦନ ତଥା ଅବଲମ୍ବନ, ଏହି କାର୍ଯ୍ୟଦ୍ୱୟ ଯୁଗପତ୍‌ ତାହାର ବିକାଶଧାରାରେ ଘଟି ଆସୁଅଛି । ଅତି ଆନନ୍ଦର କଥା । ଏହି ନୂତନତ୍ୱାଭିମୁଖ୍ୟରୂପକ ମହାଦାନ ସକାଶେ ସୃଷ୍ଟି ବିଧାନକୁ ଧନ୍ୟବାଦ ଦେଉଅଛୁଁ । ମାତ୍ର ‘ପୁରାତନ’ ଓ ‘ନୂତନ’ ମଧ୍ୟରେ ଏହି ପାର୍ଥକ୍ୟଜ୍ଞାନ ମାନବଜୀବନର ଅନୁକୂଳ ହେଲେହେଁ ଜୀବନକ୍ଷେତ୍ରରେ ତାହାର ଯଥାଯଥ ପ୍ରୟୋଗ ସବୁ ସମୟରେ କରାଯାଇ ନ ଥାଏ । ଅନେକ ସମୟରେ ନୂତନ ପ୍ରତି ମାନବର ଅତିମାତ୍ର ଶ୍ରଦ୍ଧା, ଆସକ୍ତି ବା ମୋହରେ ପରିଣତ ହୋଇ, ତାହାକୁ ଏପରି ଆବେଗଭରା କରିଦିଏ ଯେ, ସେ କେବଳ ନୂତନର ପଛରେ ପାଗଳ ପରି ଧାବମାନ ହୋଇ ସମାଜସଂସ୍ଥାରେ ନାନା ବିଭ୍ରାଟ ଜନ୍ମାଏ । ସେଥିପାଇଁ ପ୍ରଶ୍ନ ଉଠେ–ନୂତନ ଓ ପୁରାତନକୁ କିପରି ଚିହ୍ନିବାକୁ ହେବ ? ଉଭୟଙ୍କ ମଧ୍ୟରେ ପ୍ରକୃତ ସମ୍ବନ୍ଧ କଅଣ, କି ଉପାୟ ଅବଲମ୍ବନ କଲେ ମାନବ ଜୀବନ ଉକ୍ତ ସମ୍ବନ୍ଧର ଅଧୀନ ମୋଇ ବିକାଶପଥରେ ସଫଳତାର ସହିତ ଗତି କରିପାରିବ ? ଏହି ପ୍ରଶ୍ନଗୁଡ଼ିକ ପ୍ରତି ଦୃଷ୍ଟିଦେଇ ଆଲୋଚନାରେ ଯଥାସମ୍ଭବ ଅଗ୍ରସର ହେବାକୁ ଇଚ୍ଛାକରୁଁ ।

 

ବ୍ୟାବହାରିକ ଜଗତରେ ‘ପୁରାତନ’ ଓ ‘ନୂତନ’ ଶବ୍ଦ ଦୁଇଟି ଆପେକ୍ଷିକ । ଆଜି ଯାହା ପୁରାତନ ବୋଲି ବିବେଚିତ ହେଉଅଛି, କାଲି ତାହା ନୂତନ ଥିଲା ଓ ଆଜି ଯାହା ନୂତନ ବୋଲି ବିବେଚିତ କାଲି କାହା ପୁରାତନ ବୋଲି ପରିଗଣିତ ହେବ । କାଳସ୍ରୋତର ଗତି ଅନୁସାରେ ଆମ୍ଭମାନଙ୍କୁ ଘଟଣା ବା ବସ୍ତୁର ଅବସ୍ଥା ନିରୂପଣ କରିବାକୁ ହୁଏ । ସୁତରାଂ କୌଣସି ଘଟନା ବା ବସ୍ତୁକୁ କେବଳ ‘ପୁରାତନ’ ବା କେବଳ ‘ନୂତନ’ ବୋଲି କହିହେବ ନାହିଁ । ତେଣୁ ଶବ୍ଦଦ୍ୱୟକୁ ଆପେକ୍ଷିକ ଅର୍ଥରେ ନେବା ହିଁ ସମୀଚୀନ । ସେ ଯାହାହେଉ ସ୍ୱୀକାର କରିବାକୁ ହେବ ଯେ, ‘ପୁରାତନ’ ଓ ‘ନୂତନ’ ମଧ୍ୟରେ ପାର୍ଥକ୍ୟ ରହିଅଛି ଏବଂ ମାନବ ସମାଜରେ ଦୁହିଙ୍କର ସ୍ଥାନ ଅଛି । ମାନବର ଅଗ୍ରଗତି ‘ପୁରାତନ’ର ବର୍ଜନ ଓ ‘ନୂତନ’ର ଗ୍ରହଣ ଉପରେ ଏକାନ୍ତ ନିର୍ଭର କରେ । କେବଳ ଗୋଟିଏ ମାତ୍ର ଅବସ୍ଥାରେ ରହିଥିଲେ ଆଜି ମାନବ ମୃତକଳ୍ପ ହୋଇ ପଡ଼ିରହିଥାନ୍ତା । ମାତ୍ର ସୁଖର କଥା, ତାହା ହୋଇ ନାହିଁ । ତାହାର ମାନସିକ, ନୈତିକ, ଆଧ୍ୟାତ୍ମିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଯେଉଁ ଐତିହାସିକ ପରିବର୍ତ୍ତନମାନ ଘଟିଅଛି, ସେଥିପ୍ରତି ଦୃଷ୍ଟିଦେଲେ ଏହାର ସତ୍ୟତା ପ୍ରମାଣିତ ହେବ । ଯେଉଁ ଜାତି ‘‘ପୁରାତନ’’କୁ କୁଣ୍ଢାଇ ବସି ଅନ୍ତର୍ଜାତୀୟ ପ୍ରଗତି ପ୍ରତି ରୁଦ୍ଧନେତ୍ର ହୋଇପଡ଼େ, ତାହାର ଅସ୍ତିତ୍ୱ ନିରର୍ଥକ । ତେଣୁ ସଂସ୍କାରର ମାନବସମାଜରେ ଗୋଟିଏ ବିଶିଷ୍ଟ ସ୍ଥାନ ରହିଛି । ସଂସ୍କାରପ୍ରୟାସୀ ବ୍ୟକ୍ତିମାନେ ପୂର୍ବରୁ ପ୍ରଚଳିତ ରୀତିନୀତି ବା ଜୀବନଧାରଣ ପ୍ରଣାଳୀରେ ସନ୍ତୁଷ୍ଟ ନ ରହି ଜୀବନର ବିଭିନ୍ନ ଦିଗରେ ବିକାଶ ନିମିତ୍ତ ଯେଉଁ ଅଦମ୍ୟ ଚେଷ୍ଟା ଚଳାଇ ଆସୁଛନ୍ତି, ତାହାରି ଫଳରେ ହିଁ ଆଜି ମାନବ ପ୍ରତିକୂଳ ଅବସ୍ଥା ସଙ୍ଗେ ଯୁଦ୍ଧ କରି ଅନୁକୂଳ ଅବସ୍ଥାମାନ ସୃଷ୍ଟି କରୁଅଛି ଏବଂ ତାହାରି ଫଳରେ ଆଜି ସଭ୍ୟ ଜଗତର ଉତ୍ପତ୍ତି ଘଟିଅଛି ।

 

କିନ୍ତୁ ଏହି ‘ପୁରାତନ’ ଓ ‘ନୂତନ’ର କାର୍ଯ୍ୟକାରିତା ନେଇ ମାନବସମାଜରେ ମତଭେଦ ଘଟିବାର ଦେଖାଯାଏ । ଦଳେ ‘ପୁରାତନ’କୁ ସମ୍ପୂର୍ଣ୍ଣ ଭ୍ରମଶୂନ୍ୟ ବୋଲି ଧରି ତାହାକୁ ଜୀବନର ସ୍ଥିତି ଓ ବିକାଶରେ ଏକମାତ୍ର ଅବଲମ୍ବନ ବୋଲି ମନେ କଲେ ଅନ୍ୟ ଦଳେ ‘ନୂତନ’ର ପୂର୍ଣ୍ଣ ସମର୍ଥକ ହୋଇ ତାହାକୁ ଜୀବନ ପ୍ରଗତିର ଏକମାତ୍ର ସହାୟକ ବୋଲି ମନେ କରନ୍ତି । ପ୍ରଥମୋକ୍ତ ଦଳ ନୂତନର ବିରୋଧୀ ଓ ଶେଷୋକ୍ତ ଦଳ ପୁରାତନର ବିରୋଧୀ । ପୁରାତନର ସମର୍ଥକମାନେ କହନ୍ତି, ଯାହା ପ୍ରାଚୀନକାଳରୁ ଚଳି ଆସୁଅଛି, ତାହା ବହୁ ବିଜ୍ଞ ବ୍ୟକ୍ତିଙ୍କ ଅଭିଜ୍ଞତା ବଳରେ ଉଦ୍ଭାବିତ ଓ ପରୀକ୍ଷିତ ହୋଇ ଲୋକସମାଜରେ ପ୍ରତିଷ୍ଠା ଲାଭ କରିଅଛି । ସୁତରାଂ ସେଭଳି ପୁରାତନ ତଥା ଜୀବନର ଅନୁକୂଳ ବ୍ୟବସ୍ଥାଗୁଡ଼ିକୁ ଘୃଣାର ସହିତ ପରିତ୍ୟାଗ କରି ନୂତନ ତେଣୁ ଅପରକ୍ଷିତଗୁଡ଼ିକୁ ସମାଜରେ ପ୍ରବର୍ତ୍ତନ କରିବାରେ ମାତିଉଠିବା କୌଣସି ମତେ ନିରାପଦ ନୁହେଁ । ଆବହମାନକାଳରୁ ପ୍ରଚଳିତ ଅନୁଷ୍ଠାନଗୁଡ଼ିକୁ ଭାଙ୍ଗିରୁଜି ‘ନୂତନ’କୁ କେବଳ ନୂତନତା ପାଇଁ ଗ୍ରହଣ କରିନେବା ବିଜ୍ଞତାର କାର୍ଯ୍ୟ ବୋଲି କୁହାଯାଇ ନ ପାରେ । ‘ନୂତନ’ରେ ଏହି ଅତିପ୍ରୀତି ଜନସମାଜକୁ ଆଜିକାଲି ମାଡ଼ିବସିଛି, କହିଲେ ଚଳେ । ସାମାଜିକ, ନୈତିକ, ରାଜନୈତିକ ଓ ବ୍ୟକ୍ତିଗତ ଜୀବନରେ ଲୋକେ ନୂତନର ପଛରେ ଧାବମାନେ । ପ୍ରଗତିବାଦୀମାନେ ଦେଶରେ ପ୍ରଚଳିତ ଯାବତୀୟ ରାଜନୀତି, ଧର୍ମସଂସ୍ଥା ଓ ବିଧିବିଧାନଗୁଡ଼ିକୁ ଦୋଷମୁକ୍ତ କରିବାରେ ବଡ଼ ଯତ୍ନବାନ, ମାତ୍ର ଚିନ୍ତାଶୀଳ ତଥା ବିଚାରବନ୍ତ ବ୍ୟକ୍ତିମାନେ କହିବେ, ସଂସ୍କାର ପ୍ରତି କ୍ଷେତ୍ରରେ ଆବଶ୍ୟକ ହେଲେହେଁ ପୂର୍ବପ୍ରଚଳିତ ବ୍ୟବସ୍ଥାଗୁଡ଼ିକୁ ତୁଚ୍ଛ ମନେ କରିବା ପରିବର୍ତ୍ତରେ ସମସ୍ତ ସତର୍କତା ସହ ସେଗୁଡ଼ିକୁ ପୁଙ୍ଖାନୁପୁଙ୍ଖରୂପେ ପରୀକ୍ଷା କରି ଯେଉଁସବୁ ଦୋଷ ସେଗୁଡ଼ିକର ଉପାଦେୟତା ବା କାର୍ଯ୍ୟକାରିତାକୁ ଦୁର୍ବଳ କରି ପକାଉଅଛନ୍ତି, ସେସବୁ ପରିହାରପୂର୍ବକ ସେଗୁଡ଼ିକୁ ଆଧୁନିକ ଅବସ୍ଥା ପ୍ରତି ଉପଯୋଗୀ କରିବା ଉଚିତ । ମାତ୍ର ‘ତାର ଦେଖି ମୋର ଡେଇଁଲା ଡାହାଣ ଆଖି’ ନୀତିରେ ଚାଳିତ ହୋଇ ବହୁକାଳରୁ ପ୍ରଚଳିତ ବ୍ୟବସ୍ଥା ବା ଅନୁଷ୍ଠାନଗୁଡ଼ିକୁ କୁସଂସ୍କାରମୂଳକ କହି ସେଗୁଡ଼ିକର ବିଲୋପସାଧନ କରିବାକୁ ଗଲେ ‘ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼’ ହେବା ବିଚିତ୍ର ନୁହେଁ-। ଆହୁରି ମଧ୍ୟ ନୂତନ ଯେ ସବୁବେଳେ ନୂତନ, ଏହା କିଏ କହିବ ? ଆଧୁନିକ ସଭ୍ୟ ଜାତିମାନଙ୍କର ସମାଜାରେ ଯାହା ଦିନେ ପୁରାତନ ଥିଲା, ତାହା ନୂତନ ବୋଲି ବିବେଚିତ ଓ ପ୍ରଚଳିତ ହେଉଥିବାର ଦେଖାଯାଏ । ଉଦାହରଣ ସ୍ୱରୂପ, ଅତି ପ୍ରାଚୀନକାଳରେ କେତେକ ସମାଜରେ ନଗ୍ନତା ବା ଲଙ୍ଗୁଳିରୀତି (Nudity) ପ୍ରଚଳିତ ଥିଲା । ମାତ୍ର ଆଜି ଆମେରିକା ପରି କେତେକ ସଭ୍ୟଜଗତରେ ମଧ୍ୟ ଏହି ରୀତିଟି ନଗ୍ନତାବାଦ (Nudism) ନାମରେ ପୁନର୍ବାର ପ୍ରଚଳିତ ହେବାରେ ଲାଗିଛି । ସେହିପରି ଆଦିମ ଅବସ୍ଥାରେ ମାନବ ରନ୍ଧନପ୍ରଣାଳୀ ଉଦ୍ଭାବନ କରିପାରି ନ ଥିବାରୁ କଞ୍ଚା ବା ଅରନ୍ଧିତ ଖାଦ୍ୟ ଖାଇ ଜୀବନଧାରଣ କରୁଥିଲା । ମାତ୍ର ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ଖାଦ୍ୟ-ରନ୍ଧନପ୍ରଣାଳୀ ଉଦ୍ଭାବିତ ତଥା ପ୍ରଚଳିତ ହେବାରୁ ଲୋକେ ରନ୍ଧିତ ଖାଦ୍ୟରେ ଅଭ୍ୟସ୍ତ ହେବାକୁ ଲାଗିଲେ । ଆଜିକାଲି କିନ୍ତୁ ମାନବର ଜ୍ଞାନପରିସର ବୃଦ୍ଧି ପାଇବା ଫଳରେ ସଭ୍ୟ ଜାତିମାନେ କେତେକ ଖାଦ୍ୟ ଅରନ୍ଧିତ ଆକାରରେ ଖାଇବାକୁ ଶ୍ରେୟସ୍କର ମନେକରୁଅଛନ୍ତି । ସେମାନେ ଏହି ପୁରାତନ ଖାଦ୍ୟପ୍ରଣାଳୀଟିକୁ ସ୍ୱାସ୍ଥ୍ୟ ପ୍ରତି ହିତକର ବୋଲି ପ୍ରମାଣ କରିବାକୁ ଯାଇ ପ୍ରଚାର କରନ୍ତି, ଏହି କଞ୍ଚା ବା ଅରନ୍ଧିତ ଖାଦ୍ୟଗୁଡ଼ିକରେ ଖାଦ୍ୟପ୍ରାଣ ବା ଜୀବନିକା (Vitamin) ଯଥେଷ୍ଟ ପରିମାଣରେ ରହିଅଛି । ଏହାଛଡ଼ା ଆଧୁନିକ କେତେକ ସଭ୍ୟସମାଜରେ ମହିଳାମାନଙ୍କର ବସନ-ପରିଧାନପ୍ରଣାଳୀ ଅତି ପ୍ରାଚୀନ କାଳର ପ୍ରଣାଳୀଠାରୁ ଏକାବେଳକେ ଭିନ୍ନ ବୋଲି ବୋଧହୁଏ ନାହିଁ । ଏହିସବୁ ଉଦାହରଣରୁ ସ୍ପଷ୍ଟ ପ୍ରତୀୟମାନ ହେବ ଯେ ମାନବ ଆଜି ଯାହାସବୁ ନୂତନ ତଥା ସଭ୍ୟତାର ପରିଚାୟକ ବୋଲି କହୁଅଛି, ତାହା ମଧ୍ୟରୁ କେତେକ ଅତି ଦୀର୍ଘକାଳ ପୂର୍ବେ ପ୍ରଚଳିତ ଥିଲା । ଏ ସମ୍ପର୍କରେ ମନେରଖିବା ଉଚିତ ଯେ, ଆବହମାନକାଳରୁ ବିଶ୍ୱଜଗତର, ବିଶେଷତଃ ମାନବର ଇତିହାସରେ ଯେଉଁସବୁ କ୍ଷୁଦ୍ର ବୃହତ୍ ପରିବର୍ତ୍ତନମାନ ଘଟିଯାଇଛି, ସେଗୁଡ଼ିକ ଅଧିକାଂଶ ଲୋକଲୋଚନର ଅଗୋଚରରେ କାଳର କରାଳଗ୍ରାସରେ ଲୀନ ହୋଇଯାଇଥିବା ଅସମ୍ଭବ ନୁହେଁ । କେତେ ଜାତି ସଭ୍ୟତାର ବିଭିନ୍ନ ସ୍ତର ଦେଇ ଗତି କରିଅଛନ୍ତି ଏବଂ ଉକ୍ତ ଗତିମଧ୍ୟରେ କେତେ ରୀତିନୀତି ପ୍ରଚଳନ କରି ଯାଇଅଛନ୍ତି, ତାହାସବୁ ପରବର୍ତ୍ତୀ କାଳର ଲୋକମାନଙ୍କୁ ବିଦିତ ଅଛି ବୋଲି କହି ହେବ ନାହିଁ । ଆଧୁନିକ ମାନବଜାତି ସେଗୁଡ଼ିକ ଏକାବେଳକେ ଭୁଲିଯାଇ ପାରିଥାନ୍ତି ତେଣୁ ଯେଉଁସବୁ ରୀତିନୀତି ବା ପ୍ରଚଳନ ଆଜିକାର ସମାଜମାନଙ୍କୁ ନୂତନ ବୋଲି ବୋଧ ହେଉଅଛି, ସେଗୁଡ଼ିକ ହୁଏତ ଐତିହାସିକ ପୁନରାବର୍ତ୍ତନରେ ବର୍ତ୍ତମାନ ସମାଜମାନଙ୍କରେ ପ୍ରବର୍ତ୍ତନ କରାଯାଇ ନୂତନ ବୋଲି ଧରାଯାଉଛି-। ସୁତରାଂ ନଗ୍ନତା ବା ଲଙ୍ଗୁଳିରୀତି, ଅରନ୍ଧିତ ଖାଦ୍ୟ ପ୍ରଭୃତି ବହୁକାଳ ପୂର୍ବେ ପ୍ରଚଳିତ ଥିଲେହେଁ, ଆଜିକାର ମାନବ ସେଗୁଡ଼ିକୁ ନୂତନ ବୋଲି ଭାବି ନିଜକୁ ‘ନୂତନ’ର ପ୍ରବର୍ତ୍ତକ ବୋଲି ମନେକରୁଅଛି । କଥିତ ଅଛି, ‘‘History repeats itself” –ଇତିହାସର ପୁନରାବର୍ତ୍ତନ ଅଛି-। ସୁତରାଂ ବିସ୍ମରଣଶୀଳ ମାନବ ଇତିହାସର ଅଜ୍ଞାତଗର୍ଭରେ ଯେଉଁସବୁ ଘଟନା ଘଟି ପୁରାତନର ଅନ୍ତର୍ଗତ ଥିଲା, ତାହା ହୁଏତ ଭୁଲିଯାଇଛି ଏବଂ ଆଜି ସେହି ବିସ୍ମୃତ ଘଟନାଗୁଡ଼ିକୁ ‘ନୂତନ’ ଆଖ୍ୟା ଦେଇ ସେଗୁଡ଼ିକର ପ୍ରଚଳନରେ ଲାଗିଅଛି–ପୁରାତନର ପୁନରାବୃତ୍ତି କରୁଅଛି । ଅନ୍ୟ ଭାବରେ ପ୍ରକାଶ କଲେ କହିବାକୁ ହେବ, ଆଜି ଯାହା ନୂତନ, ତାହା ହୁଏତ ପୁରାତନର ପୁନଃସଂସ୍ଥାପନ ବା ପୁନଃପ୍ରବେସନ ମାତ୍ର । ଆହୁରି ମଧ୍ୟ ମାନବ ସଭ୍ୟତାର ଇତିହାସ ସବୁ ସମୟରେ ଅବିକଳ ଭାବରେ ଲିପିବଦ୍ଧ ହୋଇ ନ ଥାଏ । ଆଜିକାଲି ସ୍ୱର ଉଠିଛି, ଭାରତର ଇତିହାସ ବୈଦେଶିକମାନଙ୍କଦ୍ୱାରୀ ଯଥାଯଥ ଭାବରେ ଲେଖାଯାଇ ନାହିଁ । ବାସ୍ତବିକ ରାଜନୈତିକ ପ୍ରଭାବ ଓ ଧର୍ମସଂକ୍ରାନ୍ତ ବିପ୍ଳବ ପରି କେତେକ କାରଣରୁ ଇତିହାସ ପୃଷ୍ଠାରୁ ଅନେକ ଘଟନା ସ୍ଥାନେ ସ୍ଥାନେ ଲୋପ କରି ଦିଆଯାଇଥାଏ । ଦେଶବିଦେଶର ଶାସକଗୋଷ୍ଠୀଙ୍କ ମତିଗତି ଅନୁସାରେ ଇତିହାସ ରୂପଧାରଣ କରିଥାଏ ।

 

ବର୍ତ୍ତମାନ ବିଚାର କରିବାର କଥା, ଯାହା କିଛି ନୂତନ, ତାହା କଅଣ ପୁରାତନଠାରୁ ଏକାବେଳକେ ବିଚ୍ଛିନ୍ନ ? ପ୍ରକୃତରେ କହିବାକୁ ଗଲେ ପୁରାତନର ଦୃଷ୍ଟିରେ ହିଁ ନୂତନର ପ୍ରତିଷ୍ଠା ହୋଇଥାଏ । ପୁରାତନ ପ୍ରଥା ବା ରୀତିନୀତିରେ ପରିବର୍ତ୍ତନ ଆଣିବାକୁ ଯାଇ ‘ନୂତନ’ବାଦୀମାନେ ଭାବନ୍ତି, ସତେ ଯେପରି ସେମାନଙ୍କ ପ୍ରସ୍ତାବିତ ନୂତନ ପନ୍ଥାଟି ‘ପୁରାତନ’ର ଅଭିଜ୍ଞତା ନ ନେଇ ନିରପେକ୍ଷଭାବରେ ଅବଲମ୍ବିତ ହେଉଅଛି । ମାତ୍ର ମନେରଖିବାକୁ ହେବ ନୂତନ ପୁରାତନର ପ୍ରଭାବ ବା ଅଭିଜ୍ଞତାରୁ ବିଚ୍ଛିନ୍ନ ନୁହେଁ । ବିଶ୍ୱପ୍ରକୃତିର ପ୍ରତ୍ୟେକ ପୂର୍ବବର୍ତ୍ତୀ ଅବସ୍ଥାର ଧର୍ମ ପରବର୍ତ୍ତୀ ଅବସ୍ଥାରେ ବିଦ୍ୟମାନ ରହି କ୍ରମବିକାଶର ଗତି ନିୟନ୍ତ୍ରିତ କରୁଅଛି । ଅବଶ୍ୟ କେହି କେହି କହିପାରନ୍ତି, ଯାହା, ନୂତନ, ତାହା ବିବର୍ତ୍ତନର ଫଳ । ବିବର୍ତ୍ତନବାଦୀ ଡାରଉଇନଙ୍କ ମତରେ ପ୍ରାକୃତିକ ନିର୍ବାଚନ (Natural of Selection) ଓ ଯୋଗ୍ୟତମ ଅର୍ଥାତ୍‌ ବଳିଷ୍ଠର ପ୍ରତିଷ୍ଠା (Survival of the fittest) ପ୍ରକୃତିର ନିୟମ । ଜୀବମାନଙ୍କର ଅବସ୍ଥିତିସଂରକ୍ଷଣ ନିମିତ୍ତ ପ୍ରକୃତି ଯେପରି କି ନିର୍ବାଚନ କରିବାରେ ଲାଗିଅଛି । ଏହି ପ୍ରାକୃତିକ ନିର୍ବାଚନବଶତଃ ଯେଉଁ ଜୀବଗୁଡ଼ିକ ନିଜ ନିଜକୁ ପରିବେଷ୍ଟନୀ ପ୍ରତି ସମଯୋଜିତ କରି ନ ପାରିଲେ, ସେମାନେ ଲୋପ ପାଇଯାନ୍ତି ଏବଂ ଯେଉଁଗୁଡ଼ିକ ତାହା କରିପାରିଲେ, ସେଗୁଡ଼ିକ ହିଁ ତିଷ୍ଠିପାରନ୍ତି । ଏହିପରି ଭାବରେ ବିବର୍ତ୍ତନ ନିୟମରେ ବଳିଷ୍ଠ ଜୀବଗୁଡ଼ିକ କ୍ରମେ କ୍ରମେ ପ୍ରତିଷ୍ଠିତ ହେଉଅଛନ୍ତି । ସେହିପରି ମାନବସମାଜରେ ବେଶଭୂଷା, ଖାଦ୍ୟପେୟ, ଭାବ, ରୁଚି ପ୍ରଭୃତି ନାନାଦିଗରେ ଏହି ବିବର୍ତ୍ତନ ପ୍ରକ୍ରିୟା ଚାଲିଅଛି । ପାରିପାର୍ଶ୍ୱିକ ପରିସ୍ଥିତିର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପୁରାତନ ବ୍ୟବସ୍ଥାଗୁଡ଼ିକ ଆଉ ଉପଯୁକ୍ତ ବିବେଚିତ ନ ହେବାରୁ ସେଗୁଡ଼ିକ ହଟେଇ ଦେଇ ନୂତନ ନୂତନ ଧରଣ ପ୍ରବେଶ କରାଇ ଦିଆଯାଉଛି ସୁତରାଂ ଯାହା ନୂତନ, ତାହା ଏମାନଙ୍କ ମତରେ ଯୋଗ୍ୟତମ ଏବଂ ଯାହା ପୁରାତନ, ତାହା ଆଧୁନିକ ଯୁଗପାଇଁ ଅନୁପଯୁକ୍ତ । ସେଥିପାଇଁ ‘ନୂତନ’ବାଦୀମାନଙ୍କ ମତରେ ଯାହା ନୂତନ ତାହା ନିଶ୍ଚୟ ଯୋଗ୍ୟତମ । ମାତ୍ର ଏହା ସବୁବେଳେ ସତ୍ୟ ନୁହେଁ । କାରଣ ଏପରି ଏକ ସମୟ ଆସିପାରେ, ଯେତେବେଳେ ଅନିଷ୍ଟବିଧାୟକ ଘଟନାମାନ ପ୍ରାବଲ୍ୟ ଲାଭକରି ସମାଜର ପୂର୍ବତନ ଅନୁକୂଳ ଅବସ୍ଥାକୁ ଲୋପ କରିଦିଏ । ଉଦାହରଣ ସ୍ୱରୂପ, ମହାମାରୀ କେବେ କେବେ ପ୍ରାବଲ୍ୟ ଲାଭକରି ଜନସମାଜରେ ମୃତ୍ୟୁର ତାଣ୍ଡବଲୀଳା ଲଗାଇଦିଏ । ଏ ଅବସ୍ଥାରେ ମହାମାରୀ ରୋଗର ଜୀବାଣୁଗୁଡ଼ିକ ଶରୀରରକ୍ଷୀଜୀବାଣୁଗୋଷ୍ଠୀଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ଧ୍ୱଂସ କରିଦିଅନ୍ତି । ମହାମାରୀର ଏହି ଜୀବାଣୁଗୁଡ଼ିକ ତେଣୁ ବିବର୍ତ୍ତନବାଦୀଙ୍କ ମତରେ ଯୋଗ୍ୟତମ ବା ବଳିଷ୍ଠ ବୋଲି କୁହାଯାଇପାରେ । ମାତ୍ର ଆମ୍ଭେମାନେ ‘ଯୋଗ୍ୟତମ’ ଶବ୍ଦଟିକୁ ଏହି ଅର୍ଥରେ ଗ୍ରହଣ କରୁ ନାହିଁ । ବିବର୍ତ୍ତନବାଦର ଯୋଗ୍ୟତମ କେବଳ ଶାରୀରିକ ବା ଭୌତିକ ବଳରେ ଉତ୍କର୍ଷ ବୁଝାଏ । ମାତ୍ର ମାନବ ସମାଜରେ ଏହାର ଅର୍ଥନୈତିକ ଭିତ୍ତିରେ ଗୃହୀତ ହୋଇଥାଏ । ସୁତରାଂ ନୈତିକ ଦୃଷ୍ଟିକୋଣରୁ ଯୋଗ୍ୟତମର ଅର୍ଥ ଉତ୍ତମ(best) ଏହି ଅର୍ଥରେ ତେଣୁ ବିବର୍ତ୍ତନବାଦର ଯୋଗ୍ୟତମ(Fittest) ଉତ୍ତମ ହୋଇ ନ ପାରେ । ‘ଉତ୍ତମ’ରେ ବିବର୍ତ୍ତନବାଦର ଅର୍ଥରେ ଯୋଗ୍ୟତମତାର ମାତ୍ରା ରହିପାରେ । ମାତ୍ର ଯାହା ଏହି ଅର୍ଥରେ ଯୋଗ୍ୟତମ, ତାହା ସର୍ବଦା ଓ ଯର୍ବଥା ଉତ୍ତମ ବୋଲି କହିହେବନାହିଁ । ଯେଉଁ ‘ନୂତନ’ ବାଦୀମାନେ ‘ନୂତନ’କୁ ଉଲ୍ଲିଖିତ ବିବର୍ତ୍ତନବାଦ ଭିତ୍ତିରେ ଯୋଗ୍ୟତମ ବୋଲି ମନେକରନ୍ତି, ସେମାନଙ୍କ ଯୁକ୍ତି ମଧ୍ୟ ଏହିପରି ଭ୍ରମପୂର୍ଣ୍ଣ । ଅନାଚାର, ବିପ୍ଳବ, ଯୁଦ୍ଧବିଗ୍ରହ ପ୍ରଭୃତି ବ୍ୟାପାରମାନ ମାନବର ଇତିହାସରେ ପ୍ରାବଲ୍ୟ ଲାଭକରି ତଦାନୀନ୍ତନ ସାମାଜିକ ଅନୁକୂଳ ପରିସ୍ଥିତିକୁ ଦଳି ଦେଇଥାନ୍ତି । ଏଗୁଡ଼ିକ ସେଥିପାଇଁ ବିବର୍ତ୍ତନବାଦ ଅନୁସାରେ ଯୋଗ୍ୟତମ ବିବେଚିତ ହୋଇପାରନ୍ତି । ମାତ୍ର ଏଗୁଡ଼ିକୁ ‘ଉତ୍ତମ’ ଆଖ୍ୟା ଦିଆଯାଇ ନ ପାରେ । ଅତଏବ ମନେରଖିବାକୁ ହେବ, ‘ନୂତନ’ ସର୍ବଦା ‘ଉତ୍ତମ’–ଏପରି ବ୍ୟାପକ ସିଦ୍ଧାନ୍ତରେ ଉପନୀତ ହେବା ସମୀଚୀନ ନୁହେ । ଅବଶ୍ୟ କେତେକ ନୂତନ ବିଷୟରେ ପ୍ରବେଶନ ବା ପ୍ରଚଳନ ମାନବର ବିକାଶରେ ଅନୁକୂଳ; ମାତ୍ର ତାହା ବୋଲି ଯେ କୌଣସି ନୂତନ ପ୍ରଥାର ପ୍ରଚଳନ ସର୍ବଦା ତାହାର କଲ୍ୟାଣକର, ଏପରି ଭାବିବା ଅନୁଚିତ ।

 

କୌଣସି ବ୍ୟବସ୍ଥା ବା ପ୍ରବର୍ତ୍ତନ ନୂତନ କି ପୁରାତନ, ଏହା ସ୍ଥିର କରିବା କଠିନ ବୋଲି ଆଗରୁ କହିଅଛୁଁ । ବାସ୍ତବିକ ‘ନୂତନ’ର ଏକ ମାଦଦଣ୍ଡ ନିରୂପଣ କରିବା ବଡ଼ ଦୁରୂହ ବ୍ୟାପାର । ଆଧୁନିକ ଜଗତରେ ଖାଦ୍ୟପେୟ, ବସନଭୂଷଣ, ଯାନବାହନ ପ୍ରଭୃତି ନାନା ଦିଗରେ ମାନବଜୀବନରେ ନିର୍ବାଚନ ଲାଗି ରହିଅଛି । ଯାହା ଗୋଟିଏ ଦେଶ ବା ସମାଜ ପ୍ରତି ନୂତନ ପରି ବୋଧହୁଏ, ତାହା ଅନ୍ୟ ଦେଶ ବା ସମାଜ ପ୍ରତି ନୂତନ ବୋଲି କୁହାଯାଇ ନ ପାରେ । ଜଳବାୟୁଭେଦରେ ଖାଦ୍ୟଭେଦ, ବସ୍ତ୍ରଭେଦ, ଧର୍ମଭେଦ ପ୍ରଭୃତି ନାନା ଭେଦ ଦେଖିବାକୁ ମିଳେ । ସୁତରାଂ ନୂତନର ଯଥାଯଥ ସ୍ୱରୂପ ସ୍ଥିର କରିବା ସହଜସାଧ୍ୟ ନୁହେ । ଏପରି ଅବସ୍ଥାରେ ଏତିକି କହିଲେ ଚଳେ ଯେ, ଯେଉଁ ଦେଶ ବା ସମାଜ ନିଜର ପରିବେଷ୍ଟନୀ ପ୍ରତି ଲକ୍ଷ୍ୟ ରଖି ଯାହା ନିଜର ଉନ୍ନତି ବିଧାୟକ ବୋଲି ମନେକରିବ, ସେ ତାହାକୁ ହିଁ ପୂର୍ବତନ ଅବସ୍ଥାର ତୁଳନାରେ ନୂତନ ବୋଲି କହିପାରେ । ମାତ୍ର ଏଥିରୁ ନୂତନର ନିରପେକ୍ଷ ସ୍ୱରୂପ ବାହାରୁ ନାହିଁ । ତେଣୁ ଏଥିପୂର୍ବେ କହିଅଛୁଁ, ନୂତନ ଓ ପୁରାତନ କେବଳ ଆପେକ୍ଷିକ ଅର୍ଥରେ ସମାଜରେ ବ୍ୟବହୃତ ହୋଇପାରେ । ତଥାପି ଦେଶ ବିଦେଶରେ ବା ସମାଜବିଶେଷରେ ଏହି ନୂତନର ପ୍ରତିଷ୍ଠା କରିବାକୁ ଯାଇ ଆମ୍ଭମାନଙ୍କୁ ଏଥିପୂର୍ବେ ସୂଚିତ ବିଷୟଗୁଡ଼ିକ ମନେରଖି ଗତି କରିବାକୁ ହେବ । କେବଳ ‘ନୂତନ’ ନୂତନ’ ହୋଇ ପାଗଳ ହେଲେ ଦେଶ ବା ସମାଜର କଲ୍ୟାଣ ଦୈବାତ୍‌ ଘଟିପାରେ, ମାତ୍ର ଅକଲ୍ୟାଣର ସମ୍ଭାବନା ଯଥେଷ୍ଟ ।

 

ଶେଷ କଥା, ଆଜିକାଲି ଆମ ଦେଶ ତଥା ସମାଜମାନଙ୍କରେ ଚମକପ୍ରଦ ପରିବର୍ତ୍ତନମାନ ଘଟୁଥିବାର ଦେଖାଯାଏ । ନୈତିକ, ରାଜନୈତିକ, ଅର୍ଥନୈତିକ, ଧର୍ମଗତ ଓ ଶିକ୍ଷାଗତ ପ୍ରଭୃତି ବିଷୟରେ ଏହି ନୂତନତ୍ୱର ଡାକ ଶୁଣିବାକୁ ମିଳେ । ବିଶେଷତଃ ସ୍ୱାଧୀନତାପ୍ରାପ୍ତିର ପରେ ପରେ ଉଲ୍ଲିଖିତ ସକଳ ଦିଗରେ ନେତୃତ୍ୱର ମାତ୍ରା ଯଥେଷ୍ଟ ବୃଦ୍ଧିଲାଭ କରିଅଛି । ରାଷ୍ଟ୍ରର ଅଧିନାୟକଗଣ ଦେଶୀୟ ଓ ବିଦେଶୀୟ ବିଶେଷଜ୍ଞମାନଙ୍କୁ ନିଯୁକ୍ତି କରି ଜାତୀୟ ଜୀବନର ବହୁତୋମୁଖୀ ବିକାଶସାଧନ କରିବାରେ ତତ୍ପର ଦେଖାଯାନ୍ତି । ଫଳରେ ଜୀବନର ବିଭିନ୍ନ ଦିଗରେ ପରିବର୍ତ୍ତନ ଦ୍ରୁତଗତିରେ ପ୍ରବେଶ କରାଇ ଦିଆଯାଉଛି । ମାନବର ସ୍ୱାଭାବିକ ନୂତନକ୍ରିୟତା ଜନସାଧାରଣଙ୍କୁ ସେହି ଦିଗରେ ଟାଣି ନେଉଅଛି, ବଡ଼ ସୁଖର କଥା । ମାତ୍ର ଏ ଦିଗରେ ନେତୃବୃନ୍ଦଙ୍କର ଗୁରୁଦାୟିତ୍ୱ ରହିଅଛି । ଯେଉଁ ଅନୁଷ୍ଠାନଗୁଡ଼ିକ ଆବହମାନକାଳରୁ ଏ ଦେଶରେ ବିଦ୍ୟମାନ ରହି ଜାତୀୟ ଗଣ୍ଡ ଓ ପରମ୍ପରା ସୃଷ୍ଟି କରିଆସିଛି ଏବଂ ଯାହାର ବଳରେ ଆଜି ଏ ଜାତି ଧରାପୃଷ୍ଠରେ ଏପର୍ଯ୍ୟନ୍ତ ତିଷ୍ଠିପାରିଛି, ସେ ସବୁକୁ ସ୍ୱାଧୀନତାର ମୋହ ଓ ନୂତନ ପ୍ରତି ଅବାଧ ତଥା ଉଚ୍ଛୃଙ୍ଖଳ ଆବେଗରେ ଦେଶ ବା ସମାଜରୁ ଲୋପ କରି କତିପୟ ବିସ୍ମୟକର ପରିବର୍ତ୍ତନ ଆଣିବା ନିରାପଦ ବୋଧହୁଏ ନାହିଁ । ଯାହା କିଛି ପୁରାତନ, ତାହା ସବୁ ଅକଲ୍ୟାଣକର ଓ ଯାହା କିଛି ନୂତନ, ତାହା ସବୁ କଲ୍ୟାଣମୟ–ଏପରି ଭାବିବା ପୁରୋଦର୍ଶିତା କି ଦୁରଦର୍ଶିତାର ଚିହ୍ନ ନୁହେ । ଏକଦିଗରେ ବିଦେଶୀୟମାନଙ୍କ ଆଗରେ ପୁରାଣପ୍ରସିଦ୍ଧ ଭାରତର ପ୍ରାଚୀନ ସଭ୍ୟତା ଗୌରବମୟ ବୋଲି କହି ଅନ୍ୟ ଦିଗରେ ତାହାର ପ୍ରାଚୀନ ଅନୁଷ୍ଠାନମାନଙ୍କର ଅସମ୍ଭାଳ ପରିବର୍ତ୍ତନମାନ ଆଣିବାକୁ ଅଗ୍ରସର ହେବା କେତେଦୂର ସମୀଚୀନ, ଭାବୁକ ମାତ୍ରକେ ସ୍ଥିର କରିପାରିବେ । ଅବଶ୍ୟ ଏଥିରୁ ବୁଝିବାକୁ ହେବ ନାହିଁ ଯେ, ଆମ ଦେଶ ବା ସମାଜର ବିକାଶ ନିମିତ୍ତ ପୁରାତନର ସଂସ୍କାର ଆବଶ୍ୟକ ନୁହେ । ସଂସ୍କାର ଆବଶ୍ୟକ, ମାତ୍ର କେବଳ ‘ନୂତନ’ର ଦ୍ୱାହି ଦେଇ କ୍ଷମତାମୋହରେ ପରିବର୍ତ୍ତନ ଆଣିବା ଶ୍ରେୟସ୍କର ନୁହେଁ । ଆଜିକାଲି ଅନୁକରଣପ୍ରିୟତା ଏତେ ପ୍ରାବଲ୍ୟ ଲାଭକରିଛି ଯେ, ଯାହା କିଛି ଆମ ଦେଶରେ ନ ଥିଲା କି ନାହିଁ, ତାହା ନୂତନ ବୋଲି କହି ତାକୁ ହିଁ ଅନୁକରଣ କରିବାରେ ଲୋକେ ଉଦ୍ୟମଶୀଳ ଦେଖାଯାନ୍ତି । ମାତ୍ର ଅନୁକରଣର ସ୍ଥାନ କେହି ଅସ୍ୱୀକାର ନ କଲେହେଁ ଯେ କୌଣସି ଉଦ୍ୟମର ଅନୁକରଣ ଶୋଭନୀୟ ନୁହେ । ସେଥିପାଇଁ କହୁଁ, ନୂତନର ପ୍ରବର୍ତ୍ତକମାନେ ସାବଧାନ ହେବା ବାଞ୍ଛନୀୟ ଏବଂ ସେଥି ସଙ୍ଗେ ସଙ୍ଗେ ମନେରଖିବା ଉଚିତ ଯେ, ପୁରାତନ ଓ ନୂତନ ମଧ୍ୟରେ ଦ୍ୱନ୍ଦ୍ୱ ଆମକୁ ବିପଦରେ ପକାଇବ, ଯଦି ଆମ୍ଭେମାନେ ଅପରିଣାମଦର୍ଶୀ ହୋଇ ନୂତନର ପଛରେ ଧାବମାନ ହେଉଁ । ମାନବମାତ୍ରକେ ଭ୍ରମଶୀଳ । ଏହି ଭ୍ରମଶୀଳତା ଯେପରି ତାକୁ ପଙ୍କରେ ନ ପକାଏ, ସେଥିପ୍ରତି ସାବଧାନ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ । ପ୍ରତ୍ୟେକଙ୍କର ମନେରଖିବା ଉଚିତ, ନୂତନ ଓ ପୁରାତନର ସମନ୍ୱୟରେ ହିଁ ଜାତି ବା ଦେଶର ଅଗ୍ରଗତି ସମ୍ଭବପର । ପୁରାତନରୁ ବିଚ୍ଛିନ୍ନ ନୂତନ ଯେପରି ବିପଜ୍ଜନକ, ନୂତନରୁ ବିଚ୍ଛିନ୍ନ ପୁରାତନ ସେହିପରି ମାରାତ୍ମକ । ସୁତରାଂ ପୁରାତନ ପ୍ରତି ଦୃଷ୍ଟିରଖି ନୂତନକୁ ଗଢ଼ିବାକୁ ହେବ ଓ ନୂତନକୁ ପରୀକ୍ଷା କରି ପୁରାତନ ସଂସ୍କାର ଆଣିବାକୁ ହେବ । ଏ ଦୁଇଟି ମାନବୀୟ ବ୍ୟାପାର ହୋଇଥିବାରୁ ଉଭୟର ଦୋଷ ଗୁଣ ଅଛି ।

Image

 

ଆତ୍ମଶୁଦ୍ଧି

 

ମାନବର ଆତ୍ମାଏକ ବିଚିତ୍ର ସୃଷ୍ଟି । ଏହାର କାର୍ଯ୍ୟକାରିତାର ସୀମା ସ୍ଥିର କରିବା ଏକ ଦୁରୂହ ବ୍ୟାପାର । ଏହାର ବିକାଶପଥରେ ଏହାର ଶକ୍ତିର ପରିସର ଏତେ ବଢ଼ିଯାଇପାରେ ଯେ, କହି ହୁଏ ନାହିଁ, କେଉଁ ସ୍ତର ଏହାର ବିକାଶର ଚରମସୀମା । କିନ୍ତୁ ଏହାର ପଥ ନିଷ୍କଣ୍ଟକ ନୁହେଁ–ଗିରିକନ୍ଦରରୁ ନିଃସୃତ ସ୍ରୋତସ୍ୱତୀପରି ଏହାକୁ ନାନା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼େ । ଫଳରେ ଏହାର ଶକ୍ତି ପ୍ରତିହତ ହୋଇ ଅନେକ ସମୟରେ ଏପରି ବିକୃତ ଅବସ୍ଥାରେ ଉପନୀତ ହୁଏ ଯେ, ମାନବ ଏକ କିମ୍ଭୁତକିମାକାର ଜୀବରେ ପରିଣତ ହୋଇପଡ଼େ । ଏହି ଦୁର୍ଗତିରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ପ୍ରଚେଷ୍ଠା ନ ହେଲେ ତାହାର ଆତ୍ମା କଳୁଷିତ ହୋଇ ସମସ୍ତ ସୁଖଶାନ୍ତିର ମୂଳରେ କୁଠାରଘାତ କରିବ । ଏହି ପ୍ରଚେଷ୍ଟା ଅନ୍ୟ କୌଣସି ଉପାୟରେ ନାହିଁ, ଅଛି କେବଳ ଆତ୍ମଶୁଦ୍ଧିରେ ।

 

‘ମାନବର ଆତ୍ମା’ କହିଲେ ଆମ୍ଭେମାନେ ସାଧାରଣତଃ ତାହାର ବ୍ୟକ୍ତିଗତ ଆତ୍ମାକୁ ହିଁ ବୁଝିଥାଉଁ । ଏହି ଅର୍ଥରେ ଦେବଦତ୍ତର ଆତ୍ମା ଦେବଦତ୍ତ ନାମକ ବ୍ୟକ୍ତିବିଶେଷର ସ୍ୱାର୍ଥସିଦ୍ଧିକ୍ଷମ ଆତ୍ମା ଛଡ଼ା ଆଉ କିଛି ନୁହେଁ । ଏହା ତେଣୁ ଦେବଦତ୍ତ ନାମକ ବ୍ୟକ୍ତିଠାରେ ହିଁ ନିବଦ୍ଧ । ଦେବଦତ୍ତ କିପରି ନିଜେ ନିଜର ସ୍ୱାର୍ଥ ସାଧନ କରିବ, ନିଜର ସୁଖସ୍ୱାଚ୍ଛନ୍ଦ୍ୟ ସମ୍ପାଦନ କରିବ, ଏହାହିଁ ତାହାର ଆତ୍ମାର କାର୍ଯ୍ୟ ହୋଇଥାଏ । ସ୍ଥୂଳରେ କହିବାକୁ ଗଲେ, ଦେବଦତ୍ତର ଆତ୍ମଶକ୍ତି କେବଳ ତାହାରି ବା ତତ୍‌ସଂକ୍ରାନ୍ତ କୌଣସି ସ୍ୱାର୍ଥସାଧନରେ ଆବଦ୍ଧ । କେବଳ ଏତିକି ନୁହେଁ, ଅନେକ ସମୟରେ ଏହି ଆତ୍ମାକୁ ଲୋକେ ଆହୁରି ଏତେ ସଂକୀର୍ଣ୍ଣ ଅର୍ଥରେ ପ୍ରୟୋଗ କରିଥାନ୍ତି ଯେ, ଏହାକୁ କେବଳ ନିଜ ଦେହ ବୋଲି ମନେକରି କେବଳ ଦୈହିକ ସ୍ୱାର୍ଥସିଦ୍ଧିରେ ଲାଗିପଡ଼ନ୍ତି, ମାତ୍ର ଅନୁଧ୍ୟାନ କଲେ ବୁଝାଯିବ ଯେ, ମାନବର ଆତ୍ମା କେବଳ ଈଦୃଶ ବ୍ୟକ୍ତିଗତ ଆତ୍ମାରେ ପର୍ଯ୍ୟବସିତ ନୁହେଁ । ଏହା କେବଳ ବ୍ୟକ୍ତିର ସ୍ୱାର୍ଥରେ ନିବଦ୍ଧ ନୁହେଁ କି ତାହାର ଦୈହିକ ସୁଖସ୍ୱାଚ୍ଛନ୍ଦ୍ୟର ସାଧନ ନୁହେଁ । ପ୍ରତ୍ୟେକ ମାନବଠାରେ ଯେଉଁ ଆତ୍ମଶକ୍ତି ନିହିତ ଅଛି, ତାହାର ଦୁଇଟି ବିଭାଗ ବା ଦିଗ ରହିଅଛି । ଏକ ଦିଗରେ ଏହା ବ୍ୟକ୍ତିର ସ୍ୱଗତ ପ୍ରୟୋଜନସିଦ୍ଧିର ମୂଳରେ ବିଦ୍ୟମାନ ଥାଇ ସୁଦ୍ଧା ଅନ୍ୟ ଦିଗରେ ସକଳ ବ୍ୟକ୍ତିଗତ ସ୍ୱାର୍ଥକୁ ଅତିକ୍ରମ କରି ସମାଜ ବା ଜାତିର ଅଭିବୃଦ୍ଧି ସାଧନରେ ନିଜକୁ ନିୟୋଜିତ କରିପାରେ ଏହା ଦ୍ୱିଧାର ଛୁରିକା ପରି ଉଭୟବିଧ କର୍ମ ସମାଧାନ କରିବାରେ ସମର୍ଥ । ମାନବାତ୍ମାର ଏହି ବ୍ୟଷ୍ଟିମୁଖ କର୍ମ ସମାଧାନ କରିବାରେ ସମର୍ଥ । ମାନବାତ୍ମାର ଏହି ବ୍ୟଷ୍ଟିମୁଖ ଓ ସମଷ୍ଟିମୁଖ ବିଭାବଦ୍ୱୟ ତେଣୁ ଅଭିଚ୍ଛେଦ୍ୟଭାବରେ ପରସ୍ପର ସହିତ ସମ୍ବନ୍ଧ-ପ୍ରତ୍ୟକଟି ଅପରର ପରିପୂରକ । ସୁତରାଂ ଆତ୍ମାର ଶୁଦ୍ଧି ଆଣିବାକୁ ହେଲେ ଉଭୟ ବିଭାବର ଶୁଦ୍ଧି ପ୍ରତି ଦୃଷ୍ଟି ଦେବାକୁ ହେବ । ଆତ୍ମଶୁଦ୍ଧ ତେଣୁ କେବଳ ପୂର୍ବୋକ୍ତ ସଂକୀର୍ଣ୍ଣ ତଥା ବ୍ୟକ୍ତିଗତ ଆତ୍ମାର ଶୁଦ୍ଧି ନୁହେଁ, ଏହା ମନେରଖି ଆମ୍ଭମାନଙ୍କୁ ବିଷୟଟିର ଆଲୋଚନାରେ ଗତି କରିବାକୁ ହେବ ।

 

ପ୍ରଥମେ ବ୍ୟଷ୍ଟିମୁଖ ଦିଗଟି ପ୍ରତି ଦୃଷ୍ଟି ଦିଆଯାଉ । ଏହି ଦିଗଟି ବ୍ୟକ୍ତିର କେତେଗୁଡ଼ିଏ ସ୍ୱାର୍ଥ ବା ସ୍ୱଗତ ପ୍ରୟୋଜନର ସିଦ୍ଧିରେ ପ୍ରକାଶିତ ହୋଇଥାଏ । କିନ୍ତୁ ଏହି ଦିଗରେ ଗତି କଲାବେଳେ ଅନେକ ଇନ୍ଦ୍ରିୟସର୍ବସ୍ୱ ହୋଇ ପଶୁବତ୍‌ ନିର୍ବିଚାର ଭାବରେ କାର୍ଯ୍ୟ କରିଥାନ୍ତି । ମାନବଜୀବନରେ ଚିନ୍ତା ଓ କାର୍ଯ୍ୟ ପରସ୍ପର ସହିତ ଏପରି ଭାବରେ ସଂଶ୍ଳିଷ୍ଟ ଯେ ଚିନ୍ତା କାର୍ଯ୍ୟର ପ୍ରେରକ ହୋଇଥାଏ ଏବଂ କାର୍ଯ୍ୟ ମଧ୍ୟ ଚିନ୍ତାକୁ ପ୍ରଭାବିତ କରିଥାଏ । ଅଭ୍ୟାସବଶତଃ କାର୍ଯ୍ୟ ମାନବର ମନ ଉପରେ ଏତେ ପ୍ରଭାବ ବିସ୍ତାର କରେ ଯେ, କାର୍ଯ୍ୟ ମନ୍ଦ ହୋଇଥିଲେ ମାନବର ଆତ୍ମା ଦୁରାତ୍ମାରେ ପରିଣତ ହୋଇଥାଏ । ସୁତରାଂ ସେତେବେଳେ ମାନବ ଇନ୍ଦ୍ରିୟମାନଙ୍କ ପ୍ରରୋଚନାରେ କାର୍ଯ୍ୟକ୍ଷେତ୍ରକୁ ନୀତ ହୁଏ, ସେତେବେଳେ ତାହାର ଆତ୍ମା ଶୁଦ୍ଧ ଓ ବିକାଶକ୍ଷମ ହେବା ପରିବର୍ତ୍ତରେ ପଙ୍କିଳ ପୁଷ୍କରିଣୀ ପରି ବିଭିନ୍ନ ଆବିଳତାର ଏକ ଆଧାରରେ ପରିଣତ ହୋଇପଡ଼େ । ଗର୍ବ, ଦମ୍ଭ, ଈର୍ଷା, ଦ୍ୱେଷ ପ୍ରଭୃତି ମାନସିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ବ୍ୟକ୍ତିର ଆତ୍ମା ଏକ ବିକୃତ ତଥା ଦୁଷିତ ଅବସ୍ଥାରେ ପତିତ ହୁଏ । ଏପରି ଆତ୍ମା ଦେଶ ଓ ଦଶର ବହୁ ଅନିଷ୍ଟ ସାଧନ କରି ମାନବସମାଜକୁ ନରକରାଜ୍ୟରେ ପରିଣତ କରିଦିଏ । ଏହି ଅବସ୍ଥାରେ ବ୍ୟକ୍ତିମାତ୍ରକେ ଇତର ପ୍ରାଣୀମାନଙ୍କଠାରୁ କୌଣସି ଗୁଣରେ ପୃଥକ୍‌ ବା ଉତ୍କୃଷ୍ଟତର ବୋଲି ମନେହୁଏ ନାହିଁ । ଗର୍ବୀ ମାନବ ନିଜକୁ ବଡ଼ ବୋଲି ମନେ କରି ଧରାକୁ ସରା ଜ୍ଞାନ କରେ । ଦମ୍ଭୀ ମାନବ ଅତର୍କିତଭାବରେ ଆପଣାର ସର୍ବସ୍ୱ ନାଶ କରୁଥିଲେ ସୁଦ୍ଧା ସ୍ୱାର୍ଥାନ୍ଧତାରୂପକ ମାଦକତାରେ ନିଜର କୃତିତ୍ୱ ଓ ପ୍ରତିଷ୍ଠା ସମ୍ପାଦନ କରୁଅଛି ବୋଲି ମନେ କରେ । ଈର୍ଷୀ ମାନବ ଅପରର ଉନ୍ନତିରେ ମ୍ରିୟମାଣ ବା ଅସହିଷ୍ଣୁ ହୋଇ ନିଜର ଉନ୍ନତି ବା ବିକାଶରେ ବହୁ ବାଧାବିଘ୍ନ ସୃଷ୍ଟି କରିବସେ ଇତ୍ୟାଦି । ଏହିସବୁ ବ୍ୟକ୍ତିମାନଙ୍କୁ ଦେଖିଲେ ମନେହୁଏ, ଏମାନେ ଯେପରି କି ଗୋଟିଏ ଗୋଟିଏ ଆତ୍ମଘାତୀ । ଯେପରି ଆତ୍ମହତ୍ୟାକାରୀ ସକଳ ଦୁର୍ଗତି ଓ ଦୁର୍ନାମରୁ ରକ୍ଷା ପାଇବାପାଇଁ ଆତ୍ମହତ୍ୟାକୁ ସର୍ବୋତ୍କୃଷ୍ଟ ଉପାୟ ବୋଲି ମନେକରେ, ସେହିପରି ବ୍ୟକ୍ତିଗତ ସ୍ୱାର୍ଥରେ ନିବଦ୍ଧ ବ୍ୟକ୍ତି ଗର୍ବ, ଦମ୍ଭ, ପ୍ରତିହିଂସା ପ୍ରଭୃତି ବିକୃତ ମାନସିକ ପ୍ରକ୍ରିୟାକୁ ଆତ୍ମରକ୍ଷାର ଉପାୟ ବୋଲି ମନେ କରି ସେମାନଙ୍କ ପ୍ରଭାବରେ ସ୍ୱାର୍ଥ ବଜାଏ ରଖିବ କଣ, ବରଂ ଆପଣାର ସର୍ବନାଶ ଆନୟନ କରିଥାଏ-। ସମାଜ, ଜାତି ବା ଦେଶର ସମୂହକଲ୍ୟାଣ ତାହାର ଦୃଷ୍ଟିରେ ପଡ଼େ ନାହିଁ । ସେ ଏତେ ସ୍ୱାର୍ଥବିଜଡ଼ିତ ହୋଇପଡ଼େ ଯେ, ସାମାଜିକତା, ପ୍ରେମ ଓ ବନ୍ଧୁତା ପ୍ରଭୃତି ଆତ୍ମବିକାଶକ୍ଷମ ଗୁଣଗୁଡ଼ିକ ତାହାର ସମ୍ମୁଖରେ ନିଜ ନିଜର ମର୍ଯ୍ୟାଦା ହରାଇ ବସନ୍ତି । ଯଦି କେବେ କେବେ ସେ ସେଗୁଡ଼ିକର ଆଶ୍ରୟ ନିଏ, ତାହା କେବଳ ତାହାର ସ୍ୱାର୍ଥସିଦ୍ଧିର ଉପାୟ ରୂପରେ–ସମୂହକଲ୍ୟାଣର ନୀତିରୂପେ ନୁହେ । ଏହି ଶ୍ରେଣୀର ମାନବ କଳୁଷିତ ଆତ୍ମାର ପ୍ରଭାବରେ ପଡ଼ି ନାନା କୁସଂସ୍କାର ଅର୍ଜନ କରିଥାଏ । ସେ ଇନ୍ଦ୍ରିୟାଶକ୍ତ ଜୀବନ ଯାପନ କରି ନିଜକୁ ସୁଖୀ କରିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ସେ ଯେ ଧ୍ୱଂସଆଡ଼କୁ ଗତି କରୁଅଛି, ତାହା ଜାଣିପାରେ ନାହିଁ । କେବଳ ସେତିକି ନୁହେ, ଏପରି ବ୍ୟକ୍ତି, ସମାଜ, ଜାତି ତଥା ଦେଶର ଏକ କଳଙ୍କ, କହିଲେ ଅତ୍ୟୁକ୍ତି ହେବ ନାହିଁ-। ତାହାର କଳଙ୍କିତ ଆତ୍ମା କ୍ରମଶଃ ବଳହୀନ ହୋଇ ସ୍ୱାର୍ଥକେନ୍ଦ୍ରିକ ପଶୁତ୍ୱରେ ପରିଣତ ହୁଏ ମାତ୍ର ।

 

ବର୍ତ୍ତମାନ ଏହି ବ୍ୟକ୍ତିଗତ ଆତ୍ମାକୁ ଅତିକ୍ରମ କରି ଆମ୍ଭେମାନେ ଜାତି ବା ସମାଜକୁ ବ୍ୟକ୍ତିରୂପେ ଧରି ସମଷ୍ଟିଗତ ଆତ୍ମାର ପରିକଳ୍ପନା କରିପାରୁଁ । ଏହି ସମଷ୍ଟିଗତ ଆତ୍ମା ବ୍ୟକ୍ତିର ଆତ୍ମା ପରି ଏକ ବ୍ୟକ୍ତିଠାରେ ନିହିତ ନୁହେ । ଯେପରି ବ୍ୟକ୍ତିର ଶରୀର ଆତ୍ମଶକ୍ତି ସହିତ ଜଡ଼ିତ ରହି ନାନାଭାବରେ ବଳୀୟାନ ହୋଇଥାଏ, ସେହିପରି ସମାଜ ବା ଜାତି ମାତ୍ରକେ ଏକ ସମୂହଶକ୍ତି ଆହରଣ କରି ବିଭିନ୍ନ ଦିଗରେ କାର୍ଯ୍ୟ କରିଥାଏ । ସମାଜ ବା ଜାତି ବ୍ୟକ୍ତିମାନଙ୍କୁ ନେଇ ଗଠିତ ହୋଇଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତିର ଆତ୍ମଶକ୍ତିରେ ନିହିତ ସାମାଜିକତା ବା ଜାତୀୟତା ଅନ୍ୟାନ୍ୟ ବ୍ୟକ୍ତିଙ୍କଠାରେ ନିହିତ ତାଦୃଶ ଗୁଣ ସହିତ ମିଳିତ ହୋଇ ଏକ ବିଶାଳ ସାମୂହିକ, ସଂଘବଦ୍ଧ ଶକ୍ତିରୂପେ ପ୍ରକାଶିତ ହୁଏ । ଯେପରି କ୍ଷୁଦ୍ର କ୍ଷୁଦ୍ର ଜଳସ୍ରୋତର ଶକ୍ତିଗୁଡ଼ିକ ସମ୍ମିଳିତ ହୋଇ ମହାବେଗଶାଳିନୀ ଏକ ସ୍ରୋତସ୍ୱତୀରେ ପରିଣତ ହୁଏ, ସେହିପରି ବ୍ୟକ୍ତିମାନଙ୍କଠାରେ ବିଦ୍ୟମାନ ସମଷ୍ଟିମୁଖ ବିଭାବଗୁଡ଼ିକ ସମ୍ମିଳିତ ହୋଇ ଏକ ସମଷ୍ଟିଗତ, ଅର୍ଥାତ୍‌ ସାମାଜିକ ବା ଜାତୀୟ ଆତ୍ମରୂପରେ କାର୍ଯ୍ୟ କରେ । ଏହି ଆତ୍ମା ଏକ ବିଶାଳ ଶକ୍ତି ଓ ଏହାର ଶରୀର ସମଗ୍ର ସମାଜ ବା ଜାତି । ଏହି ସମଷ୍ଟିଗତ ଆତ୍ମା ବ୍ୟକ୍ତିଗତ ଆତ୍ମାପରି ବହୁବିଧ ପ୍ରଭାବର ଅଧୀନ ହୋଇ ନାନା କ୍ଷେତ୍ରରେ ନିଜକୁ ପ୍ରକାଶ କରେ ଏବଂ ବ୍ୟକ୍ତିମାତ୍ରକେ ସମାଜ ବା ଜାତିର ଅଙ୍ଗସ୍ୱରୂପ ହୋଇଥିବାରୁ ଏକର ପ୍ରକୃତି ଅପରର ପ୍ରକୃତି ଉପରେ ନିର୍ଭର କରେ । ଯେଉଁ ସମାଜ ବା ଜାତିର ବ୍ୟକ୍ତିଜୀବନ ଯେତେ ଉନ୍ନତ ବା ଅବନତ, ସେହି ସମାଜ ବା ଜାତିର ଆତ୍ମଶକ୍ତି ତଦନୁରୂପ ଉନ୍ନତ ବା ଅବନତ, ହୋଇଥାଏ । ପୁଣି ଯେଉଁ ସମାଜ ବା ଜାତି ମାନସିକ, ନୈତିକ ଓ ରାଜନୈତିକ ଭାବରେ ଯେତେ ଉନ୍ନତ ବା ଅବନତ ତାହାର ବ୍ୟକ୍ତି-ଜୀବନଗୁଡ଼ିକର ଆତ୍ମଶକ୍ତି ଉନ୍ନତ ବା ଅବନତ ତାହାର ବ୍ୟକ୍ତି-ଜୀବନଗୁଡ଼ିକର ଆତ୍ମଶକ୍ତି ସେତେ ବଳିଷ୍ଠ ବା ବଳହୀନ । ତେଣୁ ବ୍ୟକ୍ତିର ଯେପରି ଆତ୍ମା ଅଛି, ସମାଜ ବା ଜାତିର ସେହିପରି ଏକ ଆତ୍ମଶକ୍ତି ଅଛି ବୋଲି କହିବାକୁ ହେବ । ଏହି ବିଶାଳ ଆତ୍ମଶକ୍ତି ନାନା କୁସଂସ୍କାର ବା କୁପ୍ରବୃତ୍ତିର ବଶବର୍ତ୍ତୀ ହେଲେ ଏକ କଳଙ୍କିତ ସମାଜ ବା ଜାତି ସୃଷ୍ଟି କରେ । ଇନ୍ଦ୍ରିୟଭୋଗ, ଜଡ଼ୋପାସନା, ପ୍ରିୟତୋଷଣ, ଦୁର୍ବଳର ଉପରେ ପ୍ରବଳର ଅତ୍ୟାଚାର ପ୍ରଭୃତି ନାନାବିଧ ଦୁର୍ଗୁଣ ଓ ଦୁଷ୍କର୍ମରେ ଜଡ଼ିତ ରହି କେତେ ସମାଜ ଓ ଜାତି ଯେ ଏ ଧରାପୃଷ୍ଠରୁ ଲୋପ ପାଇଯାଇଛନ୍ତି, କାହାରିକୁ ଅବିଦିତ ନୁହେଁ । ଦୁର୍ବାର ରାଜ୍ୟଲିପ୍‌ସା ଓ କ୍ଷମତାମୋହ ଜାତୀୟଜୀବନଗୁଡ଼ିକ ଏପରି ଦୁର୍ବୃତ୍ତ ତଥା ମଦୋନ୍ନତ କରିପକାଏ ଯେ ବିଜେତା ଓ ବିଜିତ, ଉଭୟେ ଧ୍ୱଂସର କବଳରେ ପତିତ ହୁଅନ୍ତି । ବ୍ୟକ୍ତି ପରି ଜାତି ମଧ୍ୟ ଗର୍ବ, ଦମ୍ଭ, ହିଂସା, ଦ୍ୱେଷ ପ୍ରଭୃତି ମାନସିକ ବିକୃତିର ଅଧୀନ ହୋଇ ପରିଣାମରେ ନିଜର ଅସ୍ତିତ୍ୱ ପର୍ଯ୍ୟନ୍ତ ହରାଇବସେ । ପ୍ରଚଣ୍ଡ ରୌଦ୍ରତାପରେ କୁସୁମଞ୍ଜରୀ ଶୁଷ୍କ ହୋଇ ଖସିପଡ଼ିଲା ପରି ଉଲ୍ଲିଖିତ ମାନସିକ ଉତ୍ତେଜନାଗୁଡ଼ିକର ପ୍ରଭାବରେ ଜାତୀୟ ଆତ୍ମା କୁସୁମ ପ୍ରଷ୍ଫୁଟିତ ହେବା ପୂର୍ବରୁ ମ୍ରିୟମାଣ ହୋଇ ଅବନତିର ଗର୍ଭରେ ଲୀନ ହୁଏ ।

 

ପ୍ରାରମ୍ଭରୁ ସୂଚିତ ହୋଇଅଛି, ଆତ୍ମାର ବିକାଶ ଆତ୍ମଶୁଦ୍ଧି ସାପେକ୍ଷ । ସୁତରାଂ ଦେଖିବାକୁ ହେବ, କି ଉପାୟରେ ଏହି ଆତ୍ମଶୁଦ୍ଧି ସମ୍ପାଦିତ ହୋଇପାରେ । ଆତ୍ମା ଶୁଦ୍ଧ ରହିଲେ ଜଳଦଜାଳମୁକ୍ତ ଗଗନମଣ୍ଡଳରେ ପ୍ରଦୀପ୍ତ ମାର୍ତ୍ତଣ୍ଡ ପରି ଉଜ୍ଜ୍ୱଳତା ଲାଭ କରେ ଏବଂ ଜଗତକୁ ତାହାର ସ୍ୱର୍ଗୀୟ ଦୀପ୍ତିରେ ଦୀପ୍ତିମୟ କରିଦିଏ । ଆତ୍ମାର ଏହି ଶୁଦ୍ଧତ୍ୱ ଆନୟନ କରିବାକୁ ହେଲେ ଆମ୍ଭମାନଙ୍କୁ ଅଧଃସୂଚିତ କତିପୟ ପନ୍ଥା ଅବଲମ୍ବନ କରିବାକୁ ହେବ ।

 

ପ୍ରଥମତଃ ବ୍ୟକ୍ତିର ଆତ୍ମଶୁଦ୍ଧି ନ ହେଲେ ଜାତିର ଆତ୍ମଶୁଦ୍ଧି ହେବା ସମ୍ଭବପର ନୁହେଁ । ଯେଉଁ ସମାଜ ବା ଜାତିର ବ୍ୟକ୍ତିମାନେ ଯେତେ କୁସଂସ୍କାର ଓ କୁକର୍ମରୁ ମୁକ୍ତ, ସେହି ସମାଜ ବା ଜାତି ସେତେ ସଂସ୍କୃତ । ବ୍ୟକ୍ତି ମାତ୍ରକେ ତେଣୁ ଶୁଦ୍ଧପୂତ ଜୀବନ ଧାରଣ କରିବା ଏକାନ୍ତ ଆବଶ୍ୟକ । ବ୍ୟକ୍ତିମାତ୍ରକେ ଯାହା ସତ୍ୟ, ତାହା କାୟମନୋବାକ୍ୟରେ ପାଳନ କରିପାରିଲେ ତାହାର ଆତ୍ମା ବଳିଷ୍ଠ ହୁଏ । ଏପରି ବ୍ୟକ୍ତି ହିଁ ମହାତ୍ମା । ପକ୍ଷାନ୍ତରେ ଯେଉଁ ବ୍ୟକ୍ତିର ଚିନ୍ତା ବାକ୍ୟ ଓ କର୍ମରେ ଅସାମଞ୍ଜସ୍ୟ ପରରିଲକ୍ଷିତ ହୁଏ, ଯେ ସତ୍ୟକୁ ସତ୍ୟରୂପେ ହୃଦୟଙ୍ଗମ କଲେ ମଧ୍ୟ ବଚନ ଓ କର୍ମରେ ବିପରୀତ ପନ୍ଥା ଅବଲମ୍ବନ କରେ, ସେହିପରି ବ୍ୟକ୍ତି ଦୁରାତ୍ମା ଶ୍ରେଣୀର ଅନ୍ତର୍ଗତ । ସେଥିପାଇଁ ସିନା କଥିତ ଅଛି–

 

‘‘ମନସ୍ୟେକଂ ବଚସ୍ୟେକଂ କର୍ମଣ୍ୟେକଂ ମହାତ୍ମନାମ୍‌,

ମନସ୍ୟନ୍ୟତ୍‌ ବଚସ୍ୟନ୍ୟତ କର୍ମଣ୍ୟନ୍ୟତୁ ଦୁରାତ୍ମନାମ୍‌ ।’’

 

ସୁତରାଂ ଆତ୍ମବିକାଶକ୍ଷମ ଶକ୍ତି ଅର୍ଜ୍ଜନ କରିବାକୁ ହେଲେ ମନ୍ତ୍ରବତ୍‌ ଘୋଷିବାକୁ ହେବ–‘‘ମୁଁ ଯାହା ସତ୍ୟ ବୋଲି ବୁଝିବି, ତାହା କହିବି ଓ ତାହା ହିଁ କରିବି । ମୋର ମନବଚନକର୍ମ ଶୁଦ୍ଧପୂତ ନୀତି ଉପରେ ପ୍ରତିଷ୍ଠିତ ହେଲେ ମୋର ଆତ୍ମଶୁଦ୍ଧି ହୋଇଅଛି ବୋଲି ମୁଁ ମନେ କରିବି ।’’

 

ଅନେକ ସମୟରେ ଦେଖାଯାଏ, କେତେକ ବ୍ୟକ୍ତି ସମାଜ ବା ଜାତିକୁ ଭୟ କରି ଉଚିତ କର୍ମପନ୍ଥାରୁ ବିଚ୍ୟୁତ ହୋଇଥାନ୍ତି । ସେମାନଙ୍କର ସମାଜ ବା ଜାତି ଏତେଦୂର ଅନୈତିକ ଓ କ୍ଷମତା ଦୃପ୍ତ ହୋଇପଡ଼େ ଯେ, ତହିଁରେ ସତ୍ୟପ୍ରକାଶ ପାଇଁ ବ୍ୟକ୍ତିମାନଙ୍କର ଯେକୌଣସି ସ୍ୱାତନ୍ତ୍ର୍ୟ ରହେ ନାହିଁ । ତେଣୁ ସେମାନେ ନିଜ ନିଜର ସ୍ୱାଧୀନ ମତବ୍ୟକ୍ତ କରି ତଦନୁସାରେ କାର୍ଯ୍ୟ କରିବା ପାଇଁ ସୁବିଧା ପାଇପାରନ୍ତି ନାହିଁ । ଆତ୍ମାର ଶୁଦ୍ଧି ନିମିତ୍ତ ଈଦୃଶ ବ୍ୟକ୍ତିମାନଙ୍କୁ କଠୋର ନିଷ୍ଠାର ସହିତ କାର୍ଯ୍ୟକ୍ଷେତ୍ରରେ ଅଗ୍ରସର ହେବାକୁ ହେବ ଏବଂ ମନେରଖିବାକୁ ହେବ, ଆତ୍ମଶୁଦ୍ଧିପରିପୂତ ସ୍ୱାଧୀନଚେତା ବ୍ୟକ୍ତି ନିନ୍ଦାସ୍ତୁତି, ଲାଭକ୍ଷତି ଏପରି କି ମରଣପର୍ଯ୍ୟନ୍ତ କୌଣସିଟିକୁ ଭୟ ନ କରି ଅବିଚଳିତଭାବରେ ନ୍ୟାୟର ମାର୍ଗରେ ଗତି କରନ୍ତି ଏବଂ ସମାଜ ବା ଜାତିର ଯାବତୀୟ ଅନୈତିକତା ଓ ତଜ୍ଜନିତ ଦୁଷ୍କର୍ମ ବିରୁଦ୍ଧରେ ଦଣ୍ଡାୟମାନ ହୋଇ ତାହାର ଆତ୍ମଶୁଦ୍ଧି ସମ୍ପାଦନ କରିଥାନ୍ତି । ବାସ୍ତବିକ୍‌, ଆତ୍ମଶୁଦ୍ଧି ଆତ୍ମବିକୃତି ପରି ସହଜ ବ୍ୟାପାର ନୁହେଁ । ଏହା ଆତ୍ମାର ବିକାଶକ୍ଷମ ଗୁଣ ଓ କର୍ମମାନଙ୍କର ମୂଳ ନିଦାନ । ଏହା ସାଧନ କରିବାକୁ ହେଲେ ସର୍ବବିଧ ଆବିଳତାର ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ହେବ । କୁସଂସ୍କାରାଚ୍ଛନ୍ନ, ଅତ୍ୟାଚାରପ୍ରବଣ, ସ୍ୱାର୍ଥାନ୍ଧ ବ୍ୟକ୍ତିମାନଙ୍କରେ ପରିପୂର୍ଣ୍ଣ ସମାଜ ବା ଜାତିକୁ ଭୟ କରି ସୁବିଧାବାଦୀ ହେବାକୁ ଗଲେ ବା ସେମାନଙ୍କ କର୍ତ୍ତୃକ ଅନୁମୋଦିତ ଅନ୍ୟାୟର ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେଲେ, ଆତ୍ମ ଶୁଦ୍ଧି ହେବ ନାହିଁ ଯେ ବରଂ ଏକ ଦୁର୍ବଳ ତଥା ନୀତିହୀନ ଜୀବନର ଆକାର ଧାରଣ କରିବ । କେବଳ ଏତିକି ନୁହେଁ, ଅଯଥା ଆତ୍ମବଡ଼ିମା ବ୍ୟକ୍ତିର ଆତ୍ମାକୁ କଳଙ୍କିତ କରି ତାହାର ବ୍ୟକ୍ତିଗତ ତଥା ଜାତିଗତ ବିନାଶର ଗୋଟିଏ ପ୍ରଧାନ କାରଣ ହୋଇଥାଏ କେତେକ ବ୍ୟକ୍ତି ନିଜ ନିଜକୁ ଆଭିଜାତ୍ୟସମ୍ପନ୍ନ, ବିଭବବାନ ଓ ଉଚ୍ଚପଦବୀଯୁକ୍ତ ମନେକରି ଅନ୍ୟମାନଙ୍କୁ ହେୟଜ୍ଞାନ କରନ୍ତି । ଏହି ଅଯଥା ଆତ୍ମବଡ଼ିମା ଆତ୍ମାକୁ ନୀଚ ତଥା ସଂକୀର୍ଣ୍ଣ କରି ବ୍ୟକ୍ତିକୁ ନରକର କୀଟରେ ପରିଣତ କରିଦିଏ । ଏହା ବର୍ଜ୍ଜନ ନ କଲେ କୌଣସି ବ୍ୟକ୍ତି ତାଙ୍କର ମହତ୍ୱ ରକ୍ଷା କରିପାରିବେ ନାହିଁ ଏବଂ ଫଳରେ ଜାତିର ଗଣ୍ଡି ଦୁର୍ବଳ ହୋଇ ତାହାର ପତନର କାରଣ ହେବ ।

 

କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ପ୍ରଭୃତିରେ ଅନ୍ଧୀଭୂତ ଆତ୍ମା ଜାତିର ଅଧଃପତନର ଏକ ବିଶିଷ୍ଟ କାରଣ । ଗୀତା ଯଥାର୍ଥରେ କହିଅଛନ୍ତି–

 

‘‘ଧ୍ୟାୟତୋ ବିଷୟାନ୍‌ପୃଂସଃ ସଙ୍ଗସ୍ତେଷୁପଜାୟତେ,

ସଙ୍ଗାତ୍‌ ସଞ୍ଚାୟତେ କାମଃ କାମାତ୍‍ କ୍ରୋଧୋଃଭିଜାୟତେ

କ୍ରୋଧାଦ୍‍ଭବତି ସଂମୋହଃ ସଂମୋହାତ୍‌ ସ୍ମୃତିବିଭ୍ରମଃ,

ସ୍ମୃତିଭ୍ରଂଶାଦ୍‌ ବୁଦ୍ଧିନାଶୋ ବୁଦ୍ଧିନାଶାତ୍‌ ପ୍ରଣଶ୍ୟତି ।

 

ଅର୍ଥାତ୍‌ ଇନ୍ଦ୍ରିୟଭୋଗବିଳାସକୁ ମନରେ ସ୍ଥାନ ଦେଲେ ସେଥିପ୍ରତି ପୁରୁଷର ଯେଉଁ ଆସକ୍ତି ଜନ୍ମେ, ତହିଁରୁ ଭୋଗକାମନା ଜାତ ହୁଏ ଏବଂ ଏହି କାମନାକୁ ଚରିତାର୍ଥ କରିବାକୁ ଯାଇ ସେ ଏତେ ବାଧାବିଘ୍ନର ସମ୍ମୁଖୀନ ହୁଏ ଯେ, ଫଳରେ ତାହାର କ୍ରୋଧ ଜାତ ହୁଏ । ପୁଣି ଏହି କ୍ରୋଧରୁ ବିବେକହୀନତା ବା ମୋହନ୍ଧତା ଜାତ ହୋଇ ସ୍ମୃତିବିଭ୍ରମ ଘଟାଇଦିଏ । ଏହା ଫଳରେ ବୁଦ୍ଧିନାଶ ଘଟେ ଓ ବୁଦ୍ଧିନାଶବଶତଃ ପୁରୁଷର ଅସ୍ତିତ୍ୱ ଲୋପ ପାଏ । ଏହି ସବୁ ଦୁର୍ଗତିରୁ ରକ୍ଷା ପାଇବାକୁ ହେଲେ ମାନବକୁ ଆତ୍ମ-ସଂଯମ ଶିକ୍ଷା କରି ଆତ୍ମଶୁଦ୍ଧି ଆଣିବାକୁ ହେବ । ଆଶୁ ଇନ୍ଦ୍ରିୟସୁଖବିଧାୟକ ଅଥଚ ପରିଣାମରେ ଦୁଃଖାବହ ବିଷୟମାନଙ୍କର ଆପାତମଧୁର ପ୍ରଲୋଭନ ମଧ୍ୟରେ ଅଚଳ, ଅଟଳ, ସନାତନ ରହି ଆତ୍ମଶୁଦ୍ଧି ଓ ତଜ୍ଜନିତ ଶାନ୍ତି ସମ୍ପାଦନ କରିବାକୁ ହେବ । ସେଥିପାଇଁ ସିନା ଗୀତାରେ ଉକ୍ତି ଅଛି–

 

‘‘ଆପୂର୍ଯ୍ୟମାଣମଚଳପ୍ରତିଷ୍ଠମ୍‌

ସମୁଦ୍ରମାପଃ ପ୍ରବିଶନ୍ତି ଯଦ୍‌ବତ୍‌,

ତଦ୍‌ବତ୍‌ କାମା ଯଂ ପ୍ରବିଶନ୍ତି ସର୍ବେ

ସ ଶାନ୍ତମାପ୍ନୋତି ନ କାମକାମୀ ।’’

 

ବ୍ୟକ୍ତି ପରି ସମାଜ ବା ଜାତିକୁ ମଧ୍ୟ ଆତ୍ମଶୁଦ୍ଧିର ଉପାୟ ଅବଲମ୍ବନ କରିବାକୁ ହେବ । ଆଗରୁ କହିଅଛୁ, ବ୍ୟକ୍ତିର ଆତ୍ମଶୁଦ୍ଧି, ସମାଜ ବା ଜାତିର ଆତ୍ମଶୁଦ୍ଧିର ମୂଳ କାରଣ । ସୁତରାଂ ବ୍ୟକ୍ତି ପରି ସମାଜ ଓ ଜାତିକୁ ଆତ୍ମସଂଯମର ଆଶ୍ରୟ ନେବାକୁ ହେବ । କାମକ୍ରୋଧାଦି ଦୁଷ୍ପ୍ରବୃତ୍ତିଗୁଡ଼ିକ କେବଳ ବ୍ୟକ୍ତିର ଯେ ଆତ୍ମହାନି ଘଟାନ୍ତି, ତାହା ନୁହେଁ, ସମାଜ ବା ଜାତିର ଜୀବନ ମଧ୍ୟ ଉକ୍ତ ଦୁଷ୍ପ୍ରବୃତ୍ତିଗୁଡ଼ିକର ପ୍ରଭାବରରେ ଅଧୋଗତି ଲାଭ କରେ । ଏହାର ଫଳରେ ବ୍ୟକ୍ତିଜୀବନଗୁଡ଼ିକ ଉପରେ ସମାଜ ବା ଜାତିର ପ୍ରଭାବ ପଡ଼ିଥାଏ । ଶିଶୁଜୀବନ ଭୂମିଷ୍ଠ ହେବା ମାତ୍ରକେ ସାମାଜିକ ବା ଜାତିଗତ ପରିବେଷ୍ଟନି ତାହାକୁ ପ୍ରଭାବିତ କରିବସେ । ଦୁଗ୍‌ଧ ପୋଷ୍ୟଶିଶୁ ମାତୃସ୍ତନ୍ୟ ପାନ କରି ଶାରୀରିକ ଓ ମାନସିକ ଭାବରେ ଗଢ଼ିଉଠିଲା ପରି ସାମାଜିକ ବା ଜାତୀୟ ଜୀବନର ପ୍ରଭାବଗୁଡ଼ିକରେ ପ୍ରଭାବିତ ହୋଇ ବ୍ୟକ୍ତିଜୀବନ ତଦନୁରୂପ ଗଢ଼ିହୋଇ ଉଠେ । ଫଳତଃ ସମାଜ ବା ଜାତିର ଦୋଷଗୁଣ ନେଇ ବ୍ୟକ୍ତିର ଆତ୍ମା ଗତିକରେ । ତେଣୁ ନାନା ଦୁର୍ଗୁଣ ଓ ଦୁଷ୍ପ୍ରବୃତ୍ତିରେ ଭାରାକ୍ରାନ୍ତ ସମାଜ ବା ଜାତିର ବଳିଷ୍ଠ ବ୍ୟକ୍ତିଗତ ଆତ୍ମାର ବିକାଶ ଆଶା କରିବା ବୃଥା । ସୁତରାଂ ସାମାଜିକ ବା ଜାତୀୟଜୀବନକୁ ସଂସ୍କୃତ ତଥା ଉଦ୍‌ବୁଦ୍ଧ କରି ବ୍ୟକ୍ତି-ଜୀବନର ସହାୟକ କରିବାକୁ ହେବ । ସମଷ୍ଟି ଓ ବ୍ୟଷ୍ଟି ପରସ୍ପର ଅବିଚ୍ଛେଦ୍ୟ ଭାବରେ ସଂବନ୍ଧ ବୋଲି ଉଭୟର ଆତ୍ମଶୁଦ୍ଧି ପାରିପାର୍ଶ୍ୱିକ ଭାବରେ ସମାହିତ ହେବା ବିଧେୟ ।

 

ଏହି ଆତ୍ମଶୁଦ୍ଧିର ଅଭାବରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, ସମାଜ ସମାଜ ମଧ୍ୟରେ ଓ ଜାତି ଜାତି ମଧ୍ୟରେ ଦୁଃସହ ବିସମ୍ବାଦମାନ ଦେଖାଯାଉଛି । ଆଧୁନିକ ସଭ୍ୟଦେଶମାନଙ୍କର ଗତିବିଧି ପ୍ରତି ଦୃଷ୍ଟିଦେଲେ ଯେ କେହି ଜାଣିପାରିବେ ଯେ, ରାଷ୍ଟ୍ରନୀତି ନେଇ ଜାତି ଜାତି ମଧ୍ୟରେ ତୁମୂଳ ସଂଘର୍ଷ ଲାଗିରହିଅଛି । ମାନବର ବହୁ ସାଧନା ଫଳ ଜ୍ଞାନବିଜ୍ଞାନର କ୍ଷେତ୍ର ଏହି ରାଷ୍ଟ୍ରନୀତିଗତ ବିପ୍ଳବର ଅଧୀନ ହୋଇପଡ଼ିଅଛି । ଅଧିକାଂଶ ସ୍ଥଳରେ ଅସାଧୁତା, ପ୍ରତାରଣା, ଉତ୍କୋଚ, ପକ୍ଷପାତିତା ପ୍ରଭୃତି ଅମାନୁଷିକ ବା ଅବମାନୁଷିକ ବ୍ୟପାରମାନ ଘଟି ଶାସନକଳକୁ ଦୁର୍ବଳ ଓ କଳଙ୍କିତ କରି ପକାଉଅଛି । ଏପରି ଅବସ୍ଥାରେ ନେତୃବୃନ୍ଦ ଆତ୍ମଶୁଦ୍ଧିପ୍ରଣୋଦିତ ରାଷ୍ଟ୍ରନୀତି ଅବଲମ୍ବନପୂର୍ବକ ବ୍ୟକ୍ତିଗତ ତଥା ଜାତିଗତ ସଂକୀର୍ଣ୍ଣତା ଦୂର ନ କଲେ ସମାଜ, ଜାତି, ଦେଶ ଓ ତାହା ସଙ୍ଗେ ସଙ୍ଗେ ସମଗ୍ର ମାନବଜାତି ଧ୍ୱଂସମୁଖରେ ପତିତ ହେବେ । ସୁତରାଂ ଗଣତନ୍ତ୍ର ହେଉ, ସାମ୍ୟବାଦ ହେଉ, ସମାଜବାଦ ହେଉ, ଯେ କୌଣସି ରାଷ୍ଟ୍ରନୀତି ପ୍ରବର୍ତ୍ତିତ ହେଲେ ମଧ୍ୟ ଯେପର୍ଯ୍ୟନ୍ତ ତାହା ଆତ୍ମଶୁଦ୍ଧିର ଭିତ୍ତିରେ ପ୍ରତିଷ୍ଠିତ ନ ହୋଇଛି, ସେର୍ଯ୍ୟନ୍ତ କୌଣସି ଦିଗରେ ମାନବର ବିକାଶ ସମ୍ଭବପର ନୁହେଁ । ପ୍ରାଚୀନ ଭାରତର ଆର୍ଯ୍ୟଋଷିବୃନ୍ଦ ସେଥିପାଇଁ ଆତ୍ମଶୁଦ୍ଧିକୁ ହିଁ ସବୁବେଳେ ଉଚ୍ଚ ସ୍ଥାନ ଦେଇ ଆସିଛନ୍ତି । ଦୈନନ୍ଦିନ କ୍ରିୟାକଳାପରୁ ଆରମ୍ଭ କରି ପ୍ରତ୍ୟେକ ବିଷୟରେ ଏହି ଆତ୍ମଶୁଦ୍ଧି ଦିଗରେ ସେମାନଙ୍କର ପ୍ରଚେଷ୍ଟା ପରିଲକ୍ଷିତ ହୁଏ । ଆଜିକାଲି ବିଶ୍ୱଶାନ୍ତି ଓ ବିଶ୍ୱମୈତ୍ରୀର ପ୍ରତିଷ୍ଠାଦିଗରେ ଯେଉଁ ପ୍ରବଳ ଉଦ୍ୟମ ଚାଲିଅଛି, ତାହାର ସଫଳତା କେବଳ ବ୍ୟକ୍ତିଗତ ତଥା ଜାତିଗତ ଆତ୍ମଶୁଦ୍ଧି ଉପରେ ନିର୍ଭର କରେ ବୋଲି ମନେହୁଏ । ତେଣୁ କହୁଁ, ଶୁଦ୍ଧପୂତ ଆତ୍ମା ହିଁ ମାନବର ସକଳ ଦିଗର ଉନ୍ନତିର ମୂଳରେ । କାରଣ ଏହିପରି ଆତ୍ମଶକ୍ତି ହିଁ ମାନବର ପ୍ରକୃତ ବନ୍ଧୁ । ଅସଂଯତ ଇନ୍ଦ୍ରିୟାସକ୍ତ ଆତ୍ମା କେବଳ ଶତ୍ରୁରୂପରେ କାର୍ଯ୍ୟ କରି ମାନବଜୀବନର ମର୍ଯ୍ୟାଦା ନଷ୍ଟ କରିଦିଏ ମାତ୍ର । ତେଣୁ ମନେରଖିବାକୁ ହେବ-

 

‘‘ଆତ୍ମୈବହ୍ୟାତ୍ମନୋ ବନ୍ଧୁରାତ୍ମୈବରିପୁରାତ୍ମନଃ

ଅନାତ୍ମନସ୍ତୁ ଶତ୍ରୁତ୍ୱେ ବର୍ତ୍ତେତାତ୍ମୈବ ଶତ୍ରୁବତ୍‌ ।’’

Image

 

ଛାତ୍ର ଧର୍ମବିଚାର

 

ଆଜିକାଲି ଛାତ୍ରମାନଙ୍କ ମଧ୍ୟରେ ଯେଉଁ ସବୁ ବିକ୍ଷୋଭ ଓ ବିଶୃଙ୍ଖଳା ପରିଦୃଷ୍ଟ ହେଉଅଛି, ସେଥିପ୍ରତି ଧ୍ୟାନ ଦେଲେ ଦେଶର ଯେ କୌଣସି ଚିନ୍ତାଶୀଳ ତଥା ଦାୟିତ୍ୱସମ୍ପନ୍ନ ବ୍ୟକ୍ତିଙ୍କ ମନରେ ଏହି କେତୋଟି ପ୍ରଶ୍ନ ଜାଗିଉଠେ–ଛାତ୍ରର ଧର୍ମ ବା ଜୀବନନୀତି କ’ଣ ? ସମାଜ ବା ଜାତିରେ ତାହାର ଯଥାର୍ଥ ସ୍ଥାନ କେଉଁଠି ? ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରମାନଙ୍କରେ ବ୍ୟକ୍ତିଗତ ଓ ଶ୍ରେଣୀଗତ କାର୍ଯ୍ୟକଳାପର ନିୟାମକ କିପରି ହେବ ବିଧେୟ ? ଏହି ସବୁ ପ୍ରଶ୍ନର ଯଥାଯଥ ସମାଧାନ ଦେବାକୁ ହେଲେ ଛାତ୍ର-ଜୀବନର ସମୀକ୍ଷା ମୂଳକ ଏକ ବିଶ୍ଳେଷଣ ଆବଶ୍ୟକ ମନେକରୁଁ ।

 

‘ଛାତ୍ର’ ଶବ୍ଦଟିର ବ୍ୟୁତ୍ପତ୍ତିଗତ ଅର୍ଥରୁ ଜଣାପଡ଼େ, ‘ଗୁରୁଦୋଷାବରଣ’ ଛାତ୍ରର ଧର୍ମ । ଉକ୍ତିଟି ବିଶ୍ଳେଷଣ କଲେ ବହୁତ ତଥ୍ୟ ବାହାରେ । ପ୍ରଥମତଃ ଛାତ୍ରର ଜୀବନ ତାହାର ଗୁରୁଙ୍କ ସହିତ ଉପଯୁକ୍ତ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ । ଉପଦେଷ୍ଟା ଓ ଛାତ୍ର ଉପଦିଶ୍ୟ । ଏହି ‘ଉପଦେଷ୍ଟୁ–ଉପଦିଶ୍ୟ’ ସମ୍ବନ୍ଧଟି ତେଣୁ ଛାତ୍ରଧର୍ମର ଭିତ୍ତିଭୂମି । କିନ୍ତୁ ଏହି ସମ୍ବନ୍ଧ ରକ୍ଷା କରିବାକୁ ହେଲେ ଛାତ୍ରକୁ ଗୁରୁଙ୍କ ପ୍ରତି ଶ୍ରଦ୍ଧାବାନ୍‌ ତଥା ଭକ୍ତିଶୀଳ ହେବାକୁ ହେବ । ସାଧାରଣତଃ କୌଣସି ବ୍ୟକ୍ତିର ଦୋଷ ବାଛି ବସିଲେ ମନରେ ଶ୍ରଦ୍ଧା ଓ ଭକ୍ତି ଜାଗରିତ ହୋଇପାରେ ନାହିଁ । ଏହା ବିଶେଷତଃ ଗୁରୁଙ୍କ ସହିତ ଛାତ୍ରର ସମ୍ବନ୍ଧ ପ୍ରତି ପ୍ରଯୋଜ୍ୟ । ଗୁରୁଙ୍କଠାରୁ ଜ୍ଞାନ ଲାଭ କରିବା ଉଦ୍ଦେଶ୍ୟରେ ଛାତ୍ରକୁ ତାଙ୍କର ସମୀପବର୍ତ୍ତୀ ହେବାକୁ ହୁଏ । ଛାତ୍ର ଯଦି ତାଙ୍କ ଗୁଣଗୁଡ଼ିକ ପ୍ରତି ଆକୃଷ୍ଟ ନ ହୋଇ କେବଳ ତାଙ୍କର ଦୋଷ ଦୁର୍ବଳତାଗୁଡ଼ିକ ବାଛିବସେ, ତାହେଲେ ତାହାର ଜ୍ଞାନଲାଭର ପନ୍ଥା ଦୁର୍ଗମ ହୋଇପଡ଼ିବ । ମାନବମାତ୍ରକେ ବହୁ ଦୋଷ-ଦୁର୍ବଳତା ଆଧାର, କହିଲେ ଚଳେ । ଗୁରୁ ତେଣୁ ସେ ସବୁରୁ ସ୍ୱାଧୀନ ନୁହନ୍ତି । ତଥାପି ଗୁରୁଙ୍କର ଦୋଷଦୁର୍ଗୁଣ ପ୍ରତି ଦୃଷ୍ଟି ନ ଦେଇ ତାଙ୍କର ଯେଉଁ ଯେଉଁ ଗୁଣ ତାହାର ଜ୍ଞାନଲାଭର ଅନୁକୂଳ, ସେଗୁଡ଼ିକୁ ଅନୁକରଣ କରିବା ହେଉଛି ଛାତ୍ରର ଧର୍ମ, ଏବଂ ଗୁରୁଙ୍କ ପ୍ରତି ଭକ୍ତି ଓ ବିଶ୍ୱାସ ରଖି ତାଙ୍କର ଦୋଷକୀର୍ତ୍ତନ ବା ନିନ୍ଦାରେ ଯୋଗ ନ ଦେବା ହେଉଛି ଛାତ୍ରର କର୍ତ୍ତବ୍ୟ । ଅତି ପ୍ରାଚୀନକାଳରୁ ମନୁ ଗୁରୁ-ଶିଷ୍ୟ ସମ୍ପର୍କ ନେଇ କେତେଗୁଡ଼ିଏ ନୀତି ପ୍ରଣୟନ କରି ଯାଇଅଛନ୍ତି । ଉକ୍ତ ନୀତିମାନଙ୍କ ମଧ୍ୟରୁ ଗୋଟିଏ ହେଉଛି–

 

‘ଗୁରୋର୍ଯ୍ୟତ୍ର ପରୀବାଦୋ

ନିନ୍ଦା ବାପି ପ୍ରବର୍ତ୍ତତେ ।

କର୍ଣ୍ଣୌ ତନ୍ତ୍ର ପିଧାତବ୍ୟୈା

ଗନ୍ତବ୍ୟଂ ବା ତତୋଽନ୍ୟତଃ ।’

 

ଅର୍ଥାତ୍‌ ଯେଉଁଠାରେ ଗୁରୁଙ୍କର ଦୋଷ ବର୍ଣ୍ଣନା ବା ନିନ୍ଦାଗାନ ହେଉଥିବ; ସେଠାରେ କର୍ଣ୍ଣ ରୁଦ୍ଧ କରିଦେବ ବା ସେଠାରୁ ଅନ୍ୟତ୍ର ଚାଲିଯିବ । ମନୁଙ୍କର ଏହି ଉକ୍ତିଟି ‘ଛାତ୍ର’ ଶବ୍ଦର ଉଲ୍ଲିଖିତ ବ୍ୟୁତ୍ପତ୍ତିଗତ ଅର୍ଥକୁ ହିଁ ସମର୍ଥନ କରୁଅଛି । ପୁଣି ମନୁ କହିଅଛନ୍ତି–‘ନଚୈବାସ୍ୟାନୁକୁର୍ବୀତ ଗତିଭାଷିତଚେଷ୍ଟିତଂ’–ଅର୍ଥାତ୍‌ ଗୁରୁଙ୍କର ଗମନ, ଭାଷଣ ବା କଥୋପକଥନ ଭଙ୍ଗୀ ଓ ଚେଷ୍ଟା ବା କର୍ମଭଙ୍ଗୀର ଅନୁକରଣ କରିବ ନାହିଁ । ମନୁ ଏଠାରେ କହିବାକୁ ଚାହାନ୍ତି, ଗୁରୁଙ୍କର କେତେକ ବ୍ୟକ୍ତିଗତ ବିଶେଷତ୍ୱର ବିକୃତ ଅନୁକରଣ କରି ତାଙ୍କ ପ୍ରତି ବ୍ୟଙ୍ଗବିଦ୍ରୁପାତ୍ମକ ବ୍ୟବହାର ଦେଖାଇବା ଛାତ୍ରର ଧର୍ମ ନୁହେଁ । ମନେ ପଡ଼େ, ଆଧୁନିକ ଯୁଗରେ କେତେକ ଛାତ୍ର ଗୁରୁ କିପରି ଚାଲନ୍ତି, ସେ କିପରି କଥା କହନ୍ତି ଓ କହିଲାବେଳେ କିପରି ହସ୍ତକ ପ୍ରଭୃତି ଶାରୀରିକ ଭଙ୍ଗୀ ଦେଖାଇଥାନ୍ତି, ସେ ସବୁର ଏକ ହାସ୍ୟୋଦ୍ଦୀପକ ବିକୃତ ଅନୁକରଣ ଦେଖାଇ ଲୋକରଞ୍ଜନ କରିବାକୁ ଯାଇଥାନ୍ତି । ସ୍ୱୀକାର କରୁଅଛୁଁ, କୌଣସି ବ୍ୟକ୍ତି ବା ବସ୍ତୁର ସଶ୍ରଦ୍ଧ ତଥା ସତ୍ୟନିଷ୍ଠ ଅନୁକରଣ ଛାତ୍ରର ସ୍ମୃତି ଓ ମେଧାର ପରିଚୟ ଦେଇଥାଏ । ମାତ୍ର ଯାହାଙ୍କଠାରୁ ଜ୍ଞାନ ଓ ଉପଦେଶ ଲାଭକରି ଜୀବନର ଭବିଷ୍ୟତ୍‌ ଗଠନ କରିବାର କଥା, ଠିକ୍‌ ତାଙ୍କୁ ହିଁ ବ୍ୟଙ୍ଗବିଦ୍ରୂପାତ୍ମକ ଭାବରେ ଚିତ୍ର କରିବା କେବଳ ଉନ୍ମାର୍ଗଗାମୀତ୍ୱର ପରିଚାୟକ ନୁହେଁ କି ? ଏହାଦ୍ୱାରା ଛାତ୍ରମାନଙ୍କର ଗୁରୁଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସ କମିଯାଏ ଏବଂ ତାହାରି ଫଳରେ ଜ୍ଞାନାର୍ଜ୍ଜନ ନିମିତ୍ତ ଏକାନ୍ତ ଆବଶ୍ୟକ ନିଷ୍ଠାପର ପ୍ରଚେଷ୍ଟା ରହେ ନାହିଁ । ଏଥିପ୍ରତି ଲକ୍ଷ୍ୟରଖି ଦିବ୍ୟଦ୍ରଷ୍ଟାମକୁ ବିଜ୍ଞତାର ସହିତ ଉଲ୍ଲିଖିତ ନୀତିମାନ ବୟାନ କରି ଯାଇଛନ୍ତି ବୋଲି ମନେହୁଏ । ଏହି ନୀତିଗୁଡ଼ିକୁ ପ୍ରାଚୀନକାଳର ନୀତି କହି ଉଡ଼ାଇ ଦେବା ଉଚିତ ନୁହେଁ । ପ୍ରାଚୀନତା ସବୁବେଳେ ଆଧୁନିକତାର ବିରୋଧୀ ନୁହେଁ । କେବଳ ପ୍ରାଚୀନତାର ଦ୍ୱାହି ଦେଇ ସତ୍ୟକୁ ସତ୍ୟ ବୋଲି ଗ୍ରହଣ ନ କରିବା କେବଳ ଯେ ଆଧୁନିକତାର ଏକ ବିକୃତ ପ୍ରଦର୍ଶନ, ତାହା ନୁହେଁ, ବରଂ ଯୁକ୍ତିସମ୍ମତ ଚିନ୍ତାର ଅଭାବର ପରିଚାୟକ । ସୁତରାଂ ଏହି ନୀତିରେ ଚାଳିତ ହେବା ଛାତ୍ରର ଧର୍ମ ।

 

ଛାତ୍ରଧର୍ମର ଏହି ଗୁରୁଦୋଷାବରଣ-ନୀତିଟି ଅନ୍ୟ ପ୍ରକାରେ ମଧ୍ୟ ଅର୍ଥ କରାଯାଇପାରେ । ‘‘ଜ୍ଞାନାଞ୍ଜନଶଳକା’’ ଦ୍ୱାରା ଛାତ୍ରର ଅଜ୍ଞାନତିମିରାନ୍ଧତା ଦୂର କରିବା ଗୁରୁଙ୍କର ଧର୍ମ । ତେରୁ ଗୁରୁଙ୍କଠାରୁ ଜ୍ଞାନ ଲାଭ କରି ନିଜ ଜୀବନକୁ ମହୀୟାନ୍‌ କରିବା ହେଲା ଛାତ୍ରର କର୍ତ୍ତବ୍ୟ । ଏଥିରୁ ସ୍ପଷ୍ଟ ଉପଲବ୍‌ଧ ହେବ ଯେ, ଛାତ୍ର ଗୁରୁଙ୍କର ସାହଚର୍ଯ୍ୟ ଓ ସାହାଯ୍ୟରେ ଯେତେ ଅଧିକ ଜ୍ଞାନ ଅର୍ଜନ କରିବ, ଗୁରୁଙ୍କର ମହନୀୟତା ସେତେ ଅଧିକ ପ୍ରତିପାଦିତ ହେବ । ଗୁରୁଙ୍କର ମର୍ଯ୍ୟାଦା ଓ ଗୌରବ ବଢ଼ାଇବା ସେଥିପାଇଁ ଛାତ୍ରଧର୍ମର ଅନ୍ତର୍ଗତ । ଛାତ୍ରର କୃତିତ୍ୱବଶତଃ ଗୁରୁ ତାଙ୍କର ବ୍ୟକ୍ତିଗତ ଦୋଷ ଦୁର୍ବଳତା ଥିବା ସତ୍ତ୍ୱେ ଜଗତରେ ପୂଜ୍ୟ ହୋଇଥାନ୍ତି । ତେଣୁ ଛାତ୍ରର ଧର୍ମ ହେଉଛି, ସମସ୍ତ ଶ୍ରଦ୍ଧା, ଭକ୍ତି ବିଶ୍ୱାସର ସହିତ ଗୁରୁଙ୍କ ସାନ୍ନିଧ୍ୟରେ ଜ୍ଞାନାର୍ଜନ କରି ଉକ୍ତ ଜ୍ଞାନର ବଳରେ ଗୁରୁଙ୍କର ପ୍ରତିଷ୍ଠା ଓ ମାନମର୍ଯ୍ୟାଦା ବଢ଼ାଇବା ଏବଂ ତାଙ୍କର ଯାବତୀୟ ଦୋଷ ବା ଦୁର୍ଗୁଣକୁ ଲୋକଲୋଚନରୁ ଦୂରରେ ରଖିବା । ଗୁରୁଦ୍ରୋହୀ ଦୁର୍ଦ୍ଦଷ ଛାତ୍ର ପ୍ରକୃତ ଜ୍ଞାନ ଅର୍ଜନ କରିପାରେ ନାହିଁ । ପୁଣି ତାହାରି କାର୍ଯ୍ୟଦ୍ୱାରା, ତାହାରି ଅଜ୍ଞାନପ୍ରଣୋଦିତ ବ୍ୟବହାର ଦ୍ୱାରା, ଲୋକଚକ୍ଷୁରେ ଗୁରୁଙ୍କର ସ୍ଥାନ ନୀଚ ହୋଇଯାଏ । ଜ୍ଞାନାର୍ଜନରେ କୃତିତ୍ୱସମ୍ପନ୍ନ ନ ହେଲେ ଛାତ୍ର ଗୁରୁଙ୍କର ଦୋଷ ବରଣ କରିବ କ’ଣ, ବରଂ ତାଙ୍କୁ ଲୋକରେ ନିନ୍ଦିତ କରାଇଦେବ । ସେଥିପାଇଁ ସିନା କଥିତ ଅଛି–‘କୁଶିଷ୍ୟମଧ୍ୟାପୟତଃ କୁତେ ଯଶଃ ।’ ସୁତରାଂ ଗୁରୁଙ୍କଠାରୁ ପ୍ରକୃଷ୍ଟ ଜ୍ଞାନ ଅର୍ଜନ କରି, ତାହାରି ବଳରେ ତାଙ୍କର ଗୌରବ ବଢ଼ାଇ ତାଙ୍କୁ ଯଥାର୍ଥ ଗୁରୁ ପଦବାଚ୍ୟ ବୋଲି ପ୍ରମାଣିତ କଲେ ଯାଇ ପ୍ରକୃତ ଗୁରୁ ଦୋଷାବରଣ ହେଲା ବୋଲି କହିବାକୁ ହେବ । ଗୁରୁଙ୍କର ଯଶଃଖ୍ୟାତିର ବିସ୍ତାର ହିଁ ଗୁରୁ ଦୋଷାବରଣର ପ୍ରକୃଷ୍ଟ ପନ୍ଥା ।

 

କଥିତ ଅଛି–‘‘ଛାତ୍ରାଣାଂ ଅଧ୍ୟୟନଂ ତପଃ ।’’ ଏହି ତପସ୍ୟା ଏହି ଅଧ୍ୟୟନ କାର୍ଯ୍ୟ ଗୁରୁପଦେଶସାପେକ୍ଷ ହୋଇଥିବାରୁ ଛାତ୍ରଧର୍ମ ଗୁରୁଙ୍କ ସହିତ ଅନୁକୂଳ ସମ୍ପର୍କ ଉପରେ ପର୍ଯ୍ୟବସିତ-। ପ୍ରାଚୀନ ଭାରତରେ ଶ୍ରୁତିର ସାହାଯ୍ୟରେ ଏହି କାର୍ଯ୍ୟ ସମାହିତ ହେଉଥିଲା-। ପୁସ୍ତକାଦିର ଅଭାବରେ ଶିଷ୍ୟ ଗୁରୁଙ୍କ ନିକଟରେ ବିଧିପୂର୍ବକ ଆସୀନ ହୋଇ ତାଙ୍କ ସହିତ ପ୍ରଶ୍ନୋତ୍ତର ଚଳରେ ଜ୍ଞାନାର୍ଜନ କରୁଥିଲା । ଆଧୁନିକ ଯୁଗରେ କିନ୍ତୁ ଗୁରୁମୁଖନିସୃତ ଜ୍ଞାନ ବା ଉପଦେଶ ସଙ୍ଗେ ସଙ୍ଗେ ଗ୍ରନ୍ଥାଦିରୁ ଜ୍ଞାନଲାଭ କରିବାର ସୁବିଧା ସୁଯୋଗ ଛାତ୍ରକୁ ମିଳିଅଛି । ମାତ୍ର ଅଧ୍ୟୟନ କିପରି ସମାହିତ ହେବା ଉଚିତ, ସେଥିପ୍ରତି ତାହାର ଦୃଷ୍ଟି ସବୁବେଳେ ପଡ଼ି ନ ଥାଏ । ଅଧ୍ୟୟନର ପ୍ରକୃତ ଅର୍ଥ ହେଉଛି, ଜ୍ଞାତବ୍ୟ ବା ପଠିତବ୍ୟ ବିଷୟରେ ସମ୍ୟକ୍‌ ପ୍ରବେଶ । ମାତ୍ର ଅତି ଅଳ୍ପ ସଂଖ୍ୟକ ଛାତ୍ରଙ୍କୁ ଛାଡ଼ିଦେଲେ ଏହି କାର୍ଯ୍ୟଟି ବଡ଼ ହୃଦୟହୀନ ତଥା ଅସାବଧାନଭାବରେ ଚାଲୁଥିବାର ଦେଖାଯାଉଅଛି । ସାଧାରଣତଃ ଛାତ୍ରମାନେ ଅଧ୍ୟୟନର ଗୁରୁତ୍ୱ ହୃଦୟଙ୍ଗମ ନ କରି ‘ଯେନ ତେନ ପ୍ରକାରେଣ’ ପାସ୍‌ ନମ୍ବର ରଖିପାରିଲେ ନିଜକୁ କୃତାର୍ଥ ମନେ କରୁଅଛନ୍ତି । ଅଧ୍ୟୟନଲବ୍‌ଧ ଜଟିଳ ସମସ୍ୟାମାନଙ୍କର ସମାଧାନ ଦିଗରେ ପ୍ରଚେଷ୍ଟା ସେତେ ପରିଲକ୍ଷିତ ହୁଏ ନାହିଁ-। କେବଳ ପଲ୍ଲବଗ୍ରାହିତ୍ୱ ଯେପରି କି ଛାତ୍ରସାଧାରଣର ଲକ୍ଷ୍ୟ ହୋଇପଡ଼ିଛି । ଏହା କିନ୍ତୁ ଛାତ୍ରଧର୍ମର ପୂର୍ଣ୍ଣ ବିରୋଧୀ । କଠିନ ବିଷୟ ପ୍ରତି ବିତୃଷ୍ଣା ଓ ସହଜଲଭ୍ୟ ବଜାର ନୋଟର ସାହାଯ୍ୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣତା ଲାଭ କରିବା ଯେପରି କି ସେମାନଙ୍କର ଏକ ରୀତି ହୋଇପଡ଼ିଛି । ମନୋନିବେଶ ଓ ଆଦର୍ଶର ଅଭାବ ଏହାର ମୂଳ କାରଣ । ଅଧ୍ୟୟନ ସେଥିପାଇଁ ତପସ୍ୟା ହେବା ପରିବର୍ତ୍ତରେ ତାମସାରେ ପରିଣତ ହୋଇପଡ଼ିଛି । ଆଧୁନିକ ସଭ୍ୟତାର ସହଗାମୀ କେତେଗୁଡ଼ିଏ ଚିତ୍ତାକର୍ଷକ ବ୍ୟାପାର ପ୍ରତି ଆକୃଷ୍ଟ ହୋଇ ଅପରିପକ୍ୱମତି ଛାତ୍ରଗଣ ବହିର୍ମନା ହୋଇ ପଡ଼ିଛନ୍ତି । ବିଷୟ-ପ୍ରବେଶ ନିମିତ୍ତ ଯେଉଁ ସୁସଂଯତ ସାଗ୍ରହ ଅଭିନିବେଶ ଆବଶ୍ୟକ, ତାହାର ଅତ୍ୟଧିକ ଅଭାବ ପରିଲକ୍ଷିତ ହୋଇଥାଏ । ବାସ୍ତବିକ ଧ୍ୟାନଧାରଣାବିହୀନ ଛାତ୍ରଗଣଙ୍କ ପକ୍ଷରେ ଅଧ୍ୟୟନ ତପଃ ହୋଇ ନ ପାରେ । ସେଥିପାଇଁ କଠିନ ସାଧନ ବା ପ୍ରଯତ୍ନ ଆବଶ୍ୟକ । ଅଧ୍ୟେତବ୍ୟ ବିଷୟର ଯଥାଯଥ ବିଶ୍ଳେଷଣ ଓ ଅନୁଧ୍ୟାନ ବଳରେ କଠିନ କଠିନ ସମସ୍ୟାମାନ ଉପସ୍ଥାପିତ କରି ସେଗୁଡ଼ିକର ସମାଧାନରେ ତତ୍ପର ରହିବା ଏବଂ ସେଥିରେ କୃତକାର୍ଯ୍ୟ ହୋଇ ଆତ୍ମପ୍ରସାଦ ଉପଭୋଗ କରିବା ଛାତ୍ରଧର୍ମର ଏକ ବିଶେଷତ୍ୱ । ମାତ୍ର ଦୁଃଖର କଥା, ଅଧିକାଂଶ ସ୍ଥଳରେ ଛାତ୍ରମାନେ ବିଷୟ ଓ ତଦ୍‌ଗତ ସମସ୍ୟାର ସମ୍ମୁଖୀନ ହେବା ପରିବର୍ତ୍ତରେ ଭୀରୁପରି ତହିଁରୁ ଅପସରି ଯିବାକୁ ଉଦ୍ୟତ ହେବାର ଦେଖାଯାନ୍ତି, ତେଣୁ ଜ୍ଞାନର ଗଭୀରତା ଓ ଯଥାଯଥ ପ୍ରସାର ପରିବର୍ତ୍ତନରେ ସ୍ଥୂଳତା ଓ ପ୍ରଦର୍ଶନପରତା ଛାତ୍ରଜୀବନକୁ ମାଡ଼ିବସିଲା ପରି ଜଣାପଡ଼େ । ଫଳତଃ ନିଜ ନିଜର ଅଜ୍ଞତା ବା ଅଳ୍ପଜ୍ଞତା ସତ୍ତ୍ୱେ ସେମାନେ ପଣ୍ଡିତମ୍ମନ୍ୟତା ପ୍ରଦର୍ଶନ ପୂର୍ବକ ଜଗତକୁ ପ୍ରତାରିତ କରନ୍ତି ମାତ୍ର ।

 

ପୁଣି ଆଧୁନିକ ଛାତ୍ରମାନେ ନିଜ ନିଜର ପ୍ରକର୍ଷ ଦେଖାଇବା ଉଦ୍ଦେଶ୍ୟରେ ସମସାମୟିକ ଅନ୍ୟାନ୍ୟ ଛାତ୍ରମାନଙ୍କର ବୈଶିଷ୍ଠ୍ୟ ଏବଂ ଉତ୍କର୍ଷକୁ ଅନେକ ସମୟରେ ତୁଚ୍ଛ ମଣିବାକୁ ପଶ୍ଚାଦ୍‌ପଦ ହୁଅନ୍ତି ନାହିଁ । ଈର୍ଷାପରବଶ ହୋଇ କେତେକ ଛାତ୍ର ନିଜ ନିଜଠାରୁ ଉତ୍କୃଷ୍ଟତର ଛାତ୍ରମାନଙ୍କର ଗୁଣ ବା ପ୍ରତିପତ୍ତି ସ୍ୱୀକାର କରିବାକୁ ସୁଖ ପାଆନ୍ତି ନାହିଁ । ଏହି ଛିଦ୍ରାନ୍ୱେଷିଣୀ ପ୍ରବୃତ୍ତି ଈର୍ଷାଜନିତ ଏକ ନୈତିକ ବ୍ୟାଧି ଏବଂ ଏହି ବ୍ୟାଧିରେ ପ୍ରପୀଡ଼ିତ ଛାତ୍ର ତାହାର ଧର୍ମର ସଂରକ୍ଷଣରେ ଏକାନ୍ତ ଅସମର୍ଥ ।

 

ଛାତ୍ରଧର୍ମରେ ବ୍ରହ୍ମଚର୍ଯ୍ୟର ସ୍ଥାନ ଅତି ଉଚ୍ଚ । ନିୟମାନୁବର୍ତ୍ତିତା ବାକ୍‍ସଂଯମ, ନିରାଡ଼ମ୍ବରତା, ସତ୍ୟବାଦିତା ଓ ନୈତିକ ସାହସ ପ୍ରଭୃତି ଗୁଣଗୁଡ଼ିକ ବ୍ରହ୍ମଚର୍ଯ୍ୟର ଅଙ୍ଗସ୍ୱରୂପ । ସମୟର ପ୍ରତ୍ୟେକ ମୁହୂର୍ତ୍ତର ସଦ୍‌ବ୍ୟବହାର ହିଁ ତାହାର ଜୀବନ ବା ଧର୍ମର ପରିପୋଷକ । କେତେ ଛାତ୍ର ଯେ ଅନାବଶ୍ୟକ କ୍ରୀଡ଼ାକୌତୁକ, ଅସାର ଅଥଚ ଆପାତଚିତ୍ତାକର୍ଷକ କଥୋପକଥନରେ ମହାର୍ଘ ସମୟ ନଷ୍ଟ କରନ୍ତି, ତାହାର କଳନା ନାହିଁ । ଏହାଦ୍ୱାରା ଛାତ୍ରଧର୍ମର ବିଶିଷ୍ଟ ଅଙ୍ଗ ଅଧ୍ୟୟନରେ ବହୁତ ଶୈଥିଲ୍ୟ ଆସିପଡ଼େ ଏବଂ ତାହାରି ଫଳରେ ଛାତ୍ରଜୀବନର ବିକାଶ ବହୁ ବାଧାବିଘ୍ନର ସମ୍ମୁଖୀନ ହୁଏ । ଛାତ୍ରମାନଙ୍କୁ ସର୍ବଦା ମନେ ରଖିବାର ହେବ–‘‘ଅନଭ୍ୟାସେ ବିଷଂ ବିଦ୍ୟା’’–ଅଭ୍ୟାସକୁ ଭାଙ୍ଗିବା ଯେତିକି କଷ୍ଟକର, ଅନଭ୍ୟାସକୁ ଅଭ୍ୟାସରେ ପରିଣତ କରିବା ତାହାଠାରୁ ବଳି ଆହୁରି କଷ୍ଟକର । ସେଥିପାଇଁ ଅଧ୍ୟୟନରେ ନିୟମାନୁବର୍ତ୍ତିତାକୁ ସର୍ବଦା ଉଚ୍ଚତମ ସ୍ଥାନ ଦେବାକୁ ହେବ । ପୁଣି ବାକ୍‌ସଂଯମ ଛାତ୍ରଧର୍ମର ସମ୍ପାଦନରେ ଏକ ପ୍ରଧାନ ସହକାରୀ । ଅଯଥା ବାଗାଡ଼ମ୍ବର ଦେଖାଇ ଲୋକରେ ଶସ୍ତା ପ୍ରଧାନ୍ୟ ଅର୍ଜନ କରିବାକୁ ଚେଷ୍ଟା କରିବା ଆବିମୃଶ୍ୟକାରିତା ମାତ୍ର । ଅନେକ ବୋକା ଛାତ୍ର ଅଛନ୍ତି, ଯେଉଁମାନେ ଇତସ୍ତତଃ ଘୂରି ବୁଲି ୟା ତା ସାଙ୍ଗରେ ବୃଥା ଗଳ୍ପ ଓ ବାଗ୍ମିତାର ସଟାଟୋପ ଦେଖାଇବାରେ ଲାଗିପଡ଼ିଥାନ୍ତି, ଏପରି କି ସମୟ ସମୟରେ ଅଶ୍ଳୀଳ ବାକ୍ୟପ୍ରୟୋଗ କରିବା ପର୍ଯ୍ୟନ୍ତ ଯାଇଥାନ୍ତି । ଛାତ୍ରର ଏହି ସବୁ କାର୍ଯ୍ୟ ତାହାର ଧର୍ମର ମହତ୍ତ୍ୱ ନଷ୍ଟ କରି ଦିଏ ମାତ୍ର । ନିରାଡ଼ମ୍ବର ତଥା ସରଳ ଜୀବନ ଛାତ୍ରଧର୍ମର ପ୍ରକୃଷ୍ଟ ଭୂଷଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ବଡ଼ ଦୁଃଖର କଥା, ଆଜିକାଲି ବହୁସଂଖ୍ୟକ ଛାତ୍ର କେବଳ ବେଶଭୂଷା ପରିପାଟୀରେ ଆସକ୍ତ ରହି ବାହାରେ ଅଯଥା ବହୁମାନ୍ୟତା ବା ଟେକ ଦେଖାଇବାକୁ ଯାନ୍ତି । ସେମାନେ ଭାବନ୍ତି ନାହିଁ, ‘‘ଲମ୍ବଶଟପଟାବୃତ’’ ହୋଇ ମୂର୍ଖ ଦୂରରୁ କିଛିକାଳ ପାଇଁ ଶୋଭା ପାଇଥାଏ, ମାତ୍ର ବିଦ୍ୱଜ୍ଜନଙ୍କ ସମ୍ପର୍କରେ ଆସିଲାମାତ୍ରକେ ମୟୂରପୁଚ୍ଛଧାରୀ କାକତୁଲ୍ୟ ପରିହାସିତ ତଥା ପରିତ୍ୟକ୍ତ ହୋଇଥାଏ । ବାସ୍ତବିକ୍‌, ଏ ଶ୍ରେଣୀର ଛାତ୍ରମାନେ ମିଥ୍ୟା ବଡ଼ିମା ଛଳନାରେ କେବଳ ଯେ ନିଜ ନିଜର ଜୀବନକୁ ବ୍ୟର୍ଥ କରନ୍ତି, ତାହା ନୁହେଁ, ସେମାନେ ସମଗ୍ର ଛାତ୍ରସମାଜକୁ ହିଁ କଳଙ୍କିତ କରିଥାନ୍ତି । ତାହା ଫଳରେ ଜାତୀୟ ବିକାଶ ବା ପ୍ରଗତିର ପଥ ରୁଦ୍ଧ ହୋଇଯିବା ସ୍ୱାଭାବିକ । ସେହିପରି ସତ୍ୟବାଦିତା ଓ ନୈତିକ ସାହସ ଛାତ୍ରଧର୍ମର ଦୃଢ଼ତା ସମ୍ପାଦନରେ ବଡ଼ ସହକାରୀ । ମିଥ୍ୟାଚାର ଯେପରି କି ଆଜିକାଲି ଛାତ୍ରସାଧାରଣଙ୍କର ଏକ ଦୈନନ୍ଦିନ କାରବାରରେ ପରିଣତ ହୋଇପଡ଼ିଛି । ଛାତ୍ରଧର୍ମର ପ୍ରତିକୂଳ କାର୍ଯ୍ୟମାନ ଅଭିଭାବକ ବା ଶିକ୍ଷକମାନଙ୍କ ଅଗୋଚରରେ କରିପକାଇ ଅନେକେ ଅତ୍ୟାଭାସର ଉହାଡ଼ରେ କେବଳ ପ୍ରତାରଣାର ଆଶ୍ରୟ ନେଇଥାନ୍ତି । ସତ୍ୟକଥନ ଓ ଦୋଷଦୁର୍ବଳତା ସ୍ୱୀକାର କରିବାର ସାହସ ପ୍ରତ୍ୟେକ ଛାତ୍ରର ବ୍ରତ ହେବା ଉଚିତ । କିନ୍ତୁ ଏହା ପରିବର୍ତ୍ତରେ ଅଧିକାଂଶ ଛାତ୍ର ସତ୍ୟ ନ କହି ନିଜ ନିଜର ଗର୍ହିତ କାର୍ଯ୍ୟଗୁଡ଼ିକୁ ଲୋକଲୋଚନ ଅଗୋଚରରେ ରଖି ମହାକାଳଫଳ ସଦୃଶ ବାହାରକୁ ସତ୍ୟଶିବ ସୁନ୍ଦର ବୋଲି ଦେଖାଇ ହୁଅନ୍ତି । ଏହି କଦାଚାର ସଂକ୍ରାମକ ରୋଗ ଭଳି ସମଗ୍ର ଛାତ୍ରସମାଜକୁ ଗ୍ରାସ କରିବାକୁ ବସିଲାଣି । ସାବଧାନ ଛାତ୍ରଗଣ, ସାବଧାନ ଶିକ୍ଷକବୃନ୍ଦ, ସାବଧାନ ଅଭିଭାବକଗଣ ! ସର୍ବଦା ଛାତ୍ରମାନଙ୍କ ମନରେ ପ୍ରବେଶ କରାଇବାକୁ ହେବ ସତ୍ୟବାଦିତା ଓ ନୈତିକ ସାହସ । ଏହି ଦୁଇ ଗୁଣର ଅଧିକାରୀ ନ ହେଲେ ଛାତ୍ରଧର୍ମ ‘‘ଛାତ୍ର ଧର୍ମ’’ରେ ହିଁ ପରିଣତ ହୋଇ ଦେଶ ବା ଜାତିର ଗଣ୍ଡିକୁ ଧ୍ୱଂସ କରିଦେବ । ପ୍ରତାରଣା ଛାତ୍ରଧର୍ମର ପ୍ରଧାନ ଘାତକ, ନୈତିକ ସାହସର ଅଭାବ କେବଳ ଦୁର୍ବଳତା କାହିଁକି, ଜଘନ୍ୟ ଭୀରୁତା ମଧ୍ୟ । ସ୍ଥୂଳରେ କହିବାକୁ ଗଲେ ଗୁରୁଭକ୍ତି, ଆତ୍ମଶୁଦ୍ଧି, ଆତ୍ମସଂଯମ, ନିୟମାନୁବର୍ତ୍ତିତା, ନୈତିକ ସାହସ, ସରଳ ନିରାଡ଼ମ୍ବର ଜୀବନ ଓ ଜ୍ଞାନଲାଭାର୍ଥ ଗଭୀର ଅଭିନିବେଶ, ଶ୍ରଦ୍ଧା ଓ ଗବେଷଣା ଛାତ୍ରଧର୍ମର ରକ୍ଷଣ ତଥା ପାଳନରେ ପ୍ରଧାନ ସହକାରୀ । ଏହି ଗୁଣଗୁଡ଼ିକର ଅଧିକାରୀ ନ ହେଲେ ଛାତ୍ର ‘‘ଛାତ୍ର’’ ପଦବାଚ୍ୟ ହୋଇ ନ ପାରେ । ‘‘ଆଜ୍ଞା ପୁରୁଣାଂ ହ୍ୟବିଚାରଣୀୟା’’, ଏହା ହିଁ ଛାତ୍ରଧର୍ମର ମୂଳମନ୍ତ୍ର ।

 

ଏ ପର୍ଯ୍ୟନ୍ତ ଆମ୍ଭେମାନେ ଛାତ୍ରଧର୍ମର ଏକ ସ୍ଥୂଳ ଧାରଣା ଦେବାକୁ ଯାଇଅଛୁଁ, ମାତ୍ର ଏହାର ଯଥାଯଥ ପାଳନ କଠିନ ସାଧନାସାପେକ୍ଷ । ଆଧୁନିକ ସଭ୍ୟତାର ପ୍ରସାରରେ ଛାତ୍ରଜୀବନ ଯେପରିଭାବରେ ପ୍ରଭାବିତ ହେବାକୁ ଯାଉଅଛି, ତାହାରି ଫଳରେ ଛାତ୍ରମାନେ ବିଦିଗରେ ଗତି କରିବାର ଦେଖାଯାଏ । ଆଧୁନିକ ଜଡ଼ମନୋବୃତ୍ତି ସମାଜକୁ ରନ୍ଧ୍ର ରନ୍ଧ୍ରେ ଏପରି ପ୍ରଭାବିତ କରିଅଛି ଯେ ଛାତ୍ରମାନେ ସାଧାରଣତଃ ତାହାର ସ୍ରୋତରେ ତଡ଼ି ହୋଇ ଯାଉଥିବାର ଦେଖାଯାଏ । ଛାତ୍ରଧର୍ମର ମେରୁଦଣ୍ଡ ଭାଙ୍ଗିପଡ଼ି ନାନା ବିକ୍ଷୋଭ ଓ ବିଶୃଙ୍ଖଳାର କାରଣ ହୋଇପଡ଼ିଛି । ଯେଉଁ ଯେଉଁ ପ୍ରଭାବରୁ ସ୍ୱାଧୀନ ହେଲେ ଛାତ୍ର ତାହାର ଧର୍ମର ସଂରକ୍ଷଣ ଓ ପ୍ରତିଷ୍ଠାରେ କୃତକାର୍ଯ୍ୟ ହୋଇପାରିବ, ସେଥିପ୍ରତି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଯାଉଅଛୁଁ ।

 

ପ୍ରଥମତଃ ରାଜନୈତିକ ପ୍ରଭାବ ଛାତ୍ର ବିଶୃଙ୍ଖଳାର ଏକ ପ୍ରଧାନ କାରଣ ହୋଇଅଛି । ରାଜନୀତିର କ୍ଷେତ୍ର ଏଡ଼େ ଜଟିଳ ଯେ ସରଳମତି ଛାତ୍ରଗଣ ଏହାର ପ୍ରଭାବବଶତଃ ଅପରିପକ୍ୱ ଦେଶବତ୍ସଳତାର ଉନ୍ମାଦନାରେ ଅନ୍ଧୀଭୂତ ହୋଇ ନାନା ବିକ୍ଷୋଭପ୍ରଦର୍ଶନପୂର୍ବକ ଛାତ୍ରଧର୍ମର ମୂଳରେ କୁଠାରଘାତ କରନ୍ତି । ରାଜନୈତିକ ନେତୃବୃନ୍ଦଙ୍କର ପ୍ରକ୍ଷୋଭପୂର୍ଣ୍ଣ ଆହ୍ୱାନରେ ମୁଗ୍‌ଧ ହୋଇ କେତେ ଛାତ୍ର ଯେ ଶାନ୍ତିଶୃଙ୍ଖଳା ନଷ୍ଟ କରି ବିଦିଗରେ ଚାଳିତ ହୋଇଥାନ୍ତି, ତାହା ଏବେ ଆଉ କାହାରିକୁ ବୁଝାଇବାକୁ ହେବନାହିଁ । ରାଜନୈତିକ କ୍ଷେତ୍ରରେ ଛାତ୍ରର ସ୍ଥାନ କେଉଁଠି, ଏହା ସ୍ଥିର ନ କରି ଅଧିକାଂଶ ନେତା ଛାତ୍ରମାନଙ୍କୁ, ‘ତୁମ୍ଭେମାନେ ଦେଶର ଭବିଷ୍ୟତ’, ‘ତୁମ୍ଭମାନଙ୍କ ଉପରେ ହିଁ ଦେଶର ଭବିଷ୍ୟତ୍‌ ନିର୍ଭର କରେ’ ଇତ୍ୟାଦି ଆହ୍ୱାନଘୋଷରେ *ଅନୁପ୍ରାଣିତ କରିବାକୁ ଚେଷ୍ଟା କରିଥାନ୍ତି । ଏହି ଅପରିପକ୍ୱ ଦେଶପ୍ରେମ ଛାତ୍ରମାନଙ୍କ ପକ୍ଷରେ ଜ୍ଞାନଲାଭର ଏକ ପ୍ରଧାନ ଅନ୍ତରାୟ ହୋଇଥାଏ । ଏହାଦ୍ୱାରା ଛାତ୍ରମାନେ କେତେଗୁଡ଼ିଏ ମିଥ୍ୟାଧାରଣାର ବଶବର୍ତ୍ତୀ ହୋଇ ଓ ଅଧ୍ୟୟନକୁ ଏକ ଗୌଣକର୍ମ ବୋଲି ମନେକରି ତଥାକଥିତ ସ୍ୱାଧୀନଚିନ୍ତାର ପରିଚୟ ଦେବାକୁ ଯାଇଥାନ୍ତି । ଏହାର ଫଳରେ ରାଜନୀତି କ୍ଷେତ୍ରର ଜଟିଳ ଯୋଦ୍ଧାମନୋବୃତ୍ତି ପ୍ରାବଲ୍ୟ ଲାଭକରେ ଓ ରାଜନୈତିକ ଅଧିକାରକୁ କରଗତ କରିବାଭଳି ସେମାନେ ଶିକ୍ଷାକ୍ଷେତ୍ରରେ କର୍ତ୍ତୃପକ୍ଷ ଯଥା ଅଧ୍ୟାପକମାନଙ୍କ ସହିତ ବିରୁଦ୍ଧାଚରଣ କରି କେତେଗୁଡ଼ିଏ ଦାବୀ ପୂରଣ କରାଇ ନେବାକୁ ବାହାରି ପଡ଼ନ୍ତି । ଛାତ୍ର ଓ ଶିକ୍ଷକ ମଧ୍ୟରେ ଏହି ସଂଘର୍ଷ ବିଶ୍ୱବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାକ୍ଷେତ୍ରରେ ବହୁ ବିଶୃଙ୍ଖଳା ଆନୟନ କରିଥାଏ । ରାଜନୀତିକ୍ଷେତ୍ରର କୌଶଳମାନ ସେମାନଙ୍କ ଶିକ୍ଷାକ୍ଷେତ୍ରରେ ପ୍ରବର୍ତ୍ତନ କରି ଶିକ୍ଷାକ୍ଷେତ୍ରରେ ପବିତ୍ରତା ଓ ଆଦର୍ଶ ନଷ୍ଟ କରିଦେଇଥାନ୍ତି । ରାଜନୈତିକ ନେତୃତ୍ୱର ଅନୁକରଣରେ ଶିକ୍ଷାକ୍ଷେତ୍ରରେ ତଥାକଥିତ ନେତୃତ୍ୱ ସୃଷ୍ଟି କରି କେତେଗୁଡ଼ିଏ ଛାତ୍ର ଅନ୍ୟାନ୍ୟ ଛାତ୍ରମାନଙ୍କୁ ନିଜ ନିଜର ମତରେ ଦୀକ୍ଷିତ ତଥା ଚାଳିତ କରାଇ ନେବାର ପ୍ରଯତ୍ନ କରି ବସନ୍ତି । ଫଳ ହୁଏ, ଅଧ୍ୟୟନରେ ହାନି, ଗୁରୁ ବା ଶିକ୍ଷକମାନଙ୍କଠାରେ ଅବିଶ୍ୱାସ ଓ ସେମାନଙ୍କ ଉପଦେଶରେ ଅସାବଧାନ । କିନ୍ତୁ ମନେରଖିବାକୁ ହେବ, ଏହି ବିକୃତ ମନୋବୃତ୍ତି ଛାତ୍ରଧର୍ମର ଏକାନ୍ତ ବିରୋଧୀ । । ଅବଶ୍ୟ ଯୁକ୍ତି ଉଠିଥାଏ, ଛାତ୍ରମାନେ କ’ଣ ରାଜନୀତିରୁ ଏକାବେଳକେ ଅଲଗା ହୋଇ ରହିବେ ? ସେମାନେ କ’ଣ ଅଧ୍ୟୟନବେଳରୁ ରାଜନୀତିରେ ଧାର ଧାରିବେ ନାହିଁ-? ଏହାର ଉତ୍ତର ଦେବାକୁ ବହୁଦୂର ଯିବାକୁ ହେବ ନାହିଁ । ରାଜନୈତିକ ଜ୍ଞାନ ଓ ରାଜନୈତିକ କର୍ମ, ଏ ଦୁଇଟି ଏକ ନୁହେଁ । ଜ୍ଞାନପିପାସୁ ଛାତ୍ର ତାହାର ଶିକ୍ଷାକ୍ଷେତ୍ରରେ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ରାଜନୀତିବିଷୟକ ଚର୍ଚ୍ଚା ଓ ତଜ୍ଜନିତ ଜ୍ଞାନଲାଭ କରିବାରୁ ବିରତ ହେବା ଉଚିତ ନୁହେଁ-। ରାଜନୀତିର ଗ୍ରନ୍ଥମାନ ପାଠ କରି ବିଷୟଟିର ବ୍ୟୁତ୍ପତ୍ତି ଲାଭ କରିବା ଗୋଟିଏ କଥା; ମାତ୍ର ରାଜନୀତି କ୍ଷେତ୍ରରେ ପ୍ରବେଶ କରି କାର୍ଯ୍ୟକ୍ଷେତ୍ରରେ ଅଂଶଗ୍ରହଣ କରିବା ଗୋଟିଏ ସ୍ୱତନ୍ତ୍ର କଥା-। ମନେ ରଖିବାକୁ ହେବ, ଜ୍ଞାନ ହିଁ ଶକ୍ତି, ଜ୍ଞାନ ହିଁ ବଳ । ସୁତରାଂ ଯେ କୌଣସି ବିଷୟରେ ଜ୍ଞାନଲାଭ କରି ତାହାର ଚର୍ଚ୍ଚା ବା ଗବେଷଣା କରିବାରୁ ଛାତ୍ରମାନେ ବଞ୍ଚିତ ନୁହନ୍ତି ମାତ୍ର ଏହା ବୋଲି ରାଜନୈତିକ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବା କୌଣସିମତେ ବାଞ୍ଛନୀୟ ନୁହେଁ-। ସାମ୍ୟବାଦ ହେଉ, ସମାଜବାଦ ହେଉ, ଏକଚ୍ଛତ୍ରବାଦ ହେଉ ବା ଗଣତନ୍ତ୍ରବାଦ ହେଉ, କୌଣସି ଗୋଟିଏ ‘ବାଦ’କୁ ଶିକ୍ଷାନୁଷ୍ଠାନରେ ପ୍ରବେଶ କରାଇ ଛାତ୍ରମାନଙ୍କୁ ଦିଗ୍‌ଭ୍ରଷ୍ଟ କରିବା ଛାତ୍ରଧର୍ମର ଅନୁକୂଳ କାର୍ଯ୍ୟ ନୁହେଁ । ଛାତ୍ରମାନଙ୍କର କୋମଳମତିତ୍ୱ, ଅପରିପକ୍ୱ ଜ୍ଞାନ ଓ ବିଶ୍ୱାସପ୍ରବଣତାର ସୁବିଧା ନେଇ ସେମାନଙ୍କ ମନରେ ସୁଖସ୍ୱପ୍ନ ସୃଷ୍ଟିପୂର୍ବକ ସେମାନଙ୍କୁ ରାଜନୀତି-କ୍ଷେତ୍ରରେ କ୍ରୀଡ଼ାନକରୂପ ବ୍ୟବହାର କରିବା ଯଥାର୍ଥ ରାଜନୀତିକୁଶଳତା ନୁହେଁ ଯେ ବରଂ ଏକ ପ୍ରଚ୍ଛନ୍ନ ପ୍ରତାରଣା । କଥିତ ଅଛି; ‘କ୍ଷେତ୍ରେ କର୍ମ ବିଧୀୟତେ’ । ମାତ୍ର ଆମ ଛାତ୍ରବୃନ୍ଦ ରାଜନୈତିକ କ୍ଷେତ୍ରରେ ନୀତି, କାର୍ଯ୍ୟକୁ ଶିକ୍ଷାରୂପକ ଏକ ସ୍ୱତନ୍ତ୍ର କ୍ଷେତ୍ରରେ ପ୍ରୟୋଗ କକରି ଛାତ୍ରଧର୍ମରେ ବିପର୍ଯ୍ୟୟ ଓ ତଜ୍ଜନିତ ଉଚ୍ଛୃଙ୍ଖଳତା ସୃଷ୍ଟି କରିବାରେ ଲାଗିପଡ଼ୁଥିବାର ଦୃଷ୍ଟିଗୋଚର ହୁଏ-। ସ୍ୱାଧୀନତା ଲାଭ ଉଦ୍ଦେଶ୍ୟରେ ଯେଉଁ ରାଜନୈତିକ ଅସହଯୋଗ ଆନ୍ଦୋଳନ ଭାରତରେ ପ୍ରବର୍ତ୍ତିତ ହୋଇଥିଲା, ତାହାର ଅନୁକରଣରେ ଛାତ୍ରମାନଙ୍କ ମଧ୍ୟରେ ଏକ କୃତ୍ରିମ ଅସହଯୋଗ ମନୋବୃତ୍ତି ଏପରି ଏକ ସ୍ଥାନ ମାଡ଼ିବସିଛି ଯେ, ସେମାନେ ନିଜ ନିଜର ଶିକ୍ଷାମନ୍ଦିରମାନଙ୍କରେ ଏହା ପ୍ରୟୋଗ କରି ଉଦ୍ଦାମ ଉତ୍ତେଜନା, ଉଚ୍ଛୃଙ୍ଖଳିତା ଓ ବିପ୍ଳବାତ୍ମକ ବ୍ୟବହାରର ଫଳରେ ଜ୍ଞାନଲାଭର ଗୁରୁତ୍ୱ ଓ ଉପାଦେୟତାକୁ ବିସ୍ମୃତିଗର୍ଭରେ ନିକ୍ଷେପ କରୁଅଛନ୍ତି । ଏହି ଅସହଯୋଗ ଆନ୍ଦୋଳନ କେଉଁ ସମୟରେ ଏବଂ କୀଦୃଶ ପରିସ୍ଥିତିରେ ପ୍ରବର୍ତ୍ତିତ ହୋଇଥିଲା, ତାହା ହୃଦୟଙ୍ଗମ ନ କରି, କେବଳ ଅନ୍ଧବିଶ୍ୱାସ ଓ ଅନ୍ଧାନୁକରଣର ବଶବର୍ତ୍ତୀ ହୋଇ, ବହୁସଂଖ୍ୟକ ଛାତ୍ର ଅକାଳରେ ସେମାନଙ୍କର ଭବିଷ୍ୟତ୍‌ ନଷ୍ଟ କରି ଦେଇଛନ୍ତି । ଅସହଯୋଗ-ମନୋବୃତ୍ତି ପୁଣି ‘ଧର୍ମଘଟ’ ନାମକ ଆହୁରି ଏକ ବିଚିତ୍ର ରୂପରେ ଦେଖାଦେଇଅଛି । ଏହି ଧର୍ମଘଟ ପାଶ୍ଚାତ୍ୟ ଦେଶମାନଙ୍କରେ ଶିଳ୍ପାଦି ଅନୁଷ୍ଠାନମାନଙ୍କରେ ଶ୍ରମିକଶ୍ରେଣୀର ଦାବୀପୂରଣ ଉଦ୍ଦେଶ୍ୟରେ ପ୍ରବର୍ତ୍ତିତ ହୋଇଥାଏ । ଏହାର ଅନୁକରଣରେ ଆଜିକାଲି ଆମ ଦେଶରେ ଶ୍ରମିକମାନେ ଏହାକୁ ପ୍ରଥମେ ଆରମ୍ଭ କରିବା ପରେ ଏହା ଏକ ସଂକ୍ରାମକ ରୋଗ ପରି ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଓ ଶିକ୍ଷାନୁଷ୍ଠାନମାନଙ୍କରେ ବ୍ୟାପିଯାଉଥିବାର ଦେଖାଯାଏ । ବହୁସଂଖ୍ୟକ ଛାତ୍ର ଏଥିରେ ଆକ୍ରାନ୍ତ ହୋଇ ଶିକ୍ଷାଅନୁଷ୍ଠାନମାନ ବର୍ଜନପୂର୍ବକ ଶ୍ରମିକମାନଙ୍କ ପରି ଶିକ୍ଷାଲାଭ କାର୍ଯ୍ୟ ବନ୍ଦ କରି ଦେଉଅଛନ୍ତି । ଏହି ବର୍ଜନପ୍ରଥା ଲାଭଖୋର ଶିଳ୍ପପତି ପ୍ରଭୃତିଙ୍କର ଆୟରେ ହାନି ଘଟାଇବା ନିମିତ୍ତ ଉଦ୍ଦିଷ୍ଟ ଥିଲା । ଏହାକୁ ବର୍ତ୍ତମାନ ଶିକ୍ଷାକ୍ଷେତ୍ରରେ ପ୍ରୟୋଗ କରି ଛାତ୍ରମାନେ କର୍ତ୍ତୃପକ୍ଷଙ୍କର କି ହାନି ଘଟାଉଅଛନ୍ତି, ତାହା ଜାଣିବା ଦୁଷ୍କର । କିନ୍ତୁ ଏହା ସୁପ୍ରମାଣିତ ଯେ ସେମାନେ ଏହାଦ୍ୱାରା ନିଜ ନିଜର ଜ୍ଞନାର୍ଜନକାର୍ଯ୍ୟରେ ବାଧା ଘଟାଉଅଛନ୍ତି । ଏହା ଏକ ଆତ୍ମଘାତୀ ପ୍ରଣାଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଧର୍ମଘଟ କୌଣସିକାଳେ ଛାତ୍ରଧର୍ମସମ୍ମତ ନୁହେଁ, କାରଣ ଏଥିରେ ଶିକ୍ଷାକ୍ଷେତ୍ରର କର୍ତ୍ତୃପକ୍ଷଙ୍କୁ କୌଣସି କ୍ଷତି ସହିବାକୁ ପଡ଼େନାହିଁ, ବରଂ ଛାତ୍ରମାନଙ୍କୁ ବିପରୀତ ଫଳ ଭୋଗ କରିବାକୁ ପଡ଼ିଥାଏ ।

 

ଏହାଛଡ଼ା ଅର୍ଥନୈତିକ ପରିସ୍ଥିତି ଛାତ୍ରବିକ୍ଷୋଭର ଆଉ ଏକ କାରଣ । ଆମ ଦେଶର ଛାତ୍ରମାନେ ସାଧାରଣତଃ ଚାକିରୀ ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ କରୁଥିବାର ଦେଖାଯାଏ । ‘ଜ୍ଞାନଲାଭ ସକାଶେ ଜ୍ଞାନଲାଭ’ ସେମାନଙ୍କର ନୀତି ହୋଇ ନ ଥାଏ, ମାତ୍ର ଚାକିରୀ ତ ସମସ୍ତଙ୍କୁ ମିଳେ ନାହିଁ, ଫଳ ହୁଏ, ନୈରାଶ୍ୟ ଓ ଅଶ୍ରାନ୍ତି । ଏହି ଶ୍ରେଣୀର ଛାତ୍ରମାନେ ତେଣୁ ଉପାୟାନ୍ତର ନ ଦେଖି ଦଳଗତ ରାଜନୀତି ବା ତଦନୁରୂପ ଅନ୍ୟ କୌଣସି କ୍ଷେତ୍ରରେ ଲିପ୍ତ ରହିବାକୁ ବାଧ୍ୟ ହୁଅନ୍ତି । ଛାତ୍ରାବସ୍ଥାରୁ ସେମାନେ ଜ୍ଞାନାର୍ଜ୍ଜନକୁ ଅର୍ଥାଗମର ଉପାୟରୂପେ ଧରି ବ୍ୟବସାୟମନୋବୃତ୍ତିସମ୍ପନ୍ନ ବ୍ୟକ୍ତିମାନଙ୍କ ପରି ଉପାଧି ହାସଲ କରିବାପାଇଁ ଉଦ୍‌ଗ୍ରୀବ ହୋଇପଡ଼ନ୍ତି । କିନ୍ତୁ ଏହା ଛାତ୍ରର ଧର୍ମ ନୁହେଁ । କାରଣ ଏହାଦ୍ୱାରା ଅଧ୍ୟୟନ କାର୍ଯ୍ୟଟି ଚାକିରି ପ୍ରତି ଲକ୍ଷ୍ୟ ରଖି କେବଳ ଏକ ଉପାୟ ବା କୌଶଳ ରୂପେ ଅବଲମ୍ବିତ ହେଉଥିବାରୁ ଗୁରୁତ୍ୱ ହରାଇ ବସେ ଓ ଛାତ୍ରମାନେ ପରୀକ୍ଷାଲବ୍‌ଧ ସମସ୍ତ ଉତ୍କର୍ଷସତ୍ତ୍ୱେ ପ୍ରକୃତ ଜ୍ଞାନଲାଭରୁ ବଞ୍ଚିତ ହୋଇଥାନ୍ତି । ଏହି ଆପାତ ଉତ୍କର୍ଷର ଭିତ୍ତିରେ ସେମାନେ ସମାଜରେ ଯେଉଁ ସ୍ଥାନ ଅଧିକାର କରନ୍ତି, ତାହାଦ୍ୱାରା ସେମାନଙ୍କର ଚରିତ୍ରର ଉତ୍କର୍ଷ ଘଟେ ନାହିଁ, ବରଂ ସେମାନେ ସ୍ୱାର୍ଥନ୍ୱେଷୀ ହୋଇ ଦେଶ ବା ସମାଜର ପ୍ରତିକୂଳାଚରଣ କରିଥାନ୍ତି ।

 

ଅଭିଭାବକମାନଙ୍କର ଦାୟିତ୍ୱ ୟଜ୍ଞାନର ଅଭାବବଶତଃ ଛାତ୍ରମାନେ ସ୍ୱେଚ୍ଛାଚାରୀ ଓ ବିଶୃଙ୍ଖଳ ହୋଇପଡ଼ୁଥିବାର ଅନୁମିତ ହୁଏ । ପୁତ୍ରକନ୍ୟାମାନଙ୍କ ପ୍ରତି ଅତିବାତ୍ସଲ୍ୟ ଅଭିଭାବକମାନଙ୍କୁ ଏପରି ଅନ୍ଧୀଭୂତ କରିପକାଏ ଯେ, ସେମାନେ ଶାସନ ନିମିତ୍ତ ଯେତିକି କଠୋରତା ଆବଶ୍ୟକ ସେତକ ଦେଖାଇପାରନ୍ତି ନାହିଁ, ତେଣୁ ଛାତ୍ରମାନେ ଦାୟିତ୍ୱହୀନଭାବରେ ମନଇଚ୍ଛା ଗତି କରିବାରେ ଲାଗନ୍ତି । ସେମାନଙ୍କର ଦୋଷଦୁର୍ବଳତା ପ୍ରତି ରୁଦ୍ଧନେତ୍ର ଏହି ଅଭିଭାବକଗଣ ବିଦ୍ୟାଳୟପକ୍ଷରୁ ସେମାନଙ୍କ ପ୍ରତି ଦଣ୍ଡବିଧାନ ହେଲାମାତ୍ରକେ କେବଳ କର୍ତ୍ତୃପକ୍ଷଙ୍କ ଉପରେ ସବୁ ଦୋଷ ଢାଳିଦେଇ ଛାତ୍ରମାନଙ୍କ କଥାରେ ଆସ୍ଥା ଓ ବିଶ୍ୱାସ ସ୍ଥାପନ କରିଥାନ୍ତି, ପୁଣି ଏହି ଅଭିଭାବକମାନଙ୍କ ମଧ୍ୟରୁ ଅନ୍ତତଃ ଭାରତବର୍ଷରେ ଅଧିକାଂଶ ଅଶିକ୍ଷିତ ଥିବାରୁ ଛାତ୍ରମାନଙ୍କର ଅବୈଧ କାର୍ଯ୍ୟଗୁଡ଼ିକର ବିଷମ ପରିଣତି ଚିନ୍ତା କରିପାରନ୍ତି ନାହିଁ ଏବଂ ଛାତ୍ରମାନେ ହିଁ ନିଜ ନିଜର କୁବ୍ୟବହାର ଓ ଉଚ୍ଛୃଙ୍ଖଳ ଗତିକୁ ବଜାୟ ରଖିବା ଉଦ୍ଦେଶ୍ୟରେ ସେମାନଙ୍କର ଅଜ୍ଞତାର ସୁବିଧା ନେଇଥାନ୍ତି । ପୁନଶ୍ଚ ଅନେକ ଅଭିଭାବକ ନାନା ପ୍ରଲୋଭନରେ ପଡ଼ି ନିଜ ନିଜର କାର୍ଯ୍ୟକଳାପକୁ ଏପରି ଅନୈତିକ କରିଥାନ୍ତି ଯେ, ଛାତ୍ର ତାହାର ଶୈଶବରୁ ସେଗୁଡ଼ିକ ଦେଖି ଶିଖି ତଦନୁଯାୟୀ ଗଢ଼ି ହୋଇଯାଇଥାଏ । ଅଭିଭାବକମାନଙ୍କର ଧୂମ୍ରପାନ, ଦ୍ୟୁତକ୍ରୀଡ଼ା; ଚଳଚ୍ଚିତ୍ରସମ୍ଭୋଗ, ମାଲିମକଦ୍ଦମାର ମନୋବୃତ୍ତି ଓ ମିଥ୍ୟାଚାର ପ୍ରଭୃତି କାର୍ଯ୍ୟଗୁଡ଼ିକ ଛାତ୍ରମାନଙ୍କୁ ଏପରି ପ୍ରଭାବିତ କରେ ଯେ, ସେମାନେ ବିଦ୍ୟାଳୟମାନଙ୍କରେ ପ୍ରବେଶ କଲା ମାତ୍ରକେ ନିୟମାଧୀନ ହୋଇପାରନ୍ତି ନାହିଁ, ତେଣୁ କେତେବେଳେ ଶିକ୍ଷକ ବା ଅଧ୍ୟାପକଙ୍କ ପ୍ରତି ଅବମାନନା ଦେଖାଇ ନିଜ ନିଜର ତଥାକଥିତ ନେତୃତ୍ୱ ପ୍ରତିଷ୍ଠା କରିବସନ୍ତି, କେତେବେଳେ ସେମାନଙ୍କ ଉପଦେଶଗୁଡ଼ିକର ବିରୁଦ୍ଧରେ ବିଶୃଙ୍ଖଳ ପ୍ରତିକ୍ରିୟା ଦେଖାଇଥାନ୍ତି ଏବଂ କେତେବେଳେ ପୁଣି ପ୍ରତିହିଂସାର ବଶବର୍ତ୍ତୀ ହୋଇ ସେମାନଙ୍କ ଉପରେ ଅତ୍ୟାଚାର କରିବସନ୍ତି । ଉଦାହରଣ ସ୍ୱରୂପ, ପରୀକ୍ଷାରେ ଉତ୍ତର ଦେବାବେଳେ ଅବୈଧ ଉପାୟମାନ ଅବଲମ୍ବନ କରି କର୍ତ୍ତୃପକ୍ଷଙ୍କ କର୍ତ୍ତୃକ ବିତାଡ଼ିତ ହେବାକୁ ଆଦିଷ୍ଟ ହେବାମାତ୍ରକେ, ସେମାନେ ଯେଉଁ ଉତ୍ୟକ୍ତ ମନୋଭାବ ଦେଖାଇବାକୁ ଯାଇଥାନ୍ତି, ତାହା କାହାରିକୁ ଅବିଦିତ ନୁହେଁ । ଏହିସବୁ କାରଣରୁ ଛାତ୍ରଧର୍ମ ବହୁ ପରିମାଣରେ ବ୍ୟାହତ ହୋଇପଡ଼ୁଥିବାର ପରିଦୃଷ୍ଟ ହୁଏ । ସୁତରାଂ ପିତାମାତା ବା ଅଭିଭାବକମାନଙ୍କର ଏହି ଦିଗରେ ବହୁତ ଗୁରୁ କର୍ତ୍ତବ୍ୟ ରହିଅଛି । ଛାତ୍ରର ଶିକ୍ଷା ଏକ ସହଯୋଗ ବ୍ୟାପାର । ଏକ ଦିଗରେ ଶିକ୍ଷକ ଅନ୍ୟ ଦିଗରେ ପିତାମାତା ବା ଅଭିଭାବକ, ଏବଂ ଏହି ଦୁଇପକ୍ଷଙ୍କ ମଧ୍ୟରେ ଛାତ୍ର, ଏହିପରି ତିନୋଟି ଦିଗରୁ ଲବ୍‌ଧ ସହଯୋଗ ଉପରେ ହିଁ ଶିକ୍ଷାଦାନର ସଫଳତା ନିର୍ଭର କରେ । ଗୁରୁ ଶିଷ୍ୟଙ୍କ ମଧ୍ୟରେ, ଅଭିଭାବକ ଓ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ମଧ୍ୟରେ, ସକ୍ରିୟ ତଥା ସଶ୍ରଦ୍ଧ ସହଯୋଗ ନ ମିଳିଲେ ଛାତ୍ରର ଧର୍ମ ପରିଲକ୍ଷିତ ହୋଇପାରିବ ନାହିଁ ଏବଂ ପରିଣାମରେ ଅଧ୍ୟୟନଜନିତ ଯଥାର୍ଥ ଗଭୀର ଜ୍ଞାନଲାଭ ଓ ତଦନୁରୂପ ଚରିତ୍ରଗଠନ ଅସମ୍ଭବ ହୋଇ ପଡ଼ିବ । ଛାତ୍ରଗଣଙ୍କର ସେଥିପାଇଁ ସର୍ବଦା ଓ ସର୍ବଥା ସତର୍କ ରହିବା ଉଚିତ । ବାସ୍ତବିକ୍‌, ଯେଉଁ ଦେଶ ବା ଜାତିରେ ଏହି ତ୍ରିବିଧାତ୍ମକ ସାହଯ୍ୟ ଓ ସହଯୋଗର ଯେତେ ଅଭାବ, ସେହି ଦେଶ ବା ଜାତି ସେତିକି ପରିମାଣରେ ଶିକ୍ଷା ଦିଗରେ ପଶ୍ଚାତ୍‌ପଦ ବା ଅନୁନ୍ନତ ।

 

ସର୍ବଶେଷରେ ଗୁରୁ ବା ଶିଷ୍ୟଙ୍କର ବ୍ୟକ୍ତିତ୍ୱ ଓ ଚରିତ୍ରବତ୍ତା ଉପରେ ଛାତ୍ରଧର୍ମର ସାଫଲ୍ୟ ବହୁ ପରିମାଣରେ ନିର୍ଭର କରେ । ଦୁଶ୍ଚରିତ୍ର ତଥା ବ୍ୟକ୍ତିତ୍ୱହୀନ ଶିକ୍ଷକ ଛାତ୍ରଜୀବନକୁ ନିୟନ୍ତ୍ରିତ କରିବା ପାଇଁ ଏକାବେଳକେ ଅକ୍ଷମ । ପ୍ରାରମ୍ଭରୁ କହିଅଛୁଁ, ଗୁରୁଦୋଷାବରଣ ଛାତ୍ରର ଧର୍ମ । ମାତ୍ର ସେଥି ସଙ୍ଗେ ସଙ୍ଗେ ଶିକ୍ଷକଙ୍କୁ ମଧ୍ୟ ମନେ ରଖିବାକୁ ହେବ ଯେ, ଶିକ୍ଷକ ଅଯୋଗ୍ୟ ହେଲେ, ଶିକ୍ଷକର ଜୀବନ ଆଦର୍ଶହୀନ ହେଲେ ଛାତ୍ର ବିଧର୍ମୀ ହୋଇ ତାଙ୍କର ବିରୁଦ୍ଧରେ ପ୍ରତିକ୍ରିୟା ଦେଖାଇବାକୁ ଯିବା ବିଚିତ୍ର ନୁହେଁ । ଶିକ୍ଷକଙ୍କର ଦୋଷ ଦୁର୍ବଳତା ଛାତ୍ରର ଧର୍ତ୍ତବ୍ୟ ନୁହେଁ ସତ୍ୟ, ମାତ୍ର ଏହି ଦୋଷଦୁର୍ବଳତା ଶିକ୍ଷକଙ୍କଠାରେ ଅତି ପ୍ରାବଲ୍ୟ ଲାଭ କରି ଛାତ୍ରଜୀବନକୁ ପ୍ରପୀଡ଼ିତ କଲାବେଳେ ଛାତ୍ର ସ୍ୱୀୟ ସହନଶକ୍ତିର ସୀମା ଲଘଂନ କରିପକାଏ । ସେଥିପାଇଁ ଶିକ୍ଷାକ୍ଷେତ୍ରରେ ଅଭିଭାବକମାନଙ୍କର ଦାୟିତ୍ୱ ଯେତିକି ରହିଛି, ଶିକ୍ଷକମାନଙ୍କର ଦାୟିତ୍ୱ ସେଥିରୁ ଅଧିକ ବୋଲି କହିବାକୁ ହେବ ।

Image

 

ଭାଷାର ଉତ୍ପତ୍ତି

 

ବିଭିନ୍ନ ଚିନ୍ତା, କଳ୍ପନା ଓ ଅନୁଭୂତି ଓ ସଂକଳ୍ପ ପ୍ରଭୃତି ପ୍ରକ୍ରିୟାଗୁଡ଼ିକ ନେଇ ମାନବର ମନ କାର୍ଯ୍ୟ କରେ । ଏହି ପ୍ରକ୍ରିୟାଗୁଡ଼ିକର ବହିଃପ୍ରକାଶ ପାଇଁ ସେ ନାନାଭାବରେ ଚେଷ୍ଟା କରିଥାଏ-। ଯେଉଁ ଯେଉଁ ଉପାୟରେ ସେ ସେଗୁଡ଼ିକୁ ପ୍ରକାଶ କରେ, ସେହି ଉପାୟଗୁଡ଼ିକ ତାହାର ଭାଷା-। ସୁତରାଂ ‘ଭାଷା’ କହିଲେ ବ୍ୟାପକ ଅର୍ଥରେ ଆମ୍ଭେମାନେ ବୁଝୁଁ, ମାନବର ମାନସିକ ପ୍ରକ୍ରିୟାଗୁଡ଼ିକର ପ୍ରକାଶ, ପ୍ରଚାର ଓ ଆଦାନ-ପ୍ରଦାନର ଏକ ମାଧ୍ୟମ । ଏହି ମାଧ୍ୟମ କେତେବେଳେ ହସ୍ତଚାଳନା, ମୁଖଭଙ୍ଗୀ ଓ ଚିତ୍କାର ପ୍ରଭୃତିର ଆକାର ଧାରଣ କରିଥାଏ, କେତେକେତେବେଳେ ପୁଣି କଥୋପକଥନ ତଥା ଲିଖିତ ବର୍ଣ୍ଣ, ଶବ୍ଦ, ପଦ-ବିନ୍ୟାସ ଓ ବାକ୍ୟ ରୂପରେ କାର୍ଯ୍ୟ କରେ-। ମୂକ-ବଧିରର ଅଙ୍ଗଚାଳନା ଓ ମୁଖଭଙ୍ଗୀ, ଶିଶୁର ହାସ୍ୟ-କ୍ରନ୍ଦନ ଓ ଅଙ୍ଗପ୍ରତ୍ୟଙ୍ଗ ପ୍ରକ୍ଷେପ ଓ ଚାଳନା, ସୁସ୍ଥ ମାନବର ବିକଟ ହାସ୍ୟ, ମୁଖମଣ୍ଡଳର ସଂକୋଚ ଓ ପ୍ରସାରଣ, ଚକ୍ଷୁ ଗୋଲକର ପରିଚାଳନା ଓ ମୁଖ-ବିକୃତ ପ୍ରଭୃତି ଶାରୀରିକ ସଂକେତମାନ ଓ ଯୁଦ୍ଧକ୍ଷେତ୍ରରେ ଦୂରବର୍ତ୍ତୀ ସେମାନଙ୍କ ମଧ୍ୟରେ ପତାକା ଚାଳନା ଓ ଭେରୀବାଦନରୂପ ନିଶାଣମାନ ଏହି ଭାଷାର ଅନ୍ତର୍ଗତ-। ବ୍ୟାପକ ଅର୍ଥରେ ଏ ସମସ୍ତ, ଭାଷାର ବିଭିନ୍ନ ରୂପରେଖ । ଏହି ଅର୍ଥରେ ଭାଷା କେବଳ ମାନବଠାରେ ନୁହେଁ, ଇତର ପ୍ରାଣୀମାନଙ୍କଠାରେ ମଧ୍ୟ ଦେଖାଦେଇଥାଏ । ମାନବପରି ଇତର ପ୍ରାଣୀମାନେ ମଧ୍ୟ ସେମାନଙ୍କ କ୍ଷୁଧା, ତୃଷ୍ଣା, ସୁଖ, ଦୁଃଖ ପ୍ରଭୃତି ଅନୁଭୂତି ବା ଅବସ୍ଥାଗୁଡ଼ିକୁ ବିବିଧ ଚିତ୍କାର ଓ ସଂକେତର ଆକାରରେ ପ୍ରକାଶ କରିଥାଆନ୍ତି । ମାତ୍ର ସଂକୀର୍ଣ୍ଣ ଅର୍ଥରେ ‘ଭାଷା’ କହିଲେ, ଆମ୍ଭେମାନେ ଉଲ୍ଲିଖିତ ଶାରୀରିକ ସଂକେତଗୁଡ଼ିକ ବୁଝୁ ନାହିଁ–ବୁଝୁ କେବଳ ମାନବର କଥିତ ଓ ଲିଖିତ ଭାଷା । ଏହି ଅର୍ଥରେ ଭାଷା କେବଳ ଶବ୍ଦ, ପଦ, ବାକ୍ୟ ଓ ସନ୍ଦର୍ଭ ଆକାରରେ ବିନ୍ୟସ୍ତ ହୋଇଥାଏ । ମାନବ ପ୍ରଥମେ କଥିତ ଭାଷା ପ୍ରୟୋଗ କରି ନିଜର ଭାବ ବ୍ୟକ୍ତ କରେ, ମାତ୍ର କ୍ରମେ ବର୍ଣ୍ଣମାଳା ସୃଷ୍ଟିକରି ସେମାନଙ୍କ ସଂଯୋଗରେ ଲିଖିତ ତଥା ଦୃଶ୍ୟମାନ ଆକାରରେ ତାହାର ଭାଷାକୁ ସୁଶୃଙ୍ଖଳ ରୂପରେଖ ଦିଏ । ଏହି ଶକ୍ତି ବଳରେ ହିଁ ମାନବ ଇତର ପ୍ରାଣୀମାନଙ୍କଠାରୁ ସ୍ୱତନ୍ତ୍ର ଏକ ଜୀବ ବୋଲି ବିବେଚିତ ହୋଇଥାଏ । ସେ ଯାହାହେଉ, ‘ଭାଷା’ ଶବ୍ଦଟି ଏହି ପ୍ରବନ୍ଧରେ ଶେଷୋକ୍ତ ଅର୍ଥରେ ବ୍ୟବହୃତ ହୋଇଅଛି । ବର୍ତ୍ତମାନ ଏହି ଅର୍ଥରେ ଭାଷାର ଉତ୍ପତ୍ତି କିପରି ଘଟିଲା, ବିଚାର କରିବାକୁ ହେବ ।

 

ଭାଷାର ଉତ୍ପତ୍ତି ସମ୍ବନ୍ଧରେ ପଣ୍ଡିତଗଣ ବହୁତ ଗବେଷଣା କରି ଆସିଛନ୍ତି । ବିଶେଷତଃ ପାଶ୍ଚାତ୍ୟଖଣ୍ଡରେ ଇଉରୋପୀୟ ମନୀଷିମାନେ ଏହାର ଅନୁସନ୍ଧାନରେ ଲାଗିପଡ଼ିଅଛନ୍ତି । ଏହାର ଫଳରେ ଭାଷାର ଉତ୍ପତ୍ତି ନେଇ ବିଭିନ୍ନ ମତ ଦେଖିବାକୁ ମିଳେ । ନିମ୍ନରେ ପ୍ରଧାନ ପ୍ରଧାନ କେତୋଟିର ଅବତାରଣା କରାଗଲା ।

 

କେତେକଙ୍କ ମତରେ ଈଶ୍ୱର ସର୍ବପ୍ରଥମ ମାନବକୁ ଏକ ଅଲୌକିକ ଘଟନାର ମାଧ୍ୟମରେ ସର୍ବପ୍ରଥମ ଭାଷା ଦାନ କରିଥିଲେ । ଏହି ଆଦିଭାଷାରୁ କ୍ରମେ ଦେଶ-କାଳ-ପାତ୍ରଭେଦରେ ଅନ୍ୟାନ୍ୟ ବିଭିନ୍ନ-ଜାତୀୟ ଭାଷାର ଉଦ୍ଭବ ଘଟିଅଛି । ପ୍ରାଚୀନ ଗ୍ରୀସ୍‌ର ‘ଲୋଗସ୍‌’ (Logos) ଓ ପ୍ରାଚୀନ ଭାରତର ବୈଦିକ ‘ବାକ୍‌’ ଏହି ମତର ସମର୍ଥକ । ପ୍ରାଚୀନ ଗ୍ରୀସ୍‌ର ଲୋଗସ୍‌, ଭାବ ଓ ଭାଷା ଉଭୟ ଅର୍ଥର ବ୍ୟଞ୍ଜକ ଏବଂ ଏହା ସର୍ବପ୍ରଥମେ ମାନବର ହୃଦୟରାଜ୍ୟରେ କି ଏକ ଅଦ୍ଭୂତ ଐଶ୍ୱରିକ ବିଧିରେ ଜନ୍ମଲାଭ କରି ମାନବ ଜାତିର ଏକ ଅତ୍ୟାବଶ୍ୟକ ସମ୍ବଳ ହୋଇଅଛି । ପ୍ରାଚୀନ ଭାରତର ବୈଦିକ କବି ସେଥିପାଇଁ ‘ବାକ୍‌’କୁ ଦେବୀରୂପେ କଳ୍ପନା କରିଅଛନ୍ତି ଓ ଏହି ଐଶୀଶକ୍ତିର ବଳରେ ଭାଷାର ଉତ୍ପତ୍ତି ସମ୍ଭବପର ହୋଇଅଛି । ତେଣୁ ଉପନିଷଦ୍‌ରେ ଦେଖିବାକୁ ମିଳେ–‘ଯଦ୍‌ ବାଚା ନାଭ୍ୟୁଦିତଂ ଯେନ ବାଗଭ୍ୟୁଦ୍ୟତେ’ । ବୃହଦାରଣ୍ୟକ ଉପନିଷଦ୍‌, ବେଦ-ବେଦାଙ୍ଗମାନଙ୍କର ଉତ୍ପତ୍ତି ବୁଝାଇବାକୁ ଯାଇ, କହିଅଛି–‘ଅସ୍ୟ ମହତୋ ଭୂତସ୍ୟନିଶ୍ୱସିତମେତଦ୍‌ ଯଦୃଗ୍‌ବେଦୋ ଯଜୁର୍ବେଦଃ ସାମବେଦୋଽଥର୍ବାଙ୍ଗିରସ ଇତିହାସ ପୁରାଣମ୍‌’–ଅର୍ଥାତ୍‌, ସେହି ଏକମାତ୍ର ମହାନ୍‌ ମୂଳବସ୍ତୁ ବ୍ରହ୍ମଠାରୁ ହିଁ ଚତୁର୍ବେଦ, ଇତିହାସ ପୁରାଣ ପ୍ରଭୃତି ଜ୍ଞାନଶାସ୍ତ୍ର ଉତ୍ପତ୍ତି ଲାଭ କରିଅଛନ୍ତି । ଆହୁରି ମଧ୍ୟ ପ୍ରଣବ ବା ଓଁକାର ସର୍ବବିଧ ବାକ୍‌ର ଉତ୍ପତ୍ତିସ୍ଥଳ ବୋଲି ଏହି ପ୍ରାଚୀନ ଗ୍ରନ୍ଥମାନଙ୍କରେ ଦେଖିବାକୁ ମିଳେ । ସେଥିପାଇଁ ନୈଷ୍ଠିକ ବ୍ରାହ୍ମଣମାନଙ୍କର ବିଶ୍ୱାସ ଯେ ‘ସଂସ୍କୃତ’ ଦେବଭାଷା । ଋକ୍‌ବେଦରେ ଚତୁର୍ବିଧ ବାକ୍‌ର ଉଲ୍ଲେଖ ଅଛି ଯଥା:-‘‘ଚତ୍ୱାରି ବାକ୍‌ ପରିମିତା ପଦାନି’’ । ଭର୍ତ୍ତୃହରି ଓ ନାଗେଶ ପ୍ରଭୃତି ବ୍ୟାକରଣକାରମାନେ ତଥା ଗୌଡ଼ପାଦ ଓ ସାୟନାଦି ଦାର୍ଶନିକମାନେ ଏହି ଚତୁର୍ବିଧ ବାକ୍‌ର ନାମକରଣ କରିଅଛନ୍ତି–ପରା, ପଶ୍ୟନ୍ତୀ, ମଧ୍ୟମା ଓ ବୈଖରୀ । ସେମାନଙ୍କ ମତରେ ପ୍ରଥମ ତିନୋଟି ଗୁହାନିହିତ, ଅର୍ଥାତ୍‌, ଅନ୍ତଃକରଣସ୍ଥିତ ମୂଳାଧାର, ନାଭିଚକ୍ର ଓ ହୃଦୟଚକ୍ର ସେମାନଙ୍କର ଅଧିଷ୍ଠାନ । ତେଣୁ ଏଗୁଡ଼ିକ ମାନସ ଅଗୋଚର । ଏମାନଙ୍କ ମତରେ ନିତ୍ୟ ଚୈତନ୍ୟରୁ ସର୍ବପ୍ରଥମେ ‘ନାଦ’ ଉତ୍ପତ୍ତି ଲାଭକରି, ମୂଳାଧାରନିର୍ଗତ ଆଭ୍ୟନ୍ତରୀଣ ବାୟୁଚାଳନା କ୍ରିୟାରୁ ଶବ୍ଦର ଉତ୍ପତ୍ତି ହୁଏ । ଏହି ପରା, ପଶ୍ୟନ୍ତୀ ଓ ମଧ୍ୟମା–ତ୍ରିବିଧ ଅବସ୍ଥାର ମଧ୍ୟଦେଇ ନାଦ ବା ଶବ୍ଦବ୍ରହ୍ମ ପରିଶେଷରେ ବୈଖରୀ ବା ପ୍ରକାଶମାନ ଧ୍ୱନିରେ ପରିଣତ ହୁଏ । ଅର୍ଥାତ, ନାଦ ମୂଳାଧାରରୁ ଉତ୍ପତ୍ତି ଲାଭକରି, ଆଭ୍ୟନ୍ତରୀଣ ବାୟୁ ସାହାଯ୍ୟରେ ନାଭିଚକ୍ରକୁ ଆସିଲାବେଳେ ପଶ୍ୟନ୍ତୀବାକ୍‌ ହୁଏ, ବାକ୍‌ର ଏହି ଦୁଇ ଅବସ୍ଥା ଭେଦହୀନ ଓ ଅବିଭାଜ୍ୟ । ନିରତିଶୟ ସୂକ୍ଷ୍ମ ହୋଇଥିବାରୁ କେବଳ ଯୋଗୀମାନଙ୍କର ସମାଧି ଅବସ୍ଥାରେ ବୋଧଗମ୍ୟ ବୋଲି କୁହାଯାଇଅଛି । ମଧ୍ୟବାକ୍‌ ମଧ୍ୟବାୟୁଦ୍ୱାରା ପ୍ରକାଶ ପାଏ । ଯେତେବେଳେ ଆଭ୍ୟନ୍ତରୀଣ ବାୟୁ ହୃଦୟଚକ୍ରରେ ପ୍ରବେଶ କରେ, ସେତେବେଳେ ଏହାର ଉତ୍ପତ୍ତି ଘଟେ । ଏହା କେବଳ ବୋଧଗମ୍ୟ । ନାଗେଶଙ୍କ ମତରେ ଏହି ତ୍ରିବିଧବାକ୍‌ ଯଥାକ୍ରମେ ‘ପ୍ରଣବ’ର ସୂକ୍ଷ୍ମତମ, ସୂକ୍ଷ୍ମତର ଓ ସୂକ୍ଷ୍ମଅବସ୍ଥା । ଯେତବେଳେ ଅନ୍ତରବାୟୁ ହୃଦୟଚକ୍ରରୁ ବାହାରି କଣ୍ଠ ମଧ୍ୟଦେଇ ମୁଖଦ୍ୱାରରେ ପ୍ରକାଶ ପାଏ, ସେତେବେଳେ ବୈଖରୀ ବାକ୍‌ର ଉଦ୍ଭବ ହୁଏ । ଏହାଛଡ଼ା ମହାଭାରତରେ କଥିତ ଅଛି, ଈଶ୍ୱର ଆରମ୍ଭରୁ ବସ୍ତୁମାନଙ୍କର ନାମ, ରୂପ ଓ ସେମାନଙ୍କର କ୍ରମିକ ପ୍ରକ୍ରିୟା ସୃଷ୍ଟି କରିଅଛନ୍ତି । ଏହିସବୁ ବିଷୟରୁ ସ୍ପଷ୍ଟ ଅନୁମିତ ହେବ ଯେ, ପ୍ରାଚୀନ ଭାରତରେ ମନୀଷିମାନେ ଭାଷା-ବିଚାର କରିଥିଲେ । ଏହା ଯେ ଅପୌରୁଷେୟ ଭାବରେ ପ୍ରଥମେ ମାନବର ଅନ୍ତଃକରଣରେ ଜାତହୋଇ ମାନବସମାଜରେ ପ୍ରବେଶ ଲାଭ କରିଛି, ଏହା ହିଁ ବୈଦିକ ଭାରତର ମତ । ୟୁରୋପରେ ସ୍ମିଟ୍‌ (W. Schmidt) ପ୍ରଭୃତି ପଣ୍ଡିତମାନେ ଏହି ମତର ସମର୍ଥକ ।

 

ଉଲ୍ଲିଖିତ ମତଟି ଅତି ସହଜ ବୋଧ ହୁଏ, କାରଣ, ଈଶ୍ୱରଙ୍କୁ ଯଦି ମାନବୀୟ ଯାବତୀୟ ବ୍ୟାପାରର ସ୍ରଷ୍ଟା ବୋଲି ଧରାଯାଏ, ତାହା ହେଲେ ଭାଷାର ଉତ୍ପତ୍ତିରୂପ ଜଟିଳ ସମସ୍ୟାର ସମାଧାନ ପାଇଁ ଆଲୋଚନା, ବିଶ୍ଳେଷଣ ବା ପରୀକ୍ଷାର ଆବଶ୍ୟକତା ନାହିଁ । ସୃଷ୍ଟିବାଦୀମାନେ ଜଗତର ପ୍ରତ୍ୟେକ ବିଭାଗକୁ ଏହି ଐଶ୍ୱରିକ ବିଧାନର ଅବଲମ୍ବନରେ ଅତି ସହଜରେ ବ୍ୟାଖ୍ୟା କରିପାରନ୍ତି । ଖ୍ରୀଷ୍ଟୀୟ ଧର୍ମଶାସ୍ତ୍ରରେ ଲେଖାଅଛି–‘ଈଶ୍ୱର କହିଲେ ଆଲୋକ ହେଉ, ଏବଂ ଆଲୋକ ପ୍ରତିଭାତ ହେଲା ।’ ସେହିପରି ଭାରତୀୟ ଧର୍ମଶାସ୍ତ୍ରରେ ବ୍ରହ୍ମ କହିଲେ–‘ଏକୋଽହଂ, ବ୍ରହ୍ମସ୍ୟାମ୍‌’’ ଏବଂ ଫଳରେ ବ୍ରହ୍ମମୟ ଜଗତର ସୃଷ୍ଟି ହୋଇଗଲା । ସେହିପରି ଈଶ୍ୱର ମାନବୀୟ ଯାବତୀୟ ବ୍ୟାପାରକୁ, ତେଣୁ ମାନବର ଭାଷାକୁ, ଏକ ଅଲୌକିକ ତଥା ଅନିର୍ବଚନୀୟ ବିଧାନରେ ସୃଷ୍ଟିକରି ତାହାର ହୃଦୟ-ରାଜ୍ୟରେ ଅବତୀର୍ଣ୍ଣ କରାଇଅଛନ୍ତି । ଏହା ଯଦି ସତ୍ୟ, ତାହାହେଲେ ସର୍ବତ୍ର ଓ ସର୍ବଦା ଏକ ଭାଷା ପରିଦୃଷ୍ଟ ହେଉଥାନ୍ତା । ଅବଶ୍ୟ ଏହି ମତବାଦୀମାନେ କହିପାରନ୍ତି, ଭାଷା ସର୍ବାଦୌ ଆଦିମାନବର ହୃଦୟରେ ଏକ ବିଶିଷ୍ଟ ଆକାରରେ ଉତ୍ପତ୍ତି ଲାଭକରି ଦେଶ-କାଳ-ପାତ୍ରଭେଦରେ ବିଭିନ୍ନ ରୂପ ଧାରଣ କରିଅଛି । ଏହା ଆପାତତଃ ସମୀଚୀନ ବୋଧ ହୁଏ । ମାତ୍ର ତଳେଇ ଦେଖିଲେ ଏହା ଗ୍ରହଣୀୟ ବୋଲି ବୋଧହୁଏ ନାହିଁ । କାରଣ, ଯଦି ଭାଷା ଈଶ୍ୱରଦତ୍ତ, ତାହାହେଲେ ମାନବର ପରବର୍ତ୍ତି ବଂଶଧରଙ୍କଠାରେ ଏହାର ପ୍ରଭାବ ବରାବର ଦେଖାଯାନ୍ତା ଏବଂ ବିଭିନ୍ନ ପ୍ରକାରର ଭାଷାମାନଙ୍କର ସୌସାଦୃଶ୍ୟ ପରିଲକ୍ଷିତ ହେଉଥାନ୍ତା । ମାତ୍ର କିଏ କହିବ ଯେ ପୃଥିବୀର ବିଭିନ୍ନ ଜାତିର ଭାଷାଗୁଡ଼ିକ ଏକ ଆଦିଭାଷାର ବିବର୍ତ୍ତନ ? ଭାରତ ତଥା ଇଉରୋପର ପ୍ରଚଳିତ ଆର୍ଯ୍ୟଭାଷାଗୁଡ଼ିକରେ ଅବଶ୍ୟ ମୂଳଧାତୁ (roots) ଘେନି କେତେକ ସାମ୍ୟ ପରିଦୃଷ୍ଟ ହୁଏ । ମାତ୍ର ଏହାଛଡ଼ା ପୃଥିବୀର ଅନୁନ୍ନତ ଜାତିମାନଙ୍କର ଓ ଅନେକ ସଭ୍ୟ ଜାତିଙ୍କର ଭାଷା (କଥିତ ହେଉ ବା ଲିଖିତ ହେଉ) ଏହି ଆର୍ଯ୍ୟଭାଷାମାନଙ୍କଠାରୁ ସ୍ୱତନ୍ତ୍ର ପ୍ରତୀୟମାନ ହୁଏ । ତେବେ କଣ କହିବାକୁ ହେବ ଯେ, ଭିନ୍ନ ଭିନ୍ନ ସ୍ଥାନରେ ଓ ଭିନ୍ନ ଭିନ୍ନ ଜାତିରେ ଈଶ୍ୱର ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଭାଷା ଜନ୍ମାଇଲେ ? ଅବଶ୍ୟ ଆମ୍ଭେମାନେ କହୁ ନାହୁଁ ଯେ, ‘ବାକ୍‌ଶକ୍ତି’ ଈଶ୍ୱରଦତ୍ତ ନୁହେଁ, ମାତ୍ର ‘ବାକ୍‌ଶକ୍ତି’ ‘ବାକ୍‌’ ନୁହେଁ । ମାନବ ଈଶ୍ୱର-ସୃଷ୍ଟ ହେଉ ବା ପ୍ରକୃତିର ସନ୍ତାନ ହେଉ, ଅନ୍ୟାନ୍ୟ ଶକ୍ତିପରି ତାହାଠାରେ ଏହି ବାକ୍‌ଶକ୍ତି ନିହିତ ଅଛି ବୋଲି କହିବାକୁ ହେବ । ମାତ୍ର ଏଥିରୁ କଣ ପ୍ରମାଣିତ ହେଲା ଯେ, ଈଶ୍ୱର ଭାଷା ବା ବାକ୍‌କୁ ମାନବର ହୃଦୟରେ ପୁରାଇ ଦେଇଥିଲେ । ଗ୍ରୀସ୍‌ର ଲୋଗସ୍‌ ବା ଭାରତର ବାକ୍‌କୁ ତେଣୁ ବାକ୍‌ ବା ଭାଷା ଅର୍ଥରେ ନ ବୁଝି କେବଳ ବାକ୍‌ଶକ୍ତି’ ଅର୍ଥରେ ବୁଝିଲେ କୌଣସି ଅସୁବିଧା ହେବ ନାହିଁ । ବୋଧହୁଏ ଏହି ବ୍ରାହ୍ମୀଶକ୍ତିକୁ ଲକ୍ଷ୍ୟକରି ପ୍ରାଚୀନ ଭାରତର ଧର୍ମଶାସ୍ତ୍ର ‘ବାଗ୍‌ଦେବୀ’ର କଳ୍ପନା କରିଥିଲା । ସୁତରାଂ ଏହି ମତଟି ଭାଷାର ଉତ୍ପତ୍ତି ସମ୍ବନ୍ଧରେ ଯଥାର୍ଥ ବ୍ୟାଖ୍ୟା ଉପସ୍ଥାପିତ କଲାପରି ବୋଧ ହେଉନାହିଁ । ଏହାଛଡ଼ା ପରା, ପଶ୍ୟନ୍ତୀ ପ୍ରଭୃତି ବାକ୍‌ର ଯେଉଁ ଚତୁର୍ବିଧ ଆକାର କଥିତ ହୋଇଅଛି, ସେଗୁଡ଼ିକ ଏହି ‘ବାକ୍‌ଶକ୍ତି’ର କ୍ରମିକ ବିକାଶରେ ଭିନ୍ନ ଭିନ୍ନ ଅବସ୍ଥାମାତ୍ର । ମୂଳତଃ ଦେଖିବାକୁ ଗଲେ, ବାକ୍‌ ବା ବାକ୍‌ଶକ୍ତି ସେହି ନିତ୍ୟଚୈତନ୍ୟରୁ ଉଦ୍ଭୂତ ଶବ୍ଦବ୍ରହ୍ମର ପ୍ରକାଶମାତ୍ର ।

 

ଆଉ କେତେକ ପଣ୍ଡିତ କହନ୍ତି, ଶବ୍ଦ ଓ ଅର୍ଥ ମଧ୍ୟରେ ଏକ ପ୍ରାକୃତିକ ବା ନୈସର୍ଗିକ ସମ୍ବନ୍ଧ ଥିବା ହେତୁରୁ କେବଳ ପ୍ରାକୃତିକ ନିୟମରେ ଭାଷାର ଉତ୍ପତ୍ତି ଘଟିଅଛି । ଏମାନଙ୍କ ମତରେ ଭାବ ସଙ୍ଗେ ସଙ୍ଗେ ଭାଷା ଜଡ଼ିତ ରହି ଆବାହମାନକାଳରୁ ଉତ୍ପତ୍ତି ଲାଭ କରିଅଛି । ଭାବ ନ ଥାଇ ଭାଷା ନାହିଁ, କି ଭାଷା ନ ଥାଇ ଭାବ ନାହିଁ । ଏହି ମତର ସମର୍ଥକଭାବରେ କେତେକ କହିବାକୁ ଯାଇଅଛନ୍ତି, ଭାବ ମାତ୍ରକେ ଅନ୍ତର-ଭାଷା (Thought is inner speech) । ସୁତଭାଂ ଭାବ ଓ ଭାଷାର ସ୍ୱାତନ୍ତ୍ର୍ୟ ଏମାନେ ଆଦୌ ସ୍ୱୀକାର କରନ୍ତି ନାହିଁ । ହମବୋଲ୍‌ଟ ବା ଷ୍ଟାଇନଥାଇଲ ପ୍ରଭୃତି ଊନବିଂଶ ଶତାବ୍ଦୀର ଭାଷାତତ୍ତ୍ୱବିତ୍‌ମାନେ ଏହି ମତଟି ଅବଲମ୍ବନ କରିଥିବାର ଦେଖାଯାଏ । ପ୍ରଧାନ ଭାଷାତତ୍ତ୍ୱବିତ୍‌ ପଣ୍ଡିତ ମ୍ୟାକ୍‌ସମୁଲାର ଗ୍ରୀସର ‘ଲୋଗସ୍‌’ର ସୂଚିତ ଭାଷା ଓ ଭାବର ମାହାତ୍ମ୍ୟକୁ ଆଶ୍ରୟ କରି ଏହି ମତର ସମର୍ଥକ ହୋଇଅଛନ୍ତି ।

 

ଏହି ମତଟି ଭାଷାର ଉତ୍ପତ୍ତିକୁ ପ୍ରାକୃତିକ ନିୟମର ଅଧୀନ କରିଅଛି । ମାତ୍ର ଏହା ବହୁପାରିମାଣରେ ଭାଷାର ଉତ୍ପତ୍ତି ବ୍ୟାଖ୍ୟା କରିପାରିଥିଲେ ହେଁ ସମ୍ପୂର୍ଣ୍ଣ ଦୋଷମୁକ୍ତ ନୁହେଁ । କାରଣ ଭାଷା ଓ ଭାବର ଏହି ସ୍ୱାଭାବିକ ସମ୍ବନ୍ଧ ସବୁ ଅବସ୍ଥାରେ ଦେଖିବାକୁ ମିଳେନାହିଁ । ମାନବର କଳ୍ପନା ଓ ଉଚ୍ଚତ୍ତମ ଚିନ୍ତା, ସବୁ ସମୟରେ ଭାଷାଶ୍ରୟୀ ହେବା ପରିବର୍ତ୍ତେ ବରଂ ଭାଷାକୁ ଅତିକ୍ରମ କରି ଗତି କରିଥାଏ । ଉଦାହରଣ ସ୍ୱରୂପ, ବ୍ରହ୍ମବିଷୟକ ଚିନ୍ତାରେ ଉପନିଷଦ୍‌କାର କହିଅଛନ୍ତି–‘ନତତ୍ର ଚକ୍ଷୁର୍ଗଚ୍ଛତି ନ ବାଗ୍‌ଗଚ୍ଛତି, ନୋ ମନୋ ନବିଦ୍ମୋ ନ ବିଜାନୀମୋ କଥୈତତ୍‌’ । ଏଥିରୁ ସ୍ପଷ୍ଟ ଅନୁମିତ ହେବ, ମାନବର କଳ୍ପନା ବା ଚିନ୍ତା ବ୍ରହ୍ମକୁ ବୁଝୁଚି, ମାତ୍ର ଭାଷାର ଅତୀତ ସେ ଚିନ୍ତା । ସେଥିପାଇଁ ସିନା ଲୋକେ ଅନେକ ସମୟରେ କହିଥାନ୍ତି, ‘ଅମୁକ ବିଷୟଟି ବଚନାତୀତ ।’ ଏପରି ସ୍ଥଳେ କିପରି କୁହାଯାଇପାରେ ଯେ ଭାଷା ଓ ଭାବ ଯୁଗପତ୍‌ ଉତ୍‌ଥିତ ହୋଇପାରେ ? ଅବଶ୍ୟ କେତେକ ଚିନ୍ତାକୁ ନୀରବଭାଷା ବା ଅନ୍ତର-ଭାଷା ବୋଲି କହିଥାନ୍ତି । ଅନ୍ତର୍ଦର୍ଶନରେ (In Introspection) ମାନବ ମନ ମଧ୍ୟରେ ଚିନ୍ତା କରୁଥିବା ସମୟରେ ନିଜେ ନିଜକୁ କହୁଥିଲା ପରି ବୋଧହୁଏ । କିନ୍ତୁ ନିମ୍ନଲିଖିତ କେତୋଟି ବିଷୟରୁ ଏହାର ଅଯଥାର୍ଥତା ଅନୁମିତ ହେବ–

 

ଉଚ୍ଚ ଚିନ୍ତାବେଳେ ଭାଷା ଅନେକ ସ୍ଥଳରେ ଅନ୍ତରାୟ ହୋଇଥାଏ । ଗାଣିତିକ, ଭାଷାବିନ୍ୟାସର ନିୟମ ଅନୁଯାୟୀ ଚିନ୍ତା ନ କରି, କେତେ ପ୍ରତୀକର ଆଶ୍ରୟ ନେଇଥାଏ । ଏହି ପ୍ରତୀକଗୁଡ଼ିକ ବସ୍ତୁମାନଙ୍କର ପ୍ରତୀକ, ଚିନ୍ତାର ପ୍ରତୀକ ନୁହନ୍ତି । ଚିନ୍ତା ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ ଉପରେ ଯେତେ ନିର୍ଭର କରେ, ଭାଷା ଉପରେ ସେତେ ନିର୍ଭର କରେ ନାହିଁ । ଚିନ୍ତା ଅତିଶୟ ଗଭୀର ଓ ତୀବ୍ର ହେଲେ ଭାଷା ଉପରେ ନିର୍ଭର କରି ନ ଥାଏ, ବରଂ ଭାଷା ଉକ୍ତ ସମୟରେ ଭଗ୍ନପ୍ରାୟ ହୋଇପଡ଼େ । ପୁଣି ଦେଖାଯାଏ ଉଚ୍ଚସ୍ୱରରେ ପଢ଼ିଲାବେଳେ ଚିନ୍ତା ଓ ଭାଷାର ସହଗାମିତ୍ୱ ରହିପାରେ ନାହିଁ । କାରଣ, ବେଳେବେଳେ ଶବ୍ଦଜ୍ଞାନ ଆସିବାପୂର୍ବରୁ ବିଷୟ ବୋଧ ହୋଇଯାଏ । ଚିନ୍ତା ଅନେକ ସମୟରେ ବାଗିନ୍ଦ୍ରିୟର ଚାଳନା ପର୍ଯ୍ୟନ୍ତ ଅପେକ୍ଷା ନ ରଖି ଅଗ୍ରସର ହୋଇଥାଏ । ଆମ୍ଭେମାନେ ଯେ ସମୟ ସମୟରେ ଏକ ବିଷୟ ଚିନ୍ତା କରୁଁ, ମାତ୍ର ଅନ୍ୟ ଗୋଟିଏ କଥା କହିଥାଉଁ, ଏହା ଏହାର ପ୍ରମାଣ । ପୁଣି ଅନେକ ସମୟରେ ଏକ କଥାକୁ ବାରମ୍ବାର ଉଚ୍ଚାରଣ କଲେ ହେଁ, ତାହାର ଅନୁରୂପ ଚିନ୍ତା ମନରେ ଉଦିତ ହୋଇପାରେ ନାହିଁ । ଏସବୁ ବିଷୟ ପ୍ରତି ଦୃଷ୍ଟି ଦେଲେ ଜଣାଯିବ, ଭାବ ଓ ଭାଷା, ଏ ଦୁହିଁଙ୍କ ମଧ୍ୟରେ କୌଣସି ଅବିଚ୍ଛେଦ୍ୟ ପ୍ରାକୃତିକ ସମ୍ବନ୍ଧ ନାହିଁ-। ଭାଷା ଓ ଭାବ ଯେ ପରସ୍ପର ଘନିଷ୍ଠଭାବରେ ସଂବଦ୍ଧ, ଏହା ସତ୍ୟ, ମାତ୍ର ଏଥିରୁ ବୁଝିବାକୁ ହେବ ନାହିଁ ଯେ, ଭାଷା ପ୍ରାକୃତିକ ବିଧିରେ ଭାବର ସହଗାମୀ ବା ଭାବ ହିଁ କେବଳ ଆନ୍ତର ବା ନୀରବ ଭାଷା । ମାନବର ବ୍ୟାବହାରିକ କ୍ଷେତ୍ରରେ ଭାଷା ଭାବର ପ୍ରକାଶ ଓ ଆଦାନପ୍ରଦାନର ଅତ୍ୟାବଶ୍ୟକ ବାହନ ।

ପୁଣି କେତେକଙ୍କ ମତରେ ଭାଷା ଏକ ମାନବୀୟ ସୃଷ୍ଟି । ମାନବ-ସମାଜରେ ବ୍ୟକ୍ତିମାନଙ୍କ ମଧ୍ୟରେ ଚିନ୍ତା, ଅନୁଭୂତି ପ୍ରଭୃତି ମାନସିକ ଅବସ୍ଥାରେ ଆଦାନପ୍ରଦାନ ଓ ବ୍ୟାବହାରିକ ଜୀବନର ସୁଚାରୁ ପରିଚାଳନା ନିମିତ୍ତ ଏକ ଉପାୟ ବା କୌଶଳ ରୂପରେ ଭାଷାର ସୃଷ୍ଟି ଘଟିଅଛି । ପ୍ରତ୍ୟେକ ଜାତି ତାହାର ମାନସିକ, ରାଜନୈତିକ, ସାମାଜିକ ତଥା ଭୌଗଳିକ ପରିସ୍ଥିତି ଓ ଅନ୍ୟାନ୍ୟ ପ୍ରାକୃତିକ ପରିବେଷ୍ଟନୀର ସମ୍ମୁଖୀନ ହୋଇ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ କାର୍ଯ୍ୟନିର୍ବାହ ନିମିତ୍ତ ଭାବବିନିମୟ କରିବା ଉଦ୍ଦେଶ୍ୟରେ କେତେଗୁଡ଼ିଏ ଶବ୍ଦସଂକେତ ଉଦ୍‌ଭାବନ କରିବାକୁ ଲାଗିଲେ ଏବଂ ଏଗୁଡ଼ିକ ସର୍ବସମ୍ମତିକ୍ରମେ ଲିଖିତ ବା କଥିତଭାବରେ ବ୍ୟବହାର କରି ଏକ ଏ ଭାଷା ସୃଷ୍ଟି କରିଅଛନ୍ତି । ବସ୍ତୁବିଶେଷ କାହିଁକି ଏକ ବିଶିଷ୍ଟ ନାମରେ ନାମିତ ହେବ, ଏହାର କୌଣସି ଆବଶ୍ୟକ କାରଣ ନାହିଁ । କେବଳ ବ୍ୟାବହାରିକ ସୁବିଧା ଦୃଷ୍ଟିରେ ଭାଷାର ସୃଷ୍ଟି-ଭାଷା ସର୍ବବାଦିସମ୍ମତ ଏକ ଉପାୟ ମାତ୍ର । ଏହି ବ୍ୟାବହାରିକ ବିଧିରେ ଭାଷା ମାନବସମାଜର ଏକ ବିଚିତ୍ର ସୃଷ୍ଟି । ଏହାର ମୂଳରେ କୌଣସି ଦୈବୀଶକ୍ତିର ହାତ ନ ଥିଲା, କି ଭାବ ସହିତ ଭାଷାର କୌଣସି ପ୍ରାକୃତିକ ସମ୍ପର୍କ ନ ଥିଲା । ପାଶ୍ଚାତ୍ୟଖଣ୍ଡରେ ମ୍ୟାଡ଼୍‌ଭିଗ୍‌, ହ୍ୱିଟ୍‌ନୀ ଓ ମାର୍ଟି ପ୍ରଭୃତି ଭାଷାବିଦ୍‌ମାନେ ଏହି ମତର ପୃଷ୍ଠପୋଷକ । ଭାରତର ମନୀଷିମାନଙ୍କ ମଧ୍ୟରୁ କେତେକ ଏହି ମତଟି ପ୍ରକାଶ କରିଥିବାର ଦେଖାଯାଏ । ଉଦାହରଣ ସ୍ୱରୂପ, ଋଗ୍‌ବେଦରେ ଲିଖିତ ଅଛି, ‘ବ୍ରାହ୍ମଣାଃ ସୋମିନୋ ବାଚମବ୍ରୁତ’–ଅର୍ଥାତ୍‌, ସୋମପା ବ୍ରାହ୍ମଣମାନେ ବାକ୍‌ ସୃଷ୍ଟି କରିଥିଲେ । ସେହିପରି ନ୍ୟାୟ ଓ ବୈଶେଷିକ ଦର୍ଶନ ମତରେ ଭାଷା ମାନବୀୟ ସୃଷ୍ଟି (‘‘ଅନିତ୍ୟଶ୍ଚାୟଂ କାରଣତଃ–ବୈଶେଷିକ, ଆଦିମତ୍ତ୍ୱାଦୈନ୍ଦ୍ରିକତ୍ୱାତ୍‌ କୃତକବଦୁପରାତ୍‌’’–ନ୍ୟାୟ) ।

ଉପରୋକ୍ତ ମତଟି ଯଥାର୍ଥ ବୋଲି ମନେହୁଏ । ମାନବର ସୃଷ୍ଟିକାରୀ ଶକ୍ତି ତାହାର ବ୍ୟାବହାରିକ ଜୀବନର ସୁପରିଚାଳନା ନିମିତ୍ତ ତଥା ଭାବୀ ବଂଶଧରମାନଙ୍କର ସକଳ ଦିଗରେ ବିକାଶ ନିମିତ୍ତ ଭାଷାର ଉଦ୍ଭାବନ କରିଅଛି । ଏହି ମତ ଅନୁସାରେ ଭାଷାର ବିଭିନ୍ନତା ସମ୍ୟକ୍‌ ବ୍ୟାଖ୍ୟାତ ହୋଇପାରେ । ମାନବର ବାକ୍‌ଶକ୍ତି ନ ଥିଲେ ଭାଷାର ସୃଷ୍ଟି ହୋଇପାରନ୍ତା ନାହିଁ । ସୁତରାଂ ଏହି ବାକ୍‌ଶକ୍ତି ବଳରେ ମାନବ ପରିସ୍ଥିତି ଓ ଆବଶ୍ୟକତାର ପ୍ରତି ଦୃଷ୍ଟିରଖି ମାନସିକ ଅବସ୍ଥା ବା ପ୍ରକ୍ରିୟାଗୁଡ଼ିକର ପ୍ରକାଶନ ଓ ଆଦାନ-ପ୍ରଦାନର ପନ୍ଥା ଭାଷା ସୃଷ୍ଟି କରି ଇତର ପ୍ରାଣୀମାନଙ୍କ ଉପରେ ନିଜର ସ୍ୱତନ୍ତ୍ର ଆସ୍ଥାନ ଜମାଇ ବସିଅଛି । ସୁତରାଂ ଏହି ମତଟି ଅନ୍ୟାନ୍ୟ ମତମାନଙ୍କ ଅପେକ୍ଷା ଉତ୍କୃଷ୍ଟତର ବୋଧ ହୁଏ । ଭାଷା ଈଶ୍ୱରସୃଷ୍ଟ ନୁହେଁ । ବାକ୍‌-ଶକ୍ତି, ଭାଷା ଗଢ଼ିବାର ଶକ୍ତି, ମାନବଠାରେ ବିଦ୍ୟମାନ ଏବଂ ଏହି ଅନ୍ତର୍ନିହିତ ଶକ୍ତିକୁ ଲଗାଇ ବହିର୍ଜଗତ୍‌ ସଙ୍ଗେ ନିଜକୁ ସମାଯୋଜିତ କରିବା ଉଦ୍ଦେଶ୍ୟରେ ନିଜର ବ୍ୟାବହାରିକ ଜୀବନ ପ୍ରକ୍ରିୟା ସମାଧାନ କରିବା ନିମିତ୍ତ ସେ ଏହି ବିଚିତ୍ର ଉପାୟ ଭାଷାର ଉଦ୍ଭାବକ ଓ ସଂକାଶକ ହୋଇଅଛି । ଭାଷା ସେଥିପାଇଁ କେତେକ ଅନିୟନ୍ତ୍ରିତ ପରିସ୍ଥିତିର କାର୍ଯ୍ୟ ନୁହେଁ, କି କେବଳ ଈଶ୍ୱରଦତ୍ତ ଶକ୍ତିର କାର୍ଯ୍ୟ ନୁହେଁ–ଉଭୟର ସଂଘର୍ଷ ଓ ସହଯୋଗର ଫଳ ।

ଏହାଛଡ଼ା ମ୍ୟାକ୍‌ସମୁଲର ଭାଷାର ଉତ୍ପତ୍ତି ସମ୍ବନ୍ଧରେ ତିନୋଟି ମତର ଉଲ୍ଲେଖ କରିଅଛନ୍ତି । ସେ ତିନୋଟିର ନାମ ହେଉଛି–(୧)ଧ୍ୱନ୍ୟନୁକରଣ ବାଦ (The Bow-Wow of Onomatopoeic theory), (୨) ପ୍ରକ୍ଷେପବାଦ (The pooh pooh theory), ଏବଂ (୩) କର୍ମଧ୍ୱନିବାଦ (The yo-he-ho theory) । ପ୍ରଥମ ମତରେ ଭାଷା ପ୍ରାକୃତିକ ବସ୍ତୁ ଓ ପ୍ରାଣୀମାନଙ୍କର ବିଶିଷ୍ଟ ବିଶିଷ୍ଟ ଧରଣର ଧ୍ୱନିର ଅନୁକରଣରୁ ଉତ୍ପନ୍ନ ହୋଇଅଛି । ମାନବ ତାହାର ସ୍ୱଭାବଗତ ଅନୁକରଣପ୍ରିୟତାରେ ଚାଳିତ ହୋଇ ଅନ୍ୟାନ୍ୟ ପଦାର୍ଥ ଓ ଅନ୍ୟାନ୍ୟ ପ୍ରାଣୀଙ୍କର ଧ୍ୱନି ବା ଚିତ୍କାରଗୁଡ଼ିକ ଅନୁକରଣ କରିବାକୁ ଲାଗିପଡ଼ିଲା । ଉଦାହରଣ ସ୍ୱରୂପ ପତ୍ରର ମର୍ମର, ମେଘର ମନ୍ଦ୍ର, ବାୟୁର ସୁ ସୁ ଧ୍ୱନି, କୋକିଳର କୁହୁକୁହୁ ତାନ, ନଦୀର କୁଳୁକୁଳୁ ନାଦ, ଶ୍ୱାନର ଭାଉଭାଉ ରଡ଼ି ପ୍ରଭୃତି ଅନୁକରଣ କରିବା ଫଳରେ ପ୍ରଥମେ କେତେଗୁଡ଼ିଏ ଶବ୍ଦର ସୃଷ୍ଟି ହେଲା ଓ କ୍ରମେ ସମାଜସ୍ଥ ବ୍ୟକ୍ତିମାନଙ୍କର ହର୍ଷ ବିଷାଦ ପ୍ରଭୃତି ଅବସ୍ଥାଗୁଡ଼ିକର ବହିଃପ୍ରକାଶ ନିମିତ୍ତ ବାଟ ଫିଟିଗଲା । ଜର୍ମାନ୍‌ ପଣ୍ଡିତ ଲାଜାରସ ବୈଗେର ଏହି ମତର ପ୍ରବର୍ତ୍ତକ । ଦ୍ୱିତୀୟ ମତରେ ଶାରୀରିକ ଯନ୍ତ୍ରଣା ଓ ସୁଖ ଦୁଃଖ ପ୍ରଭୃତି ଭାବର ଉଚ୍ଛ୍ୱାସ ବା ତୀବ୍ରତାବଶତଃ ମାନବର ଯେଉଁସବୁ ସ୍ୱାଭାବିକ ଚିତ୍କାର ବା ଭାବୋଦ୍‌ଗାର ଘଟେ, ସେଥିରୁ ହିଁ ଭାଷାର ଉତ୍ପତ୍ତି ଘଟିଅଛି । ଭାଷା ମାନବର ଜନ୍ମଗତ ଅଧିକାର ନ ଥିଲା । ଜନ୍ମଗ୍ରହଣ କରି ପରିବେଷ୍ଟନୀର ସଂଘର୍ଷରେ ଆସିଲାମାତ୍ରକେ ତାହାର ମନରେ ବିଭିନ୍ନ ଅନୁକୂଳ ଓ ପ୍ରତିକୂଳ ପ୍ରତିକ୍ରିୟା ଘଟିବାରେ ଲାଗିଲା । ସ୍ୱଭାବତଃ ଆତ୍ମରକ୍ଷଣଶୀଳ ମାନବ ତାହାର ମାନସିକ ଏହି ପ୍ରତିକ୍ରିୟାଗୁଡ଼ିକୁ, ଏହି ଭାବ ଓ ଅନୁଭୂତିଗୁଡ଼ିକୁ, ସହ୍ୟ କରି ନ ପାରି, ସେଗୁଡ଼ିକର ଦୂରୀକରଣ ବା ଲାଘବ ନିମିତ୍ତ ନାନାଭାବରେ ଚିତ୍କାର କରିଥାଏ । ତାହାର ଏହି ଆଦି ଚିତ୍କାରଗୁଡ଼ିକରୁ ହିଁ ଭାଷାର ଜନ୍ମ ଘଟିଅଛି ବୋଲି ଏହି ମତବାଦୀମାନେ ଭାବନ୍ତି । ତୃତୀୟ ମତଟି, ବିଭିନ୍ନ କର୍ମକ୍ଷେତ୍ରରେ ନିଯୁକ୍ତ କର୍ମୀମାନଙ୍କର ପରସ୍ପର ଆହ୍ୱାନ ବା ଅନୁଜ୍ଞା ପ୍ରଭୃତିରୁ ଅବଲମ୍ବିତ ହୋଇଅଛି । ଏହାର ମର୍ମ ଏହି ଯେ, ଯେତେବେଳେ କେତେଗୁଡ଼ିଏ ଲୋକ କୌଣସି କର୍ମ-କ୍ଷେତ୍ରରେ କାର୍ଯ୍ୟ ସମାଧାନ ନିମିତ୍ତ ଆପଣା ମଧ୍ୟରେ ଡକାଡ଼କି ଓ କଥାଭାଷା ହୁଅନ୍ତି, ସେତେବେଳେ ସେମାନେ କେତେଗୁଡ଼ିଏ ଅନୁଜ୍ଞାସୂଚକ ବା ଆହ୍ୱାନବ୍ୟଞ୍ଜକ ଧ୍ୱନି କରିଥାନ୍ତି । ଏହି ଧ୍ୱନିଗୁଡ଼ିକ ଗୋଟିଏ ଗୋଟିଏ ମୂଳଶବ୍ଦର ଆକାରରେ ବାହାରିପଡ଼େ । ଏହିଗୁଡ଼ିକରୁ ହିଁ ଭାଷାର ଉତ୍ପତ୍ତି ଘଟିଅଛି । ନାବିକମାନଙ୍କର ନୌଚାଳନ ସମୟରେ ‘‘ହେଇ, ଉଠାଅ-ଧର, ଧର’’ ପ୍ରଭୃତି ଧ୍ୱନିଗୁଡ଼ିକ ପ୍ରତି ଦୃଷ୍ଟି ଦେଲେ ଏହି ମତଟି ବୁଝାଯିବ ।

ଏହି ମତମାନଙ୍କ ମଧ୍ୟରେ କୌଣସିଟି ସନ୍ତୋଷଜନକ ବୋଧହୁଏ ନାହିଁ । ପ୍ରତ୍ୟେକରେ କିଛି ସତ୍ୟ ନିହିତ ଅଛି; ମାତ୍ର କୌଣସିଟି ପୂର୍ଣ୍ଣ ସତ୍ୟ ହୋଇ ନାହିଁ । ଏହା ସତ୍ୟ ଯେ, ମାନବର ସ୍ୱାଭାବିକ ଅନୁକରଣ ପ୍ରବୃତ୍ତିବଳରେ ସେ ବହିର୍ଜଗତର ପଦାର୍ଥମାନଙ୍କରୁ ଉତ୍ପନ୍ନ କେତେକ ଧ୍ୱନି ବା ଶବ୍ଦର ଅନୁକରଣ କରିଥାଏ, ଏବଂ ଏହି ଶବ୍ଦଗୁଡ଼ିକ ତାହାର ଭାଷାର ଅଙ୍ଗୀଭୂତ ହୋଇଥାଏ । ମାତ୍ର ଏମାନଙ୍କର ସଂଖ୍ୟା ଏତେ ଅଳ୍ପ ଯେ, ଭାଷାର ଶବ୍ଦସମ୍ଭାରରେ ଏଗୁଡ଼ିକ ନଗଣ୍ୟ ଉପାଦାନ ପରି ବୋଧ ହୁଏ । କୌଣସି ଭାଷା ଏହି କେତୋଟି ଶବ୍ଦରେ ଗଠିତ ନୁହେ, ତେଣୁ ପ୍ରଥମ ମତଟି ସଂପୂର୍ଣ୍ଣ ସତ୍ୟ ନୁହେ । ସେହିପରି ମାନସିକ ଉଦ୍‌ବେଗ ବା ପ୍ରକ୍ଷେପାବସ୍ଥାରେ ମାନବ ଯେଉଁ ଚିତ୍କାର ବା ଧ୍ୱନି କରିଥାଏ, ତାହା ତାହାର ମନୋଭାବ ବ୍ୟକ୍ତ କରିବାର ବ୍ୟାପକ ଉପାୟ ନୁହେଁ । ସୁଖ, ଦୁଃଖ, ଯନ୍ତ୍ରଣା, ଭୟ, ପ୍ରମାଦ ପ୍ରଭୃତି ଅବସ୍ଥା ମନର ସମଗ୍ର ଅବସ୍ଥା ନୁହେଁ । ଦ୍ୱିତୀୟ ମତଟି ପ୍ରଥମ ମତ ପରି କେବଳ ଆଂଶିକ ଭାବରେ ସତ୍ୟ । ତୃତୀୟ ମତଟି ମଧ୍ୟ ପ୍ରଥମ ଦୁଇମତ ପରି ଗ୍ରହଣୀୟ ନୁହେଁ । କର୍ମକ୍ଷେତ୍ରରେ ସମ୍ମିଳିତ ଜନତା ମଧ୍ୟରେ କର୍ମସୂଚକ ଯେଉଁସବୁ ଧ୍ୱନ୍ୟାତ୍ମକ ସଂକେତର ବ୍ୟବହାର ହୁଏ, ସେଥିରୁ ଅବଶ୍ୟ ଭାଷାର ମୂଳ କେତେକ ଉପାଦାନ ମିଳିଥାଏ, ମାତ୍ର ଏହି ଧ୍ୱନି ବା ତଦୁତ୍ପନ୍ନ ଶବ୍ଦ ବା ବାକ୍ୟଛଡ଼ା, ମାନବର ଅନ୍ୟାନ୍ୟ ମାନସିକ ଅବସ୍ଥା ବା ପ୍ରକ୍ରିୟାର ପ୍ରକାଶନ ପାଇଁ ଅନ୍ୟ ଉପାଦାନ ଆବଶ୍ୟକ ।

ଉପରେ ଭାଷାର ଉତ୍ପତ୍ତି ସମ୍ବନ୍ଧରେ ଅବଲମ୍ବିତ କେତୋଟି ପ୍ରଧାନ ପ୍ରଧାନ ମତର ଗୋଟିଏ ସ୍ଥୂଳ ଆଲୋଚନା ଦିଆଗଲା । ପରିଶେଷରେ ବକ୍ତବ୍ୟ ଏହି ଯେ, ଭାଷାର ଉତ୍ପତ୍ତି ସମସ୍ୟା ଗୋଟିଏ ବଡ଼ ଜଟିଳ ସମସ୍ୟା । ଏହାର ବିଶଦ ଆଲୋଚନା ଏହି କ୍ଷୁଦ୍ର ପ୍ରବନ୍ଧରେ ଅସମ୍ଭବ ।

Image

 

Unknown

ଧର୍ମ ଓ ଜୀବନ

 

‘ଧର୍ମ’ ଶବ୍ଦଟି ଆମ ଦେଶରେ ଏକାଧିକ ଅର୍ଥରେ ବ୍ୟବହୃତ ହୋଇଥିବାର ଦେଖାଯାଏ-। ସଂସ୍କୃତ ‘ଧୃ’ ଧାତୁରୁ ଏହାର ବ୍ୟୁତ୍ପତ୍ତି ଘଟିଅଛି । ଧାତୁଟିର ଅର୍ଥ ‘ଧାରଣକରିବା’ ବା ‘ଧରି ରଖିବା’ ସୁତରାଂ ଯାହା ଧାରଣକରେ ବା ଧରିରେଖେ, ତାହା ଧର୍ମ । କିନ୍ତୁ ବ୍ୟାବହାରିକ କ୍ଷେତ୍ରରେ ଶବ୍ଦଟି ବିଭିନ୍ନ ଅର୍ଥରେ ପ୍ରଯୁକ୍ତ ହୋଇଅଛି । କୋଷକାରମାନଙ୍କ ମଧ୍ୟରୁ କେହି ଏହାକୁ ‘ପୁଣ୍ୟ’, ‘ଶ୍ରେୟ’ ବା ‘ସୁକୃତ’ ଅର୍ଥରେ ବ୍ୟବହାର କଲେ, ଅନ୍ୟ କେହି ‘ନ୍ୟାୟ’, ‘ସ୍ୱଭାବ’ ବା ଆଚାର ଅର୍ଥରେ ଗ୍ରହଣ କରିଅଛନ୍ତି । ଉଦାହରଣ ସ୍ୱରୂପ ‘‘ଏକ ଏବ ସୁହୃଦ୍ଧର୍ମୋ ନିଧନେଽପ୍ୟନୁବାତି ଯଃ’’, ଏହି ଶ୍ଲୋକାଂଶଟିରେ ଶବ୍ଦଟି ‘ପୁଣ୍ୟ’, ‘ଶ୍ରୟଃ’ ବା ‘ସୁକୃତ’ ଅର୍ଥରେ ବ୍ୟବହୃତ । ଯେତେବେଳେ ଆମେ କହୁଁ, ‘‘ସମତା ରକ୍ଷାକରିବା ଜଳର ଧର୍ମ’’, ସେତେବେଳେ ଶବ୍ଦଟି ‘ସ୍ୱଭାବ’ (Essential nature) ବା ନିୟମ (Law) ଏହି ଅର୍ଥରେ ବ୍ୟବହୃତ ହୋଇଥାଏ । ସେହିପରି ‘ଧର୍ମାଧିକରଣ’ ଶବ୍ଦରେ ‘ଧର୍ମ’ର ଅର୍ଥ ‘ନ୍ୟାୟ’ ବା ‘ନ୍ୟାୟବିଚାର’ । ଗୀତାର ‘‘ସର୍ବଧର୍ମାନ୍‌ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ’’–ଶ୍ଳୋକଂଶଟିରେ ଶବ୍ଦଟି ‘ଦେବାରାଧନାଦି କର୍ମ’ ବା ‘ପାରଲୌକିକସୁଖସାଦନମାର୍ଗ’ ଅର୍ଥରେ ନିଆଯାଇଥାଏ । ପୁଣି ‘‘ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ’’, ଏହି ଶ୍ଳୋକାଂଶଟିରେ ‘ଧର୍ମ’ର ଶବ୍ଦର ଅର୍ଥ ‘ଚାତୁର୍ବଣ୍ୟବିହିତ କର୍ମ’ । ଏହାଛଡ଼ା ‘ଧର୍ମ’ର ‘ଯମ’, ‘କର୍ତ୍ତବ୍ୟକର୍ମ’, ‘ଚତୁର୍ବର୍ଗାନ୍ତର୍ଗତ ବର୍ଗ ବା ପୁରୁଷାର୍ଥବିଶେଷ’ ପ୍ରଭୃତି ଆହୁରି ଅନେକ ଅର୍ଥ ଦେଖିବାକୁ ମିଳିବ । ଇଂରାଜୀ ଭାଷାର ପ୍ରଚଳନ ଫଳରେ ଭାରତର ‘ଧର୍ମ’ ‘ରିଲିଜିଅନ’ (Religion) ଶବ୍ଦର ଅନୁରୂପ ଏକ ପାରିଭାଷିକ ଶବ୍ଦରୂପେ ଗ୍ରହଣ କରାଯାଇଅଛି-। ଏ ପ୍ରବନ୍ଧରେ ‘ଧର୍ମ’ ଶବ୍ଦଟି ଏହି ଶେଷୋକ୍ତ ଅର୍ଥରେ ପ୍ରଯୁକ୍ତ ହୋଇଅଛି । ଏହି ଅର୍ଥରେ ଆମ୍ଭେମାନେ କହିଥାଉଁ ‘ହିନ୍ଦୁଧର୍ମ’, ‘ଜୈନଧର୍ମ’, ‘ଖ୍ରୀଷ୍ଟଧର୍ମ’ ଇତ୍ୟାଦି । ବର୍ତ୍ତମାନ ଏହି ଅର୍ଥରେ ଧର୍ମ ଓ ଜୀବନ ସହିତ ତାହାର ସମ୍ପର୍କ ସଂକ୍ଷେପରେ ପ୍ରଦର୍ଶନ କରିବାକୁ ଇଚ୍ଛା କରୁଁ ।

 

ଧର୍ମ ମାନବଜୀବନର ଏପରି ଏକ ଜଟିଳ ବ୍ୟାପାର ଯେ, ଏହାର ଏକ ଶେଷସିଦ୍ଧ ସଂଜ୍ଞା ନିରୂପଣ କରିବା କଠିନ । ଅଧ୍ୟାପକ ଲ୍ୟୁବା (Leuba) ଧର୍ମର ଅନ୍ୟୁନ ୪୮ଟି ସଂଜ୍ଞା ଦେବାକୁ ଯାଇଅଛନ୍ତି । ସେ ଯାହାହେଉ, ଏ କ୍ଷୁଦ୍ର ପ୍ରବନ୍ଧରେ ଏହାର ବିଶଦ ଆଲୋଚନା ନ କରି କେବଳ ଧର୍ମର କେତୋଟି ସାଧାରଣ ଲକ୍ଷଣର ପରିଚୟ ଦେବା ଉଚିତ ମନେକରୁଁ ।

 

‘ଧର୍ମ’ କହିଲେ ସାଧାରଣତଃ ବୁଝାଯାଏ, କୌଣସି ଏକ ବା ଅନେକ ଦେବଶକ୍ତିରେ ବିଶ୍ୱାସ, ତଜ୍ଜନିତ ରସାନୁଭୂତି ଓ ତଦନୁରୂପ କର୍ମାନୁଷ୍ଠାନ । ଏହି ବିଭାବତ୍ରୟ ଏକାଧାରରେ ଧର୍ମବ୍ୟାପାରରେ ବିଦ୍ୟମାନ । ଏଥିରେ ଜ୍ଞାନ ବା ସଂବିତ୍‌, ଅନୁଭୂତି ଓ ଇଚ୍ଛା–ମାନବର ଏହି ତିନୋଟିଯାକ ମୌଳିକ ମାନସିକପ୍ରକ୍ରିୟା ସଂଶ୍ଳିଷ୍ଟ । ପ୍ରଥମଟି ହେଉଛି, କୌଣସି ଏକ ବା ତତୋଽଧିକ ଦେବଶକ୍ତିରେ ବିଶ୍ୱାସସ୍ଥାପନ, ଏହା ମାନବର ଜ୍ଞାନ ବା ସଂବିତ୍‌-ପ୍ରକ୍ରିୟା ଉପରେ ନିର୍ଭର କରେ । ମାନବ ସ୍ୱୀୟ ଜ୍ଞାନଶକ୍ତି ବଳରେ ବିଶ୍ୱର ଯାବତୀୟ ପ୍ରକ୍ରିୟା ପ୍ରତି ଦୃଷ୍ଟିଦେଇ ଏପରି କୌଣସି ଏକ ଅନେକ ଅତୀନ୍ଦ୍ରିୟ ଶକ୍ତିର ଅସ୍ତିତ୍ୱ ସ୍ୱୀକାର କରେ, ଯାହାକୁ ବା ଯେଉଁମାନଙ୍କୁ ସେ ବିଶ୍ୱର କାରଣ ତଥା ତାହାର ନିଜର ହର୍ତ୍ତା କର୍ତ୍ତା ଭାଗ୍ୟବିଧାତା ବୋଲି ବିଶ୍ୱାସକରେ । ପୁଣି ଏହି ଶକ୍ତି ବା ଶକ୍ତିମାନଙ୍କରେ ତାହାର ବିଶ୍ୱାସ ଜନ୍ମିଲା ମାତ୍ରକେ ତାହାର ମନରେ ତା ପ୍ରତି ବା ସେମାନଙ୍କ ପ୍ରତି ଭୟ, ଭକ୍ତି, ଶ୍ରଦ୍ଧା, ନିର୍ଭୟଶୀଳତା ପ୍ରଭୃତି ରସମାନଙ୍କର ସଞ୍ଚାର ହୁଏ ଏବଂ ଉକ୍ତ ବିଶ୍ୱାସ ତଥା ରସାନୁଭୂତିଦ୍ୱାରା ପ୍ରଭାବିତ ଓ ପ୍ରେରିତ ହୋଇ ସେହି ଶକ୍ତି ବା ଶକ୍ତିମାନଙ୍କୁ ପ୍ରୀତ କରିବା ନିମିତ୍ତ ଏବଂ ବାଞ୍ଛିତ ଫଳପ୍ରାପ୍ତି ଉଦ୍ଦେଶ୍ୟରେ ସେ ସ୍ତୁତିଗାନ କରି ପୁଷ୍ପ, ଚନ୍ଦନ, ଧୂପ, ଦୀପ, ନୈବେଦ୍ୟ ପ୍ରଭୃତି ପୂଜାସାମଗ୍ରୀ ବାଢ଼ିବସେ । କେବଳ ସେତିକି ନୁହେଁ, ସମାଜରେ ତାହାର ଏହି ପୂଜାବିଧିକୁ ସ୍ଥାୟୀ କରିବା ପାଇଁ ଦେବାଳୟ ବା ତଦ୍ରୂପ ପୂଜାପୀଠମାନ ନିର୍ମାଣ କରିବାକୁ ଲାଗେ ଏହିପରି ତାହାର ମୌଳିକ ମାନସିକ ପ୍ରକ୍ରିୟାତିନୋଟି ଧର୍ମ-ବ୍ୟାପାରରେ ସଂଶ୍ଳିଷ୍ଟ ହୋଇଥାନ୍ତି । କେବଳ ଜ୍ଞାନ କି କେବଳ ରସାନୁଭୂତି କି କେବଳ ପୂଜାକର୍ମ ଧର୍ମର ସ୍ୱରୁପ ସମ୍ପୂର୍ଣ୍ଣରୂପେ ଗଠନ କରିପାରେ ନାହିଁ । ଏହି ବିଭାବତ୍ରୟର ଯୁଗପତ୍‌ ସମାବେଶରେ ହିଁ ଧର୍ମର ଯଥାର୍ଥ ସ୍ୱରୂପ ନିହିତ । ଆହୁରି ଟିକିଏ ବିଶ୍ଳେଷଣ କଲେ ଜଣାଯିବ ଯେ, ଧର୍ମରେ ମାନବର ମନଶ୍ଚକ୍ଷୁର ସମ୍ମୁଖରେ ଏକ ଦିଗରେ ସେବ୍ୟରୂପେ ଦେବଶକ୍ତି ଓ ଅନ୍ୟ ଦିଗରେ ସେବକରୂପେ ସେ ସ୍ୱୟଂ, ଏହିପରି ଏକ ଦ୍ୱୈତଭାବ ସର୍ବଦା ବିଦ୍ୟମାନ ଥାଏ । ଏହି ‘ସେବ୍ୟ-ସେବକ’ ବା ‘ପୂଜ୍ୟ-ପୂଜକ’ ସମ୍ବନ୍ଧର ଭିତ୍ତିରେ ମାନବର ଜୀବନକ୍ଷେତ୍ରରେ ଧର୍ମ ଦଣ୍ଡାୟମାନ । ଏହି ସମ୍ବନ୍ଧ ସମୟ ସମୟରେ ପ୍ରତିମା ପ୍ରଭୃତି ପ୍ରତୀକମାନଙ୍କର ପୂଜାରୂପରେ ପ୍ରକାଶମାନ ହେଲେହେଁ, ତାହା ଅତୀନ୍ଦ୍ରିୟ ଶକ୍ତି ବା ଶକ୍ତିମାନଙ୍କର ଧ୍ୟାନଧାରଣା ଉପରେ ପ୍ରତିଷ୍ଠିତ ହୋଇଥାଏ । ପୁଣି ଏଥିରେ କେବଳ ଜ୍ଞାନଶକ୍ତି (Cognition) ବା କେବଳ ରସାନୁଭବଶକ୍ତି (Emotion) ବା କେବଳ କର୍ମଶକ୍ତି (Volition)ର ଚାଳନ ଦେଖାଯାଏ ନାହିଁ–ଏହି ତ୍ରିଶକ୍ତିର ଯୁଗପତ୍‌ ଚାଳନା ହୋଇଥାଏ–ଏପରି କି ମାନବର ସମଗ୍ର ଜୀବନ, ସମଗ୍ର ବ୍ୟକ୍ତିତ୍ୱ, ଏହାର ଅଧୀନ ହୋଇପଡ଼େ–ଦେବଶକ୍ତିରେ ଚୈତନ୍ୟ ଆରୋପ କରି ମାନବ ତାହାର ମନଃପ୍ରାଣ ଢାଳିଦିଏ, ଆତ୍ମସମର୍ପଣ କରେ । ଏହା ହିଁ ହେଲା ଧର୍ମର ଏକ ସଂକ୍ଷିପ୍ତ ବା ସ୍ଥୂଳ ପରିଚୟ । ବର୍ତ୍ତମାନ ଦେଖିବାକୁ ହେବ, ଏହା କିପରି ଜୀବନ ସହିତ ସମ୍ପୃକ୍ତ ରହି ତାହାକୁ ନାନାଭାବରେ ପ୍ରଭାବିତ କରି ଆସିଅଛି-

 

ଆବହମାନକାଳରୁ ମାନବସମାଜରେ ଧର୍ମର ପ୍ରଭାବ ଓ କାର୍ଯ୍ୟକାରିତା ଦେଖାଦେଇ ଆସୁଅଛି । ଏପରି ଦେଶ ନାହିଁ କି ଏପରି ଜାତି ନାହିଁ, ଯହିଁରେ କୌଣସି ନା କୌଣସି ପ୍ରକାରରେ ଧର୍ମନୀତି ଓ ଧର୍ମାନୁଷ୍ଠାନ, ସଂକ୍ଷେପରେ କହିବାକୁ ଗଲେ, ଧର୍ମ ଦେଖିବାକୁ ମିଳେ ନାହିଁ । ପ୍ରାଚୀନ ପ୍ରସ୍ତରଯୁଗରୁ ଆରମ୍ଭକରି ଆଧୁନିକ ସଭ୍ୟତାର ଯୁଗପର୍ଯ୍ୟନ୍ତ ସକଳ ସ୍ଥାନରେ, ସକଳ ସମାଜ ବା ଜାତିରେ ଧର୍ମର ପ୍ରଚଳନ ପରିଦୃଷ୍ଟ ହୁଏ । ଅଷ୍ଟ୍ରେଲିଆର ଆଦିମ ଅଧିବାସୀ, ମଧ୍ୟ-ଆଫ୍ରିକାର ବାଗାଣ୍ଡାଜାତି, ଦକ୍ଷିଣ-ଭାରତର ନୀଳଗିରିପାହାଡ଼ମାନଙ୍କରେ ବାସକରୁଥିବା ଟୋଡ଼ା ଜାତି ଓ ପ୍ରଶାନ୍ତ ମହାସାଗରସ୍ଥ ମେଲେନେସୀୟ ଦ୍ୱୀପପୁଞ୍ଜର ଆଦିମ ଅଧିବାସୀମାନଙ୍କର ସାମାଜିକ ଜୀବନ ପ୍ରତି ଦୃଷ୍ଟିପକାଇଲେ ଆମ୍ଭେମାନେ ଦେଖିବାକୁ ପାଇବୁଁ, ସେମାନେ ନିଜ ନିଜ ଭାବରେ ଗୋଟିଏ ଗୋଟିଏ ଧର୍ମ-ସଂସ୍ଥାର ଆଶ୍ରୟରେ ଚଳନ୍ତି । ଏହି ଧର୍ମ ସଂସ୍ଥାଗୁଡ଼ିକ ଆଧୁନିକ ଦୃଷ୍ଟିକୋଣରୁ ଯେତେ ଅନୁନ୍ନତ ବୋଧହେଲେହେଁ ଏଗୁଡ଼ିକରେ ଧର୍ମର ପୂର୍ବୋକ୍ତ ଲକ୍ଷଣମାନ ଯେ ବିଦ୍ୟମାନ, ଏଥିରେ ସନ୍ଦେହର ଅବକାଶ ନାହିଁ । ଅତି ପ୍ରାଚୀନ କାଳରୁ ଭାରତ, ମିଶର, ଗ୍ରୀସ୍‌, ରୋମ, ଚୀନ ପ୍ରଭୃତି ଉନ୍ନତ ଦେଶମାନ ଧର୍ମଗ୍ରନ୍ଥ, ଧର୍ମପୀଠର ଲୀଳାକ୍ଷେତ୍ର କହିଲେ ଚଳେ । ଅବଶ୍ୟ ପ୍ରତ୍ୟେକ ଦେଶ ତଥା ପ୍ରତ୍ୟେକ ଜାତି ବା ସମାଜରେ ପ୍ରତ୍ୟେକ ବ୍ୟକ୍ତି ଧର୍ମଭାବାପନ୍ନ ବା ଦେବଶକ୍ତିରେ ବିଶ୍ୱାସୀ ହୋଇ ନ ପାରିଥାନ୍ତି । ଭାରତର ଚାର୍ବାକ୍‌, ଗ୍ରୀସ୍‌ର ଅଣୁବାଦୀ ଓ ସୋଫିଷ୍ଟମାନେ ଇଂଲଣ୍ଡର ମିଲ୍‌, ଫ୍ରାନ୍‌ସର ବସ୍ତୁବାଦୀ କୋନ୍ତ ଓ ଜର୍ମାନୀର ନିଟ୍‌ସେ୍‌ ଓ ଷ୍ଟାଉସ୍‌ ପ୍ରଭୃତି ପଣ୍ଡିତମାନେ କୌଣସି ଅପ୍ରାକୃତ ତଥା ଇନ୍ଦ୍ରିୟାତୀତ ଦେବଶକ୍ତିରେ ବିଶ୍ୱାସ ନ କରି ବାସ୍ତବଜଗତର ଇନ୍ଦ୍ରିୟଲଭ୍ୟ ପ୍ରାକୃତିକ ପ୍ରକ୍ରିୟାରେ ବିଶ୍ୱାସ ସ୍ଥାପନପୂର୍ବକ ଧର୍ମର ମୂଳଭିତ୍ତି ଈଶ୍ୱରବିଶ୍ୱାସକୁ ଏକାବେଳକେ ଉଠାଇବାକୁ ଯାଇଅଛନ୍ତି । ଆଧୁନିକ ଯାନ୍ତ୍ରିକଯୁଗରେ ଜଡ଼ବିଜ୍ଞାନର ପ୍ରଭାବରେ ପ୍ରାକୃତିକ ନିୟମ ତଥା କ୍ରିୟାପ୍ରକ୍ରିୟା ସମ୍ବନ୍ଧରେ ନୂତନ ନୂତନ ତଥ୍ୟମାନଙ୍କର ଆବିଷ୍କାର ଫଳରେ କେତେକ ବ୍ୟକ୍ତି ଧର୍ମକୁ ମାନବସମାଜର କୁସଂସ୍କାର ବା ଅନ୍ଧବିଶ୍ୱାସ ଉପରେ ପ୍ରତିଷ୍ଠିତ ଏକ ଅଳୀକ ବ୍ୟାପାର ବୋଲି ପ୍ରଚାର କରିବାକୁ ଯାଇଅଛନ୍ତି, ତଥାପି କେହି ଅସ୍ୱୀକାର କରିବେ ନାହିଁ ଯେ, ପ୍ରତି ଦେଶରେ ଏବଂ ପ୍ରତି ସମାଜରେ ଧର୍ମ ତାହାର ସ୍ଥାନ ମାଡ଼ିବସିଛି–କ୍ରମାଗତଭାବରେ ମାନବଜୀବନ ଉପରେ ତାହାର ପ୍ରଭାବ ବିସ୍ତାର କରିଆସୁଅଛି । ଜଡ଼ବିଜ୍ଞାନର ପ୍ରଭାବରେ ନାସ୍ତିକତା ପ୍ରତି କତିପୟ ବ୍ୟକ୍ତି ଆକୃଷ୍ଟ ହୋଇଅଛନ୍ତି ସତ, ମାତ୍ର ସମାଜର ବହୁ ବ୍ୟକ୍ତି ମଧ୍ୟ ଏହି ନାସ୍ତିକମନୋବୃତ୍ତି ବିରୁଦ୍ଧରେ ଖଡ଼୍‌ଗ ଉତ୍ତୋଳନ କରି ଧର୍ମର ପ୍ରତିଷ୍ଠା ଦିଗରେ ଅଗ୍ରସର ହୋଇଅଛନ୍ତି । ଏହିପରି ମାନବର ଇତିହାସରେ ଧର୍ମସଂସ୍ଥାପନ ଓ ଧର୍ମନିରାକରଣ, ଆସ୍ତିକତା ଓ ନାସ୍ତିକତା–ଏହୁ ଦୁଇଟି ମଧ୍ୟରେ ସଂଘର୍ଷ ବରାବର ଦେଖାଦେଇ ଆସୁଅଛି । ଏଭଳି ପରିସ୍ଥିତିରେ ଧର୍ମର ସ୍ଥାନ ତଥା କାର୍ଯ୍ୟକାରୀତା ମାନବଜୀବନରେ କେତେଦୂର, ଏହାର ଆଲୋଚନା ଆବଶ୍ୟକ ମନେକରୁଁ । ଏ କ୍ଷୁଦ୍ର ପ୍ରବନ୍ଧରେ ଏ ବିଷୟର ବିଷଦ ଆଲୋଚନା ସମ୍ଭବପର ନୁହେ । ତେଣୁ କେବଳ କେତୋଟି ପ୍ରଧାନ ପ୍ରଧାନ ପ୍ରସଙ୍ଗର ସୂଚନା ଦେବାକୁ ଯାଉଅଛୁ ।

 

ଜୀବନର ଲକ୍ଷ୍ୟସାଧନ କରିବାକୁ ଯାଇ ମାନବ ଦେଖିବାକୁ ପାଏ ଯେ, ସେ ଅନେକ ସମୟରେ ନିଜର ଯତ୍ପରୋନାସ୍ତି ଚେଷ୍ଟା ସତ୍ତ୍ୱେ ବିଫଳକାମ ହୋଇଥାଏ ଏବଂ ଜଗତର ଯାବତୀୟ କ୍ରିୟାପ୍ରକ୍ରିୟା ମଧ୍ୟରେ ଅବସ୍ଥିତ ରହି ଦୁଃଖଦୁର୍ଦ୍ଦଶା, ରୋଗଶୋକ, ନୈରାଶ୍ୟ-ଅସନ୍ତୋଷ ପ୍ରଭୃତି ବିଘ୍ନବ୍ୟାତରାଶିର ଅଧୀନ ହୋଇ ପଡ଼େ । ଏହିସବୁ ଅକଲ୍ୟାଣକର ପରିସ୍ଥିତିରୁ ଆପଣାକୁ ରକ୍ଷାକରିବା ନିମିତ୍ତ ଆତ୍ମଶକ୍ତିରେ କୌଶଳମାନ ଉଦ୍‌ଭାବନ କରି ସେ କେବେକେବେ କୃତକାର୍ଯ୍ୟ ହୋଇଥାଏ ସତ୍ୟ, ମାତ୍ର ଅନେକ ସ୍ଥଳରେ ତାହାର ସମସ୍ତ ଉଦ୍ୟମ ଯେତେ ବୁଦ୍ଧି ଓ ଚତୁରତା ଉପରେ ପ୍ରତିଷ୍ଠିତ ହୋଇଥାଉ ପଛକେ, ପରିଣାମରେ ଏକାବେଳକେ ବ୍ୟର୍ଥ ହୋଇପଡ଼େ । ସେ ଆତ୍ମୋତ୍କର୍ଷସାଧନର ଉପାୟସ୍ୱରୂପ ସ୍ୱୀୟ ପୁରୁଷକାରର ଅପ୍ରତ୍ୟାଶିତ ପରାଜୟରେ ଅଭିଭୂତ ହୋଇପଡ଼ି ଜୀବନର ସସୀମତା ଓ ଅପୂର୍ଣ୍ଣତା ଉପଲବ୍‌ଧିପୂର୍ବକ ଆତ୍ମପ୍ରତ୍ୟୟ ହରାଇବସେ । ସେତେବେଳେ ତାହାର ପ୍ରାଣର ଗଭୀରତମ ପ୍ରଦେଶରୁ ପ୍ରଶ୍ନ ଉଠିଆସେ–‘କଃ ପନ୍ତାଃ ?’ –କି ଉପାୟ ଅବଲମ୍ବନ କଲେ ମୋର ଜୀବନ ଅବାଧରେ ଗତିଶୀଳ ହେବ, ସଂସାରର ସକଳ ଦୁର୍ଦ୍ଦଶା, ସକଳ ନୈରାଶ୍ୟ ଓ ସକଳ ଅସନ୍ତୋଷରୁ ମୁକ୍ତହୋଇ ଜୀବନ ସୁଖଶାନ୍ତିର ନିକେତନ ହେବ ? କେବଳ ସେତିକି ନୁହେ, ସେ ପୁଣି ଉପଲବ୍‌ଧି କରେ, ଆତ୍ମଚେଷ୍ଟାରେ ଉଦ୍ଭାବିତ ଓ ଆବିଷ୍କୃତ ଜାଗତିକ ଉପାୟମାନ ତାହାକୁ ତାହାର ଦୁଃଖନୈରାଶ୍ୟମୟ ପରିସ୍ଥିତିରୁ ସମୟ ସମୟରେ ରକ୍ଷାକରୁଥିଲେ ସୁଦ୍ଧା ତାହାର ସ୍ଥାୟୀ ଅବସାନ କରିପାରନ୍ତି ନାହିଁ । ଗୋଟିଏ ଦୁଃଖର ଉଦ୍ଧାର ପାଉଁପାଉଁ ଆଉ ଗୋଟିଏ ଦୁଃଖ ତାହାର ପ୍ରାଣକୁ ମାଡ଼ିବସେ ଏବଂ ଏକ ଆକାଙ୍‌କ୍ଷାରେ ପୂରଣ ହେଉଁ ନ ହେଉଣୁ ଅପର ଆକାଙ୍‌କ୍ଷାମାନଙ୍କ ପଛରେ ସେ ଧାବମାନ ହେବାକୁ ଲାଗେ । କେତେବେଳେ ସେ ନିଜର ତଥା ନିଜ ପରିବାରର ସୁଖସମୃଦ୍ଧି ବଢ଼ାଇବାରେ ଉଦ୍ୟମଶୀଳ, କେତେବେଳେ ପୁଣି ନିଜର ସମାଜ ବା ଜାତିର ଗୌରବବୃଦ୍ଧି ଓ ପ୍ରତିଷ୍ଠାସମ୍ପାଦନ କରିବା ଉଦ୍ଦେଶ୍ୟରେ ଚମକପ୍ରଦ ବିଶ୍ୱବିଜୟୀ ପୁରୁଷକାର ପ୍ରଦର୍ଶନପୂର୍ବକ ଅସମ୍ଭବକୁ ସମ୍ଭବରେ ପରିଣତ କରିବାକୁ ପ୍ରସ୍ତୁତ । ମାତ୍ର ବିସ୍ମୟର କଥା, ତାହାର ଗତିପଥ କାହିଁକି ନାନା ବାଧାବିଘ୍ନରେ ରୁଦ୍ଧ ହୋଇପଡ଼େ ଏବଂ ନିରାଶ ଓ ହତୋତ୍ସାହ ହୋଇପଡ଼ି ସେ ଦେଖେ ଏକ ଦୁଃଖମୟ ପରିଣାମ ! ସେ ଖୋଜେ ‘ପ୍ରାଣରାମ’; ମାତ୍ର ‘ପ୍ରାଣରାମ’ ସୁଦୂରପରାହତ ହୋଇପଡ଼େ । ତେଣୁ ମାନବ ଖୋଜିବସେ ଜଗତର ବାହାରେ ଏପରି କୌଣସି ଶକ୍ତି, ଯାହାର, ସାହାଯ୍ୟରେ ତାହାର ଜୀବନ, ସମାଜ, ବା ଜାତି ସକଳ ଦୁର୍ଦ୍ଦଶା, ସକଳ ଅଶାନ୍ତି-ଅସନ୍ତୋଷ ଅତିକ୍ରମ କରି ନିରବଚ୍ଛିନ୍ନ ସୁଖସମୃଦ୍ଧିର ଲୀଳାକ୍ଷେତ୍ର ହେବ । ଏହା ହିଁ ହେଲା ମାନବର ଧର୍ମରାଜ୍ୟରେ ପହଞ୍ଚିବାର ପ୍ରଧାନ କାରଣ । ଯଥାର୍ଥରେ ଧର୍ମ ମାନବଜୀବନର ଏକ ପ୍ରଧାନ ବ୍ୟବହାରିକ ବ୍ୟାପାର (Phenomenon) ରୂପରେ ଦଣ୍ଡାୟମାନ । ଏହା ସତ୍ୟ ହେଉ ବା ମିଥ୍ୟା ହେଉ, ଅନ୍ଧବିଶ୍ୱାସ ଉପରେ ପ୍ରତିଷ୍ଠିତ ହେଉ ବା ମାନବର କଳ୍ପନାସମ୍ଭୂତ ହେଉ, ଏହାର ଅସ୍ତିତ୍ୱ ତଥା ପ୍ରଭାବ ଅସ୍ୱୀକାର କରିହେବ ନାହିଁ । ଭ୍ରମ, ଭ୍ରମ ହେଲେ ବି ତାହାର ଅସ୍ତିତ୍ୱ ଓ ପ୍ରଭାବ ଆମ୍ଭେମାନେ ସ୍ୱୀକାର କରୁଁ । ମାନବଜୀବନରେ ଧର୍ମର ସତ୍ୟତା ବା ଉପାଦେୟତା ଜବରଦସ୍ତ ସମର୍ଥନ କରିବା ଏ ପ୍ରବନ୍ଧର ଲକ୍ଷ୍ୟ ନୁହେଁ । କେବଳ ଦେଖିବାକୁ ହେବ, ମାନବର ବ୍ୟକ୍ତିଗତ ଓ ସାମାଜିକଜୀବନରେ ଏହାର ପ୍ରଭାବ ପ୍ରକୃତରେ ଅନୁକୂଳ ବା ପ୍ରତିକୂଳ ।

 

ଧର୍ମ ଏକ ମାନବୀୟ ବ୍ୟାପାର ହୋଇଥିବାରୁ ଏଥିରେ ମାନବର ସସୀମତାଜନିତ କେତେଗୁଡ଼ିଏ ଦୋଷଦୁର୍ବଳତା ପ୍ରବେଶ କରିବା କିଛି ବିଚିତ୍ର ନୁହେଁ । ବସ୍ତୁତଃ ‘ଧର୍ମ’ ନାମରେ କେତେ ବିପ୍ଳବ କେତେ ହତ୍ୟାକାଣ୍ଡ, କେତେ ଶୋଷଣ ଘଟିଯାଇଅଛି । ଏକ ଧର୍ମସମ୍ପ୍ରଦାୟ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ନିଜର ଧର୍ମରେ ଦୀକ୍ଷିତ କରିବାକୁ ଏପରି କି ଅନ୍ୟ ଧର୍ମସମ୍ପ୍ରଦାୟମାନଙ୍କର ମୂଳୋତ୍ପାଟନ କରିବାକୁ ନାନା ଅମାନୁଷିକ କୌଶଳ ପ୍ରୟୋଗ କରିବାକୁ ଯାଇଅଛି । ପ୍ରାଚୀନକାଳରେ ପାଲେଷ୍ଟାଇନ ପ୍ରଭୃତି ସ୍ଥାନମାନଙ୍କରେ ଧର୍ମଯୁଦ୍ଧ (Crusades) ଇତିହାସ ପ୍ରସିଦ୍ଧ । ପୁଣି ଏହି ଧର୍ମର ନାମ ଧରି କେତେ ସ୍ୱାର୍ଥାନ୍ଧ ବ୍ୟକ୍ତି ଅଜ୍ଞ ବ୍ୟକ୍ତିମାନଙ୍କୁ ବିପଥଗାମୀ କରାଇ ସେମାନଙ୍କର ସର୍ବସ୍ୱ ହରଣ କରିଅଛନ୍ତି । ଧର୍ମାନ୍ଧତା (Fanaticism) ମାନବର ବ୍ୟକ୍ତିଗତ ତଥା ଜାତୀୟ ଜୀବନର ବିକାଶରେ ପ୍ରଧାନ ଅନ୍ତରାୟ ହୋଇପଡ଼ିଛି । ଏହାଛଡ଼ା ଧର୍ମ ଆଉ ଏକ ଦିଗରେ ମାନବର ପ୍ରଗତିପଥରେ କଣ୍ଟକ ହେବାର ଦେଖାଯାଏ । ଧର୍ମର ଆଶ୍ରୟରେ ଅନେକ ନିଷ୍କ୍ରିୟ ହୋଇପଡ଼ି ଜୀବନ କ୍ଷେତ୍ରରେ ଅପାରଗ ତଥା ଅବନତ ହୋଇପଡ଼ିଛନ୍ତି । ସ୍ଥୂଳରେ କହିବାକୁ ଗଲେ, ଏହି ଧର୍ମ-ନାମରେ ଜାତି-ଜାତି ମଧ୍ୟରେ, ସମାଜ ସମାଜ ମଧ୍ୟରେ ଓ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଅନେକ ସମୟରେ ବିଦ୍ରୋହାନଳ ଜଳି ଉଠିଥାଏ ଏବଂ ବହୁ ବ୍ୟକ୍ତିଗତ ଜୀବନ ବିପନ୍ନ ତଥା ଅବନତ ହୋଇପଡ଼େ । ଏହିସବୁ ଘଟଣା ପ୍ରତି ଲକ୍ଷ୍ୟକରି ଆଧୁନିକ ଉନ୍ନତଚେତା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ଧର୍ମକୁ ମାନବସମାଜର ଏକ ମହା ଅନିଷ୍ଟକାରୀ ବ୍ୟାପାର ବୋଲି କହିବାକୁ ଯାଇଅଛନ୍ତି । ଉଦାହରଣ ସ୍ୱରୂପ ଆଧୁନିକ ଯୁଗର ‘ନୂତନ’ର ଉପାସକମାନେ କହିଥାନ୍ତି, ‘‘ଧର୍ମ ଏକ ପୁରାତନ ଆବିଳତାପୂର୍ଣ୍ଣ ଓ ଅନୁପାଦେୟ ବ୍ୟାପାର । ଏହା ବିପଜ୍ଜନକ ମଧ୍ୟ, କାରଣ ଏହା ହିଁ ଧର୍ମଯୁଦ୍ଧ, ସାମ୍ପ୍ରଦାୟିକ ବିଦ୍ରୋହ ତଥା ସମାଜବିରୋଧୀ ଉପଦ୍ରବର ହେତୁ । ଏହାରି ପ୍ରଭାବରେ ଲୋକେ ସ୍ୱର୍ଗ ପ୍ରଭୃତି ଅବାସ୍ତବ ସ୍ୱପ୍ନରାଜ୍ୟର କଳ୍ପନାରେ ଉନ୍ମତ୍ତ ହୋଇ ବାସ୍ତବ ଜଗତର ଆହ୍ୱାନ ପ୍ରତି କର୍ଣ୍ଣପାତ କରନ୍ତି ନାହିଁ । ଦୈବଶକ୍ତି ଉପରେ ପୂର୍ଣ୍ଣନିର୍ଭରଶୀଳାତା ସେମାନଙ୍କୁ ଭାଗ୍ୟବାଦୀରେ ପରିଣତ କରି ଜୀବନର ସର୍ବବିଧ ଉତ୍କର୍ଷବିଧାୟକ ଆତ୍ମପ୍ରତ୍ୟୟକୁ ହୀନବଳ କରିପକାଏ । ପୁଣି ନରକର ଭୀଷଣତାର କଳ୍ପନା କାଳପୁରୁଷ ତୁଲ୍ୟ ମାନବର ପ୍ରାଣକୁ ମାଡ଼ିବସି ତାହାର ମର୍ଯ୍ୟାଦା ନଷ୍ଟ କରିଦିଏ । ଏପରି କି ରୁଷିଆର ଆଧୁନିକ ନେତୃବିନ୍ଦ ଧର୍ମକୁ ଏକ ‘ମାଦକତା’ ରୂପେ ଭାବି ରାଜ୍ୟରୁ ତାହାର ବିଲୋପ ସାଧନା କରିବାକୁ ମଧ୍ୟ ଚେଷ୍ଟା କରିଅଛନ୍ତି ।

 

ଉଲ୍ଲିଖିତ ଉକ୍ତିମାନଙ୍କରୁ ସାଧାରଣତଃ ମନେହେବ, ସମାଜ ବା ଜାତିର ବିକାଶ ପକ୍ଷରେ ଧର୍ମ ଏକ ପ୍ରତିକୂଳ ବ୍ୟାପାର, କିନ୍ତୁ ପ୍ରକୃତରେ କଅଣ ତାହା ? ଧର୍ମ କଅଣ ପ୍ରକୃତରେ ମାନବର ବ୍ୟକ୍ତିଗତ ଓ ସମଷ୍ଟିଗତ ବିକାଶରେ ଅନ୍ତରାୟ ? ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ଉଲ୍ଲିଖିତ ଆକ୍ଷେପ ବା ଦୋଷାରୋପ ଧର୍ମ ପ୍ରତି ନୁହେ, କେବଳ ଧର୍ମର ସ୍ୱରୂପକୁ ଆଚ୍ଛନ୍ନ କରି ରହିଥିବା କୁସଂସ୍କାର ବା ଜମ୍ବାଳରାଶି ପ୍ରତି ପ୍ରଯୁଜ୍ୟ । ବିଶେଷଣରୁ ଜଣାଯିବ, ଧର୍ମମାନବ ସମାଜରୁ ନଷ୍ଟଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ମାନବର ଜୀବନକ୍ଷେତ୍ରରେ ଦେଖାଦେଇ ନାହିଁ । ଆଗରୁ କହିଅଛୁ, ଧର୍ମ ଆଦିମ-ଯୁଗରୁ ନାନା ଘାତପ୍ରତିଘାତ ମଧ୍ୟ ଦେଇ ସମାଜରେ ତିଷ୍ଠିରହିଛି । ଏହାର ଶତ୍ରୁମାନେ ଏହାର ମୂଳୋତ୍ପାଟନ କରିବା ପାଇଁ ବହୁ ଉଦ୍ୟମ କରିଅଛନ୍ତି, ମାତ୍ର କାହିଁ, ଏହାର ଅସ୍ତିତ୍ୱ ତ ଲୋପ ପାଇ ନାହିଁ । କୌଣସି ଧର୍ମ ଶତ୍ରୁକର୍ତ୍ତୃକ ଆକ୍ରାନ୍ତ ହେଲାମାତ୍ରକେ ଏହାର ପୃଷ୍ଠପୋଷକଗୁଣ ଏହାକୁ ପରିମାର୍ଜିତ ଓ ଯୁଗୋପଯୋଗୀ କରି ମାନବସମାଜରେ ଏହାର ପ୍ରତିଷ୍ଠା ସମ୍ପାଦନ କରିବାକୁ ଯାଇଅଛନ୍ତି । ଆଦିମକାଳର ଖ୍ରୀଷ୍ଟଧର୍ମ ନାନା ବିବର୍ତ୍ତନ ମଧ୍ୟ ଦେଇ ଆଜି ପୃଥିବୀ ସମକ୍ଷରେ ଦଣ୍ଡାୟମାନ । ଏହାର ପ୍ରତିଷ୍ଠାତା ଯୀଶୁଖ୍ରୀଷ୍ଟଙ୍କୁ ନିର୍ମମଭାବରେ କ୍ରୁଶବିଦ୍ଧ କରି ହତ୍ୟା କରି ଦିଆଯାଇଅଛି, ମାତ୍ର ନାହିଁ, ତାଙ୍କର ଧର୍ମ ତ ଲୋପ ପାଇ ନାହିଁ ବରଂ ଏହାର ପ୍ରସାର ବହୁପରିମାଣରେ ଘଟିଛି । ସନାତନ ହିନ୍ଦୁଧର୍ମ ବିରୁଦ୍ଧରେ ବୁଦ୍ଧ ଏହାଙ୍କର ମତ ପ୍ରଚାର କରି ତାହାକୁ ଭାରତରୁ ବିତାଡ଼ିତ କରିବାକୁ ଆସିଥିଲେ, ମାତ୍ର ଶଙ୍କର ପ୍ରମୁଖ ତାଙ୍କ ପରବର୍ତ୍ତୀ ମହାପୁରୁଷମାନଙ୍କ ଉଦ୍ୟମରେ ଏହା ପୁନଃପ୍ରତିଷ୍ଠିତ ହେବାକୁ ଲାଗିଲା । ପୁଣି ଯେଉଁ ବୌଦ୍ଧଧର୍ମ ଭାରତରେ ପ୍ରାଧାନ୍ୟଲାଭ କରିଥିଲା, ତାହା ନିଜର ଜନ୍ମଭୂମି ଭାରତରେ ହୀନପ୍ରଭ ହେଲେ ମଧ୍ୟ ଦେଶଦେଶାନ୍ତରରେ ପ୍ରବେଶ କରି ନିଜର ଜୟବୈଜୟନ୍ତୀ ଉଡ଼ାଇଅଛି । ଏହିପରି ବହୁତ ଉଦାହରଣ ଦେଖିବାକୁ ମିଳିବ । ବାହୁଲ୍ୟ ଭୟରେ ସେଥିରୁ ନିବୃତ୍ତ ହେବାକୁ ପଡ଼ୁଅଛି । ଏଥିରୁ ସ୍ପଷ୍ଟ ଅନୁମିତ ହେବ ଯେ, ଧର୍ମ ମାନବର ଜୀବନକ୍ଷେତ୍ରରେ କିଛି ନା କିଛି ଉପକାର ସାଧନ କରୁଥିଲେ କେତେକାଳୁ ଧରାପୃଷ୍ଠରୁ ବିଲୟପ୍ରାପ୍ତ ହୋଇସାରନ୍ତାଣି । ଏପରି ଏକ ବ୍ୟପାର, ଯାହାକୁ ଏକ ରୂପରେ ଲୋପ ପାଇବାକୁ ଗଲାକ୍ଷଣି ଏହା ଅନ୍ୟ ଏକ ରୂପରେ ମାନବସମାଜକୁ ଭାସି ଆସିଛି । ମନେହୁଏ, ଯେପରି କି ବିବର୍ତ୍ତନବାଦୀ ଡାରଉଇନ୍‌ଙ୍କ ପ୍ରଚାରିତ ପ୍ରାକୃତିକ ନିର୍ବାଚନ (Natural Selection) ଯୋଗ୍ୟତମର ପ୍ରତିଷ୍ଠା Survival of the fittest ନୀତି ଧର୍ମକ୍ଷେତ୍ରରେ କାର୍ଯ୍ୟ କରି ଆସିଛି । ଏଥିରୁ ଅନୁମିତ ହୁଏ ଏହି କ୍ଷେତ୍ରରେ ଏହାର କିଛି କାର୍ଯ୍ୟକାରିତା ରହିଅଛି । ବର୍ତ୍ତମାନ ତର୍କରେ ଗୋଟିଏ ଦିଓଟି ବିଷୟ ପ୍ରତି ଦୃଷ୍ଟି ଦିଆଯାଉ ।

 

ପ୍ରଥମ ସମ୍ଭାବନାରେ ଦେଖାଯାଏ, ଧର୍ମ ମାନବକୁ ସମାଜବଦ୍ଧ କରି ରଖିବାର ଏକ ପ୍ରଧାନ ଉପାୟ । ‘ଧର୍ମ’ ଶବ୍ଦର ବ୍ୟୁତ୍ପତ୍ତିମୂଳକ ବ୍ୟାଖ୍ୟା ଆରମ୍ଭରେ ସୂଚିତ ହୋଇଅଛି । ଯାହା ଧାରଣ କରେ ବା ଧରିରଖେ, ତାହାହିଁ ଧର୍ମ–‘‘ଧାରଣାର୍ଦ୍ଧମଃ’ । ଇଂରାଜୀ ରିଲିଜିଅନ୍‌ (Religion) ଶବ୍ଦଟିର ବ୍ୟୁତ୍ପତ୍ତି ମଧ୍ୟ ତଦନୁରୂପ ପରି ବୋଧହୁଏ । ଏହି ଶବ୍ଦଟି ଲାଟିନ୍‌ ‘Religio,(ରିଲିଜିଓ) ଶବ୍ଦରୁ ଇଂରାଜୀ ଭାଷାରେ ପ୍ରବେଶ କରିଅଛି । ଏହା ‘lig’ (ଲିଗ୍‌) ନାମକ ମୂଳଧାତୁରୁ ଉତ୍ପନ୍ନ । ଏହି ‘lig’(ଲିଗ୍‌)ଧାତୁର ଅର୍ଥ ବାନ୍ଧିବା (to bind) ଏବଂ ‘ରିଲିଜିୟନ୍‌’ (Religion)ର ଅର୍ଥ ପୁନଃ ବାନ୍ଧି ରଖିବା (to bind again) । ଏହାର ତାତ୍ପର୍ଯ୍ୟ ଏହି ଯେ, ଧର୍ମରେ ଦେବ ଓ ମାନବ ଏହି ଉଭୟଙ୍କ ମଧ୍ୟରେ ଏକ ସମ୍ୱନ୍ଧ ସ୍ଥାପିତ ହୁଏ ଏବଂ ଏହି ସମ୍ବନ୍ଧର ଫଳରେ ମାନବର ଜୀବନ ଦେବଶକ୍ତି ସହିତ ବାନ୍ଧିହୋଇ ରହେ । ମାନବ ଇହସଂସାରରେ ଜନ୍ମଗ୍ରହଣ କରି ଦେବଶକ୍ତିଠାରୁ ସ୍ୱତନ୍ତ୍ରଭାବରେ ଗତି କରିବାକୁ ଲାଗେ ଏବଂ ତାହାର ଜୀବନ କ୍ରମବିକାଶରେ ସେ ଉପଲବ୍‌ଧି କରେ ଯେ, ତାହାର ସ୍ୱାତନ୍ତ୍ର୍ୟ ନିରପେକ୍ଷ ନୁହେଁ । ତେଣୁ ସେ କାଳକ୍ରମେ ଧର୍ମରାଜ୍ୟରେ ଉପନୀତ ହୋଇ ଧର୍ମର ମାଧ୍ୟମରେ ଦେବଶକ୍ତି ସହିତ ପୁନର୍ବାର ମିଳିତ ହୁଏ ବା ବାନ୍ଧିହୋଇ ଜୀବନରେ ଗତିକରେ । ଏହି ସମ୍ବନ୍ଧ କେବଳ ବ୍ୟକ୍ତିଗତ ଭାବରେ ନୁହେଁ, ସମଷ୍ଟିଗତ ଭାବରେ ମଧ୍ୟ ମାନବସମାଜକୁ ଉକ୍ତ ଦେବଶକ୍ତି ସହିତ ବାନ୍ଧିରଖେ । ସୁତରାଂ ସଂସ୍କୃତ ‘ଧର୍ମ’ ହେଉ ବା ଇଂରାଜୀ ‘ରିଲିଜିୟନ୍‌’ (Religion)ହେଉ, ଉଭୟଙ୍କର ବ୍ୟୁତ୍ପତ୍ତିଅର୍ଥ କାର୍ଯ୍ୟତଃ ଏକ । ଏ ଦୃଷ୍ଟିକୋଣରୁ ଧର୍ମର କାର୍ଯ୍ୟକାରିତା ମାନବସମାଜରେ ଏହି ଯେ; ଏହା ମାନବକୁ ଦେବଶକ୍ତି ସହିତ ସମୃଦ୍ଧ କରି ରଖେ । ଅନ୍ୟ ଭାବରେ କହିଲେ, ଦେବଶକ୍ତି ହିଁ ମାନବର ଜୀବନକୁ ସଂସାରର ନାନା ବିଭୀଷିକା, ନାନା ବାଧାବିଘ୍ନ ଭିତରେ ଧାରଣ କରେ ବା ଧରିରଖେ ଏବଂ ଏହାରି ଫଳରେ ହିଁ ବିଭିନ୍ନ ବ୍ୟକ୍ତି ସମାଜ ରୂପରେ ବାନ୍ଧିହୋଇ ରହନ୍ତି । ଏକଧର୍ମାବଲମ୍ବୀ ମାନବଗଣ ସେମାନଙ୍କ ବ୍ୟକ୍ତିଗତ ପାର୍ଥକ୍ୟ ସତ୍ତ୍ୱେ ସେମାନଙ୍କ ଧର୍ମପୀଠରେ ରୁଣ୍ଡୀଭୂତ ହୋଇ ସମାନ ଦେବତା, ସମାନ ଆଚାର, ସମାନ ପୂଜାପଦ୍ଧତି ଅବଲମ୍ବନ କରି ଏକପ୍ରାଣତା ଉପଲବ୍‌ଧି କରନ୍ତି । ଅବଶ୍ୟ ପୃଥିବୀପୃଷ୍ଠରେ ଯେତେ ଧର୍ମ, ସେତେ ସମାଜ ବା ସମ୍ପ୍ରଦାୟ ଗଢ଼ିଉଠିଛି ଏବଂ ଏହାର ଫଳରେ ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ସଂଘର୍ଷ ଉପଜାତ ହୋଇ ସମଗ୍ର ମାନବଜାତିକୁ ଧରିରଖିବା ବା ବାନ୍ଧିରଖିବା ପରିବର୍ତ୍ତରେ ବରଂ ତାହାକୁ ଭିନ୍ନ ଭିନ୍ନ କରି ପକାଉଅଛି । ଏଥିରୁ କେହି କେହି ଭାବିପାରନ୍ତି, ଧର୍ମ ମାନବଜାତିର ଧାରକ ବା ରକ୍ଷକ ନୁହେଁ, ବରଂ ତାହାର ମାରକ ବା ଭକ୍ଷକ । କିନ୍ତୁ ଆମ୍ଭମାନଙ୍କୁ ମନେ ରଖିବାକୁ ହେବ, ଯେତେବେଳେ ପୃଥିବୀର ବିଭିନ୍ନ ଧର୍ମର ଜମ୍ବାଳରାଶି ନିରାକୃତ ହୋଇ ଧର୍ମର ଯଥାର୍ଥ ସ୍ୱରୂପ ପ୍ରତିଷ୍ଠିତ ହେବ, ସେତେବେଳେ ଧର୍ମ ସମଗ୍ର ମାନବଜାତିକୁ ଧରିରଖି ତାହାର ସୁଖଶାନ୍ତି ସମ୍ପାଦନ କରିବ । ଯେତେ ଅବନତ ବା ଆଦିମଯୁଗ ହେଲେ ସୁଦ୍ଧା, ଯେତେ ବିଭିନ୍ନତାର ମଧ୍ୟଦେଇ ଗତି କରି ଆସୁଥିଲେ ସୁଦ୍ଧା, ଏହାର ଲକ୍ଷ୍ୟ ଏକ ରହିଅଛି । ଯେପରି ଅନ୍ୟ କ୍ଷେତ୍ରରେ ଭିନ୍ନ ଭିନ୍ନ ମତର ବ୍ୟକ୍ତିମାନେ ନିଜ ନିଜ ମତର ଦୁର୍ବଳତା ପରିହାର କରି ପରିଶେଷରେ ଏକମତାବଲମ୍ବୀ ହୋଇଥାନ୍ତି, ସେହିପରି ଭିନ୍ନ ଭିନ୍ନ ଧର୍ମସମ୍ପ୍ରଦାୟ ବିବର୍ତ୍ତନବିଧିରେ ନିଜ ନିଜର ଧର୍ମମତରୁ ଆବିଳତା ବା ଅବୈଧତାମାନ ପରିହାର କରି ପରିଶେଷରେ ଏକ ଦେବଭାବ ଏବଂ ଏକ ମହାଧର୍ମପୀଠ ସଂସ୍ଥାପନ ପୂର୍ବକ ପରସ୍ପରକୁ ଆଲିଙ୍ଗନ କରିପାରନ୍ତି । ସୁତରାଂ ଧର୍ମ ଯେଉଁ ସ୍ତରରେ ଥାଉ ନା କାହିଁକି, ମାନବସମାଜରେ ତାହାର ଲକ୍ଷ୍ୟ ସାଧନ କରିଆସୁଅଛି । ଯଦି ଏହା କେତେବେଳେ ଲକ୍ଷ୍ୟଭ୍ରଷ୍ଟ ହେଉଅଛି, ତାହା କେବଳ ଧର୍ମାବଲମ୍ବୀମାନଙ୍କ ଦୋଷରୁ, ଏହାର ନିଜ ଦୋଷରୁ ନୁହେଁ ।

 

ଏହାଛଡ଼ା ଧର୍ମ ଆଉ ଏକ ଦିଗରେ ମାନବର ଉପକାରୀ ହୋଇଅଛି । ମାନବ ସ୍ୱଭାବତଃ ଜୀବନର ବିକାଶରେ କେତେଗୁଡ଼ିଏ ଉଦ୍ଦେଶ୍ୟ ବା ପୁରୁଷାର୍ଥ values ର ଅବଲମ୍ବନରେ ଗତି କରିଥାଏ । ତାହାର ଦୈନନ୍ଦିନ ଜୀବନରେ ମାନବ, ଧନ, ଜନ, ଆୟୁ, ଯଶଃ, ସମ୍ମାନ, ସ୍ୱାସ୍ଥ୍ୟ, ମୁକ୍ତି, ମୈତ୍ରୀ, ନ୍ୟାୟ, ଆତ୍ମାର ପବିତ୍ରତା, ଜନସେବା, ସର୍ବୋପରି ସତ୍ୟ, ଶିବ, ସୁନ୍ଦର ପ୍ରଭୃତି ଶ୍ରେୟଃ ବା ପୁରୁଷାର୍ଥଗୁଡ଼ିକୁ ଜୀବନର ସୁଖଶାନ୍ତି ପାଇଁ ସଂରକ୍ଷିତ କରିବାକୁ ଚାହେଁ । ସେ ଏଗୁଡ଼ିକୁ ଆତ୍ମଶକ୍ତି ସାହାଯ୍ୟରେ ଜୀବନର ଉପଭୋଗ କରିବାକୁ ସତତ ଚେଷ୍ଟାବାନ୍‌ । ମାତ୍ର ତାହାର ଆତ୍ମଶକ୍ତି ସେଗୁଡ଼ିକର ସ୍ଥାୟୀ ସଂରକ୍ଷଣରେ ସର୍ବଦା କୃତକାର୍ଯ୍ୟ ହୋଇପାରେ ନାହିଁ । ସେଥିପାଇଁ ସେ ଖୋଜିବସେ ଦେବଶକ୍ତିର ଆଶ୍ରୟ । ତାହାର ଉଲ୍ଲିଖିତ ପୁରୁଷାର୍ଥଗୁଡ଼ିକରୁ ସେ ଯେପରି କେତେବେଳେ ହେଲେ ବଞ୍ଚିତ ନ ହୁଏ, ଅର୍ଥାତ୍‌ ତାହାର ଜାତିଗତ କଲ୍ୟାଣମାନ ଯେପରି ସବୁ ସମୟରେ ତାହାର ବ୍ୟକ୍ତିଗତ ତଥା ସମଷ୍ଟିଗତ ଜୀବନର ଉପଭୋଗ ପାଇ ସର୍ବଦା ସହଜଲଭ୍ୟ ହୁଏ, ସେଥିପାଇଁ ସେ ଖୋଜେ ଦେବଶକ୍ତିର ସାହାଯ୍ୟ-ଧର୍ମର ଆଶ୍ରୟ । ଏଥିରୁ ଅନୁମିତ ହେବ ଯେ, ଧର୍ମ ଯେପରି କି ମାନବର ଏକ ଜୀବନଗତ ଆବଶ୍ୟକତା (biological need) । ଯେଉଁ ଉଦ୍ଦେଶ୍ୟ ବା ପୁରୁଷାର୍ଥଗୁଡ଼ିକ ଜୀବନର ଉତ୍କର୍ଷବିଧାୟକ ଓ ସେଥିପାଇଁ ସମାଜ ବା ଜାତିକର୍ତ୍ତୃକ ଅନୁମୋଦିତ ବା ସ୍ୱୀକୃତ, ସେଗୁଡ଼ିକର ସଂରକ୍ଷଣ (conservation) ନିମିତ୍ତ ସେ ଧର୍ମକୁ ହିଁ ସର୍ବୋତ୍କୃଷ୍ଟ ଅବଲମ୍ବନରୂପେ ଜୀବନରେ ସ୍ଥାନ ଦେଇଅଛି । ସେଥିପାଇଁ ଧର୍ମର ସଂଜ୍ଞା ଦେବାକୁ ଯାଇ ଜଣେ ପାଶ୍ଚାତ୍ୟ ପଣ୍ଡିତ କହିଛନ୍ତି–‘‘Religion is an endeavour to secure the conservation of socially recognized values”–ଅର୍ଥାତ୍‌ ଧର୍ମ ସମାଜକର୍ତ୍ତୃକ ପରିଗୃହୀତ ଉଦ୍ଦେଶ୍ୟ ବା ପୁରୁଷାର୍ଥ- ଗୁଡ଼ିକର ସଂରକ୍ଷଣ ସମ୍ପାଦନ ନିମିତ୍ତ ଏକ ପ୍ରଚେଷ୍ଟା । ଅବଶ୍ୟ ତାହାର ପୁରୁଷାର୍ଥଗୁଡ଼ିକ ପ୍ରକୃତରେ ସଂରକ୍ଷିତ ହେବ କି ନାହିଁ, କହିବା ସହଜ ନୁହେଁ । ତଥାପି ମାନବର ବିଶ୍ୱାସ ସେ ଦେବଶକ୍ତିର ଆଶ୍ରୟରେ, ଧର୍ମର ସାହାଯ୍ୟରେ ଏଗୁଡ଼ିକୁ ନିଶ୍ଚୟ ସଂରକ୍ଷିତ କରିପାରିବ । ଧର୍ମର ଏହି କାର୍ଯ୍ୟକାରିତା ମାନବଜୀବନର ବିକାଶର ପ୍ରତ୍ୟେକ ସ୍ତରରେ ପରିଲକ୍ଷିତ ହୋଇଥାଏ । ଏକଦେବବାଦୀ ହୁଅନ୍ତୁ ବା ବହୁଦେବବାଦୀ ହୁଅନ୍ତୁ, ମୂର୍ତ୍ତିପୂଜକ ହୁଅନ୍ତୁ ବା ନିରାକାରର ଉପାସକ ହୁଅନ୍ତୁ, ସମସ୍ତ ଜୀବନର ଚରମବିକାଶ ପାଇଁ, ଜୀବନର ଶ୍ରେୟଃ ବା ପୁରୁଷାର୍ଥଗୁଡ଼ିକର ଚରିତାର୍ଥତା ଓ ସଂରକ୍ଷଣ ପାଇଁ ଧର୍ମକୁ ହିଁ ଚରମ ଉପାୟରୂପେ ଅବଲମ୍ବନ କରିଥାନ୍ତି । ଧର୍ମର କ୍ରମ ବିକାଶରେ ଦେବଶକ୍ତିର ଧାରଣା ଯେତେ ସଂଶୋଧିତ ହେଉଥିବ, ମାନବର ଧର୍ମ-ଜୀବନ ସେତେ ସମୃଦ୍ଧ ଓ ମଧୁମୟ ହେଉଥିବ ଏବଂ ଦିନ ଆସିବ, ଯେତେବେଳେ ସାମ୍ପ୍ରଦାୟିକ ଭେଦଭାବ ପରିତ୍ୟାଗ କରି ସମଗ୍ର ମାନବଜାତି ଧର୍ମର ଏକ ମହାସମନ୍ୱୟପୀଠରେ ସମ୍ମିଳିତ ହୋଇ ଏକସ୍ୱରରେ ଗାଉଉଠିବେ–

 

‘‘ଈଶଶବାସ୍ୟମିଦଂ ସର୍ବଂ ଯତ୍‌କିଂଚ ଜଗତ୍ୟାଂ ଜଗତ୍‌

ତେନ ତ୍ୟକ୍ତେନ ଭୁଞ୍ଜୀଥା ମାଗୃଧଃ କସଂସ୍ୱିଦ୍ଧନମ୍‌ ।’’

 

ବିଶ୍ୱଭ୍ରାତୃତ୍ୱ

 

ବିଶ୍ୱଭ୍ରାତୃତ୍ୱର କଳ୍ପନା ମାନବଜାତିର ଇତିହାସରେ କି ନୁହେଁ ଅତି ପ୍ରାଚୀନ ଯୁଗରୁ ଆରମ୍ଭ କରି ମନୀଷିମାନେ ମାହାତ୍ମ୍ୟ ଉପଲବ୍‌ଧି କରି ଏହାକୁ ମାନବଜୀବନର ବିକାଶ ଏକ ବିଶିଷ୍ଟ ସ୍ଥାନ ଦେଇଅଛନ୍ତି । ସର୍ବ ପ୍ରଥମେ ଏହାରେ ଦୃଷ୍ଟିଦେବା ବାଞ୍ଛନୀୟ ମନେକରୁଁ । ବିଶ୍ୱଭ୍ରାତୃତ୍ୱ କହିଲେ ଭଲ ହେବ; ବିଶ୍ୱର ଯାବତୀୟ ଲୋକଙ୍କ ମଧ୍ୟରେ ଜାତିଧର୍ମ ଭେଦରେ ପରସ୍ପର ପ୍ରତି ଭ୍ରାତୃତ୍ୱମୂଳକ ସ୍ନେହ, ସହାନୁଭୂତି ବା ପ୍ରଦର୍ଶନ କରିବାର ଗୁଣ ବା ଧର୍ମ । ଅନ୍ୟଭାବରେ ପ୍ରକାଶ କରିବାକୁ ହେବ, ବିଶ୍ୱର-ବ୍ୟକ୍ତି ମଧ୍ୟରେ, ଜାତି ମଧ୍ୟରେ ଏବଂ ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ଭ୍ରାତୃଭାବ ବା ସମ୍ମାନ କରିବା ହିଁ ବିଶ୍ୱଭ୍ରାତୃତ୍ୱ । ଏହି ଗୁଣ ବା ଧର୍ମଟି ସେଥିପାଇଁ ସ୍ୱାର୍ଥକେନ୍ଦ୍ରିକତା ବା ସ୍ୱାର୍ଥପରତାର ବିପରୀତ । ସ୍ୱାର୍ଥକେନ୍ଦ୍ରିକତା କେବଳ ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥ ବା ସୁଖସ୍ୱାଚ୍ଛନ୍ଦ୍ୟକୁ ମାନବର କର୍ମପନ୍ଥା ନିରୂପିତ ହୋଇଥାଏ । ବ୍ୟକ୍ତି ଯାହା ଚାହେଁ ସେ ସମସ୍ତ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଉପରେ ହିଁ ନିର୍ଭର । ଏପରିକି ସମୟ ସମୟରେ ସେ ଅନ୍ୟମାନଙ୍କ ପ୍ରତି ସୌହାର୍ଦ୍ୟ ପ୍ରଦର୍ଶନ କରିଥାଏ, ତାହାର ମୂଳରେ ସ୍ୱାର୍ଥ ନିହିତ ରହିଥାଏ । ଏହାର ଫଳରେ ବ୍ୟକ୍ତିଗତ, କଥା ଗୋଷ୍ଠୀଗତ ସଘଂର୍ଷମାନ ଉପଜାତ ହୁଏ–ଆକାଶ-କୁସୁମ ଭଳି ଅଳୀକ ବା ଅସ୍ତିତ୍ୱହୀନ ହୋଇ ବିଶ୍ୱଭ୍ରାତୃତ୍ୱରେ ବ୍ୟାପକ ପ୍ରିୟଦର୍ଶିତା, ବ୍ୟାପକ ମୈତ୍ରୀ ତଥା ବ୍ୟାପକ ସ୍ନେହ ମମତା ମୂଳପିଣ୍ଡରୂପେ ବିଦ୍ୟମାନ ଏବଂ ଏହାର ଦୃଷ୍ଟିରେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଜାତି ଓ ପ୍ରତ୍ୟେକ ଗୋଷ୍ଠୀ ବା ସମାଜ ଏକ ମହାସମଷ୍ଟି ବା ସମନ୍ୱୟର, ଏକ ମହାମାନବ ଜାତିର, ଗୋଟିଏ ଗୋଟିଏ ଅବିଚ୍ଛେଦ୍ୟ ବା ଅପରିହାର୍ଯ୍ୟ ଅଙ୍ଗସ୍ୱରୂପ । ବ୍ୟକ୍ତି ଏପରି କିଛି କରିବ ନାହିଁ, ଯହିଁରେ ଗୋଷ୍ଠୀ, ସମାଜ, ଜାତିର ଅନିଷ୍ଟ ସାଧିତ ହେବ । ପୁଣି ଗୋଷ୍ଠୀ, ସମାଜ ବା ଜାତି ଏପରି କୌଣସି କାର୍ଯ୍ୟ କରିବ ନାହିଁ, ଯାହା ତଦନ୍ତର୍ଗତ ବ୍ୟକ୍ତିମାନଙ୍କର ବା ଅନ୍ୟାନ୍ୟ ଗୋଷ୍ଠୀ, ସମାଜ ବା ଜାତିର ଓ ତେଣୁ ସମଗ୍ର ମାନବଜାତିର ସାମୂହିକ କଲ୍ୟାଣର ଅନ୍ତରାୟ ହେବ । ବିଶ୍ୱଭ୍ରାତୃତ୍ୱ ପରିକଳ୍ପନାରେ ବିଶ୍ୱର ସକଳ ବ୍ୟକ୍ତିଙ୍କଠାରେ ସଞ୍ଚିତ ଶକ୍ତିଗୁଡ଼ିକର ଉନ୍ମେଷ ବା ଅଭିବ୍ୟକ୍ତି ପ୍ରତି ସର୍ବଦା ଦୃଷ୍ଟି ରହିଥାଏ । ଏହାର ଦୃଷ୍ଟିରେ କୌଣସି ମାନବ ଅନ୍ୟ କୌଣସି ମାନବର ହ୍ରାସ ବା କ୍ରୀଡ଼ନକ ନୁହେଁ–ବରଂ ପ୍ରତ୍ୟେକ ମାନବ ବିଶ୍ୱର ଅନନ୍ତ ଲକ୍ଷ-ସିଦ୍ଧିର ପଥରେ ଗୋଟିଏ ଗୋଟିଏ ସମାନଧର୍ମ ସହଯାତ୍ରୀ–ପ୍ରତ୍ୟେକର ଜନ୍ମଗତ ଅଧିକାର ତଥା ଦାୟିତ୍ୱ ରହିଅଛି । ସମଗ୍ର ବସୁଧାକୁ କୁଟୁମ୍ବକ ମନେକରି ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ ବା ଜାତିର ଯଥାଯଥ ବିକାଶ ଓ ଅଭିବୃଦ୍ଧି ସମ୍ପାଦନ କରିବା ନିମିତ୍ତ ଏକନିଷ୍ଠ ସମବେତ ପ୍ରଯତ୍ନ ବିଶ୍ୱଭାତୃତ୍ୱର ମୂଳନୀତି, ସୁତରାଂ ବିଶ୍ୱପ୍ରେମ ଓ ସମଦର୍ଶିତା ଉପରେ ହିଁ ଏହା ପ୍ରତିଷ୍ଠିତ । ଅବଶ୍ୟ, ପ୍ରତ୍ୟେକ ବ୍ୟକ୍ତି ନିଜକୁ କେନ୍ଦ୍ର କରି ଜଗତ ସହିତ ସମ୍ବନ୍ଧସ୍ଥାପନପୂର୍ବକ ତାହାର କର୍ତ୍ତବ୍ୟ ସମ୍ପାଦନ କରିଥାଏ, ମାତ୍ର ଏହି କର୍ତ୍ତବ୍ୟକ୍ଷେତ୍ର କେବଳ ତାହାରିଠାରେ ଆବଦ୍ଧ ହେବାର କଥାନୁହେଁ । ଏହା ବ୍ୟକ୍ତିରୁ ପରିବାରକୁ, ପରିବାରରୁ ଗୋଷ୍ଠୀକୁ, ଗୋଷ୍ଠୀରୁ ସମାଜକୁ, ସମାଜରୁ ଜାତିକୁ ଏବଂ ଏକ ଜାତିରୁ ଅନ୍ୟ ଜାତିକୁ ବିସ୍ତାରିତ ହୋଇ ପରିଶେଷରେ ବିଶାଳ ଜଗତ ସହିତ ସମବ୍ୟାପ୍ତି ଲାଭକରେ । ଯେତେବେଳେ ମାନବର ଆତ୍ମା ନିଜର ସୁଖରେ ଆବଦ୍ଧ ନ ରହି ଏହି କ୍ରମବିକାଶ ବା କ୍ରମବିସ୍ତୃତିର ଫଳରେ ସମଗ୍ର ମାନବ ଜାତିକୁ ନିଜର ବୋଲି ମନେ କରେ ଏବଂ ତଦନ୍ତର୍ଗତ ବ୍ୟକ୍ତିମାନଙ୍କର ସୁଖରେ ସୁଖୀ ଓ ଦୁଃଖୀ ହୁଏ, ସେତେବେଳେ ତାହାର ଆତ୍ମା ଆଉ ସେ ସଂକୀର୍ଣ୍ଣ ବା ବ୍ୟଷ୍ଟିନିବଦ୍ଧ ଆତ୍ମା ନୁହେଁ–ସେତେବେଳେ ସେ ବିଶ୍ୱବ୍ରହ୍ମାଣ୍ଡସ୍ଥ ସକଳ ବସ୍ତୁକୁ ଆପଣାର କରିପକାଏ । ମାନବଜୀବନର ବିକାଶକ୍ରମରେ ଏହି ସ୍ତର ହିଁ ବିଶ୍ୱଭ୍ରାତୃତ୍ୱର ସ୍ତର । ବିଶ୍ୱଭ୍ରାତୃତ୍ୱରେ ଅନୁପ୍ରାଣିତ ଆତ୍ମା ସେଥିପାଇଁ ବିଶ୍ୱଶକ୍ତି ସହିତ ଏକ’ କହିଲେ ଅତ୍ୟୁକ୍ତି ହେବ ନାହିଁ-

 

ଆମ ଭାରତରେ ବୈଦିକଯୁଗରୁ ଆରମ୍ଭ କରି ବିଶ୍ୱଭ୍ରାତୃତ୍ୱ ପ୍ରଚାରିତ ହୋଇ ଆସିଅଛି । ବସ୍ତୁତଃ ଭାରତରେ ହିଁ ଏହାର ସୁଦୃଢ଼ ଭିତ୍ତି ଦେଖିବାକୁ ମିଳେ । ଭାରତୀୟମନୀଷୀଙ୍କ ଦୃଷ୍ଟିରେ ମାନବର ଆତ୍ମା ପରମାତ୍ମା ବା ପରଂବ୍ରହ୍ମର ପ୍ରକାଶ ମାତ୍ର ତେଣୁ ମାନବର ଜୀବନ ଦେଶକାଳପାତ୍ରାବଚ୍ଛିନ୍ନ ବ୍ୟକ୍ତିଜୀବନ ନୁହେଁ, ତାହାଠାରେ ଅନନ୍ତ ପରମାତ୍ମା ଶକ୍ତି ଅବ୍ୟକ୍ତଭାବରେ ସଞ୍ଚିତ ରହିଅଛି, ଏବଂ ତାହାର ପୂର୍ଣ୍ଣତା ଏହି ଅବ୍ୟକ୍ତ ଅନନ୍ତ ଶକ୍ତିର ପରିବ୍ୟକ୍ତି ଛଡ଼ା ଅନ୍ୟ କିଛି ନୁହେଁ । ସେଥିପାଇଁ ମାନବର ଧର୍ମ ଦେଶକାଳ ଅବିଚ୍ଛିନ୍ନ ଇନ୍ଦ୍ରିୟସର୍ବସ୍ୱ ତଥା ସ୍ୱାର୍ଥପର ଜୀବର ଧର୍ମ ନୁହେଁ–ତାହାର ସ୍ୱାର୍ଥ ଶ୍ୱାନର ସ୍ୱାର୍ଥପରି କେବଳ ତାହାରିଠାରେ ନିବଦ୍ଧ ରହିବାର ବସ୍ତୁ ନୁହେଁ । ସ୍ୱୀୟ ପ୍ରଜ୍ଞା ଓ ସାଧନାର ବଳରେ ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥକୁ ପରିମାର୍ଜିତ ଓ ପ୍ରସାରିତ କରିପାରିବାର ଶକ୍ତି ତାହାଠାରେ ନିହିତ ଥିବାରୁ ସେ ନିଜର ହିତରେ ପରର ହିତ ଓ ପରର ହିତରେ ନିଜର ହିତ ଦେଖି, ଅର୍ଥାତ୍‌ ‘ନିଜ-ପର-ଭେଦ’ ପରିତ୍ୟାଗ କରି ବିରାଟ ମାନବ ଜାତିର କଲ୍ୟାଣରେ ଆତ୍ମପ୍ରସାଦ ଲାଭକରେ । ଉପନିଷଦ ଯୁଗର ଏହି ଆତ୍ମୋପଲବ୍‌ଧି ହିଁ ବିଶ୍ୱଭ୍ରାତୃତ୍ୱର ମୂଳଦେଶରେ ବିଦ୍ୟମାନ । ସେଥିପାଇଁ ବେଦାନ୍ତ-ଦର୍ଶନ କହେ–ତତ୍ତ୍ୱମସି, ‘ସୋଽହଂ, ଅହଂ ବ୍ରହ୍ମାସ୍ମି’ ତୁମ୍ଭେ ସେହି ପରମାତ୍ମା ବ୍ରହ୍ମ, ମୁଁ ସେହି ପରମ ଆତ୍ମା ‘ଶକ୍ତି’ ଏବଂ ‘ମୁହିଁ ବ୍ରହ୍ମ’ । ଏହି ସୂକ୍ତିଗୁଡ଼ିକରେ ନିହିତ ଦାର୍ଶନିକ ତତ୍ତ୍ୱ ହିଁ ଭାରତୀୟ ଦୃଷ୍ଟିକୋଣରୁ ବିଶ୍ୱଭ୍ରାତୃତ୍ୱର ସୁଦୃଢ଼ ଭିତ୍ତି । ଯଦି ମୁଁ ଓ ତୁମ୍ଭେ, ଅର୍ଥାତ୍‌ ଯଦି ପ୍ରତ୍ୟେକ ବ୍ୟକ୍ତି, ଏକ ଅନନ୍ତ ପରମାତ୍ମା ଶକ୍ତିର ବିଭିନ୍ନ ରୂପ ବା ପ୍ରକାଶ, ଯଦି ବ୍ରହ୍ମ ଓ ଜୀବ, ପରମାତ୍ମା ଓ ଜୀବାତ୍ମା ମୂଳତଃ ଏକ ବା ଅଭିନ୍ନ, ତାହାହେଲେ ବିଶ୍ୱର କୌଣସି ମାନବ ମୋଠାରୁ ପୃଥକ୍‌ ନୁହେଁ, ମୁଁ ତୁମ୍ଭଠାରୁ ଓ ତୁମ୍ଭେ ମୋଠାରୁ ଭିନ୍ନ ନୁହଁ ଉଭୟ; ଅର୍ଥାତ୍‌ ସମସ୍ତ ବ୍ୟକ୍ତି ଏକ ମୂଳଶକ୍ତି ସହିତ ସମ୍ବନ୍ଧ ଏକ ପିତାର ସନ୍ତାନମାନଙ୍କ ପରି ଭ୍ରାତୃତ୍ୱ-ବନ୍ଧନରେ ବଦ୍ଧ । ମୋଠାରେ ଯେଉଁ ପରମଶକ୍ତି ବିଦ୍ୟମାନ, ସେହି ପରମଶକ୍ତି ହିଁ ତୁମ୍ଭଠାରେ, ତେଣୁ ଅନ୍ୟାନ୍ୟ ପ୍ରତ୍ୟେକ ବ୍ୟକ୍ତିଠାରେ ପ୍ରତିଭାତ । କେହି କାହାଠାରୁ ବିଚ୍ଛିନ୍ନ ନୁହନ୍ତି, ପ୍ରତ୍ୟେକର ବିଶ୍ୱପ୍ରକ୍ରିୟାରେ ଯଥାଯଥ ସ୍ଥାନ ରହିଅଛି । ଏହି ଭାବରେ ଭାବମୟ ହୋଇ ବିଶ୍ୱସ୍ଥ ଯାବତୀୟ ବସ୍ତୁରେ ଅଖଣ୍ଡ ପରମାତ୍ମଶକ୍ତିର ଅସ୍ତିତ୍ୱ ଉପଲବ୍‌ଧି କରିବା ତଥା ମହାମାନବ ଜାତିର ପ୍ରତ୍ୟେକ ଶ୍ରେଣୀ ଓ ତଦନ୍ତର୍ଗତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆପଣାର ପରି ଦେଖିବା ଭାରତୀୟ ଆତ୍ମବିକାଶର ଉତ୍କୃଷ୍ଟତମ ଅବସ୍ଥା । ସାଧନା ବଳରେ ଏହି ଅବସ୍ଥାରେ ଉପନୀତ ହେଲେ ସକଳ ଭେଦଭାବ, ସର୍ବବିଧ ଶତ୍ରୁତା ବା ସଂଘର୍ଷ ମାନବର ପ୍ରାଣରୁ ଦୂରୀଭୂତ ହୋଇଯାଏ–ସେତେବେଳେ ସମଗ୍ର ବିଶ୍ୱ ତାହାର ଆତ୍ମାସ୍ୱରୂପରେ ପ୍ରତିଭାତ ହୁଏ । ଏହା ମହାଭାବରେ ଜନତାକୁ ଉଦ୍‌ବୁଦ୍ଧ କରିବା ଉଦ୍ଦେଶ୍ୟରେ ଆର୍ଯ୍ୟ ଋଷି କହିବାକୁ ଯାଇଅଛନ୍ତି ‘ଯସ୍ତୁ ସର୍ବାଣି ଭୂତାନ୍ୟାତ୍ମନ୍ୟେବାନୁପଶ୍ୟତି, ସର୍ବଭୂତେଷୁ ଚାତ୍ମାନାଂ ତତୋ ନ ବିଜୁଗୁପସତେ’-ଯେ ସର୍ବଭୂତଙ୍କୁ ଆତ୍ମାରେ ଦେଖେ ଓ ସର୍ବଭୂତରେ ଆତ୍ମାକୁ ଦେଖେ, ଅର୍ଥାତ୍‌ ନିଜଠାରେ ପ୍ରକାଶିତ ଆତ୍ମଶକ୍ତିକୁ ସକଳ ଭୂତରେ ନିହିତ ଥିବାର ଉପଲବ୍‌ଧି କରେ ଏବଂ ସକଳଭୂତରେ ପ୍ରକାଶିତ ଆତ୍ମଶକ୍ତିକୁ ନିଜଠାରେ ନିହିତ ଥିବାର ଦେଖେ, ସେ କାହାରିକୁ ଘୃଣା କରିବାକୁ ଇଚ୍ଛାକରେ ନାହିଁ । ପୁନଶ୍ଚ ଆର୍ଯ୍ୟ ଋଷି ବୃହଦାରଣ୍ୟକୋପନିଷଦ୍‌ରେ କହିଅଛନ୍ତି ‘ଯଦୈତ ମନୁପଶ୍ୟତ୍ୟାତ୍ମାନଂ ଦେବମଞ୍ଜସା । ଇଶାନଂ ଭୂତଭବ୍ୟସ୍ୟ ନ ତତୋବିଜୁଗୁପ୍‌ସତେ’–ଯେ ଅତୀତ ଓ ଭବିଷ୍ୟତ୍‌ ସକଳ ପଦାର୍ଥର ନିୟାମକ ଏହି ପରମାତ୍ମା ଶକ୍ତି ବା ପରଂବ୍ରହ୍ମକୁ ଉପଲବ୍‌ଧି କରେ ସେ କାହାରିକୁ ଘୃଣା କରେନାହିଁ । ଏହାହିଁ ମାନବର ଚରମ ଓ ପରମ ଅବସ୍ଥା–ତାହାର ବିକାଶର ପୂର୍ଣ୍ଣାବସ୍ଥା । ଏହା ହିଁ ବିଶ୍ୱମାନବିକତା । ଆର୍ଯ୍ୟମହର୍ଷିଗଣ ଆତ୍ମାର ପୂର୍ଣ୍ଣତାକୁ ହିଁ ଜୀବନର ଚରମଲକ୍ଷ ରୂପେ ପ୍ରଚାର କରି ଆସିଛନ୍ତି । ଏହି ପୂର୍ଣ୍ଣତା ଅନ୍ୟ କିଛି ନୁହେଁ–କେବଳ ପରମାତ୍ମା ସହିତ ଜୀବତ୍ମାର ଅଭିନ୍ନତା ନା ତାଦାତ୍ମ୍ୟ-ସମ୍ବନ୍ଧର ଉପଲବ୍‌ଧି ଓ ତଦନୁରୂପ କର୍ମସାଧନା । ଏହା ହିଁ ଆତ୍ମୋପଲବ୍‌ଧି ବା ଆତ୍ମସମ୍ଭୋଗ (Self-realization) ଜୀବାତ୍ମାର ପୂର୍ଣ୍ଣବିକାଶ । ଏହି ଅବସ୍ଥାରେ ଉପନୀତ ବ୍ୟକ୍ତି ହିଁ ବିଶ୍ୱପ୍ରେମରେ ପ୍ରେମବାନ, ବିଶ୍ୱଭ୍ରାତୃତ୍ୱ-ରୂପକ ମହାଭାବର ପ୍ରତୀକ, କହିଲେ ଅତ୍ୟୁକ୍ତି ହେବ ନାହିଁ । ମାୟା ବା ଅଜ୍ଞାନତା ଦୁରୀଭୂତ ନ ହେଲେ ଏହି ମହାଭାବର ଉଦ୍ରେକ ହୁଏ ନାହିଁ । ଅଜ୍ଞନତାଜନିତ ସକଳ ମୋହ, ସକଳ ସଂକୀର୍ଣ୍ଣତା ଦୂରୀଭୂତ ହେବ, ଯେତେବେଳେ ମାନବ ବିଶ୍ୱର ଯାବତୀୟ ବିଭିନ୍ନତା ମଧ୍ୟରେ ଏକତ୍ୱ ଉପଲବ୍‌ଧି କରିବ । ସେଥିପାଇଁ ସିନା ଉପନିଷଦ୍‌ କହେ-ଯସ୍ମିନ୍ ସର୍ବାଣି ଭୂତାନ୍ୟାତ୍ମୈବାଭୂଦ୍‌ବିଜାନତଃ । ତତ୍ର କୋ ମୋହଙ୍କୁଃ ଶୋକ ଏକତ୍ୱମନୁପଶ୍ୟତଃ । ସମସ୍ତ ଭୂତ ଏକ ଅନନ୍ତ ଆତ୍ମଶକ୍ତିରେ ‘ସୂତ୍ରେ ମଣିଗଣାଇବ’ (ସୂତାରେ ମଣିମାନ ଗ୍ରଥିତ ହୋଇ ରହିଲା ପରି) ଅବସ୍ଥିତ ଲାଭକରି ଅଛନ୍ତି ଏବଂ ସମସ୍ତଙ୍କ ମଧ୍ୟରେ ସେହି ଏକ ପରମ ଶକ୍ତି ବିଦ୍ୟମାନ ରହି ସେମାନଙ୍କୁ ଜୀବିତ ତଥା ବିକଶିତ କରୁଅଛି । ଏହି ମହାଭାବର ଉପଲବ୍‌ଧି ହେଲେ ମାନବ ସକଳ ଜୀବାଧର୍ମରୁ ମୁକ୍ତିଲାଭ କରି ଜୀବାନ୍ମୁକ୍ତ ହୁଏ–ସଂକୀର୍ଣ୍ଣ ସ୍ୱାର୍ଥ ବା ଇନ୍ଦ୍ରିୟଭୋଗର ନିଗଡ଼-ବନ୍ଧନରେ ଛନ୍ଦି ନ ହୋଇ ମୁକ୍ତ-ବିହଙ୍ଗବତ୍‌ ବିଶ୍ୱଭ୍ରାତୃତ୍ୱ ବା ବିଶ୍ୱପ୍ରେମର ମହାକାଶରେ ଉଡ଼ି ବୁଲେ । ସେତେବେଳେ ସମଗ୍ର ବିଶ୍ୱ ତାହାର ଓ ସେ ସମଗ୍ର ବିଶ୍ୱର । ସେତେବେଳେ ସେ ମେଦମାଂସବିଶିଷ୍ଟ ପ୍ରବୃତ୍ତିପ୍ରବଣ ଜୀବମାତ୍ର ନୁହେଁ, ସଂକୀର୍ଣ୍ଣ ସ୍ୱାର୍ଥାନ୍ୱେଷୀ ବ୍ୟକ୍ତି ନୁହେଁ, ସେତେବେଳେ ସେ ପୁରୁଷତ୍ୱର ଚରମ ବିକାଶ–ସେ ପୁରୁଷୋତ୍ତମ । ଆତ୍ମାର ଏହି ବିଶାଳତା ଅନୁଭବ କରିବା ଉପରେ ହିଁ ବିଶ୍ୱଭ୍ରାତୃତ୍ୱ ନିର୍ଭର କରେ । ସେଥିପାଇଁ ଆମ ଶାସ୍ତ୍ର କହେ–‘ଅୟଂ ନିଜଃ ପରୋବେତି ଗଣନା ଲଘୁ ଚେତସାଂ । ଉଦାରଚରିତାନାଂତୁ ବସୁଧୈବ କୁଟୁମ୍ବକଂ ।’ ଏଥିରୁ ସ୍ପଷ୍ଟ ଅନୁମିତ ହେବ, ବିଶ୍ୱଭ୍ରାତୃତ୍ୱ ଆଧ୍ୟାତ୍ମିକ ଭିତ୍ତିରେ ହିଁ ପ୍ରତିଷ୍ଠିତ ମାନବଜାତିର ପୂର୍ଣ୍ଣ ଅଭିବ୍ୟକ୍ତିର ବିଧାୟକ । ଦିନ ଥିଲା, ଯେତେବେଳେ ଭାରତର ଏହି ମହାମନ୍ତ୍ର ଜଗତକୁ ପ୍ରଭାବିତ କରିଥିଲା ଏବଂ ଏହାରି ବଳରେ ଭାରତର ଜ୍ଞାନବିଜ୍ଞାନ ପୃଥିବୀକୁ ମୁଗ୍‌ଧ କରିଥିଲା–ଭାରତ ଭାବନାର କବିଙ୍କ ଭାଷାରେ, ତାହାର ଜ୍ଞାନାମୃତ ପାନକରି ଧରଣୀ କୃତାର୍ଥ ହୋଇଥିଲା ।

 

ଉଲ୍ଲିଖିତ ଆଲୋଚନାରୁ ଜଣାଯିବ, ଭାରତୀୟ ଦୃଷ୍ଟିକୋଣରୁ ବିଶ୍ୱଭ୍ରାତୃତ୍ୱ ‘ଦେ-ନେ-କାରବାର ଉପରେ ପ୍ରତିଷ୍ଠିତ ନୁହେଁ । ଆଧୁନିକ ସଭ୍ୟତାର ଭୋଗବିଳାସର ଭିତ୍ତିରେ ବିଶ୍ୱମୈତ୍ରୀ ବା ବିଶ୍ୱଭାତୃତ୍ୱର ଯେଉଁ ପରିକଳ୍ପନା ଦେଖିବାକୁ ମିଳେ, ତାହା ଚତୁର୍ଦ୍ଦିଗରେ ଶାଖା-ପ୍ରଶାଖାମାନ ମେଲି ଦେଉଅଛି ସତ, ମାତ୍ର ସେଗୁଡ଼ିକ ନିର୍ମୂଳବୃକ୍ଷର ଶାଖା-ପ୍ରଶାଖା ସଦୃଶ । ତେଣୁ ତାହାର ସ୍ଥାୟିତ୍ୱ ସନ୍ଦେହଜନକ ବୋଲି ମନେହୁଏ । ଭୌତିକ ଦାବୀ ବା ଅଧିକାର ପ୍ରଭୃତିର ସୂତ୍ରରେ ଲୋକମାନଙ୍କ ମଧ୍ୟରେ ଯେଉଁ ମୈତ୍ରୀ ବା ସ୍ନେହ ସହାନୁଭୂତି ପ୍ରଦର୍ଶିତ ହେଉଅଛି, ଜନକଲ୍ୟାଣପାଇଁ ଯେଉଁ ଉଦ୍ୟମମାନ ଦେଖା ଯାଉଅଛି, ସେ ସମସ୍ତ ଯେପରିକି କେବଳ ସୁବିଧାବାଦର ନୀତିରେ ଆଦୃତ ତଥା ପରିଚାଳିତ । ଏସବୁର ଅଭ୍ୟନ୍ତର ପ୍ରତି ଦୃଷ୍ଟି ପକାଇଲେ ଅନୁମିତ ହୁଏ, ଏସବୁ ଅନେକ ସମୟରେ ଦୁର୍ବଳ ଭିତ୍ତି ଉପରେ ପ୍ରତିଷ୍ଠିତ–କେବଳ କୌଶଳପୂର୍ଣ୍ଣ ପ୍ରଚ୍ଛନ୍ନ ସ୍ୱାର୍ଥାନ୍ଧତା ବୋଲି କୁହାଯାଇପାରେ । ମାତ୍ର ଭାରତରେ ଏ ସମସ୍ତ ବିଶୁଦ୍ଧ କର୍ତ୍ତବ୍ୟରୂପକ ସୁଦୃଢ଼ ତଥା ନିତ୍ୟ ଭିତ୍ତିଉପରେ ଦଣ୍ଡାୟମାନ । ମାନବଜାତି ପ୍ରତି ସ୍ନେହ-ସହାନୁଭୂତି ପ୍ରଦର୍ଶନ କରିବା ତାହାର କର୍ତ୍ତବ୍ୟ, ଏବଂ ସମସ୍ତେ ତାହାରି ପରି ଏକ ବିଶ୍ୱପିତାଙ୍କ ସନ୍ତାନ, ଏହି ଜ୍ଞାନରେ ଚାଳିତ ହୋଇ ଭାରତୀୟ ଯୁଗେ ଯୁଗେ ବିଶ୍ୱଭ୍ରାତୃତ୍ୱକୁ ଜୀବନ କ୍ଷେତ୍ରରେ ମହନୀୟ ସ୍ଥାନ ଦେଇ ଆସିଅଛି । ଅବଶ୍ୟ ଏହାର ଏହି ନୀତି ସମୟ ସମୟରେ କାଳର ପ୍ରଭାବରେ ପ୍ରତିହତ ହେବାକୁ ଯାଇଅଛି, ମାତ୍ର ଏହା କିଛିକ୍ଷଣ ପାଇଁ ଜଳଦପଟଳାବୃତ ମର୍ତ୍ତଣ୍ଡିପରି ନିଷ୍ପ୍ରଭ ହୋଇପଡ଼ିଲେହିଁ ପୁନର୍ବାର ସ୍ୱୀୟ ବିମଳ ପ୍ରଭା ବିସ୍ତାର କରିଅଛି–କେବେହେଁ ଧ୍ୱଂସ ପାଇନାହିଁ । ଏହା ପାଶ୍ଚାତ୍ୟ ‘ହିତବାଦ’ର ଗରିଷ୍ଠସଂଖ୍ୟକ ବ୍ୟକ୍ତିଙ୍କର ହିତସାଧନବ୍ରତ ନୁହେଁ–ସମଗ୍ର ମାନବଜାତିର ହିତବାଦନୀତି (Utilitarianism) ଇନ୍ଦ୍ରିୟଲଭ୍ୟ ସୁଖ ଉପରେ ପ୍ରତିଷ୍ଠିତ । ମାତ୍ର ଭାରତୀୟ ବିଶ୍ୱଭ୍ରାତୃତ୍ୱ ବା ବିଶ୍ୱମୈତ୍ରୀ ଆତ୍ମବିକାଶର ପୂର୍ଣ୍ଣତାରୁ ଲବ୍‌ଧ କର୍ତ୍ତବ୍ୟଜ୍ଞାନ ଉପରେ ପ୍ରତିଷ୍ଠିତ । ଏହି ଦିଗରୁ ବିଚାର କଲେ ମନେହୁଏ, ଆତ୍ମୋପଲବ୍‌ଧି ବା ଆଧ୍ୟାତ୍ମିକବିକାଶଜନିତ ନୈତିକ ଉତ୍କର୍ଷ ଉପରେ ପ୍ରତିଷ୍ଠିତ ବିଶ୍ୱଭ୍ରାତୃତ୍ୱ ଜଗତ୍‌କୁ ଭାରତର ଏକ ଅମୂଲ୍ୟଦାନ ।

 

ବିଶ୍ୱଭ୍ରାତୃତ୍ୱର ପ୍ରତିଷ୍ଠାନିମିତ୍ତ ଅଳ୍ପ କେତେଦିନ ହେଲା ପ୍ରବଳ ପ୍ରଚେଷ୍ଟା ଚାଲିଆସୁଅଛି । ସମ୍ମିଳିତ ଜାତିସଂଘ ତଥା ଆନ୍ତର୍ଜାତିକ ସମ୍ମିଳନୀର ଏହା ହିଁ ଲକ୍ଷ୍ୟ । ସମଗ୍ର ପୃଥିବୀର ଅଧିବାସୀଗଣ ଦେଶକାଳପାତ୍ର ନିର୍ବିଶେଷରେ କିପରି ପରସ୍ପର ଭ୍ରାତୃତ୍ୱସୂତ୍ରରେ ବାନ୍ଧିହୋଇ ପରସ୍ପରର ନିରାପତ୍ତା ଓ ସୁଖଶାନ୍ତି ବର୍ଦ୍ଧନ କରିବେ, ଏହି ଉଦ୍ଦେଶ୍ୟରେ ଉକ୍ତ ଅନୁଷ୍ଠାନମାନ ଉଦ୍ୟମଶୀଳ ହୋଇପଡ଼ିଛନ୍ତି । ଆମ୍ଭେମାନେ ଆନନ୍ଦର ସହିତ ଏଭଳି ଉଦ୍ୟମକୁ ଅଭିନନ୍ଦନ ଜଣାଉଅଛୁ । ମାତ୍ର ସେଥି ସଙ୍ଗେ ସଙ୍ଗେ କହିବାକୁ ଇଚ୍ଛାହୁଏ, କେବଳ ଭୌତିକ ଦୃଷ୍ଟିରୁ ‘ଦେ-ନେ’ କାରବାରକୁ ନୀତିରୂପେ ଧରି ଯେଉଁ ମିଳାମିଶା ପ୍ରତିଷ୍ଠିତ ହେବ, ତାହା ଯଥାର୍ଥ ବିଶ୍ୱଭ୍ରାତୃତ୍ୱର ରୂପରେଖ ହେବ ବୋଲି କହି ହେବନାହିଁ । ଆର୍ଯ୍ୟଋଷିକଣ୍ଠନିର୍ଗତ ସେହି ମହାକାବ୍ୟ ବିଶ୍ୱବାସୀଙ୍କୁ ଉଦ୍‌ବୋଧନ ଦେଉଅଛି–ହେ ମାନବଗଣ, ତୁମ୍ଭେ ‘ଅମୃତସ୍ୟ ପୁତ୍ତ୍ରାଃ’–ଅମୃତର ସନ୍ତାନ । ସୁତରାଂ ଏ ବିଶ୍ୱରେ ତୁମ୍ଭ ପ୍ରତ୍ୟେକଙ୍କର ସ୍ଥାନ ଓ ମର୍ଯ୍ୟାଦା ରହିଅଛି । ତେଣୁ ବ୍ୟକ୍ତିର ବ୍ୟକ୍ତିପ୍ରତି, ଗୋଷ୍ଠୀର ଗୋଷ୍ଠୀପ୍ରତି ତଥା ଜାତିର ଜାତିପ୍ରତି ସମଦର୍ଶିତା ଓ ସୌହାର୍ଦ୍ଦ୍ୟ ଏକ ସୁଦୃଢ଼ ଆଧ୍ୟାତ୍ମିକ ତଥା ନୈତିକ ଭିତ୍ତି ଉପରେ ପ୍ରତିଷ୍ଠିତ । କେବଳ କ୍ଷମତାଦୃପ୍ତ ମନୋବୃତ୍ତିର ଜଗତକୁ ଜବତ୍‌ କରି ତୁମ୍ଭରି ବ୍ୟକ୍ତିଗତ ସ୍ୱାର୍ଥସାଧନର ଉପାୟସ୍ୱରୂପ ଜଗତ୍‌ବାସୀଙ୍କୁ ଦୟା ଦ୍ୱାକ୍ଷିଣ ଦେଖାଇବା ତୁମ୍ଭର କର୍ତ୍ତବ୍ୟ ନୁହେଁ–ଯାନ୍ତ୍ରିକ ସଭ୍ୟତାସଂପନ୍ନ ଭୌତିକ ବଳରେ ବଳଶାଳୀ କେତେକ ଧୂର୍ତ୍ତ ବ୍ୟକ୍ତିଙ୍କ ସୁବିଧାବାଦର ଇଙ୍ଗିତରେ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ଉଦ୍ୟମ ବିଶ୍ୱଭ୍ରାତୃତ୍ୱର ଏକ ବିକଳଚିତ୍ରଣ ହେବ ସିନା । ସେମାନଙ୍କୁ ମନେରଖିବାକୁ ହେବ, କେବଳ ଆତ୍ମବଳରେ ବଳୀୟାନ୍‌ ଆତ୍ମଜ୍ଞାନରେ ମହୀୟାନ୍‌ ବ୍ୟକ୍ତିମାନେ ହିଁ ବିଶ୍ୱଭ୍ରାତୃତ୍ୱର ପ୍ରଚାର ଓ ପ୍ରତିଷ୍ଠାପାଇଁ ସମର୍ଥ । ଜଡ଼ର ଉପାସନାକୁ ମାନବ ସଭ୍ୟତାର ମାନଦଣ୍ଡରୂପେ ଧରି ତାହାର କୃତ୍ରିମ ଛଟାରେ, ତାହାର ଆପାତମଧୁର କୁହୁକ ଧ୍ୱନିରେ, ଜଗତକୁ ଭୁଲାଇବାରେ ବିଶ୍ୱଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ । ଜଡ଼ର ବଳ ପ୍ରକୃତ ବଳ ନୁହେଁ–ଏହା ମାନବକୁ ମୋହାନ୍ଧ କରି ଅଜ୍ଞାତସାରରେ ତାହାର ଦୁର୍ବଳତା ଆନୟନ କରେ । ସେଥିପାଇଁ ଭାରତ କହେ, ଜଡ଼ମନୋବୃତ୍ତି ବା ଇନ୍ଦ୍ରିୟଭୋଗବିଳାସର ପ୍ରରୋଚନାରେ ବିଶ୍ୱଭ୍ରାତୃତ୍ୱପରାୟଣ ଆତ୍ମାର ବିକାଶ ଅସମ୍ଭବ । ଏଥିପାଇଁ ‘ଆଟମ୍‌ବମ୍‌’ (Atom bomb) ଆବଶ୍ୟକ ନୁହେଁ–ଆବଶ୍ୟକ କେବଳ ‘ଆତ୍ମବମ୍‌’ ବା ଆତ୍ମବଳ । ଏହି ଆତ୍ମବଳର କର୍ଷଣ ହିଁ ପୃଥିବୀର ବର୍ତ୍ତମାନ ପରିସ୍ଥିତିରେ ଏକମାତ୍ର ପନ୍ଥା–ଅନ୍ୟଥା ଧ୍ୱଂସ ଅନିବାର୍ଯ୍ୟ । ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନେହେରୁଙ୍କ ପଞ୍ଚଶୀଳ-ନୀତି ଏହି ଉଦ୍ଦେଶ୍ୟରେ ହିଁ ପ୍ରଚାରିତ । ସୁଖର କଥା, ଏହା ରାଜନୀତିକ ଆଦର୍ଶର ବିଭିନ୍ନତା ସତ୍ତ୍ୱେ ସବୁ ଦେଶର ନେତୃବୃନ୍ଦ ତଥା ଅଧିବାସୀଙ୍କ ହୃଦୟକୁ ସ୍ପର୍ଶ କରିଅଛି । ଆଶା ଓ ବିଶ୍ୱାସ, ପ୍ରାଚୀନ ଭାରତରେ ଆଧ୍ୟାତ୍ମିକ ତଥା ନୈତିକ ଭିତ୍ତିରେ ପ୍ରତିଷ୍ଠିତ ଏହି ପଞ୍ଚଶୀଳନୀତି ବିଶ୍ୱଭ୍ରାତୃତ୍ୱର ପ୍ରତିଷ୍ଠା ଦିଗରେ ନିୟାମକ ରୂପେ କାର୍ଯ୍ୟ କରିବ । ମାତ୍ର ମନେ ରଖିବାକୁ ହେବ, କେବଳ ଧୂର୍ତ୍ତତା ତଥା ସ୍ୱାର୍ଥାନ୍ଧତାରେ ପ୍ରଣୋଦିତ ଏହାର ବାଚନିକ ସମର୍ଥନ ଚଳିବ ନାହିଁ । ଏଥିପାଇଁ ପ୍ରତ୍ୟେକ ଦେଶ ବା ଜାତିର ହୃଦୟ ପରିବର୍ତ୍ତନ ଆବଶ୍ୟକ । ଭାରତର ଯେଉଁ ମୌଳିକ ତତ୍ତ୍ୱ ବା ନୀତିର ଅବଲମ୍ବନରେ ଏହି ପଞ୍ଚଶୀଳନୀତି ମହାମନା ନେହେରୁଙ୍କ କର୍ତ୍ତୃକ ପରିକଳ୍ପିତ ଓ ପ୍ରଚାରିତ, ତାହାର ଯଥାର୍ଥ୍ୟ ଉପଲବ୍‌ଧି ନ କଲେ, ସେହି ମହାମନ୍ତ୍ରରେ ହୃଦୟର ପ୍ରତ୍ୟେକ ତନ୍ତ୍ରୀକୁ ଝଙ୍କୃତ ନ କଲେ, କୌଣସି ଦେଶ ବା ଜାତି ଏହା ସତ୍ୟତଃ ଗ୍ରହଣ କରିଛି ବୋଲି କହି ହେବ ନାହିଁ । ସେଥିପାଇଁ ଔପନିଷଦ ଭାଷାରେ କହୁଁ ‘ଉତ୍ତିଷ୍ଠିତ ଜାଗ୍ରତ ପ୍ରାପ୍ୟବରାନ୍‌ ନିବୋଧତ’ ଉଠ, ଜାଗ ଏବଂ ଲକ୍ଷ୍ୟ ସିଦ୍ଧ ନ ହେବା ପର୍ଯ୍ୟନ୍ତ ପ୍ରଚେଷ୍ଟାରୁ ବିରତ ହୁଅ ନାହିଁ ।

Image

 

ଜାତୀୟ ଚରିତ୍ର

 

ଜାତୀୟଚରିତ୍ର ବ୍ୟକ୍ତିର ଚରିତ୍ରରୁ ପୃଥକ୍‌ କୌଣସି ଏକ ଚରିତ୍ର ନୁହେଁ । ଯେପରି ବ୍ୟକ୍ତିଗତ ଜୀବନ ନେଇ ଜାତି ଗଠିତ ସେହିପରି ବ୍ୟକ୍ତିର ଚରିତ୍ରରୁ ହିଁ ଜାତୀୟଚରିତ୍ର ଫୁଟି ଉଠେ । ଅନ୍ୟ ପ୍ରକାରେ କହିଲେ, ବ୍ୟକ୍ତି ହିଁ ଜାତୀୟ ଚରିତ୍ରର ଭିତ୍ତିଭୂମି । ଯେଉଁ ଗୁଣଗୁଡ଼ିକ ଜାତିର ଅଭିବୃଦ୍ଧିରେ, ଜାତିର ଆଦର୍ଶର ଉପଲବ୍‌ଧିରେ ସାହାଯ୍ୟ କରେ, ସେହି ସବୁ ଗୁଣ ବ୍ୟକ୍ତିର ଜାତୀୟ ଚରିତ୍ର ଗଠନ କରେ । ମାନବର ଜୀବନ ଦିଓଟି ବିଭାବ ନେଇ ଗଠିତ–ଗୋଟିଏ ବ୍ୟକ୍ତିଗତ ଓ ଅନ୍ୟଟି ଜାତିଗତ । ଏହି ବିଭାବଦ୍ୱୟ ପରସ୍ପର ଏପରି ଭାବରେ ସଂଶ୍ଳିଷ୍ଟ ଯେ ଏକର ବ୍ୟତିରେକେ ଅନ୍ୟଟିର ବିକାଶ ଅସମ୍ଭବ । ବ୍ୟକ୍ତି ମାତ୍ରକେ କେତୋଟି ବିଶିଷ୍ଟ ଗୁଣରେ ଅନ୍ୟାନ୍ୟ ବ୍ୟକ୍ତିଙ୍କଠାରୁ ପୃଥକ୍‌ ରହି ଜୀବନଧାରଣ କରୁଥିଲେହେଁ ସେମାନଙ୍କ ସହିତ ସମ୍ପର୍କ ନ ରଖି ଗତି କଲେ ତାହାର ଜୀବନ ଅନୁନ୍ନତ ତଥା ବିଶୃଙ୍ଖଳ ଅବସ୍ଥାରେ ପଡ଼ିରହେ । ଏହିଠାରେ ହିଁ ତାହାର ଜୀବନରେ ଜାତିଗତ ବିଭାବର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । ଏହି ବିଭାବବଶତଃ ବ୍ୟକ୍ତିଠାରେ ଜାତୀୟ ମନୋବୃତ୍ତି ଦେଖାଦେଇଥାଏ ଏବଂ ଏହାରି ଯୋଗୁଁ ହିଁ ଜାତିର ଅସ୍ତିତ୍ୱ ବଜାୟ ରହିଅଛି, ନଚେତ୍‌ ଜାତି ପରିବର୍ତ୍ତରେ କତିପୟ ସ୍ୱାର୍ଥ-ସର୍ବସ୍ୱ ତଥା ପରସ୍ପରଠାରୁ ବିଚ୍ଛିନ୍ନ ବ୍ୟକ୍ତିଙ୍କର ଏକ ଅନିୟନ୍ତ୍ରିତ ଅବସ୍ଥିତି ଓ ଚଳନ ଦେଖିବାକୁ ମିଳନ୍ତା–ମନୁଷ୍ୟ ମନୁଷ୍ୟର ରକ୍ଷକ ରୂପରେ ଅନ୍ତର୍ବିପ୍ଳବ ଓ ତଜ୍ଜନିତ ଅମାନୁଷିକ ଅତ୍ୟାଚାରରେ ଲାଗିପଡ଼ିଥାନ୍ତା । ଜାତୀୟଚରିତ୍ରର ବିକାଶ ସେଥିପାଇଁ ଏହି ବିଭାବର ବିକାଶ ଉପରେ ନିର୍ଭର କରେ ଏବଂ ଏହି ଅର୍ଥରେ ହିଁ ବ୍ୟକ୍ତି ଜାତୀୟଚରିତ୍ରର ଭିତ୍ତିଭୂମି ବୋଲି କହିବାକୁ ହୋଇଅଛି । କିନ୍ତୁ ଜାତୀୟ ଚରିତ୍ରର ବିକାଶ ଉପରେ ତାହାର ବ୍ୟକ୍ତିତ୍ୱର ମର୍ଯ୍ୟାଦା ନିର୍ଭର କରେ । ସୁତରାଂ ଜାତୀୟ ଚରିତ୍ର-ହୀନ ବ୍ୟକ୍ତି ପ୍ରକୃତରେ ଚରିତ୍ରବାନ୍‌ ବୋଲି କହିହେବ ନାହିଁ । କେତେ ତଥାକଥିତ ସଚ୍ଚରିତ୍ର ବ୍ୟକ୍ତି ଜାତିର ଉନ୍ନତିରେ ପ୍ରତିବନ୍ଧକ ହୋଇଥାନ୍ତି । କେହି କେହି ନିଜର ବାହୁବଳରେ ଆତ୍ମୋନ୍ନତି ଲାଭ କରିବାକୁ ଯାଇ ସମାଜସ୍ଥ ଅନ୍ୟାନ୍ୟ ବ୍ୟକ୍ତି ଦୂରବସ୍ଥିତ ବା ଅତ୍ୟାଚାରିତ ହେଉଥିଲେହେଁ ସେମାନଙ୍କ ପ୍ରତି ଉଦାସୀନ ରହିଥାନ୍ତି । ଏମାନଙ୍କର ନୀତି ହେଉଛି, ‘ହଲିଲା ପାଣିକି ଗୋଡ଼ ନ ବଢ଼ାଇବା’ । ଏ ଶ୍ରେଣୀର ଲୋକେ ଜାତିଭିତରେ ରହି ସୁଦ୍ଧା ଜାତୀୟ ଜୀବନର ବିକାଶ ଦିଗରେ କିଛି କରିପାରନ୍ତି ନାହିଁ । ଏ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଯଥାର୍ଥରେ ଚରିତ୍ରବାନ ବୋଲି କହିବା ସମୀଚୀନ ନୁହେଁ । ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ଏମାନଙ୍କୁ ପ୍ରଚ୍ଛନ୍ନ ସ୍ୱାର୍ଥାନ୍ଧ ବା ସ୍ୱାର୍ଥସର୍ବସ୍ୱ ବୋଲି କହିବାକୁ ହେବ । ମାଛିକି ‘ମ’ ବୋଲି ନ କହି ଜୀବନରେ ଗତିକଲେ ଲୋକକୁ ଚରିତ୍ରବାନ ବୋଲି କହିବା ସବୁ ସମୟରେ ଠିକ୍‍ ନୁହେଁ । ଏ ଶ୍ରେଣୀର ଲୋକେ ଜଗତର କୌଣସି ଅପକାର କରନ୍ତି ନାହିଁ ବୋଲି ଅନେକଙ୍କର ବିଶ୍ୱାସ । ମାତ୍ର ପ୍ରକୃତରେ ଦେଖିବାକୁ ଗଲେ, ଏମାନେ ସମାଜ ବା ଜାତିର ଅଧଃପତନ ସକାଶେ ଅନେକାଂଶରେ ଦାୟୀ । ଜାତୀୟଚରିତ୍ର ଫୁଟି ନ ଉଠିଲେ ବ୍ୟକ୍ତି ଯେତେ ନିରାପରାଧ ହେଲେହେଁ ତାହାର ବ୍ୟକ୍ତିତ୍ୱ ଅତି ନୀଚସ୍ତରର ବୋଲି କହିବାକୁ ହେବ । ନିଜେ ସତ୍ୟର ପନ୍ଥା ଧରି ନିଜସୁଖ ଦେଖୁଥିଲେ ହେଁ ଯଦି ସମାଜ ବା ଜାତିର ବ୍ୟକ୍ତିମାନଙ୍କୁ ଉକ୍ତ ପନ୍ଥାରେ ନେଇଯିବାର ଉଦ୍ୟମ କୌଣସି ବ୍ୟକ୍ତିଠାରେ ଦେଖା ନ ଯାଏ, ଯଦି ତାହାର ବ୍ୟକ୍ତିତ୍ୱ ଓ କର୍ମପଦ୍ଧତି ଜନସାଧାରଣଙ୍କ ଆଗରେ ଆଦର୍ଶରୂପେ ପ୍ରତିଭାତ ନ ହୁଏ ତାହାହେଲେ ସତ୍ୟର ପନ୍ଥା ପ୍ରକୃତରେ ଅବଲମ୍ବିତ ହୋଇଅଛି ବୋଲି କହିବା ଅଦୂରଦର୍ଶିତା ହେବ-। ସୁତରାଂ ଜାତୀୟ ଚରିତ୍ର ହିଁ ବ୍ୟକ୍ତିକୁ ପ୍ରକୃତରେ ଚରିତ୍ରବାନ କରିପାରେ । ତେବେ କେଉଁ କେଉଁ ଗୁଣ ହାସଲ କଲେ ବ୍ୟକ୍ତିର ଜାତୀୟଚରିତ୍ର ଫୁଟି ଉଠିବ, ବର୍ତ୍ତମାନ ଏଥିପ୍ରତି ଦୃଷ୍ଟି ଦିଆଯାଉ-

 

ପ୍ରଥମତଃ ସେବା ମନୋବୃତ୍ତି ଜାତୀୟଚରିତ୍ରର ଗୋଟିଏ ଅଙ୍ଗ । ଜାତିର ବ୍ୟକ୍ତିମାନଙ୍କ ଉପରେ କର୍ତ୍ତୃତ୍ୱ କରି ସେମାନଙ୍କୁ ଦାସରୂପରେ ବ୍ୟବହାର କରିବା ଜାତୀୟଚରିତ୍ରର ଅପକର୍ଷର ପରିଚାୟକ । ଅନେକେ ନିଜ ନିଜର ସ୍ୱାର୍ଥସାଧନ ଉଦ୍ଦେଶ୍ୟରେ ଅପର ବ୍ୟକ୍ତିଙ୍କୁ ଚାପିରଖି ସେମାନଙ୍କ ଉପରେ ପ୍ରଭୁପଣ ବିସ୍ତାର କରିବାରେ ଲାଗିପଡ଼ନ୍ତି । ଏମାନଙ୍କ ଅତ୍ୟାଚାରରେ ଗ୍ରାମ, ସମାଜ ବା ଦେଶ ନିଃସ୍ୱ ତଥା ଦୁର୍ବଳ ହୋଇ ଜାତୀୟ ଅଧୋଗତିର ବାଟ ଫିଟାଇଦିଏ । ବାହ୍ୟତଃ ନିଜ ନିଜର ସ୍ୱାର୍ଥ ସାଧନ କରୁଅଛନ୍ତି ବୋଲି ମନେ କଲେହେଁ, ଅତର୍କିତଭାବରେ ଏମାନେ ଯେ ଉକ୍ତ ସ୍ୱାର୍ଥ ନଷ୍ଟ କରୁଅଛନ୍ତି, ଏକଥା ବିଚାରରେ ଆଣିପାରନ୍ତି ନାହିଁ । ଏ ଶ୍ରେଣୀର ବ୍ୟକ୍ତିମାନଙ୍କୁ ମନେରଖିବାକୁ ହେବ, ମାନବର ଜୀବନ ଜାତିର ଅନ୍ତର୍ଗତ ବ୍ୟକ୍ତିମାନଙ୍କର ଅନ୍ୟୋନ୍ୟ ସ୍ନେହ, ସହାନୁଭୂତି ଓ ସହଯୋଗ ଉପରେ ଦଣ୍ଡାୟମାନ । ଜାତୀୟ ଅନୁଷ୍ଠାନ ତଥା ସମଷ୍ଟିଗତ କଲ୍ୟାଣ ଉପରେ ହିଁ ବ୍ୟକ୍ତିର ସ୍ୱାର୍ଥସିଦ୍ଧି ନିର୍ଭର କରେ । ନଚେତ୍‌ ଦିନ ଆସିବ, ଯେତେବେଳେ ଏମାନେ ବୁଝିପାରିବେ ଯେ, ଏମାନଙ୍କର ତଥାକଥିତ ପ୍ରଭୁତ୍ୱ ଓ ସ୍ୱାର୍ଥସିଦ୍ଧି ଏମାନଙ୍କୁ ଧ୍ୱଂସମୁଖକୁ ନେଇଯାଇଅଛି । ଦେଶ ଓ ଦଶର ଦୁର୍ଗତି ବା ଦୁରବସ୍ଥା ଦୂରୀକରଣ ନିମିତ୍ତ ଉପଯୁକ୍ତ ଉପାୟ ଉଦ୍ଭାବନ ତଥା ଅବଲମ୍ବନ କରିବାରେ ହିଁ ବ୍ୟକ୍ତିର ସେବା ମନୋବୃତ୍ତି କାର୍ଯ୍ୟରେ ପରିଣତ ହୋଇଥାଏ । କର୍ମକ୍ଷେତ୍ରରେ ଯେତେ ଉଚ୍ଚପଦର ଅଧିକାରୀ ହେଲେହେଁ, ବ୍ୟକ୍ତି ଯେ ଜାତିର ଜନସାଧାରଣଙ୍କର ସେବକ, ଏହି ମହାଭାବ ସର୍ବଦା ମନେ ରଖି କାର୍ଯ୍ୟ କରିବା ବିଧେୟ । ଦେଶବାସୀ ଦାରିଦ୍ର୍ୟ ଓ ବ୍ୟାଧିର କଷାଘାତରେ ବ୍ୟତିବ୍ୟସ୍ତ ହେଉଥିବାବେଳେ ନିଜେ ସୁଖ ସମ୍ଭୋଗରେ ରହି ଜୀବନକୁ ଚରିତାର୍ଥ ମନେକରିବା ପ୍ରକୃତରେ ‘ଜୀବନ’ ପଦବାଚ୍ୟ ନୁହେଁ ।

 

ଦ୍ୱିତୀୟତଃ, ଜାତିର ଅନ୍ତର୍ଗତ ବ୍ୟକ୍ତିମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିବାର ଅଭ୍ୟାସ ବଢ଼ିବା ଉଚିତ । ଧନ-ଜନ-ଯୌବନର ଗର୍ବରେ ଉନ୍ମତ୍ତ ହୋଇ ଖ୍ୟାତି ବା ପ୍ରତିଷ୍ଠା ଦେଖାଇବା ଲାଗି କେତେ ବ୍ୟକ୍ତି ଯେ ଜାତି ବା ସମାଜର ବ୍ୟକ୍ତିମାନଙ୍କ ପ୍ରତି ଅନାସ୍ଥା ଓ ଅବହେଳା ପ୍ରଦର୍ଶନ କରିଥାନ୍ତି, ତାହାର କଳ୍ପନା କରିବା କଠିନ । ଆପଣାର ପଦମର୍ଯ୍ୟାଦା ଓ ଗୌରବର ମୋହରେ ଅନ୍ଧୀଭୂତ ହୋଇ ପ୍ରତିବେଶୀ ବା ଜାତିର ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ହେୟଜ୍ଞାନ କରିବା, ସେମାନଙ୍କର ଶକ୍ତି ବା ଗୁଣରାଶି ପ୍ରତି ତାଚ୍ଛିଲ୍ୟ ପ୍ରଦର୍ଶନ କରିବା, ଜାତୀୟ ଚରିତ୍ରବିକାଶରେ ପ୍ରଧାନ ଅନ୍ତରାୟ । ଧନୀ ହେଉ ବା ନିର୍ଦ୍ଧନ ହେଉ, ଉଚ୍ଚପଦସ୍ଥ ହେଉ ବା ନୀଚପଦସ୍ଥ ହେଉ, ପ୍ରତ୍ୟେକ ବ୍ୟକ୍ତିର ଜାତି ବା ସମାଜରେ ସ୍ଥାନ ଅଛି । ଯେଉଁମାନେ ଏଥିପ୍ରତି ଦୃଷ୍ଟି ନ ଦେଇ ସମସ୍ତଙ୍କୁ କ୍ଷୁଦ୍ର ମନେକରନ୍ତି, ସେମାନେ ଜାତୀୟ ଜୀବନର ବିକାଶ ପଥରେ ରୋଧକ ସ୍ତମ୍ଭସଦୃଶ । ଏମାନଙ୍କର ଜୀବନ ମାନବେତର ପ୍ରାଣୀଙ୍କର ଜୀବନଠାରୁ ଆହୁରି ସଂକୀର୍ଣ୍ଣ, କହିଲେ ଅତ୍ୟୁକ୍ତି ହେବ ନାହିଁ । ଏମାନେ ଅତି ନୀଚସ୍ତରରେ ପଡ଼ିରହି, ଆପାତଗର୍ବ ଓ ଅହଙ୍କାରର ମାଦକତାରେ ନୈତିକ ମୃତ୍ୟୁ ଲଭନ୍ତି ଏବଂ ସ୍ୱାଭାବିକ ମୃତ୍ୟୁପରେ ଏମାନଙ୍କର ନାମଗନ୍ଧ ପର୍ଯ୍ୟନ୍ତ ଲୋପ ପାଇଯାଏ । ସେଥିପାଇଁ କଥିତ ଅଛି–ଅନ୍ୟମାନଙ୍କଠାରୁ ଯେପରି କାର୍ଯ୍ୟ ବା ବ୍ୟବହାର ପାଇବାକୁ ଚାହଁ ସେମାନଙ୍କ ପ୍ରତି ସେହିପରି କାର୍ଯ୍ୟ ବା ବ୍ୟବହାର ଦେଖାଅ । ବାସ୍ତବିକ ପ୍ରତ୍ୟେକ ବ୍ୟକ୍ତିର ମନେରଖିବା ଉଚିତ, ଜାତିର ବ୍ୟକ୍ତିମାନଙ୍କ ପ୍ରତି ସର୍ବଦା ଶ୍ରଦ୍ଧା ଓ ସମ୍ମାନ ରଖି ନିଜର ଜୀବନ ସଙ୍ଗରେ ସେମାନଙ୍କ ଜୀବନର ଓ ତେଣୁ ସମଗ୍ର ଜାତିର ବିକାଶ ସମ୍ପାଦନ କରିବାକୁ ହେବ–ନିଜେ ବଞ୍ଚି ଅପରକୁ ବଞ୍ଚାଇବାକୁ ହେବ ।

 

ତୃତୀୟତଃ ଉଦାରତା ଓ ତିତିକ୍ଷା ଜାତୀୟ ଚରିତ୍ରର ବିଶିଷ୍ଟ ଉପାଦାନ । ଦେଶବାସୀଙ୍କର ଜନ୍ମଗତ ଅଧିକାର ଓ ସ୍ୱାଧୀନତା ଉପରେ କୌଣସିପ୍ରକାର ପ୍ରତିବନ୍ଧକ ଆଣିବା ଉଚିତ ନୁହେଁ । ଜାତୀୟଚରିତ୍ରରେ ହୀନ ବ୍ୟକ୍ତି ଦେଶବାସୀଙ୍କର ସ୍ୱାଧୀନତା ଓ ସ୍ୱାଧୀନମତ ଉପରେ ହସ୍ତକ୍ଷେପ କରିବାକୁ ସତତ ଉଦ୍ୟତ ରହିଥାଏ । ତାହାର ଦୋଷଦୁର୍ବଳତା ଉପରେ କେହି କୌଣସି ମନ୍ତବ୍ୟ ପ୍ରକାଶ କଲେ ତାହା ତାହାପ୍ରତି ଅସହ୍ୟ ହୋଇପଡ଼େ । ପୁଣି କୌଣସି ବ୍ୟକ୍ତି ବା ସଂଘ ସ୍ୱାଧୀନ ଚିନ୍ତା ବଳରେ କୌଣସି କଲ୍ୟାଣକର ଅନୁଷ୍ଠାନ ଗଢ଼ିବାକୁ ବସିଲେ ଅନୁଦାର ଓ ଅସହିଷ୍ଣୁ ବ୍ୟକ୍ତିର ସଂକୀର୍ଣ୍ଣତା ତାହାର ଜୀବନକୁ ନାନାଭାବରେ ସଙ୍କଟାପନ୍ନ କରି, ସେ ଯଥାର୍ଥରେ ଚରିତ୍ରବାନ୍‌ ହେଲେହେଁ ତାହାକୁ କଳଙ୍କିତ ଚରିତ୍ର ବୋଲି ଘୋଷଣା କରି, ଜାତୀୟ ଜୀବନର ବିକାଶ ନିମିତ୍ତ ତାହାର ସମସ୍ତ ଉତ୍ସାହ ଓ ଉଦ୍ୟମ ପଣ୍ଡ କରିବାରେ ଲାଗିପଡ଼େ । ଏ ଧରଣର ମନୋବୃତ୍ତି ଜାତୀୟଚରିତ୍ରରେ କଳଙ୍କ ଓ ଜାତୀୟ ଜୀବନର ଏକ ପ୍ରଧାନ ଶତ୍ରୁ । ସୁତରାଂ ଏ ଶ୍ରେଣୀର ଲୋକେ ଯେତେ ଶୀଘ୍ର ଦେଶରୁ ଅନ୍ତର୍ହିତ ହୁଅନ୍ତି କିମ୍ବା ସଂଶୋଧିତ ହୁଅନ୍ତି ସେତେ ଭଲ-। ନିଜର ସ୍ୱାର୍ଥସିଦ୍ଧି ନିମିତ୍ତ, ନିଜର ଟେକ ବଜାୟରଖିବା ଉଦ୍ଦେଶ୍ୟରେ, ଅନ୍ୟମାନଙ୍କର ସ୍ୱାଧୀନ ଜୀବନଧାରାକୁ ରୁଦ୍ଧ କରିଦେବା ଜାତୀୟ ଚରିତ୍ରରେ ଚରିତ୍ରବାନ୍‌ ବ୍ୟକ୍ତିର ଚିହ୍ନ ନୁହେଁ-। ପ୍ରକୃତ ଚରିତ୍ରବାନ୍‌ ବ୍ୟକ୍ତି ଦେଶହିତୈଷୀ, ଉଦାରମନା ଓ ସହନଶୀଳ ତଥା ଜାତୀୟ ଜୀବନର ସ୍ୱାଧୀନ ବିକାଶରେ ଏକ ପ୍ରଧାନ ସହାୟକ । ସୁତରାଂ ଯେଉଁ ଜାତିରେ ଅନୁଦାର ଓ ଅସହିଷ୍ଟୁ ବ୍ୟକ୍ତି ବିଦ୍ୟମାନ, ସେହି ଜାତିର ଉନ୍ନତି ସୁଦୂରପରାହତ । ବଡ଼ ଦୁଃଖର କଥା, ସମାଜ ଓ ଜାତି ମଧ୍ୟରେ ଏପରି ନିକୃଷ୍ଟ ଶ୍ରେଣୀର ବ୍ୟକ୍ତି ଦେଖାଯାଆନ୍ତି, ଯେଉଁମାନଙ୍କଠାରେ ଉଲ୍ଲିଖିତ ଗୁଣଦ୍ୱୟର ବିଶେଷ ଅଭାବ ପରିଦୃଷ୍ଟ ହୁଏ । ପୁଣି ଈଦୃଶ ବ୍ୟକ୍ତି ଜାତୀୟ ଜୀବନର ପ୍ରତିଷ୍ଠା ଓ ବିକାଶର କର୍ଣ୍ଣଧାର ହେଲେ ମହାବିପଦ ।

 

ଜାତି ପ୍ରତି ମମତା ମଧ୍ୟ ଜାତୀୟ ଚିତ୍ରର ଏକ ଅପରିହାର୍ଯ୍ୟ ଅଙ୍ଗ । ଜାତୀୟ ଜୀବନର ସଂକଟ ସମୟରେ, ଜାତିର ଘଡ଼ିସନ୍ଧି ବେଳେ, ଯେତେବେଳେ ବ୍ୟକ୍ତିମାନଙ୍କପ୍ରତି କର୍ତ୍ତବ୍ୟର ଆହ୍ୱାନ ଆସେ ସେତେବେଳେ ଜାତୀୟ ଚରିତ୍ରରେ ମହୀୟାନ ବ୍ୟକ୍ତି ଉକ୍ତ ଆହ୍ୱାନ ପ୍ରତି ଉଦାସୀନ ହୋଇ ରହିପାରନ୍ତି ନାହିଁ । ଅବଶ୍ୟ ଅନେକ ସମୟରେ ଏପରି ଘଟିଥାଏ ଯେ, ଜାତିର କର୍ଣ୍ଣଧାରମାନେ ଭ୍ରମ ପ୍ରମାଦ ବା ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଅକାଳୋଚିତ ତତା ଅସମୀଚୀନ ଆହ୍ୱାନ ଶୁଣାଇଥାନ୍ତି । ଏପରି ଅବସ୍ଥାରେ ଯାହାଙ୍କଠାରେ ଜାତୀୟଚରିତ୍ର ପରିସ୍ଫୁଟ, ସେ ଯଦି ଦେଖନ୍ତି ଯେ ଆହ୍ୱାନଟା ଅନୁସରଣୀୟ ନୁହେଁ, ତାହେଲେ ସେ ନିଜେ ଏହା ବିରୁଦ୍ଧରେ ଦଣ୍ଡାୟମାନ ହୋଇ ତଜ୍ଜନିତ ଯାବତୀୟ ନିର୍ଯ୍ୟାତନା ସହିବାକୁ ପ୍ରସ୍ତୁତ ହୁଅନ୍ତି ପଛକେ, କେତେବେଳେ ହେଲେ ଭୟ ଅଥବା ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥର ମୋହରେ ପଡ଼ି ସେଥିପ୍ରତି ଉଦାସୀନ ରହନ୍ତି ନାହିଁ । କିନ୍ତୁ ଯଦି ଆହ୍ୱାନଟି ସମୀଚୀନ ତଥା ସମୟୋଚିତ ହୋଇଥାଏ, ତାହାହେଲେ ସେ ତଦନୁଯାୟୀ କାର୍ଯ୍ୟ କରିବାକୁ ଆଦୌ କୁଣ୍ଠିତ ହୁଅନ୍ତି ନାହିଁ । ଉଭୟତଃ ତାଙ୍କଠାରେ ଜାତୀୟଚରିତ୍ରର ବିକାଶ ଘଟିଅଛି ବୋଲି ବୁଝିବାକୁ ହେବ । କେବଳ ଭୟ ବା ସଂକୀର୍ଣ୍ଣ ସ୍ୱାର୍ଥର ମୋହରେ ଦେଶର ଡାକପ୍ରତି କର୍ଣ୍ଣପାତ ନ କରି ନିଷ୍କ୍ରିୟ ଭାବରେ ଲୁଚି ରହିବା ଜାତୀୟଚରିତ୍ରର ବିରୋଧୀ । ଜାତି ‘ମୋର’ ଓ ‘ମୁଁ ଜାତିର’, ଏହି ଭାବ ମନ ଭିତରେ ପୋଷିରଖି ଜାତିର ଟେକ ଜଗତସମକ୍ଷରେ ବଜାୟ ରଖିବା ଜାତୀୟ ଚରିତ୍ରୋପଲବ୍‌ଧିର ପ୍ରକୃଷ୍ଟ ପରିଚାୟକ ।

 

ଏହାଛଡ଼ା କର୍ମକ୍ଷେତ୍ରରେ ନିର୍ମଳ ନିଷ୍ଠା, ସାଧୁତା, ନ୍ୟାୟପରତା ଓ ନିୟମବଦ୍ଧତାର ଅଭାବ ଜାତୀୟଜୀବନର ବିକାଶର ଏକାନ୍ତ ପ୍ରତିବନ୍ଧକ । ଜାତିର କର୍ମାନୁଷ୍ଠାନମାନଙ୍କର ପରିଚାଳନାଭାର ଗ୍ରହଣ କରି ଅନେକ ତତ୍‌ସଂଲଗ୍ନ ପଦମର୍ଯ୍ୟାଦାରେ ମୋହିତ ହୋଇ ଓ ସେମାନଙ୍କ ଉପରେ ନ୍ୟସ୍ତ କ୍ଷମତାର ସୁବିଧା ନେଇ କର୍ତ୍ତବ୍ୟର ପନ୍ଥା ହରାଇ ବସନ୍ତି ଓ ନାନା ଅସତ୍‌ ଉପାୟରେ ନିଜ ନିଜର ସ୍ୱାର୍ଥ ସାଧନ କରନ୍ତି । କେତେକ କ୍ଷମତାଦୃପ୍ତ ବ୍ୟକ୍ତି ଜ୍ଞାତିପକ୍ଷପାତିତା (Nepotism) କବଳରେ ପଡ଼ି ଆତ୍ମୀୟସ୍ୱଜନଙ୍କର ସ୍ୱାର୍ଥସିଦ୍ଧି ନିମିତ୍ତ ନ୍ୟାୟପଥରୁ ବିଚ୍ୟୁତ ହୋଇପଡ଼ନ୍ତି । ଏହି ସବୁ କାର୍ଯ୍ୟ ଜାତୀୟଜୀବନର ଘୂଣ ସଦୃଶ । ଏଥି ସଙ୍ଗେ ସଙ୍ଗେ ପୁଣି ଏ ଶ୍ରେଣୀର ଲୋକେ ଜାତିର ବିକାଶବିଧାୟକ ନିୟମମାନ ଲଘଂନ କରି ବିଶୃଙ୍ଖଳା ଓ ବିପ୍ଳବ ସୃଷ୍ଟିପୂର୍ବକ ଜାତୀୟଚରିତ୍ରର ଦୃଢ଼ତା ତଥା ପ୍ରକର୍ଷରେ ବହୁତ ଅପଚୟର କାରଣ ହୋଇଥାନ୍ତି । ଫଳରେ କେବଳ ଜାତି ଯେ ନଷ୍ଟ ହୁଏ, ତାହା ନୁହେଁ, ବ୍ୟକ୍ତିଗତ ଜୀବନର ସକଳ ସୁଖସ୍ୱାଚ୍ଛନ୍ଦ୍ୟ, ସକଳ ମହତ୍ତ୍ୱ, ଅଚିରେ ବିଲୟପ୍ରାପ୍ତ ହୁଏ । ପୃଥିବୀର ଇତିହାସ ପ୍ରତି ଦୃଷ୍ଟି ଦେଲେ ଜଣାଯିବ, ଯେଉଁ ଜାତିରେ ଉଲ୍ଲିଖିତ ଗୁଣଗୁଡ଼ିକର ଏହିପରି ବ୍ୟତ୍ୟୟ ଘଟିଅଛି, ଯେଉଁ ଜାତିରେ ନିଷ୍ଠା, ସାଧୁମନୋବୃତ୍ତି, ନ୍ୟାୟପରତା ଓ ନିୟମନିଷ୍ଠତାର ହ୍ରାସ ଘଟିଅଛି, ସେହି ଜାତି ଜଗତ୍‌ସମକ୍ଷରେ ନିଜର ଗୌରବ ଓ ପ୍ରତିଷ୍ଠା ହରାଇ ବସିଅଛି । କେବଳ ସେତିକି ନୁହେଁ, ସମୟ ସମୟରେ ନିଜର ନିଜତ୍ୱ ହରାଇ ପରପଦାନତ ହେବାକୁ ଯାଇଅଛି ।

 

ଏହି କ୍ଷୁଦ୍ର ପ୍ରବନ୍ଧରେ ଜାତୀୟଚରିତ୍ରବିକାଶର ସହାୟକ ଯେଉଁ କେତୋଟି ପ୍ରଧାନ ଗୁଣର ଅବତାରଣା କରାଗଲା, ସେଗୁଡ଼ିକର ଅର୍ଜ୍ଜନ ଓ ପରିଶୀଳନ ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ । ମନେରଖିବାକୁ ହେବ, ଜାତିର ଗଣ୍ଡିରେ ରହି ତାହାର କଲ୍ୟାଣରେ ବାଧାବିଘ୍ନ ସୃଷ୍ଟି କଲେ ଜାତି ଧ୍ୱଂସ ପାଇବ, ତା ସଙ୍ଗେ ସଙ୍ଗେ ପୁଣି ବ୍ୟକ୍ତିଗତ ଜୀବନର ସର୍ବନାଶ ଘଟିବ । ବ୍ୟକ୍ତିର ଯାବତୀୟ ସୁଖସଂପଦ, ତାହାର ସର୍ବବିଧ ଉନ୍ନତି ଓ ପ୍ରତିଷ୍ଠା, ଜାତିକର୍ତ୍ତୃକ ସଂରକ୍ଷିତ–ଜାତିସ୍ଥ ବ୍ୟକ୍ତିମାନଙ୍କର ସହାନୁଭୂତି ଓ ସହଯୋଗ ଉପରେ ପ୍ରତିଷ୍ଠିତ । ଜାତିର କ୍ରୋଡ଼ରେ ଲାଳିତ ପାଳିତ ହୋଇ ଜାତିକର୍ତ୍ତୃକ ସଂରକ୍ଷିତ ଦେଶମାତୃକାର ସ୍ତନ୍ୟପାନ କରି, ସେ ନିଜର ଶିକ୍ଷା ଦୀକ୍ଷା, ଧନ ଜନ-ଗୋପଲକ୍ଷ୍ମୀ ଅର୍ଜନ କରିଅଛି । ଆଜିକାଲି କିନ୍ତୁ ଭାରତରେ ବ୍ୟକ୍ତିଗତ ଜୀବନ ପ୍ରତି ଲକ୍ଷ୍ୟ କଲେ ଅନୁମିତ ହୁଏ, ଜାତୀୟ ଚରିତ୍ରର ବିକାଶ ବହୁତ ପଛରେ । ଭାରତର ସାଧାରଣ ବ୍ୟକ୍ତିଗତ ଜୀବନ ଏକାବେଳକେ ସଂକୀର୍ଣ୍ଣ ସ୍ୱାର୍ଥଜଡ଼ିତ ଓ ନାଗରିକ ଜୀବନର ବହିର୍ଭୂତ ହୋଇପଡ଼ିଥିବାର ଅନୁମାନ ହୁଏ । ପତ୍ରପତ୍ରିକାରେ ଦେଶପ୍ରାଣ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ବ୍ୟଥିତ ହୃଦୟରୁ ନିଃସୃତ ବକ୍ତବ୍ୟମାନଙ୍କରୁ ସ୍ପଷ୍ଟ ଅନୁମିତ ହୁଏ, ଭାରତରେ ଜନସାଧାରଣଙ୍କ ମଧ୍ୟରେ ଜାତୀୟଚରିତ୍ରର ଗଠନ ପ୍ରତି ଆସ୍ଥା ଆସିନାହିଁ । ଏମାନଙ୍କର ନୀତି ଯେପରି ହୋଇପଡ଼ିଛି, ଦେଶ ଧ୍ୱଂସକୁ ଯାଉ ପଛକେ, ନିଜେ ବଞ୍ଚିଲେ ସବୁ ହେଲା । ଏମାନଙ୍କର ଆତ୍ମମ୍ଭରିତା ଦେଖିଲେ କିଏ ମନେ ନ କରିବ ଯେ ଏମାନେ ପ୍ରତ୍ୟେକ ଅତର୍କିତ ଭାବରେ ଆତ୍ମହତ୍ୟା କରୁଅଛନ୍ତି । ନିର୍ବୋଧ ଯେଉଁ ଡାଳରେ ବସିଥାଏ, ଠିକ୍‌ ସେହି ଡାଳ ମୂଳରୁ କାଟି ଆପଣାର ମୃତ୍ୟୁର କାରଣ ହେଲାପରି ଏମାନେ ଅସାଧୁ ଉପାୟରେ ନିଜ ନିଜର ଆତ୍ମମ୍ଭରିତା ଚରିତାର୍ଥ କରିବାକୁ ଯାଇ ଜୀବନର ସର୍ବନାଶ ଘଟାଉଅଛନ୍ତି । ଧନ-ମନୋବୃତ୍ତି ଏହି ଅସାଧୁତାକୁ କଳାବଜାର, ଲାଞ୍ଛମିଛ, ମାଲିମୋକଦ୍ଦମା ପ୍ରଭୃତି ଅନାଚାରକୁ ଅବୋଧ ପ୍ରଶୟ ଦେଇ ଜାତୀୟ ଜୀବନର ସ୍ଥିତି ଓ ବିକାଶର ମୂଳରେ କୁଠାରାଘାତ କରୁଅଛି । ଏହି ଦୁର୍ନୀତିଗୁଡ଼ିକର ଦ୍ୱାର ରୁଦ୍ଧ ନ ହେଲେ ଜାତୀୟ ଚରିତ୍ରର କଥା ଦୂରେ ଥାଉ, ବ୍ୟକ୍ତିର ଅସ୍ତିତ୍ୱ ପର୍ଯ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିବ । ସେଥିପାଇଁ ଦିନ ଆସିଛି, ଯେତେବେଳେ ସମାଜ ବା ଜାତିରେ ଆଦର୍ଶ ବ୍ୟକ୍ତିତ୍ୱର ପ୍ରତିଷ୍ଠା ପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିବା ଆବଶ୍ୟକ । ପ୍ରାଚୀନ ଭାରତ ଏଥିପାଇଁ କହିଆସିଅଛି–ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକତ୍ୱ ବିଦ୍ୟମାନ ରହିଛି । ବେଦାନ୍ତର ସେହି ଶାଶ୍ୱତବାଣୀ ‘ତତ୍ତ୍ୱମସି’ ସାର୍ବଜନୀନ ଭ୍ରାତୃତ୍ୱର ପ୍ରତିଷ୍ଠା ଲାଗି ପଥ ପରିଷ୍କାର କରିଦେଇଅଛି । ମାତ୍ର ବଡ଼ ଦୁଃଖର କଥା, ମାନବ ଏଥିପ୍ରତି ଦୃକ୍‌ପାତ କରୁ ନାହିଁ । କେବଳ ସଂକୀର୍ଣ୍ଣ ବ୍ୟକ୍ତିଗତ ଇନ୍ଦ୍ରିୟାଧୀନ ଜୀବନକୁ ସର୍ବସ୍ୱ ମନେକରି ଜାତୀୟଚରିତ୍ର ଓ ତଜ୍ଜନିତ ଜାତୀୟ ଉତ୍କର୍ଷ ମୂଳୋତ୍ପାଟନ କରୁଅଛି–ସ୍ୱୀୟ ଆତ୍ମାର ଜାତିଗତ ବିଭାବର ବିନାଶ ସାଧନ କରି ତତ୍‍ନିର୍ଭର ବ୍ୟକ୍ତିଗତ ବିଭାବଟିର ମଧ୍ୟ ଧ୍ୱଂସ ଆନୟନ କରୁଅଛି । ଆଗରୁ କହିଅଛୁଁ, ଏ ଶ୍ରେଣୀର ବ୍ୟକ୍ତି ଆତ୍ମଘାତୀ ମାତ୍ର-। ସେଥିପାଇଁ ସିନା, ଆର୍ଯ୍ୟ ଋଷିଙ୍କର କଣ୍ଠରୁ ନିର୍ଗତ ହୋଇଅଛି–‘‘ଅସୁର୍ଯ୍ୟା ନାମ ତେ ଲୋକା ଅନ୍ଧେନ ତମସାବୃତାଃ, ତାଂସ୍ତେ ପ୍ରେତ୍ୟୋଭିଗଚ୍ଛନ୍ତି ଯେ କେ ଚାତ୍ମହନୋ ଜନାଃ’ । ଅର୍ଥାତ୍‍ ଯେଉଁମାନେ ଉଲ୍ଲିଖିତ ପ୍ରକାରେ ଆତ୍ମଘାତୀ ହୁଅନ୍ତି, ଆତ୍ମାର ଉଭୟ ବିଭାବର ଯଥାଯଥ ବିକାଶ ସାଧନରେ ବ୍ୟାଘାତ ଘଟାନ୍ତି, ଯେଉଁମାନେ ପରଧନାପହରଣ, ପରପୀଡ଼ନ ପ୍ରଭୃତି ନାନା ଅନାଚାର ଓ ଅତ୍ୟାଚାରରେ ଲିପ୍ତରହି ଆତ୍ମାର ଅଧୋଗତିର କାରଣ ହୁଅନ୍ତି, ସେମାନେ ମୃତ୍ୟୁପରେ ଘୋର ତମୋମୟ ରାଜ୍ୟର ଲୀନ ହୁଅନ୍ତି–ମାନବଜାତିର ସ୍ମୃତିରୁ ଏକାବେଳେକେ ଲୋପ ପାଇଯାନ୍ତି । ମାନବ ଜୀବନର ଏହି ମୂଳମନ୍ତ୍ରଗୁଡ଼ିକରେ ହିଁ ବ୍ୟକ୍ତିଜୀବନରେ ଜାତୀୟଚରିତ୍ର ଗଢ଼ିବାର ପନ୍ଥା ନିର୍ଦ୍ଦେଶିତ ହୋଇଅଛି । ଏଗୁଡ଼ିକ ହୃଦୟଙ୍ଗମ କରି ଜାତୀୟ ଚରିତ୍ରର ସହାୟକ ନୀତିଗୁଡ଼ିକର ପରିଶୀଳନ ଓ ପ୍ରୟୋଗରେ ଲାଗିପଡ଼ିବା ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ । ତାହାହେଲେ ଯାଇ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ଜାତୀୟଚରିତ୍ର ଫୁଟି ଉଠିବ, ଜାତୀୟ ଜୀବନ ଧନ୍ୟ ହେବ, ଆଦର୍ଶ ବ୍ୟକ୍ତିତ୍ୱ ପ୍ରତିଷ୍ଠିତ ହେବ ।

Image

 

ମହାପୁରୁଷ ବୈଶିଷ୍ଟ

 

ଆବହମାନ କାଳରୁ ଭାରତରେ, କେବଳ ଭାରତରେ କାହିଁକି, ସମଗ୍ର ପୃଥିବୀରେ ମହାପୁରୁଷମାନେ ସୃଷ୍ଟିର କି ଏକ ବିଚିତ୍ର ବିଧାନରେ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇ ମାନବଜାତିର ଆଦର୍ଶରୂପରେ ଜୀବନର ଜ୍ଞାନ, କର୍ମ ଦିଗରେ ପଥପ୍ରଦର୍ଶକ ରୂପେ କର୍ମ କରି ଅମରତ୍ୱ ଲାଭକରିଅଛନ୍ତି । ସେମାନେ ‘ଆଦର୍ଶମାନବ’, ‘ମହାତ୍ମା’ ବା ‘ମହାମାନବ’ ନାମରେ ଅଭିହିତ ହୋଇଥାନ୍ତି । ପୃଥିବୀସାରା ଏମାନଙ୍କର ଆବିର୍ଭାବ ଓ ତିରୋଭାବର ଦିବସମାନ ମହାସମାରୋହରେ ପାଳିତ ହୋଇ ଆସୁଅଛି । ଏମାନଙ୍କର ଜୀବନଚରିତ ଓ ଅଲୌକିକ କାର୍ଯ୍ୟକଳାପର ଆଲୋଚନା ଏହି ପୁଣ୍ୟ ଦିବସମାନଙ୍କରେ ନାନା ଦିଗରୁ ହୋଇଥାଏ ।

 

ପ୍ରତ୍ୟେକ ଦେଶ, ପ୍ରଦେଶ, ଜାତି ବା ସମାଜରେ ମହାପୁରୁଷମାନଙ୍କର ଗୁଣ କୀର୍ତ୍ତନ କରିବା ଏକ ପବିତ୍ର କର୍ତ୍ତବ୍ୟରୂପେ ଗୃହୀତ ହୋଇଥାଏ । ଏହାହିଁ ସେମାନଙ୍କ ପ୍ରତି ବିଶ୍ଳେଷଣାତ୍ମକ ଦୃଷ୍ଟିନିକ୍ଷେପ କଲେ ସାଧାରଣତଃ କେତୋଟି ବିଶିଷ୍ଟ ଲକ୍ଷଣ ଆମ୍ଭମାନଙ୍କ ସମ୍ମୁଖରେ ପ୍ରତିଭାତ ହୁଏ । ଉକ୍ତ ଲକ୍ଷଣଗୁଡ଼ିକ ଲିପିବଦ୍ଧ କରିବା ଏ କ୍ଷୁଦ୍ର ପ୍ରବନ୍ଧର ଉଦ୍ଦେଶ୍ୟ ।

 

ପ୍ରାଚୀନ କାଳରୁ ଭାରତରେ ଏହି ମହାତ୍ମା ବା ମହାପୁରୁଷଙ୍କର ଲକ୍ଷଣ ସମ୍ବନ୍ଧରେ ଶାସ୍ତ୍ରୀୟ ବଚନ ଦେଖିବାକୁ ମିଳେ । ଉଦାହରଣ ସ୍ୱରୂପ କଥିତ ଅଛି–

 

ମନସ୍ୟେକଂ ବଚସ୍ୟେକଂ

କର୍ମଣ୍ୟେକଂ ମହାତ୍ମନାମ୍‌

ମନସ୍ୟନ୍ୟତ୍‌ ବଚସ୍ୟନ୍ୟତ୍‌

କର୍ମଣ୍ୟନ୍ୟତ୍‌ ଦୁରାତ୍ମନାମ୍‌ ।

 

ମର୍ମ ହେଲା ମହାତ୍ମା ବା ମହାପୁରୁଷମାନଙ୍କ ଜୀବନ ଚିନ୍ତା, ବାକ୍ୟ ଓ କର୍ମର ସମନ୍ୱୟରେ ଗଠିତ ତଥା ପ୍ରତିଷ୍ଠିତ । କାର୍‌ଲାଇଲ୍‌ ମହାତ୍ମାମାନଙ୍କୁ ‘ବୀର’ (Hero) ଆଖ୍ୟା ଦେଇ କହିବାକୁ ଯାଇଅଛନ୍ତି ଯେ ମହାତ୍ମାମାତ୍ରକେ ମାନବର ସମ୍ମୁଖରେ ଆଲୋକସ୍ତମ୍ଭସ୍ୱରୂପ ଉପସ୍ଥିତ ରହି ତାଙ୍କର ପ୍ରତିଭା ଓ ଦିବ୍ୟ ଜ୍ୟୋତିରେ ସାଧାରଣ ମାନବଜୀବନକୁ ଉତ୍ତୋଳିତ, ଉଜ୍ଜାଗ୍ରତ ତଥା ଉଦ୍‌ବୁଦ୍ଧ କରିଥାନ୍ତି । ସେମାନେ ମାନବଜୀବନର ବିକାଶପଥରେ ଉତ୍ସ ସ୍ୱରୂପ ବିଦ୍ୟମାନ ରହି ସେମାନଙ୍କର ଅଲୌକିକ ସଦ୍‌ଗୁଣାବଳୀରେ ପ୍ରତ୍ୟେକ ବ୍ୟକ୍ତିଗତ ତଥା ଜାତିଗତ ଜୀବନର ବିକାଶ ଉପରେ ଅମିତ ପ୍ରଭାବ ବିସ୍ତାର କରିଥାନ୍ତି । ଈଦୃଶବ୍ୟକ୍ତିତ୍ୱସମ୍ପନ୍ନ ମାନବ ହିଁ ମହାପୁରୁଷ ରୂପେ ପରିଗଣିତ ହେବା ସଙ୍ଗେ ସଙ୍ଗେ ସମଗ୍ର ମାନବଜାତି ମଧ୍ୟରେ ଦେବତ୍ୱର ସ୍ଥାନ ଅଧିକାର କରିଥାନ୍ତି-। ଆଜିକାଲି ଏ ଜଡ଼ବିଜ୍ଞାନ ସମ୍ଭୂତ ଜଡ଼ସଭ୍ୟତାର ଯୁଗରେ ମହାପୁରୁଷମାନଙ୍କୁ ଦେବତା ରୂପରେ ଦେଖି ସେମାନଙ୍କର ପୂଜାରେ ଲାଗିପଡ଼ିବାକୁ ଅନେକେ କୁଣ୍ଠାପ୍ରକାଶ କରିଥାନ୍ତି, ମାତ୍ର ଏହି ଜଡ଼ ସଭ୍ୟତାର ପ୍ରାରମ୍ଭିକ ପ୍ରସାର କାଳରେ କୋନ୍ତ (Comte) ବସ୍ତୁବାଦୀ ଦାର୍ଶନିକ ହେଲେ ହେଁ ଏବଂ ଦେବପୂଜାର ଭିତ୍ତିରେ ଧର୍ମ ସଂସ୍ଥାପନର ବିରୋଧୀ ହୋଇଥିଲେ ହେଁ ଧର୍ମ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ମହାପୁରୁଷମାନଙ୍କୁ ପୂଜା କରିବାପାଇଁ ଲୋକମାନଙ୍କୁ ଉଦ୍‌ବୁଦ୍ଧ କରିଥିଲେ ଓ ମାନବ ପୂଜାର ଉଦ୍ଦେଶ୍ୟରେ ଧର୍ମମନ୍ଦିରମାନ ପ୍ରତିଷ୍ଠା କରିବାକୁ ଯାଇଥିଲେ । ଏହି ପ୍ରକାର ପୂଜା କାରଲାଇଲ୍‌ଙ୍କ ଭାଷାରେ ‘ବୀରପୂଜା’ ନାମରେ ବିଦିତ । କାର୍‌ଲାଇଲ୍‌ କହନ୍ତି–ମହାପୁରୁଷ ମାତ୍ରକେ ଏକ ଆଦର୍ଶ ବୀର । ଜଗତର ବାଦ-ବିସମ୍ବାଦ ଓ ଦୁଃଖ-ଦୁର୍ଦ୍ଦଶା ମଧ୍ୟରେ ଜୀବିତ ରହି ଏବଂ ନିର୍ଭୀକ ଭାବରେ ନିଜ ନିଜ ଜୀବନର ଶେଷ ରକ୍ତବିନ୍ଦୁ ଦେଇ ମାନବଜାତିର କଲ୍ୟାଣସାଧନରେ ଲାଗି ପଡ଼ନ୍ତି । ସେମାନେ ନିର୍ଭୀକ, ଉଦାରମନା ଓ ଜଗତର ନାନା ବ୍ୟକ୍ତିଗତ ତଥା ଜାତିଗତ ସଂକୀର୍ଣ୍ଣତାକୁ ଅତିକ୍ରମ କରି ଏବଂ ଜୀବନର ବିକାଶର ଚରମ ସୋପାନରେ ଉପନୀତ ହୋଇ ଜଗତବାସୀଙ୍କୁ ଆହ୍ୱାନ କରି କହନ୍ତି–‘ମା ଭୈସୀଃ’ । ମହାପୁରୁଷମାନଙ୍କ ଜୀବନକୁ ଲକ୍ଷ୍ୟ କରି ଭାରତୀୟ କବି କହିଅଛନ୍ତି–‘ଅୟଂ ନିଜ ପରୋବେତି ଗଣନା ଲଘୁଚେତସାଂ, ଉଦାର ଚରିତାନାନ୍ତୁ ବସୁଧୈବ କୁଟୁମ୍ବକଂ ।’ ମର୍ମ ହେଲା, ମହାପୁରୁଷମାନେ ହିଁ ନିଜ ପରଭେଦରେ ଚାଳିତ ହୁଅନ୍ତି ନାହିଁ । ସେମାନେ ଉଦାରଚେତା ଅର୍ଥାତ୍‌ ଔଦାର୍ଯ୍ୟ ସେମାନଙ୍କର ଜୀବନର ପ୍ରଧାନ ଲକ୍ଷଣ ଏବଂ ସେମାନଙ୍କର ଦୃଷ୍ଟିରେ ସମଗ୍ର ବସୁଧା ଏକ ପରିବାର । ଏହି ଲକ୍ଷଣ ପ୍ରତି ଦୃଷ୍ଟି ରଖି ଉପନିଷଦକାର ଅତି ପ୍ରାଚୀନ କାଳରେ ଗାଇଅଛନ୍ତି,–‘ଯସ୍ତୁ ସର୍ବାଣି ଭୂତାନି ଆତ୍ମନ୍ୟୋବାନୁପଶ୍ୟତି, ସର୍ବଭୂତେଷୁ ଚାତ୍ମାନଂ ତତୋ ନ ବିଜୁପୁପ୍‌ସତେ ।’ ଅର୍ଥାତ୍‌ ଯେ ସର୍ବଭୂତକୁ ଆତ୍ମବତ୍‌ ଜ୍ଞାନ କରନ୍ତି ଏବଂ ସର୍ବଭୂତରେ ନିଜକୁ ଦେଖନ୍ତି, ସେ କାହାରିକୁ ଘୃଣା କରନ୍ତି ନାହିଁ–ସମସ୍ତଙ୍କ ପ୍ରତି ହୃଦୟର ଗଭୀର ପ୍ରେମ ପ୍ରଦର୍ଶନ କରନ୍ତି । ଏହି ଲକ୍ଷଣଗୁଡ଼ିକୁ ନେଇ ଭାରତୀୟ ଋଷି ମହାପୁରୁଷଙ୍କର ଜୀବନ ଚିତ୍ରଣ କରିଅଛନ୍ତି । ମହାପୁରୁଷ ମାତ୍ରକେ ବିଭିନ୍ନ ମାନବଙ୍କ ମଧ୍ୟରେ ପାର୍ଥକ୍ୟ ସ୍ୱୀକାର କରିବା ପରିବର୍ତ୍ତରେ ସେମାନଙ୍କ ମଧ୍ୟରେ ଏକତ୍ୱ ଉପଲବ୍‌ଧି ପୂର୍ବକ ସମଗ୍ର ମାନବଜାତିକୁ ନିଜ ଆଡ଼କୁ ଆକର୍ଷଣ କରନ୍ତି । ବାସ୍ତବିକ୍‌ ମହାପୁରୁଷଙ୍କର ଜୀବନ ସାଧାରଣ ମାନବଜାତି ପ୍ରତି ଏକ ମହାକର୍ଷଣ ସ୍ୱରୂପ । ସେ ନିଜର ପ୍ରଭାବ ବଳରେ ପ୍ରତ୍ୟେକ ବ୍ୟକ୍ତିଗତ ଜୀବନରେ ତଥା ସମଗ୍ର ଜାତୀୟ ଜୀବନରେ ଏକ ଚିରନ୍ତନ ବିଶିଷ୍ଟ ସ୍ଥାନ ଅଧିକାର କରି ବସନ୍ତି-। ସେଥିପାଇଁ ସିନା ଆଜିକାଲି ମହାପୁରୁଷଙ୍କର ଆବିର୍ଭାବଦିବସ ଓ ତିରୋଭାବଦିବସରେ ସେମାନଙ୍କର ମହନୀୟ ଗୁଣାବଳୀର କୀର୍ତ୍ତନରେ ମାନବଜାତି ଉଦ୍‌ବୁଦ୍ଧ ହେବାକୁ ଯାଇଥାଏ-

 

ଏହାଛଡ଼ା ମହାପୁରୁଷମାନଙ୍କର ଜୀବନ ପ୍ରତି ଦୃଷ୍ଟି ଦେଲେ ଭାବୁକମାତ୍ରେ ଦେଖିପାରିବେ ଯେ ସାଧାରଣ ମାନବପରି ସେମାନଙ୍କ ଜୀବନରେ ଗର୍ବ, ଦମ୍ଭ ଓ ଅଭିମାନର ସ୍ଥାନ ନାହିଁ । ନମ୍ରତା ସେମାନଙ୍କର ଜୀବନର ଏକ ବିଶିଷ୍ଟ ଲକ୍ଷଣ । ସେମାନେ ସେମାନଙ୍କର ସମସ୍ତ ମହତ୍ତ୍ୱ ସତ୍ତ୍ୱେ ନିଜ ନିଜକୁ ସାମାନ୍ୟ ମନେ କରି ସାଧାରଣରେ ନମ୍ରତା ଅବଲମ୍ବନପୂର୍ବକ ବିଶ୍ୱମାନବିକତା ପ୍ରଦର୍ଶନ କରନ୍ତି । ସେମାନଙ୍କର ଜୀବନ ସ୍ୱାର୍ଥାନ୍ଧତାର ଭିତ୍ତିରେ ପ୍ରତିଷ୍ଠିତ ନୁହେଁ । ସେମାନଙ୍କର ସ୍ୱାର୍ଥ ଅଛି, ମାତ୍ର ତାହା ସାଧାରଣ ମାନବ ଜୀବନର ସଂକୀର୍ଣ୍ଣ ବ୍ୟକ୍ତିଗତ ସ୍ୱାର୍ଥ ନୁହେଁ-। ଏହି ସ୍ୱାର୍ଥ ବିଶ୍ୱବ୍ୟାପୀ, ବିଶ୍ୱକଲ୍ୟାଣ ତତ୍ପର, ତେଣୁ ଏହା ପ୍ରକୃତରେ ନିଃସ୍ୱାର୍ଥପରତା-। ସଂକୀର୍ଣ୍ଣ ସ୍ୱାର୍ଥ କେବଳ ବ୍ୟକ୍ତିଗତ-ବ୍ୟକ୍ତିନିବଦ୍ଧ । ମାତ୍ର ମହାପୁରୁଷଙ୍କର ସ୍ୱାର୍ଥ ବିଶ୍ୱମାନବିକ-। ଏହା ହିଁ ପ୍ରକୃତରେ ନିଃସ୍ୱାର୍ଥପରତା । ଏହା ସ୍ୱାର୍ଥହୀନତା ନୁହେଁ, ଏହା ସ୍ୱାର୍ଥର ବିସ୍ତୃତି-ଆତ୍ମପ୍ରସାର-ଯଥାର୍ଥ ଆତ୍ମୋପଲବଧି (Self-Realisation) । ସେଥିପାଇଁ ସିନା ଜନସମାଜରେ ମହାପୁରୁଷମାନେ ବଳିଷ୍ଠ ବ୍ୟକ୍ତିତ୍ୱ ଘେନି ପ୍ରତିଷ୍ଠାଲାଭ କରିଥାନ୍ତି । ତ୍ୟାଗ ହିଁ ସେମାନଙ୍କ ଜୀବନର ଭିତ୍ତି, କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଏହି ତ୍ୟାଗ ସୁବିଧାବାଦୀ ବା ସଂକୀର୍ଣ୍ଣମନାର ତ୍ୟାଗ ନୁହେଁ-। ଏହା ‘‘ଦେ-ନେ’’ ନୀତି ଉପରେ ପ୍ରତିଷ୍ଠିତ ନୁହେଁ । ଏହା ପ୍ରାଣପ୍ରାଚୁର୍ଯ୍ୟର ପରିପ୍ରକାଶ, ନିର୍ମଳବିଶ୍ୱପ୍ରେମରେ ପରିପ୍ଳୁତ ତଥା । ସ୍ୱାର୍ଥାନ୍ଧତାଶୂନ୍ୟ ବିଶ୍ୱକଲ୍ୟାଣ ନିମିତ୍ତ ଜୀବନୋତ୍ସର୍ଗ-। ଏହା କ୍ଷମତାଦୃପ୍ତ ଜନନାୟକଙ୍କ କାପଟ୍ୟପୂର୍ଣ୍ଣ ଜନପ୍ରେମ ନୁହେଁ, ଏହା ଐଶୀଶକ୍ତିସଂପନ୍ନ ବ୍ୟକ୍ତିଙ୍କର ଏକନିଷ୍ଠ ଆତ୍ମବଳି ।

 

ମହାପୁରୁଷ ମାତ୍ରକେ ନିଷ୍କ୍ରିୟଭୋଗୀ ନୁହନ୍ତି । ସେମାନଙ୍କର ଜୀବନ ସର୍ବଦା କର୍ମତତ୍ପର-। କିନ୍ତୁ ଏହି କର୍ମତତ୍ପରତା ଆତ୍ମସଂଯମ ଉପରେ ପ୍ରତିଷ୍ଠିତ । ଏହା ଇନ୍ଦ୍ରିୟପରତନ୍ତ୍ର ସଂକୀର୍ଣ୍ଣ ସମ୍ଭୋଗ ନୁହେଁ ଗୀତା ଯଥାର୍ଥରେ କହିଛି–‘ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତ୍ତି ସଂଯମୀ-।’ ପ୍ରକୃତରେ ଆତ୍ମସଂଯମ ଉପରେ ପ୍ରତିଷ୍ଠିତ ମହାପୁରୁଷଙ୍କ ଜୀବନ ଯାଦୃଚ୍ଛିକ କର୍ମର କ୍ରୀଡ଼ନକ ନୁହେଁ, ତାହା ଯଜ୍ଞପ୍ରଣୋଦିତ ଗୀତୋକ୍ତ ‘ଲୋକସଂଗ୍ରହ’ର ପ୍ରତୀକ ।

 

ମହାପୁରୁଷ ମାତ୍ରକେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମହନୀୟ ନୈତିକତାର ଏକ ପ୍ରତିମୂର୍ତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନୈତିକତାଦୁଷ୍ଟ ଜୀବନ ପ୍ରକୃତରେ ମହତ୍‌ ଜୀବନ ନୁହେଁ । ତେଣୁ ମହାପୁରୁଷଙ୍କର କର୍ମ୍ମ ସର୍ବଦା ନୈତିକତାର ଭିତ୍ତିରେ ପ୍ରତିଷ୍ଠିତ–ନୈତିକ ବିକାଶର ଚରମ ସୋପାନ । ସୁତରାଂ ମହାପୁରୁଷମାନଙ୍କୁ ‘ନୈତିକ-ବୀର’ ନାମରେ ନାମିତ କଲେ ଯଥାର୍ଥ ହେବ । ନୈତିକ-ବୀରତ୍ୱ ପ୍ରକୃତ ନିର୍ଭୀକତା । ଏହି ମହାପୁରୁଷରୂପୀ ବୀର ଉଚିତ କର୍ମସାଧନ ନିମିତ୍ତ ଜୀବନପାତ କରିବାକୁ କୁଣ୍ଠିତ ନୁହନ୍ତି । ସେଥିପାଇଁ ସିନା ମହାପୁରୁଷ ସକ୍ରେଟିସ୍‌ କାରାଗାରରେ ନିଜର ନୀତିମୟ ଜୀବନକୁ ଶତ୍ରୁପ୍ରଦତ୍ତ ବିଷ ଭକ୍ଷଣ କରି ବିସର୍ଜନ କରିବାକୁ କୁଣ୍ଠିତ ହୋଇନାହାନ୍ତି । ସେଥିପାଇଁ ସିନା ମହାତ୍ମାଗାନ୍ଧୀ ଶତ୍ରୁର ଗୁଳିକାଣ୍ଡକୁ ଭ୍ରୂକ୍ଷେପ ନ କରି ବକ୍ଷ ବିସ୍ତାରପୂର୍ବକ ଜାତୀୟ ଜୀବନର ଉତ୍କର୍ଷ ସାଧନ କରିବାକୁ ଯାଇଅଛନ୍ତି । ଏହି ମହାପୁରୁଷମାନେ ସେଥିପାଇଁ ଧରାପୃଷ୍ଠରେ ସର୍ବଜନ-ପୂଜ୍ୟ ତଥା ଅମର ହୋଇ ରହିଅଛନ୍ତି । ଏମାନେ ଜାତୀୟଚରିତ୍ର ଗଠନ ଦିଗରେ ଅଗ୍ରଣୀ ରୂପରେ ବିଶ୍ୱ ଇତିହାସରେ ବିଶିଷ୍ଟ ସ୍ଥାନ ଅଧିକାର କରିଅଛନ୍ତି । ମହାପୁରୁଷଙ୍କର କର୍ମକ୍ଷେତ୍ର ସେଥିପାଇଁ ନୈତିକତାପରିପ୍ଳୁତ । ସେମାନେ ଗୋଟିଏ ଗୋଟିଏ ଦିବ୍ୟଦ୍ରଷ୍ଟା । ସେମାନେ ସ୍ୱତଃ ନିଜ ନିଜର କର୍ମକ୍ଷେତ୍ର ସୃଷ୍ଟି କରି ଜନ ସମାଜର ପ୍ରଗତିର ନେତୃତ୍ୱ ନେଇଥାଆନ୍ତି–ମୃତକଳ୍ପ ସମାଜ ବା ଜାତିର ପ୍ରାଣକୁ ମୃତସଞ୍ଜିବନୀ ମନ୍ତ୍ରରେ ଅଭିମନ୍ତ୍ରିତ କରନ୍ତି । ଏହା ହିଁ ହେଲା ସଂକ୍ଷେପରେ ମହାପୁରୁଷର ବୈଶିଷ୍ଟ୍ୟ । ଏମାନଙ୍କର ସ୍ମୃତିକୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆଜିକାଲି ଯେଉଁ ଉତ୍ସବମାନ ପାଳିତ ହେଉଅଛି, ସେଗୁଡ଼ିକ ବ୍ୟକ୍ତିଗତ ତଥା ଜାତିଗତ ପ୍ରାଣର ନିଷ୍କ୍ରିୟ କ୍ଷଣକ ବକ୍ତୃତାରେ ନିବଦ୍ଧ ନ ରହି ପ୍ରତ୍ୟେକ ପ୍ରାଣରେ ଶକ୍ତି ସଞ୍ଚାର କରିପାରିଲେ ଏମାନଙ୍କ ପ୍ରତି ପ୍ରକୃତ ଭକ୍ତି ଓ ସମ୍ମାନ ପ୍ରଦର୍ଶିତ ହେଲା ବୋଲି କହିବାକୁ ହେବ । ମହାପୁରୁଷଙ୍କର ଉଲ୍ଲିଖିତ ଲକ୍ଷଣଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ମାନବଜୀବନ ଧନ୍ୟ ହେଉ ଏହା ହିଁ ଆମ୍ଭମାନଙ୍କର ଏକାନ୍ତ କାମନା ।

Image

 

ପ୍ରାଥମିକ ଶିକ୍ଷାର ପ୍ରସାର

 

ପ୍ରାଥମିକ ଶିକ୍ଷାର ପ୍ରଚଳନ ଓ ପ୍ରସାର ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ପୃଥିବୀର ବିଭିନ୍ନ ଦେଶ ଓ ଜାତିର ଏକ ପ୍ରଧାନ ସମସ୍ୟା ହୋଇଅଛନ୍ତି । ପ୍ରତ୍ୟେକ ସଭ୍ୟ ଦେଶ ବା ଜାତି ଉପଲବ୍‌ଧି କରି ଆସିଅଛି ଯେ, ସାଧାରଣ ଜୀବନର ତଥା ସମାଜର ସୁଚାରୁ ପରିଚାଳନା ନିମିତ୍ତ ପ୍ରାଥମିକ ଲୋକଶିକ୍ଷା ଏକାନ୍ତ ପ୍ରୟୋଜନୀୟ । ସେଥିପାଇଁ ବହୁକାଳ ଧରି ଇଂଲଣ୍ଡ, ଜର୍ମାନୀ, ଫ୍ରାନ୍‌ସ, ଆମେରିକା ପ୍ରଭୃତି ସଭ୍ୟଦେଶମାନଙ୍କରେ ପ୍ରାଥମିକ ଶିକ୍ଷା ନେଇ ବହୁତ ଆଲୋଚନା ଓ ତଜ୍ଜନିତ ପ୍ରଚେଷ୍ଟା ଚାଲିଆସୁଅଛି । ବଡ଼ ବଡ଼ ଶିକ୍ଷାବିତ୍‌ ବହୁ ବିଶ୍ଳେଷଣ ଓ ଆଲୋଚନା ସହକାରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଅଛନ୍ତି ଯେ ଜାତିବିଶେଷର ବ୍ୟକ୍ତିମାନଙ୍କ ମଧ୍ୟରେ ମୌଳିକ ବା ପ୍ରାଥମିକ ଶିକ୍ଷା ପ୍ରଚଳିତ ନ ହେଲେ ଉକ୍ତ ଜାତିର ସମୂହ କଲ୍ୟାଣ କୌଣସିମତେ ସାଧିତ ହୋଇପାରିବ ନାହିଁ । ମାନବଜାତିର ଗଠନ ଓ ବିକାଶରେ ଶିଶୁ ହିଁ ମୂଳପିଣ୍ଡ ବୋଲି କହିବାକୁ ହେବ । ଜାତିର ସମସ୍ତ ବିକାଶ ଏହି ମୂଳପିଣ୍ଡରେ ହିଁ ଭ୍ରୂଣାକାରରେ ସଞ୍ଚିତ ରହିଥାଏ ଏବଂ ଏହାକୁ ଯେପରି ଭାବରେ ନିୟମିତ କରାଯାଏ, ଜାତିର ଭବିଷ୍ୟତ ତଦନୁସାରେ ନିୟନ୍ତ୍ରିତ ହୁଏ । କୁଲାଳଚକ୍ରର ଯଥାଯଥ ଆବର୍ତ୍ତନରେ ମୃତ୍‌ପିଣ୍ଡ ବିଭିନ୍ନ ଆକାର ଧାରଣ କଲାପରି ସମାଜ ବା ଜାତିର ମୂଳପିଣ୍ଡ ଏହି ଶିଶୁଜୀବନ ହିଁ ଉପଯୁକ୍ତ କ୍ଷେତ୍ରରେ ଅବସ୍ଥାପିତ ହୋଇ ଆଦର୍ଶ ଅନୁଯାୟୀ ନିୟମିତ ହେଲେ ଜାତି ବା ସମାଜର ବିକାଶ ପାଇଁ ବିଭିନ୍ନ ଶକ୍ତିଶାଳୀ ବ୍ୟକ୍ତିର ଆକାର ଧାରଣ କରେ । ଏହି ବ୍ୟକ୍ତିଗତ ଜୀବନର ପୂର୍ଣ୍ଣ ବିକାଶ ସେଥିପାଇଁ ମାନବସମକ୍ଷରେ ଏକ ଅତିବଡ଼ ଗୁରୁସମସ୍ୟା । ଏହି ସମସ୍ୟାର ସମାଧାନ ସହଜସାଧ୍ୟ ନୁହେଁ । ସେଥିପାଇଁ ପୃଥିବୀର ବଡ଼ ବଡ଼ ଶିକ୍ଷାବିତ୍‌ମାନଙ୍କର ମସ୍ତିଷ୍କ ଚାଳିତ ହେବା ଉଚିତ । ଆଧୁନିକ ଯୁଗର ଅନୁକୂଳ ପନ୍ଥା ବା ପ୍ରଣାଳୀ ଅବଲମ୍ବନ କରି ପ୍ରାଥମିକ ଶିକ୍ଷାର ସୁବ୍ୟବସ୍ଥା ପାଇଁ ନାନା ଉଦ୍ୟମ ଦେଖାଯାଉଥିଲେ ହେଁ କୌଣସିଟି ସର୍ବବାଦିସମ୍ମତ ତଥା ଶେଷନିଷ୍ପନ୍ନ ବୋଲି ଧରାଯାଇ ନ ପାରେ । ଏହା ହେବା ସ୍ୱାଭାବିକ । କାରଣ ମାନବର ପ୍ରଗତିଶୀଳ ଜୀବନଧାରା ଦେଶକାଳପାତ୍ରଭେଦରେ ବିଭିନ୍ନ ଦିଗରେ ଓ ବିଭିନ୍ନ ଭାବରେ ବହିବାକୁ ଲାଗିଅଛି । ସୁତରାଂ ପୃଥିବୀର ସମସ୍ତ ଦେଶ ପାଇଁ ଗୋଟିଏ ମାତ୍ର ସାଧାରଣ ବ୍ୟବସ୍ଥା ନିରୂପଣ କରିବା ସମ୍ଭବପର ନୁହେଁ । ତେଣୁ ପ୍ରାଥମିକ ଶିକ୍ଷା ଦେଶ ବା ଜାତିର ପରମ୍ପରା, ଭୌଗଳିକ, ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି ଉପରେ ନିର୍ଭର କରିବାକୁ ବାଧ୍ୟ । ସୁତରାଂ ପାର୍ଥକ୍ୟ ଅନିବାର୍ଯ୍ୟ । ତଥାପି ପ୍ରତ୍ୟେକ ଦେଶ ବା ଜାତିପାଇଁ ଯେ ଏକ ବ୍ୟାପକ ତଥା ସର୍ବବାଦିସମ୍ମତ ବ୍ୟବସ୍ଥାକୁ ସମୟୋପଯୋଗୀ କରାଯାଇପାରେ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଆମ ଭାରତରେ ବ୍ରିଟିଶ ଶାସନର ପ୍ରାରମ୍ଭରୁ ପ୍ରାଥମିକ ଶିକ୍ଷାର ପ୍ରଚଳନ ଓ ତନ୍ନିମିତ୍ତ ପ୍ରାଥମିକ ବିଦ୍ୟାଳୟମାନ ସ୍ଥାପନ କରିବା ନିମିତ୍ତ ପ୍ରଚେଷ୍ଟା ହୋଇ ଆସୁଅଛି । ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଭାରତର ବିଭିନ୍ନ ପ୍ରଦେଶରେ ଯେଉଁ ପ୍ରାଥମିକ ବିଦ୍ୟାଳୟମାନ ଥିଲା, ସେଗୁଡ଼ିକ ଆଧୁନିକ ଧରଣର ନ ଥିଲା । ସେତେବେଳେ ପ୍ରାଥମିକ ବିଦ୍ୟାଳୟମାନ ଦୁଇ ଶ୍ରେଣୀର ଥିଲା । ପ୍ରଥମ ଧରଣର ବିଦ୍ୟାଳୟମାନଙ୍କରେ ଜଣେ ଲେଖାଏଁ ସଂସ୍କୃତ ପଣ୍ଡିତ କେତେଗୁଡ଼ିଏ ବିଦ୍ୟାର୍ଥୀଙ୍କୁ ଶିକ୍ଷା ଦେଉଥିଲେ । ଏହି ବିଦ୍ୟାଳୟମାନଙ୍କର ଶିକ୍ଷକମାନେ ସଂସ୍କୃତ ବ୍ୟାକରଣ, ସାହିତ୍ୟରେ ଜଣେ ଜଣେ ଦିଗ୍‌ଗଜ ପଣ୍ଡିତ ଥିଲେ ଓ ଅଧ୍ୟାପନା କାର୍ଯ୍ୟରେ ଏମାନଙ୍କର ଅଶେଷ ଶ୍ରଦ୍ଧା ଓ ଅନୁରକ୍ତି ଥିଲା । ଏହି ପଣ୍ଡିତମାନଙ୍କର ବୟସ ୨୫ରୁ ୮୨ବର୍ଷ ଥିଲା । ଏମାନଙ୍କ ମଧ୍ୟରୁ କେତେକ ସଂସାରକ୍ଷେତ୍ରରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ବିଦ୍‌ବତ୍ତା ଦେଖାଇ ଖ୍ୟାତି ଅର୍ଜନ କରିବାକୁ ଇଚ୍ଛୁକ ଥାନ୍ତି । ଯେଉଁମାନେ ମଧ୍ୟମ ବୟସର, ସେମାନଙ୍କ ମଧ୍ୟରୁ କେତେକ ପ୍ରସିଦ୍ଧ ଓ ପାରଦର୍ଶିତା ଅର୍ଜନ କରିଥାନ୍ତି, ଆଉ କେତେକ ନିରାଶ ବା ଭଗ୍ନପ୍ରାଣରେ ଭବିଷ୍ୟତ୍‌ ବିଷୟରେ ବଡ଼ ସନ୍ଦିହାନ ହୋଇ ରହିଥାନ୍ତି । ଅଧିକ ବୟସର ପଣ୍ଡିତମାନଙ୍କ ମଧ୍ୟରୁ କେତେକ ଦେଶବାସୀଙ୍କଠାରୁ ଭକ୍ତି ଓ ସମ୍ମାନ ଲାଭ କରୁଥିଲେ, କେତେକ ପୁଣି ଅବହେଳିତ ହୋଇ ଦାରିଦ୍ର୍ୟର ନିଷ୍ପୀଡ଼ନରେ କାଳଗର୍ଭରେ ଲୀନ ହେଉଥିଲେ, କିନ୍ତୁ ସମସ୍ତେ ଶିକ୍ଷାଦାନକୁ ହିଁ କର୍ତ୍ତବ୍ୟ ବୋଲି ସବୁବେଳେ ମଣୁଥିଲେ । ସେମାନେ ଚରିତ୍ରବାନ୍‌ ଓ ବିନୟୀ ଥିଲେ । ସେମାନଙ୍କର ବସବାସ, ବେଶଭୂଷା ପ୍ରଭୃତି ଏକାନ୍ତ ସରଳ ଥିଲା । କ୍ଷୁଦ୍ର କୁଟୀରରେ ବାସ କରି ନିତାନ୍ତ ସରଳ ଜୀବନ ଯାପନ କରୁଥିଲେ ହେଁ ସେମାନଙ୍କର ପାଣ୍ଡିତ୍ୟ ଅତି ଉଚ୍ଚ ଧରଣର ଥିଲା । ସୌଜନ୍ୟବଶତଃ ସେମାନେ କେବେହେଲେ ନିଜର ପାଣ୍ଡିତ୍ୟର ଡିଣ୍ଡିମ ବଜାଉ ନ ଥିଲେ । ଏହି ଧରଣର ବିଦ୍ୟାଳୟମାନ ଆଜିକାଲିର ସଂସ୍କୃତଟୋଲ ପରି ଥିଲା । ଏହାଛଡ଼ା ଆଉ ଏକ ଶ୍ରେଣୀର ଦେଶୀୟ ମୌଳିକ ବିଦ୍ୟାଳୟ ଥିଲା । ଏଗୁଡ଼ିକ ଉଲ୍ଲିଖିତ ବିଦ୍ୟାଳୟମାନଙ୍କର ତୁଳନାରେ ଅତି ନିମ୍ନ ଶ୍ରେଣୀର । ଏଗୁଡ଼ିକର ବର୍ଣ୍ଣନା ଡାକ୍ତର ଫ୍ରାନ୍‌ସିସ୍‌ ବୁକ୍‌ମାନ୍‌ ଓ ଆଡ଼ାମ୍‌ଙ୍କର ଲେଖାରେ ଦେଖିବାକୁ ମିଳେ । ବଙ୍ଗଦେଶରେ ଏହି ଶ୍ରେଣୀର ବିଦ୍ୟାଳୟମାନଙ୍କରେ ପିଲାମାନେ ୫।୬ ବର୍ଷରୁ ଆରମ୍ଭ କରି ପ୍ରାୟ ୧୦।୧୧ ବର୍ଷ ବୟସ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ । କୃଷି ବା ବାଣିଜ୍ୟ ସମ୍ବନ୍ଧୀୟ ହିସାବପତ୍ର ଶିକ୍ଷାଦେବା ଏହି ବିଦ୍ୟାଳୟମାନଙ୍କର କାର୍ଯ୍ୟ ଥିଲା । ପ୍ରାଥମିକ ହିନ୍ଦୁ ବିଦ୍ୟାଳୟ ବା ପାଠଶାଳାମାନଙ୍କରେ ଛାତ୍ରମାନେ ଶୁଦ୍ଧକରି ବନାନ କରି ଜାଣୁ ନ ଥିଲେ । ଶିକ୍ଷକଙ୍କର ଜ୍ଞାନ ଖୁବ୍ କମ୍‌ ଥିବାରୁ ଲୋକେ ତାଙ୍କୁ ସମ୍ମାନ ଦେଖାଉ ନ ଥିଲେ । ତାଙ୍କର ଦରମା ଏତେ କମ୍‌ ଥିଲା ଯେ ଏଥିପାଇଁ ତାଙ୍କୁ ମଧ୍ୟ ସାମାନ୍ୟ ଚାକରର କାର୍ଯ୍ୟ କରିବାକୁ ପଡ଼ୁଥିଲା । ଆଡ଼ାମ୍‌ ବଙ୍ଗ ଓ ବିହାରର କେତେକ ଜିଲ୍ଲା ପରିଦର୍ଶନ କରି ଏହି ଶିକ୍ଷକମାନଙ୍କର ଦରମା ସମ୍ବନ୍ଧରେ କହିଅଛନ୍ତି ଯେ ଏମାନେ ମାସିକ ଟ୧.୫୦ ରୁ ଟ୪.୫୦ ପର୍ଯ୍ୟନ୍ତ ପାଉଥିଲେ । ଅବଶ୍ୟ ଏହି ଦରମାକୁ ଲଗାଇ ସେମାନେ ଜିନିଷପତ୍ର ଆକାରରେ ଆଉ କିଛି କିଛି ପାଉଥିଲେ । କିନ୍ତୁ ଦରମା ହିସାବରେ ସେମାନେ ଏଥିରୁ ବେଶି କିଛି ପାଉ ନଥିଲେ । ଏହି ଶ୍ରେଣୀର ବିଦ୍ୟାଳୟମାନ ପ୍ରାଥମିକ ବିଦ୍ୟାଳୟମାନଙ୍କର ମୂଳପିଣ୍ଡ କହିଲେ ଚଳେ ।

 

ଏଥିରୁ ବୁଝାଯିବ ଯେ ଊନବିଂଶ ଶତାବ୍ଦୀ ପ୍ରାରମ୍ଭଭାଗରେ ଯେଉଁ ସବୁ ଦେଶୀୟ ପ୍ରାଥମିକ ବିଦ୍ୟାଳୟମାନ ଥିଲା, ସେଗୁଡ଼ିକ ଅତି ଅନୁନ୍ନତ ଅବସ୍ଥାରେ ପଡ଼ିରହିଥିଲା । ଲୋକମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ସ୍ପୃହା ଏତେ କମ୍‌ ଥିଲା ଯେ ଶିକ୍ଷକମାନେ ଅବହେଳିତ ହେଉଥିଲେ ଓ ଯେନ ତେନ ପ୍ରକାରେଣ ଉଦରପୂର୍ତ୍ତି ନିମିତ୍ତ ସାମାନ୍ୟ ବେତନରେ କାଳଯାପନ କରୁଥିଲେ । ୧୯୫୪ ମସିହାରୁ ଆରମ୍ଭ କରି ନାନା ଆନ୍ଦୋଳନ ଫଳରେ ପ୍ରାଥମିକ ଶିକ୍ଷା ପ୍ରତି ଇଂରେଜ ସରକାରଙ୍କର ଦୃଷ୍ଟି ଆକୃଷ୍ଟ ହେଲା । ପ୍ରାଥମିକ ବିଦ୍ୟାଳୟମାନଙ୍କର ଉନ୍ନତିକଳ୍ପେ ସରକାରଙ୍କଠାରେ ଅନୁକୂଳ ମତ ଉପସ୍ଥାପିତ ହେବାକୁ ଲାଗିଲା ଏବଂ ସାଧାରଣ ଲୋକଶିକ୍ଷାର ଆବଶ୍ୟକତା ପ୍ରଦର୍ଶନ କରି ଉନ୍ନତ ଧରଣର ପ୍ରାଥମିକ ବିଦ୍ୟାଳୟମାନଙ୍କର ପ୍ରତିଷ୍ଠା ଓ ପ୍ରସାର ପାଇଁ ପ୍ରସ୍ତାବମାନ ଆଗତ କରାଗଲା । କିନ୍ତୁ କେତେକାଳ ପର୍ଯ୍ୟନ୍ତ ଏହି ପ୍ରସ୍ତାବମାନ ସେତେଦୂର କାର୍ଯ୍ୟରେ ପରିଣତ ହୋଇପାରି ନ ଥିଲା । ଆଜି ସେହି ସମୟଠାରୁ ଏ ଦିଗରେ ଶିକ୍ଷା ବିଭାଗର ଦୃଷ୍ଟି ଆକୃଷ୍ଟ ହୋଇ ଆସୁଅଛି । ଫଳରେ ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଅନେକ ପରିବର୍ତ୍ତନ ଘଟିଅଛି । ପାଠ୍ୟତାଲିକାରେ ଲେଖିବା, ପଢ଼ିବା ଓ ଅଙ୍କ କଷିବା ଛଡ଼ା ଅନ୍ୟାନ୍ୟ କେତେକ ଉପାଦେୟ ମୌଳିକ ବିଷୟ ମଧ୍ୟ ପ୍ରବେଶ କରାଯାଇଅଛି । ଏଗୁଡ଼ିକର ପରିଚାଳନା ଭାର ପ୍ରଧାନତଃ ଲୋକାଲ ବୋର୍ଡ଼, ମ୍ୟୁନିସିପାଲିଟି ପ୍ରଭୃତି ବିଭାଗର ଅଧୀନରେ ରଖାଯାଇ ମାସିକ ସରକାରୀ ସାହାଯ୍ୟର ବ୍ୟବସ୍ଥା କରାଯାଇଅଛି । ତଥାପି ଏ ଦିଗରେ ଯେତେଦୂର କାର୍ଯ୍ୟ ହେବା ଉଚିତ, ତାହା ହୋଇପାରି ନାହିଁ ।

 

ଊନବିଂଶ ଶତାବ୍ଦୀର ଆରମ୍ଭରେ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷକ ସମ୍ବନ୍ଧରେ ଯାହାସବୁ କୁହାଯାଇଅଛି, ସେଗୁଡ଼ିକ ନ୍ୟୂନାଧିକ ପରିମାଣରେ ଏହି ଉତ୍କଳଖଣ୍ଡ ପ୍ରତି ମଧ୍ୟ ପ୍ରଯୋଜ୍ୟ । ବ୍ରିଟିଶ ରାଜତ୍ୱର ପ୍ରାରମ୍ଭରେ ଏହି ପ୍ରଦେଶରେ ଯେଉଁସବୁ ଦେଶୀୟ ପାଠଶାଳାମାନ ଥିଲା, ସେଗୁଡ଼ିକ ଅତି ଅନୁନ୍ନତ ଧରଣର ଥିଲା । ସେଥିରେ ଯେଉଁ ଶିକ୍ଷକ ରହୁଥିଲେ, ସେ ପ୍ରାଚୀନ ରୀତିରେ ତାଳପତ୍ର ଲେଖା, ପୋଥିପଢ଼ା, ପଣକିଆ, ଶୋଧି, ଓଡ଼ାଙ୍କ, ଫେଡ଼ାଙ୍କ, ହରିଗୁଣ, ନଳ, କୁଟା ଓ କ୍ରୟବିକ୍ରୟ ସମ୍ବନ୍ଧରେ ଜ୍ଞାନ ଲାଭ କରୁଥିଲେ । କେତେଗୁଡ଼ିଏ ପିଲାଙ୍କୁ ନିଜଘର ମେଲାରେ ବା ପିଣ୍ଡାରେ ଅଥବା ଗ୍ରାମର କୌଣସି ସାଧାରଣ ଗୃହରେ ବସାଇ ସେ ଶିକ୍ଷା ଦେଉଥିଲେ । ଦରମା ମାସକୁ ପିଲାପ୍ରତି ଟ ୦୪ ବା ଅଣାଏ ଲେଖାଏଁ ଥିଲା । ଅଧିକାଂଶ ବିଦ୍ୟାଳୟରେ ୧୦ ।୨୦ ଜଣରୁ ବେଶୀ ଛାତ୍ର ପଢ଼ୁ ନଥିଲେ । ସୁତରାଂ ଶିକ୍ଷକଙ୍କର ଆୟ ମାସକୁ ଟ୨ ବା ଟ୩ଙ୍କାରୁ ବେଶୀ ନ ଥିଲା । କୌଣସି କୌଣସି ସ୍ଥଳରେ ମାଟିବଂଶ ଅବଧାନ ଅନ୍ୟସ୍ଥାନରୁ ଆସି ଗ୍ରାମର କୌଣସି ଧନାଢ଼୍ୟ ଲୋକଙ୍କ ଘରେ ରହି ତାଙ୍କର ବିଷୟବାଡ଼ି ସମ୍ବନ୍ଧରେ କିଛି ସାହାଯ୍ୟ କରି ଅଥବା ତାଙ୍କର ପିଲାକୁ ଘରେ ପଢ଼ାଇ ଗ୍ରାସାଚ୍ଛାଦନ ପାଉଥିଲେ । କେତେକ ସ୍ଥାନରେ ପୁଣି ପାଳି କରି ଛାତ୍ରମାନଙ୍କର ଅଭିଭାବକମାନେ ତାଙ୍କର ରହଣି ଓ ଭୋଜନରେ ବ୍ୟବସ୍ଥା କରୁଥିଲେ । ଏହି ଶିକ୍ଷକମାନେ ତଦାନୀନ୍ତନ ଅର୍ଥନୈତିକ ପରିସ୍ଥିତିରେ ଏହି ସାମାନ୍ୟ ବେତନରେ କୌଣସିମତେ ଚଳିଯାଉଥିଲେ । ଏହାପରେ ଯେତେବେଳେ ପ୍ରାଥମିକ ବିଦ୍ୟାଳୟମାନଙ୍କର ଉନ୍ନତିକଳ୍ପେ ପରିବର୍ତ୍ତନମାନ ଆସିଲା, ସେତେବେଳେ ଏମାନଙ୍କୁ ଉତ୍ସାହିତ କରିବା ସକାଶେ ସରକାରୀ ସାହାଯ୍ୟର ବ୍ୟବସ୍ଥା କରାଗଲା । ଶିକ୍ଷାବିଭାଗର କର୍ମଚାରୀମାନେ ଏହି ବିଦ୍ୟାଳୟମାନ ପରିଦର୍ଶନ କରି ଛାତ୍ରମାନଙ୍କୁ ପରୀକ୍ଷା କରି ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରମାନଙ୍କର ସଂଖ୍ୟା ଅନୁଯାୟୀ ଶିକ୍ଷକଙ୍କୁ ପାରିତୋଷିକ ଦେଇ ଆସୁଥିଲେ । ଏହି ଆୟ ଶିକ୍ଷକଙ୍କର ଉପାର୍ଜିତ ଧନରୂପେ ଗୃହୀତ ହେଉଥିଲା । ଏହାପରେ ମାସିକ ସାହାଯ୍ୟର ବ୍ୟବସ୍ଥା ହେଲା ଓ ଶିକ୍ଷକମାନଙ୍କୁ ଟ୍ରେନିଂ ଦେଇ ଭିନ୍ନ ଭିନ୍ନ ବିଦ୍ୟାଳୟରେ ନିଯୁକ୍ତ କରାଗଲା । ଏହି ପ୍ରଥା ଆଜି ପର୍ଯ୍ୟନ୍ତ ଅନ୍ୟାନ୍ୟ ପ୍ରଦେଶପରି ଏ ପ୍ରଦେଶରେ ପ୍ରଚଳିତ ହୋଇ ଆସୁଅଛି । କିନ୍ତ ଏହାର ଫଳ ସେତେ ଭଲ ହୋଇନାହିଁ । କାରଣ ଟ୍ରେନିଂ ପ୍ରାପ୍ତ ଶିକ୍ଷକଙ୍କଛଡ଼ା ଅଳ୍ପଶିକ୍ଷିତ ଅନଟ୍ରେଣ୍ଡ୍‌ ଶିକ୍ଷକମାନେ ମଧ୍ୟ ଏମାନଙ୍କର କାର୍ଯ୍ୟ କରି ଆସୁଅଛନ୍ତି । ତା ସଙ୍ଗେ ସଙ୍ଗେ ପୁଣି ଟ୍ରେନିଂପ୍ରାପ୍ତ ଶିକ୍ଷକମାନଙ୍କୁ ପ୍ରତି ମାସରେ ଯେଉଁ ସରକାରୀ ସାହାଯ୍ୟ ଦିଆଯାଉଅଛି, ତାହା ଓ ଛାତ୍ରମାନଙ୍କଠାରୁ ଆଦାୟ କରାଯାଉଥିବା ଦରମା ଉଭୟେ ମିଶି ଏତେ ଅଳ୍ପ ଯେ ସେଥିରେ ସେମାନଙ୍କର ସଂସାର ଚଳୁ ନାହିଁ । ତେଣୁ ଏମାନେ ମନଃପ୍ରାଣ ଦେଇ ଶିକ୍ଷକତା କରିପାରୁନାହାନ୍ତି-। ଫଳରେ ଶିକ୍ଷା ବି ହେଉ ନାହିଁ କି ସେମାନଙ୍କର ସଂସାର ବି ଚଳୁ ନାହିଁ । ଏହି ପରିସ୍ଥିତିରେ ପଡ଼ି ସେମାନେ ଅନ୍ୟ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଭାରତର ବିଭିନ୍ନ ବିଭାଗର କର୍ମଚାରୀମାନେ ସଂଘମାନ ଗଠନ କରି ଲୋକମାନଙ୍କର ବେତନବୃଦ୍ଧି ଓ ସୁବିଧାକଳ୍ପେ ଆନ୍ଦୋଳନ କରିଆସୁଅଛନ୍ତି-। ଶିକ୍ଷାବିଭାଗରେ ଏ ଆନ୍ଦୋଳନର ପ୍ରଭାବ ମଧ୍ୟ ପଡ଼ିଅଛି । ତେଣୁ ବିଭିନ୍ନ ଶ୍ରେଣୀର ବିଦ୍ୟାଳୟମାନେ ଭିନ୍ନ ଭିନ୍ନ ସଘଂ ସୃଷ୍ଟିକରି ପ୍ରସ୍ତାବମାନ ଗ୍ରହଣ କରୁଅଛନ୍ତି-। ପ୍ରାଥମିକ ଶିକ୍ଷକମାନଙ୍କର ସଘଂବଦ୍ଧ ହୋଇ ବିଭାଗୀୟ ଅଭିବୃଦ୍ଧି ସାଧନ ଉଦ୍ଦେଶ୍ୟରେ ଆନ୍ଦୋଳନ କରିବା ଅବଶ୍ୟ ଏକ ସ୍ପୃହଣୀୟ କାର୍ଯ୍ୟ । ମାତ୍ର ଏହି ଆନ୍ଦୋଳନ ମୂଲିଆମାନଙ୍କର ମଜୁରି-ଆନ୍ଦୋଳନ ପରି କେବଳ ବେତନ ବୃଦ୍ଧିର ଉଦ୍ଦେଶ୍ୟରେ ପରିଚାଳିତ ହେଲେ ତାହାର ମର୍ଯ୍ୟାଦା ହରାଇ ବସିବ-। ଅବଶ୍ୟ ଶିକ୍ଷକମାନଙ୍କର ବେତନ ସମସ୍ୟା ବିଶେଷତଃ ଆଧୁନିକ ଅର୍ଥନୈତିକ ସଂକଟ ବେଳେ ଉଠିବା ଅବାଞ୍ଛନୀୟ ନୁହେଁ । ମାତ୍ର ତାହା ବୋଲି ସଂଘଟି କେବଳ ଗୋଟିଏ ଅର୍ଥନୈତିକ ଅନୁଷ୍ଠାନରେ ପରିଣତ ହେବା କୌଣସିମତେ ଉଚିତ ନୁହେଁ । ପ୍ରାଥମିକ ଶିକ୍ଷାର ସ୍ୱରୂପ କିପରି ହେବା ଉଚିତ, ଶିକ୍ଷକମାନଙ୍କ ଯୋଗ୍ୟତା ଓ ଦାୟିତ୍ୱ, ବିଦ୍ୟାଳୟମାନଙ୍କର ପରିଚାଳନା, ପାଠ୍ୟତାଲିକା-ନିର୍ଦ୍ଧାରଣ, ଛାତ୍ରମାନଙ୍କର ଶାରୀରିକ, ମାନସିକ ଓ ନୈତିକ ବିକାଶ ପ୍ରଭୃତି ସମସ୍ୟାଗୁଡ଼ିକ ସଂଘର କାର୍ଯ୍ୟକ୍ରମର ଅନ୍ତର୍ଗତ ହେବା ସର୍ବଥା ବିଧେୟ । ଏହି ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଦେଲେ ମନେହୁଏ, ପ୍ରାଥମିକ ଶିକ୍ଷକମାନଙ୍କର ଏହି ସମ୍ମିଳନୀ ସେମାନଙ୍କର ବିଭିନ୍ନ ସମସ୍ୟା ସମାଧାନର ଗୋଟିଏ ବିଶିଷ୍ଟ ତଥା ଉପଯୁକ୍ତ ପୀଠ । ଏହି ପୀଠରେ ଦଣ୍ଡାୟମାନ ହୋଇ ପ୍ରାଥମିକ ଶିକ୍ଷକ ଆଜି ତାହାର ସର୍ବବିଧ ଦାବୀ ଉପସ୍ଥାପିତ କରିପାରେ । ତାହାର ଆସନ ଯେ ସମାଜରେ ଅତି ଉଚ୍ଚରେ, ଏହା କର୍ତ୍ତୃପକ୍ଷ ତଥା ଦେଶବାସୀଙ୍କ ସମକ୍ଷରେ ଉପସ୍ଥାପିତ କରିବାର ସୁଯୋଗ ତାକୁ ଏହି ପୀଠରେ ମିଳିପାରିବ । ପ୍ରାଥମିକ ଶିକ୍ଷାର ଉପାଦେୟତା ଓ ତଦ୍ଦୃଷ୍ଟେ ତାହାର ବହୁଳ ପ୍ରଚାରର ଆବଶ୍ୟକତା ବ୍ରିଟିଶ ରାଜତ୍ୱରେ ବହୁକାଳ ଧରି ଉପଲବ୍‌ଧ ହୋଇଅଛି । ସ୍ୱର୍ଗତ ଗୋଖଲେ ଓ ଭିଟେଲ ଭାଇ ପଟେଲଙ୍କ ସମୟରୁ ପ୍ରାଥମିକ ଶିକ୍ଷାର ଉନ୍ନତି ଓ ପ୍ରସାରପାଇଁ ବହୁତ ଆନ୍ଦୋଳନ ହୋଇଆସୁଅଛି ଓ ତାହାର ଫଳରେ ଅନେକ ପରିବର୍ତ୍ତନ ଘଟିଅଛି । ମାତ୍ର ବିଦେଶୀ ସରକାର ଅଧୀନରେ ଦେଶର ଅବସ୍ଥାଦୃଷ୍ଟେ ଯାହା ହେବାର କଥା, ତାହା ହିଁ ହୋଇଅଛି-। କାର୍ଯ୍ୟତଃ ସନ୍ତୋଷଜନକ ଫଳ ଲାଭ ହୋଇ ନ ଥିଲେହେଁ ଶିକ୍ଷାକମିଟି ଓ ଶିକ୍ଷାବିତ୍‌ମାନଙ୍କର ଦୃଷ୍ଟି ଏ ଦିଗରେ ପଡ଼ି ଯେଉଁସବୁ ପରିବର୍ତ୍ତନ କଳ୍ପିତ ବା ପ୍ରସ୍ତାବିତ ହୋଇଯାଇଅଛି, ତାହା ପ୍ରାଣରେ ଉତ୍ସାହ ଆଣେ । ଆଉ କିଛି ନୂତନ ଯୋଜନା ଉପସ୍ଥାପିତ ନ କରି ଯଦି ଏହି ସୁଚିନ୍ତିତ ପ୍ରସ୍ତାବଗୁଡ଼ିକ କାର୍ଯ୍ୟରେ ପରିଣତ କରାଯାଏ, ତାହାହେଲେ ପ୍ରାଥମିକ ଶିକ୍ଷା ସଂକ୍ରାନ୍ତ ସମସ୍ୟାଗୁଡ଼ିକ ଅଚିରେ ସମାହିତ ହୋଇଯିବ । ସୁତରାଂ ସମ୍ମିଳନୀରେ ଏହି ସମସ୍ୟାମାନ ଆଲୋଚିତ ହୋଇ କର୍ତ୍ତୃପକ୍ଷଙ୍କ ଆଗରେ ବିଧିବଦ୍ଧ ଭାବରେ ଉପସ୍ଥାପିତ କରାଗଲେ ସ୍ୱାଧୀନ ଭାରତରେ ଏଗୁଡ଼ିକ ଅଚିରେ ସମାହିତ ହୋଇଯିବ । ସେଥିପାଇଁ ନୈରାଶ୍ୟବାଦର ସ୍ଥାନ ନାହିଁ । ସମୟ ଆସିଛି, ଯେତେବେଳେ ପ୍ରାଥମିକ ଶିକ୍ଷାର ଉପଯୁକ୍ତ ପ୍ରବର୍ତ୍ତନ, ଉପଯୁକ୍ତ ପ୍ରସାର ଓ ଅଭିବୃଦ୍ଧି ହେବ ହିଁ ହେବ-। ଏଥିପ୍ରତି କୌଣସି ଜାତୀୟ ସରକାର ରୁଦ୍ଧନେତ୍ର ହୋଇ ରହିପାରିବେ ନାହିଁ । ଭାରତର ସ୍ୱାଧୀନତା ସେତେବେଳେ ପୂର୍ଣ୍ଣଭାବରେ ଅନୁଭୂତ ହେବ, ଯେତେବେଳେ ଜାତୀୟଜୀବନର ଭିତ୍ତି ଶିକ୍ଷାକ୍ଷେତ୍ରରେ ଜାତୀୟ ବିକାଶର ସହକାରୀ ଉପାୟ ଓ ଯୋଜନାମାନ ନିଷ୍ଠାର ସହିତ ଅବଲମ୍ବିତ ହେବ । ଆମ୍ଭମାନଙ୍କୁ ଧୈର୍ଯ୍ୟର ସହିତ ଗତି କରିବାକୁ ହେବ । ପ୍ରାଥମିକ ବିଦ୍ୟାଳୟ ଯେ ଜାତୀୟଜୀବନର ହୃତ୍‌ପିଣ୍ଡ, ତାହା ଶିକ୍ଷକଗଣ ନିଜ ନିଜର କାର୍ଯ୍ୟଦ୍ୱାରା ଦେଶକୁ ଦେଖାଇଦେବା ଆବଶ୍ୟକ । ‘ଶୋଇଲା ପୁଅର ଭାଗ ନାହିଁ’ ଉକ୍ତିଟି ବର୍ତ୍ତମାନ ସ୍ୱାଧୀନ ଭାରତରେ ଅର୍ଥହୀନ; କାରଣ ଦେଶବାସୀଙ୍କୁ ଏହି ସରଳ ବିଶ୍ୱାସରେ ଚାଳିତ ହେବାକୁ ହେବ ଯେ, ଦେଶର ଶାସନତନ୍ତ୍ର ଦେଶପ୍ରାଣ ମନୀଷୀମାନଙ୍କ ସୂକ୍ଷ୍ମ ଦୃଷ୍ଟି ଓ ବିବେକର ଅଧୀନରେ ଚାଳିତ ହେଉଅଛି-। ତେଣୁ ଜାତୀୟ ବିକାଶର ସହକାରୀ କୌଣସି ବିଭାଗ ପ୍ରତି ସେମାନେ ଉଦାସୀନ ରହିପାରିବେ ନାହିଁ-। ବିଶେଷତଃ ଶିକ୍ଷା ସମସ୍ୟା ସେମାନଙ୍କର ସର୍ବପ୍ରଥମ ସମସ୍ୟା ନ ହୋଇ ରହିପାରିବ ନାହିଁ-। ତେବେ କାହିଁକି ସବୁ କ୍ଷେତ୍ରରେ ଅସନ୍ତୋଷ, କାହିଁକି ବା ଏହି ସମ୍ମିଳନୀର ମଣ୍ଡପରେ ସରକାରଙ୍କଠାରେ ବେତନ ନେଇ ଏତେ ଅଳି ? ଏହାର କାରଣ ସ୍ଥିର କରିବାକୁ ବେଶୀ ଦୂର ଯିବାକୁ ହେବ ନାହିଁ । ଏହା ଅଭ୍ରାନ୍ତ ସତ୍ୟ ଯେ ଦେଶର ଅର୍ଥନୈତିକ ଅବସ୍ଥା ବଡ଼ ସଙ୍କଟାପନ୍ନ-। ବିଗତ ମହାଯୁଦ୍ଧ ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥମାନଙ୍କର ଅପରିସୀମ ମୂଲ୍ୟବୃଦ୍ଧି ହେତୁରୁ ସାଧାରଣ ମାନବର ଜୀବନଯାତ୍ରା ଦୁଃସାଧ୍ୟ ହୋଇ ପଡ଼ୁଅଛି । ତେଣୁ ସ୍ୱଳ୍ପ ବେତନଭୋଗୀ ପ୍ରାଥମିକ ଶିକ୍ଷକମାନଙ୍କର ଅବସ୍ଥା ଯେ ଶୋଚନୀୟ ଏଥିରେ ସନ୍ଦେହ ନାହିଁ । ଏପରି ପରିସ୍ଥିତିରେ ଯେତେବେଳେ ଅନ୍ୟାନ୍ୟ ସକଳ କ୍ଷେତ୍ରରେ ଆନ୍ଦୋଳନ ହିଁ ଏକମାତ୍ର ଉପାୟ ହୋଇ ପଡ଼ିଛି, ସେତେବେଳେ ପ୍ରାଥମିକ ଶିକ୍ଷକଗଣ ଯେ ‘ନିରାଶୀ’ ଓ ‘ନିର୍ମମ’ ହୋଇ ସନ୍ନ୍ୟାସ ଅବଲମ୍ବନ କରିବେ, ଏପରି ଭାବିବା ଅସ୍ୱାଭାବିକ ହେବ । ଅନ୍ନଚିନ୍ତା ଗୁରୁତର ହେଲାବେଳେ ଶିକ୍ଷାର ଯୋଜନା, ଶିକ୍ଷକର ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ପ୍ରଭୃତି ସମସ୍ତ ବିସ୍ମୃତି ଗର୍ଭରେ ଲୀନ ହେବା ସ୍ୱାଭାବିକ ।

 

ତେବେ ଏ ପରିସ୍ଥିତିରୁ, ଏ ସଙ୍କଟାପନ୍ନ ଅବସ୍ଥାରୁ, ପ୍ରାଥମିକ ଶିକ୍ଷକ କିପରି ଉଦ୍ଧାର ପାଇବ–କିପରି ତାହାର ଆତ୍ମରକ୍ଷା ହୋଇ ପାରିବ–ଏହାର ଯଥାଯଥ ଉତ୍ତର ଦେବା କଷ୍ଟସାଧ୍ୟ ହେଲେ ବି ଅସାଧ୍ୟ ବା ଅସମ୍ଭବ ନୁହେଁ । ମୋ ମତରେ ପ୍ରାଥମିକ ଶିକ୍ଷକଙ୍କୁ ଏହି ସଙ୍କଟାପନ୍ନ ଅବସ୍ଥାରୁ ଉଦ୍ଧାର କରିବାକୁ ହେଲେ ସରକାର ଓ ଦେଶବାସୀ ଉଭୟ ଅଣ୍ଟାଭିଡ଼ିବା ଉଚିତ୍‌ । କେବଳ ସରକାରଙ୍କ ସଙ୍ଗେ ଲଢ଼େଇ କରି ନିଜର ଆଧୁନିକ ଯୁଗରେ ଅତି ବେଶି ବ୍ୟବହୃତ ‘ଦାବୀ’ ହାସଲ କରିବାରେ ଲାଗିପଡ଼ିଲେ ଚଳିବ ନାହିଁ । ଅବଶ୍ୟ ସରକାରଙ୍କର ଦାୟିତ୍ୱ ଏଦିଗରେ ବହୁତ ବେଶୀ । ତଥାପି ଆମ୍ଭମାନଙ୍କୁ ମନେ ରଖିବାକୁ ହେବ, ସରକାର ବାଣିଜ୍ୟବ୍ୟବସାୟୀ ଭାବରେ ଦେଶର ଶାସନ ଭାର ଗ୍ରହଣ କରିନାହାନ୍ତି । ଦେଶର ସକଳ ଦିଗର ଅଭିବୃଦ୍ଧି ପ୍ରତି ଦୃଷ୍ଟିରଖି ଦେଶର ପାଣ୍ଠିକୁ ବ୍ୟୟ କରିବା ପ୍ରତ୍ୟେକ ସରକାରର କର୍ତ୍ତବ୍ୟ । ଯଦି ପ୍ରତ୍ୟେକ ବିଭାଗରୁ ଡାକ ଆସେ–ଆମକୁ ଦିଅ, ଆମ ଦରମା ବଢ଼ାଅ, ତାହେଲେ କୌଣସି ବିଭାଗର ଦାବୀ ସନ୍ତୋଷଜନକ ଭାବରେ ହାସଲ ହୋଇ ପାରିବ ନାହିଁ । ଯଦି ବା ହୁଏ, ତାହା କେବଳ ପକ୍ଷପାତିତା ବା ଅବିବେକିତାର ପ୍ରମାଣ ହେବ । ତେଣୁ ଯେତେବେଳେ ସରକାର କୌଣସି ସଂଘର ପ୍ରସ୍ତାବିତ ଦାବୀକୁ ସଂପୂର୍ଣ୍ଣରୂପେ ସମର୍ଥନ କରି ନ ପାରନ୍ତି, ସେତେବେଳେ ଦେଶବାସୀଙ୍କର କର୍ତ୍ତବ୍ୟ ହେଉଛି, ଏହି ଅଭାବ ପୂରଣ କରିବା ।

 

କିନ୍ତୁ ବଡ଼ ଦୁଃଖର କଥା, ଆମ୍ଭମାନଙ୍କ ଦେଶରେ ଶିକ୍ଷା ପ୍ରତି ଜନସାଧାରଣଙ୍କର ସମବେତ ସହଯୋଗ ଖୁବ୍ କମ୍‌ । ଲୋକେ ସଶ୍ରଦ୍ଧ ନୁହନ୍ତି । କହିପାରନ୍ତି, ନୁହନ୍ତି ତ ଏତେ ସ୍କୁଲ କଲେଜ ପଢ଼ୁଛି କିପରି ? ଛାତ୍ରମାନଙ୍କର ସଂଖ୍ୟା ଘୁ ଘୁ ବଢ଼ୁଛି କିପରି ? ଏହାର ଉତ୍ତର ଏହି ଯେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ଅର୍ଥକରୀ ହୋଇଥିବାରୁ ଧନିକ ଶ୍ରେଣୀର ଲୋକେ ନିଜ ନିଜର ପିଲାମାନଙ୍କୁ ଇଂରାଜୀ ଶିକ୍ଷାପାଇଁ ସ୍କୁଲ କଲେଜକୁ ପଠାଉଅଛନ୍ତି । ଏହାର ଫଳରେ ମଧ୍ୟ ଇଂରାଜୀ ଓ ଉଚ୍ଚ ଇଂରାଜୀ ବିଦ୍ୟାଳୟମାନଙ୍କରେ ବହୁତ ଛାତ୍ର ପଢ଼ୁଅଛନ୍ତି । ମାତ୍ର ପ୍ରାଥମିକ ବିଦ୍ୟାଳୟ ପ୍ରତି ଅତି ଅଳ୍ପ ଲୋକଙ୍କର ଉଦାର ଦୃଷ୍ଟି ପଡ଼ୁଅଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ର ସାଧାରଣତଃ ଗ୍ରାମ ଚାହାଳିରେ ରହି ଶିକ୍ଷାଲାଭ କରେ । ତାହାର ବାପ ମା ଧନଶାଳୀ ନୁହନ୍ତି ଯେ ସେମାନେ ପିଲାକୁ ଉଚ୍ଚଶିକ୍ଷା ଦେଇପାରିବେ । ମାତ୍ର ପିଲାର ଜୀବନ ଶିକ୍ଷାଦ୍ୱାରା ମାର୍ଜିତ ହେବା ଉଚିତ । ତାହାର ନିରକ୍ଷରତା ଦୂର କରିବା ଓ ତାହାର ମାନସିକ, ନୈତିକ ଓ ଶାରୀରିକ ଉନ୍ନତି ବିଧାନ କରିବା ଏହି ଶିକ୍ଷାର ଉଦ୍ଦେଶ୍ୟ । ଏହି ପ୍ରାଥମିକ ଶିକ୍ଷାବଳରେ ସିନା ସେ ଗ୍ରାମର, ସମାଜର, ତଥା ଜାତିର ଗୋଟିଏ ଉପଯୁକ୍ତ ବ୍ୟକ୍ତି ହୋଇ ରହିପାରିବ । ତା ନ ହେଲେ ସେ ଅନୁନ୍ନତ ଅବସ୍ଥାରେ ପଡ଼ିରହି ଦେଶ ବା ସମାଜର ଗୋଟିଏ କଳଙ୍କ ହୋଇ ରହିବ । ସେଥିପାଇଁ ପ୍ରତ୍ୟେକ ଦେଶବାସୀ ଗ୍ରାମର ପ୍ରତ୍ୟେକ ଶିଶୁଜୀବନକୁ ଉନ୍ନତ କରିବାପାଇଁ ଯତ୍ନ କରିବା ଉଚିତ । କେବଳ ନିଜର ପିଲାମାନଙ୍କୁ ଶିକ୍ଷିତ କରେଇ କିଛି ଅର୍ଥ ଉପାର୍ଜ୍ଜନ ପନ୍ଥା ଧରିବସିଲେ ଯେ ସମାଜ ବା ଜାତିର ଉନ୍ନତି ଘଟିବ, ଏହା ନୁହେଁ । ମୂର୍ଖମାନଙ୍କ ମଧ୍ୟରେ ସ୍ୱୟଂ ସୁଖୀ ହେବାକୁ ବସିଲେ ସେ କେବେହେଁ ସଫଳକାମ ହୋଇପାରିବ ନାହିଁ । ବସ୍ତୁତଃ ଆମ ଦେଶରେ ଅଭିଭାବକମାନେ ପ୍ରାଥମିକ ଶିକ୍ଷକ ପ୍ରତି ସେପରି ଶ୍ରଦ୍ଧା ବା ସମ୍ମାନ ଦେଖାନ୍ତି ନାହିଁ । ଏହି ଶିକ୍ଷକମାନେ ସରକାରରରୁ ମାସିକ ସାହାଯ୍ୟ ବା ଷ୍ଟାଇପେଣ୍ଡ ପାଇବା ଦିନଠାରୁ ଅଭିଭାବକମାନେ ତାଙ୍କ ପ୍ରତି ଏକାବେଳକେ ଉଦାସୀନ ହୋଇପଡ଼ିଛନ୍ତି । ଏ ଶିକ୍ଷକମାନେ ମଧ୍ୟ ସରକାରୀ ସାହାଯ୍ୟ ଓ ଛାତ୍ରଦତ୍ତ ବେତନକୁ ଏକମାତ୍ର ଆୟ ବୋଲି ମନେ କରି ଶିକ୍ଷାକାର୍ଯ୍ୟ ନିଷ୍ଠା ଓ ଦାୟିତ୍ୱ ସହିତ କରନ୍ତି ନାହିଁ । ଫଳତଃ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପ୍ରକୃତ ଶିକ୍ଷାକ୍ଷେତ୍ର ହୋଇପାରୁ ନାହିଁ । ମନେପଡ଼େ, ଜଣେ ପ୍ରାଥମିକ ଶିକ୍ଷକଙ୍କ କଥା । ସେ ଗୋଟିଏ ଗ୍ରାମରେ ଖଣ୍ଡିଏ ପାଠଶାଳା କରିବା ଉଦ୍ଦେଶ୍ୟରେ ନାନା ଚେଷ୍ଟା କରି ଖଣ୍ଡିଏ ଘର ତିଆରି କଲେ । କିନ୍ତୁ ଜଣେ ସଂପାଦକ ଦରକାର । ସେଥିପାଇଁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବହୁ ଅନୁରୋଧ କରି ସଂପାଦକ ପଦରେ ନିଯୁକ୍ତ କରାଇଲେ । କିନ୍ତୁ ସେହି ବ୍ୟକ୍ତି ସଂପାଦକତ୍ୱ ଗ୍ରହଣ କରିବା ପୂର୍ବରୁ ଏହି ଚୁକ୍ତି କଲେ ଯେ ଶିକ୍ଷକ ଯେଉଁ ଟଙ୍କା ପ୍ରତି ମାସରେ ସରକାରରୁ ପାଇବେ, ସେଥିରୁ କିଛି ଅଂଶ ତାଙ୍କୁ ଦେବେ ଓ ଘରଛପରବନ୍ଦିରେ ଯେଉଁ ଖର୍ଚ୍ଚ ଲାଗିବ, ତାହା ଶିକ୍ଷକ ତାଙ୍କ ହାତରୁ ଚଳାଇବେ । ବିଚରା ଶିକ୍ଷକ ଅନନ୍ୟୋପାୟ, ହୋଇ ଏହି ଚୁକ୍ତିରେ ରାଜିହେଲେ । ସେ ଦେଖିଲେ ଯେ ପ୍ରତିବର୍ଷ ସେ ମାସକୁ ଟ୧୨ଙ୍କା କରି ଟ୧୪୪ଙ୍କା ପାଇବେ । ସେଥିରୁ ସଂପାଦକଙ୍କ ପାଉଣା ହେବ ଟ୨୪ଙ୍କା ଓ ଘର ଛପରରେ ଲାଗିବ ପ୍ରାୟ ଟ ୧୦ଙ୍କା । ଏହିପରି ଟ୩୪ଙ୍କା ଗଲେ ବାକି ଟ୧୧୦ଙ୍କା ତାଙ୍କର ରହିବ । ଏହା ସଙ୍ଗକୁ ପୁଣି ସେ ପିଲାଙ୍କଠାରୁ ଦରମା କିଛି ଆଦାୟ କରି ତାଙ୍କ କୃତ୍ୟ ଚଳାଇବେ । ପ୍ରାଥମିକ ଶିକ୍ଷକ ଯଦି ଏହି ଅବସ୍ଥାର ଅଧୀନ ହୁଅନ୍ତି, ତାହାହେଲେ ତାଙ୍କର ଶିକ୍ଷାକାର୍ଯ୍ୟକୁ ଏକ ବ୍ୟବସାୟ ବୋଲି ମଣିବାକୁ ହେବ । ଏଥିରୁ ଅନୁମିତ ହେବ, ପ୍ରାଥମିକ ବିଦ୍ୟାଳୟ ଗ୍ରାମବାସୀଙ୍କର ନୁହେଁ, ଶିକ୍ଷକ ତଥା ସଂପାଦକମାନଙ୍କର ଅର୍ଥୋପାର୍ଜନର କ୍ଷେତ୍ର । ସଂପାଦକ ଶିକ୍ଷାର ଉପାଦେୟତା ବୁଝିବା ପରିବର୍ତ୍ତରେ ବରଂ ଉକ୍ତ ବିଦ୍ୟାଳୟରୁ କିଛି ରୋଜଗାର କରିବାକୁ ସଂପାଦକତ୍ୱ ଗ୍ରହଣ କରିଥିଲେ । ଗ୍ରାମର ଲୋକେ ଯଦି ଏହିପରି ଦୂଷିତ ହୁଅନ୍ତି, ତାହାହେଲେ ପ୍ରାଥମିକ ଶିକ୍ଷାର ମର୍ଯ୍ୟାଦା ଖୁବ୍‌ ସଂରକ୍ଷିତ ହେଲା ବୋଲି ଜାଣ ।

 

ଉପରେ ଗ୍ରାମବାସୀଙ୍କର ସହଯୋଗ ସମ୍ବନ୍ଧରେ ଯାହା ବୁଝାଗଲା, ତାହା ଯଦି କାର୍ଯ୍ୟରେ ପରିଣତ ହୁଏ, ତାହାହେଲେ ସରକାର ପ୍ରାଥମିକ ଶିକ୍ଷାର ଉନ୍ନତି ଦିଗରେ ବହୁତ କିଛି କରିପାରିବେ । ମାତ୍ର ଦୁଃଖର କଥା, ଆମ ଉତ୍କଳରେ ଏ ପର୍ଯ୍ୟନ୍ତ ସହଯୋଗ ମନୋବୃତ୍ତି ଗଠିତ ହୋଇନାହିଁ । ଗ୍ରାମମାନଙ୍କର ଦୁର୍ଦ୍ଦଶା ବର୍ଣ୍ଣନାତୀତ । ଲୋକମାନଙ୍କ ମଧ୍ୟରେ ପରସ୍ପର ସ୍ନେହସହାନୁଭୂତିର ଏକାନ୍ତ ଅଭାବ । ଶିକ୍ଷିତ ଚରିତ୍ରବାନ୍‌ ଲୋକ ଦେଖିବାକୁ ବିରଳ । ସେମାନେ ଏତେ ସ୍ୱାର୍ଥପର ଯେ ନିଃସହାୟ ଦରିଦ୍ର ଗ୍ରାମବାସୀମାନଙ୍କ ପ୍ରତି ଆଦୌ ସହାନୁଭୂତି ଦେଖାନ୍ତି ନାହିଁ-। କେବଳ କେତେଜଣ ଧୂର୍ତ୍ତ ମାମଲତକାର ‘କଳେ ବଳେ କୌଶଳେ’ ଲୋକମାନଙ୍କର ଅଜ୍ଞତା ଓ ଅସହାୟତାର ସୁବିଧା ନେଇ ନିଜର ସ୍ୱାର୍ଥ ସାଧନ କରିବାରେ ଲାଗିଥାନ୍ତି । ଲୋକମାନଙ୍କୁ ଉତ୍ତେଜିତ କରି ମାଲିମୋକଦ୍ଦମାରେ ସେମାନଙ୍କର ସର୍ବସ୍ୱ ଅପହରଣ କରିନିଅନ୍ତି । ଫଳରେ ଅବିଶ୍ୱାସ ଈର୍ଷା, ଦ୍ୱେଷ ଓ ପରଶ୍ରୀକାତରତା ପ୍ରଭୃତି ଦୁର୍ଗୁଣଗୁଡ଼ିକ ସେମାନଙ୍କର ଚରିତ୍ରକୁ କଳଙ୍କିତ କରିଦିଏ । କୌଣସି ହିତକର ଅନୁଷ୍ଠାନରେ ସେମାନେ ଏକପ୍ରାଣ ହୋଇ କାର୍ଯ୍ୟ କରନ୍ତି ନାହିଁ-। ପରଂପରାଗତ ଗ୍ରାମର ସାଧାରଣ ଅନୁଷ୍ଠାନମାନ ଭାଙ୍ଗିରୁଜି ଲୋପ ପାଇବା ଉପରେ-। ଏହି ପରିସ୍ଥିତିରେ ଏକତା ‘ଆକାଶ କୁସୁମ’ ପରି ହୋଇଗଲାଣି । ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ଶିକ୍ଷା କଥା କିଏ ଭାବୁଛି ? ଅର୍ଥଲାଳସା ଏତେ ପ୍ରବଳ ଯେ, କେବଳ ନିଜ ନିଜର ଧନ ବୃଦ୍ଧିହେଲେ, ଗ୍ରାମ ଧ୍ୱଂସକୁ ଯାଉ ପଛକେ, କାହାରି କିଛି ଯାଏ ଆସେ ନାହିଁ । ସୁତରାଂ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ଦେଶବାସୀଙ୍କର ସହଯୋଗ ବର୍ତ୍ତମାନ ପରିସ୍ଥିତିରେ ମିଳିବା ଦୁରୂହ ହୋଇପଡ଼ିଛି-। ଏପରି ଅବସ୍ଥାରେ ସରକାର ହିଁ ଏକମାତ୍ର ଆଶ୍ରୟ । ଲୋକଚରିତ୍ର ଗଢ଼ା ନ ହେବା ପର୍ଯ୍ୟନ୍ତ, ଲୋକମାନଙ୍କ ପ୍ରାଣରେ ସମୂହକଲ୍ୟାଣସାଧନ ପାଇଁ ମନୋବୃତ୍ତି ଗଠିତ ନ ହେବା ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷାର ଭାର ପ୍ରାୟ ସଂପୂର୍ଣ୍ଣଭାବରେ ସରକାରଙ୍କର ଦାୟିତ୍ୱ । ଦେଶବାସୀଙ୍କ ତରଫରୁ ସାହାଯ୍ୟ ସହାନୁଭୂତି ମିଳୁଥିଲେ ବୋଧହୁଏ, ଏ ଦୁର୍ଦ୍ଦିନରେ ପ୍ରାଥମିକ ଶିକ୍ଷକମାନଙ୍କର ସରକାରଙ୍କ ଠାରେ ଏତେ ଅଳି ହେଉ ନ ଥାନ୍ତା । ଜନସାଧାରଣଙ୍କର କର୍ତ୍ତବ୍ୟ ବିମୁଖତାବଶତଃ ଗ୍ରାମମାନଙ୍କରେ ଏପରି ପରିସ୍ଥିତି ଜନ୍ମିଛି ଯେ, ଜୋରଜବରଦସ୍ତି କରି କେତେଗୁଡ଼ିଏ ହିତକର ଅନୁଷ୍ଠାନ ଗ୍ରାମବାସୀଙ୍କ ହାତରେ କରାଇ ନ ନେଲେ ରକ୍ଷା ନାହିଁ । ଆମ ଲୋକେ ସ୍ୱତଃପ୍ରବୃତ୍ତ ହୋଇ କୌଣସି ହିତକର ଅନୁଷ୍ଠାନ ପ୍ରତି ସକ୍ରିୟ ସହାନୁଭୂତି ଦେଖାଇବାକୁ ଏ ପର୍ଯ୍ୟନ୍ତ ଶିଖିନାହାନ୍ତି-। ତେଣୁ ସରକାରଙ୍କ ନିକଟରେ ସର୍ବପ୍ରକାର ଅଳି କରାଯାଉଅଛି । ଆମ୍ଭମାନଙ୍କର ଆଶା ଲୋକପ୍ରତିନିଧି ଜାତୀୟ ସରକାର ଦେଶର ଏ ସବୁ ଅବସ୍ଥା ପ୍ରତି ଦୃଷ୍ଟି ଦେଇ କି ଉପାୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ହେବ, କି ଉପାୟରେ ପ୍ରାଥମିକ ଶିକ୍ଷକମାନଙ୍କର ଦୁର୍ଦ୍ଦଶା ଦୂରୀଭୂତ ହେବ, ଏଥିପ୍ରତି ଯତ୍ନବାନ ହେବେ ।

 

ଏଥିପୂର୍ବେ ପ୍ରାଥମିକ ଶିକ୍ଷା ସମ୍ବନ୍ଧରେ କେତେଗୁଡ଼ିଏ ସମସ୍ୟାର ଅବତାରଣା କରାଯାଇଛି । ବର୍ତ୍ତମାନ ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ କେତେକ ସୂଚନା ଦେବା ଉଚିତ ମନେକରେଁ ।

 

(୧) ପ୍ରଥମତଃ ପ୍ରାଥମିକ ଶିକ୍ଷାର ଗୋଟିଏ ସୁଚିନ୍ତିତ ପାଠ୍ୟତାଲିକା ବିଶେଷଜ୍ଞମାନଙ୍କ ପରାମର୍ଶରେ ନିର୍ଦ୍ଧାରଣ କରାଯିବା ଉଚିତ । ପାଠ୍ୟତାଲିକାରେ ଲିଖନ, ପଠନ ଓ ଗଣିତ ସଙ୍ଗେ ସଙ୍ଗେ ଶାରୀରିକ ଓ ନୈତିକ ବିକାଶର ସହକାରୀ କେତେଗୁଡ଼ିଏ ଉପାଦେୟ ବିଷୟ ଅନ୍ତର୍ଭୁକ୍ତ ହେବା ଉଚିତ । ଶିଶୁର କ୍ରୀଡ଼ାସୁଲଭ ସ୍ୱଭାବର ଅନୁକୂଳ ବିଷୟ ଶିକ୍ଷାଦେଲେ, ତାହାର ସଞ୍ଚିତ ଶକ୍ତିମାନଙ୍କର ଉପଯୁକ୍ତ ବିକାଶ ସହଜ ଓ ସୁଗମ ହେବ ।

 

(୨) ଉଲ୍ଲିଖିତ ପ୍ରକାରର ଶିକ୍ଷାଦାନ ନିମିତ୍ତ ଚରିତ୍ରବାନ୍‌ ପାରଦର୍ଶୀ ଶିକ୍ଷକ ନିଯୁକ୍ତ ହେବା ବିଧେୟ । ଖାଲି ଗତାନୁଗତିକ ପନ୍ଥାରେ ବିଭାଗୀୟ ନିୟମ ଅନୁଯାୟୀ ଦୈନିକ ପାଠ୍ୟନିର୍ଘଣ୍ଟ, ଉପସ୍ଥାନ, ଉପକରଣର ବ୍ୟବସ୍ଥା ଏବଂ ଗୃହର ସାଜସଜ୍ଜା ପ୍ରଭୃତି ଦ୍ୱାରା ପରିଦର୍ଶକମାନଙ୍କର ସନ୍ତୋଷ ଆଣିପାରିଲେ ଯେ ପ୍ରାଥମିକ ଶିକ୍ଷାର ଉଦ୍ଦେଶ୍ୟ ସିଦ୍ଧ ହେଲା, ତାହା ନୁହେଁ । ଶିଶୁଜୀବନର ସମ୍ୟକ୍‌ ବିକାଶ ପାଇଁ ଉପଯୁକ୍ତ ଶିକ୍ଷା ଉପରେ ଜୋରଦେବା ଏକାନ୍ତ ଆବଶ୍ୟକ । ଯେଉଁ ଶିକ୍ଷକ ଏହି ପ୍ରଧାନ କର୍ତ୍ତବ୍ୟକୁ ଅବହେଳା କରି କେବଳ କେତେକ ବାହାର ଆଡ଼ମ୍ବରରେ ପରିଦର୍ଶକମାନଙ୍କୁ ଭୁଲାଇ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ଶିଶୁଜୀବନର ବିକାଶ ପ୍ରତି ଦୃଷ୍ଟି ନ ଦେଇ ବିଦ୍ୟାଳୟର ସ୍ଥାୟିତ୍ୱ ମାତ୍ର ରକ୍ଷା କରିବାକୁ ଯାଆନ୍ତି, ସେ କେବଳ ଶିଶୁହତ୍ୟା ଅପରାଧରେ ଅପରାଧୀ ବୋଲି କହିବାକୁ ହେବ । ସୁତରାଂ ପ୍ରାଥମିକ ବିଦ୍ୟାଳୟ ନିମିତ୍ତ ଶିକ୍ଷକନିର୍ବାଚନ ଏକ ଗୁରୁତର ସମସ୍ୟା । ଏଠାରେ ମନେରଖିବା ଉଚିତ ଯେ ବେତନର ହାର ଅତି ଅଳ୍ପ ହୋଇଥିବାରୁ ଉତ୍କୃଷ୍ଟ ଧରଣର ଶିକ୍ଷକ ମିଳିବା କଠିନ ହୋଇଛି । ଭଲ ଛାତ୍ରମାନେ ଏ କର୍ମରେ ନିଯୁକ୍ତ ହେବାକୁ ଅନିଚ୍ଛୁକ ।

 

(୩) ସାଧାରଣ ଦେଶବାସୀଙ୍କର ଶିକ୍ଷାପ୍ରତି ଯେପରି ବିତୃଷ୍ଣା ଦେଖାଯାଏ, ତାହାର ଦୃଷ୍ଟିରେ ପ୍ରାଥମିକ ଶିକ୍ଷାକୁ ବାଧ୍ୟତାମୂଳକ କରିବା ଏକାନ୍ତ ଆବଶ୍ୟକ ଏବଂ ଏହାକୁ ସମ୍ପୂର୍ଣ୍ଣରୂପେ କାର୍ଯ୍ୟକାରୀ କରିବା ସକାଶେ ଛାତ୍ରମାନଙ୍କୁ ବିନା ବେତନରେ ସୁବିଧା ଦିଆଯିବା ଉଚିତ ।

 

(୪) ଦେଶର ବର୍ତ୍ତମାନ ଅବସ୍ଥା ଦୃଷ୍ଟିରେ ଶିକ୍ଷକମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ମର୍ଯ୍ୟାଦା-ଜ୍ଞାନ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅର୍ଥନୈତିକ ଅବସ୍ଥାକୁ ଦୃଷ୍ଟି ଦେବା ଉଚିତ । ସେଥିପାଇଁ ସରକାର ଓ ଦେଶବାସୀ ଉଭୟଙ୍କର ସହଯୋଗ ଏକାନ୍ତ ବାଞ୍ଛନୀୟ । ସମ୍ବାଦପତ୍ରମାନଙ୍କରେ ଦେଖିବାକୁ ମିଳେ, କର୍ତ୍ତୃପକ୍ଷଙ୍କଠାରୁ ମିଳୁଥିବା ସାହାଯ୍ୟ (Stipend) ପାଇବାରେ ବହୁତ ବିଳମ୍ବ ଘଟିଥାଏ ଓ ଶିକ୍ଷକମାନେ ଅଧିକାଂଶ ସମୟରେ ଏଥିପାଇଁ ଆପତ୍ତି, ଅଭିଯୋଗ ଜଣାଇଥାନ୍ତି । ଏହି ପ୍ରଥା ଶୀଘ୍ର ବର୍ଜ୍ଜନୀୟ । ଅନ୍ୟାନ୍ୟ ବିଭାଗର କର୍ମଚାରୀମାନଙ୍କ ପରି ପ୍ରାଥମିକ ଶିକ୍ଷକମାନେ ନିୟମିତଭାବରେ ପ୍ରତିମାସରେ ସେମାନଙ୍କର ବେତନ ପାଇଲେ କାର୍ଯ୍ୟପ୍ରତି ସେମାନଙ୍କର ଉତ୍ସାହ ବଢ଼ିବ ବୋଲି ଆଶା କରାଯାଏ ।

 

(୫) ପ୍ରାଥମିକ ଶିକ୍ଷାର ପ୍ରସାରପାଇଁ କ୍ଷୁଦ୍ର ପଲ୍ଲୀମାନଙ୍କରେ ବିଦ୍ୟାଳୟମାନ ବସାଇବା ଉଚିତ ଏବଂ ଏହି ଉଦ୍ଦେଶ୍ୟରେ ସରକାର ଯଥାର୍ଥ ସାହାଯ୍ୟ ଦେଇ ଜନସାଧାରଣଙ୍କୁ ଉତ୍ସାହିତ କରିବେ ବୋଲି ଆଶା କରାଯାଏ ।

 

ପରିଶେଷରେ ବକ୍ତବ୍ୟ ଏହି ଯେ ଉଲ୍ଲିଖିତ ସୂଚନାଗୁଡ଼ିକର ଦୃଷ୍ଟିରେ ଆଦର୍ଶ ବିଦ୍ୟାଳୟମାନ ଦେଶର ବର୍ତ୍ତମାନ ପରିସ୍ଥିତିରେ ଏକାନ୍ତ ଆବଶ୍ୟକ ବୋଲି ମନେହୁଏ । ଆମ୍ଭମାନଙ୍କର ସ୍ୱାଧୀନ ଭାରତରେ ଈଦୃଶ ଅନୁଷ୍ଠାନମାନ ଅଚିରେ ପ୍ରତିଷ୍ଠିତ ହୋଇ ଜାତିର ମୂଳପିଣ୍ଡ ଶିଶୁଜୀବନର ଯଥାଯଥ ବିକାଶ ଦିଗରେ ସାହାଯ୍ୟ କରିବେ ।

 

(ଏକ ପ୍ରାଥମିକ ଶିକ୍ଷକ ସମ୍ମିଳନୀରେ ପଠିତ ପ୍ରବନ୍ଧ)

Image